ଫେବୃଆରୀ ୨୦୧୮ର ଅନ୍ତିମ ସପ୍ତାହରେ ମୁଁ ଇତୁକୁଲାକୋଟା ଯାଇଥିବା ସମୟରେ ପୋଡିୟାମ ବାପିରାଜୁ ଓ ତାଙ୍କ ପରିବାର ଏକ ଟାରପୋଲିନ୍ ତମ୍ବୁରେ ରହୁଥିଲେ। ଆନ୍ଧ୍ରପ୍ରଦେଶର ପୋଲାଭରମ୍ ମଣ୍ଡଳରେ ଥିବା ଏହି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହେବା ଯୋଗୁଁ ସେମାନଙ୍କର ଇଟା ଓ ମାଟିରେ ତିଆରି ଚାରି ବଖରା ଘର ଅକ୍ଟୋବର ୧୦, ୨୦୧୭ରେ ଆଶିଂକ ଭୁଶୁଡ଼ି ପଡ଼ିଥିଲା।
୪୫ ବର୍ଷୀୟ କୋୟା ଆଦିବାସୀ କୃଷକ ବାପିରାଜୁ କହନ୍ତି, ‘ଆମେ ଆମର ବାସନକୁସନ, କୁକୁଡ଼ା, ଛେଳି (ଏବଂ ଅନ୍ୟାନ୍ୟ ସାମଗ୍ରୀ) ହରାଇଲୁ ଯାହାର ମୂଲ୍ୟ ୧୦,୦୦୦ ଟଙ୍କାରୁ ଅଧିକ। ଇତୁକୁଲାକୋଟା ହେଉଛି ଏକ ଆଦିବାସୀ ବହୁଳ ଅଞ୍ଚଳ, ଯେଉଁଠାରେ ପ୍ରାୟ ୧୮୦ କୋୟା ପରିବାର ବସବାସ କରନ୍ତି। ବାପିରାଜୁ ଦୁଇ ଏକର ଜମିରେ ପୋଡୁ(ଜଙ୍ଗଲ) ଚାଷ କରନ୍ତି ଏବଂ ଆଉ ତିନି ଏକର ଜମିକୁ ଏକର ପିଛା ବାର୍ଷିକ ୧୦,୦୦୦ ଟଙ୍କାରେ ଲିଜ୍ ନେଇଛନ୍ତି। ସେ କହନ୍ତି, ‘ମୁଁ ଏହି ପାଞ୍ଚ ଏକର ଜମିରେ ବିରି ଚାଷ କରେ। ବନ୍ୟା ଯୋଗୁ ସେହି ଫସଲ ନଷ୍ଟ ହୋଇଗଲା ଏବଂ ସେଥିରେ ମୁଁ ଜୁଲାଇ [୨୦୧୭]ରେ ଯେଉଁ ୭୦,୦୦୦ ଟଙ୍କା ବିନିଯୋଗ କରିଥିଲି ତାହା ପାଣିରେ ପଡ଼ିଲା। ’
ତମ୍ବୁ ପାଇଁ ବ୍ୟବହୃତ ଟାରପୋଲିନ୍ ସିଟ୍ର ମୂଲ୍ୟ ୨,୫୦୦ ଟଙ୍କା ହେବ, ଯାହାକୁ ବାପିରାଜୁ ଛଅ କିମି ଦୂର ପୋଲାଭରମ୍ ସହରରୁ କିଣିଥିଲେ। ନିକଟବର୍ତ୍ତୀ ଚାଷଜମିରେ କାମ କରି ଏବଂ କିଛି ଟଙ୍କା ସଞ୍ଚୟ କରି ସେ ଏହା କିଣିବାରେ ସକ୍ଷମ ହୋଇଥିଲେ। ସେତେବେଳ ଯାଏ ସେ ଓ ତାଙ୍କ ପରିବାର ମାସକରୁ ଅଧିକ ସମୟ ଖୋଲାଆକାଶ ତଳେ ବିତାଇ ସାରିଥିଲେ। ଏବଂ ନିଜର ଭଙ୍ଗା ଘର ପାଖରେ ରୋଷେଇ କରିବା ସହିତ ଶୋଉଥିଲେ। ସେତେବେଳେ ଶୀତଦିନ ଥିଲା ଏବଂ ଖୋଲା ଆକାଶ ତଳେ ଖୁବ୍ ଥଣ୍ଡା ଲାଗୁଥିଲା। ପଡେ଼ାଶୀମାନେ ଯେଉଁମାନଙ୍କର କଂକ୍ରିଟ ଘର ଥିଲା ଯାହାକି ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇନଥିଲା, ସେମାନେ ତାଙ୍କୁ ଖାଦ୍ୟ ଓ କମ୍ବଳ ଦେଇଥିଲେ।
ଯେତେବେଳେ ମୁଁ ପୁଣି ଏପ୍ରିଲ ମାସର ମଝିରେ ଇତୁକୁଲାକୋଟା ଯାଇଥିଲି, ବାପିରାଜୁ , ତାଙ୍କ ପତ୍ନୀ. ୨୨ ବର୍ଷୀୟ ପୁଅ ମୁତୟଲା ରାଓ, ବୋହୂ ଏବଂ ୧୯ ବର୍ଷୀୟ ଝିଅ ପ୍ରସନ୍ନା ଅଞ୍ଜଳି ସେବେ ବି ସେହି ତମ୍ବୁରେ ରହୁଥିଲେ। ରୋଷେଇ ପାଇଁ ଗୋଟିଏ ଅସ୍ଥାୟୀ ରୋଷେଇ ଘର ଓ ଗୋଟିଏ ଖୋଲା ଗାଧୁଆ ସ୍ଥାନ ଥିଲା। ଡିସେମ୍ବର ମାସରେ ସ୍ଥାନୀୟ ବ୍ୟବସାୟୀ ସଂଗଠନର ସଦସ୍ୟମାନେ ତମ୍ବୁ ପଛପଟେ ଆଜବେଷ୍ଟସର ଏକ ଆଶ୍ରୟସ୍ଥଳ ତିଆରି କରିଥିଲେ। ବାପିରାଜୁଙ୍କ ପରିବାର ରହିବା ପାଇଁ ଉଭୟକୁ ବ୍ୟବହାର କରୁଥିଲେ।
ମୋ ନିଜର ଗଣନା ଓ ଗାଁ ଲୋକଙ୍କ ହିସାବ ଅନୁସାରେ ବନ୍ୟାରେ ସେମାନଙ୍କ ଘର ହରାଇଥିବା ଆହୁରି ୧୬ଟି କୋୟା ପରିବାର, ଏହିପରି ଅବସ୍ଥାରେ ରହୁଥିଲେ।
ଅକ୍ଟୋବର ୨ରୁ ଅକ୍ଟୋବର ୧୨ ଯାଏଁ ୧୦ ଦିନ ମଧ୍ୟରେ ଗାଁରେ ତିନି ଥର ପାଣି ପଶିଥିଲା। ପ୍ରଥମ ଓ ଶେଷ ବନ୍ୟା ସାଧାରଣ ଥିଲା, କିନ୍ତୁ ଇତୁକୁଲକୋଟା ଦେଇ ଅକ୍ଟୋବର ୧୦ ତାରିଖରେ ଯେଉଁ ବନ୍ୟାପାଣି ପ୍ରବାହିତ ହୋଇଥିଲା, ତାହା ଖୁବ୍ କ୍ଷତି କରିଥିଲା। ସେତେବେଳେ ପ୍ରାୟ ତିନି ଫୁଟର ପାଣି ଆସିଥିଲା ଏବଂ ସୌଭାଗ୍ୟବଶତଃ ତା’ ଯୋଗୁଁ କୌଣସି ଲୋକଙ୍କ ଜୀବନ ହାନି ହୋଇନଥିଲା କାରଣ ଲୋକମାନେ ଗାଁରେ ଥିବା କଂକ୍ରିଟ ଘରର ଛାତ ଉପରକୁ ଚଢ଼ି ଯାଇଥିଲେ।
