ଇୟାସିନ, ବିଜାପୁର ଟାଉନ୍ରୁ ଏହି ମେଳାକୁ ଆସିଛନ୍ତି, ଯାହା ଏଠାରୁ ୩୦୦କିଲୋମିଟର୍ ଦୂରରେ ଅବସ୍ଥିତ ଉତ୍ତରାଖଣ୍ଡର ଉଧମ୍ ସିଂ ନଗର୍ ଜିଲ୍ଲାରେ ଅବସ୍ଥିତ । ସେ ଏଠାରେ ଘରେ ବ୍ୟବହାର ହେଉଥିବା ଜିନିଷଗୁଡ଼ିକ ବିକ୍ରି କରନ୍ତି ଯେପରିକି ପର୍ଦ୍ଦା ଓ ସୋଫା କଭର୍ ଓ ଏହି ୧୦ଦିନ ବ୍ୟାପି କାର୍ଯ୍ୟକ୍ରମରେ ସେ ପୂରା ୬୦,୦୦୦ଟଙ୍କା ଉପାର୍ଜନ କରନ୍ତି । “ମୋର କିଛି ଋଣ ପରିଶୋଧ କରିବାକୁ ଅଛି । ଯଦି ଏଠି ମୋର କିଛି ବ୍ୟବସାୟ ହେବନି ତେବେ ମୁଁ ତାହା କିପରି କରିପାରିବି?” ସେ ବିଷର୍ଣ୍ଣତା ସହିତ ଚାରିଆଡେ ଚାହିଁଲେ ।
ଜ୍ଞାନ ସିଂ ଦର୍ୟାଲ୍ ସମୁଦ୍ର ପତ୍ତନଠାରୁ ୧୪,୦୦୦ଫୁଟ ଉପରେ ଥିବା ଚାଲ୍ ଗ୍ରାମରୁ ଆସିଛନ୍ତି । ତାଙ୍କର ଷ୍ଟଲ୍ରେ ହିମାଳୟରେ ଉପଲବ୍ଧ ବିଭିନ୍ନ ପ୍ରକାରର ଔଷଧୀୟ ଉଦ୍ଭିଦ, ମସଲା ଓ ଉଚ୍ଚ ପତ୍ତନରେ ଫଳୁଥିବା ପାହାଡି ରାଜ୍ମା ଆଦି ରଖାଯାଇଛି । ଦର୍ୟାଲ୍ଙ୍କ ପରିବାର ନଭେମ୍ବରଠାରୁ ଏପ୍ରିଲ୍ ପର୍ଯ୍ୟନ୍ତ ଧର୍ଚୁଲା ଗ୍ରାମରେ ରୁହନ୍ତି, ଗ୍ରୀଷ୍ମ ଦିନ ଚାଲ୍ରେ ରହି କୃଷି କାମ କରନ୍ତି ଓ ଔଷଧୀୟ ଉଦ୍ଭିଦ ଓ ମସଲା ଆଦି ସଂଗ୍ରହ କରନ୍ତି । ଏହି ପରିବାର ନିଜ ଜମିରୁ ଯାହା ଆଦାୟ କରନ୍ତି ପ୍ରାୟ ନିଜେ ଖାଇ ଦିଅନ୍ତି । “ଔଷଧୀୟ ଉଦ୍ଭିଦ ଓ ମସଲା ବିକ୍ରି କରି ଆମେ ନଗଦ ରାଶି ପାଉ,” ବୋଲି ସେ କୁହନ୍ତି । “ପୂରା ପରିବାର ମିଳିମିଶି ଔଷଧୀୟ ଉଦ୍ଭିଦଗୁଡିକ ସଂଗ୍ରହ କରନ୍ତି ଓ ଜାଉଲ୍ଜିବି ମେଳାରେ ଏପରି ଏକ ଚରମ ଜଳବାୟୁ ଯୁକ୍ତ ଭୂଭାଗରେ ଆମର ଅକ୍ଳାନ୍ତ ପରିଶ୍ରମ ପାଇଁ ଆମକୁ ଆମର ପ୍ରାପ୍ୟ ମିଳିଥାଏ ।
ଚଳିତ ବର୍ଷ, ଦର୍ୟାଲ୍ ଖୁବ୍ କମ୍ ଜିନିଷ ବିକ୍ରି କରିପାରିଛନ୍ତି । “ମେଳା ଦେଖିବାକୁ ବହୁତ ଲୋକ ଆସୁନାହାନ୍ତି,” ବୋଲି ସେ କୁହନ୍ତି। ଦର୍ୟାଲ୍ଙ୍କ ପାଖରେ କୌଣସି ସ୍ଥାୟୀ ଦୋକାନ ନାହିଁ । ଜଉଲ୍ଜିବି, ମୁଂଶିଆରୀ ଓ ବାଗେଶ୍ୱର ( ସବୁ ଉତ୍ତରାଖଣ୍ଡରେ ଅବସ୍ଥିତ)ରେ ସେ ପକାଉଥିବା ଷ୍ଟଲ୍ଗୁଡିକ ହେଉଛି ତାଙ୍କ ଉପାର୍ଜନର ଏକ ମାତ୍ର ମାଧ୍ୟମ । କିନ୍ତୁ, ସେ କୁହନ୍ତି, ବିମୁଦ୍ରୀକରଣ ତାଙ୍କ ଠାରୁ ଏ ସୁଯୋଗ ଛଡେଇ ନେଇଛି ।
