ଏକ ସୋମବାର ସକାଳ ୧୧ଟାରେ ୪୧ ବର୍ଷୀୟ ମୁନେଶ୍ୱର ମାନଝୀ, ତାଙ୍କର ପ୍ଲାଷ୍ଟର ହୋଇନଥିବା ଭାଙ୍ଗି ରୁଜି ଯାଇଥିବା ଘର ବାହାରେ ଏକ ଚୌକିରେ ଆରାମ କରୁଛନ୍ତି । ବାସଭବନ ସାମ୍ନା ସେହି ଖୋଲା ସ୍ଥାନରେ, ବାଉଁଶ ଖୁଣ୍ଟରେ ବନ୍ଧା ହୋଇଥିବା ଏକ ନୀଳ ପଲିଥିନ୍ ତାଙ୍କୁ ଖରାରୁ ରକ୍ଷା କରେ । କିନ୍ତୁ ତାହା ଗୁଳୁଗୁଳିରୁ କୌଣସି ଆଶ୍ୱସ୍ତି ଦିଏନାହିଁ । ପାଟନା ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ କାକୋ ସହର ନିକଟରେ ଥିବା ଏକ ମୁସାହାରୀଟୋଲାରେ ରହୁଥିବା ମୁନେଶ୍ୱର କହନ୍ତି, ‘‘ଗତ ୧୫ ଦିନ ହେଲା ମୋ ପାଖରେ କିଛି କାମ ନାହିଁ ।’’
ମୁସାହାରୀଟୋଲା-ହେଉଛି ଏକ ଶବ୍ଦ ଯାହା ଏକ ଦଳିତ ସମ୍ପ୍ରଦାୟ ମୁସାହାରମାନେ ରହୁଥିବା ଅଞ୍ଚଳକୁ ଚିହ୍ନିତ କରେ-ଏଠାରେ ୬୦ଟି ପରିବାର ବାସ କରନ୍ତି । ମୁନେଶ୍ୱର ଓ ତାଙ୍କ ଟୋଲାର ଅନ୍ୟମାନେ ନିକଟବର୍ତ୍ତୀ ଅଞ୍ଚଳରେ କୃଷି କ୍ଷେତରେ କାମ କରି ଆୟ କରୁଥିବା ଦିନ ମଜୁରି ଉପରେ ନିର୍ଭର କରନ୍ତି । କିନ୍ତୁ ମୁନେଶ୍ୱର କହନ୍ତି ଏହି କାମ ନିୟମିତ ମିଳେନାହିଁ । ଏହା ବର୍ଷରେ କେବଳ ୩-୪ ମାସ, ଖରିଫ ଓ ରବି ଫସଲର ରୁଆ ଓ ଅମଳ ସମୟରେ ମିଳେ ।
ଶେଷ ଥର ପାଇଁ ସେ ଜଣେ‘ବାବୁ ସାହେବ’ଙ୍କର କ୍ଷେତରେ କାମ ପାଇଥିଲେ, ଯିଏକି ରାଜପୁତ ସମ୍ପ୍ରଦାୟର ଜଣେ ଜମି ମାଲିକ। କୃଷି ଶ୍ରମିକମାନେ ପାଉଥିବା ଦିନ ମଜୁରୀ ବାବଦରେ ମୁନେଶ୍ୱର କହନ୍ତି, ‘‘ଆଠ ଘଣ୍ଟାର କାମ ପାଇଁ ଆମେ ଟଙ୍କା ଆକାରରେ ୧୫୦ ଟଙ୍କା ବା ୫ କିଲୋ ଚାଉଳ ପାଉ । ବାସ୍ ସେତିକି ।’’ ଟଙ୍କା ବଦଳରେ ଚାଉଳ ସହ – ମଧ୍ୟାହ୍ନ ଭୋଜନ ମିଳେ, ଯେଉଁଥିରେ ୪-୫ଟି ରୁଟି, ବା ସାଧା ତରକାରୀ ସହ ଭାତ ଓ ଡାଲି ଥାଏ ।’’
୧୯୫୫ରେ ଭୁଦାନ ଆନ୍ଦୋଳନ ସମୟରେ ଯେତେବେଳେ ଜମିଦାରମାନେ ସେମାନଙ୍କ ଜମିର କିଛି ଅଂଶ ଭୂମିହୀନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଦାନ କରିଥିଲେ ସେତେବେଳେ ଯଦିଓ ତାଙ୍କର ଜେଜେ ବାପା ତିନି ବିଘା (ପ୍ରାୟ ଦୁଇ ଏକର) ଚାଷ ଜମି ପାଇଥିଲେ- ଏହା ସେତେ ବେଶୀ କାମରେ ଆସୁନାହିଁ । ମୁନେଶ୍ୱର ବ୍ୟାଖ୍ୟା କରନ୍ତି, ‘‘ଆମେ ରହୁଥିବା ସ୍ଥାନଠାରୁ ଜମି ତିନି କିଲୋମିଟର ଦୂରରେ ଅଛି । ଆମେ ଯେତେବେଳେ ଫସଲ ଲଗାଉ, ପଶୁମାନେ ତାକୁ ଖାଇଯାଆନ୍ତି ଏବଂ ଆମେ କ୍ଷତି ସହୁ ।’’
ଅଧିକାଂଶ ଦିନ ମୁନେଶ୍ୱରଙ୍କ ପରିବାର ଏବଂ ଟୋଲାର ଅନ୍ୟମାନେ ମହୁଆ ଗଛ (Madhuca longifolia var. latifolia)ର ଫୁଲରୁ ପ୍ରସ୍ତୁତ ହେଉଥିବା ମହୁଆ ଦାରୁ ପ୍ରସ୍ତୁତି ଏବଂ ବିକ୍ରି କରି ବଞ୍ଚନ୍ତି ।
ଅବଶ୍ୟ ଏହା ଏକ ବିପଜ୍ଜନକ ବ୍ୟବସାୟ । ଏକ କଠୋର ରାଜ୍ୟ ଆଇନ – ବିହାର ନିଷେଧ ଏବଂ ଅବକାରୀ ଅଧିନିୟମ, ୨୦୧୬ – ମଦ ବା ନିଶାଦ୍ରବ୍ୟର ପ୍ରସ୍ତୁତି, ତାକୁ ଗଚ୍ଛିତ ରଖିବା, ବିକ୍ରି ବା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଏ । ଆଉ ଏମିତିକି ମହୁଆ ଦାରୁ, ଯାହାକୁ ‘ଦେଶୀ ବା ପାରମ୍ପରିକ ମଦ’ ଭାବେ ପରିଭାଷିତ କରାଯାଇଛି, ତାହା ଆଇନ ପରିସରରେ ଆସେ ।










