‘‘ଦେଖନ୍ତୁ ! ଆମ ମୋଟର କିଭଳି ମାଟି ତଳେ ପୋତି ହୋଇ ରହିଛି,’’ ଦେବେନ୍ଦ୍ର ରାୱତ କିଛିମାତ୍ରାରେ ବନ୍ୟାଜଳରେ ବୁଡି ରହିଥିବା ତାଙ୍କର ପମ୍ପସେଟ ଖୋଳି ବାହାର କରିବା ପାଇଁ ଚେଷ୍ଟା କରିବାବେଳେ କହିଲେ। ଦେବେନ୍ଦ୍ର ହେଉଛନ୍ତି ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲା ଶୁଣ୍ଡ ଗ୍ରାମର ଜଣେ ଚାଷୀ। ‘‘ବନ୍ୟା ଆମ ଜମିକୁ ନଷ୍ଟ କରିଦେଇଛି ଓ ମୋର ତିନିଟି ପମ୍ପସେଟ ଜମିରେ ଆଂଶିକ ଭାବେ ପୋତି ହୋଇଯାଇଥିଲା। ଏପରିକି ଗୋଟିଏ କୂଅ ମଧ୍ୟ ଧସି ଯାଇଛି। ଏବେ ମୁଁ କଣ କରିବି?’’ ବୋଲି ୪୮ ବର୍ଷୀୟ ଏହି ଚାଷୀ ପ୍ରଶ୍ନ କରୁଛନ୍ତି।
ନରୱର ତହସିଲ ଅନ୍ତର୍ଗତ ଶୁଣ୍ଡ ଗ୍ରାମଟି ସିନ୍ଧୁନଦୀର ଦୁଇଧାର ମଝିରେ ଅବସ୍ଥିତ। ୨୦୧୧ ମସିହା ଅଗଷ୍ଟ ମାସରେ ଯେତେବେଳେ ଏହି ନଦୀରେ ବନ୍ୟା ଆସିଥିଲା, ଏହାଦ୍ୱାରା ୬୩୫ ଜନସଂଖ୍ୟା ବିଶିଷ୍ଟ(୨୦୧୧ ଜନଗଣନା) ଏହି ଗ୍ରାମରେ ବଡ ଧରଣର କ୍ଷୟକ୍ଷତି ହୋଇଥିଲା। ଦେବେନ୍ଦ୍ର ଯିଏ ଶେଷ ଥର କେବେ ଏଭଳି ବନ୍ୟା ଆସିଥିଲା, ସେହି କଥା ମନେ ପକାଇପାରୁ ନାହାନ୍ତି କୁହନ୍ତି ଯେ, ‘‘ବନ୍ୟାଜଳରେ ଆମର ୩୦ ବିଘା (ପ୍ରାୟ ୧୮ ଏକର) ଜମିରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ବନ୍ୟା ଜନିତ କ୍ଷୟୀକରଣ କାରଣରୁ ମୋ ପରିବାରକୁ ୬ ବିଘା (ପ୍ରାୟ ୩.୭ ଏକର) ଜମି ଚିର ଦିନ ପାଇଁ ହରାଇବାକୁ ପଡିଲା।’’
କାଳି ପାହାଡ଼ି ଅନ୍ତର୍ଗତ ଏହି ଗ୍ରାମଟି ସମ୍ପୂର୍ଣ୍ଣ ଭାବେ ବନ୍ୟାଜଳ ଘେରରେ ରହିଥିବାରୁ ଏକ ଦ୍ୱୀପ ଭଳି ଦେଖାଯାଉଛି। ବର୍ତ୍ତମାନ ମଧ୍ୟ ଅଧିକ ବର୍ଷା ହେବା ସ୍ଥିତିରେ ଏପାରିରୁ ସେପାରିକୁ ଯାଉଥିବା ଗ୍ରାମବାସୀମାନେ କାଦୁଅ ପାଣିରେ କଷ୍ଟରେ ଚାଲିକି ଯିବା ପାଇଁ କିମ୍ବା ପହଁରିକି ଯିବା ପାଇଁ ବାଧ୍ୟ ହେଉଛନ୍ତି।
ଦେବନ୍ଦ୍ରଙ୍କ ଅହିବା ଅନୁସାରେ ‘‘ବନ୍ୟା ସମୟରେ, ଗ୍ରାମଟି ତିନିଦିନ ଧରି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥିଲା’’। ସରକାରୀ ଡଙ୍ଗାରେ ଲୋକଙ୍କୁ ସେଠାରୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ନିକଟସ୍ଥ ବଜାରରେ ଥିବା କ୍ୟାମ୍ପରେ ଥଇଥାନ କରାଯାଇଥିବା ବେଳେ ଅନ୍ୟ କିଛି ଲୋକ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ରହିଥିଲେ। ଗ୍ରାମର ୧୦-୧୨ଜଣ ବାହାରକୁ ନ ଯାଇ ଗ୍ରାମରେ ହିଁ ରହିବାକୁ ଚାହିଁଥିଲେ। ସେପଟେ ବନ୍ୟା କାରଣରୁ ବଜୁଳି ମଧ୍ୟ କଟିଯାଇଥିଲା। ବିଦ୍ୟୁତ ସରବରାହ ସ୍ୱାଭାବିକ ହେବା ପାଇଁ ମାସେ କାଳ ସମୟ ଲାଗିଯାଇଥିବା କହିଥିଲେ ଦେବେନ୍ଦ୍ର।










