“ସୋମବାରଠାରୁ [ମାର୍ଚ୍ଚ ୧୬] ଆମକୁ କୌଣସି କାମ ମିଳୁନି । ମୁଁ କେଉଁଠାରୁ ପଇସା ଆଣିବି?” ବୋଲି ବନ୍ଦନା ଉମ୍ବର୍ସଦା ଲଗାତାର ତାଙ୍କୁ ୫ଟଙ୍କା ମାଗୁଥିବା ତାଙ୍କର ସାତ ବର୍ଷର ନାତିକୁ ଦେଖାଇ କହିଲେ ।
ପାଳଘର ଜିଲ୍ଲାର କବତେପଦାରେ ତାଙ୍କ ଆଙ୍ଗନରେ ବସି ମହାରାଷ୍ଟ୍ରର ୱଡା ତାଲୁକାର ବିଭିନ୍ନ ନିର୍ମାଣ ସ୍ଥଳରେ କାମ କରୁଥିବା ୫୫ ବର୍ଷ ବୟସ୍କ ବନ୍ଦନା କୁହନ୍ତି ଯେ “କଣ ଘଟୁଛି ଆମେ ଜାଣିନୁ” । ମୋର ପୁଅ ମୋତେ ଘରେ ରହିବାକୁ କହିଲା କାରଣ ଆମ ଚାରିପାଖରେ ଗୋଟିଏ ବେମାରୀ ବ୍ୟାପିବାରେ ଲାଗିଛି ଓ ସରକାର ଆମକୁ ଘର ଛାଡି ଅନ୍ୟ କେଉଁଆଡେ ଯିବାକୁ ମନା କରିଛନ୍ତି।”
ସମୟ ପ୍ରାୟ ଅପରାହ୍ଣ ୪ଟା ହେବ ଓ ବନ୍ଦନାଙ୍କ ଅନେକ ପଡୋଶୀ ତାଙ୍କ ଘର ସାମନାରେ ଏକତ୍ରିତ ହୋଇ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି, ମୁଖ୍ୟତଃ ବର୍ତ୍ତମାନର କୋଭିଡ୍- ୧୯ ସଂକଟ ବିଷୟରେ । ସେମାନଙ୍କ ମଧ୍ୟରୁ କେବଳ ଜଣେ, ଜଣେ ଯୁବତୀ କହିଲେ ଯେ କଥା ହେବା ବେଳେ ସମସ୍ତେ ପରସ୍ପରଠାରୁ କିଛି ଦୂରରେ ରହି କଥା ହେବା ଉଚିତ । କବତେପଦାରେ ପ୍ରାୟ ୭୦ଟି ପରିବାର ରୁହନ୍ତି ବୋଲି ଏଠାରେ ଥିବା ଲୋକମାନେ ହିସାବ କରି କହିଲେ ଓ ପ୍ରତ୍ୟେକ ପରିବାର ୱାର୍ଲି ଆଦିବାସୀ ସମ୍ପ୍ରଦାୟର ।
ରାଜ୍ୟବ୍ୟାପୀ ତାଲାବନ୍ଦ ଆରମ୍ଭ ହେବା ପର୍ଯ୍ୟନ୍ତ, ବନ୍ଦନା ଓ ତାଙ୍କ ପଡୋଶୀ ମନିତା ଉମ୍ବର୍ସଦାଙ୍କ ଦିନ ପୂର୍ବାହ୍ନ ୮ଟାରେ ଆରମ୍ଭ ହେଉଥିଲା ଓ ସେମାନେ ୱଡା ଟାଉନ୍ ଓ ଏହାର ଚାରିପାଖରେ ଅବସ୍ଥିତ ବିଭିନ୍ନ ନିର୍ମାଣ ସ୍ଥଳଗୁଡିକରେ ପହଞ୍ଚିବା ପାଇଁ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲି ଚାଲି ପ୍ରାୟ ୧୦କିଲୋମିଟର ରାସ୍ତା