ପଶ୍ଚିମ ଗୋଦାବରୀ ଓ କୃଷ୍ଣା ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୧୭୪ କିମି ଲମ୍ବା ଇନ୍ଦିରାସାଗର(ପୋଲାଭରମ) ଡାହାଣ କେନାଲ, ୨୦୧୫-୨୦୧୬ ମଧ୍ୟରେ ଶେଷ ହୋଇଥିଲା। ପାପିକୋଣ୍ଡାଲୁ ପର୍ବତମାଳାର ପାଦଦେଶରେ ରହିଛି ଇତୁକୁଲାକୋଟା। ଗାଁ ହେଉଛି କେନାଲର ଆରମ୍ଭ ସ୍ଥାନା ଏହି କେନାଲ ଗୋଦାବରୀ ନଦୀରୁ କୃଷ୍ଣା ନଦୀକୁ ପାଣି ପ୍ରବାହିତ କରେ। ପାହାଡର ଶୀର୍ଷରେ ଥିବା ମେଟ୍ଟାପ୍ପାକୋଟା ଓ ସୁନ୍ନାଲାଗଣ୍ଡି (ଉଭୟ ଚେଗୋଣ୍ଡାପାଲେ ଗାଁର ଅଂଶ)ରୁ ବାହାରିଥିବା ଦୁଇଟି ଝର ତଳକୁ ପ୍ରବାହିତ ହୋଇ ଇତୁକୁଲାକୋଟାର ଟିକିଏ ପୂର୍ବରୁ ପରସ୍ପର ସହ ମିଶିଛନ୍ତି। ଏହି ବଡ଼ ଝରଣା ପରେ ଇତୁକୁଲାକୋଟାରେ ପୋଲାଭରମ୍ ଡାହାଣ କେନାଲ ସହ ମିଶିଛି।
ସେମାନଙ୍କ ସଂଯୋଗକୁ ଆଗକୁ ବଢାଇଛି ଛଅଟି ନାଳ। ଝରଣାରୁ କେନାଲକୁ ଜଳ ଭଲ ଭାବେ ପ୍ରବାହିତ ହେବା ପାଇଁ ଏହି ନାଳ ଗୁଡିକ ସାହାଯ୍ୟ କରିଥାଏ। ୨୦୧୬ର ବର୍ଷା ଦିନରେ ନାଳଗୁଡ଼ିକୁ ବନ୍ଦ କରାଯାଇନଥିଲା ଏବଂ ସେତେବେଳେ କୌଣସି ବନ୍ୟା ହୋଇନଥିଲା।
ଇତୁକୁଲାକୋଟାର ୫୮ ବର୍ଷୀୟ ଚାଷୀ ଶିବ ରାମକ୍ରିଷ୍ଣା କହନ୍ତି, ‘କିନ୍ତୁ ତାହା ଖୁବ୍ ଶୀଘ୍ର ବଦଳିଗଲା। ଚାରୋଟି ନାଳ ସଂପୂର୍ଣ୍ଣ ଭାବେ ଅବରୋଧ ହୋଇଗଲା, ଅନ୍ୟ ଦୁଇଟି ଆଶିଂକ ଭାବେ ପ୍ଲାଷ୍ଟିକ୍ ଯୋଗୁଁ ଅବରୋଧ ହୋଇଗଲା, ଯାହାକି ବନ୍ୟାର ପ୍ରାଥମିକ କାରଣ। ଶିବ ରାମକ୍ରିଷ୍ଣାଙ୍କର ଘର ବନ୍ୟା ଯୋଗୁ ପ୍ରଭାବିତ ହୋଇନଥିଲା। ଗ୍ରାମବାସୀ କହନ୍ତି, ଏଥିମଧ୍ୟରୁ ଅଧିକାଂଶ ପ୍ଲାଷ୍ଟିକ୍ ଇତୁକୁଲାକୋଟାର ଉପର ମୁଣ୍ଡରେ ଥିବା ଗାଁରୁ ଆସିଥିଲା।
