ଏକ ସୋମବାର ସକାଳ ୧୧ଟାରେ ୪୧ ବର୍ଷୀୟ ମୁନେଶ୍ୱର ମାନଝୀ, ତାଙ୍କର ପ୍ଲାଷ୍ଟର ହୋଇନଥିବା ଭାଙ୍ଗି ରୁଜି ଯାଇଥିବା ଘର ବାହାରେ ଏକ ଚୌକି ରେ ଆରାମ କରୁଛନ୍ତି । ବାସଭବନ ସାମ୍ନା ସେହି ଖୋଲା ସ୍ଥାନରେ, ବାଉଁଶ ଖୁଣ୍ଟରେ ବନ୍ଧା ହୋଇଥିବା ଏକ ନୀଳ ପଲିଥିନ୍ ତାଙ୍କୁ ଖରାରୁ ରକ୍ଷା କରେ । କିନ୍ତୁ ତାହା ଗୁଳୁଗୁଳିରୁ କୌଣସି ଆଶ୍ୱସ୍ତି ଦିଏନାହିଁ । ପାଟନା ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ କାକୋ ସହର ନିକଟରେ ଥିବା ଏକ ମୁସାହାରୀ ଟୋଲା ରେ ରହୁଥିବା ମୁନେଶ୍ୱର କହନ୍ତି, ‘‘ଗତ ୧୫ ଦିନ ହେଲା ମୋ ପାଖରେ କିଛି କାମ ନାହିଁ ।’’
ମୁସାହାରୀ ଟୋଲା-ହେଉଛି ଏକ ଶବ୍ଦ ଯାହା ଏକ ଦଳିତ ସମ୍ପ୍ରଦାୟ ମୁସାହାରମାନେ ରହୁଥିବା ଅଞ୍ଚଳକୁ ଚିହ୍ନିତ କରେ-ଏଠାରେ ୬୦ଟି ପରିବାର ବାସ କରନ୍ତି । ମୁନେଶ୍ୱର ଓ ତାଙ୍କ ଟୋଲା ର ଅନ୍ୟମାନେ ନିକଟବର୍ତ୍ତୀ ଅଞ୍ଚଳରେ କୃଷି କ୍ଷେତରେ କାମ କରି ଆୟ କରୁଥିବା ଦିନ ମଜୁରି ଉପରେ ନିର୍ଭର କରନ୍ତି । କିନ୍ତୁ ମୁନେଶ୍ୱର କହନ୍ତି ଏହି କାମ ନିୟମିତ ମିଳେନାହିଁ । ଏହା ବର୍ଷରେ କେବଳ ୩-୪ ମାସ, ଖରିଫ ଓ ରବି ଫସଲର ରୁଆ ଓ ଅମଳ ସମୟରେ ମିଳେ ।
ଶେଷ ଥର ପାଇଁ ସେ ଜଣେ ‘ବାବୁ ସାହେବ’ ଙ୍କର କ୍ଷେତରେ କାମ ପାଇଥିଲେ, ଯିଏକି ରାଜପୁତ ସମ୍ପ୍ରଦାୟର ଜଣେ ଜମି ମାଲିକ। କୃଷି ଶ୍ରମିକମାନେ ପାଉଥିବା ଦିନ ମଜୁରୀ ବାବଦରେ ମୁନେଶ୍ୱର କହନ୍ତି, ‘‘ଆଠ ଘଣ୍ଟାର କାମ ପାଇଁ ଆମେ ଟଙ୍କା ଆକାରରେ ୧୫୦ ଟଙ୍କା ବା ୫ କିଲୋ ଚାଉଳ ପାଉ । ବାସ୍ ସେତିକି । ’’ ଟଙ୍କା ବଦଳରେ ଚାଉଳ ସହ – ମଧ୍ୟାହ୍ନ ଭୋଜନ ମିଳେ, ଯେଉଁଥିରେ ୪-୫ଟି ରୁଟି, ବା ସାଧା ତରକାରୀ ସହ ଭାତ ଓ ଡାଲି ଥାଏ ।’’
୧୯୫୫ରେ ଭୁଦାନ ଆନ୍ଦୋଳନ ସମୟରେ ଯେତେବେଳେ ଜମିଦାରମାନେ ସେମାନଙ୍କ ଜମିର କିଛି ଅଂଶ ଭୂମିହୀନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଦାନ କରିଥିଲେ ସେତେବେଳେ ଯଦିଓ ତାଙ୍କର ଜେଜେ ବାପା ତିନି ବିଘା (ପ୍ରାୟ ଦୁଇ ଏକର) ଚାଷ ଜମି ପାଇଥିଲେ- ଏହା ସେତେ ବେଶୀ କାମରେ ଆସୁନାହିଁ । ମୁନେଶ୍ୱର ବ୍ୟାଖ୍ୟା କରନ୍ତି, ‘‘ଆମେ ରହୁଥିବା ସ୍ଥାନଠାରୁ ଜମି ତିନି କିଲୋମିଟର ଦୂରରେ ଅଛି । ଆମେ ଯେତେବେଳେ ଫସଲ ଲଗାଉ, ପଶୁମାନେ ତାକୁ ଖାଇଯାଆନ୍ତି ଏବଂ ଆମେ କ୍ଷତି ସହୁ ।’’
ଅଧିକାଂଶ ଦିନ ମୁନେଶ୍ୱରଙ୍କ ପରିବାର ଏବଂ ଟୋଲା ର ଅନ୍ୟମାନେ ମହୁଆ ଗଛ ( Madhuca longifolia var. latifolia )ର ଫୁଲରୁ ପ୍ରସ୍ତୁତ ହେଉଥିବା ମହୁଆ ଦାରୁ ପ୍ରସ୍ତୁତି ଏବଂ ବିକ୍ରି କରି ବଞ୍ଚନ୍ତି ।