ଅତିକ୍ରମ କରିଥାନ୍ତି । ସେଠାରେ ସେମାନେ ସକାଳ ୯ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପରିଶ୍ରମ କରନ୍ତି ଯେଉଁଥିପାଇଁ ସେମାନଙ୍କୁ ୨୦୦ଟଙ୍କା ମଜୁରି ମିଳିଥାଏ । ବନ୍ଦନା କୁହନ୍ତି ଯେ ଏଥିରୁ ମାସକୁ ତାଙ୍କର ପ୍ରାୟ ୪୦୦୦ ଟଙ୍କା ଉପାର୍ଜନ ହେଉଥିଲା । ହେଲେ, ବର୍ତ୍ତମାନ ନିର୍ମାଣ ସ୍ଥଳର ଠିକାଦାରଙ୍କ ପାଖରେ ତାଙ୍କ ପାଇଁ କୌଣସି କାମ ନାହିଁ ।
“ମୋର ପୁଅମାନଙ୍କୁ ମଧ୍ୟ କିଛି କାମ ମିଳୁନି । ଆମର ଖାଦ୍ୟ କିଣିବା ଦରକାର ଅଛି କିନ୍ତୁ କାମ ନଥିଲେ ଆମେ ପଇସା କେଉଁଠାରୁ ପାଇବୁ?” ବୋଲି ସେ ପଚାରନ୍ତି । “ଆମର ରାସନ୍ ମଧ୍ୟ ସରି ଆସିଲାଣି । ତାହାହେଲେ ଆମେ କେବଳ କ’ଣ କିଛି ଚଟଣି ତିଆରି କରି ଆମର ପିଲାମାନଙ୍କୁ ଖାଇବାକୁ ଦେବୁ? ଏସବୁ ଶୀଘ୍ର ବନ୍ଦ ହୋଇଯାଉ ତାହା ମୁଁ ଚାହୁଁଛି ।”
ବନ୍ଦନାଙ୍କର ତିନି ପୁଅ ଓ ୧୧ ନାତିନାତୁଣି ଅଛନ୍ତି । ତାଙ୍କ ପୁଅମାନେ ୱଡାରେ ଥିବା ଇଟା ଭାଟି ବା ନିର୍ମାଣ ସ୍ଥଳରେ କାମ କରନ୍ତି। ୱଡ଼ା ତାଲୁକାରେ ୧୬୮ଟି ଗ୍ରାମ ଥିବା ବେଳେ ଏହାର ଜନସଂଖ୍ୟା ହେଉଛି ୧୫୪,୪୧୬ । ବନ୍ଦନାଙ୍କ ସ୍ୱାମୀ ଲକ୍ଷ୍ମଣ ଯିଏ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଦୋକାନରେ କାମ କରୁଥିଲେ, ୧୫ବର୍ଷ ପୂର୍ବେ ଅତ୍ୟଧିକ ମଦ୍ୟପାନଜନିତ ଜଟିଳତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଛି ।କବତେପଦାରୁ ଅନେକ ଲୋକ ବିଭିନ୍ନ ଋତୁରେ ମୁମ୍ବାଇରେ କାମ କରିବା ପାଇଁ ପ୍ରବାସରେ ଯାଇଥାନ୍ତି- ଯାହା ଏଠାରୁ ପ୍ରାୟ ୯୦କିଲୋମିଟର ଦୂରରେ ଅବସ୍ଥିତ- ସେମାନଙ୍କ ପରିବାରକୁ ଏଠାରେ ଛାଡି । “ ମୋର ପୁଅ ଓ ବୋହୁ ଭିୱାଣ୍ଡି [ ପଦା ଠାରୁ ପ୍ରାୟ ୪୫କିଲୋମିଟର