ରାମକ୍ରିଷ୍ଣା ଆହୁରି କହନ୍ତି, “ବନ୍ୟା ଓ ତାହାଯୋଗୁ ହୋଇଥିବା ଏଭଳି ବିପୁଳ ପରିମାଣର ଧନସଂପତ୍ତି ନଷ୍ଟକୁ ଏଡ଼ାଇ ଦିଆଯାଇପାରିଥାନ୍ତା ଯଦି ଜଳସେଚନ ବିଭାଗ ଏବଂ ପୋଲାଭରମ୍ ପ୍ରକଳ୍ପ (ଜଳସମ୍ପଦ ବିଭାଗ)ର ଲୋକେ କିଛି ଦାୟିତ୍ୱବୋଧତାର ସହ କାମ କରିଥାନ୍ତେ ଏବଂ ସେହି ମାସରେ ହୋଇଥିବା ଛୋଟ ବନ୍ୟା ପରେ ନାଳଗୁଡ଼ିକୁ ସଫା କରାଇଥାନ୍ତେ”। ରାମକ୍ରିଷ୍ଣା ସିପିଆଇ, ମାର୍କ୍ସବାଦୀ ଦଳର ଜଣେ କର୍ମୀ ଏବଂ ଗାଁର ଏକମାତ୍ର ଅଣ-କୋୟା ପରିବାରର ବାସିନ୍ଦା।
୩୮ ବର୍ଷୀୟା ବିଧବା ମକଦମ ଲକ୍ଷ୍ମୀ ମଧ୍ୟ ବନ୍ୟାରେ ତାଙ୍କ ଘରକୁ ହରାଇଛନ୍ତି। ନଭେମ୍ବର ମାସର ପ୍ରଥମ ସପ୍ତାହରେ ପୋଲାଭରମ ସହରରୁ ସେ ୨,୦୦୦ ଟଙ୍କା ଦେଇ ଟାରପୋଲିନ୍ ସିଟ୍ କିଣଥିଲେ। ଫେବ୍ରୃଆରୀ ମାସରେ ଲକ୍ଷ୍ମୀଙ୍କୁ ଭେଟିବା ପରେ ସେ କହିଲେ, “ନିକଟବର୍ତ୍ତୀ ଘରର ଛାତ ଉପରେ ମୁଁ ଏକ ତମ୍ବୁ ତିଆରି କରିଛି। ମୋର ପଡେ଼ାଶୀମାନେ ଖୁବ୍ ଉଦାର, କିନ୍ତୁ ମୁଁ ସେଠାରେ ସବୁଦିନ ପାଇଁ ରହିପାରିବି ନାହିଁ।” ଜଙ୍ଗଲ ଜମିରେ ଥିବା ଲକ୍ଷ୍ମୀଙ୍କର ଗୋଟିଏ ଏକରର ଚାଷ ଜମି ତାଙ୍କର ଜୀବନଧାରଣର ଏକମାତ୍ର ଉତ୍ସ। ବନ୍ୟା ଯୋଗୁ ତାଙ୍କର ମକା ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା।
ସେ ଆହୁରି କହନ୍ତି, ‘ନିଯୁକ୍ତି ଶ୍ରମିକ (ମନରେଗା କାମ) ପାଇଁ ଯିବା ମଧ୍ୟ ମୁଁ ବନ୍ଦ କରିଦେଇଛି କାରଣ ସେମାନେ କାମ ସରିବା ପରେ ଟଙ୍କା ଦେଉନାହାନ୍ତି। ମୋର ସେମାନଙ୍କ ଉପରେ ୭,୦୦୦ ଟଙ୍କା ଅଛି। ଆମେ ମଣ୍ଡଳ ବିକାଶ କାର୍ଯ୍ୟାଳୟ(ପୋଲାଭରମ ସହରରେ ଥିବା) ନିକଟରେ ଅନେକ ଥର ବିକ୍ଷୋଭ ପ୍ରଦର୍ଶନ କରିସାରିଛୁ, କିନ୍ତୁ କେହି ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ’ତାଙ୍କୁ ମିଳିବାକୁ ଥିବା ଟଙ୍କା ଦ୍ୱାରା ଲକ୍ଷ୍ମୀ ନିଜ ଘରକୁ ପୁଣିଥରେ ନିର୍ମାଣ କରିବାକୁ ଆଶା ରଖିଛନ୍ତି ଏବଂ ଧୀରେ ଧୀରେ ତାଙ୍କ ଜଙ୍ଗଲ ଜମିକୁ ଚାଷ କରିବା ଆରମ୍ଭ କରିଛନ୍ତି।
ବନ୍ୟା ଯୋଗୁ ଭୁଶୁଡ଼ି ପଡ଼ିଥିବା ୧୭ଟି ଘର ବ୍ୟତୀତ ଆହୁରି ୨୦ଟି ଘର ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଭାଗ ଚାଷୀ ୫୦ ବର୍ଷୀୟ ଟମା ବାଲାରାଜୁ ଆକଳନ କରନ୍ତି, ‘ଗାଁର ମୋଟ ଚାଷ ଜମି ହେଉଛି ୩୦୦ ଏକର, ସେଥିମଧ୍ୟରୁ ୧୫୦ରୁ ଅଧିକ ଏକର ଜମିରେ ଫସଲ ନଷ୍ଟ ହୋଇଗଲା। ଟମା ବାଲାରାଜୁ ନିଜର ଲିଜ୍ ନେଇଥିବା ଜମିରେ ମୁଗ ଓ ବିରି ଚାଷ କରନ୍ତି। ପୋଡିୟାମ୍ ବାଲାରାଜୁଙ୍କ ଅନୁସାରେ ‘ବନ୍ୟାର ପାଞ୍ଚ ମାସ ପରେ ବି ଆମକୁ ସରକାରଙ୍କ ନିକଟରୁ ଟଙ୍କାଟିଏ କ୍ଷତିପୂରଣ ମିଳିନାହିଁ।’
ଘରକରଣା ଜିନିଷପତ୍ର ସହିତ ବାଲାରାଜୁ ୫୦,୦୦୦ ଟଙ୍କା ମୂଲ୍ୟର ଗୋଟିଏ ମଇଁଷି ଏବଂ ୧୦ଟି କୁକୁଡ଼ା ହରାଇଛନ୍ତି। ସେ କହନ୍ତି, ‘ ବନ୍ୟା ପାଣିରେ ଗାଁରୁ ଭାସିଯାଇଥିବା ମୋଟ ୨୫ଟି ଛେଳି, ୧୫୦ କୁକୁଡ଼ା, ବାସନକୁସନ, ପୋଷାକପତ୍ର ଏବଂ ଅନ୍ୟାନ୍ୟ ଜିନିଷପତ୍ରକୁ ପାଣି କମିବା ପରେ ନାଳ ନିକଟରେ ଦେଖାଯାଇଥିଲା [ପ୍ରାୟ ୩୦୦ ମିଟର ଭାସି ଯାଇଥିଲା]।’
