“ମୋ ପାଇଁ ଏହା ହିଁ କୌତୁହଳର କଥା ଯେ ଲୋକେ ମୂଲଚାଲ କରୁଛନ୍ତି”, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଜଣେ ଥାଟି ମୁଞ୍ଜାଲୁ, କିମ୍ବା ତାଳସଜ ବିକାଳି କୁପ୍ପା ପାପ୍ପାଲା ରାଓ କହନ୍ତି । “ବଡ଼ ବଡ଼ କାର୍ରେ ବସି, ସଫା ମାସ୍କ ପିନ୍ଧିଥିବା ଅନେକ ଲୋକ ଆସନ୍ତି ଏବଂ ଡଜନ ପିଛା ୫୦ ଟଙ୍କା ଦରରମୁଞ୍ଜାଲୁକୁ ୩୦-୪୦ ଟଙ୍କାରେ ଦେବାକୁ ମୋତେ ଅନୁରୋଧ କରନ୍ତି,” ଅଳ୍ପ ହସି ସେ କହିଲେ ।
ତାଳସଜ କିଣାରୁ ସେମାନେ ବଞ୍ଚାଇ ଦେଉଥିବା ୨୦ ଟଙ୍କାରେ ଲୋକେ କ’ଣ କରନ୍ତି ବୋଲି ପାପ୍ପାଲା ରାଓ ବିସ୍ମିତ ହୁଅନ୍ତି । “ସେତିକି ଟଙ୍କା ସେମାନଙ୍କ କାମରେ ସେତେ ଲାଗିବନି, କିନ୍ତୁ ମୋର ତାହା କେତେ ଦରକାର, ସେକଥା ସେମାନେ ବୁଝନ୍ତି କି ନାହିଁ ବୋଲି ମୁଁ ଜାଣିନି । ସ୍ଵାଭାବିକ ସ୍ଥିତିରେ, ସେଇ ଟଙ୍କାରେ ମୁଁ ଘରକୁ ଫେରିଯିବା ପାଇଁ ବସ୍ ଟିକଟ କିଣିପାରିବି ।”
ମେ ୨୯ ତାରିଖ ଦିନ ବିଶାଖାପାଟଣା ସହରର ଇନ୍ଦିରା ଗାନ୍ଧି ପ୍ରାଣୀ ଉଦ୍ୟାନ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ, କେବଳ ଏକ ପୁରୁଣା ଖାକି ରଙ୍ଗର କପଡ଼ାରେ ତିଆରି ମାସ୍କ ଦ୍ଵାରା ‘ସୁରକ୍ଷିତ’ ରହି ତାଙ୍କ ବ୍ୟବସାୟ ଚଳାଇଥିବା ୪୮ ବର୍ଷୀୟ ପାପ୍ପାଲା ରାଓ ଅନ୍ୟ ଅନେକ ମୁଞ୍ଜାଲୁ ବିକାଳିଙ୍କ ମଧ୍ୟରୁ ଜଣେ । ବିଗତ ୨୧ ବର୍ଷ ଧରି ଏପ୍ରିଲ ଓ ମେ ମାସରେ ସେ ଏହି ତାଳସଜ ବିକିଛନ୍ତି । ସେ କହିଲେ, “ଗତ ବର୍ଷ, ଆମେ ଦିନକୁ ପ୍ରାୟ ୭୦୦-୮୦୦ ଟଙ୍କା ରୋଜଗାର କରୁଥିଲୁ- ମୁଞ୍ଜାଲୁ କେବେ ଆମକୁ ନିରାଶ କରିନି ।”
ହେଲେ, ଏ ବର୍ଷ କୋଭିଡ୍-୧୯ ଲକ୍ଡାଉନ୍ ଯୋଗୁଁ ମୁଞ୍ଜାଲୁ ବିକାଳିମାନେ, ଭଲ ବେପାର ହେଉଥିବା ଦିନରୁ କେତେକ ସପ୍ତାହ ହରାଇ ସାରିଛନ୍ତି । ମେ ମାସ ଶେଷ ସପ୍ତାହରେ ହିଁ ସେମାନେ ଏହି ଫଳ ବିକିବା ଆରମ୍ଭ କଲେ । ଜଣେ ଗ୍ରାହକଙ୍କ ପାଇଁ ଡଜନେ ତାଳସଜ ବାନ୍ଧୁ ବାନ୍ଧୁ ପାପ୍ପାଲା ରାଓଙ୍କ ସ୍ତ୍ରୀ, ୩୭ ବର୍ଷୀୟା କୁପ୍ପା ରାମା କହିଲେ, “ନା ଆମେ ଏ ଫଳ ବିକିପାରିଲୁ, ନା ଆଉ କୋଉଠି କିଛି କାମ କରିପାରିଲୁ ।ସହରରେ ମୁଞ୍ଜାଲୁ ବିକିବା ଲାଗି, ୨୦ କିଲୋମିଟର ଦୂର ବିଶାଖାପାଟଣା ଜିଲ୍ଲାର ଆନନ୍ଦପୁରମ୍ ମଣ୍ଡଳରେ ଥିବା ସେମାନଙ୍କ ଘରୁ ରାମା ଓ ପାପ୍ପାଲା ରାଓ ଏକାଠି ଆସନ୍ତି ।
“ଏ ବର୍ଷ ସେତେ ଭଲ ବିକ୍ରି ହୋଇନାହିଁ । ଦିନକରେ ଆମେ ମାତ୍ର ୩୦-୩୫ ଡଜନ ମୁଞ୍ଜାଲୁ ବିକି ପାରୁଛୁ,” ରାମା ବୁଝାଇ ଦେଲେ । ଗତ ବର୍ଷର ଏହି ସମୟରେ ଦିନକୁ ୪୬ ଡଜନ ଫଳ ବିକ୍ରି ହେଉଥିବା କଥା ମନେ ପକାଇ ପାପ୍ପାଲା ରାଓ କହିଲେ, “ସବୁ ଦିନ ଶେଷରେ, ଯିବାଆସିବା ଏବଂ ଖିଆପିଆ ବାବଦ ଖର୍ଚ୍ଚ ବାଦ ଦେଲେ ଆମ ପାଖରେ ୨୦୦-୩୦୦ ଟଙ୍କା ଯାହା ରହୁଛି । ଏ ବର୍ଷ ଜୁନ୍ ୧୬ ପର୍ଯ୍ୟନ୍ତ, ସେ ଓ ରାମା ପ୍ରାୟ ୧୨ ଦିନମାତ୍ର ମୁଞ୍ଜାଲୁ ବିକିଛନ୍ତି । ତାଳସଜ ଋତୁ ସରି ସରି ଆସୁଥିବା ବେଳେ ଜୁନ୍ ମାସରେ ସେମାନଙ୍କ ଫଳ ବିକ୍ରି ଦିନକୁ ମୋଟାମୋଟି ୨୦ ଡଜନକୁ ଖସି ଆସିଥିଲା ।








