“ଦିଦି, କିଛି କରନ୍ତୁ, ନହେଲେ ଅତି ଶୀଘ୍ର ସେମାନେ ଯେ କୌଣସି ସମୟରେ ମୋତେ ମାରିଦେବେ!”ମୁଁ ତାଙ୍କୁ ଭେଟିବା ସମୟରେ ଏହା ଥିଲା ଗିରିଜା ଦେବୀଙ୍କର ପ୍ରଥମ କେତୋଟି ଶବ୍ଦ । କାନ୍ଦକାନ୍ଦ ହୋଇ ସେ କହିଲେ, “ସେମାନେ ମୋତେ ମାଡ଼ ମାରି ପାରିବେନି ବୋଲି ଗତକାଲି ଉପରବେଳାରୁ ମୁଁ ଏହି ଛୋଟ, ଅନ୍ଧାରୁଆ କୋଠରିରେ ନିଜକୁ ବନ୍ଦ କରି ରଖିଛି ।”.
ସେଇ ଘରର ଏକ ଛୋଟ ଗଳି ରାସ୍ତାରେ ଧୁଆହେବା ପାଇଁ ବାସନକୁସନ ଗଦା ହୋଇ ରହିଥିଲା ଏବଂ ସେଇ ରାସ୍ତାରେ ଯାଇ ଶାଶୁଘର ଲୋକଙ୍କ ପାଖରୁ ଦୂରେଇ ରହିବା ପାଇଁ ଗିରିଜା ନିଜକୁ ନିଜେ ବନ୍ଦ କରି ରଖିଥିବା କୋଠରିରେ ମୁଁ ପହଞ୍ଚିଲି । କୋଠରି ବାହାରେ ଗୋଟିଏ ରନ୍ଧାଘର ଓ ଛୋଟିଆ ଖୋଲା ଜାଗାଟିଏ ଥିଲା, ଯେଉଁଠି ତାଙ୍କ ସ୍ଵାମୀ ଓ ପିଲାମାନେ ଖିଆପିଆ କରନ୍ତି ।
୩୦ ବର୍ଷୀୟା ଗିରିଜା, ୩୪ ବର୍ଷ ବୟସ୍କ ରାଜମିସ୍ତ୍ରୀ, ହେମଚନ୍ଦ୍ର ଅହିରୱାରଙ୍କୁ୧୫ବର୍ଷ ତଳେ ବିବାହ କରିଥିଲେ । ସେମାନଙ୍କର ୧୪,୧୧ ଏବଂ ୬ ବର୍ଷ ବୟସର ତିନିଟି ପିଲା ଅଛନ୍ତି ।
ସମସ୍ୟା ସେତେବେଳେ ଆରମ୍ଭ ହେଲା, ଯେତେବେଳେ ଶାଶୁଘର ଲୋକେ ଗିରିଜାଙ୍କୁ ଚାକିରି ଛାଡ଼ିବାକୁ କହିବା ସମେତ ଅନ୍ୟାନ୍ୟ ଅଯୌକ୍ତିକ ଦାବି କରିବସିଲେ ଏବଂ ଏଥିରେ ଗିରିଜା ସେମାନଙ୍କ ସହ ଯୁକ୍ତିତର୍କ କରୁଛନ୍ତି ବୋଲି ସେମାନେ ଅନୁଭବ କଲେ । ଉତ୍ତର ପ୍ରଦେଶର ମାହୋବା ଜିଲ୍ଲା ଅନ୍ତର୍ଗତ କାବରାଇ ବ୍ଲକ୍ର ତାଙ୍କ ନିଜ ଗାଁ ବାସାଓରାରେ ସ୍ଵୀକୃତିପ୍ରାପ୍ତ ସାମାଜିକ ସ୍ଵାସ୍ଥ୍ୟ କର୍ମୀ (ଆଶା) ରୂପେ ସେ ଚାକିରି କରିବା ପରେ ସ୍ଥିତି ବିଗିଡ଼ି ଯାଇଥିଲା । ଏବଂ ଏବେ, ଲକ୍ଡାଉନ୍ ଯୋଗୁଁ ଶାଶୁଘର ଲୋକେ ଗାଁକୁ ଫେରିଆସିଥିବାରୁ, ଏହା ଅସହ୍ୟ ହୋଇଉଠିଛି ।
ଗିରିଜା କହନ୍ତି, “ଲକ୍ଡାଉନ୍ ପୂର୍ବରୁ, ଦୁହେଁ (ତାଙ୍କ ଶ୍ଵଶୁର ଏବଂ ଶାଶୁ) ଦିଲ୍ଲୀରେ ରହୁଥିବା ବେଳେ ସବୁକଥା ନିୟନ୍ତ୍ରଣରେ ରହିଥିଲା ।” ସେମାନେ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ । “କିନ୍ତୁ ସେମାନେ ଫେରିଆସିବା ଦିନଠାରୁ, ମୋ ପାଇଁ ବଞ୍ଚି ରହିବା କଷ୍ଟକର ହୋଇପଡ଼ିଛି । ପୂର୍ବରୁ ଯେତେବେଳେ ବି ମୁଁ ଗାଁର କୌଣସି ଗର୍ଭବତୀ ମହିଳାଙ୍କୁ ଦେଖା କରିବା ଲାଗି କିମ୍ବା ସେମାନଙ୍କୁ ହାସପାତାଳ ନେବା ଲାଗି ବାହାରକୁ ଯାଉଥିଲି, ମୁଁ କୁଆଡ଼େ ଅନ୍ୟ ପୁରୁଷଙ୍କୁ ଭେଟିବାକୁ ଯାଉଥିଲି ବୋଲି ସେମାନେ କହୁଥିଲେ । ଜଣେ ଆଶା କର୍ମୀ ହିସାବରେ ମୁଁ ମୋର କର୍ତ୍ତବ୍ୟ କରେ ।” ଛାତ ଉପରକୁ ଯିବା ପାଇଁ ଆମେ ସିଡ଼ି ଚଢୁଥିବା ବେଳେ ତାଙ୍କର ଛଅ ବର୍ଷର ପୁଅ ଯୋଗେଶ ଆମ ପଛେ ପଛେ ଆସୁଥିଲା ।
ଗିରିଜା ବହୁତ କାନ୍ଦିଥିଲେ । ତାଙ୍କ ଆଖି ଓ ଓଠ ଫୁଲିଗଲା ଭଳି ଲାଗୁଥିଲା । ସେ ଓ ହେମଚନ୍ଦ୍ର ଗୋଟିଏ ଯୌଥ ପରିବାରରେ ରହନ୍ତି । ତାଙ୍କର ଦୁଇ ଜଣ ଦାଦା ଓ ସେମାନଙ୍କ ପରିବାର ମଧ୍ୟ ସେଇ ଘରର ଅନ୍ୟ ଭାଗରେ ରହନ୍ତି । ସେମାନଙ୍କ ରନ୍ଧାଘର ବି ଅଲଗା । ହେଲେ ପ୍ରବେଶ ପଥ ଓ ଅଗଣା ସମସ୍ତଙ୍କ ପାଇଁ ଗୋଟିଏ ।







