ନିର୍ମାଣ ସ୍ଥଳରେ କାମ ସାରି ତିନିଜଣ ଯୁବକ ମାରି ଗାଁର ଘରକୁ ଫେରୁଥିଲେ। “ପନ୍ଦର ବର୍ଷ ତଳର କଥା”, ସେମାନଙ୍କ ଭିତରୁ ଅଜୟ ପାଶୱାନ ମନେ ପକେଇଲା। ଆମ ଗାଁର ନିଶୁନ ଜାଗାରେ ଥିବା ମସଜିଦ ପାଖ ଦେଇ ଆମେ ଯାଉଥିଲୁ, ଓ ଭାବିଲୁ ଭିତରେ ପଶି ଟିକେ ଦେଖିବୁ। ଆମେ କୌତୁହଳୀ ହେଲୁ।’’
ଚଟାଣରେ ଶିଉଳି ଚଢି ଯାଇଥିଲା ଓ ବୁଦୁବୁଦୁକିଆ ଜଙ୍ଗଲ ଚାରିଆଡ଼େ ମାଡ଼ି ଯାଇଥିଲା।
“ଭିତରକୁ ଗଲା ପରେ ଆମ ମନ ବଦଳିଗଲା”, ୩୩-ବର୍ଷୀୟ ଦିନ ମଜୁରିଆ ଶ୍ରମିକ କହନ୍ତି, “ହୁଏତ ଆଲ୍ଲା ଆମେ ଭିତରକୁ ଯିବାକୁ ଚାହୁଁଥିଲେ”।
ସେହି ତିନି ଜଣ – ଅଜୟ ପାଶୱାନ, ବାଖୋରୀ ବିନ୍ଦ ଓ ଗୌତମ ପ୍ରସାଦ – ଜାଗାଟିକୁ ସଫା କରିବାକୁ ନିଷ୍ପତ୍ତି ନେଲେ। “ଆମେ ସେ ବୁଦୁବୁଦୁକିଆ ଜଙ୍ଗଲକୁ ସଫା କଲୁ ଓ ମସଜିଦରେ ରଙ୍ଗ ଦେଲୁ”, ଅଜୟ କହନ୍ତି। ସେମାନେ ସନ୍ଧ୍ୟା ଦୀପ ମଧ୍ୟ ଲଗାଇଲେ।
ସେହି ତିନିଜଣ ଗୋଟିଏ ସାଉଣ୍ଡ ସିଷ୍ଟମ ଲଗାଇଲେ ଓ ମସଜିଦର ଗମ୍ବୁଜ ଉପରେ ଡାକବାଜି ଯନ୍ତ୍ର ଝୁଲାଇଲେ। “ଆମେ ସାଉଣ୍ଡ ସିଷ୍ଟମ ମାଧ୍ୟମରେ ଆଜାନ (ପ୍ରାର୍ଥନା) ବୋଲିବାକୁ ଚାହିଁଲୁ”, ଅଜୟ କହିବା ଜାରି ରଖିଲେ, “ଓ ଖୁବ ଶୀଘ୍ର ସମସ୍ତ ମୁସଲିମଙ୍କୁ ଆସିବା ପାଇଁ, ନାଳନ୍ଦା ଜିଲ୍ଲା ମାରି ଗାଁରେ ଦିନକୁ ପାଞ୍ଚ ଥର, ଆଜାନ ବୋଲିବା ଆରମ୍ଭ ହେଲା”।
![](/media/images/02a-PXL_20240222_083612304.PORTRAIT-UKR_an.max-1400x1120.jpg)
![](/media/images/02b-DSC01364-UKR_and_SK-The_mosque_at_Mari.max-1400x1120.jpg)
ଅଜୟ ପାଶୱାନ (ବାମରେ) ତାଙ୍କ ଦୁଇ ବନ୍ଧୁଙ୍କ ସହ ବିହାରର ନାଳନ୍ଦା ଜିଲ୍ଲାର ମାରି ଗାଁରେ ଥିବା ମସଜିଦର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାକୁ ନିଷ୍ପ ତ୍ତି ନେଲେ । ଗାଁର ବୟସ୍କ ଲୋକମାନେ (ଡାହାଣରେ) କହନ୍ତି କି ଶହଶହ ବର୍ଷ ଧରି ଗାଁର ଯେ କୌଣସି ଉତ୍ସବ, ତାହା ହିନ୍ଦୁମାନଙ୍କର ହେଇଥାଉ ନା କାହିଁକି, ପ୍ରଥମେ ମସଜିଦ ଓ ସମାଧି ପୀଠରେ ପୂଜା କଲାପରେ ଯାଇ ଆରମ୍ଭ ହୁଏ
