ପ୍ରହଲ୍ଲାଦ ସିଂହ ତିପାଣିଆ ଏବଂ ଶବନମ ବୀରମଣି (କବୀର ପ୍ରକଳ୍ପର) କବୀରଙ୍କ ଭଜନ ଗାଇବା ସମଯରେଏକତାରି ବଜାଇ ଥାଆନ୍ତି।
ଦେଶର ବିଭିନ୍ନ ଭାଗରେ- ଭଜନ ଗାୟକ ଓ ଭ୍ରମଣକାରୀ କଳାକାରମାନଙ୍କ ପାଖରେଏକତାରି ବାଦ୍ୟଯନ୍ତ୍ର ଦେଖାଯାଇଥାଏ। ପ୍ରାୟ ୧୦୦ରୁ ୧୨୦ ସେଣ୍ଟିମିଟର ଲମ୍ବାଏକତାରିର ଅନେକ ନାଁ ରହିଛି। କର୍ଣ୍ଣାଟକରେ ଏହାକୁ କୁହାଯାଏ ଏକନାଦ; ପଞ୍ଜାବରେତୁମ୍ବି; ବଙ୍ଗରେ ବାଉଲ; ଏବଂ ନାଗାଲାଣ୍ଡରେ ତାତି କୁହାଯାଏ। ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଏହା ବୁରା ବୀଣା ନାମରେ ପରିଚିତ। ଛତିଶଗଡ଼ର ଆଦିବାସୀମାନେ ସେମାନଙ୍କ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ ଏକତାରି ବ୍ୟବହାର କରିଥାଆନ୍ତି।
ଏକତାରିରେ ଏକ ଚେପଟା ଶୁଖିଲା ଲାଉ ଭିତରକୁ ସଫା କରାଯାଇଏହାକୁ ଧ୍ୱନି ସୃଷ୍ଟି କରିବା ଲାଗି ବ୍ୟବହାର କରାଯାଏ। ଏହାର ସରୁ ମୁହଁରେ ଚମଡ଼ାରେ ତିଆରି ଏକ ପରଦା ଲଗାଯାଏ। ଏହି ଧ୍ୱନି ସୃଷ୍ଟିକାରୀ ଶୁଖିଲା ଲାଉ ଭିତରେ ଏକ ଫମ୍ପା ଭେଲୁ (ଏକପ୍ରକାର ବାଉଁଶ) ପୂରାଯାଏ। ଲାଉ ଭିତରୁ ଏହି ଭେଲୁର ତଳଭାଗ ବାହାରିଥାଏ ଏବଂ ଏଥିରେ ତାର ଲଗାଇ ଦିଆଯାଏ। ଏହି ତାରକୁ ଭେଲୁର ଆର ଭାଗରେ ଲାଗିଥିବା ଗୋଟିଏ ବାଉଁଶ ଖୁଣ୍ଟାରେ ବାନ୍ଧି ଦିଆଯାଏ। ଏହାର ତାରକୁ ବିଶି ଆଙ୍ଗୁଠି କିମ୍ବା ମଝି ଆଙ୍ଗୁଠିରେ ଧରି ଏହାକୁ ବଜାଯାଏ।
ଅନ୍ୟାନ୍ୟ ଅନେକ ବାଦ୍ୟଯନ୍ତ୍ର ତୁଳନାରେ ଏକତାରି (ଗୋଟିଏ ତାର ଲାଗିଥିବା ଲାଉ ତୁମ୍ବା)ର ଆକାର ଏବଂ ଗଠନ ପ୍ରକ୍ରିୟା ଖୁବ ସରଳ। ଲାଉ ବା କଖାରୁ, କାଠ, ବାଉଁଶ ଏବଂ ତାର ସହଜରେ ମିଳିଯାଏ। ଏଥିରେ ବ୍ୟବହୃତ କଖାରୁ ତୁମ୍ବାରୁ ହିଁ ସର୍ବୋତ୍ତମ ଧ୍ୱନି ବାହାରେ ବୋଲି ବିବେଚନା କରାଯାଏ। ଆଫ୍ରିକୀୟ ବାଦ୍ୟଯନ୍ତ୍ର ସମୂହରେ ମଧ୍ୟ ଏହାକୁ ବ୍ୟାପକ ଭାବରେ ବ୍ୟବହାର କରାଯାଏ।ଏକତାରିରୁ ଗୋଟିଏ ମୂଳ ସ୍ୱର ଏବଂ ମୌଳିକ ଲୟସୃଷ୍ଟି ହୋଇଥାଏ। ଏହାର ଧ୍ୱନି ଅନୁସାରେ ଗାୟକ ନିଜ କଣ୍ଠସ୍ୱର ଏବଂ ଗୀତର ଗତିକୁ ସଜାଡ଼ି ନେଇପାରନ୍ତି। ଏହା ଏକ ପ୍ରାଚୀନ ଏବଂ ସ୍ୱଦେଶୀ ବାଦ୍ୟଯନ୍ତ୍ର। ପ୍ରଥମେ ଏହାର ତାର ବି ଚମଡ଼ାରୁ ତିଆରି ହେଉଥିଲା। ଏହି ଚମଡ଼ା ପଶୁ ଶରୀର ଭିତର ଭାଗରୁ ବାହାର କରାଯାଉଥିଲା। କର୍ଣ୍ଣାଟକର ୟାଲାମ୍ମା ଦେବୀଙ୍କ ପୂଜା ସମଯରେ ଏବେ ବି ଚମଡ଼ା ତାର ଲାଗିଥିବା ଏକତାରି ବଜାଯାଏ। ଏହାକୁ ଜୁମ୍ବାରୁକ ବୋଲି