ଅମିତାଭ ବଚ୍ଚନ କହିଥିଲେ ଯଦି ତାଙ୍କୁ ଜନଗଣନାକାରୀମାନେ କେବେ ତାଙ୍କର ଜାତି ସଂପର୍କରେ ପଚାରିଥାନ୍ତେ ସେ ନିଶ୍ଚିତ ଭାବେ ଭାରତୀୟ ବୋଲି କହିଥାନ୍ତେ। ଅବଶ୍ୟ ତାହା ବଲିଉଡ୍ ପଛରେ ପାଗଳ ଗଣମାଧ୍ୟମକୁ ଟିକେ ଅଧିକ ଖବରର ଖୋରାକ ଯୋଗାଇବ। ଶ୍ୟାମ ମହାରାଜ କିମ୍ବା ତାଙ୍କ ଭାଇ ଚୈତନ୍ୟ ପ୍ରଭୁ ବଚ୍ଚନ ପରିବାରର ସଦସ୍ୟ ନୁହନ୍ତି। କିନ୍ତୁ ଯଦି ସେମାନଙ୍କୁ ଜନଗଣନାକାରୀମାନେ ଜାତି ସଂପର୍କରେ ପଚାରିବେ ତା’ ହେଲେ ସେ ଏବଂ ତାଙ୍କ ସମୁଦାୟର ଅନୁଗାମୀମାନେ ଆହୁରି ଅଧିକ ଜଟିଳ ଉତ୍ତର ଦେବା ସହ ପ୍ରଶ୍ନ କରିବେ। ‘ଆମେ ହେଉଛୁ ଆଜାତ। ତାକୁ ପ୍ରମାଣ କରିବା ପାଇଁ ଏଠାରେ ମୋର ସ୍କୁଲ ଛାଡ଼ିବାର ପ୍ରମାଣପତ୍ର ରହିଛି। କିନ୍ତୁ ତୁମେ ତୁମର ଯାହା ଇଚ୍ଛା ତାହା ଲେଖିପାର।’ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ମଙ୍ଗରୁଲ(ଦସ୍ତଗିର) ଗାଁରେ ଥିବା ଘରେ ପ୍ରଭୁ ଆମକୁ ଏହା କହନ୍ତି।
ଆଜାତର ଆକ୍ଷରିକ ଅର୍ଥ ହେଲା ଜାତି ନ ଥିବା ଲୋକ। ୧୯୨୦ ଏବଂ ୩୦ ଦଶକରେ ଆଜାତ ଏକ ଦୁଃସାହସିକ ସାମାଜିକ ଆନେ୍ଦାଳନ ଥିଲା। ବର୍ତ୍ତମାନର ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ତାର ହଜାର ହଜାର ପ୍ରତିଶ୍ରୁତିବଦ୍ଧ ଅନୁଗାମୀ ଥିଲେ। ସମାଜ ସଂସ୍କାରକ ଗଣପତି ଭାଭୁକ୍ତକର ଏହାର ନେତୃତ୍ୱ ନେଇଥିଲେ। ସେ ଗଣପତି ମହାରାଜ ଭାବେ ପରିଚିତ ଥିଲେ। ଚୈତନ୍ୟ ପ୍ରଭୁ ଏବଂ ଶ୍ୟାମ ମହାରାଜ ହେଉଛନ୍ତି ତାଙ୍କର ନାତି। ଏଭଳି ଅଭିଯାନ ସମୟରେ ସାମିଲ ହେବାପାଇଁ ସେ ମଦ ଓ ହିଂସା ବିରୋଧୀ ନିୟମ ବ୍ୟତୀତ ଆଉ କିଛି ନିୟମ କରିଥିଲେ। ସେ ସିଧାସଳଖ ଭାବେ ଜାତିକୁ ଆକ୍ରମଣ କରୁଥିଲେ। ତାଙ୍କ ଆହ୍ୱାନକ୍ରମେ ଅନେକ ମୂର୍ତ୍ତିପୂଜା ବନ୍ଦ କରିଦେଲେ। ସେ ଲିଙ୍ଗଗତ ସମାନତା ସପକ୍ଷରେ ଯୁକ୍ତି ବାଢୁଥିଲେ ଏବଂ ଏମିତିକି ବ୍ୟକ୍ତିଗତ ସମ୍ପତ୍ତି ଠୁଳ କରିବାକୁ ନିନ୍ଦା କରୁଥିଲେ। ଏବଂ ୧୯୩୦ ଦଶକରେ ସେ ଓ ତାଙ୍କ ଅନୁଗାମୀମାନେ ନିଜକୁ ‘ଆଜାତ୍’ ଭାବେ ଘୋଷଣା କଲେ।
ସେ କାମ କରିଥିବା ଗାଁ ଗୁଡିକରେ ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅନ୍ତଃଜାତି ଭୋଜନ ସମସ୍ୟା ସୃଷ୍ଟି କରିଥିଲା। ତାଙ୍କର ଜଣେ ଅନୁଗାମୀ ଏଲ୍ ନିମକର କହନ୍ତି, ‘ସେ ତାଙ୍କର ସବୁ ଜାତିର ଅନୁଗାମୀମାନଙ୍କୁ ନିଜ ନିଜ ଘରୁ ରନ୍ଧା ଖାଦ୍ୟ ଆଣିବାକୁ କହୁଥିଲେ। ସେ ସବୁକୁ ସେ ସମ୍ପୂର୍ଣ୍ଣ ଭାବେ ମିଶାଇ ଦେଉଥିଲେ। ଏବଂ ତାକୁ ପ୍ରସାଦ ଭାବେ ବାଣ୍ଟୁଥିଲେ। ତାଙ୍କର ସବୁଠାରୁ ବଡ ଟାର୍ଗେଟ ଥିଲା ଜାତି। ସେ ଆନ୍ତଃଜାତି ବିବାହ, ଏବଂ ବିଧବା ବିବାହର ପ୍ରଚଳନ ଚାହୁଁଥିଲେ, ଏବଂ ଏ ନେଇ ସଫଳତା ପାଇଥିଲେ। ଆମ ପରିବାରରେ ମୋର ଜେଜେବାପାଙ୍କଠାରୁ ନେଇ ଆମ ଯାଏଁ, ଆମେ ୧୧ଟି ଭିନ୍ନ ଭିନ୍ନ ଜାତିରେ ବ୍ରାହ୍ମଣଙ୍କଠାରୁ ଦଳିତଙ୍କ ଯାଏଁ ବିବାହ କରିଛୁ। ଆମର ପରିବର୍ଧିତ ପରିବାରରେ ଏମିତି ବହୁ ସଂଖ୍ୟାରେ ବିବାହ ହୋଇଆସିଛି। ’
ନିଜେ ଗଣପତି ମହାରାଜ ଏମିତି ବିବାହ କରିଥିଲେ। ଶ୍ୟାମ ମହାରାଜ କହନ୍ତି, ‘ସେ ମଧ୍ୟ ମାନବ ଧର୍ମର ସୃଷ୍ଟି କରିଥିଲେ, ଏବଂ ଏଠାରେ ଉଚ୍ଚ ଜାତିର ଲୋକଙ୍କୁ ଅପମାନିତ କରି ଦଳିତଙ୍କ ପାଇଁ ମନ୍ଦିର ଖୋଲିଥିଲେ। ସେମାନେ ତାଙ୍କ ବିରୋଧରେ ମାମଲା ରୁଜୁ କଲେ ଏବଂ କେହି ତାଙ୍କ ମାମଲା ଲଢିଲେ ନାହିଁ। ସେତେବେଳେ ଏଠାକାର ସବୁ ଓକିଲ ବ୍ରାହ୍ମଣ ଥିଲେ।’





