ରଙ୍ଗଛଡ଼ା କାନ୍ଥ ଥିବା ଦୁଇମହଲା ଘରର ଉପର ମହଲାରେ ଅଜଲାନ ଅହମଦ ତାଙ୍କ କୋଠରୀର ଗୋଟିଏ କୋଣରେ ବସି ଫୋନ୍ରେ ଲାଗି ରହିଥାନ୍ତି। ତାଙ୍କ ହାତଗୁଡ଼ିକ ଥରୁଛି ଏବଂ ସେ କଶ୍ମୀରି ଭାଷାରେ ତାଙ୍କ ମାଆକୁ ଚିତ୍କାର କରି ଉଠନ୍ତି, ‘‘ମାଇ ଗୋ ଖବର କ୍ୟା [ମୁଁ ଜାଣିନି ମୋର କ’ଣ ହେଉଛି]।’’ ସେ ମୁଣ୍ଡ ବିନ୍ଧା ଏବଂ ଶରୀର ଯନ୍ତ୍ରଣାର ଅଭିଯୋଗ କରନ୍ତି। ତାଙ୍କ ମାଆ ସକିନା ବେଗମ ଗୋଟିଏ ଗ୍ଲାସ ପାଣି ଆଣିବା ପାଇଁ ରୋଷେଇଘରକୁ ଦୌଡ଼ନ୍ତି। ଅଜଲାଙ୍କ ଚିତ୍କାର ଶୁଣି ତାଙ୍କ ବାପା ବସିର ଅହମଦ କୋଠରୀ ଭିତରକୁ ଆସନ୍ତି ଏବଂ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରନ୍ତି, କୁହନ୍ତି ଯେ, ‘‘ଡାକ୍ତରମାନେ ତାଙ୍କୁ କହିଥିଲେ ନିଶା ଛାଡ଼ିବାର ଲକ୍ଷଣଗୁଡ଼ିକ ଏମିତି ହୋଇପାରେ।’’
ସମୟକ୍ରମେ, ସକିନା ବେଗମ ଏବଂ ବସିର (ଗୋପନୀୟତା ରକ୍ଷା ପାଇଁ ସମସ୍ତ ନାମ ପରିବର୍ତ୍ତନ କରାଯାଇଛି) ୨୦ବର୍ଷ ବୟସ୍କ ଅଜଲାନଙ୍କ କୋଠରୀକୁ ତାଲା ପକାଇ ସୁରକ୍ଷିତ କରିବା ଆରମ୍ଭ କଲେ, ସେମାନଙ୍କ ଘରର ୧୦ଟି ଝରକା ମଧ୍ୟ ବନ୍ଦ ରଖାଗଲା। ଏହି କୋଠରୀଟି ରୋଷେଇଘର ପାଖକୁ ଥିବା ଯେଉଁଠାରୁ ତାଙ୍କ ମାଆ ତାଙ୍କ ଉପରେ ଏକ ତୀକ୍ଷ୍ଣ ନଜର ରଖିପାରିବେ। ୫୨ ବର୍ଷ ବୟସ୍କା ସକିନା ବେଗମ କୁହନ୍ତି, ‘‘ନିଜ ପୁଅକୁ ତାଲା ପକାଇ ରଖିବା ଯନ୍ତ୍ରଣା ଦାୟକ, କିନ୍ତୁ ମୋର ଅନ୍ୟ କୌଣସି ବିକଳ୍ପ ନାହିଁ’’, ସେ ଭୟ କରନ୍ତି ଯେ, ଯଦି ତାଙ୍କ ପୁଅ ବାହାରକୁ ଯିବ ସେ ଡ୍ରଗ୍ସ ଖୋଜିବା ଆରମ୍ଭ କରିବ।