ଦୂରରେ ଅବସ୍ଥିତ]ରେ ଥିବା ଏକ ନିର୍ମାଣ ସ୍ଥଳରେ ଦିନ ମଜୁରିଆ ଭାବେ କାମ କରିବାକୁ ତିନି ମାସ ପାଇଁ ଯାଇଛନ୍ତି । ସେମାନଙ୍କ ପିଲାଙ୍କ ଖାଇବା କଥା ବୁଝିବା ଓ ସେମାନଙ୍କ ଯତ୍ନ ନେବା ଦାୟିତ୍ୱ ମୋର ଅଟେ । ବର୍ତ୍ତମାନ ବିଦ୍ୟାଳୟଗୁଡିକ ମଧ୍ୟ ବନ୍ଦ ହୋଇଯାଇଥିବାରୁ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ମଧ୍ୟ ମିଳୁନି,” ବୋଲି ବନ୍ଦନା କୁହନ୍ତି ।
ତାଙ୍କର ମଝିଆ ପୁଅ, ମାରୁତି, ୩୨, ଯିଏ ୱଡାରେ ଥିବା ଏକ ନିର୍ମାଣ ସ୍ଥଳରେ କାମ କରନ୍ତି, କୁହନ୍ତି ଯେ, “ଏହି ରୋଗକୁ ସବୁଆଡେ ବ୍ୟାପିବା ଠାରୁ ରୋକିବା ପାଇଁ ସରକାର ସବୁକିଛି ସଟ୍ଡାଉନ୍ କରିଛନ୍ତି ।” ମାର୍ଚ୍ଚ ୧୬ଠାରୁ ତାଙ୍କ ପାଖରେ ମଧ୍ୟ କରିବାକୁ କିଛି କାମ ନାହିଁ ।
ସେ ଆହୁରି କୁହନ୍ତି ଯେ “ବିଭିନ୍ନ ନ୍ୟୁଜ୍ ଚାନେଲ୍ ଦେଖାଉଛନ୍ତି ଯେ ଏହି ରୋଗ ସହିତ ଲଢେଇ କରିବା ପାଇଁ ଆମେ ପ୍ରତି ଘଣ୍ଟାରେ ଆମ ହାତକୁ ସାବୁନ୍ରେ ଧୋଇବା ଉଚିତ ଓ ପ୍ରଚୁର ପରିମାଣର ପାଣି ପିଇବା ଉଚିତ,” । “ ହେଲେ, ଆମେ ପ୍ରଥମେ ଭୋକରେ ମରିବା ବେଳେ ସାବୁନ୍ କ’ଣ ଆମ ଜୀବନ ରକ୍ଷା କରିପାରିବ ।’’
ସେ ନିଜ ମା, ଭାଉଜ ବୈଶାଳୀ, ସ୍ତ୍ରୀ ମନିଷା (ଉଭୟ ଗୃହିଣୀ) ଓ ଦୁଇ ସନ୍ତାନଙ୍କ ସହିତ କବତେପଡାରେ ୧୨ X ୧୨ ଫୁଟ୍ର ଏକ ଘରେ ରୁହନ୍ତି । “ମୋ ଭାଉଜକୁ ପ୍ରତି ସପ୍ତାହରେ ଡାକ୍ତରଖାନା ନେବାକୁ ପଡେ । ତାଙ୍କର ହାଇ ଡାଇବେଟିସ୍ ଅଛି ଓ ତାଙ୍କୁ ନିୟମିତ ଇଂଜେକ୍ସନ୍ ନେବାକୁ ପଡେ” ବୋଲି ସେ କୁହନ୍ତି । ପ୍ରତ୍ୟେକ ଇନ୍ସୁଲିନ୍ ସଟ୍ର ମୂଲ୍ୟ ହେଉଛି ୧୫୦ ଟଙ୍କା । “ମୁଁ ଯେତିକି ମଜୁରି ପାଏ ସେଥିରେ ଆମେ ବହୁକଷ୍ଟରେ ଚଳୁଛୁ । କୌଣସି କାମ ନଥିଲେ ମୁଁ ମୋ ପରିବାରର ଯତ୍ନ କିପରି ନେବି?
