“ମୋ ପରିବାର ଏପରି ଗୋଟିଏ ଘର ଖୋଜି ବାହାରକଲା ଯେଉଁଥିରେ ଏକ ସ୍ୱତନ୍ତ୍ର ପ୍ରବେଶଦ୍ୱାରଯୁକ୍ତ ଏକ ସ୍ୱାଧୀନ ବଖରା ଥିଲା, ଯାହାଫଳରେ ମୁଁ ଅନ୍ୟମାନଙ୍କଠାରୁ ନିଜକୁ ସହଜରେ ପୃଥକ୍ କରି ରଖିବା ସମ୍ଭବ ହୋଇପାରିବ,’’ ବୋଲି ଏସ୍.ଏନ୍ ଗୋପାଳା ଦେବୀ କହନ୍ତି। ତାହା ହେଉଛି ୨୦୨୦ର ମେ ମାସର କଥା, ଯେତେବେଳେ କିଛି ପରିବାର ମିଶି ନିଷ୍ପତ୍ତି ନେଲେ ଯେ ସେମାନେ ନିଜ ନିଜ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ବଞ୍ଚାଇବା ପାଇଁ ଏପ୍ରକାରର ପଦକ୍ଷେପ ନେବେ – ଏହାସହିତ ଅତ୍ୟନ୍ତ ବିପଦପୂର୍ଣ୍ଣ ତାଙ୍କର ବୃତ୍ତି ସହ ଯୋଡ଼ି ହୋଇ ରହିଥିବା ପରିବାରର ଅନ୍ୟ ସଦସ୍ୟମାନଙ୍କ ଭାର ଲାଘବ କରିବା।
ପଚାଶ ବର୍ଷୀୟ ଗୋପାଳା ଦେବୀ ଜଣେ ନର୍ସ ଅଟନ୍ତି । ଜଣେ ଉଚ୍ଚ ପ୍ରଶିକ୍ଷିତ ପେସାଦାର ଯାହା ପାଖରେ ୨୯ ବର୍ଷର ଅନୁଭବ ରହିଛି , ଯିଏ ଚେନ୍ନାଇର ରାଜୀବ ଗାନ୍ଧି ସରକାରୀ ଜେନେରାଲ୍ ହସ୍ପିଟାଲ୍ର କୋଭିଡ୍ ୱାର୍ଡରେ କରୋନା ଭୂତାଣୁ ମହାମାରୀ ସମୟରେ ଦୀର୍ଘ ସମୟ କାମରେ ଅତିବାହିତ କରିଛନ୍ତି । ସେ ସୀମିତ ସମୟ ପାଇଁ ସେହି ସହର ନିକଟବର୍ତ୍ତୀ ଅଞ୍ଚଳ ପୁଲିୟାନ୍ଥୋପ୍ରେ ଥିବା ଏକ ସ୍ୱତନ୍ତ୍ର କୋଭିଡ୍ କେୟାର୍ କେନ୍ଦ୍ରର ଦାୟିତ୍ୱରେ ମଧ୍ୟ ରହିଥିଲେ ।
ବର୍ତ୍ତମାନ, ଯେତେବେଳେକି ଲକ୍ଡାଉନ୍ ବିଭିନ୍ନ ପର୍ଯ୍ୟାୟରେ ଉଠାଯିବା ସହିତ ବିଭିନ୍ନ ପ୍ରକାରର ଗତିବିଧିଗୁଡିକ ଧୀରେ ଧୀରେ ସାଧାରଣ ହେବାରେ ଲାଗିଛି, ତଥାପି, ଗୋପାଳା ଦେବୀ ଯେତେବେଳେ କୋଭିଡ୍ -୧୯ ୱାର୍ଡରୁ କାମ କରି ଫେରନ୍ତି, ସେତେବେଳେ ତାଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡିଥାଏ । ‘‘ମୋ ପାଇଁ ଏବେ ମଧ୍ୟ ଲକ୍ଡାଉନ୍ ଜାରି ରହିଛି,” ବୋଲି ସେ ହସିହସି କୁହନ୍ତି । “ନର୍ସମାନଙ୍କ ପାଇଁ ଏହା ସମାପ୍ତ ହେବାକୁ ବହୁତ ସମୟ ଲାଗିବ।
ଯେପରି ଅନେକ ନର୍ସ ଏହି ସମ୍ବାଦଦାତାଙ୍କୁ କହିଲେ ; ‘ଆମ ପାଇଁ ଲକ୍ଡାଉନ୍ ଓ କାମ ସବୁବେଳେ ରହିଥିବ’