ଅବଶ୍ୟ ଏହା ଏକ ବିପଜ୍ଜନକ ବ୍ୟବସାୟ । ଏକ କଠୋର ରାଜ୍ୟ ଆଇନ – ବିହାର ନିଷେଧ ଏବଂ ଅବକାରୀ ଅଧିନିୟମ, ୨୦୧୬ – ମଦ ବା ନିଶାଦ୍ରବ୍ୟର ପ୍ରସ୍ତୁତି, ତାକୁ ଗଚ୍ଛିତ ରଖିବା, ବିକ୍ରି ବା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଏ । ଆଉ ଏମିତିକି ମହୁଆ ଦାରୁ , ଯାହାକୁ ‘ଦେଶୀ ବା ପାରମ୍ପରିକ ମଦ’ ଭାବେ ପରିଭାଷିତ କରାଯାଇଛି, ତାହା ଆଇନ ପରିସରରେ ଆସେ ।
![The unplastered, dipalidated house of Muneshwar Manjhi in the Musahari tola near Patna city.](/media/images/02a-IMG_20210816_105636-UKR-If_we_stop_mak.max-1400x1120.jpg)
![Muneshwar in front of his house. He earns Rs 4,500 a month from selling mahua daaru, which is not enough for his basic needs. He says, ‘The sarkar has abandoned us’](/media/images/2b-IMG_20210816_105709-UKR-If_we_stop_maki.max-1400x1120.jpg)
ବାମ: ପାଟନା ସହର ନିକଟସ୍ଥ ମୁସାହାରୀ ଟୋଲାରେ ମୁନେ ଶ୍ୱର ମାନଝୀଙ୍କର ପ୍ଲାଷ୍ଟର ହୋଇନଥିବା, ଜୀର୍ଣ୍ଣଶୀର୍ଣ୍ଣ ଘର। ଡାହାଣ: ନିଜ ଘର ଆଗରେ ମୁନେ ଶ୍ୱର। ମହୁଆ ଦାରୁ ବିକ୍ରି କରି ସେ ମାସିକ ୪,୫୦୦ ଟଙ୍କା ଆୟ କରନ୍ତି, ଯାହାକି ତାଙ୍କର ମୌଳିକ ଆବଶ୍ୟକତା ପାଇଁ ପର୍ଯ୍ୟାପ୍ତ ନୁହେଁ। ସେ କହନ୍ତି, ‘ସରକାର ଆମକୁ ଛାଡ଼ି ଦେଇଛନ୍ତି’
କିନ୍ତୁ ବିକଳ୍ପ ନିଯୁକ୍ତି ସୁଯୋଗର ଅଭାବ ଯୋଗୁଁ ଚଢାଉ, ଗିରଫଦାରୀ ଏବଂ ଦଣ୍ଡିତ ହେବାର ଭୟ ସତ୍ୱେ ମୁନେ ଶ୍ୱର ମଦ ପ୍ରସ୍ତୁତି ଜାରି ରଖିବାକୁ ବାଧ୍ୟ ହୁଅନ୍ତି। ସେ କହନ୍ତି, ‘‘କିଏ ଭୟ କରୁନାହିଁ? ଆମେ ମଧ୍ୟ ଭୟ କରୁ । କିନ୍ତୁ ପୋଲିସ ଚଢ଼ାଉ କରିବା ସମୟରେ, ଆମେ ମଦ ଲୁଚାଉ ଏବଂ ଖସି ପଳାଇଥାଉ ।’’ ଅକ୍ଟୋବର ୨୦୧୬ରେ ନିଷେଧାଦେଶ ଲାଗୁ ହେବାଠାରୁ ପୋଲିସ ଟୋଲାରେ ୧୦ ଥରରୁ ଅଧିକ ଚଢ଼ାଉ କରିସାରିଲାଣି । ‘‘ମୁଁ କେବେ ବି ଗିରଫ ହୋଇନାହିଁ । ସେମାନେ ବହୁ ଥର ବାସନ ଏବଂ ଚୁଲ୍ହା [ମାଟି ଚୁଲି] ଭାଙ୍ଗି ଦେଇଛନ୍ତି, କିନ୍ତୁ ଆମେ ଆମର କାମ କରିବା ଜାରି ରଖୁ ।’’
ମୁସାହାରଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ, ଏବଂ ସେମାନେ ଦେଶର ସବୁଠାରୁ ଅବହେଳିତ ଓ କଳଙ୍କିତ ଲୋକମାନଙ୍କ ମଧ୍ୟରୁ ଅନ୍ୟତମ । ମୂଳତଃ ଏକ ସ୍ୱଦେଶୀ ବନ ଜନଜାତି, ଏହି ସମ୍ପ୍ରଦାୟର ନାମ ଦୁଇଟି ଶବ୍ଦ – ମୁସା (ମୂଷା) ଏବଂ ଆହାର (ଖାଦ୍ୟ)ରୁ ନିଆଯାଇଛି – ଏବଂ ଏହାର ଅର୍ଥ ହେଲା ‘ଯେଉଁମାନେ ମୂଷା ଖାଆନ୍ତି’ । ବିହାରରେ, ମୁସାହାରମାନେ ଅନୁସୂଚିତ ଜାତି ବର୍ଗରେ ଅନ୍ତର୍ଭୁକ୍ତ ଏବଂ ମହାଦଳିତ ଭାବେ ତାଲିକାଭୁକ୍ତ, ଯେଉଁମାନେ କି ଆର୍ଥିକ ଏବଂ ସାମାଜିକ ଦୃଷ୍ଟିରୁ ସର୍ବାଧିକ ଅବହେଳିତ ଦଳିତ ଶ୍ରେଣୀରେ ଆସନ୍ତି । ନିମ୍ନ ସାକ୍ଷରତା ହାର – ୨୯ ପ୍ରତିଶତ – ଏବଂ ଦକ୍ଷତାର ଅଭାବ ଯୋଗୁଁ, ରାଜ୍ୟରେ ଏମାନଙ୍କର ୨୭ ଲକ୍ଷରୁ ଅଧିକ ଜନସଂଖ୍ୟା କୌଣସି କୁଶଳୀ ଶ୍ରମ କ୍ଷେତ୍ରରେ ନିୟୋଜିତ ହୋଇନାହାନ୍ତି । ଏବଂ ଯଦିଓ ମହୁଆ ଦାରୁ ସମ୍ପ୍ରଦାୟର ଏକ ପାରମ୍ପରିକ ପାନୀୟ, ଏବେ ଜୀବିକା ଅର୍ଜନ ପାଇଁ ଏହାକୁ ଅଧିକ ଉତ୍ପାଦନ କରାଯାଉଛି ।
୧୫ ବର୍ଷର ହୋଇଥିବା ବେଳଠାରୁ ମୁନେଶ୍ୱର ମହୁଆ ଦାରୁ ପ୍ରସ୍ତୁତ କରିଆସୁଛନ୍ତି । ସେ କହନ୍ତି ‘‘ମୋ ବାପା ଗରିବ ଥିଲେ । ସେ ଏକ ଠେଲା [ସାମଗ୍ରୀ ପରିବହନ ଲାଗି କାଠରେ ପ୍ରସ୍ତୁତ ହାତ ଟଣା ଗାଡ଼ି] ଟାଣୁଥିଲେ। ତାଙ୍କର ଆୟ ପର୍ଯ୍ୟାପ୍ତ ନ ଥିଲା। ବେଳେବେଳେ ମୋତେ ଖାଲି ପେଟରେ ସ୍କୁଲ ଯିବାକୁ ହେଉଥିଲା’’। ‘‘ତେଣୁ କିଛି ମାସ ପରେ ମୁଁ ସ୍କୁଲ ଯିବା ବନ୍ଦ କରିଦେଲି। ଆଖପାଖରେ କେତେକ ପରିବାର ମଦ ପ୍ରସ୍ତୁତ କରୁଥିଲେ, ତେଣୁ ମୁଁ ମଧ୍ୟ ତାହା କରିବା ଆରମ୍ଭ କଲି। ମୁଁ ୨୫ ବର୍ଷ ଧରି ଏହା କରିଆସୁଛି। ’’
ବାଷ୍ଫୀକରଣ ମାଧ୍ୟମରେ ମଦ ପ୍ରସ୍ତୁତି ଏକ ସମୟ ସାପେକ୍ଷ ପ୍ରକ୍ରିୟା । ପ୍ରଥମତଃ, ମହୁଆ ଫୁଲଗୁଡ଼ିକୁ ଗୁଡ଼ ଏବଂ ପାଣିରେ ମିଶାଯାଏ, ଏବଂ ସେମିତି ଭିଜିଥିବା ଅବସ୍ଥାରେ ୮ ଦିନ ଛାଡ଼ି ଦିଆଯାଏ । ତା’ ପରେ ଏହି ମିଶ୍ରଣକୁ ଏକ ଧାତବ ହାଣ୍ଡି (ପାତ୍ର)କୁ ଢଳାଯାଇ ଏକ ଚୁଲ୍ହା ରେ ସିଝିବା ପାଇଁ ବସାଯାଏ । ମାଟିରେ ତିଆରି ଆଉ ଏକ ଛୋଟ ହାଣ୍ଡି , ଯାହାର ତଳ ଭାଗ ଖୋଲା ଥାଏ, ତାକୁ ଧାତବ ହାଣ୍ଡି ଉପରେ ରଖାଯାଏ । ମାଟି ହାଣ୍ଡି ରେ ଗୋଟିଏ ଗାତ ଥାଏ ଯେଉଁଠାରେ ଏକ ପାଇପ୍ ଲଗାଯାଇଥାଏ ଏବଂ ଆଉ ଏକ ଧାତବ ପାଣି ହାଣ୍ଡି ଏହା ଉପରେ ରଖାଯାଇଥାଏ । ବାଷ୍ପକୁ ଗଚ୍ଛିତ ରଖିବା ପାଇଁ ତିନିଟି ହାଣ୍ଡି ର ଫାଙ୍କକୁ କାଦୁଅ ଏବଂ କପଡ଼ାରେ ପୂରଣ କରାଯାଇଥାଏ ।
