ଅମିତାଭ ବଚ୍ଚନ କହିଥିଲେ ଯଦି ତାଙ୍କୁ ଜନଗଣନାକାରୀମାନେ କେବେ ତାଙ୍କର ଜାତି ସଂପର୍କରେ ପଚାରିଥାନ୍ତେ ସେ ନିଶ୍ଚିତ ଭାବେ ଭାରତୀୟ ବୋଲି କହିଥାନ୍ତେ। ଅବଶ୍ୟ ତାହା ବଲିଉଡ୍ ପଛରେ ପାଗଳ ଗଣମାଧ୍ୟମକୁ ଟିକେ ଅଧିକ ଖବରର ଖୋରାକ ଯୋଗାଇବ। ଶ୍ୟାମ ମହାରାଜ କିମ୍ବା ତାଙ୍କ ଭାଇ ଚୈତନ୍ୟ ପ୍ରଭୁ ବଚ୍ଚନ ପରିବାରର ସଦସ୍ୟ ନୁହନ୍ତି। କିନ୍ତୁ ଯଦି ସେମାନଙ୍କୁ ଜନଗଣନାକାରୀମାନେ ଜାତି ସଂପର୍କରେ ପଚାରିବେ ତା’ ହେଲେ ସେ ଏବଂ ତାଙ୍କ ସମୁଦାୟର ଅନୁଗାମୀମାନେ ଆହୁରି ଅଧିକ ଜଟିଳ ଉତ୍ତର ଦେବା ସହ ପ୍ରଶ୍ନ କରିବେ। ‘ଆମେ ହେଉଛୁ ଆଜାତ। ତାକୁ ପ୍ରମାଣ କରିବା ପାଇଁ ଏଠାରେ ମୋର ସ୍କୁଲ ଛାଡ଼ିବାର ପ୍ରମାଣପତ୍ର ରହିଛି। କିନ୍ତୁ ତୁମେ ତୁମର ଯାହା ଇଚ୍ଛା ତାହା ଲେଖିପାର।’ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ମଙ୍ଗରୁଲ(ଦସ୍ତଗିର) ଗାଁରେ ଥିବା ଘରେ ପ୍ରଭୁ ଆମକୁ ଏହା କହନ୍ତି।
ଆଜାତର ଆକ୍ଷରିକ ଅର୍ଥ ହେଲା ଜାତି ନ ଥିବା ଲୋକ। ୧୯୨୦ ଏବଂ ୩୦ ଦଶକରେ ଆଜାତ ଏକ ଦୁଃସାହସିକ ସାମାଜିକ ଆନେ୍ଦାଳନ ଥିଲା। ବର୍ତ୍ତମାନର ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ତାର ହଜାର ହଜାର ପ୍ରତିଶ୍ରୁତିବଦ୍ଧ ଅନୁଗାମୀ ଥିଲେ। ସମାଜ ସଂସ୍କାରକ ଗଣପତି ଭାଭୁକ୍ତକର ଏହାର ନେତୃତ୍ୱ ନେଇଥିଲେ। ସେ ଗଣପତି ମହାରାଜ ଭାବେ ପରିଚିତ ଥିଲେ। ଚୈତନ୍ୟ ପ୍ରଭୁ ଏବଂ ଶ୍ୟାମ ମହାରାଜ ହେଉଛନ୍ତି ତାଙ୍କର ନାତି। ଏଭଳି ଅଭିଯାନ ସମୟରେ ସାମିଲ ହେବାପାଇଁ ସେ ମଦ ଓ ହିଂସା ବିରୋଧୀ ନିୟମ ବ୍ୟତୀତ ଆଉ କିଛି ନିୟମ କରିଥିଲେ। ସେ ସିଧାସଳଖ ଭାବେ ଜାତିକୁ ଆକ୍ରମଣ କରୁଥିଲେ। ତାଙ୍କ ଆହ୍ୱାନକ୍ରମେ ଅନେକ ମୂର୍ତ୍ତିପୂଜା ବନ୍ଦ କରିଦେଲେ। ସେ ଲିଙ୍ଗଗତ ସମାନତା ସପକ୍ଷରେ ଯୁକ୍ତି ବାଢୁଥିଲେ ଏବଂ ଏମିତିକି ବ୍ୟକ୍ତିଗତ ସମ୍ପତ୍ତି ଠୁଳ କରିବାକୁ ନିନ୍ଦା କରୁଥିଲେ। ଏବଂ ୧୯୩୦ ଦଶକରେ ସେ ଓ ତାଙ୍କ ଅନୁଗାମୀମାନେ ନିଜକୁ ‘ଆଜାତ୍’ ଭାବେ ଘୋଷଣା କଲେ।
ସେ କାମ କରିଥିବା ଗାଁ ଗୁଡିକରେ ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅନ୍ତଃଜାତି ଭୋଜନ ସମସ୍ୟା ସୃଷ୍ଟି କରିଥିଲା। ତାଙ୍କର ଜଣେ ଅନୁଗାମୀ ଏଲ୍ ନିମକର କହନ୍ତି, ‘ସେ ତାଙ୍କର ସବୁ ଜାତିର ଅନୁଗାମୀମାନଙ୍କୁ ନିଜ ନିଜ ଘରୁ ରନ୍ଧା ଖାଦ୍ୟ ଆଣିବାକୁ କହୁଥିଲେ। ସେ ସବୁକୁ ସେ ସମ୍ପୂର୍ଣ୍ଣ ଭାବେ ମିଶାଇ ଦେଉଥିଲେ। ଏବଂ ତାକୁ ପ୍ରସାଦ ଭାବେ ବାଣ୍ଟୁଥିଲେ। ତାଙ୍କର ସବୁଠାରୁ ବଡ ଟାର୍ଗେଟ ଥିଲା ଜାତି। ସେ ଆନ୍ତଃଜାତି ବିବାହ, ଏବଂ ବିଧବା ବିବାହର ପ୍ରଚଳନ ଚାହୁଁଥିଲେ, ଏବଂ ଏ ନେଇ ସଫଳତା ପାଇଥିଲେ। ଆମ ପରିବାରରେ ମୋର ଜେଜେବାପାଙ୍କଠାରୁ ନେଇ ଆମ ଯାଏଁ, ଆମେ ୧୧ଟି ଭିନ୍ନ ଭିନ୍ନ ଜାତିରେ ବ୍ରାହ୍ମଣଙ୍କଠାରୁ ଦଳିତଙ୍କ ଯାଏଁ ବିବାହ କରିଛୁ। ଆମର ପରିବର୍ଧିତ ପରିବାରରେ ଏମିତି ବହୁ ସଂଖ୍ୟାରେ ବିବାହ ହୋଇଆସିଛି। ’
ନିଜେ ଗଣପତି ମହାରାଜ ଏମିତି ବିବାହ କରିଥିଲେ। ଶ୍ୟାମ ମହାରାଜ କହନ୍ତି, ‘ସେ ମଧ୍ୟ ମାନବ ଧର୍ମର ସୃଷ୍ଟି କରିଥିଲେ, ଏବଂ ଏଠାରେ ଉଚ୍ଚ ଜାତିର ଲୋକଙ୍କୁ ଅପମାନିତ କରି ଦଳିତଙ୍କ ପାଇଁ ମନ୍ଦିର ଖୋଲିଥିଲେ। ସେମାନେ ତାଙ୍କ ବିରୋଧରେ ମାମଲା ରୁଜୁ କଲେ ଏବଂ କେହି ତାଙ୍କ ମାମଲା ଲଢିଲେ ନାହିଁ। ସେତେବେଳେ ଏଠାକାର ସବୁ ଓକିଲ ବ୍ରାହ୍ମଣ ଥିଲେ।’