ମନିତା ଉମ୍ବର୍ସଦା, ୪୮, ଯିଏ ବନ୍ଦନାର ଘର ପାଖରେ ରୁହନ୍ତି, ସେ ମଧ୍ୟ ସେଦିନ ଦ୍ୱିପହରରେ ଜମା ହୋଇଥିବା ଭିଡ଼ ମଧ୍ୟରେ ଥିଲେ, କଥା ହେଉଥିଲେ । ସେ ମଧ୍ୟ ଆଠ ଘଣ୍ଟା ପରିଶ୍ରମ କରି, ନିର୍ମାଣ ସ୍ଥଳରେ ଭାରି ସାମଗ୍ରୀଗୁଡିକୁ ରଖିବା ଓ ଓହ୍ଲେଇବା କାମ କରି ଦିନକୁ ୨୦୦ଟଙ୍କା ଉପାର୍ଜନ କରନ୍ତି । “ଏହି କାମ କୃଷି କାମ ଠାରୁ ଭଲ ଅଟେ । କିଛି ନ ହେଲେ, ଏଠାରେ ଆମକୁ ଠିକ୍ ସମୟରେ ଆମର ବେତନ ମିଳିଯାଏ ଓ ଆମକୁ ସୂର୍ଯ୍ୟ କିରଣରେ ଦିନସାରା କାମ କରିବାକୁ ପଡେନାହିଁ” ବୋଲି ସେ କୁହନ୍ତି । “କିନ୍ତୁ ବର୍ତ୍ତମାନ ୱାଡାରେ ଆମକୁ କେହି ମଧ୍ୟ କାମ ଦେଉନାହାନ୍ତି, ଏଣୁ ଆମକୁ ଆଖପାଖ କୃଷି କ୍ଷେତ୍ରରେ କାମ ଖୋଜିବାକୁ ପଡୁଛି ।”ବର୍ତ୍ତମାନ ଏହି ମାସ ପାଇଁ ଆମେ ଆମ ପାଖରେ ମହଜୁଦ୍ ଥିବା ଶସ୍ୟରେ କାମ ଚଳାଉଛୁ, କିନ୍ତୁ କୌଣସି କାମ ବା ପଇସା ନଥାଇ ଆମେ ଆସନ୍ତା ଦିନଗୁଡିକରେ କିଭଳି ଭାବେ ବଞ୍ଚିବୁ ତହା ଜାଣିନୁ
ମନିତାଙ୍କ ସ୍ୱାମୀ ବାବୁ, ୫୦ଙ୍କୁ ୧୦ବର୍ଷ ପୂର୍ବେ ଡାଇବେଟିସ୍ କାରଣରୁ ନିଜ ଗୋଡ ହରେଇବାକୁ ପଡିଲା ଓ ସେଦିନ ଠାରୁ ସେ କାମ କରୁନାହାନ୍ତି- ସେ ଜଣେ କ୍ଷୁଦ୍ର ଚାଷୀ ଥିଲେ । ସେମାନଙ୍କର ପାଞ୍ଚଟି ପୁଅ ଅଛନ୍ତି, ଯେଉଁମାନେ ମଧ୍ୟ ୱାଡାରେ ଥିବା ନିର୍ମାଣ ସ୍ଥଳରେ ବା ଛୋଟ ଛୋଟ କାରଖାନାରେ କାମ କରୁଛନ୍ତି । ତାଙ୍କର ସବୁଠାରୁ ସାନ ପୁଅ, କଳ୍ପେସ୍, ୨୩, ମାସକୁ ୭୦୦୦ଦରମାରେ ଏକ ପାଇପ୍-ନିର୍ମାଣକାରୀ କାରଖାନାରେ କାମ କରନ୍ତି । “ସେମାନେ ଆମକୁ କାମକୁ ନଆସିବା ପାଇଁ କହିଛନ୍ତି । ସେମାନେ ଆମର ବେତନ କାଟିବେ କି ନାହିଁ, ତାହା ମଧ୍ୟ ଆମେ ଜାଣିନୁ” ବୋଲି ସେ ଚିନ୍ତାମଗ୍ନ ହୋଇ କହିଲେ ।