ସେହି କ୍ଷୟକ୍ଷତିକୁ ଭରଣା କରିବାକୁ ଉଦ୍ୟମ କରୁଥିବା ସମୟରେ ସରକାରଙ୍କ ଉଦାସୀନତା ଗାଁ ଲୋକଙ୍କ ଦୁଃଖକୁ ଆହୁରି ବୃଦ୍ଧି କରିଛି। ବାଲାରାଜୁ କହନ୍ତି, ସରକାରୀ କାର୍ଯ୍ୟାନୁଷ୍ଠାନ ଅଭାବରୁ(ନାଳ ଅବରୋଧ ହେବାରୁ)ହୋଇଥିବା ଏହି ସମସ୍ୟାର ସମାଧାନ ପାଇଁ ସରକାର କେବଳ ସେମାନଙ୍କୁ ଦିନକ ପାଇଁ ଖାଇବାକୁ ଦେଇଥିଲେ। ଯେତେବେଳେ ଆଦିବାସୀମାନେ ରାଜସ୍ୱ ଡିଭିଜନାଲ ଅଧିକାରୀ (ଆରଡିଓ) ଏବଂ ମଣ୍ଡଳ ରାଜସ୍ୱ ଅଧିକାରୀ (ଏମଆରଓ)ଙ୍କ ନିକଟରେ ସେମାନଙ୍କ ଘରକୁ ପୁଣିଥରେ ନିର୍ମାଣ କରିବା ପାଇଁ ସହାୟତା ହେବା ଲାଗି ଅତି କମରେ ପରିବାର ପିଛା ୧୦,୦୦୦ ଟଙ୍କା ଦେବାକୁ ଦାବି କଲେ ସେତେବେଳେ ଅଧିକାରୀମାନେ ଖୁବ୍ କମ୍ ଲୋକ ଜାଣିଥିବା ଏକ ନିୟମକୁ ଦର୍ଶାଇଲେ। ସେମାନେ କହିଲେ ଯେ ଗ୍ରାମବାସୀମାନେ କ୍ଷତିପୂରଣ ପାଇଁ ଲାଗି ବନ୍ୟାଜଳ ଗାଁରେ ଅତି କମରେ ତିନି ଦିନ ଧରି ରହିବା ଆବଶ୍ୟକ।
ଯେତେବେଳେ ମୁଁ ତତ୍କାଳୀନ ଏମ୍ଆରଓଙ୍କୁ ଏହି ଆଇନ ସଂପର୍କରେ ପଚାରିଲି ସେ କହିଲେ, ‘ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫କୁ ଏକ ସରକାରୀ ନିର୍ଦ୍ଦେଶ ମାଧ୍ୟମରେ ଜାରି କରିଛନ୍ତି। ଯେତେବେଳେ ମୁଁ ତାଙ୍କୁ ସେହି ନିର୍ଦ୍ଦେଶର କ୍ରମିକ ନମ୍ବର ଓ କେଉଁ ବର୍ଷ ତାହା ପାରିତ ହୋଇଥିଲା ତାହା ପଚାରିଲି ସେ ମୋତେ କହିଲେ, ବର୍ତ୍ତମାନ ମୋ ପାଖରେ ତାକୁ ଯାଞ୍ଚ କରି ତୁମକୁ କହିବା ପାଇଁ ସମୟ ନାହିଁ।’ ମୁଁ ଯେତେବେଳେ ନୂଆ ଏମଆରଓ ସୁରେଶ କୁମାରଙ୍କ ସହିତ କଥାବାର୍ତ୍ତା କଲି, ସେ କହିଲେ, ‘ଏହି ସବୁ ପ୍ରସଙ୍ଗକୁ ପୂର୍ବବର୍ତ୍ତୀ ଏମଆରଓ ସମାଧାନ କରିସାରିଛନ୍ତି, ଏହି ପ୍ରସଙ୍ଗରେ ଅଫିସରେ କୌଣସି ଫାଇଲ ପଡ଼ିରହିନାହିଁ। ’
