ଦକ୍ଷିଣ ମୁମ୍ବାଇର ଭୁଲେଶ୍ୱରରେ ଥିବା ସଙ୍କୀର୍ଣ୍ଣ ଗଳିର ଗୋଲକଧନ୍ଦା ଭିତରେ ସବୁଦିନ ଭୋର ୫ଟାରୁ ଉଠି ମଞ୍ଜୁର ଶେଖ କାମରେ ଲାଗି ପଡ଼ନ୍ତି । ଦୁର୍ବଳ, ଏବଂ ଅଧିକାଂଶ ସମୟରେ ଛାପା ଲୁଙ୍ଗି ପିନ୍ଧି, ସେ ନିଜର ୫୫୦ ଲିଟର କ୍ଷମତା ବିଶିଷ୍ଟ ଧାତବ ଗାଡ଼ି ଧରି ପାଣି ଭରିବା ଲାଗି କାୱାସଜୀ ପଟେଲ ଟ୍ୟାଙ୍କ ଆଡ଼କୁ ଠେଲି ଠେଲି ନେଇ ଯାଆନ୍ତି। ସେ ରହୁଥିବା ସ୍ଥାନଠାରୁ ଏହି କ୍ଷେତ୍ର ଗୋଟିଏ କିଲୋମିଟର ଦୂର ଏକ ଖୋଲା ଜାଗାରେ ଅବସ୍ଥିତ, ଯାହାକି ମିର୍ଜା ଗାଲିବ ବଜାର ନିକଟ, ଦୁଧ ବଜାରରେ ଥିବା ଏକ ସର୍ବସାଧାରଣ ଶୌଚାଳୟର ଗୋଟିଏ କୋଣରେ ରହିଛି। ସେ ନିଜ ଗାଡ଼ି ସହିତ ଦୁଧ ବଜାର ଫେରନ୍ତି, ତାହାକୁ ରଖିବା ପାଇଁ ଗୋଟିଏ ସ୍ଥାନ ଚୟନ କରିଥାନ୍ତି, ଏବଂ ଏହାପରେ ଆଖପାଖ ଦୋକାନ ଓ ଘରେ ଥିବା ନିଜ ଗ୍ରାହକମାନଙ୍କୁ ପାଣି ଯୋଗାଇବା ଆରମ୍ଭ କରନ୍ତି।
୫୦ ବର୍ଷୀୟ ମଞ୍ଜୁର ସେହି ଶେଷ ଭିସ୍ତିମାନଙ୍କ ମଧ୍ୟରୁ ଜଣେ, ଯିଏକି ଏହି କାମ କରି ନିଜର ଜୀବିକା ନିର୍ବାହ କରୁଛନ୍ତି। ସେ ପ୍ରାୟ ଚାରି ଦଶନ୍ଧି ଧରି ମୁମ୍ବାଇର ଏହି ଐତିହାସିକ ଅନ୍ତରୀଣ ସହରାଞ୍ଚଳରେ ପିଇବା, ସଫା କରିବା ଏବଂ ଧୋଇବା ଲାଗି ପାଣି ଯୋଗାଇ ଦେଇ ଆସୁଛନ୍ତି। କୋଭିଡ-୧୯ ମହାମାରୀ ଭିସ୍ତିମାନଙ୍କ ପେସାକୁ ବାଧାପ୍ରାପ୍ତ କରିବା ପୂର୍ବରୁ ଭୁଲେଶ୍ୱରର ସେହି ହାତଗଣତି ମଶକବାଲାଙ୍କ ମଧ୍ୟରେ ମଞ୍ଜୁର ଅନ୍ୟତମ ଥିଲେ, ଯିଏକି ପାଖାପାଖି ୩୦ ଲିଟର ପାଣି ନେବା ପାଇଁ ଡିଜାଇନ କରାଯାଇଥିବା ଚମଡ଼ା ଥଳି, ମଶକ ସାହାଯ୍ୟରେ ଜଳ ଯୋଗାଣ କରିଆସୁଥିଲେ।
କିନ୍ତୁ ଗୋଟିଏ ମଶକ ଜରିଆରେ ଜଳ ଯୋଗାଣ କରିବାର ପରମ୍ପରା ‘‘ଏବେ ମରିଯାଇଛି’’, ମଞ୍ଜୁର କୁହନ୍ତି, ସେ ୨୦୨୧ ଠାରୁ ପ୍ଲାଷ୍ଟିକ୍ ବାଲଟି ବ୍ୟବହାର କରିବା ଆରମ୍ଭ କରିଛନ୍ତି। ସେ କୁହନ୍ତି, ‘‘ପୁରୁଣା ଭିସ୍ତିମାନଙ୍କୁ ସେମାନଙ୍କ ଗାଁକୁ ଫେରିଯିବାକୁ ହେବ ଏବଂ ନୂଆ ଭିସ୍ତିମାନଙ୍କୁ ନୂଆ ଚାକିରି ଖୋଜିବାକୁ ପଡ଼ିବ।’’ ଉତ୍ତର ଭାରତରେ ଭିସ୍ତି ନାମରେ ଏକ ମୁସଲିମ ସମ୍ପ୍ରଦାୟ ରହିଛି, ଏମାନେ ପାରମ୍ପରିକ ଭିସ୍ତି କାମ କରି ଆସୁଛନ୍ତି । ହେଲେ ଏମାନଙ୍କ ସଂଖ୍ୟା ଏବେ କମି ଆସିଲାଣି। ‘ଭିସ୍ତି’ ଏକ ପାରସ୍ୟ ଶବ୍ଦ ଯାହାର ଅର୍ଥ ହେଉଛି ‘ଜଳ ବାହକ’ । ଏହି ସମୁଦାୟକୁ ଲୋକମାନେ ‘ସକ୍କା’ ନାମରେ ମଧ୍ୟ ସମ୍ବୋଧିତ କରିଥାନ୍ତି, ଏହା ଏକ ଆରବିକ ଶବ୍ଦ ଯାହାର ଅର୍ଥ ହେଉଛି ‘ଜଳ ବାହକ’ ବା ‘ପାତ୍ର ଧରାଳି’। ରାଜସ୍ଥାନ, ଉତ୍ତର ପ୍ରଦେଶ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ଗୁଜରାଟରେ ଏହି ସମୁଦାୟକୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଭାବେ ବର୍ଗୀକରଣ କରାଯାଇଛି (ଏଠାରେ ଏହି ସମୁଦାୟକୁ ପାଖାଲି କୁହାଯାଏ) ।

























