ମୌସୁମୀର ପ୍ରଥମ ବର୍ଷା ସବୁବେଳେ ସାନିଆ ମୁଲ୍ଲାନୀଙ୍କୁ ତାଙ୍କ ଜନ୍ମ ଦିନ ସହ ଜଡ଼ିତ ଏକ ଭବିଷ୍ୟବାଣୀ ସମ୍ପର୍କରେ ସ୍ମରଣ କରାଇ ଦେଇଥାଏ।
୨୦୦୫ ଜୁଲାଇ ମାସରେ ଏକ ପ୍ରଳୟଙ୍କରୀ ବନ୍ୟା ଆସି ମହାରାଷ୍ଟ୍ରରେ ୧,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୨୦ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ, ଏହାର ଗୋଟିଏ ସପ୍ତାହ ପରେ ତାଙ୍କର ଜନ୍ମ ହୋଇଥିଲା। ‘‘ସେ ବନ୍ୟା ସମୟରେ ଜନ୍ମ ନେଇଛି; ଜୀବନର ଅଧିକାଂଶ ସମୟ ସେ ବନ୍ୟାରେ ବିତାଇବ,’’ ଲୋକମାନେ ତାଙ୍କର ମାତାପିତାଙ୍କୁ କହିଥିଲେ।
୨୦୨୨ ଜୁଲାଇ ମାସର ପ୍ରଥମ ସପ୍ତାହରେ ଯେତେବେଳେ ପ୍ରବଳ ବର୍ଷା ଆରମ୍ଭ ହେଲା ୧୭ ବର୍ଷୀୟା ସାନିଆଙ୍କର ପୁଣିଥରେ ସେହି କଥା ମନେ ପଡ଼ିଥିଲା। ‘‘ପାନି ବଢ଼ତ ଚଲେ [ଜଳସ୍ତର ବଢ଼ି ଚାଲିଛି] ବୋଲି ଯେତେବେଳେ ମୁଁ ଶୁଣେ, ଆଉ ଏକ ବନ୍ୟା ଭୟ ମୋତେ ଘାରିଥାଏ,’’ ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲା ଅନ୍ତର୍ଗତ ହଟକାଙ୍ଗଲେ ତାଲୁକାର ଭିଣ୍ଡେୱାଡ଼େ ଗାଁର ବାସିନ୍ଦା ସାନିଆ କୁହନ୍ତି। ଏହି ଗାଁ ଏବଂ ଏହାର ୪,୬୮୬ ଜଣ ବାସିନ୍ଦା ୨୦୧୯ ପରଠାରୁ ଦୁଇଟି ବିନାଶକାରୀ ବନ୍ୟା ଦେଖିସାରିଲେଣି।
‘‘୨୦୧୯ ଅଗଷ୍ଟ ମାସର ବନ୍ୟାରେ, ମାତ୍ର ୨୪ ଘଣ୍ଟା ମଧ୍ୟରେ ଆମ ଘର ଭିତରେ ଜଳସ୍ତର ସାତ ଫୁଟ ପର୍ଯ୍ୟନ୍ତ ବଢ଼ିଯାଇଥିଲା,’’ ସାନିଆ ସେଦିନ କଥା ମନେ ପକାଇ କୁହନ୍ତି। ସେମାନଙ୍କ ଘର ଭିତରେ ପାଣି ପଶିବା ମାତ୍ରେ ମୁଲ୍ଲାନୀ ପରିବାର ସୁରକ୍ଷିତ ଭାବେ ବାହାରି ଯିବାକୁ ସକ୍ଷମ ହୋଇଥିଲେ, କିନ୍ତୁ ସେହି ଘଟଣା ସାନିଆଙ୍କୁ ଖୁବ୍ ମାନସିକ ଆଘାତ ଦେଇଥିଲା।
୨୦୨୧ ଜୁଲାଇ ମାସରେ ପୁଣିଥରେ ଗାଁକୁ ବନ୍ୟା ଆସିଥିଲା। ଏଥର, ଗାଁ ବାହାରେ ଥିବା ଏକ ରିଲିଫ ଆଶ୍ରୟସ୍ଥଳୀରେ ଏହି ପରିବାର ତିନି ସପ୍ତାହ ପାଇଁ ରହିଥିଲେ, ଗାଁ କର୍ତ୍ତୃପକ୍ଷଙ୍କ ଦ୍ୱାରା ସୁରକ୍ଷିତ ଘୋଷଣା କରାଯିବା ପରେ ଯାଇ ସେମାନେ ଘରକୁ ଫେରିଥିଲେ।
ଟାଏକୋଣ୍ଡୋ ଚାମ୍ପିଅନ ସାନିଆଙ୍କର ବ୍ଲାକବେଲ୍ଟ ପାଇବା ପାଇଁ ପ୍ରଶିକ୍ଷଣ ୨୦୧୯ ବନ୍ୟା ପରଠାରୁ ବାଧାପ୍ରାପ୍ତ ହୋଇଛି। ଗତ ତିନି ବର୍ଷ ଧରି ତାଙ୍କ ଭିତରେ ଥକ୍କାପଣ, ଅସ୍ଥିରତା, ବିରକ୍ତି ଭାବନା ଓ ଭୟ ବୃଦ୍ଧି ଭଳି ସମସ୍ୟା ଦେଖା ଦେଇଛି। ‘‘ମୁଁ ମୋ ପ୍ରଶିକ୍ଷଣରେ ମନୋନିବେଶ କରିପାରୁ ନାହିଁ,’’ ସେ କୁହନ୍ତି। ‘‘ମୋ ପ୍ରଶିକ୍ଷଣ ଏବେ ବର୍ଷା ଉପରେ ନିର୍ଭରଶୀଳ ହୋଇଯାଇଛି।’’





