୧୯୪୪ ମସିହାରେ ଗୁରୁଙ୍କ ମୃତ୍ୟୁ ଏବଂ ଜାତି ପ୍ରସଙ୍ଗକୁ ନେଇ କିଛି ଅନୁଗାମୀଙ୍କର ଆନେ୍ଦାଳନ ଛାଡ଼ିଦେବା ଯୋଗୁ ସେହି ଆନ୍ଦୋଳନ ଦୀର୍ଘ ବର୍ଷ ଧରି ପ୍ରଭାବହୀନ ହୋଇଯାଇଛି। କିଛି ଦଶନ୍ଧି ତଳେ ପ୍ରଭୁଙ୍କ ଘରର ବିପରୀତ ପାଶ୍ୱର୍ରେ ସେ ନିର୍ମାଣ କରିଥିବା କମ୍ୟୁନିଟି ସେଣ୍ଟରରେ ଗଣପତି ମହାରାଜଙ୍କ ଶବକୁ ପୋତାଯାଇଥିଲା। ସ୍ୱାଧୀନତା ପରେ କିଛିଦିନ ପର୍ଯ୍ୟନ୍ତ ଲୋକମାନେ ସେ ଅଭିଯାନ ବାବଦରେ ଜାଣିଥିଲେ ଓ ତାକୁ ସମ୍ମାନ ଦେଉଥିଲେ। ଆମକୁ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ଦେଖାଇ ପ୍ରଭୁ କହିଲେ, ‘ଏହା ଦେଖନ୍ତୁ। ୧୯୬୦ ଦଶକର ଶେଷଭାଗ ଏପରିକି ୭୦ ଦଶକରେ ବି ଆମେ ଆଜାତ ଭାବେ ସାର୍ଟିଫକେଟ୍ ପାଉଥିଲୁ। ଏବେ ସ୍କୁଲ ଓ କଲେଜଗୁଡ଼ିକ କହୁଛନ୍ତି ଯେ ସେମାନେ ଆମ ବିଷୟରେ ଶୁଣିନାହାନ୍ତି ଏବଂ ଆମ ପିଲାଙ୍କୁ ନାମ ଲେଖାଇବାକୁ ଦେଉନାହାନ୍ତି।’
ଏବେ ଯେଉଁ ଆଜାତମାନେ ଅଛନ୍ତି ସେମାନଙ୍କର ଅବସ୍ଥା ଭଲ ନାହିଁ। ଶ୍ୟାମ ଓ ପ୍ରଭୁ ଛୋଟମୋଟ କୃଷି ବ୍ୟବସାୟ କରି ଚଳୁଛନ୍ତି।
୭୦ ଦଶକର ଶେଷ ଆଡକୁ ବିସ୍ମୃତ ହୋଇଯାଇଥିବା ଆଜାତମାନଙ୍କୁ କିଛି ବର୍ଷ ତଳେ ନାଗପୁରର ସାମ୍ବାଦିକ ଅତୁଲ ପାଣ୍ଡେ ଏବଂ ଜୟଦୀପ ହାର୍ଦ୍ଦିକର ଠାବ କରିଥିଲେ। ସେମାନଙ୍କର ରିପୋର୍ଟ ମହାରାଷ୍ଟ୍ର ସରକାରକୁ ସେମାନଙ୍କୁ ସାହାଯ୍ୟ କରିବା ଲାଗି ବାଧ୍ୟ କଲା। କିନ୍ତୁ ଏହି ପ୍ରସଙ୍ଗରେ ଆଗ୍ରହ ଦେଖାଇଥିବା ଜଣେ ବରିÂ ଅଧିକାରୀଙ୍କ ମୃତ୍ୟୁ ପରେ ସେହି ସାହାଯ୍ୟ ଶେଷ ହୋଇଗଲା।