ତାଙ୍କ ପରିବାର ଛଅ ନାତିନାତୁଣିଙ୍କ ସମେତ ୧୫ଜଣ ଲୋକଙ୍କୁ ନେଇ ଗଠିତ । ବର୍ତ୍ତମାନ କେହି ମଧ୍ୟ ଘରକୁ ପଇସା ଆଣିବା ପାଇଁ ଉପାର୍ଜନକ୍ଷମ ନୁହନ୍ତି । ବର୍ତ୍ତମାନ ସେମାନେ ଯେ କୌଣସି ପ୍ରକାରେ ଏଇ ମାସ ପାଇଁ ଗଚ୍ଛିତ ଥିବା ବଳକା ଶସ୍ୟରେ କାମ ଚଳାଉଛନ୍ତି କିନ୍ତୁ କୌଣସି କାମ ବା ପଇସା ନମିଳିଲେ ସେମାନେ କିଭଳି ବଞ୍ଚିପାରିବେ ସେ ବିଷୟ ନେଇ ଦ୍ୱିଧାରେ ଅଛନ୍ତି ।
ତିନିଟି ଘର ଛାଡି ରହୁଥିବା ସଞ୍ଜୟ ତୁମ୍ଡା, ୧୮, କୁହନ୍ତି ଯେ ସେ ମାର୍ଚ୍ଚ ୧୭ ପରଠାରୁ କିଛି ମଧ୍ୟ ଉପାର୍ଜନ କରିବାକୁ ସମର୍ଥ ହୋଇ ପାରିନାହାନ୍ତି । ସେ ପାଳଘର ଜିଲ୍ଲାରେ ଥିବା ଏକ ଇଟା ଭାଟିରେ ଦୈନିକ ୩୦୦-୪୦୦ଟଙ୍କା ମଜୁରି ନେଇ ମାସରେ ୨୦ଦିନ କାମ କରନ୍ତି । ୱାଡାର ଜଣେ ଶ୍ରମିକ ଠିକାଦାର କୌଣସି କାମ ଉପଲବ୍ଧ ହେଲେ ତାଙ୍କୁ ଜଣେଇଥାନ୍ତି । ସେ ଏକ ସପ୍ତାହ ହେବ ଆସିନାହାନ୍ତି । “ମଁ ନ୍ୟୁଜ୍ରେ ଦେଖିଲି ଯେ ଏଇ ମାସରେ ସମସ୍ତ ଦୋକାନ ବନ୍ଦ ରହିବ,” ସଞ୍ଜୟ କୁହନ୍ତି । “ଆମ ପାଖରେ ଏବେ କମ୍ ଶସ୍ୟ ମହଜୁଦ ଅଛି । ଆସନ୍ତା ସପ୍ତାହଠାରୁ ଆମର ଖାଦ୍ୟ ଧୀରେ ଧୀରେ ସରିବାକୁ ଲାଗିବ”।
ଅଜୟ ବୋଚାଲ ଯିଏ ମଧ୍ୟ ଏକ ନିର୍ମାଣ ସ୍ଥଳରେ କାମ କରନ୍ତି, ସମାନ ଚିନ୍ତା ପ୍ରକାଶ କରିଛନ୍ତି । “ମୋର ମାଆ ଗତ ଦୁଇ ଦିନ ହେବ କେବଳ ସେଭେଗା ସବ୍ଜି [ମୁନିଗା ଛୁଇଁ] କରୁଛି । ଯଦି ଯଥାଶୀଘ୍ର ମୋତେ କିଛି କାମ ମିଳିବନି, ତାହାହେଲେ ଆମକୁ ଅନ୍ୟମାନଙ୍କ ଠାରୁ ପଇସା ଆଣିବାକୁ ପଡିବ ।’’ ଅଜୟଙ୍କ ମାଆ ସୁରେଖା, ୪୨, ଯିଏ ୱଡା ଟାଉନ୍ରେ ବିଭିନ୍ନ ଘରମାନଙ୍କରେ କାମ କରୁଥିଲେ, ଅତ୍ୟଧିକ କ୍ଲାନ୍ତି ଅନୁଭବ ହେବା ଯୋଗୁଁ କିଛି ମାସ ହେବ କାମକୁ ଯିବା ବନ୍ଦ କରିଦେଇଛନ୍ତି । ତାଙ୍କ ସ୍ୱାମୀ ସୁରେଶ ପ୍ରଚୁର ମଦ୍ୟପାନ କରନ୍ତି ଓ କିଛି ସମୟ ହେବ ସେ କିଛି କାମ କରୁନାହାନ୍ତି ।