“ଏସବୁ ମେସିନ୍ ଯଦି ଆଗରୁ ଅଣା ଯାଇଥାଆନ୍ତା, ତେବେ ମୋ ପିଲାମାନଙ୍କ ବାପା ସେମାନଙ୍କୁ ଛାଡ଼ି ଯାଇ ନ ଥାଆନ୍ତେ। ଏବେ ଏସବୁ ମୋର କୋଉ କାମରେ ଲାଗିବନି, କିନ୍ତୁ ଅତି କମ୍ରେ ଅନ୍ୟ ମହିଳାମାନଙ୍କ ପାଇଁ ତ କାମ ଦେବ। ସେମାନଙ୍କ ସ୍ଵାମୀମାନେ ନର୍ଦ୍ଦମାରେ ତ ମରିବେ ନାହିଁ। ମୋ ଭଳି ଆଉ କାହାରିକୁ ଦୁଃଖ ଭୋଗିବାକୁ ନ ପଡୁ।” ଏତିକି କହି ନିରବ ରହିଲେ ବ୍ୟଥା ଜର୍ଜରିତ ରାନୀ କୁମାରୀ।
ଗତ ବର୍ଷ ଶେଷ ଆଡ଼କୁ ମୁଁ ଯେତେବେଳେ ପ୍ରଥମେ ରାନୀଙ୍କୁ ଭେଟିଥିଲି ସେ ଦିଲ୍ଲୀର ଏକ ସମ୍ମିଳନୀ କକ୍ଷର ପାହାଚ ଉପରେ ବସିଥିଲେ। ମଣିଷ ଦ୍ଵାରା ମଣିଷର ମଳମୂତ୍ର ସଫା ବନ୍ଦ କରିବା ଏବଂ ଭୂତଳ ନର୍ଦ୍ଦମା ଓ ସେପ୍ଟିକ୍ ଟାଙ୍କିରେ ସଫେଇ କର୍ମଚାରୀଙ୍କ ମୃତ୍ୟୁକୁ ରୋକିବା ପାଇଁ ଦେଶବ୍ୟାପୀ ଚାଲିଥିବା ସଫେଇ କର୍ମଚାରୀ ଆନ୍ଦୋଳନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ସେଠାକୁ ଆସିଥିଲେ। ବୈଷୟିକ ଜ୍ଞାନକୌଶଳ ବଳରେ କିପରି ହାତରେ ମଇଳା ସଫା କରିବା ସମସ୍ୟାର ସମାଧାନ ହୋଇପାରିବ ତାହା ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହେଉଥିଲା ।
ପାହାଚ ଉପରେ ବସିଥିବା ବେଳେ ୩୬ ବର୍ଷ ବୟସ୍କା ରାନୀ ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗ୍ରୁ ଫଟୋଟିଏ ବାହାର କଲେ । ଏହା ଥିଲା ତାଙ୍କ ସାଥୀ ୩୦ ବର୍ଷୀୟ ଅନୀଲଙ୍କର । ନିଜର ଅସଜଡ଼ା ଓଢ଼ଣିରେ ଏହାକୁ ପୋଛିଦେଲେ ଏବଂ ଅସ୍ଥିର ହୋଇଉଠିଲେ । ସାତ ବର୍ଷର ଲକ୍ଷ୍ମୀ ଏବଂ ୧୧ ବର୍ଷର ଗୌରବ ସହିତ ଅଢ଼େଇ ବର୍ଷର ସୋନମ୍ଙ୍କୁ କାଖେଇ ପାହାଚରେ ତଳ ଉପର ହେବାରେ ଲାଗିଲେ।
ଯେତେବେଳେ ଜଣେ ମହିଳା ଭାରତ ବର୍ଷର ଭୂତଳ ନର୍ଦ୍ଦମାରେ କିମ୍ବା ସେପ୍ଟିକ୍ ଟାଙ୍କିରେ ପରିବାରର ଜଣେ ସଦସ୍ୟଙ୍କୁ ହରାନ୍ତି, ସେହି ଦୁଃଖଦ ସ୍ଥିତିର ମୁକାବିଲା କରିବା ସହିତ ତାଙ୍କୁ ନ୍ୟାୟ ଏବଂ କ୍ଷତିପୂରଣ ପାଇବା ପାଇଁ ଲଢ଼ିବାକୁ ହୁଏ, ତାଙ୍କ ପରିବାରକୁ ବଞ୍ଚାଇ ରଖିବା କଥାଚିନ୍ତା କରିବାକୁ ପଡ଼େ। ରାନୀଙ୍କର ସ୍ଥିତି ତ ଆହୁରି କଷ୍ଟଦାୟକ। ଦକ୍ଷିଣ-ପଶ୍ଟିମ ଦିଲ୍ଲୀର ଡାବଡ଼ି କଲୋନିରେ ତାଙ୍କ ଘରକୁ ଯାଇ ଆମେ ଆଉ ଟିକେ ଅଧିକ କଥା ହେବା ।







