ଦକ୍ଷିଣ କୋଲକାତାର ଏକ ବହୁସାଂସ୍କୃତିକ କେନ୍ଦ୍ର ଲେକ୍ ମାର୍କେଟରେ ନିଜର ଗ୍ରାହକଙ୍କ କଥା ବୁଝିବା, ବନ୍ଧୁଙ୍କ ସହିତ କଥା ହେବା ଏବଂ ବାଟ ପଚାରୁଥିବା ଅପରିଚିତ ଲୋକଙ୍କ ସହିତ ମତବିନିମୟ କରିବା ଲାଗି ମୀନା ଯାଦବ ଥର ଥର କରି ଭୋଜପୁରୀ, ବଙ୍ଗଳା ଓ ହିନ୍ଦୀ ଭାଷା ବ୍ୟବହାର କରିଥାନ୍ତି। ‘‘କୋଲକାତାରେ ଏହା (ଭାଷା) କୌଣସି ସମସ୍ୟା ନୁହେଁ,’’ ଜଣେ ପ୍ରବାସୀ ରୂପରେ ନିଜ ଦୈନନ୍ଦିନ ଜୀବନରେ ଆସୁଥିବା ସମସ୍ୟା ସମ୍ପର୍କରେ ବର୍ଣ୍ଣନା କରି ସେ କୁହନ୍ତି।
‘‘ୟେ ସିର୍ଫ କେହନେ କା ବାତ୍ ହୈ କି ବିହାରୀ ଲୋଗ୍ ବିହାର ମେ ରହେଗା (ବିହାରୀ ଲୋକ କେବଳ ବିହାରରେ ରହିବେ, ଏକଥା କହିବା ଖୁବ ସହଜ)। ବାସ୍ତବତା ହେଉଛି ଆମେ ହିଁ ସବୁତକ କଠିନ ଶାରୀରିକ ପରିଶ୍ରମ କରିଥାଉ। ସବୁ ବୋଝ ଉଠାଇବା ଲୋକ, ପାଣି ବୋହିବା ଲୋକ ଏବଂ କୁଲିମାନେ ହେଉଛନ୍ତି ବିହାରୀ। ଏହା ବଙ୍ଗାଳୀମାନଙ୍କ ଚା’ କପ୍ ନୁହେଁ। ଆପଣ ନ୍ୟୁ ମାର୍କେଟ, ହାଓଡ଼ା, ସିୟାଲଦା... ଯେଉଁ ଆଡ଼େ ଯାଆନ୍ତୁ ଆପଣ ଦେଖିବେ ଯେ ବିହାରୀମାନେ ବୋଝ ବୋହୁଛନ୍ତି। କିନ୍ତୁ ଏତେ କଷ୍ଟ କରିବା ପରେ ମଧ୍ୟ ସେମାନଙ୍କୁ କୌଣସି ସମ୍ମାନ ମିଳେ ନାହିଁ। ବିହାରୀମାନେ ସମସ୍ତଙ୍କୁ ବାବୁ ବୋଲି କହିଥାନ୍ତି... କିନ୍ତୁ ସେମାନଙ୍କ ନ୍ୟୁନ କରି ଦେଖାଯାଏ। ଆମ୍ବ ରସ ବଙ୍ଗାଳୀ ବାବୁମାନେ ଖାଆନ୍ତି, କିନ୍ତୁ ଆମ ପାଇଁ ଆମ୍ବ ଟାକୁଆ ରହିଯାଏ,’’ ତିଳେ ହେଲେ ଅଟକି ନଯାଇ ସେ ନିଜର କଥା କହିବା ଜାରି ରଖିଥିଲେ।
ମୀନା ଯାଦବ ଭାଷା ଓ ଅସ୍ମିତାର ରାଜନୀତି ମଧ୍ୟରେ ଚତୁରତାର ସହିତ ଆଗକୁ ବଢ଼ିଥାଆନ୍ତି।
ସେ ଆହୁରି କହିଥାନ୍ତି, ‘‘ଚେନ୍ନାଇରେ ଆମେ (କଥାବାର୍ତ୍ତାରେ) ଅସୁବିଧାର ସମ୍ମୁଖିନ ହୋଇଥିଲୁ। ସେମାନେ ହିନ୍ଦୀ କିମ୍ବା ଭୋଜପୁରୀ କହିବାକୁ ଆଦୌ ଆଗ୍ରହୀ ନଥିଲେ। ସେମାନେ କେବଳ ନିଜ ଭାଷାରେ କଥା ହୋଇଥିଲେ ଯାହା ଆମେ ଜାଣିନାହୁଁ। କିନ୍ତୁ ଏଠାରେ ନୁହେଁ ।’’ ବିହାରର ଛାପ୍ରାରୁ ଆସି ୪୫ ବର୍ଷ ବୟସ୍କା ମୀନା ଏଠାରେ ମକା ବିକ୍ରି କରିଥାନ୍ତି। ଆଗକୁ ସେ କୁହନ୍ତି, ‘‘ଦେଖନ୍ତୁ, ନିର୍ଦ୍ଦିଷ୍ଟ ଗୋଟିଏ ବିହାରୀ ଭାଷା ନାହିଁ। ନିଜ ଘରେ ଆମେ ୩-୪ଟି ଭାଷାରେ କଥା ହେଉ। ବେଳେବେଳେ ଆମେ ଭୋଜପୁରୀ, କେତେବେଳେ ହିନ୍ଦୀ ଓ ଆଉ କେତେବେଳେ ଦରଭଙ୍ଗୀୟା (ମୈଥିଳୀ) ଓ ପୁଣି କେବେ କେବେ ବଙ୍ଗଳା ଭାଷାରେ କଥା ହୋଇଥାଉ। କିନ୍ତୁ ଦରଭଙ୍ଗୀୟା ଭାଷାରେ ଆମେ ଅଧିକ ସହଜ ଅନୁଭବ କରିଥାଉ।’’
‘‘ଆମେ ମଧ୍ୟ ଆରା ଓ ଛାପ୍ରା ବୋଲି ବ୍ୟବହାର କରିଥାଉ। ଆଦୌ କିଛି ସମସ୍ୟା ନାହିଁ, ଆମେ ଯେଉଁ ଭାଷାରେ କଥା ହେବାକୁ ଚାହୁଁ, ଆମେ କରିଥାଉ,’’ ସେ କୁହନ୍ତି। ଜଣେ ବହୁଭାଷାବିଦ୍ ଭାବେ ଆଶ୍ଚର୍ଯ୍ୟଜନକ ସହଜତା ତାଙ୍କ ଭିତରେ ଦେଖିବାକୁ ମିଳିଥାଏ। ତଥାପି, ସେ ନିଜକୁ ଏହି ବିଚାର ଦ୍ୱାରା ମୁର୍ଖ ହେବାକୁ ଦିଅନ୍ତି ନାହିଁ ଯେ ଏସବୁ ଭାଷା ଜ୍ଞାନ ସହିତ ତାଙ୍କର ଅସାଧାରଣ କୌଶଳର କୌଣସି ସମ୍ପର୍କ ରହିଛି।


















