“ଜଙ୍ଗଲ କ୍ଲିଅରାନ୍ସ ପାଇବା ପାଇଁ ଗ୍ରାମସଭାର ସହମତି ପ୍ରସ୍ତାବକୁ ପ୍ରତାରଣାମୂଳକ ଭାବେ ବ୍ୟବହାର କରାଯାଇଥିବା କଥା ତଳବିରା ନିବାସୀମାନେ ମଧ୍ୟ ଅଭିଯୋଗ କରୁଛନ୍ତି । ଏ ସମ୍ବନ୍ଧରେ ସେମାନେ ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ପାଖକୁ ପ୍ରେରଣ କରିଥିବା ଲିଖିତ ଅଭିଯୋଗଗୁଡିକୁ ମଧ୍ୟ ଦେଖାଇଲେ । “ଏସବୁ ପ୍ରତାରଣାମୂଳକ ଭାବେ କରାଯାଇଛି । ଗଛ କାଟିବା ପାଇଁ ଆମେ କେବେ ମଧ୍ୟ ଆମର ସହମତି ପ୍ରଦାନ କରିନୁ,” ବୋଲି ୱାର୍ଡ ମେମ୍ବର ସୁଷମା ପାତ୍ର କହିଛନ୍ତି । ବରଂ ଏହାର ବିପରୀତରେ, ‘‘ଆମର ତଳବିରା ଗ୍ରାମ୍ୟ ଜଙ୍ଗଲ କମିଟି ପକ୍ଷରୁ ମେ ୨୮, ୨୦୧୨ରେ ଏଫଆର୍ଏ ଅଧିନରେ ଥିବା ଆମର ଜଙ୍ଗଲ ଅଧିକାରକୁ ସ୍ୱୀକୃତି ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲୁ ଓ ଆମର ସହମତି ନେଇ ଆମ ସହିତ ଯେଉଁ ପ୍ରତାରଣା କରାଯାଇଛି ସେ ବିଷୟରେ ଆମେ ଅଧିକାରୀଙ୍କୁ ଦେଇଥିବା ଲିଖିତ ଅଭିଯୋଗରେ ଏହାର ଏକ ନକଲ ଦାଖଲ କରିଛୁ’’।
ନୂଆ ଦିଲ୍ଲୀରେ ଅବସ୍ଥିତ ସେଣ୍ଟର ଫର୍ ପଲିସି ରିସର୍ଚ୍ଚର ବରିଷ୍ଠ ଗବେଷକ କାଞ୍ଚି କୋହଲି, ଯିଏ ତାଳବିରା ଫରେଷ୍ଟ କ୍ଲିଅରାନ୍ସ ଦଲିଲ୍ ଅଧ୍ୟୟନ କରିଛନ୍ତି, କୁହନ୍ତି ଯେ, “ସାଧାରଣତଃ ଅନ୍ୟ ଉଦ୍ଦେଶ୍ୟରେ ଜଙ୍ଗଲ ଜମିକୁ ବ୍ୟବହାର କରିବା ପାଇଁ ଯେଉଁସବୁ ପକ୍ରିୟା ଦେଇ ଗତିକରିବାକୁ ହୋଇଥାଏ ତାହା ଅତ୍ୟନ୍ତ ଅସ୍ୱଚ୍ଛ ଅଟେ । ଏହାଦ୍ୱାରା ପ୍ରଭାବିତ ହୋଇଥିବା ଲୋକମାନେ କେବେ କେମିତି ନିରୀକ୍ଷଣ ରିପୋର୍ଟ ଓ ଅନୁମୋଦନ ପାଇଁ କରାଯାଇଥିବା ସୁପାରିଶ୍ ବିଷୟରେ ଜାଣିବାକୁ ପାଇଥାନ୍ତି । ତଳବିରା କେସ୍ରେ ମଧ୍ୟ ସମାନ ଅସୁବିଧା ପରିଲକ୍ଷିତ ହେଉଛି । ଯେତେବେଳେ ଗଛ କାଟିବା କାର୍ଯ୍ୟ ଆରମ୍ଭ ହେଲା ସେତେବେଳେ ଯାଇ ଗ୍ରାମବାସୀ ଜଙ୍ଗଲ ଅଞ୍ଚଳରେ କେଉଁ ହାରରେ ଖଣିକାମ ଆଗେଇ ଚାଲିଛି ଓ ସେମାନଙ୍କ ଐତିହାସିକ ଅଧିକାର ବଞ୍ଚିଛି କି ନାହିଁ, ସେ ବିଷୟରେ ଜାଣିବାକୁ ପାଇଲେ’’ ।