ମାରି ଗାଁରେ କୌଣସି ମୁସଲମାନ ନାହାନ୍ତି। କିନ୍ତୁ ମସଜିଦ ଓ ସମାଧି ପୀଠର ଯତ୍ନ ନେବା ଓ ରକ୍ଷଣାବେକ୍ଷଣ କରିବା ଦାୟିତ୍ଵ ନେଇଛନ୍ତି ଅଜୟ, ବାଖୋରୀ ଓ ଗୌତମ – ତିନି ଜଣ ହିନ୍ଦୁ
“ଏହି ମସଜିଦ ଓ ସମାଧି ପୀଠ ସହ ଆମ ବିଶ୍ଵାସ ଜଡ଼ିତ, ଓ ଆମେ ଏହାକୁ ସୁରକ୍ଷା ଦେଉଛୁ,” କହନ୍ତି ଜାନକୀ ପଣ୍ଡିତ। “୬୫ ବର୍ଷ ତଳେ ଯେତେବେଳେ ମୁଁ ବାହା ହେଇ ଆସିଲି, ମୁଁ ମଧ୍ୟ ଏହି ମସଜିଦରେ ପ୍ରଥମେ ମଥା ନୁଆଁଇଥିଲି ଓ ତା’ ପରେ ଯାଇ ମନ୍ଦିରରେ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିଥିଲି”, ଯୋଗକରି କହନ୍ତି ୮୨-ବର୍ଷୀୟ ବୃଦ୍ଧା ବାସିନ୍ଦା।
ଧଳା ଓ ସବୁଜ ରଙ୍ଗ ଲାଗିଥିବା ମସଜିଦକୁ ମୁଖ୍ୟ ରାସ୍ତା ଉପରୁ ଦେଖି ହୁଏ, ପ୍ରତି ବର୍ଷ ବର୍ଷା ଦିନେ ସେ ରଙ୍ଗ ଧୋଇ ହେଇଯାଏ। ଚାରି ଫୁଟ ଉଚ୍ଚର ପାଚେରି କାନ୍ଥ ମସଜିଦ ଓ ସମାଧି ପୀଠ ପରିସରକୁ ଘେରି ରହିଛି। ବିରାଟକାୟ ପୁରୁଣା କାଠ ଦୁଆର ଦେଇ ମସଜିଦର ଅଗଣାକୁ ଯିବା ରାସ୍ତାରେ କୋରାନର ହିନ୍ଦୀ ଅନୁବାଦ ଓ ପ୍ରାର୍ଥନାର ଉପାୟ ବର୍ଣ୍ଣନା କରାଯାଇଥିବା ବହି ସଚ୍ଚି ନମାଜ ପୁସ୍ତିକା ରଖାଯାଇଛି।
“ଗାଁର ବର ପ୍ରଥମେ ମସଜିଦ ଓ ସମାଧି ପୀଠରେ ନିଶ୍ଚୟ ମୁଣ୍ଡ ନୁଆଁଇବ ଓ କେବଳ ତା’ ପରେ ଯାଇ ଆମ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିବ”, ବୁଝାଇ ଦିଅନ୍ତି ଜାନକୀ ପଣ୍ଡିତ ଯେ କି ଜଣେ ଅବସରପ୍ରାପ୍ତ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ। ଏପରିକି ଯେତେବେଳେ ବାହାରୁ କୌଣସି ବାହାଘର ବରଯାତ୍ରୀ ଦଳ ଗାଁକୁ ଆସନ୍ତି, “ବରକୁ ପ୍ରଥମେ ମସଜିଦ ନିଆଯାଏ। ସେ ସେଠାରେ ମଥା ନୁଆଁଇ ସାରିଲା ପରେ ହିଁ ଆମେ ତାକୁ ମନ୍ଦିରକୁ ନେଉ। ଏହା ଏକ ବାଧ୍ୟତାମୂଳକ ରୀତି”। ସ୍ଥାନୀୟ ଲୋକେ ସମାଧି ପୀଠରେ ପ୍ରାର୍ଥନା କରନ୍ତି, ଓ ଯଦି ମନୋକାମନା ପୂରଣ ହୁଏ, ସେ ଯାଇ ଚାଦର ପକାଏ।
![](/media/images/03a-DSC01375-Crop-UKR_and_SK-The_mosque_at.max-1400x1120.jpg)
