ସବୁ ମାସ ୧୪ ତାରିଖରେ ବସୁଥିବା ଏକ ଗ୍ରାମ୍ୟ ‘ନ୍ୟାୟାଳୟ’ରେ ବିଚାର କରାଯାଇ ରାୟ ଦିଆଯାଇଥାଏ। ଭଣ୍ଡୁରି ଗ୍ରାମରେ ଏହି ଅଦାଲତ ସେମାନଙ୍କୁ ଗ୍ରାମପଞ୍ଚାୟତ ପକ୍ଷରୁ ପ୍ରଦାନ କରାଯାଇଛି।
ହୀରାବେନ କୁହନ୍ତି, “ଜଣେ ପୀଡ଼ିତ ମାତ୍ର ୨୫ ଟଙ୍କାର ପରିଚାଳନା ଶୁଳ୍କ ଦେଇ ମାମଲା ରୁଜୁ କରିପାରିବ’’। “ଆମେ ଅଭିଯୁକ୍ତଙ୍କୁ ଏକ ନୋଟିସ ପଠାଇଥାଉ ଏବଂ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ସମ୍ଭାବ୍ୟ ତାରିଖ ଦେଇଥାଉ। ଆମେ ହତ୍ୟା ଧମକ ଭଳି ଅନେକ ସମସ୍ୟାର ସମ୍ମୁଖିନ ହୋଇଛୁ। କିନ୍ତୁ କିଛି ଭଲ କାମ କରିବାକୁ ବାହାରିଲେ ସାହସ ଆପେ ଆପେ ଆସିଯାଇଥାଏ”।
ସମିତି ଉଭୟ ପକ୍ଷଙ୍କ କଥା ଶୁଣିଥାଏ ଏବଂ ଉଭୟଙ୍କୁ ଗ୍ରହଣୀୟ ହେବା ଭଳି ଏକ ରାୟ ଦେଇଥାଏ। ସେମାନଙ୍କର କୌଣସି ସରକାରୀ ମାନ୍ୟତା ନାହିଁ ଏବଂ ସେମାନଙ୍କର ସମାଧାନ ପ୍ରକ୍ରିୟା ବୁଝାମଣା, ମଧ୍ୟସ୍ଥତା ଉପରେ ଆଧାରିତ। ବେଳେବେଳେ ଆଲୋଚନାକୁ ବଡ଼ ସମୁଦାୟ ଆଗରେ ଉପସ୍ଥାପନ କରିବାକୁ ପଡ଼ିଥାଏ, ଆଲୋଚନା କେବେ କେବେ ସାରା ଦିନ କିମ୍ବା ଗୋଟିଏରୁ ଅଧିକ ଦିନ ପର୍ଯ୍ୟନ୍ତ ଜାରି ରୁହେ।
ଯଦି, ଯାହାକି ଅଧିକାଂଶ ସମୟରେ ଘଟିଥାଏ, ଜଣେ ଅଭିଯୁକ୍ତ ‘ବିଚାର’କୁ ମାନିନଥାଏ, ସମିତି ଏହାକୁ ପୁଲିସ ସହାୟତାରେ ଲାଗୁ କରିଥାଏ କିମ୍ବା ଏହି ମାମଲାକୁ ଜିଲ୍ଲା ନ୍ୟାୟାଳୟକୁ ନେଇଯାଏ। ମାମଲାର ସଫଳତା ପୂର୍ବକ ସମାଧାନ ହେଲେ, ‘ମହକିଲ’ ସମିତିକୁ ପରିଚାଳନା ଶୁଳ୍କ ଆକାରରେ ୫୦୦ ଟଙ୍କା ଦେଇଥାନ୍ତି। ମହକିଲ ମଧ୍ୟ ପୋଲିସ ଷ୍ଟେସନକୁ କିମ୍ବା କୋର୍ଟକୁ ଯିବା ଲାଗି ଯାତ୍ରା ଖର୍ଚ୍ଚ ଦେଇଥାନ୍ତି। ୫୦୦ ଟଙ୍କା ସମିତିର ଆକାଉଣ୍ଟକୁ ଯାଇଥାଏ ଏବଂ ଏଥିରେ ଛୋଟ ଛୋଟ ଖର୍ଚ୍ଚ କରାଯାଇଥାଏ କିମ୍ବା ସେହି ଅଭିଯୋଗକାରୀଙ୍କ ପାଇଁ ଖର୍ଚ୍ଚ ହୁଏ ଯେଉଁମାନେ ଆଦୌ ଟଙ୍କା ଦେବାକୁ ଅକ୍ଷମ ହୋଇଥାନ୍ତି।
