ଫେବୃଆରୀ ୨୦୧୮ର ଅନ୍ତିମ ସପ୍ତାହରେ ମୁଁ ଇତୁକୁଲାକୋଟା ଯାଇଥିବା ସମୟରେ ପୋଡିୟାମ ବାପିରାଜୁ ଓ ତାଙ୍କ ପରିବାର ଏକ ଟାରପୋଲିନ୍ ତମ୍ବୁରେ ରହୁଥିଲେ। ଆନ୍ଧ୍ରପ୍ରଦେଶର ପୋଲାଭରମ୍ ମଣ୍ଡଳରେ ଥିବା ଏହି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହେବା ଯୋଗୁଁ ସେମାନଙ୍କର ଇଟା ଓ ମାଟିରେ ତିଆରି ଚାରି ବଖରା ଘର ଅକ୍ଟୋବର ୧୦, ୨୦୧୭ରେ ଆଶିଂକ ଭୁଶୁଡ଼ି ପଡ଼ିଥିଲା।
୪୫ ବର୍ଷୀୟ କୋୟା ଆଦିବାସୀ କୃଷକ ବାପିରାଜୁ କହନ୍ତି, ‘ଆମେ ଆମର ବାସନକୁସନ, କୁକୁଡ଼ା, ଛେଳି (ଏବଂ ଅନ୍ୟାନ୍ୟ ସାମଗ୍ରୀ) ହରାଇଲୁ ଯାହାର ମୂଲ୍ୟ ୧୦,୦୦୦ ଟଙ୍କାରୁ ଅଧିକ। ଇତୁକୁଲାକୋଟା ହେଉଛି ଏକ ଆଦିବାସୀ ବହୁଳ ଅଞ୍ଚଳ, ଯେଉଁଠାରେ ପ୍ରାୟ ୧୮୦ କୋୟା ପରିବାର ବସବାସ କରନ୍ତି। ବାପିରାଜୁ ଦୁଇ ଏକର ଜମିରେ ପୋଡୁ(ଜଙ୍ଗଲ) ଚାଷ କରନ୍ତି ଏବଂ ଆଉ ତିନି ଏକର ଜମିକୁ ଏକର ପିଛା ବାର୍ଷିକ ୧୦,୦୦୦ ଟଙ୍କାରେ ଲିଜ୍ ନେଇଛନ୍ତି। ସେ କହନ୍ତି, ‘ମୁଁ ଏହି ପାଞ୍ଚ ଏକର ଜମିରେ ବିରି ଚାଷ କରେ। ବନ୍ୟା ଯୋଗୁ ସେହି ଫସଲ ନଷ୍ଟ ହୋଇଗଲା ଏବଂ ସେଥିରେ ମୁଁ ଜୁଲାଇ [୨୦୧୭]ରେ ଯେଉଁ ୭୦,୦୦୦ ଟଙ୍କା ବିନିଯୋଗ କରିଥିଲି ତାହା ପାଣିରେ ପଡ଼ିଲା। ’
ତମ୍ବୁ ପାଇଁ ବ୍ୟବହୃତ ଟାରପୋଲିନ୍ ସିଟ୍ର ମୂଲ୍ୟ ୨,୫୦୦ ଟଙ୍କା ହେବ, ଯାହାକୁ ବାପିରାଜୁ ଛଅ କିମି ଦୂର ପୋଲାଭରମ୍ ସହରରୁ କିଣିଥିଲେ। ନିକଟବର୍ତ୍ତୀ ଚାଷଜମିରେ କାମ କରି ଏବଂ କିଛି ଟଙ୍କା ସଞ୍ଚୟ କରି ସେ ଏହା କିଣିବାରେ ସକ୍ଷମ ହୋଇଥିଲେ। ସେତେବେଳ ଯାଏ ସେ ଓ ତାଙ୍କ ପରିବାର ମାସକରୁ ଅଧିକ ସମୟ ଖୋଲାଆକାଶ ତଳେ ବିତାଇ ସାରିଥିଲେ। ଏବଂ ନିଜର ଭଙ୍ଗା ଘର ପାଖରେ ରୋଷେଇ କରିବା ସହିତ ଶୋଉଥିଲେ। ସେତେବେଳେ ଶୀତଦିନ ଥିଲା ଏବଂ ଖୋଲା ଆକାଶ ତଳେ ଖୁବ୍ ଥଣ୍ଡା ଲାଗୁଥିଲା। ପଡେ଼ାଶୀମାନେ ଯେଉଁମାନଙ୍କର କଂକ୍ରିଟ ଘର ଥିଲା ଯାହାକି ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇନଥିଲା, ସେମାନେ ତାଙ୍କୁ ଖାଦ୍ୟ ଓ କମ୍ବଳ ଦେଇଥିଲେ।
ଯେତେବେଳେ ମୁଁ ପୁଣି ଏପ୍ରିଲ ମାସର ମଝିରେ ଇତୁକୁଲାକୋଟା ଯାଇଥିଲି, ବାପିରାଜୁ , ତାଙ୍କ ପତ୍ନୀ. ୨୨ ବର୍ଷୀୟ ପୁଅ ମୁତୟଲା ରାଓ, ବୋହୂ ଏବଂ ୧୯ ବର୍ଷୀୟ ଝିଅ ପ୍ରସନ୍ନା ଅଞ୍ଜଳି ସେବେ ବି ସେହି ତମ୍ବୁରେ ରହୁଥିଲେ। ରୋଷେଇ ପାଇଁ ଗୋଟିଏ ଅସ୍ଥାୟୀ ରୋଷେଇ ଘର ଓ ଗୋଟିଏ ଖୋଲା ଗାଧୁଆ ସ୍ଥାନ ଥିଲା। ଡିସେମ୍ବର ମାସରେ ସ୍ଥାନୀୟ ବ୍ୟବସାୟୀ ସଂଗଠନର ସଦସ୍ୟମାନେ ତମ୍ବୁ ପଛପଟେ ଆଜବେଷ୍ଟସର ଏକ ଆଶ୍ରୟସ୍ଥଳ ତିଆରି କରିଥିଲେ। ବାପିରାଜୁଙ୍କ ପରିବାର ରହିବା ପାଇଁ ଉଭୟକୁ ବ୍ୟବହାର କରୁଥିଲେ।
ମୋ ନିଜର ଗଣନା ଓ ଗାଁ ଲୋକଙ୍କ ହିସାବ ଅନୁସାରେ ବନ୍ୟାରେ ସେମାନଙ୍କ ଘର ହରାଇଥିବା ଆହୁରି ୧୬ଟି କୋୟା ପରିବାର, ଏହିପରି ଅବସ୍ଥାରେ ରହୁଥିଲେ।