ସିଝୁଥିବା ମହୁଆ ମିଶ୍ରଣରୁ ପ୍ରସ୍ତୁତ ବାଷ୍ପ ମାଟି ହାଣ୍ଡି ରେ ଗଚ୍ଛିତ ହୁଏ । ଏହା ପାଇପ୍ ମାଧ୍ୟମରେ ତଳେ ଥିବା ଏକ ଧାତବ ପାତ୍ରକୁ ଯାଏ, ଯେଉଁଥିରେ ବୁନ୍ଦା ବୁନ୍ଦା ବାଷ୍ପ ସଂଗୃହୀତ ହୁଏ । ପ୍ରାୟ ଆଠ ଲିଟର ମଦ ପ୍ରସ୍ତୁତି ପାଇଁ ତିନିରୁ ଚାରି ଘଣ୍ଟା ଧରି ଲଗାତର ନିଆଁରେ ଉତ୍ତପ୍ତ କରିବାକୁ ହୁଏ । ମୁନେ ଶ୍ୱର କହନ୍ତି, ‘‘ଜଳିବା ଜାରି ରଖିବା ପାଇଁ ଆମକୁ ସେଠାରେ (ଚୁଲା ପାଖରେ) ରହିବାକୁ ହୁଏ’’ । ‘‘ ଏବେ ପ୍ରବଳ ଗରମ ହେଉଛି । ଆମ ଦେହ ଜଳିଯାଏ । ତଥାପି ଜୀବିକା ଅର୍ଜନ ଲାଗି ଆମକୁ ଏହା କରିବାକୁ ହୁଏ ।’’ ବାଷ୍ପୀକରଣ ପ୍ରକ୍ରିୟା ପାଇଁ ସେ ‘ମହୁଆ ଚୁଆନା’ ଶବ୍ଦ ବ୍ୟବହାର କରନ୍ତି ।
![](/media/images/03a-IMG_20210816_114502-UKR-If_we_stop_mak.max-1400x1120.jpg)
![The metal utensil connected to the pipe collects the dripping condensation. The distillation process is time-consuming](/media/images/03b-IMG_20210816_114534-UKR-If_we_stop_mak.max-1400x1120.jpg)
ବାମ : ବାଷ୍ପ ପ୍ରସ୍ତୁତି ଲାଗି ମହୁଆ ଫୁଲ, ଗୁଡ଼ ଓ ପାଣିର ମିଶ୍ରଣକୁ ସିଝା ଯାଇଥାଏ, ଯାହା ମଝିରେ ଥିବା ମାଟି ପାତ୍ରରେ ସଂଗୃହୀତ ହୁଏ । ଡାହାଣ : ପାଇପ୍ ଲାଗିଥିବା ଧାତବ ବାସନରେ ବୁନ୍ଦା ବୁନ୍ଦା ହୋଇ ପଡୁଥିବା ବାଷ୍ପ ସଂଗୃହୀତ ହୁଏ । ବାଷ୍ପୀକରଣ ପ୍ରକ୍ରିୟା ସମୟ ସାପେକ୍ଷ
ମୁନେଶ୍ୱର ମାସକୁ ୪୦ ଲିଟର ମହୁଆ ଦାରୁ ପ୍ରସ୍ତୁତ କରନ୍ତି, ଯାହା ପାଇଁ ସେ ୭ କିଲୋ ଫୁଲ, ୩୦ କିଲୋ ଗୁଡ଼ ଏବଂ ୧୦ ଲିଟର ପାଣି ଆବଶ୍ୟକ କରନ୍ତି । ସେ ଫୁଲ ୭୦୦ ଟଙ୍କା ଏବଂ ଗୁଡ଼ ୧,୨୦୦ ଟଙ୍କାରେ କିଣନ୍ତି । ସେ ଚୁଲାରେ ଜାଳିବାକୁ ୧୦ କିଲୋ କାଠ ପାଇଁ ୮୦ ଟଙ୍କା ଦିଅନ୍ତି । ତାଙ୍କର କଞ୍ଚା ମାଲ୍ରେ ମାସିକ ଖର୍ଚ୍ଚ ୨,୦୦୦ ଟଙ୍କା ହୁଏ ।
ମୁନେଶ୍ୱର କହନ୍ତି, ‘‘ଆମେ ମଦ ବିକ୍ରି କରି ମାସକୁ ୪,୫୦୦ ଟଙ୍କା ଆୟ କରୁ । ଖାଦ୍ୟରେ ଖର୍ଚ୍ଚ କରିବା ପରେ ଆମେ କଷ୍ଟରେ ୪୦୦-୫୦୦ ଟଙ୍କା ସଞ୍ଚୟ କରିପାରୁ । ଏହି ଟଙ୍କା ପିଲାମାନଙ୍କ ପାଇଁ ଖର୍ଚ୍ଚ ହୁଏ, ଯେଉଁମାନେ ସବୁବେଳେ ବିସ୍କୁଟ ଓ ଚକୋଲେଟ୍ ମାଗୁଥାଆନ୍ତି ।’’ ସେ ଓ ତାଙ୍କର ସ୍ତ୍ରୀ, ୩୬ ବର୍ଷୀୟା ଚମେଲି ଦେବୀଙ୍କର ୫ ଓ ୧୬ ବର୍ଷ ମଧ୍ୟରେ ତିନି ଜଣ ଝିଅ ଅଛନ୍ତି । ସେମାନଙ୍କର ସବା ସାନ ପୁଅ ୪ ବର୍ଷର । ଚମେଲି ମଧ୍ୟ କୃଷି ଶ୍ରମିକ ଭାବେ କାମ କରନ୍ତି ଏବଂ ତାଙ୍କ ସ୍ୱାମୀଙ୍କ ସହ ମଦ ପ୍ରସ୍ତୁତ କରନ୍ତି ।
ସେମାନଙ୍କର ଗ୍ରାହକମାନେ ମୁଖ୍ୟତଃ ନିକଟସ୍ଥ ଗାଁର ଶ୍ରମିକ। ମୁନେଶ୍ୱର କହନ୍ତି, ‘‘ଆମେ ୨୫୦ ଏମ୍ଏଲ୍ [ମଦ] ପାଇଁ ୩୫ ଟଙ୍କା ନେଉ। ଗ୍ରାହକଙ୍କୁ ନଗଦ ଦେବାକୁ ହୁଏ। ଆମେ ଉଧାର [ବାକି]ରେ ମଦ ଚାହୁଁଥିବା କାହାରିକୁ ଦେଉନା।’’