କହନ୍ତି। ତେଣୁ ଆମେ କହିପାରିବା ଯେ ସର୍ବପ୍ରଥମ ସଙ୍ଗୀତର ସ୍ୱର ଓ ସର୍ବପ୍ରଥମ ଲୟ ଗୋଟିଏ ଚମଡ଼ାର ଖୋଳ ଓ ଚମଡ଼ାରେ ତିଆରି ତାରରୁ ସୃଷ୍ଟ ଧ୍ୱନିରୁ ବାହାର କରାଯାଇଥିଲା। ଏବଂ ତାହା ହିଁ ଥିଲା ପ୍ରଥମ ସଙ୍ଗୀତ ବାଦ୍ୟଯନ୍ତ୍ର। କୃଷିପ୍ରଧାନ ସମାଜରେ ଧାତୁର ଆବିଷ୍କାର ହେବା ପରେ ହିଁ ଧାତୁରେ ତିଆରି ତାର ବ୍ୟବହାର କରାଯାଇଥିଲା। ପୃଥିବୀର ସବୁ ଭାଗରେ ଗୋଟିଏ ତାର ଲାଗିଥିବା ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର ଆବିଷ୍କୃତ ଓ ବ୍ୟବହୃତ ହୋଇଛି। ରାସ୍ତାକଡ଼ର ସଙ୍ଗୀତଜ୍ଞ ଏବଂ ଯାଯାବର ସଂପ୍ରଦାୟର ଜୀବନ ଧାରା ସହିତ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ବ୍ୟବହୃତ ଏହି ବାଦ୍ୟଯନ୍ତ୍ର ଅଙ୍ଗାଙ୍ଗୀ ଭାବେ ଜଡ଼ିତ।
ବିଶ୍ୱାସ କରାଯାଏ ଯେ, ଭାରତରେ ଭକ୍ତି ଆନ୍ଦୋଳନ ଯୁଗର ସାଧୁସନ୍ଥ ଏବଂ କବିମାନେ ଏକତାରିର ବହୁଳ ବ୍ୟବହାର କରୁଥିଲେ। ହେଲେ, ଐତିହାସିକ ଦୃଷ୍ଟିକୋଣରୁ ଏହା ନିରାଟ ସତ୍ୟ ନୁହେଁ। ଆମେ ଜାଣିଛୁ ଯେ. କବୀର, ମୀରାବାଇ ଓ କେତେକ ସୁଫି ସନ୍ଥ ଗୀତ ଗାଇବା ସମୟରେ ଏକତାରି ବ୍ୟବହାର କରୁଥିଲେ। କିନ୍ତୁ ମହାରାଷ୍ଟ୍ରରେ ନାମଦେବଙ୍କଠାରୁ ଆରମ୍ଭ କରି ତୁକାରାମଙ୍କ ପର୍ଯ୍ୟନ୍ତ ବହୁ ସନ୍ଥ କବିତାଲ (ଘଣ୍ଟ), ଚିପଲି (ଧାତବ ଥାଳିଆ ଲାଗିଥିବା କାଠରେ ତିଆରି ବାଦ୍ୟ) ଏବଂ ମୃଦଙ୍ଗ (ହାତରେ ବଜାଯାଉଥିବା ଢୋଲ) ବ୍ୟବହାର କରିଛନ୍ତି। ଅନେକ ଚିତ୍ର ଏବଂ ପ୍ରତିଚ୍ଛବିରେ ସାଧୁସନ୍ଥମାନେ ହାତରେ ବୀଣା ଧରିଥିବା ଦେଖାଯାଏ।
ମରାଠୀ ବିଶ୍ୱକୋଷରେ ଉଲ୍ଲେଖ ରହିଛି: “ଭାରତୀୟ ସଙ୍ଗୀତରେ ବ୍ୟବହାର କରାଯାଉଥିବା ବୀଣା ଏକ ପ୍ରାଚୀନ ତାର ସଂଲଗ୍ନ ବାଦ୍ୟଯନ୍ତ୍ର। ବୈଦିକ ମନ୍ତ୍ର ଜପ କରିବା ସମୟରେ ସ୍ୱରର ତାଳ ଗଣିବା ଲାଗି ଏହାକୁ ବ୍ୟବହାର କରାଯାଉଥିଲା।” ଯଦିଓ ଆମେ ନାମଦେବ ଓ ତୁକାରାମଙ୍କ ଭଳି ସନ୍ଥମାନଙ୍କର ଚିତ୍ରରେ ଏହାକୁ ଦେଖୁ ତଥାପି ତୁକାରାମଙ୍କ ଲିଖିତ ଅଭଙ୍ଗର କୌଣସି ସ୍ଥାନରେ ଏ ସଂପର୍କରେ ସଂକେତ ଦିଆଯାଇନାହିଁ। କିନ୍ତୁତାଲ, ଚିପଲି ଏବଂ ମୃଦଙ୍ଗ ଭଳି ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ସଂପର୍କରେ ବିଭିନ୍ନ ସ୍ଥାନରେ ସୂଚାଇ ଦିଆଯାଇଥିବା ଦେଖାଯାଏ।
ହାତରେ ବୀଣା ଧରିଥିବା ତୁକାରାମଙ୍କ ପ୍ରତିଚ୍ଛବି ଏହି ସନ୍ଥଙ୍କର ବ୍ରାହ୍ମଣବାଦୀ ଭାବମୂର୍ତ୍ତିର ପ୍ରତିନିଧିତ୍ୱ କରେ ବୋଲି ଆମେ କହିପାରିବା।