ଆଜାତ ପ୍ରାର୍ଥୀମାନେ ପଞ୍ଚାୟତ ନିର୍ବାଚନରେ ଭାଗ ନେଇପାରିବେ ନାହିଁ। ସେଥିରେ ଜାତି ସଂପର୍କରେ ଉଲ୍ଲେଖ ନ ଥିବାରୁ ନିର୍ବାଚନ ଅଧିକାରୀମାନେ ସେମାନଙ୍କର ଫର୍ମକୁ ଗ୍ରହଣ କରିବାକୁ ମନା କରୁଛନ୍ତି। ପ୍ରଭୁ କହନ୍ତି, ‘ ବହୁ ସଂଘର୍ଷ ବିନା ଆଜାତର ଲୋକମାନେ ରାସନ କାର୍ଡ ପାଇପାରିବେ ନାହିଁ। ସମାନ କାରଣ ପାଇଁ ସେମାନଙ୍କୁ କଲେଜରେ ନାଁ ଲେଖା, ସ୍କଲାରସିପ୍ ଏବଂ ସରକାରୀ ଚାକିରି ମିଳେନାହିଁ। ସେମାନଙ୍କର ଜାତି ସ୍ପଷ୍ଟ ନଥିବାରୁ ଅନ୍ୟ ଗାଁର ଲୋକମାନେ ଏହିସବୁ ପରିବାରରେ ବିବାହ କରୁନାହାନ୍ତି। ସଂକ୍ଷେପରେ କହିବାକୁ ଗଲେ ଏକଦା ଜାତିପ୍ରଥା ବିରୋଧୀ ମହାନ ସଂସ୍କାର ଆନେ୍ଦାଳନର ଅନୁଗାମୀ ଥିବା ଲୋକମାନେ ଏବେ ମାତ୍ର କିଛି ହଜାରକୁ ହ୍ରାସ ପାଇଛନ୍ତି। ସେମାନଙ୍କୁ ଏବେ ଏକ ଭିନ୍ନ ଜାତି ଭାବେ ଦେଖାଯାଉଛି। ’
ପ୍ରଭୁ କହନ୍ତି, ‘ମୋ ଝିଆରୀ ସୁନୟନା କଲେଜ ଯାଇପାରିଲା ନାହିଁ। କଲେଜ କର୍ତ୍ତୃପକ୍ଷ କହିଲେ, ‘ଆମେ ଆଜାତଙ୍କୁ ମାନ୍ୟତା ଦେଉନା। ଆମକୁ ଏକ ବିଧିବଦ୍ଧ ଜାତି ପ୍ରମାଣପତ୍ର ଆଣିଦିଅ ଏବଂ ଆମେ ତାକୁ ନାମଲେଖାଇବାକୁ ଦେବୁ।’ ପ୍ରଭୁଙ୍କ ପୁତୁରା ମନୋଜ ଯିଏକି ଶେଷରେ କଲେଜରେ ନାମ ଲେଖାଇପାରିଛନ୍ତି କହନ୍ତି, ‘ସେମାନେ କଲେଜରେ ଆମକୁ ଭିନ୍ନ ସଂପ୍ରଦାୟ ଭାବେ ଦେଖନ୍ତି। ଆମ ମଧ୍ୟରୁ କାହାରିକୁ ସ୍କଲାରସିପ୍ ମିଳେନାହିଁ। ସେଠାରେ କେହି ଆଜାତ ଭଳି କିଛି ଅଛି ବୋଲି ବିଶ୍ୱାସ ବି କରନ୍ତି ନାହିଁ।’ ଏହାଯୋଗୁ ଗୋଟିଏ ଯୁବପିଢ଼ି ଅତୀତରେ ବନ୍ଦୀ ହୋଇଯିବା ଭଳି ଅନୁଭବ କରୁଛନ୍ତି। ପ୍ରଭୁଙ୍କ ପରିବାର ସହ ଅନେକ ଆଜାତ ପରିବାର ଜଣେ ପୂର୍ବପୁରୁଷଙ୍କୁ ଖୋଜିବାର କଷ୍ଟ ଅନୁଭବ କରୁଛନ୍ତି ଯାହାଙ୍କର ଜାତିକୁ ସ୍ପଷ୍ଟ ଭାବେ ପ୍ରମାଣ କରିହେବ।ସେ କହନ୍ତି, ‘ଆମେ ସାମ୍ନା କରୁଥିବା ଅପମାନ କଥା ଚିନ୍ତା କରନ୍ତୁ। ଆମକୁ ଆମ ପିଲାମାନଙ୍କ ପାଇଁ ଜାତି ସାର୍ଟିଫିକେଟ୍ ବାହାର କରିବାକୁ ପଡୁଛି।’ ଏହିସବୁ ପରିବାରରେ ବହୁ ପିଢ଼ି ଆନ୍ତଃଜାତି ବିବାହ କରିଥିବାରୁ ତାହା ମଧ୍ୟ ସହଜ ନୁହେଁ। ଏପରିକି ଗାଁର ଦସ୍ତାବିଜରେ ସେମାନଙ୍କୁ ଆଜାତ ଭାବେ ଦର୍ଶାଯାଇଛି। ତେଣୁ କିଛିଜଣଙ୍କୁ ଅଣଜେଜେଙ୍କୁ ଖୋଜିବାକୁ ପଡୁଛି ଯାହାଙ୍କର ଜାତିକୁ ଦେଖାଇହେବ। ପ୍ରଭୁ କହନ୍ତି, ‘ସେହିସବୁ ପୁରୁଣା ରେକର୍ଡକୁ ଉଦ୍ଧାର କରି ତାକୁ ପୁଣି ତିଆରି କରିବା ଖୁବ୍ କଷ୍ଟକର କାମ’। ‘ଅଧକାରୀମାନେ ଆମକୁ କିଛି ଜିନିଷ ଲୁଚାଇ ଆମର ଜାତି ସଂପର୍କରେ ମିଥ୍ୟା କଥା କହୁଥିବା ସନ୍ଦେହ କରନ୍ତି। ଜାତି ପ୍ରମାଣପତ୍ର ବନାଇବାକୁ ଯିବାବେଳେ ଏହା ଆମକୁ ଆଘାତ ଦିଏ। କିନ୍ତୁ ସେମାନଙ୍କ ବ୍ୟତୀତ ଆମର ପିଲାମାନେ ପ୍ରକୃତରେ ଫସିଯିବେ’। ଦୁଃଖର କଥା ହେଲା, ଜାତିପ୍ରଥା ବିରୋଧରେ ଲଢ଼ାଇ କରୁଥିବା ଖୋଦ୍ ଗଣପତି ମହାରାଜଙ୍କ ଜାତି ସଂପର୍କରେ ଖୋଜିବା ବ୍ୟତୀତ ସେମାନଙ୍କ ନିକଟରେ ଆଉ କିଛି ଉପାୟ ନାହିଁ। ତାଙ୍କର ଅଣନାତିମାନଙ୍କ ପାଇଁ ତାହା ଆବଶ୍ୟକ ପଡ଼ୁଛି।
ଏବେ ରହିଯାଇଥିବା ୨,୦୦୦ ବା ସେଭଳି ଆଜାତମାନେ ପ୍ରତିବର୍ଷ ନଭେମ୍ବର ମାସରେ ଏହି ଗାଁରେ ଥିବା କମୁ୍ୟନିଟି ସେଣ୍ଟରରେ ଏକତ୍ରିତ ହୋଇଥାନ୍ତି। ବିଷର୍ଣ୍ଣ ହୋଇ ପ୍ରଭୁ କହନ୍ତି, ‘ ମଧ୍ୟପ୍ରଦେଶରେ ଏବେ କେବଳ ଏଭଳି ଗୋଟିଏ ମାତ୍ର ଆଜାତ ପରିବାର ରହିଛି ଯାହା ସହ ଆମର ସଂପର୍କ ରହିଛି। ଅନ୍ୟମାନେ ମହାରାଷ୍ଟ୍ରରେ ରହୁଛନ୍ତି। ମାତ୍ର ୧୦୫ ଜଣ ଆନୁଷ୍ଠାନିକ ଭାବେ ଆମର ସଂଗଠନ ଅଜାତୀୟ ମାନବ ସଂସ୍ଥା ସହ ଯୋଡ଼ି ହୋଇରହିଛନ୍ତି। କିନ୍ତୁ ଆମର ବାର୍ଷିକ ବୈଠକକୁ ତା’ଠାରୁ ବହୁ ଅଧିକ ଲୋକ ଆସନ୍ତି। କିନ୍ତୁ ଥରେ ଚିନ୍ତା କରନ୍ତୁ ଏକଦା ଏହି ଆନ୍ଦୋଳନରେ ଆମ ସହ ୬୦,୦୦୦ ଲୋକ ଜଡ଼ିତ ଥିଲେ।