ମଦର ଚାହିଦା ଅନେକ – ଆଠ ଲିଟର ମାତ୍ର ତିନିରେ ବିକ୍ରି ହୋଇଯାଏ । କିନ୍ତୁ ଅଧିକ ପରିମାଣରେ ମଦ ପ୍ରସ୍ତୁତ କରିବା ବିପଦପୂର୍ଣ୍ଣ । ମୁନେଶ୍ୱର କହନ୍ତି, ‘‘ପୋଲିସ ଚଢ଼ାଉ କରିବା ବେଳେ ସମସ୍ତ ମଦ ନଷ୍ଟ କରି ଦିଅନ୍ତି ଏବଂ ଆମେ କ୍ଷତି ସହୁ।’’ ଏହି ‘ଅପରାଧ’ ପାଇଁ ଜେଲ୍ ଦଣ୍ଡ ହୁଏ, ଯାହା କଠୋର ବା ଆଜୀବନ ହୋଇପାରେ, ଏବଂ ଏକ ଲକ୍ଷ ଟଙ୍କାରୁ ନେଇ ଦଶ ଲକ୍ଷ ଯାଏଁ ଭାରି ଜରିମାନା ହୋଇପାରେ ।
ମୁନେଶ୍ୱରଙ୍କ ପାଇଁ, ମଦ ବଞ୍ଚିବାର ଏକ ମାଧ୍ୟମ ଓ ଏକ ଲାଭଜନକ ବ୍ୟବସାୟ କରିବା ନୁହେଁ। ଏକ କୋଠରୀ ବିଶିଷ୍ଟ ଘରକୁ ଦେଖାଇ ସେ କହନ୍ତି, ‘‘ମୋ ଘରକୁ ଦେଖନ୍ତୁ, ଏହାକୁ ମରାମତି କରିବାକୁ ବି ଆମ ପାଖରେ ଟଙ୍କା ନାହିଁ ।’’ ଏହାକୁ ଠିକ୍ କରିବାକୁ ତାଙ୍କୁ ଅତି କମ୍ରେ ୪୦,୦୦୦-୫୦,୦୦୦ ଟଙ୍କା ଦରକାର। କୋଠରୀର ଚଟାଣ ମାଟି; କାନ୍ଥର ଭିତର ପାଖ କାଦୁଅରେ ଲିପା ହୋଇଛି ଏବଂ ବାୟୁ ଚଳାଚଳ ପାଇଁ କୌଣସି ଝରକା ନାହିଁ । କୋଠରୀର ଗୋଟିଏ କୋଣରେ ଚୁଲ୍ହା ରହିଛି, ଯେଉଁଠାରେ ଭାତ ପାଇଁ ଧାତବ ବାସନ ଏବଂ ଘୁଷୁରୀ ମାଂସ ରୋଷେଇ ପାଇଁ କଡ଼େଇ (ପ୍ୟାନ୍) ବି ରଖାଯାଇଛି। ମୁନେଶ୍ୱର କହନ୍ତି, ‘‘ଆମେ ଘୁଷୁରୀ ମାଂସ ବହୁ ପରିମାଣରେ ଖାଉ। ଏହା ଆମ ପାଇଁ ସ୍ୱାସ୍ଥ୍ୟପ୍ରଦ।’’ ମୁନେଶ୍ୱର କହନ୍ତି, ଟୋଲାରେ ମାଂସ ପାଇଁ ଘୁଷୁରୀ ପାଳନ କରାଯାଏ ଏବଂ ଘୁଷୁରୀ ମାଂସ ଟୋଲା ରେ ୩-୪ଟି ଦୋକାନରେ ବିକ୍ରି କରାଯାଏ, ଯାହାର ମୂଲ୍ୟ କିଲୋ ପ୍ରତି ୧୫୦-୨୦୦ ଟଙ୍କା । ପରିବା ବଜାର ୧୦ କିଲୋମିଟର ଦୂର । ସେ କହନ୍ତି, ‘‘ଆମେ ମହୁଆ ଦାରୁ ମଧ୍ୟ ବେଳେ ବେଳେ ପିଉ।’’
୨୦୨୦ରେ କୋଭିଡ୍-୧୯ ଲକ୍ଡାଉନ୍ର ମଦ ବିକ୍ରି ଉପରେ ଖୁବ୍ କମ୍ ପ୍ରଭାବ ପଡ଼ିଥିଲା ଏବଂ ସେହି ସମୟରେ ମୁନେଶ୍ୱର ମାସକୁ ୩,୫୦୦-୪,୦୦୦ ଟଙ୍କା ଆୟ କରିବାରେ ସକ୍ଷମ ହେଉଥିଲେ । ସେ କହନ୍ତି, ‘‘ଆମେ ମହୁଆ, ଗୁଡ଼ ସଂଗ୍ରହ କରୁ ଏବଂ ଏହାକୁ ପ୍ରସ୍ତୁତ କରୁ । ଅଭ୍ୟନ୍ତର ଅଞ୍ଚଳରେ ସେତେବେଳେ ବହୁତ ବେଶୀ କଟକଣା ନ ଥିଲା, ତେଣୁ ଏହା ଆମକୁ ସାହାଯ୍ୟ କଲା । ଆମେ ଗ୍ରାହକ ମଧ୍ୟ ପାଇଲୁ । ମଦ ପିଇବା ଏତେ ସାଧାରଣ କଥା ଯେ ଲୋକେ ଏହାକୁ ଯେତେ ମୂଲ୍ୟ ହେଲେ ବି କିଣିବେ ।’’
![Muneshwar Manjhi got his MGNREGA job card seven years ago, but he was never offered any work.](/media/images/04a-IMG_20210816_105745-UKR-If_we_stop_mak.max-1400x1120.jpg)
