ଏଠାରେ, ଅନନ୍ତପୁର ରବିବାର ଏପ୍ରିଲ ୫ ତାରିଖ ପାଇଁ ନିଜକୁ ପ୍ରସ୍ତୁତ କରୁଛି। “ଆମମାନଙ୍କୁ ଘେରି ରହିଥିବା ଅନ୍ଧକାର ଦୂର କରିବା’’ ଲାଗି ମହମବତି, ଲ୍ୟାମ୍ପ, ମୋବାଇଲ ଟର୍ଚ୍ଚ ରାତି ୯ଟାରେ ୯ ମିନିଟ ପାଇଁ ଜଳାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ଡାକରାକୁ ଏହା କିଭଳି ଭାବେ ଗ୍ରହଣ କରିବ? ଏହା ସାମାନ୍ୟ ବିପଜ୍ଜନକ ହୋଇପାରେ, କାରଣ ଏଠାରେ ମୋର ପଡ଼ୋଶୀ ଅଞ୍ଚଳ ସଙ୍ଗମେଶ ନଗରରେ ଚାରିଆଡ଼େ ବାଉଁଶ ଗଦା ହୋଇପଡ଼ିଛି, ଯାହାକି ଖୁବ ସହଜରେ ଜଳିଯାଇପାରେ, ଏବଂ ଏଠି ୫ରୁ ୬ଟି ପରିବାର ପାଇଁ ଗୋଟିଏ ବାଲକୋନି ରହିଛି ଯେଉଁଠି ସେମାନଙ୍କୁ ଏକ ସମୟରେ ଛିଡ଼ା ହେବାକୁ ପଡ଼ିବ ।
ମାର୍ଚ୍ଚ ୧୯ ପରଠାରୁ ମୋ ପରିବାର ଆତ୍ମଘୋଷିତ ଲକଡାଉନକୁ ଚାଲିଯାଇଥିଲା। କମ୍ ଆୟକାରୀ, ଅଧିକାଂଶ ଶ୍ରମିକ ଶ୍ରେଣୀର ଲୋକଙ୍କୁ ନେଇ ଏ ସହର କିଭଳି ଭାବେ ଏଥିପାଇଁ ସହଯୋଗ କରିବ ତାହା ଦେଖିବା ଓ ହୃଦବୋଧ କରିବା ଲାଗି ଏହା ମୋତେ ଯଥେଷ୍ଟ ସମୟ ଦେଇଥିଲା।
“କରୋନା ଭୂତାଣୁ ଚିତ୍ତୁରରେ ପହଞ୍ଚିସାରିଛି, କିନ୍ତୁ ଏହା ଅନନ୍ତପୁରକୁ ଆସିବ ନାହିଁ। ଏଠାରେ ଅତି ଗରମ ପରିବେଶ, ତେଣୁ ଭୂତାଣୁ ତିଷ୍ଠି ପାରିବ ନାହିଁ,” ବୋଲି ମୋ ପୁରୁଣା ସ୍କୁଲର ବସ ଡ୍ରାଇଭର ମୋତେ ମାର୍ଚ୍ଚ ୧୭ ତାରିଖରେ କହିଥିଲେ । ଏହା ଅତ୍ୟନ୍ତ ସରଳ ପ୍ରତିକ୍ରିୟା ଥିଲା କିନ୍ତୁ ଅଧିକାଂଶ ଲୋକଙ୍କ ଚିନ୍ତାଧାରାକୁ ପ୍ରତିଫଳିତ କରୁଥିଲା। ମହାମାରୀର ଜରୁରି ସ୍ଥିତି ଅନନ୍ତପୁରରେ ଅଧିକାଂଶ ଲୋକଙ୍କୁ ପ୍ରଭାବିତ କରିନଥିଲା। ସେତେବେଳେ, ଆଦୌ ନୁହେଁ ।
ଆନ୍ଧ୍ର ପ୍ରଦେଶର ରାୟଲସୀମା ଅଞ୍ଚଳରେ ଥିବା ଅନନ୍ତପୁର ଜିଲ୍ଲାର ମୁଖ୍ୟାଳୟ ଅନନ୍ତପୁର ସହରସ୍ଥିତ ସଙ୍ଗମେଶ ନଗରର ସଙ୍କୀର୍ଣ୍ଣ ଗଳିରେ କିଛି ପିଲା ଏଣେତେଣେ ଦୌଡ଼ାଦୌଡ଼ି କରୁଛନ୍ତି । ସ୍କୁଲ ଛୁଟି ଓ ପରୀକ୍ଷା ବାତିଲ ହୋଇଯାଇଥିବା କାରଣରୁ ସେମାନଙ୍କ ଭିତରେ ଏକ ନୂତନ ଉତ୍ସାହ ଦେଖିବାକୁ ମିଳିଛି । ମାର୍ଚ୍ଚ ୨୯ ରବିବାର ବିଳମ୍ବିତ ପ୍ରହରରେ ପରିବା ବଜାରରେ ଲୋକମାନେ ଭିଡ଼ ଜମାଇଥିଲେ । ଚିକେନ ଦର ବୃଦ୍ଧି ପାଇଛି ।