![](/media/images/03b-PXL_20230911_084252351-UKR_and_SK-The_.max-1400x1120.jpg)
ମାରି ଗାଁର ମସଜିଦକୁ ୧୫ ବର୍ଷ ତଳେ ପୁନରୁଦ୍ଧାର କରିଥିଲେ ତିନିଜଣ ଯୁବକ: ଅଜୟ ପାଶୱାନ, ବାଖୋରୀ ବିନ୍ଦ ଓ ଗୌତମ ପ୍ରସାଦ – ଯେଉଁମାନେ ଜଙ୍ଗଲ କାଟିଲେ, ମସଜିଦକୁ ରଙ୍ଗ କଲେ, ଗୋଟିଏ ବଡ ଚଉତରା ତିଆରି କଲେ ଓ ସନ୍ଧ୍ୟା ଦୀପ ଲଗାଇବା ଆରମ୍ଭ କଲେ । ମସଜିଦ ଭିତରେ ହିନ୍ଦୀରେ ଅନୁବାଦ ହୋଇଥିବା ଗୋଟିଏ କୋରାନ ଓ ନମାଜ (ଦୈନିକ ପ୍ରାର୍ଥନା) କେମିତି ପଢିବ ଜାଣିବା ପାଇଁ ଗୋଟିଏ ପୁସ୍ତିକା ରହିଛି
![](/media/images/04a-DSC01372-UKR_and_SK-The_mosque_at_Mari.max-1400x1120.jpg)
![](/media/images/04b-DSC01359-UKR_and_SK-The_mosque_at_Mari.max-1400x1120.jpg)
ସମାଧି ପୀଠଟି (ବାମରେ) ପ୍ରାୟ ତିନିଶହ ବର୍ଷ ତଳେ ଆରବିୟାରୁ ଆସି ଏଠାରେ ପହଞ୍ଚିଥିବା ସୁଫୀ ସନ୍ଥ ହଜରତ ଇସମାଇଲଙ୍କର ବୋଲି କୁହାଯାଏ। ଜାନକୀ ପଣ୍ଡିତ (ଡାହାଣରେ), ଜଣେ ଅବସରପ୍ରାପ୍ତ ବିଦ୍ୟାଳୟ ଶିକ୍ଷୟିତ୍ରୀ, 'ଏହି ମସଜିଦ ଓ ସମାଧି ପୀଠ ସହ ଆମ ବିଶ୍ଵାସ ଜଡ଼ିତ, ଓ ଆମେ ଏହାକୁ ସୁରକ୍ଷା ଦେଉଛୁ'
ପଚାଶ ବର୍ଷ ତଳେ, ମାରି ଗାଁରେ ମୁସଲମାନ ସମ୍ପ୍ରଦାୟର ଅଳ୍ପ ସଂଖ୍ୟକ ଲୋକ ଥିଲେ। ୧୯୮୧ ମସିହାରେ ବିହାର ଶରିଫରେ ହୋଇଥିବା କୁଖ୍ୟାତ ସାମ୍ପ୍ରଦାୟିକ ହିଂସା ଘଟଣା ପରେ ସେମାନେ ତୁରନ୍ତ ଗାଁ ଛାଡି ଚାଲିଗଲେ। ଏପ୍ରିଲ ମାସରେ ହୋଇଥିବା ସେହି ଦଙ୍ଗା ଗୋଟିଏ ‘ତଡି’ (ଦେଶୀ ମଦ) ଦୋକାନରେ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ବିବାଦରୁ ଆରମ୍ଭ ହୋଇଥିଲା ଓ ୮୦ ଟି ଜୀବନ ଚାଲିଯାଇଥିଲା।
ଯଦିଓ ବା ମାରି ଗାଁରେ କିଛି ହେଇ ନଥିଲା, ତେବେ ସେହି ଅଞ୍ଚଳର ଭୟଙ୍କର ବାତାବରଣ ମୁସଲମାନମାନଙ୍କୁ ଥରହର ଓ ଅନିଶ୍ଚିତ କରି ଦେଇଥିଲା। ଧୀରେ ଧୀରେ ସେମାନେ ଏଠାରୁ ଚାଲିଗଲେ, ନିକଟବର୍ତ୍ତୀ ଅଞ୍ଚଳର ମୁସଲମାନ ଅଧ୍ୟୁଷିତ ସହର ଓ ଗାଁରେ ରହିବାକୁ ପସନ୍ଦ କଲେ।