ନ୍ୟାୟ ପାଇଁ ଲଢ଼ୁଥିବା ସମିତିର ଉଲ୍ଲେଖନୀୟ ଉପଲବ୍ଧିକୁ ବ୍ୟକ୍ତ କରୁଥିବା ଅନେକଗୁଡ଼ିଏ ସଫଳ କାହାଣୀ ରହିଛି। “ଆମର ଗୋଟିଏ ମାମଲାରେ, ଜଣେ ସ୍ୱାମୀ (ଜଣେ ପ୍ରତିଷ୍ଠିତ ନିର୍ମାଣ ଠିକାଦାର) ତାଙ୍କ ପତ୍ନୀଙ୍କୁ ଧୋକା ଦେଉଥିଲେ”, ହମିଲବେନ ସ୍ମରଣ କରି କୁହନ୍ତି। “ବିଶ୍ୱାସଘାତକତା ବିଷୟରେ ପଚାରିବାରୁ, ସେ ତାଙ୍କ ପତ୍ନୀଙ୍କୁ ନିୟମିତ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ ଏବଂ ତାଙ୍କୁ ଓ ତାଙ୍କର ଦୁଇ ପିଲାଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଚାଲିଗଲେ।” ପୂର୍ବର ଜଣେ ମହକିଲ ସମ୍ପୃକ୍ତ ମହିଳାଙ୍କୁ ନ୍ୟାୟ ସମିତିର ସହାୟତା ନେବା ପାଇଁ ରାଜି କରାଇଲେ। ପ୍ରଥମେ ସେ ଏପରି କରିବା ଲାଗି ଡରୁଥିଲେ, ଏହାଫଳରେ ସେ ଅଧିକ ମାଡ଼ ଖାଇପାରନ୍ତି ବୋଲି ତାଙ୍କର ଡର ଥିଲା-କିନ୍ତୁ ସେ ସମିତିକୁ ଆସିଲେ।
ସେହି ବ୍ୟକ୍ତିଙ୍କୁ ଏକ ସମନ ଜାରି କରାଗଲା। ସେ ହାଜର ହେବାକୁ ମନା କରିଦେଲେ ଏବଂ ଓଲଟି ସମିତି ସଦସ୍ୟାମାନଙ୍କୁ ଟାର୍ଗେଟ କରିବାକୁ ଲାଗିଲେ। “ସେ କିଛି ଗୁଣ୍ଡାଙ୍କୁ ନେଇ ଆମ କାର୍ଯ୍ୟାଳୟକୁ ଆସୁଥିଲେ ଏବଂ ଆମକୁ ଡରାଉଥିଲେ, ଏଥିସହିତ ରାତିରେ ଆମ ଘରକୁ ପଥର ଫିଙ୍ଗୁଥିଲେ। ପ୍ରଥମେ ଆମେ ଡରିଗଲୁ, କିନ୍ତୁ ପୋଲିସ ଆମକୁ ସମର୍ଥନ କଲା,” ହୀରାବେନ କୁହନ୍ତି।
ସମିତିର ସଦସ୍ୟାମାନେ ଏହି ମାମଲା ସମାଧାନ କରିବାକୁ ସଂକଳ୍ପବଦ୍ଧ ଥିଲେ, ତେଣୁ ସେମାନେ ଆହୁରି ତିନୋଟି ସମନ ପଠାଇଲେ। ଯେତେବେଳେ ସେହି ପୁରୁଷ ଜଣକ ଶୁଣିଲେ ନାହିଁ, ସେମାନେ ପୁଣିଥରେ ପୁଲିସରେ ଅଭିଯୋଗ କଲେ। ଏଥର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟକ୍ତି ଜଣକ ହାଜର ହେବାକୁ ବାଧ୍ୟ ହେଲେ।
