ପ୍ରାୟ ୬୦ ବର୍ଷ ବୟସ୍କା ଗଙ୍ଗୁତାଇ ଚନ୍ଦର ୱାରଘଡ଼େ କହନ୍ତି, “ମୁଁ ମୋ ନାତିନାତୁଣୀଙ୍କ ପାଇଁ ଆସିଛି’’ । ‘‘ହୁଏତ ସେମାନଙ୍କର ଜୀବନକୁ ସୁଗମ କରିବା ଦିଗରେ ମୋର ଯାତ୍ରା ସହାୟକ ହେବ।”
ଅଧିସୂଚିତ ଜନଜାତି ମହାଦେବ କୋଲି ସଂପ୍ରଦାୟର ଗଙ୍ଗୁତାଇ ଜଣେ କୃଷି ଶ୍ରମିକ । ମହାରାଷ୍ଟ୍ରର ଆଦିବାସୀ ବହୁଳ ଉପକୂଳବର୍ତ୍ତୀ ଜିଲ୍ଲା ପାଲଘରର ମାଞ୍ଜୁଷି-ମେଟ୍ ଗାଁରେ ସେ ରହନ୍ତି ।
ନାସିକ୍ର ମୁମ୍ବାଇ ନାକା ବସ୍ ଷ୍ଟାଣ୍ଡ ପାଖ ପଡ଼ିଆରେ ଏକ ଗଛ ତଳେ ବସି ସେ ଓ ତାଙ୍କର ଅନ୍ୟ ଅନେକ ସାଥୀ ପଦଯାତ୍ରୀ ସେମାନଙ୍କ ଦୁଃଖକଷ୍ଟ ଏବଂ ଏହା ଦୂର କରିବା ଦିଗରେ ସରକାର କୌଣସି ପଦକ୍ଷେପ ନେଉ ନ ଥିବା ସଂପର୍କରେ କହୁଥିଲେ ।
ଗଙ୍ଗୁତାଇ କହନ୍ତି, “ଆମେ ଆମ ନାଁରେ ଜମି ଚାହୁଁ ।” ଦଶନ୍ଧି ଦଶନ୍ଧି ଧରି ସେ ଓ ଅନ୍ୟ ଅନେକ ଲୋକ ବନ ବିଭାଗର ‘ମାଲିକାନା’ରେ ଥିବା ଚାଷଜମିରେ ଚାଷକାମ କରିଆସୁଛନ୍ତି । ଥାନେ, ପାଲଘର, ନାସିକ୍ ଏବଂ ଉତ୍ତର ଏବଂ ଉପକୂଳବର୍ତ୍ତୀ ମହାରାଷ୍ଟ୍ରର ଅନ୍ୟ କେତେକ ପଡ଼ୋଶୀ ଜିଲ୍ଲାର ହଜାର ହଜାର ପରିବାର,୨୦୦୬ର ଜଙ୍ଗଲ ଅଧିକାର ଆଇନ (FRA)ବଳରେ ଏହି ସବୁ ଜମିର ମାଲିକାନା ଦାବି କରିଆସୁଛନ୍ତି । ଏହା ଦ୍ୱାରା ସେମାନେ ସରକାରୀ ଯୋଜନାର ସୁବିଧା ଏବଂ ଆନୁଷ୍ଠାନିକ ଋଣ ମଧ୍ୟ ପାଇପାରିବେ । ଗତ ବର୍ଷର ଐତିହାସିକ ଦୀର୍ଘ ପଦଯାତ୍ରା ପରେ FRA ଲାଗୁ କରିବା ପାଇଁ ମହାରାଷ୍ଟ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ସତ, କିନ୍ତୁ ପୂରଣ କଲେ ନାହିଁ ।
ତାଙ୍କର ଏବଂ ତାଙ୍କ ଗାଁର ଅନ୍ୟମାନଙ୍କର ବିଭିନ୍ନ ସମସ୍ୟା ଉଲ୍ଲେଖ କରି ପାଲଘରର ଜଣେ ଯୁବ କୃଷକ ଏବଂ ସାମାଜିକ କର୍ମୀ ତାଇ ବେନ୍ଦର କହନ୍ତି, “ଆମେ ଏକ ଉତ୍ତମ ଭବିଷ୍ୟତ ଚାହୁଁଛୁ’’। ‘‘ଆମ ଅଞ୍ଚଳର ପାଣିକୁ ମୁମ୍ବଇ ଏବଂ ଅନ୍ୟାନ୍ୟ ସହରକୁ ପଠାଇ ଦିଆଯାଉଥିବାରୁ ଆମେ ତାହା ବିରୋଧରେ ମଧ୍ୟ ସଂଘର୍ଷ କରୁଛୁ।”