“ଗତ ସେପ୍ଟେମ୍ବରରେ ମୋର ଝିଅର ବାହାଘର ଥିଲା, ଆଉ ମୁଁ ପୂର୍ବଦିନଠାରୁ ହିଁ ଛୁଟିରେ ରହିଥିଲି,” ବୋଲି ଗୋପାଳାଦେବୀ କୁହନ୍ତି । “ମୋର ସ୍ୱାମୀ ଉଦୟକୁମାର ବିବାହ କାର୍ଯ୍ୟର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜେ ତୁଲାଇଥିଲେ’’ । କୁମାର ଚେନ୍ନାଇର ଅନ୍ୟ ଏକ ଡାକ୍ତରଖାନା, ଶଙ୍କର ନେତ୍ରାଳୟରେ ଆକାଉଣ୍ଟସ ବିଭାଗରେ କାମ କରନ୍ତି । ଆଉ ସେ କୁହନ୍ତି, “ସେ (କୁମାର) ମୋର ବୃତ୍ତିର ଆବଶ୍ୟକତାକୁ ବୁଝନ୍ତି ।’’
ସେଇ ଡାକ୍ତରଖାନାରେ ନିଜ କାମ ପାଇଁ ପୁରସ୍କୃତ ହୋଇଥିବା ୩୯ ବର୍ଷ ବୟସ୍କ ଥମିଝ ସେଲ୍ଭି – କୌଣସି ଛୁଟି ନନେଇ - କୋଭିଡ୍ ୱାର୍ଡରେ କାମ କରନ୍ତି । “କ୍ୱାରେଣ୍ଟାଇନ୍ରେ ରହୁଥିବା ଦିନଗୁଡିକ ବ୍ୟତୀତ, ମୁଁ ଅନ୍ୟ କୌଣସି ଦିନ ଛୁଟିରେ ରହିନି । ଏପରିକି ମୁଁ ମୋର ଛୁଟିଦିନଗୁଡିକରେ ମଧ୍ୟ କାମ କରୁଥିଲି କାରଣ ମୁଁ ଏହି ସମସ୍ୟାର ଗମ୍ଭୀରତାକୁ ବେଶ୍ ଭଲଭାବେ ବୁଝିପାରିଛି,” ବୋଲି ସେ କୁହନ୍ତି ।
“ମୋର ଛୋଟପୁଅ ସାଇନ୍ ଓଲିଭର୍କୁ ଏକଲା ଛାଡି ବହୁଦିନ ପର୍ଯ୍ୟନ୍ତ ତା’ଠାରୁ ଦୂରରେ ରହିବା ଅତ୍ୟନ୍ତ ଦୁଃଖଦାୟକ । ବେଳେବେଳେ ମୁଁ ନିଜକୁ ଦୋଷୀ ମନେକରେ, ହେଲେ, ପୁଣି ଏହି ଭାବନା ମନରେ ଆସେ ଯେ ଏହି ମହାମାରୀ ସମୟରେ ଆମେ ସବୁବେଳେ କାମ କରିବା ପାଇଁ ତତ୍ପରତା ଦେଖାଇବା ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ । ଯେତେବେଳେ ମୁଁ ଜାଣିବାକୁ ପାଏ ଯେ ଆମର ରୋଗୀମାନେ ସେମାନଙ୍କ ପରିବାର ପାଖକୁ ଫେରୁଛନ୍ତି ସେତେବେଳେ ଯେଉଁ ଖୁସି ମିଳେ ତାହା ଆମର ସମସ୍ତ ଦୁଃଖକଷ୍ଟକୁ ଭୁଲିଯିବାର କାରଣ ପାଲଟିଯାଏ । ହେଲେ, ମୋର ସ୍ୱାମୀ ଆମର ୧୪, –ବର୍ଷୀୟ ପୁଅର ଯତ୍ନ ଖୁବ୍ ଭଲଭାବେ ନିଅନ୍ତି ଓ ଯଦି ସେ ମୋର ଭୂମିକା କ’ଣ, ତାହା ବୁଝୁନଥାନ୍ତେ, ତାହାହେଲେ ଏସବୁ କେବେ ସମ୍ଭବ ହୁଅନ୍ତା ନାହିଁ।











