ଗୋପୀନାଥ ନାୟକଓ୍ୱାଡ଼ି ମୁମ୍ବାଇକୁ ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇ ନାସିକ୍ ଆସିଥିଲେ। ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଆକୋଲା ତାଲୁକର ତାମ୍ଭଲ ଗ୍ରାମରୁ ଆସିଥିବା ୮୮ବର୍ଷ ବୟସ୍କ କୃଷକ କୁହନ୍ତି, ‘‘ଆମେ ବର୍ଷେ ଧରି ଅପେକ୍ଷା କଲୁ, କିନ୍ତୁ ସରକାର ଆମର କୌଣସି ଦାବି ପୂରଣ କଲେ ନାହିଁ। ଏଥର ଆମେ ସରକାର ସେସବୁ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଫେରିବୁ ନାହିଁ।’’
ନାୟକଓ୍ୱାଡ଼ି ୪ଏକର ଜମି ଚାଷ କରୁଥିଲେ। ସେ ମଧ୍ୟରୁ ଗୋଟିଏ ଏକର ତାଙ୍କର ଏବଂ ବଳକା ଜଙ୍ଗଲ ବିଭାଗର ଜମି । ଗତ ବର୍ଷେ ହେବ ସେ ନିଜର ସେଇ ଗୋଟିଏ ଏକର ଜମି ଚାଷ କରୁଛନ୍ତି। ସେ ମୋତେ ପଚାରିଲେ, ‘‘ଗାଁରେ ପିଇବାକୁ ପାଣି ନାହିଁ। ଆମେ କେମିତି ଚାଷ କରିବୁ?’’ ସେ ନାସିକ୍ ଜିଲ୍ଲାର ବିଲ୍ହୋଲି ଗାଁ ବାହାରେ ଥିଲେ। ଯେଉଁଠାରେ କି ନାସିକ୍ର ମହାମାର୍ଗ ବସ୍ଷ୍ଟାଣ୍ଡରୁ ୩ ଘଣ୍ଟା ଧରି ୧୦ କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରା କରିବା ପରେ ଫେବୃଆରୀ ୨୧ ତାରିଖ ଅପରାହ୍ନ ପ୍ରାୟ ୨.୩୦ ସମୟରେ ହଜାର ହଜାର କୃଷକ ବିଶ୍ରାମ ନେଇଥିଲେ। ସେ ମଧ୍ୟ ଆକୋଲା ତାଲୁକରୁ ଆସିଥିବା ପ୍ରାୟ ୨୫୦ କୃଷକଙ୍କ ସହ ପଦଯାତ୍ରା କରିଥିଲେ।