ଏହି ପ୍ରସଙ୍ଗରେ କାମ କରିଥିବା ଅର୍ଥନୀତିଜ୍ଞ ଡକ୍ଟର କେ ନାଗରାଜ(ପୂର୍ବରୁ ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଷ୍ଟଡିଜ୍’ରେ କାମ କରୁଥିବା) କହନ୍ତି, ‘ଆମକୁ ଜନଗଣନାରେ ଏକ ପ୍ରଶ୍ନ ସଂଯୋଗ କରିବା ଅପେକ୍ଷା ଜାତି ସଂପର୍କରେ ବିସ୍ତୃତ ଭାବେ ସର୍ଭେ କରିବା ଆବଶ୍ୟକ। ନିଃସନ୍ଦେହରେ ଆମକୁ ଜାତି ସଂପର୍କରେ ତଥ୍ୟ ଆବଶ୍ୟକ। କିନ୍ତୁ ଆମେ ଗୋଟିଏ ନିର୍ଦ୍ଦିଷ୍ଟ ଫ୍ରେମରେ ସେହି ତଥ୍ୟ ଚାହୁଁଛୁ ଯାହା ବହୁ ବିବିଧତା, ସ୍ଥାନ ବ୍ୟାଖ୍ୟା କରୁଥିବା ପ୍ରକୃତି ଏବଂ ଜାତିବାଦର ଅନ୍ୟ ଜଟିଳତାଗୁଡ଼ିକୁ ଦର୍ଶାଉଥିବା ୨୦୧୧ ଜନଗଣନାରେ ସେ ସଂପର୍କରେ ଗୋଟିଏ ପ୍ରଶ୍ନ ସେ ଲକ୍ଷ୍ୟ ହାସଲ କରିପାରିବ ନାହିଁ। ସମ୍ଭବତଃ ଏହା ନ୍ୟାସନାଲ ସାମ୍ପୁଲ ସର୍ଭେ ଏବଂ ବହୁ ଉନ୍ନତ ପ୍ରସ୍ତୁତି ସହ ଥିବା ଏହାର ତାଲିମପ୍ରାପ୍ତ ସର୍ବେକ୍ଷଣକାରୀଙ୍କର କାମ।
ତେବେ କ’ଣ ହେବ ଯଦି ସେହି ଜନଗଣନାକାରୀ ଆପଣଙ୍କ ଘରକୁ ଆସି ଜାତି ସଂପର୍କିତ ପ୍ରଶ୍ନ କରିବେ? ପ୍ରଭୁ କହନ୍ତି, ‘ ମୋତେ ବିଶ୍ୱାସ କରନ୍ତୁ’। ‘ଏହା ମୋତେ ଦ୍ୱନ୍ଦ୍ୱରେ ପକାଇବ। ମୁଁ ଭାବୁଛି ସେମାନେ ଜନଗଣନାରେ ଆମ ଭଳି ଲୋକଙ୍କ ପାଇଁ ଏକ ଭିନ୍ନ ଶ୍ରେଣୀ କରିବା ଉଚିତ୍। ଆମେ କ’ଣ ତାହା ଆମେ ଦର୍ଶାଇବା ଆବଶ୍ୟକ। ଜାତି ବାବଦରେ ଥିବା ସବୁକିଛି ବିରୋଧରେ ଆମେ ଲଢେଇ କରିଆସିଛୁ। କିନ୍ତୁ ସମାଜରେ ଜାତି ହିଁ ସବୁକିଛି।’
ଏହି ଆଲେଖ୍ୟ (ଏଠାରେ ସାମାନ୍ୟ ପରିବର୍ତ୍ତିତ ) ମୂଳତଃ ଦ ହିନ୍ଦୁରେ ଜୁନ୍ ୪, ୨୦୧୦ରେ ପ୍ରକାଶିତ ହୋଇଥିଲା।
ଅନୁବାଦ: ଓଡ଼ିଶାଲାଇଭ୍