ପ୍ରଥମେ ତାଙ୍କ ପିତା। ତା’ପରେ ପରଦିନ ତାଙ୍କ ମା’। ୨୦୨୧ ମସିହା ମଇ ମାସରେ କୋଭିଡ୍ -୧୯ର ଦ୍ୱିତୀୟ ଲହର ସମୟରେ ଏହିପରି ତାଙ୍କ ପିତାମାତା ଜଣକ ପରେ ଜଣେ ଜ୍ୱରରେ ଆକ୍ରାନ୍ତ ହେବାରୁ ପୁରୁଷୋତ୍ତମ ମିସାଲ ଭୟଭୀତ ଅବସ୍ଥାରେ ଥିଲେ। ପୁରୁଷୋତ୍ତମଙ୍କ ପତ୍ନୀ ବିଜୟମାଳା କୁହନ୍ତି, “ଗାଁର ଅନେକ ଲୋକ କୋଭିଡରେ ଆକ୍ରାନ୍ତ ହୋଇ ସାରିଥିଲେ। ସେ ସମୟରେ ଏହା ଭୟାନକ ଥିଲା''।
ମହାରାଷ୍ଟ୍ରର ତାଙ୍କ ବିଡ୍ ଜିଲ୍ଲାର ସରକାରୀ ଡାକ୍ତରଖାନାଗୁଡ଼ିକରେ ଅଧିକ ସଂଖ୍ୟାରେ ରୋଗୀମାନେ ଭର୍ତ୍ତି ହେବା ଖବର ପୁରୁଷୋତ୍ତମ ପଢିଥିଲେ। ବିଜୟମାଳା କୁହନ୍ତି, "ସେ ଜାଣିଥିଲେ ଯେ ତାଙ୍କୁ ନିଜ ପିତାମାତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିବ ଏବଂ ଚିକିତ୍ସାରେ ବହୁତ ଅର୍ଥ ଖର୍ଚ୍ଚ ହେବ"। "ଯଦି ଜଣେ ବ୍ୟକ୍ତି ଡାକ୍ତରଖାନାରେ ଗୋଟିଏ ସପ୍ତାହ ବିତାଉଛନ୍ତି, ତେବେ ବିଲ୍ ଲକ୍ଷ ଲକ୍ଷ (ଟଙ୍କା) ଆସିଥାଏ"। ଏକ ବର୍ଷରେ ପୁରୁଷୋତ୍ତମ ଯାହା ରୋଜଗାର କରିଥିଲେ ତାହାଠାରୁ ବହୁତ ଅଧିକ।
ଦାରିଦ୍ର୍ୟତା ସତ୍ତ୍ୱେ ପରିବାର ଉପରେ କୌଣସି ଋଣ ନଥିଲା। ହିୱାରା ଗୋବର୍ଦ୍ଧନଠାରୁ ୧୦ କିଲୋମିଟର ଦୂର ପାର୍ଲି ତାଲୁକାରେ ଥିବା ତାଙ୍କ ଗାଁ ସିରସାଲାରେ ଏକ ଚା ଷ୍ଟଲ୍ କରିଥିବା ୪୦ ବର୍ଷୀୟ ପୁରୁଷୋତ୍ତମଙ୍କୁ ଡାକ୍ତରଖାନା ଖର୍ଚ୍ଚ ପାଇଁ ଟଙ୍କା ଋଣ କରିବାର ଚିନ୍ତା ବ୍ୟଥିତ କରିଥିଲା। ୨୦୨୦ ମସିହା ମାର୍ଚ୍ଚ ମାସରେ କୋଭିଡ୍ -୧୯ ଆରମ୍ଭ ହେବା ଦିନଠାରୁ ଏହି ଦୋକାନ ପ୍ରାୟତଃ ବନ୍ଦ ରହିଥିଲା।
ତାଙ୍କର ମା' ଜ୍ୱରରେ ଆକ୍ରାନ୍ତ ହୋଇଥିବା ରାତିରେ ପୁରୁଷୋତ୍ତମ ଶଯ୍ୟାରେ ବାରମ୍ବାର କଡ଼ ଲେଉଟାଉଥିଲେ । ଏବଂ ସକାଳ ପ୍ରାୟ ଚାରିଟାରେ ସେ ନିଜ ପତ୍ନୀଙ୍କୁ କହିଥିଲେ: "ଯଦି ଏହା କୋଭିଡ ହୁଏ ତେବେ କ’ଣ ହେବ?" ୩୭ ବର୍ଷୀୟା ବିଜୟମାଳା ମନେପକାଇ କୁହନ୍ତି ଯେ ସେ ବହୁତ ବିବ୍ରତ ଥିଲେ ଏବଂ ତାଙ୍କ ଘରର ଟିଣ ଛାତକୁ ଚାହିଁ ରହିଥିଲେ। ସେତେବେଳେ ସେ ତାଙ୍କୁ ବ୍ୟସ୍ତ ନହେବାକୁ କହିଥିଲେ, "ସେ ତାଙ୍କୁ ଉତ୍ତରରେ କହିଥିଲେ ତୁମେ ବ୍ୟସ୍ତ ହୁଅ ନାହିଁ ଏବଂ ମୋତେ ପୁନର୍ବାର ଶୋଇବାକୁ କହିଥିଲେ’’।