ଅକ୍ଟୋବର ୧୧ ତାରିଖରେ ଯେତେବେଳେ ଏମଆରଓ ପରିଦର୍ଶନରେ ଆସିଥିଲେ, ୧୮୦ କୋୟା ପରିବାରର ସଦସ୍ୟମାନେ ତାଙ୍କୁ ଘେରାଉ କରିଥିଲେ। ସେହିଦିନ ସନ୍ଧ୍ୟାରେ ସେମାନଙ୍କ ବିକ୍ଷୋଭ ଯୋଗୁ ସରକାର ପ୍ରତି ପରିବାରକୁ ୧୦ କିଲୋ ଲେଖାଏଁ ଚାଉଳ ଦେବାକୁ ବାଧ୍ୟ ହେଲେ। ବାପିରାଜୁ କହନ୍ତି, ଆମେ ଏଭଳି ଗୁରୁତର ସଙ୍କଟରେ ଫଶି ରହିଛୁ ଏବଂ ସେମାନେ ଆମ ଲୁହ ପୋଛିବା ପାଇଁ ମାତ୍ର ୧୦ କିଲୋ ଚାଉଳ ଦେଇଛନ୍ତି? ତାଙ୍କର ପୂଅ ମୁତୟଲା ନିକଟରେ ବାହା ହୋଇଛନ୍ତି ଏବଂ ତାଙ୍କର ରାସନ କାର୍ଡ ନାହିଁ। ‘ଏଇଟା ମୋ ପୁଅକୁ ୧୦ କିଲୋ ଚାଉଳ ଦେବାକୁ ମନା କରିବା ପାଇଁ ସରକାରୀ ଅଧିକାରୀଙ୍କ ନିକଟରେ ଯଥେଷ୍ଟକାରଣ ଥିଲା। ’
ମୁଡିୟାମ୍ ଶ୍ରୀନିବାସ, ପୋଲାଭରମ୍ ନିର୍ବାଚନମଣ୍ଡଳୀର ତେଲଗୁ ଦେଶମ ପାର୍ଟିର ବିଧାୟକ ଅକ୍ଟୋବର ୨୫ ତାରିଖରେ ଗାଁକୁ ପରିଦର୍ଶନରେ ଆସିଥିଲେ। ସେ ନିଜେ କୋୟା ସଂପ୍ରଦାୟର ହୋଇଥିବାବେଳେ ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ୧୫-୨୦ ମିନିଟ୍ ମଧ୍ୟରେ ପଳାଇଥିଲେ। ବାଲାରାଜୁ କହନ୍ତି, ‘ଆମେ ଅଧିକାରୀମାନଙ୍କ ଠାରୁ ହତାଶ ହୋଇ ସାରିଛୁ...’।
ସରକାର ଏମାନଙ୍କଠାରୁ ଅପହଞ୍ଚ ରହିଥିବାବେଳେ କିଛି ସଂସ୍ଥା ଓ ବ୍ୟକ୍ତି ଆଗେଇ ଆସିଥିଲେ ଏବଂ ପୀଡ଼ିତଙ୍କୁ ସହାୟତା କରିଥିଲେ। କେନ୍ଦ୍ର ସରକାରଙ୍କ ନିକଟରେ ଭାରତୀୟ ବ୍ୟବସାୟୀ ସଂଘ ଭାବେ ପଞ୍ଜିକୃତ ହୋଇଥିବା ବିଶାଖାପଟ୍ଟନମ୍ ଷ୍ଟିଲ ପ୍ଲାଣ୍ଟ କର୍ମଚାରୀ ସଂଘ ଯେଉଁ ୧୭ଟି ପରିବାରର ଘର ସଂପୂର୍ଣ୍ଣ ଭାବେ ଧ୍ୱସ୍ତ ହୋଇଯାଇଥିଲା ସେମାନଙ୍କୁ ୩ ଲକ୍ଷ ଟଙ୍କା ମୂଲ୍ୟର ଆଜବେଷ୍ଟସ ସେଡ୍ ଦାନ କରିଥିଲେ।