![](/media/images/04b-IMG_20210816_105835-UKR-If_we_stop_mak.max-1400x1120.jpg)
ବାମ: ମୁନେଶ୍ୱର ମାନ୍ଝୀ ସାତ ବର୍ଷ ପୂର୍ବରୁ ତାଙ୍କର ଏମଜିଏନ୍ଆରଇଜିଏ ଜବ୍କାର୍ଡ ପାଇଥିଲେ, କିନ୍ତୁ ତାଙ୍କୁ କେବେ କୌଣସି କାମ ମିଳିନାହିଁ । ଡାହାଣ: ତାଙ୍କ ପରିବାରର ସମସ୍ତ ଛଅ ଜଣ ସଦସ୍ୟ ଏକ କୋଠରୀ ବିଶିଷ୍ଟ ଘରେ ଶୁଅନ୍ତି, ଯାହାର କୌଣସି ଝରକା ନାହିଁ
ଏହା ମଧ୍ୟରେ ଯେତେବେଳେ ମାର୍ଚ୍ଚ ୨୦୨୧ରେ ତାଙ୍କ ବାପାଙ୍କର ମୃତ୍ୟୁ ହେଲା ସେ ଋଣଗ୍ରସ୍ତ ହୋଇଗଲେ। ଶେଷ କୃତ୍ୟ କରିବା ଏବଂ ପ୍ରଥା ଅନୁସାରେ ସମ୍ପ୍ରଦାୟକୁ ଭୋଜି ଦେବା ପାଇଁ, ମୁନେଶ୍ୱରଙ୍କୁ ଜଣେ ରାଜପୁତ ଜାତିର ଘରୋଇ ସାହୁକାରଙ୍କଠାରୁ ପାଞ୍ଚ ପ୍ରତିଶତ ସୁଧ ହାରରେ ୨୦,୦୦୦ ଟଙ୍କା ଧାର ଆଣିବାକୁ ପଡିଲା। ସେ କହନ୍ତି, ‘‘ମଦ ଉପରେ ପ୍ରତିବନ୍ଧକ ଲାଗି ନ ଥିଲେ, ମୁଁ ଯଥେଷ୍ଟ ଟଙ୍କା ସଞ୍ଚୟ କରିପାରିଥାଆନ୍ତି [ଅଧିକ ପ୍ରସ୍ତୁତ କରି] ଏବଂ ଋଣ ପରିଶୋଧ କରିଥାଆନ୍ତି। ଯଦି କେହି ଅସୁସ୍ଥ ହୁଅନ୍ତି ମୋତେ ଋଣ ନେବାକୁ ହୁଏ। ଏମିତି ଆମେ କେମିତି ବଞ୍ଚିବୁ?’’
ଅତୀତରେ, ମୁନେଶ୍ୱର ଭଲ ନିଯୁକ୍ତି ସୁଯୋଗ ପାଇଁ ଅନ୍ୟ ରାଜ୍ୟକୁ ଯାଇଥିଲେ କିନ୍ତୁ ସେ ନିରାଶ ହୋଇ ଫେରିଥିଲେ । ୨୦୧୬ରେ ସେ ପ୍ରଥମେ ମହାରାଷ୍ଟ୍ରର ପୁନେ ଯାଇଥିଲେ, ନିର୍ମାଣ ପ୍ରକଳ୍ପରେ କାମ କରିବା ଲାଗି, କିନ୍ତୁ ତିନି ମାସରେ ଘରକୁ ଫେରିଆସିଲେ । ସେ କହନ୍ତି, ‘‘ମୋତେ ସେଠାକୁ ନେଇଥିବା କଣ୍ଟ୍ରାକ୍ଟର ମୋତେ କାମ ଦେଲା ନାହିଁ । ତେଣୁ ମୁଁ ହତାଶ ହୋଇ ଫେରିଆସିଲି ।’’ ୨୦୧୮ରେ ସେ ଉତ୍ତରପ୍ରଦେଶ ଗଲେ ଏବଂ ଏଥରକ ମାସକ ମଧ୍ୟରେ ଫେରିଆସିଲେ । ସେ କହନ୍ତି, ‘‘ରାସ୍ତା ଖୋଳିବା ପାଇଁ ମୁଁ ମାସିକ ମାତ୍ର ୬,୦୦୦ ଟଙ୍କା ପାଉଥିଲି, ତେଣୁ ମୁଁ ଫେରିଆସିଲି । ତା’ପରଠାରୁ ମୁଁ ଆଉ କେଉଁଠାକୁ ଯାଇନାହିଁ ।’’
ରାଜ୍ୟ ଜନକଲ୍ୟାଣ ନିୟମ ମୁସାହାରୀ ଟୋଲା ରେ ପ୍ରବେଶ କରିନାହିଁ । ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ, କିନ୍ତୁ ଟୋଲାକୁ ଚଳାଉଥିବା ଗ୍ରାମ ପଞ୍ଚାୟତ ର ମୁଖିଆ (ମୁଖ୍ୟ) ସ୍ଥାନୀୟ ଲୋକଙ୍କୁ ମଦ ପ୍ରସ୍ତୁତି ବନ୍ଦ କରିବାକୁ କହିଆସୁଛନ୍ତି । ମୁନେଶ୍ୱର କହନ୍ତି, ‘‘ ସରକାର [ଗଭର୍ଣ୍ଣମେଣ୍ଟ] ଆମକୁ ଛାଡ଼ି ଦେଇଛନ୍ତି’’। ‘‘ଆମେ ଅସହାୟ। ଦୟାକରି ସରକାର ଙ୍କ ପାଖକୁ ଯାଆନ୍ତୁ ଏବଂ ସେମାନଙ୍କୁ କୁହନ୍ତୁ ଯେ ଆପଣ ଟୋଲା ରେ ଗୋଟିଏ ବି ପାଇଖାନା ଦେଖିନାହାନ୍ତି। ସରକାର ଆମକୁ ସାହାଯ୍ୟ କରୁନାହାନ୍ତି। ତେଣୁ ଆମେ ମଦ ପ୍ରସ୍ତୁତ କରୁଛୁ । ଯଦି ସରକାର ଆମକୁ ବିକଳ୍ପ ରୋଜଗାର ବା ଗୋଟିଏ ଛୋଟ ଦୋକାନ ଖୋଲିବାକୁ ବା ମାଂସ – ମଛ୍ଲୀ [ମାଛ] ବିକ୍ରି କରିବାକୁ ଟଙ୍କା ଦେଇଥାଆନ୍ତେ ତେବେ ଆମେ ମଦ ବ୍ୟବସାୟ ଜାରି ରଖି ନ ଥାନ୍ତୁ ।’’
