ମହାରାଷ୍ଟ୍ର ଲୋକସେବା ଆୟୋଗ (ଏମପିଏସସି) ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ସମ୍ପର୍କରେ ଜାଣିବାର କିଛି ଘଣ୍ଟା ପରେ ବୀଡ଼ଠାରୁ ୧୮୦ କିଲୋମିଟର ଦୂରରେ ଥିବା ସୋଲାପୁର ନେଇଯିବା ପାଇଁ ସନ୍ତୋଷ ଖାଡ଼େ ନିଜର ଜଣେ ବନ୍ଧୁଙ୍କୁ ଅନୁରୋଧ କରିଥିଲେ। ସବୁଜିମା ଭରା ଆଖୁ କ୍ଷେତରେ ପହଞ୍ଚିବା ପରେ ସେ କୋପ ବା ବାଉଁଶ, ନଡ଼ା ଏବଂ ତାରପଲିନରେ ତିଆରି ଏକ ଅସ୍ଥାୟୀ ଘର ସନ୍ଧାନ କରିଥିଲେ। ମାତ୍ର କିଛି ମିନିଟ ମଧ୍ୟରେ ୨୫ ବର୍ଷ ବୟସ୍କ ସନ୍ତୋଷ ସେହି ଘରକୁ ଭାଙ୍ଗି ଦେଇଥିଲେ ଯେଉଁଠି ତାଙ୍କର ମାତାପିତା ୩୦ ବର୍ଷ ଧରି ବର୍ଷକୁ ୬ ମାସ ଆଖୁ ଅମଳ ଋତୁରେ ଫସଲ କଟା ଶ୍ରମିକ ଭାବେ ରହୁଥିଲେ।
ଖାଡ଼େ ନିଜ ପରିବାରର ୩ ଏକର ଚାଷ ଜମିକୁ ଲାଗି ରହିଥିବା ଘରର ଚଉଡ଼ା ବାରଣ୍ଡା ଉପରେ ଏକ ପ୍ଲାଷ୍ଟିକ ଚେୟାରରେ ବସିଥିଲେ। ଏହି ସମୟରେ ସେ କହିଥିଲେ, ‘‘ମୁଁ ଏନଟି-ଡି (ଯାଯାବର ଜନଜାତିଙ୍କ ମଧ୍ୟରେ ଏକ ଉପବର୍ଗ) ପିଲାମାନଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ପରେ ଜାଣିବାକୁ ପାଇଥିଲି। କିନ୍ତୁ ମୋ ପାଇଁ ଏହା ଠାରୁ ଆହୁରି ଅଧିକ ଖୁସିର ବିଷୟ ହେଉଛି, ମୋର ମାତାପିତାଙ୍କୁ ଆଉ କେବେ ଫସଲ କଟା ଶ୍ରମିକ ଭାବେ କାମ କରିବାକୁ ପଡ଼ିବ ନାହିଁ।’’
ପ୍ରଥମେ ତାଙ୍କ ସଫଳତାର ଖବର ଲୁହ ଓ ହସ ମିଶା ଭାବନା ସହିତ ସ୍ୱାଗତ କରାଯାଇଥିଲା। ଖାଡ଼େ ସେହି ଶ୍ରମିକମାନଙ୍କ ପୁଅ, ଯେଉଁମାନେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ପ୍ରତ୍ୟେକ ବର୍ଷ ମରୁଡ଼ି ପ୍ରଭାବିତ ପଟୋଦାରୁ ସୋଲାପୁର ଜିଲ୍ଲାକୁ ପ୍ରବାସ କରୁଥିଲେ। ସେ କହିଥିଲେ, ତାଙ୍କ ଭଳି ସାୱରଗାଓଁ ଘାଟର ୯୦ ପ୍ରତିଶତ ପରିବାର ବାର୍ଷିକ ଅମଳ ସମୟରେ ପଶ୍ଚିମ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ଆଖୁ ଚାଷ କ୍ଷେତ୍ରକୁ ପ୍ରବାସ କରିଥାନ୍ତି।
ବଞ୍ଜାରୀ ସମୁଦାୟର ପ୍ରତିନିଧିତ୍ୱ କରୁଥିବା ଖାଡ଼େ ୨୦୨୧ ଏମପିଏସସି ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ସହିତ କୃତକାର୍ଯ୍ୟ ହୋଇଥିଲେ। ସାଧାରଣ ବର୍ଗ ତାଲିକାରେ ରାଜ୍ୟରେ ସେ ୧୬ତମ ସ୍ଥାନ ହାସଲ କରିଥିବା ବେଳେ ଏନଟି-ଡି ବର୍ଗରେ ଶୀର୍ଷ ସ୍ଥାନ ପାଇଥିଲେ
‘‘ମୋ ମାତାପିତାଙ୍କ ବର୍ଷ ପରେ ବର୍ଷ ସଂଘର୍ଷର ପରିଣାମ ସ୍ୱରୂପ ଏହା ସମ୍ଭବ ହୋଇପାରିଥିଲା। ଜୋ ଜାନୱର କା ଜୀନା ହୋତା ହୈ, ୱହି ଇନକା ଜୀନା ହୋତା ହୈ (ସେମାନେ ପଶୁଙ୍କ ଭଳି ଜୀବନ ବଞ୍ଚୁଥିଲେ),’’ ଫସଲ ଅମଳ ଋତୁରେ ନିଜ ମାତାପିତାଙ୍କ କଠିନ ପରିଶ୍ରମ ସମ୍ପର୍କରେ ବର୍ଣ୍ଣନା କରି ଖାଡ଼େ କହିଥିଲେ। ‘‘ମୋର ପ୍ରଥମ ଲକ୍ଷ୍ୟ ଥିଲା ଏହାକୁ ବନ୍ଦ କରିବା, ଯଥେଷ୍ଟ ଭଲ ଚାକିରି କରିବା ଯାହାଫଳରେ ସେମାନଙ୍କୁ ଆଉ ଆଖୁ ଅମଳ ସମୟରେ ପ୍ରବାସ କରିବାକୁ ପଡ଼ିବ ନାହିଁ।’’