ବାପିରାଜୁ କହନ୍ତି, “ବନ୍ୟା ପରେ ପୁଣି ଥରେ ଚାଷ କରିବାକୁ ମୋତେ ଘରୋଇ ଋଣଦାତାଙ୍କଠାରୁ ଋଣ କରିବାକୁ ହେଲା। ”ଅନ୍ୟ ଆଦିବାସୀ ଚାଷୀଙ୍କ ଭଳି, ତାଙ୍କର ଋଣ ଯୋଗ୍ୟତା କାର୍ଡ (ଏଲ୍ଇସି) ବା ଜଙ୍ଗଲ ଜମି ପଟ୍ଟା ନାହିଁ, ଯାହା ତାଙ୍କୁ ଆନୁଷ୍ଠାନିକ ଋଣ ପାଇଁ ତାଙ୍କୁ ସାହାଯ୍ୟ କରିଥାନ୍ତା। ଜଙ୍ଗଲ ଅଧିକାର ଆଇନ ୨୦୦୬ ଜଙ୍ଗଲ ଜମିରେ ଚାଷ କରିବାକୁ ଆଦିବାସୀଙ୍କୁ ଅଧିକାର ଦେଉଛି ଏବଂ ଜଙ୍ଗଲ ବିଭାଗ ଆଦିବାସୀ ଚାଷୀଙ୍କୁ ଜମି ମାଲିକାନା ଦେବାକୁ ଏହି ଆଇନରେ ନିୟମ ରହିଛି। ଏବଂ ଆନ୍ଧ୍ରପ୍ରଦେଶ ଜମି ଲାଇସେନ୍ସ ଚାଷୀ ଆଇନ ୨୦୧୧ରେ କୁହାଯାଇଛି, ଯେମ ରାଜସ୍ୱ ବିଭାଗ ଜମି ଚାଷ କରୁଥିବା ସବୁ ଚାଷୀଙ୍କୁ ଏଲ୍ଇସି ଦେବ, ଯାହା ଫଳରେ ସେମାନେ ଆନୁଷ୍ଠାନିକ ଋଣ ପାଇପାରିବେ। ଏ ଦୁଇଟି ଯାକ ନ ଥିବାରୁ ବର୍ଷ ବର୍ଷ ଧରି ବାପିରାଜୁ ୩୬ ପ୍ରତିଶତ ଋଣରେ ୨ ଲକ୍ଷ ଟଙ୍କାର ଋଣ ଆଣିଛନ୍ତି।
ଗତ ଡିସେମ୍ବରରେ ଚାଷ କରି ମାର୍ଚ୍ଚ ୨୦୧୮ରେ ଅମଳ କରିଥିବା ବିରି ଫସଲରୁ ବାହାରିଥିବା ଅର୍ଥରୁ ସେ କିଛି ସଞ୍ଚୟ କରିଛନ୍ତି, ଏହି ଅର୍ଥରେ ସେ ତାଙ୍କ ଘର ତିଆରି କରିବାର ଯୋଜନା କରୁଛନ୍ତି। ତାଙ୍କୁ ଋଣ ପରିଶୋଧ କରିବାକୁ ଆହୁରି ବର୍ଷେ କିମ୍ବା ଦୁଇ ବର୍ଷ ସମୟ ଲାଗିଯିବ। କିନ୍ତୁ ସେହି ସମୟ ଭିତରେ ସେ ପୁଣି ଋଣ କରିପାରନ୍ତି। ଏବଂ ଆସନ୍ତା ବର୍ଷା ଦିନରେ ଗାଁରେ ପୁଣି ବନ୍ୟା ଆସିପାରେ।
ଅନୁବାଦ: ଓଡ଼ିଶାଲାଇଭ୍