ମଇ ୨୬ ତାରିଖ ଦିନ ସାମୁଦ୍ରିକ ଜୁଆରରେ ଜଳମଗ୍ନ ହୋଇଥିବା ସୁନ୍ଦରବନରେ ଥିବା ମୌସୁନି ଦ୍ୱୀପରେ ନିଜ ଘର ହରାଇଥିବା କୃଷକ ଅଯହର ଖାନ୍ କୁହନ୍ତି, "ଆହ୍ଲା ଆମକୁ ବାରମ୍ବାର ମାରିବା ଅପେକ୍ଷା ଏକା ଥରକେ ମାରିଦେଇ ଥାଆନ୍ତେ"।
ଅପରାହ୍ନରେ ଉଚ୍ଚ ଜୁଆର ସହିତ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଝଡବାତ୍ୟା ମୁରିଗଙ୍ଗା ନଦୀରେ ଉଚ୍ଚ ତରଙ୍ଗ ଆଣିଥିଲା ଯାହାକି ସାଧାରଣ ତରଙ୍ଗଠାରୁ ୧-୨ ମିଟର ଅଧିକ ଉଚ୍ଚ ଥିଲା। ବନ୍ୟାଜଳ ନଦୀବନ୍ଧକୁ ଭାଙ୍ଗି ଦ୍ୱୀପର ତଳିଆ ଅଞ୍ଚଳରେ ପଶିଯାଇ ଘର ଓ କ୍ଷେତଗୁଡିକୁ ନଷ୍ଟ କରିଦେଇଥିଲା।
ମୌସୁନିର ଦକ୍ଷିଣ-ପଶ୍ଚିମରେ ୬୫ ନାଟିକାଲ୍ ମାଇଲ୍ ଦୂରରେ ଥିବା ଓଡିଶାର ବାଲେଶ୍ୱରରେ ଯେତେବେଳେ ବାତ୍ୟା ସ୍ଥଳଭାଗ ଛୁଇଁଲା, ସେତେବେଳେ ମଇ ୨୬ ତାରିଖ ମଧ୍ୟାହ୍ନର ଠିକ୍ ପୂର୍ବରୁ ଏହି ୟାସ୍ ବାତ୍ୟା ଦ୍ୱାରା ଝଡ ପ୍ରବାହିତ ହେଲା। ଏହି ଅତି ଭୀଷଣ ଘୂର୍ଣ୍ଣିବାତ୍ୟାର ଘଣ୍ଟା ପ୍ରତି ବେଗ ୧୩୦-୧୪୦ କିଲୋମିଟର ଥିଲା।
ବାଗଦଙ୍ଗା ମୌଜା(ଗାଁ)ର ମଜୁରା ବିବି କୁହନ୍ତି, "ଆମେ ଝଡ ଆସିବାର ଦେଖିଲୁ ଏବଂ ଭାବିଲୁ ଆମର ଆସବାପତ୍ର ସ୍ଥାନାନ୍ତର କରିବାକୁ ଆମ ପଖରେ ସମୟ ଅଛି, କିନ୍ତୁ ଗାଁ ଭିତରକୁ ହଠାତ୍ ପାଣି ପଶିଆସିଲା"। ସେ ମୌସୁନିର ପଶ୍ଚିମରେ ଥିବା ମୁରିଗଙ୍ଗା ନଦୀର ସେତୁବନ୍ଧ ନିକଟରେ ରୁହନ୍ତି। "ଆମେ ଜୀବନ ବିକଳରେ ଦୌଡିଲୁ, କିନ୍ତୁ ଆମେ ଆମ ଜିନିଷପତ୍ରଗୁଡିକୁ ରକ୍ଷା କରିପାରିଲୁ ନାହିଁ। ଆମମାନଙ୍କ ମଧ୍ୟରୁ ଅନେକ ନିଜ ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ଚଢିଗଲେ।"
ଲଗାଣବର୍ଷା କାରଣରୁ ଏହି ଦ୍ୱୀପର ଚାରୋଟି ଗାଁ ଯଥା-ବଗଦଙ୍ଗା, ବାଲିଆରା, କୁସୁମତାଳ ଏବଂ ମୌସୁନିକୁ ତିନିଦିନ ହେବ ବୋଟ୍ ଓ ଲଞ୍ଚ ସେବା ବନ୍ଦକରି ଦିଆଯାଇଥିଲା। ମଇ ୨୯ ତାରିଖ ଦିନ ସକାଳେ ମୁଁ ଯେତେବେଳେ ମୌସୁନିରେ ପହଁଞ୍ଚିଲି ଏହାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇସାରିଥିଲା।
ଅଭିଳାଷ ସର୍ଦାର ଯାହାକୁ ମୁଁ ବାଗଦଙ୍ଗା ଆଶ୍ରୟସ୍ଥଳରେ ଭେଟିଲି କହିଲେ, "ମୋର ଜମିଟି ଲୁଣି ପାଣି ତଳେ ଅଛି"। ସେ କହିଲେ, "ଆମେ କୃଷକମାନେ ଆମର ଜୀବିକା ହରାଇ ସାରିଛୁ"। “ମୁଁ ମୋ ଚାଷଜମିରେ ଆଗାମୀ ତିନି ବର୍ଷ ଯାଏ ଆଉ ଚାଷ କରିପାରିବି ନାହିଁ। ଏହା ପୁଣିଥରେ ଉର୍ବର ହେବା ପାଇଁ ଆଉ ସାତବର୍ଷ ପର୍ଯ୍ୟନ୍ତ ସମୟ ନେଇପାରେ"।




















