ଏହି ପଲ୍ଲୀଗୁଡିକରେ ସବୁଜ ଜଳର ବିସ୍ତୃତ ଅଞ୍ଚଳଗୁଡିକର ପାର୍ଶ୍ୱଦେଶରେ ନଡିଆ ଓ ଗୁଆ ଗଛସବୁ ରହିଛି । ବିଭିନ୍ନ ଘରୁ କୁକୁଡାମାନେ ଆସି ଏଠାରେ ଏଣେତେଣେ ବୁଲନ୍ତି ଓ ପିଲାମାନେ ମଧ୍ୟ-ସକାଳ ସମୟରେ ସାଇକେଲ୍ରେ ବିଦ୍ୟାଳୟରୁ ଘରକୁ ଫେରୁଛନ୍ତି । ବେଳେବେଳେ, ସମ୍ଭାବ୍ୟ ଗ୍ରାହକମାନେ କୋଲ୍କାତାର ଗଲିଫ୍ ରାସ୍ତାର ପୋଷା ଜନ୍ତୁ ବିକ୍ରି କରାଯାଉଥିବା ବଜାରରେ, ଯେଉଁଠାରେ ପ୍ରତି ରବିବାର ଦିନ ଖୁଚୁରା ବ୍ୟାପାରୀମାନେ ଏକତ୍ରୀତ ହୋଇଥାନ୍ତି, ସେଠାକୁ ଏହି ଶୋଭାବର୍ଦ୍ଧକ ମାଛ କିଣିବାକୁ ଯିବା ପୂର୍ବରୁ, ମାଛଗୁଡିକ ବିଷୟରେ ଜାଣିବା ପାଇଁ, ଏଠାକୁ ଆସିଥାନ୍ତି ।
କନ୍ଦୋନଙ୍କ ଘର ପଛରେ, ତାଙ୍କ ପରିବାରର ନିଜସ୍ୱ ପୋଖରୀକୁ ଜାଲରେ ଘୋଡାଇ ଦିଆଯାଇଛି, ସେହିପରି ଅନ୍ୟ ମତ୍ସ୍ୟଚାଷୀମାନଙ୍କ ପୋଖରୀଗୁଡିକୁ ମଧ୍ୟ ସେଭଳି ଢାଙ୍କି ଦିଆଯାଇଛି। “ବର୍ଷା ଋୁତୁ, ଯେତେବେଳେ ମାଛ ଚାଷ ଏହାର ଚରମରେ ଥାଏ, ସେତେବେଳେ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ପୋଖରୀଗୁଡିକୁ ପ୍ରସ୍ତୁତ କରି ରଖିବାକୁ ହୁଏ,” ବୋଲି ସେ କୁହନ୍ତି । ତାଙ୍କ ଘରେ ଥିବା ଏକ ଛୋଟ ବଖରାରେ, ବିଭିନ୍ନ କିଷମର ମାଛ ଅଛନ୍ତି ଯାହାର ଲାଳନପାଳନ ଘର ଭିତରେ କରିବାକୁ ହୋଇଥାଏ । ପ୍ରାୟତଃ, ଅଣ୍ଡାଗୁଡିକ ନଷ୍ଟ ହୋଇଯାଏ, ବୋଲି ସେ କୁହନ୍ତି, ଏଣୁ ବଜାରରେ ବିକ୍ରି କରାଯାଉଥିବା ମାଛର ପରିମାଣ ସବୁବେଳେ ଭିନ୍ନ ଭିନ୍ନ ହୋଇଥାଏ: ହାରାହାରି ସପ୍ତାହରେ ୧,୫୦୦ । “ଏହି ବେପାରରୁ ସ୍ଥିର ଉପାର୍ଜନ ହୁଏ ନୁହେଁ, ଏହାର ପରିମାଣ କେବେ ମଧ୍ୟ ମାସକୁ ୬୦୦୦-୭୦୦୦ରୁ ଅଧିକ ହେଉନଥିବା” କନ୍ଦୋନ କୁହନ୍ତି ।
ମାଛଗୁଡିକର ଲାଳନପାଳନ କରିବା ଓ ସେଗୁଡିକୁ ବଜାର ପାଇଁ ପ୍ରସ୍ତୁତ କରିବା ହେଉଛି ଏକ ଦକ୍ଷତା ଯାହା ଉଦୟରାମପୁରରେ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ହସ୍ତାନ୍ତରିତ ହୋଇ ଆସୁଛି ଓ ସେମାନଙ୍କ ଯତ୍ନ କିଭଳି ଭାବେ ନିଆଯିବ, ଏକଥା ପରିବାରର ସମସ୍ତେ ଜାଣନ୍ତି। ଏପରିକି ପ୍ରତ୍ୟେକ ସଦସ୍ୟ ମାଛମାନେ ବେମାର ପଡିଲେ ତାହା ଜାଣିପାରନ୍ତି ଓ ତାହାର ଲକ୍ଷଣଗୁଡିକ ମଧ୍ୟ ଚିହ୍ନଟ କରିପାରନ୍ତି । “ସେମାନେ ଯେତେବେଳେ ବେମାର ହୁଅନ୍ତି ବା ଆଘାତ ପ୍ରାପ୍ତ ହୁଅନ୍ତି, ସେମାନେ ସାଧାରଣତଃ ଜଳ ପୃଷ୍ଠ ପାଖାପାଖି ଭାସିବାକୁ ଆରମ୍ଭ କରନ୍ତି,’’ ବୋଲି କନ୍ଦୋନ କୁହନ୍ତି ଓ ‘‘ସେମାନେ ଖାଦ୍ୟ ଖାଇବା ମଧ୍ୟ ବନ୍ଦ କରିଦିଅନ୍ତି । ଅନେକ ସେଠାରେ ପଡି ଯାଆନ୍ତି ଓ ସେମାନଙ୍କ ଲାଞ୍ଜରେ ଧଳା ଛିଟ ଦାଗ ଦେଖାଯାଏ ।’’ ଆମ୍ତାଲାରେ ଥିବା ସ୍ଥାନୀୟ ଦୋକାନରେ ଏହି ମାଛଗୁଡିକ ପାଇଁ ଆବଶ୍ୟକ ଔଷଧ ସବୁ ଉପଲବ୍ଧ ଅଛି । “ସେମାନଙ୍କୁ ସୁସ୍ଥ କରିବା ପାଇଁ ଆମେ ସେମାନଙ୍କୁ ଏକ ଅଲଗା ପାତ୍ରରେ ରଖିଥାଉ ଓ ପ୍ରାୟତଃ ସେମାନେ ନିୟମିତ ଖାଉଥିବା ଖାଦ୍ୟ ବଦଳରେ କେବଳ ଔଷଧ ଖାଇବାକୁ ଦେଇଥାଉ’’।