ପରିବାର ପାଖରେ ମହଜୁଦ ଥିବା ରାସନ୍ ପ୍ରାୟତଃ ସରିଗଲାଣି । “ଆମକୁ ପ୍ରତିମାସରେ ସରକାରୀ ଯୋଜନା [ପିଡିଏସ୍] ଅଧିନରେ ୧୨କେଜି ଗହମ [କେଜି କୁ ୨ଟଙ୍କା] ଓ ୮କେଜି ଚାଉଳ [କେଜି କୁ ୩ ଟଙ୍କା] ମିଳୁଛି,” ବେଲି ଅଜୟ କୁହନ୍ତି । “ବର୍ତ୍ତମାନ ଚଳିତ ମାସ ପାଇଁ ଶସ୍ୟ କିଣିବାକୁ ଆମକୁ ଟଙ୍କା ଆବଶ୍ୟକ ।’’ ୱାଡା ଠାରେ ଥିବା ପିଡିଏସ୍ ଦୋକାନରେ ପ୍ରତିମାସର ୧୦ତାରିଖରେ ଜିନିଷ ଆସିଥାଏ । ଆମର ରାସନ୍ ଯେତେବେଳେ ସରିଯାଏ ସେତେବେଳେ ଆମେ ଏହି ତାରିଖ ପରେ ଯେକୌଣସି ଗୋଟିଏ ଦିନ ଦୋକାନକୁ ଯାଉ । ଗତ ସପ୍ତାହରେ ମାର୍ଚ୍ଚ ୨୦ ସୁଦ୍ଧା ଏହି ପରିବାର ଗଚ୍ଛିତ କରି ରଖିଥିବା ରାସନ୍ ପ୍ରାୟତଃ ସରି ଯାଇଥିଲା । ମୁଁ ଯେତେବେଳେ ଅଜୟ ସହିତ ଦୁଇ ରାତି ତଳେ ଫୋନ୍ରେ କଥା ହୋଇଥିଲି, ସେତେବେଳେ ମଧ୍ୟ ପରିବାର ପାଖରେ ଶସ୍ୟ ନଥିଲା । ସେ ରାତ୍ରି ଭୋଜନରେ କିଛି ଭାତ ଓ ଡାଲ୍ ଖାଉଥିଲେ । ଆଖପାଖ ଅଞ୍ଚଳରେ ଥିବା ଯେକୌଣସି ଫାର୍ମହାଉସ୍ରେ ତାଙ୍କ ମା’ଙ୍କୁ କାମ ମିଳିଯିବ ବୋଲି ଅଜୟ ଆଶାବାଦୀ ଅଛନ୍ତି ।
ମୁମ୍ବାଇର ପାରେଲ୍ ହସ୍ପିଟାଲ୍ରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଓ ସର୍ଜନ୍ ଭାବେ କାମ କରୁଥିବା ଡ. ଅବିନାଶ ସୁପେ କୁହନ୍ତି ଯେ “ବର୍ତ୍ତମାନ ସମୟରେ ଦିନ ମଜୁରିଆଙ୍କ ପାଇଁ କୋଭିଡ୍- ୧୯ ତତ୍କାଳ ସମସ୍ୟା ନୁହେଁ । ଆଗାମୀ ଦିନରେ ସେମାନଙ୍କୁ ଖାଇବାକୁ ମିଳିନପାରେ ବୋଲି ସେମାନେ ଭୟ କରୁଛନ୍ତି” । “ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଶ୍ରମିକମାନେ ପ୍ରତିଦିନ କିଛି ଉପାର୍ଜନ କରିବା ଆବଶ୍ୟକ, କିନ୍ତୁ ଏହାସହିତ ବର୍ତ୍ତମାନ ପରିସ୍ଥିତିରେ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଗ୍ରାମକୁ ପ୍ରତ୍ୟାବର୍ତ୍ତନ ନକରିବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ । ଲୋକମାନେ ଗ୍ରାମାଞ୍ଚଳରୁ ସହରକୁ ଆସନ୍ତୁ ବା ବିପରୀତ ହେଉ, ଉଭୟ କ୍ଷେତ୍ରରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ରହିଛି । ଏସବୁ ସହିତ ଆମକୁ ଭୂତାଣୁ ବିଷୟରେ ଓ ଏହାର ପ୍ରଭାବରୁ ସୁରକ୍ଷିତ ରହିବା ପାଇଁ କ’ଣ ସବୁ ସତର୍କତା ଅବଲମ୍ବନ କରାଯିବା ଉଚିତ ସେ ବିଷୟରେ ଲୋକମାନଙ୍କୁ ଶିକ୍ଷିତ କରିବା ଆବଶ୍ୟକ।
କବତେପଦାର ନିବାସୀଙ୍କ ପାଇଁ ସବୁଠାରୁ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍ସି) ୱାଡା ଟାଉନ୍ରେ ଅଛି । “କ’ଣ ସବୁ ଘଟୁଛି ସେ ବିଷୟରେ ଆମେ କିଛି ଜାଣିନୁ ଓ କରୋନା ଭୂତାଣୁ ସମ୍ପର୍କିତ କୌଣସି ପରୀକ୍ଷା କରିବା ପାଇଁ ମଧ୍ୟ ଆମ ପାଖରେ କୌଣସି ସୁବିଧା ଉପଲବ୍ଧ ନାହିଁ । ଆମେ କେବଳ ଏକ ସରଳ ରକ୍ତ ପରୀକ୍ଷା କରିପାରିବୁ,” ବୋଲି ୱଡାର ସରକାରୀ ଗ୍ରାମାଞ୍ଚଳ ଡାକ୍ତରଖାନାରେ କାମ କରୁଥିବା ଡ.ଶୈଳ ଅଧାଉ କୁହନ୍ତି । “ଆମକୁ ଭୂତାଣୁକୁ ଆହୁରି ଅଧିକ ବ୍ୟାପିବାଠାରୁ ରୋକିବାକୁ ହେବ ଓ ଏଥିପାଇଁ ଏକମାତ୍ର ରାସ୍ତା ହେଉଛି ସଂଗରୋଧ’’।
ବର୍ତ୍ତମାନ ପରିସ୍ଥିତିରେ କବତେପଦାର ନିବାସୀଙ୍କ ପାଇଁ କିନ୍ତୁ କାମ, ଉପାର୍ଜନ ଓ ଖାଦ୍ୟ ତୁଳନାରେ ସଂଗରୋଧ କମ୍ ଜରୁରୀ ଅଟେ । “ଭୂତାଣୁ ବ୍ୟାପିବା ଯୋଗୁଁ ମୋଦି ସରକାର ସବୁକିଛି ବନ୍ଦ ରଖିବାକୁ ଓ ଘର ଭିତରେ ରହିବାକୁ କହିଛନ୍ତି,” ବୋଲି ବନ୍ଦନା ଉତ୍କଣ୍ଠାର ସହିତ କୁହନ୍ତି । “କିନ୍ତୁ ଆମେ କିଭଳି ଭାବେ ଘର ଭିତରେ ରହିବାଜନିତ ବିପଦ ଉଠେଇ ପାରିବୁ?”
ଅନୁବାଦ: ଓଡ଼ିଶାଲାଇଭ୍