ତିନିବର୍ଷର ସୁହାନିକୁ ନିଜ ଜେଜେ ମା’ଙ୍କ କୋଳରେ ଉଦାସୀନ ହୋଇ ଶୋଇଥିବାର ଦେଖି, ଗ୍ରାମୀଣ ସ୍ୱାସ୍ଥ୍ୟ ଅଧିକାରୀ ଉର୍ମିଳା ଡୁଗା କୁହନ୍ତି,"ତୁମେ ସବୁବେଳେ ଏଗୁଡ଼ିକୁ ମହୁ କିମ୍ବା ଗୁଡ ଭଳି ମିଠା ପଦାର୍ଥ ସହ ନେବା ଉଚିତ୍।"
ଏହା ତିନିଜଣ ମହିଳାଙ୍କର ମିଳିତ ଦକ୍ଷତା ଏବଂ ସ୍ନେହପୂର୍ଣ୍ଣ ପ୍ରବର୍ତ୍ତନା ଆବଶ୍ୟକ କରେ - ଶିଶୁର ଜେଜେ ମା’, ଅନ୍ୟଜଣେ ଗ୍ରାମୀଣ ସ୍ୱାସ୍ଥ୍ୟ ଅଧିକାରୀ(ଆରଏଚଓ) ସାବିତ୍ରୀ ନାୟକ, ଓ ମିତାନିନ (ଆଶା କର୍ମୀ) ମାନକି କାଚଲାନ - ଶିଶୁକୁ ସେହି କଟୁ ମେଲେରିଆ ବଟିକା ଖୁଆଇବା ପାଇଁ।
୩୯ ବର୍ଷୀୟା ବରିଷ୍ଠ ଆରଏଚଓ ଉର୍ମିଳା, ତାଙ୍କ ସାମ୍ନା ପଡିଆରେ ଖେଳୁଥିବା ପିଲାମାନଙ୍କର କୋଳାହଳ ଶବ୍ଦ ମଧ୍ୟରେ ଏହି ପକ୍ରିୟାକୁ ତଦାରଖ କରି ଏକ ବଡ଼ ରେଜିଷ୍ଟରରେ ସବିଶେଷ ତଥ୍ୟ ଲେଖୁଥିଲେ। ଛତିଶଗଡ ନାରାୟଣପୁର ଜିଲ୍ଲାର ନୌମୁଞ୍ଜମେତା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରର ଆଂଶିକ ଆଚ୍ଛାଦିତ ବାରଣ୍ଡା ତାଙ୍କର ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଅଟେ।
ପ୍ରତ୍ୟେକ ମାସର ଦ୍ୱିତୀୟ ମଙ୍ଗଳବାର ଦିନ, ଏକ ଚିକିତ୍ସାଳୟ ଭାବରେ ଅଙ୍ଗନବାଡିର କାମ ଦ୍ୱିଗୁଣିତ ହୋଇଯାଏ - ପିଲାମାନେ ସେମାନଙ୍କର ବର୍ଣ୍ଣମାଳା ଶିଖିବାରେ ବ୍ୟସ୍ତ ଥିବାବେଳେ ମା’, ଶିଶୁ ଏବଂ ଅନ୍ୟମାନେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ବାହାରେ ଧାଡିରେ ଛିଡା ହୋଇ ରହିଥାଆନ୍ତି। ଉର୍ମିଳା ଓ ତାଙ୍କ ଦଳର ସ୍ୱାସ୍ଥ୍ୟ କର୍ମୀମାନେ ସେଠାରେ ପ୍ରାୟ ଦିନ ୧୦ଟା ସମୟରେ ପହଁଚିଥାନ୍ତି, ସେମାନଙ୍କର ରେଜିଷ୍ଟର ଏବଂ ପରୀକ୍ଷା ଓ ଟୀକାକରଣ ଉପକରଣ ସବୁ ବ୍ୟାଗ୍ରୁ କାଢି ବାହାରେ ରଖିବା ପରେ, ଏକ ଟେବୁଲ ଏବଂ ବେଞ୍ଚ ଆଣି ବାରଣ୍ଡାରେ ରଖନ୍ତି ଏବଂ ରୋଗୀମାନଙ୍କୁ ସାକ୍ଷାତ୍ କରିବା ଆରମ୍ଭ କରନ୍ତି।
ସୁହାନିଙ୍କର ସେଦିନ କରାଯାଇଥିବା ରାପିଡ ଡାଇଗ୍ନୋଷ୍ଟିକ ଟେଷ୍ଟ (ଆରଡିଟି) ମ୍ୟାଲେରିଆ ପାଇଁ ସାଧାରଣ ଭାବରେ କରଯାଉଥିବା ୪୦୦ ପରୀକ୍ଷା ମଧ୍ୟରୁ ଗୋଟିଏ ଯାହାକି ନାରାୟଣପୁରର ଛଅଟି ଗ୍ରାମର ଦାୟିତ୍ୱରେ ଥିବା ଉର୍ମିଳା ଓ ତାଙ୍କର ସହକର୍ମୀମାନେ ୩୫ ବର୍ଷୀୟା ଆରଏଚଓ ସାବିତ୍ରୀ ନାୟକଙ୍କ ସହ ଏକ ବର୍ଷ ହେବ ପରିଚାଳନା କରି ଆସୁଛନ୍ତି।
ନାରାୟଣପୁର ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟସେବା ଅଧିକାରୀ ଡ. ଆନନ୍ଦ ରାମ ଗୋତା କୁହନ୍ତି, "ମ୍ୟାଲେରିଆ ହେଉଛି ଆମର ଏକ ବଡ ସ୍ୱାସ୍ଥ୍ୟ ସମସ୍ୟା"। "ଏହା ରକ୍ତ କଣିକାକୁ ପ୍ରଭାବିତ କରେ ଏବଂ ଯକୃତରେ ରକ୍ତହୀନତା ସୃଷ୍ଟି କରେ ଏବଂ ଏହାଦ୍ୱାରା ଶାରୀରିକ ଦୁର୍ବଳତା ଦେଖାଦିଏ । ତେଣୁ ଓଜନ ମଧ୍ୟ ପ୍ରଭାବିତ ହୁଏ। କମ୍ ଓଜନର ପିଲାମାନେ ଜନ୍ମ ହୁଅନ୍ତି ଏବଂ ଏହି ପ୍ରକ୍ରିୟା ଜାରି ରହିଥାଏ।"