ବେରୋଜଗାର ଥିବା ଏବଂ ସ୍କୁଲ ପାଠପଢ଼ା ଅଧାରୁ ଛାଡ଼ିଥିବା ଅଜଲାନ ଦୁଇବର୍ଷ ହେବ ହେରୋଇନ ନିଶାସକ୍ତ ହୋଇଗଲାଣି। ଏହି ଅଭ୍ୟାସ ଚାରିବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, ଉତ୍ତେଜନା ପାଇବା ପାଇଁ ଜୋତା ପଲିସ ସହ, ଏହା ପରେ ସେ ହେରୋଇନ ପାଖରେ ପହଞ୍ଚିବା ପୂର୍ବରୁ ଔଷଧୀୟ ଅଫିମ ଓ ଚରସ (ଗଞ୍ଜେଇର ଏକ ଉତ୍ପାଦ) ନେଉଥିଲା।
ଏହି ନିଶା ଅଭ୍ୟାସ ଅଜଲାନଙ୍କ ପରିବାର ପାଇଁ ଏକ ଆଘାତ ଥିଲା, ଯେଉଁମାନେ କି ଦକ୍ଷୀଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଚୁରୁସୁ ଅଞ୍ଚଳରେ ରହୁଥିଲେ। ୫୫ବର୍ଷ ବୟସ୍କ ଧାନ ଚାଷୀ ବସିର କୁହନ୍ତି, ‘‘ସେ ଡ୍ରଗ୍ସ କିଣିବା ପାଇଁ ଆମର ଯାହାକିଛି ମୂଲ୍ୟବାନ ଜିନିଷ ଥିଲା ସବୁ ବିକିଦେଲା, ତା’ ମା’ର କାନଫୁଲଠାରୁ ଆରମ୍ଭ କରି ତା’ ଭଉଣୀର ମୁଦି ପର୍ଯ୍ୟନ୍ତ’’। ସେ ତାଙ୍କ ପୁଅର ଡ୍ରଗ୍ସ ଅଭ୍ୟାସ ବିଷୟରେ ଅଜଲାନ ତାଙ୍କର ଏଟିଏମ୍ କାର୍ଡ ଚୋରେଇ ନେଇ ତାଙ୍କ ଜମାଖାତାରୁ ଟ. ୫୦ହଜାର ଉଠାଇନେବାର ଅନେକଦିନ ପରେ ଜାଣିଲେ। ସେ କୁହନ୍ତି, ‘‘ଆମ ଘରେ ଯେଉଁ ଅତିଥିମାନେ ରହୁଥିଲେ ସେମାନେ ମଧ୍ୟ ସେମାନଙ୍କର ଟଙ୍କା ଚୋରି ହୋଇଥିବାର ଅଭିଯୋଗ କରିଥିଲେ।’’
କିନ୍ତୁ ସମସ୍ୟାର ପୂର୍ଣ୍ଣ ସ୍ୱରୂପ ଗତ କେଇମାସ ତଳେ ସ୍ପଷ୍ଟ ହେଲା ଯେତେବେଳେ ବସିର ଦେଖିଲେ ତାଙ୍କ ପୁଅ ହେରୋଇନ କିଣିବା ପାଇଁ ତା’ ୩୨-ବର୍ଷ ବୟସ୍କା ଭଉଣୀର ଆଙ୍ଗୁଠିରୁ ଗୋଟିଏ ମୁଦି କାଢ଼ି ନେଉଛି। ସେ କୁହନ୍ତି, ‘‘ତା’ ପରଦିନ ମୁଁ ତାକୁ ଚିକିତ୍ସା ପାଇଁ ଶ୍ରୀନଗରରେ ଥିବା ନିଶାମୁକ୍ତି କେନ୍ଦ୍ରକୁ ନେଲି। ମୁଁ ମୋ ପୁଅକୁ ଅନ୍ଧ ଭାବରେ ବିଶ୍ୱାସ କରିଥିଲି ଏବଂ କେବେ ଚିନ୍ତା କରିନଥିଲି ଯେ ତାକୁ ଦିନେ ଡ୍ରଗ୍ସ ନିଶାଭ୍ୟାସି କୁହାଯିବ।’’




