ଦକ୍ଷିଣକୁ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଜଣେ ଭୂଇଁରେ ନଡ଼ିଆ ପିଟିଲେ ଆଉ ତା ପରେ ୨୪ ବର୍ଷୀୟ ଟ୍ରାକ୍ଟର ଡ୍ରାଇଭର ମହାଦେବ ଟିଡ଼୍କେ ଇଞ୍ଜିନ ଷ୍ଟାର୍ଟ କଲେ। ସମୟ ପ୍ରାୟ ରାତି ୧୦ଟା। ଟିଡ଼୍କେ ମଧ୍ୟ ବୋଡ଼ଖା ଗାଁର ବାସିନ୍ଦା। ସେ କହନ୍ତି, ତାଙ୍କୁ ଯେତେବେଳେ ୧୯ ବର୍ଷ ହୋଇଥିଲା ସେ ସମୟରୁ ସେ ଲୋକଙ୍କୁ ନେଉଛନ୍ତି।
ସତ୍ୟଭାନ ବଡ଼ ପାଟିରେ ‘‘ଜୟ ଭୀମ୍’’ କହିଲେ। ଏହା ପରେ ଅନ୍ଧାରୁଆ ଗଳିରାସ୍ତା ଦେଇ ଟ୍ରାକ୍ଟର ଆଗକୁ ଗଡ଼ିଲା। ମୁଣ୍ଡ ଉପରେ ତାରା ଫୁଟିଥିବା ପରିସ୍କାର ଆକାଶ। ଦେହରେ ଛୁଞ୍ଚି ମାରୁଥିଲା ପବନ। ମହାଦେବ ତାଙ୍କ ସିଟ୍ ପାଖରେ ଥିବା ଏକ ସକେଟ୍ରେ ପେନ୍ ଡ୍ରାଇଭ୍ ଗୁଞ୍ଜିଲେ ଏବଂ ଉଚ୍ଚ ଶବ୍ଦରେ ହିନ୍ଦୀ ସିନେମା ଗୀତ ବଜାଇଲେ। ରାତିର ନିସ୍ତବ୍ଧତାକୁ ଗୁଞ୍ଜରିତ କରୁଥିଲା ସିନେମା ସଂଗୀତ। ଟ୍ରାକ୍ଟର ଉପରେ ବସିଥିବା ଲୋକେ ତଳେ ଛିଡା ହୋଇଥିବା ଲୋକଙ୍କୁ ହାତ ହଲେଇ ବିଦାୟ ମାଗୁଥିଲେ। ଅଖା ବ୍ୟାଗ ଏବଂ ବାସନକୁସନ ଭିତରେ ନିଜ ବସିବା ପାଇଁ ଜାଗା ସଜାଡ଼ି ନେଇଥିଲେ ଲୋକେ।
ଟ୍ରଲି ଉପରେ ଦୁଇଟି ଛେଳି ମଧ୍ୟ ଦେଖିବାକୁ ମିଳିଲା। ଶୋଭା କହିଲେ, ‘‘ସେମାନେ ବେଲଗାମ୍ରେ କ୍ଷୀର ପାଇଁ ବ୍ୟବହରେ ହେବେ।’’ ଆବଡ଼ାଖାବଡ଼ା ରାସ୍ତାରେ ଟ୍ରାକ୍ଟର ଧକଡ଼ ଚକଡ଼ ହୋଇ ଯିବାବେଳେ ଶୋଭା ତାଙ୍କ ପୁଅ ଅର୍ଜୁନକୁ କୋଳରେ ଜାକି ଧରିଥିଲେ। କାର୍ ଏବଂ ଟ୍ରକ୍ ଗୁଡ଼ିକ ଦ୍ରୁତ ଗତିରେ ଯାଉଥିଲେ। ଖୋଲା ଟ୍ରଲିରେ ଥଣ୍ଡା ପବନ ପିଟୁଥିଲା। ବ୍ୟାଗ ଭିତରୁ ଅର୍ଜୁନ ପାଇଁ ମଙ୍କି ଟୋପି ବାହାର କଲେ। ନିଜର ଦୁଇ କାନକୁ କାନିରେ ଘୋଡ଼ାଇ ଦେଲେ। ଅନ୍ୟମାନେ ମଧ୍ୟ ତାଙ୍କ ବ୍ୟାଗ ଭିତରୁ ଖୋତରା ଆଉ ଚିରା କମ୍ବଳ ବାହାର କଲେ। ଏଥିରେ ଥଣ୍ଡାରୁ କିଛିଟା ରକ୍ଷା ପାଇ ହେବ। ଆଉ କିଛି ଲୋକ ଶୋଇ ପଡ଼ିଲେ।
ଡ୍ରାଇଭର ସିଟ୍ରେ ବସିଥିବା ମହାଦେବ ତାଙ୍କ ବେକରେ ମଫଲର ଗୁଡ଼ାଇଥିଲେ ଏବଂ ପୁରା ସାର୍ଟ ପିନ୍ଧିଥିଲେ। ଅନ୍ଧାର ରାତିରେ, ଷ୍ଟ୍ରିଟ୍ ଲାଇଟ୍ ନଥିବା ବଙ୍କାଟଙ୍କା ଗଳିଆ ରାସ୍ତାରେ ବେଶ୍ ଦକ୍ଷତାର ସହ ଟ୍ରାକ୍ଟର ଚଳାଉଥିଲେ। ରାତି ପ୍ରାୟ ୩ଟା ୩୦ ବେଳକୁ ଗାଡ଼ି ବନ୍ଦ କଲେ। ନିଶ୍ୱାସ ନେଇ କହିଲେ, ‘‘ବହୁତ ବାଧା’’। ‘‘ଗୋଟେ ସେକେଣ୍ଡ ପାଇଁ ବି ଆଖି ବନ୍ଦ କରିପାରିନି। ଅନେକ ପରିବାରକୁ ନେଇ ନେଉଛି।’’
ରାଜପଥ କଡ଼ରେ ଏକ ସେଡ୍ ଖାଲି ଥିବା ଦେଖି ଗାଡ଼ି ବନ୍ଦ କଲେ। ଗୋଟିଏ କମ୍ବଳ ବାହାର କରି ଭୂଇଁରେ ବିଛେଇ ଶୋଇ ପଡ଼ିଲେ। ଅଧିକାଂଶ ଯାତ୍ରୀ- ଛୋଟ ପିଲାଙ୍କୁ ମିଶାଇ ପ୍ରାୟ ୨୪ ଜଣ- ଟ୍ରଲିରେ ଢୋଳେଇ ପଡ଼ିଥିଲେ। ଦୁଇ ଘଣ୍ଟା ପରେ ମହାଦେବ ପୁଣି ଡ୍ରାଇଭର ସିଟ୍ରେ ବସିଲେ।