ଅର୍ଚ୍ଚନା ସିଂ ଗୁଂଜିୱାଲ୍ ମଧ୍ୟ ଏହି ମେଳାକୁ ଆସିଛନ୍ତି । ସେ ୧୦,୩୭୦ ଉଚ୍ଚତାରେ ଥିବା ଗୁଂଜି ଗ୍ରାମର ଗ୍ରାମ ପ୍ରଧାନ । ସେ ଚୀନ୍ରେ ୧୨,୯୪୦ଫୁଟ୍ ଉଚ୍ଚତାରେ ଥିବା ତାକ୍ଲାକୋଟ୍ ମଣ୍ଡିରୁ ଜାକେଟ୍ ଓ ଉଷୁମ ପୋଷାକ ଜାଉଲ୍ଜିବିରେ ବିକ୍ରି କରିବାକୁ ଆଣିଛନ୍ତି । ଏହି ମଣ୍ଡି ଜାଉଲ୍ଜିବି ଠାରୁ ୧୯୦କିଲୋମିଟର୍ ଦୂରତାରେ ଅବସ୍ଥିତ ଓ ଏଠାକୁ ଆସିବା ପାଇଁ ବେପାରୀମାନେ ପ୍ରାୟ ଅଧା ଦୂରତା ଚାଲିଚାଲି ଅତିକ୍ରମ କରିଥାନ୍ତି ।
“ମେଳାରେ ପ୍ରଥମ କିଛି ଦିନ ଏପରି ଲାଗିଲା ଯେପରିକି ଆମକୁ ଆମ ମଧ୍ୟରେ ହିଁ ଜିନିଷଗୁଡ଼ିକ ବିକ୍ରି କରିବାକୁ ହେବ,” ସେ କୁହନ୍ତି । “ଏଥର ମୁଁ କେବଳ ୫୦ପ୍ରତିଶତ ଜିନିଷ ବିକ୍ରି କରିପାରିଛି” । ଡିସେମ୍ବର ଓ ଜାନୁଆରୀରେ ହେବାକୁ ଥିବା ମୁଂସିଆରୀ ଓ ବାଗେଶ୍ୱର ମେଳାରେ ଭଲ ବିକ୍ରି ହେବା ନେଇ ସେ ଆଶାବାଦୀ ଅଛନ୍ତି । “ସେତେବେଳକୁ, ବୋଧହୁଏ ଏହି ସଂକଟ (ନଗଦ ରାଶି) ଟଳି ଯାଇଥିବ।’’
ସେଠାକୁ ନେପାଳର ଜୁମ୍ଲା ଓ ହୁମ୍ଲା ଜିଲ୍ଲାର ଘୋଡା ବେପାରୀମାନେ ମଧ୍ୟ ଆସିଛନ୍ତି – ଏଠାରେ ପହଁଞ୍ଚିବାକୁ ସେମାନେ ନିଜ ପଶୁମାନଙ୍କ ସହିତ ପୂରା ୧୦ ଦିନ ଅବିରତ ଚାଲିଛନ୍ତି । ଗୋଟିଏ ଦଳ ୪୦ଟି ଘୋଡା ଓ ଖଚର ଆଣିଥିବା ବେଳେ ସେଥିରୁ ମାତ୍ର ୨୫ ଟି ବିକ୍ରି ହୋଇପାରିଛି । ପୂର୍ବ ବର୍ଷ ଏହି ମେଳାକୁ ଅଣାଯାଇଥିବା ପ୍ରାୟ ସମସ୍ତ ପଶୁ ବିକ୍ରି ହୋଇଯାଇଥିଲା । ଗୋଟିଏ ଘୋଡ଼ାର ମୂଲ୍ୟ ହେଉଛି ୪୦,୦୦୦ଟଙ୍କା ଓ ଗୋଟିଏ ଖଚରର ମୂଲ୍ୟ ହେଉଛି ୨୫,୦୦୦ଟଙ୍କା । ଏହି ପରିଶ୍ରମୀ ପଶୁଗୁଡ଼ିକ ପାହାଡ଼ିଆ ଅଞ୍ଚଳ ପାଇଁ ବହୁତ ଉପଯୋଗୀ ଅଟନ୍ତି ଓ ଏହିପରି ଅଞ୍ଚଳ ଯେଉଁଠାରେ ରାସ୍ତାର ସୁବିଧା, ସେଠାରେ ଭାର ବୋହିବା ପାଇଁ ଗ୍ରାମବାସୀମାନେ ଏଗୁଡିକୁ ଅତ୍ୟଧିକ ଗୁରୁତ୍ୱ ଦେଇଥାନ୍ତି ।
“ଆଜି ହେଉଛି ମେଳାର ଶେଷ ଦିବସ ଓ ଆମେ ସାତଟି ଘୋଡ଼ା ମଧ୍ୟ ବିକ୍ରି କରିପାରିନୁ,” ବୋଲି ନର ବାହାଦୂର, ହୁମ୍ଲାରୁ ଆସିଥିବା ଆଉ ଏକ ଦଳର ଘୋଡ଼ା ବେପାରୀ ଜଣକ କୁହନ୍ତି । “ଆମକୁ ଏହି ବିମୁଦ୍ରୀକରଣ ବିଷୟରେ କିଛି ଜଣାନଥିଲା। ଆମେ ଯେତେବେଳେ ଜାଉଲ୍ଜିବି ପହଞ୍ଚିଲୁ ସେତେବେଳେ ଆମର ଭାଗ୍ୟରେ କ’ଣ ଅଛି ତାହା ଜାଣିପାରିଲୁ।