ମୁସାହାରୀ ଟୋଲା ର ଜଣେ ୨୧ ବର୍ଷୀୟ ବାସିନ୍ଦା ମୋତିଲାଲ କୁମାରଙ୍କ ପାଇଁ ମହୁଆ ଦାରୁ ଏବେ ଆୟର ମୁଖ୍ୟ ଉତ୍ସ । ଅନିୟମିତ କୃଷି କାମ ଏବଂ କମ୍ ମଜୁରୀ ପାଇଁ ୨୦୧୬ରେ ପ୍ରତିବନ୍ଧକ ଲାଗିବାର ୨-୩ ମାସ ପୂର୍ବରୁ ସେ ମଦ ସ୍ପିରିଟ୍ ବାଷ୍ପୀକରଣ କାମ ଆରମ୍ଭ କରିଥିଲେ । ‘‘ଆମକୁ ଦିନ ମଜୁରୀ ହିସାବରେ ମାତ୍ର ୫ କିଲୋ ଚାଉଳ ଦିଆଯାଉଥିଲା ।’’ ୨୦୨୦ରେ ସେ ମାତ୍ର ଦୁଇ ମାସ କୃଷି କାମ ପାଇଥିଲେ ବୋଲି କହନ୍ତି ।
![Motilal Kumar’s mother Koeli Devi checking the stove to ensure the flames reach the handi properly. The entire family works to distil the mahua daaru.](/media/images/05a-IMG_20210816_114549-UKR-If_we_stop_mak.max-1400x1120.jpg)
![Motilal and Koeli Devi in front of their house in the Musahari tola](/media/images/05b-IMG_20210816_114909-UKR-If_we_stop_mak.max-1400x1120.jpg)
ବାମ: ମୋତିଲାଲ କୁମାରଙ୍କର ମା’ କୋଇଲି ଦେବୀ ଶିଖା ହାଣ୍ଡି ପାଖରେ ଠିକ୍ ଭାବରେ ପହଞ୍ଚିବା ସୁନିଶ୍ଚିତ କରିବାକୁ ଚୁଲାକୁ ଯାଂଚ କରୁଛନ୍ତି। ମହୁଆ ଦାରୁ ପ୍ରସ୍ତୁତ କରିବାରେ ସମ୍ପୂର୍ଣ୍ଣ ପରିବାର କାମ କରିଥାଏ । ଡାହାଣ : ମୋତିଲାଲ ଏବଂ କୋଇଲି ଦେବୀ ମୁସାହାରୀ ଟୋଲାରେ ଥିବା ସେମାନଙ୍କ ଘର ସମ୍ମୁଖରେ
ମୋତିଲାଲ, ତାଙ୍କ ମା କୋଇଲି ଦେବୀ, ୫୧ ଏବଂ ତାଙ୍କ ସ୍ତ୍ରୀ ବୁଲାକୀ ଦେବୀ, ୨୦, ସମସ୍ତେ ମହୁଆ ଦାରୁ ପ୍ରସ୍ତୁତିରେ ଲାଗନ୍ତି। ସେମାନେ ପ୍ରତିମାସ ପ୍ରାୟ ୨୪ ଲିଟର ମଦ ପ୍ରସ୍ତୁତ କରନ୍ତି । ସେ କହନ୍ତି, ‘‘ମଦ ପ୍ରସ୍ତୁତ କରି ଆମେ ଯାହା ଆୟ କରୁ ସବୁ ଖାଦ୍ୟ, ବସ୍ତ୍ର ଓ ଔଷଧରେ ଖର୍ଚ୍ଚ ହୋଇଯାଏ। ଆମେ ଖୁବ୍ ଗରିବ । ମଦ ପ୍ରସ୍ତୁତ କରି ବି ଆମେ ଟଙ୍କା ସଞ୍ଚୟ କରିପାରୁନା। ମୁଁ ଯେମିତି ସେମିତି ମୋ ଝିଅ ଅନୁର ଦେଖାଶୁଣା କରିପାରୁଛି । ଯଦି ମୁଁ ଅଧିକ [ମଦ] ପ୍ରସ୍ତୁତ କରିବି, ମୋର ଆୟ ବଢ଼ିବ। ସେଥିପାଇଁ, ମୋତେ ଟଙ୍କା[ମୂଳଧନ] ଦରକାର, ଯାହା ମୋ ପାଖରେ ନାହିଁ ।’’
ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି (ମନରେଗା) କାର୍ଯ୍ୟକ୍ରମ ଏଠାକାର ମୁସାହାରଙ୍କ ପାଇଁ ଅଧିକ ଲାଭପ୍ରଦ ହୋଇପାରିନାହିଁ। ଯଦିଓ ମୁନେଶ୍ୱର ସାତ ବର୍ଷ ପୂର୍ବରୁ ଏକ ମନରେଗା କାର୍ଡ କରିଥିଲେ, ସେ କେବେ ବି କୌଣସି କାମ ପାଇନାହାନ୍ତି। ମୋତିଲାଲଙ୍କର ନା ମନରେଗା କାର୍ଡ ଅଛି ନା ଆଧାର କାର୍ଡ। ଟୋଲାର ଅଧିକାଂଶ ବାସିନ୍ଦାଙ୍କ ପାଇଁ ଆଧାର କାର୍ଡ ପାଇବା ଏକ କର ଲଗାଇବା ଭଳି ଅମଲାତାନ୍ତ୍ରିକ ପ୍ରକ୍ରିୟା। ମୋତିଲାଲ୍ କହନ୍ତି, ‘‘ଯେତେବେଳେ ଆମେ ବ୍ଲକ୍ ଅଫିସ୍ [ତିନି କିଲୋମିଟର ଦୂର] ଯାଉ, ସେମାନେ ମୁଖିଆ ଙ୍କଠାରୁ ସ୍ୱାକ୍ଷର ଥିବା ଏକ ଚିଠି ମାଗନ୍ତି। ଆମେ ଯେତେବେଳେ ମୁଖିଆ ଙ୍କର ଚିଠି ଦେଉ, ସେମାନେ ସ୍କୁଲରୁ ଗୋଟିଏ ଚିଠି ମାଗନ୍ତି । ମୁଁ ଯେତେବେଳେ ସ୍କୁଲରୁ ଚିଠି ନେଇ ଦିଏ, ସେମାନେ ଟଙ୍କା ମାଗନ୍ତି। ମୁଁ ଜାଣିଛି ଯେ ବ୍ଲକ୍ ଅଧିକାରୀମାନେ ୨,୦୦୦ରୁ ୩,୦୦୦ ଟଙ୍କା ଲାଞ୍ଚ ନେବା ପରେ ଆଧାର କାର୍ଡ଼ ଦିଅନ୍ତି। କିନ୍ତୁ ମୋ ପାଖରେ ଟଙ୍କା ନାହିଁ।’’
ମୁସାହାରୀ ଟୋଲାରେ ଜୀବନ ଧାରଣ ସ୍ଥିତି ସ୍ପଷ୍ଟ ଭାବେ ଅନୁପଯୁକ୍ତ। କୌଣସି ପାଇଖାନା ନାହିଁ, ଏମିତିକି ଗୋଟିଏ ଗୋଷ୍ଠୀ ପାଇଖାନା ବି ନାହିଁ। କୌଣସି ପରିବାରର ଏଲ୍ପିଜି ସଂଯୋଗ ନାହିଁ – ଲୋକେ ଏବେ ମଧ୍ୟ ରୋଷେଇ ଓ ମଦ ପ୍ରସ୍ତୁତିରେ କାଠ ବ୍ୟବହାର କରନ୍ତି । ଯଦିଓ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତିନି କିଲୋମିଟର ଦୂର, ଏହା ଡଜନରୁ ଅଧିକ ପଞ୍ଚାୟତ ର ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ମୁଖିଆ କହନ୍ତି, ‘‘ଚିକିତ୍ସା ସୁବିଧା ଖୁବ୍ ଖରାପ, ତେଣୁ ଲୋକେ ଘରୋଇ କ୍ଲିନିକ୍ ଉପରେ ନିର୍ଭର କରନ୍ତି ।’’ ବାସିନ୍ଦାଙ୍କ ଅନୁସାରେ, ମହାମାରୀ ସମୟରେ ଟୋଲା ରେ ଗୋଟିଏ ବି କୋଭିଡ୍ -୧୯ ଟିକାକରଣ କେନ୍ଦ୍ର ମଧ୍ୟ ଆୟୋଜିତ ହୋଇନଥିଲା । ସଚେତନତା ସୃଷ୍ଟି ପାଇଁ କୌଣସି ସରକାରୀ ଅଧିକାରୀ ଏଠାକୁ ପରିଦର୍ଶନରେ ଆସିନଥିଲେ ।
ମୌଳିକ ସୁବିଧାର ଅଭାବ ଭିତରେ କେବଳ ମଦ ବିକ୍ରି ଯୋଗୁଁ ହିଁ ଏହି ପରିବାରମାନେ ଟୋଲା ରେ ରହିପାରିଛନ୍ତି। ମୋତିଲାଲ କହନ୍ତି, ‘‘ଆମେ କୌଣସିଠାରେ କାମ ପାଉନା, ତେଣୁ ଆମେ ମଜବୁରୀ [ବାଧ୍ୟରେ] ଏହା [ମଦ ପ୍ରସ୍ତୁତି] କରୁ। ଆମେ କେବଳ ମଦ ଯୋଗୁଁ ହିଁ ବଞ୍ଚିଛୁ। ଯଦି ଆମେ ଏହାକୁ ପ୍ରସ୍ତୁତ କରିବା ବନ୍ଦ କରିଦେବୁ, ଆମେ ମରିଯିବୁ।’’
ବ୍ୟକ୍ତିବିଶେଷଙ୍କର ପରିଚୟ ଗୁପ୍ତ ରଖିବାକୁ ଏହି କାହାଣୀରେ ଲୋକଙ୍କର ନାମ ଏବଂ ସେମାନଙ୍କର ପ୍ରକୃତ ଠିକଣା ପରିବର୍ତ୍ତନ କରାଯାଇଛି
ଅନୁବାଦ: ଓଡ଼ିଶାଲାଇଭ୍