ଖଣ୍ଡେ ବାଡ଼ି ଧରି ଧାରି ରାମ ଧୀରେ ଧୀରେ ଚାଲନ୍ତି। ଉତ୍ତରାଖଣ୍ଡର ଚମ୍ପାୱତ ଜିଲ୍ଲାର ଗଡ଼ିଉରା ଗାଁର ବାସିନ୍ଦା ଧାରି ରାମଙ୍କ କପାଳ ଓ ଆଖି ପାହାଡ଼ିଆ ଅଞ୍ଚଳରେ ଟାଣ ଖରା ଯୋଗୁ କୁଞ୍ଚିତ ହୋଇଯାଇଛି। ସେ ହାର୍ନିଆ ଦ୍ୱାରା ପୀଡ଼ିତ, କିନ୍ତୁ ଅସ୍ତ୍ରୋପଚାର ପାଇଁ ତାଙ୍କ ପାଖରେ କିଛି ଟଙ୍କା ନାହିଁ। ଅସ୍ତ୍ରୋପଚାର ପାଇଁ ତାଙ୍କୁ ୧୫୦ କିମି ଦୂରରେ ତନକପୁରରେ ଥିବା ସରକାରୀ ଡାକ୍ତରଖାନାକୁ ଯିବାକୁ ହେବ ନ ହେଲେ ହଳଦୱାନିର ଡାକ୍ତରଖାନାକୁ ଯିବାକୁ ପଡ଼ିବ ଯାହାକି ଆହୁରି ଅଧିକ ଦୂର।
ସେ କହନ୍ତି, "ମୁଁ ମାସକୁ ଟଙ୍କାଟିଏ ବି ରୋଜଗାର କରିପାରିବି ନାହିଁ। ତେଣୁ ୬୭ ବର୍ଷୀୟ ଏହି ପୂର୍ବତନ ଶ୍ରମିକ ଧାରି ରାମ (ପଥର ଭାଙ୍ଗୁଥିଲେ) ସଂପୂର୍ଣ୍ଣ ଭାବେ ତାଙ୍କର ୧,୦୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭର କରିଥାନ୍ତି। ସାତ ବର୍ଷ ତଳୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ଭତ୍ତା ମିଳିଆସୁଛି। ଅକ୍ଟୋବର ୨୦୧୬ରେ କିନ୍ତୁ ତାହା ତାଙ୍କର ବ୍ୟାଙ୍କ୍ ଏକାଉଣ୍ଟରେ ଜମା ହେବା ବନ୍ଦ ହୋଇଗଲା। ଯେଉଁମାନେ ନିଜ ଜିଲ୍ଲାର ସାମାଜିକ ମଙ୍ଗଳ ବିଭାଗ ନିକଟରେ ସେମାନଙ୍କର ଆଧାର ବିବରଣୀ ଦାଖଲ କରିନଥିଲେ ସେମାନଙ୍କ ପାଇଁ ରାଜ୍ୟ ସରକାର ପେନସନ୍ ଯୋଜନାକୁ ବନ୍ଦ କରିଦେବାରୁ ତାଙ୍କ ଏକାଉଣ୍ଟରେ ଆଉ ଟଙ୍କା ଦାଖଲ ହେଲା ନାହିଁ।
ଏପ୍ରିଲ ୨୦୧୭ରେ ନିଜ ଗାଁଠାରୁ ପ୍ରାୟ ୬୫ କିମି ଦୂର ଚମ୍ପାୱତ ସହରରେ ଥିବା ସାମାଜିକ ମଙ୍ଗଳ ବିଭାଗରେ ନିଜର ବିବରଣୀ ଦାଖଲ କରିବାକୁ ଧାରି ରାମ ଯାଇଥିଲେ। ତାଙ୍କର ମଧ୍ୟ ଆଧାର କାର୍ଡ ଅଛି, ତିନି ବର୍ଷ ତଳେ ଭିଙ୍ଗ୍ରରା, ଯାହାର ଆଖପାଖରେ ପ୍ରାୟ ୧୦ଟି ନୋଡାଲ ସ୍ଥାନ ରହିଛି, ସେଠାରେ ଏକ ଘରୋଇ ପରିଚାଳିତ କେନ୍ଦ୍ର ଖୋଲିବା ପରେ ସେ ସେଠାରେ ଆଧାର କାର୍ଡ କରିଥିଲେ। କିନ୍ତୁ ଅତି ଯତ୍ନରେ ପ୍ଲାଷ୍ଟିକ୍ ଖୋଳ ମଧ୍ୟରେ ସେ ରଖୁଥିବା ଆଧାର କାର୍ଡରେ ତାଙ୍କ ନାଁ ‘ଧନୀ ରାମ’ ଲେଖାଯାଇଛି। ଏହା ସାମାଜିକ ମଙ୍ଗଳ ବିଭାଗର ରେକର୍ଡ ସହ ମେଳ ଖାଉନାହିଁ। ତେଣୁ ତାଙ୍କର ପେନସନ୍ ବନ୍ଦ ହୋଇଯାଇଛି।








