ତିନି ବର୍ଷର ବହୁ କଠିନ ଉଦ୍ୟମ ପରେ ପାଣ୍ଢାରିନାଥ ଓ କୌଶଲ୍ୟା ସେଲକେ ତାଙ୍କ ପୁଅ ରଞ୍ଜିତଙ୍କ ବାହାଘର ଠିକ୍ କରିଛନ୍ତି। ୫୨ ବର୍ଷୀୟ ପାଣ୍ଢାରିନାଥ କହିଲେ, "ଅଗ୍ରାହ୍ୟ ହେବାର ଯେଉଁ ଅପମାନ, ତାକୁ ଭାଷାରେ ବର୍ଣ୍ଣନା କରି ହେବନି। କନ୍ୟା ପକ୍ଷର ପ୍ରଥମ ପ୍ରଶ୍ନ ହେଉଛି, 'କୃଷି ବ୍ୟତୀତ ଆଉ କିଛି ରୋଜଗାରର [ବର ପାଇଁ] ପନ୍ଥା ଅଛି କି?' "
ରଞ୍ଜିତଙ୍କୁ ଏବେ ୨୬ ବର୍ଷ। ସେ ସୋୟାବିନ, ଚଣା ଏବଂ ବାଜରା ଚାଷ କରନ୍ତି। ମହାରାଷ୍ଟ୍ର ଓ ସମାନାବାଦ ଜିଲ୍ଲାର ଖାମାସୱାଡ଼ି ଜିଲ୍ଲାରେ ତାଙ୍କର ୪ ଏକର ଜମି ଅଛି। ପାଣ୍ଢାରିନାଥ ଗାଁ ପୋଷ୍ଟ ଅଫିସରେ କିରାଣୀ କାମ କରନ୍ତି। ତାଙ୍କ ମାସିକ ରୋଜଗାର ୧୦, ୦୦୦ ଟଙ୍କା। କିଛି ସମୟ ପାଇଁ ରଞ୍ଜିତ ମଧ୍ୟ ଚାକିରି ଖୋଜୁଥିଲେ। କିନ୍ତୁ ସେଥିରେ ସଫଳ ହେଲେନି – ଚାଷ ତାଙ୍କର ଏକମାତ୍ର ଆୟର ପନ୍ଥା।
କୃଷି ଶ୍ରମିକ କୌଶଲ୍ୟା କହିଲେ, "ଜଣେ ଚାଷୀକୁ କେହି ଝିଅ ଦେବାକୁ ଚାହୁଁ ନାହାନ୍ତି। ବିଶେଷ କରି ଚାଷୀମାନେ ବିଲକୁଲ ଅନାଗ୍ରହୀ। ବରଂ ଚଢା ସୁଧରେ ଟଙ୍କା ଆଣି ଅଧିକ ଯୌତୁକ ଦେଇ ସେମାନେ ଚାକିରିଆ ବର ସହ ଝିଅ ବାହାଘର କରିବାକୁ ଚାହାନ୍ତି। କିନ୍ତୁ ଜଣେ ଚାଷୀକୁ ନୁହେଁ।"
ଦିନ ଥିଲା, ଯେତେବେଳେ ମରାଠାୱାଡ଼ାରେ ଜଣେ ଚାଷୀଙ୍କୁ କନ୍ୟା ଦାନ କରିବାକୁ ଲୋକେ ବେଶୀ ଆଗ୍ରହ ପ୍ରକାଶ କରୁଥିଲେ। କିନ୍ତୁ କାଳକ୍ରମେ କୃଷିରେ ଅନିଶ୍ଚିତତା ଏହି ସ୍ଥିତିକୁ ବଦଳାଇ ଦେଇଛି। ଏହାର କାରଣ ଭିତରେ ରହିଛି ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ବଜାର ସମସ୍ୟା, ଅନିୟମିତ ପାଣିପାଗ ଏବଂ ଗ୍ରାମାଞ୍ଚଳର ବିପର୍ଯ୍ୟସ୍ତ ଋଣ ବ୍ୟବସ୍ଥା। ମରାଠାଓ୍ୱାଡ଼ାର ବହୁ ଚାଷୀ ଋଣରେ ଡୁବି ଯାଇଛନ୍ତି।







