‘‘ସାଲେତ୍ ଜାୟଚାୟ… ସାଲେତ୍… ବୈଭବ… ବୈଭବ… ସାଲେତ୍… [ସ୍କୁଲ୍ ଯିବାକୁ ଚାହୁଁଛି… ସ୍କୁଲ୍… ସ୍କୁଲ୍…]।’’
ସେଠାରେ ନଥିବା ଜଣେ ସହପାଠୀ ଉଦ୍ଦେଶ୍ୟରେ ଡାକି ପ୍ରତୀକ ଏହାକୁ ବାରମ୍ବାର ପୁନରାବୃତ୍ତି କରେ । ସେ ତା’ର ବଖୁରିଆ ମାଟି ଘରର କବାଟ ପାଖରେ ବସିଛି, ପାଖରେ ଖେଳୁଥିବା ଦଳେ ପିଲା ହସୁଥିବା ଏବଂ ଖେଳୁଥିବା ଦେଖୁଛି । ଏହି ୧୩ ବର୍ଷର ବାଳକଟି ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେହିଠାରେ ବସିଥାଏ କିମ୍ବା ସେ ସାମ୍ନା ଅଗଣାରେ ଏକ ଗଛକୁ ଆଉଜି ଛିଡ଼ା ହୋଇ ନିଜ ଦୁନିଆକୁ ଦେଖୁଥାଏ, ଏହି ଦୁନିଆ ଯାହା ପ୍ରାୟ ୧୧ ମାସ ହେବ ସେହି କବାଟ ଏବଂ କିଛି ଗଛ ଓ ଗୋଟିଏ ଗୁହାଳ ଥିବା ଅଗଣା ଆଗକୁ କଦବା କ୍ୱଚିତ୍ ଯାଇଛି ।
ରାଶିନ୍ ଗାଁର ଅନ୍ୟପିଲାମାନେ ପ୍ରତୀକ ସହ ଖେଳନ୍ତି ନାହିଁ । ତାଙ୍କର ୩୨ ବର୍ଷ ବୟସ୍କା ମାଆ ସାରଦା ରାଉତ ଏହାର କାରଣ ବୁଝାଇ କୁହନ୍ତି, ‘‘ଏହି ପିଲାମାନେ ସେ କ’ଣ କହୁଛି ତାହା ବୁଝିପାରନ୍ତି ନାହିଁ । ସେ ଏକୁଟିଆ ରୁହେ ।’’ ସେ ଲକ୍ଷ୍ୟ କରିଥିଲେ ଯେ ପ୍ରତୀକ ଗାଁର ଅନ୍ୟ ବାଳକମାନଙ୍କଠାରୁ ଏବଂ ଏପରିକି ତାଙ୍କର ବଡ଼ ସନ୍ତାନଠାରୁ ଭିନ୍ନ ଥିଲା । ସେ ଅଧିକ ଶିଖିବାକୁ ସକ୍ଷମ ନଥିଲା କିମ୍ବା ୧୦ ବର୍ଷ ବୟସ ପର୍ଯ୍ୟନ୍ତ ନିଜର ଯତ୍ନ ନେବାକୁ ମଧ୍ୟ ସମର୍ଥ ନଥିଲା ।
ଯେତେବେଳେ ତାକୁ ଆଠ ବର୍ଷ ବୟସ ହୋଇଥିଲା, ପ୍ରତୀକଠାରେ ହାଲ୍କା ଡାଉନ୍ ସିଣ୍ଡ୍ରୋମ୍ ଚିହ୍ନଟ ହୋଇଥିଲା । ଅହମ୍ମଦନଗର ଜିଲ୍ଲାର କାର୍ଜାତ୍ ତାଲୁକାରେ ଥିବା ତାଙ୍କ ଗ୍ରାମଠାରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ସୋଲାପୁରର ସରକାର ପରିଚାଳିତ ଶ୍ରୀ ଛତ୍ରପତି ଶିବାଜୀ ମହାରାଜ ସର୍ବୋପଚାରରେ ଏହା ଚିହ୍ନଟ ହୋଇଥିଲା । ଶାରଦା ମନେପକାଇ କୁହନ୍ତି, ‘’୧୦ ବର୍ଷ ବୟସ ପର୍ଯ୍ୟନ୍ତ ସେ କଥା କହିପାରୁନଥିଲା । କିନ୍ତୁ ଏହା ପରେ ସେ ସ୍କୁଲ୍ ଯିବା ଆରମ୍ଭ କଲା ଏବଂ ସେବେଠାରୁ ସେ ମୋତେ ଆଇ (ମାଆ) ଡାକୁଛି । ସେ ନିଜେ ଶୌଚାଳୟକୁ ଯାଉଛି ଏବଂ ନିଜେ ଗାଧୋଉଛି । ମୋ ପୁଅ ପାଇଁ ସ୍କୁଲ୍ ଗୁରୁତ୍ୱପୂର୍ଣ୍ଣ । ସେ କେତୋଟି ନୂତନ ଅକ୍ଷର ଶିଖିଛି ଏବଂ ଯଦି ସେ ଏହା ଜାରି ରଖେ ତେବେ ଉନ୍ନତି କରିପାରିବ। କିନ୍ତୁ ଏହି ମହାମାରୀ [ପାଣ୍ଡେମିକ୍]!’’ ସେ ବିଳାପ କରନ୍ତି ।
ମାର୍ଚ୍ଚ ୨୦୨୦ରେ କୋଭିଡ୍ – ୧୯ ମହାମାରୀ ଆରମ୍ଭ ହେବା ସମୟରେ ଯେଉଁ ଆବାସିକ ବିଦ୍ୟାଳୟକୁ ପ୍ରତୀକ ଯାଉଥିଲା ତାହା ବନ୍ଦ ହୋଇଯାଇଥିଲା । ସେ ସେଠାରେ ଥିବା ୬ରୁ ୧୮ ବର୍ଷ ବୟସର ଥିବା ୨୫ ଜଣ ବୌଦ୍ଧିକ ଅକ୍ଷମତା ବିଶିଷ୍ଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଥିଲା – ସେ ସମସ୍ତଙ୍କୁ ସେମାନଙ୍କର ପରିବାର ନିକଟକୁ ପଠାଇ ଦିଆଯାଇଥିଲା ।