ଅଦାଲତ ବାହାରେ ମାମଲା ସମାଧାନ ଲାଗି ସମିତି ଚେଷ୍ଟା କରିଥାଏ। ଉଭୟ ପକ୍ଷଙ୍କୁ ଏକତ୍ରିତ ହୋଇ ଆଲୋଚନା କରିବାକୁ କୁହାଗଲା। ଶୁଣାଣି ପରେ ପ୍ରତ୍ୟେକ ପକ୍ଷଙ୍କୁ ଭିନ୍ନ ବିକଳ୍ପ ଉପରେ ବିଚାର କରିବାକୁ କୁହାଗଲା, ବିଶେଷ କରି ସେମାନଙ୍କର ପିଲାମାନଙ୍କ ସମ୍ପର୍କରେ। ଠିକାଦାର ମାମଲାରେ, ବିସ୍ତୃତ ଆଲୋଚନା କରାଯିବା ପରେ, ସମିତି ତାଙ୍କୁ ଝାଡ଼ପତ୍ର ପରେ ରାଜକୋଟରେ ଥିବା ତାଙ୍କର ଏକ ଘର ଓ ୨.୫ ଲକ୍ଷ ଟଙ୍କା ତାଙ୍କ ପତ୍ନୀଙ୍କୁ ଦେବାକୁ କୁହାଗଲା।
କିନ୍ତୁ ଅନୁପାଳନ ସୁନିଶ୍ଚିତ କରିବା ଲାଗି ଅଧିକାଂଶ ସମୟରେ ସମିତି ଅସୁବିଧା ଭୋଗିଥାଏ। ହୀରାବେନ କୁହନ୍ତି, “ଏହି ସମାନ ମାମଲାରେ, ଆମେ ସମ୍ପୃକ୍ତ ମହିଳାଙ୍କୁ ରାଜକୋଟରେ ଥିବା ତାଙ୍କ ଘରକୁ ନେଇଗଲୁ ଏବଂ ତାଙ୍କର ସ୍ୱାମୀ ସେଥିରେ ପକାଇଥିବା ତାଲା ଭାଙ୍ଗି ତାଙ୍କୁ ସେଠାରେ ରଖିଲୁ ଏବଂ ଠିକାଦାରଙ୍କୁ ଏ ସମ୍ପର୍କରେ ସୂଚୀତ କଲୁ। ପୁରୁଷ ଜଣକ ସେହି ରାତିରେ ଗାଁକୁ ଆସିଲେ ଏବଂ ଅତି ନିଷ୍ଠୁର ଭାବରେ ତାଙ୍କ ପତ୍ନୀଙ୍କୁ ପିଟିବାକୁ ଲାଗିଲେ। ସେ କୌଣସିମତେ ସେଠାରୁ ଦୁଇ ପିଲାଙ୍କ ସହିତ ଖସି ଆସି ମୋତେ ଫୋନ କଲେ। ମୁଁ ଏଥିରେ ହସ୍ତକ୍ଷେପ କରିବା ଲାଗି ରାଜକୋଟର ସବଇନ୍ସପେକ୍ଟରଙ୍କୁ ଫୋନ କଲି।”
ଏପରି ମାମଲାରେ କାମ କରୁଥିବା ସମୟରେ ସମିତିର ମହିଳାମାନଙ୍କୁ ଅନେକ ବାଧାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଏପରିକି ତାଙ୍କ ପରିବାର ଲୋକମାନଙ୍କଠାରୁ ମଧ୍ୟ ତାଙ୍କୁ ପ୍ରତିରୋଧର ସାମ୍ନା କରିବାକୁ ପଡ଼ିଥାଏ। ସ୍ୱୟଂ ସହାୟକ ଗୋଷ୍ଠୀରେ ଥିବା ସମୟରେ ସେମାନେ, ଗାଁକୁ ସରକାରୀ ଯୋଜନା ଆଣୁଥିଲେ, ଯାହାକି ସେମାନଙ୍କୁ ପ୍ରାରମ୍ଭିକ ପ୍ରୋତ୍ସାହନ ଦେଲା ତଥା ସେମାନଙ୍କର ବିଶ୍ୱସନୀୟତା ବଢ଼ାଇଲା। ସମୟକ୍ରମେ, ବିବାଦ ସମାଧାନ କ୍ଷେତ୍ରରେ ସେମାନଙ୍କର ସଫଳତା, ପରିବାରଗୁଡିକର ସମନ୍ୱୟ କିମ୍ବା ଅନ୍ୟାନ୍ୟ ସମସ୍ୟାର ସମାଧାନରେ ସେମାନଙ୍କୁ ବ୍ୟାପକ ବିଶ୍ୱସନୀୟତା ଓ ଗ୍ରହଣୀୟତା ପ୍ରଦାନ କଲା।