ଅନନ୍ତପୁର ମଣ୍ଡଳର କୁରୁଗୁଣ୍ଟା ଗ୍ରାମର ୩୫ବର୍ଷ ବୟସ୍କା ମହିଳା ଚାଷୀ ସି.ଆଲିଭେଲାମ୍ମା କୁହନ୍ତି, “ଏହି ଫଟୋ ହିଁ ମୋର ରକ୍ଷକ । ମୋର ଦୃଢ଼ତା । ଆମେ ଏଠାକୁ ନ୍ୟାୟ ପାଇଁ ଆସିଛୁ, ଯଦ୍ଦ୍ୱାରା କୃଷକମାନେ ଆତ୍ମହତ୍ୟା କରିବେ ନାହିଁ ।” ଆଲିଭେଲ୍ଲାମା ନିଜର ଏଟିଏମ୍ କାର୍ଡ ସହ ଏକ ଛୋଟ ପ୍ୟାକେଟ୍ରେ ତାଙ୍କ ସ୍ୱାମୀଙ୍କ ଫଟୋ ରଖନ୍ତି ।
ଆଲିଭେଲାମ୍ମାଙ୍କ ସ୍ୱାମୀ ଶ୍ରୀ ଭେଙ୍କେଟରାମୁଡୁ ଜଣେ ଭାଗ ଚାଷୀ ଥିଲେ । ୨୦୧୩ ମସିହାରେ ବାଦାମ ସଂରକ୍ଷଣ ପାଇଁ ବ୍ୟବହାର ହେଉଥିବା ରାସାୟନିକ ଟାବଲେଟ୍ ଖାଇ ସେ ଆତ୍ମହତ୍ୟା କରିଥିଲେ । ଆଲିଭେଲ୍ଲାମା କୁହନ୍ତି, “ସେ ମୋତେ କହିଥିଲେ, ଅନେକ ଋଣ ଅଛି ଏବଂ ଫସଲରୁ ଲାଭ ମିଳୁନାହିଁ । ସେ ବାରମ୍ବାର ମୋତେ କହୁଥିଲେ ଯେ ଋଣ ଦାତାମାନେ ଅର୍ଥ ମାଗୁଛନ୍ତି, ମୁଁ ଭିତରେ ଭିତରେ ଅସ୍ତବ୍ୟସ୍ତ ହୋଇଯାଉଛି । ମୁଁ ଜାଣିନି, କ’ଣ କରିବାକୁ ହେବ । ଏପରିକି ବାଦାମ ବୁଣିବା ପାଇଁ ଅର୍ଥ ଯୋଗାଡ଼ କରିପାରିବି କି ନାହିଁ ।” ଆଲିଭେଲାମ୍ମା ବାରମ୍ବାର ତାଙ୍କ ସ୍ୱାମୀଙ୍କୁ ବାଦାମ ଚାଷ ବନ୍ଦ କରିବାକୁ କହୁଥିଲେ, କିନ୍ତୁ ସେ ସବୁବେଳେ ବାଦାମ ଚାଷ ଉପରେ ଜୋର୍ ଦେଉଥିଲେ ଏବଂ କହୁଥିଲେ, “ଯେଉଁଠୁ ହରାଇଛେ (ଯେଉଁ ଅର୍ଥ ହରାଇଛୁ) ସେଇଠାରୁ ହିଁ ଖୋଜିବା ଉଚିତ୍ ।”