ଏହି ଦଲିଲ୍ ଅଧ୍ୟୟନ କରିବାପରେ ଏହା ସ୍ପଷ୍ଟ ଭାବେ ଜଣାପଡୁଛି ଯେ ସାମୟିକ ଭାବେ କାର୍ଯ୍ୟସ୍ଥଳି ପରିଦର୍ଶନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି ଓ କ୍ରମେ କ୍ରମେ ମୂଲ୍ୟାଙ୍କନ କରାଯାଇଛି । ୧.୩ ଲକ୍ଷ ଗଛ କଟାଗଲେ ମଧ୍ୟ ଏହାର ପ୍ରଭାବ ନଗଣ୍ୟ ରହିବ ବୋଲି ରେକର୍ଡ କରାଯାଇଛି ଓ ଏନେଇ କୌଣସି ପ୍ରଶ୍ନ ମଧ୍ୟ ଉଠାଯାଇନାହିଁ । ପରିବେଶ ବିଭାଗର ଜଙ୍ଗଲ ପରାମର୍ଶଦାତା କମିଟି ଦ୍ୱାରା ମଧ୍ୟ ଗ୍ରାମସଭାରେ ଗୃହୀତ ନିଷ୍ପତିର ଯାଞ୍ଚ କରାଯାଇନାହିଁ । ମୋଟାମୋଟି ଭାବେ ଦେଖିଲେ. ଅନ୍ୟ ଉଦ୍ଦେଶ୍ୟରେ ଜଙ୍ଗଲ ବ୍ୟବହାର କରିବା ପାଇଁ ଯେଉଁସବୁ ପକ୍ରିୟା ଦେଇ ଗତି କରିବାକୁ ପଡିଥାଏ, ସେଥିରେ ଅନେକ ଆଇନଗତ ତ୍ରୁଟି ରହିଛି ।
ଗ୍ରାମବାସୀମାନଙ୍କ ବିରୋଧର କାରଣଗୁଡିକୁ ଅଧିକାରୀମାନେ ମନ ଦେଇ ଶୁଣିବା ଉଚିତ ବୋଲି ରଞ୍ଜନ ପଣ୍ଡା କୁହନ୍ତି । “କୋଇଲା ହେଉଛି ଜଳବାୟୁର ପ୍ରଧାନ ଶତ୍ରୁ ଓ ସମଗ୍ର ବିଶ୍ୱବାସୀ ଜଳବାୟୁ ଜନିତ ପରିବର୍ତ୍ତନର ପ୍ରଭାବ ହ୍ରାସ କରିବା ପାଇଁ କୋଇଲାରୁ ଉତ୍ପନ୍ନ ତାପଜ ଶକ୍ତି ଦ୍ୱାରା ପରିଚାଳିତ ପ୍ଲାଣ୍ଟଗୁଡିକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ।
“ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ଜଙ୍ଗଲ ଅଧିକାର ଆଇନ୍ ବିଷୟରେ ସଚେତନ କରିବାପାଇଁ ଓ ଏହାର ପ୍ରଚାରପ୍ରସାର କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ରୟାସ କରାଯାଉନାହିଁ । ଆମେ ଆମ ନିଜ ଚେଷ୍ଟାରେ ଦାବି ଉପସ୍ଥାପନ କରିଛୁ । ଯେତେବେଳେ କୌଣସି ନିୟମ ପ୍ରଣୟନ କରାଯାଇନଥିଲା, ସେହି ସମୟରୁ ଆମେ ଏହି ଜଙ୍ଗଲର ସୁରକ୍ଷା କରିଆସୁଛୁ । “ଆଜି, ଆମେ ଗ୍ରାମବାସୀମାନେ କମ୍ପାନିକୁ ଏହି ଜଙ୍ଗଲ ହସ୍ତାନ୍ତର କରିବା ପାଇଁ ସହମତି ପ୍ରଦାନ କରିଛୁ ବୋଲି ସରକାର ଦାବି କରୁଛନ୍ତି। ମୁଁ ସେମାନଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି ଯେ, ‘ଯଦି ତୁମେ ଭାବୁଛ ଯେ ଆମେ ତୁମ ସହିତ ସହମତ ଅଛୁ, ତେବେ କମ୍ପାନି ଆମର ଗଛଗୁଡିକୁ କାଟିବାବେଳେ ତୁମକୁ ଆମ ଗ୍ରାମରେ କାହିଁକ ଏତେ ସଂଖ୍ୟକ ପୋଲିସ୍ ମୁତୟନ କରିବାକୁ ପଡୁଛି’’ ?
ସଂଯୋଜନ: ଆଦାନୀ ଏଣ୍ଟରପ୍ରାଇଜେସ୍ ସ୍ପଷ୍ଟୀକରଣ ଦେଇଛନ୍ତି ଯେ ସେମାନେ ତଳବିରାର କୋଇଲାଖଣି ଅଞ୍ଚଳରେ କୌଣସି ଗଛ କାଟିବା କାର୍ଯ୍ୟ କରିନାହାନ୍ତି। ତେଣୁ ଉପରୋକ୍ତ ଲେଖା ଜାନୁଆରି ୯, ୨୦୨୦ରେ ସ୍ଥିତିକୁ ପ୍ରତିଫଳିତ କରିବା ପାଇଁ ଅଦ୍ୟତନ କରାଯାଇଛି।
ଅନୁବାଦ: ଓଡ଼ିଶାଲାଇଭ୍