ଅଜୟ କହନ୍ତି କି ୧୯୮୧ର ସେହି ଦଙ୍ଗା ବିଷୟରେ ତାଙ୍କୁ କିଛି ଜଣା ନାହିଁ। ଅଜୟ ସେତେବେଳକୁ ଜନ୍ମ ହେଇ ନଥିଲେ, ଓ ସେ କହନ୍ତି, “ଲୋକେ କହନ୍ତି ମୁସଲମାନମାନେ ସେତେବେଳେ ଗାଁ ଛାଡି ଚାଲିଗଲେ। ସେମାନେ କାହିଁକି ଚାଲିଗଲେ, କି ଏଠାରେ କିଛି କଣ ହେଇଥିଲା କି ବାବଦରେ କିଛି କହନ୍ତି ନାହିଁ। କିନ୍ତୁ ଯାହା ବି ହେଇଥିଲା କିଛି ଭଲ ନୁହେଁ”, ସେମାନଙ୍କ ସମ୍ପୂର୍ଣ୍ଣ ପଳାୟନକୁ ଦୃଷ୍ଟିରେ ରଖି ସେ କହନ୍ତି।
ପୂର୍ବ ସମୟର ଅଧିବାସୀ ସାହାବୁଦ୍ଦିନ ଆନସାରି ସହମତ ହୋଇ କହନ୍ତି: “ତାହା ଗୋଟିଏ ତୋଫାନ ଥିଲା ଓ ସବୁ କିଛି ବଦଳାଇ ଦେଲା”।
ପାଖାପାଖି ଯେଉଁ ୨୦ ଟି ପରିବାର ୧୯୮୧ ରେ ମାରି ଛାଡି ଚାଲିଗଲେ ଆନସାରି ପରିବାର ସେମାନଙ୍କ ପରିବାର ଭିତରେ ଥିଲେ। “ମୋ ବାପା ମୁସଲିମ ଆନସାରି ସେତେବେଳେ ବିଡି ବନଉ ଥିଲେ। ଯେଉଁଦିନ ଦଙ୍ଗା ହେଲା ସେଦିନ ସେ ବିଡି ତିଆରି ଉପାଦାନ ଆଣିବା ପାଇଁ ବିହାର ଶରିଫ ଯାଇଥିଲେ। ସେ ଫେରିଲା ପରେ ମାରିର ମୁସଲିମ ପରିବାରଗୁଡିକୁ ଖବର ଦେଇଥିଲେ”, କହନ୍ତି ସାହାବୁଦ୍ଦିନ।
![](/media/images/05a-PXL_20240222_094106220-UKR_and_SK-The_.max-1400x1120.jpg)
![](/media/images/05b-PXL_20240222_094428575-UKR_and_SK-The_.max-1400x1120.jpg)
ମାରି ଗାଁରେ ଅଜୟ (ବାମରେ) ଓ ସାହାବୁଦ୍ଦିନ (ଡାହାଣରେ)। ସାହାବୁଦ୍ଦିନଙ୍କ ମନେପକାନ୍ତି କେମିତି ଜଣେ ହିନ୍ଦୁ ତାଙ୍କୁ କିପରି ମାରି ଗାଁରେ ପୋଷ୍ଟମ୍ୟାନ ହେବାକୁ । କରିଥିଲେ – ମୁଁ ସେଠାରେ ଗୋଟିଏ ହିନ୍ଦୁ ପରିବାରରେ ରହିବା ଆରମ୍ଭ କଲି। କିନ୍ତୁ ବାପା ଓ ମା’ଙ୍କୁ ବିହାର ସରିଫକୁ ନେଇଗଲି। ତାହା ଗୋଟିଏ ତୋଫାନ ଥିଲା ଓ ସବୁଦିନ ପାଇଁ ସବୁକିଛିକୁ ବଦଳାଇ ଦେଲା
ସେତେବେଳେ ୨୦ ବର୍ଷ ବୟସର ସାହାବୁଦ୍ଦିନ ଗାଁର ପୋଷ୍ଟମ୍ୟାନ ଥିଲେ। ପରିବାରକୁ ଏଠାରୁ ନେଇଗଲା ପରେ ବିହାର ସରିଫରେ ସେ ଗୋଟିଏ ତେଜରାତି ଦୋକାନ କଲେ। ସେମାନେ ସାଙ୍ଗେସାଙ୍ଗେ ଗାଁ ଛାଡି ଚାଲିଯାଇ ଥିଲେ ବି “ଗାଁରେ ଆଦୌ କୌଣସି ବାଛବିଚାର ନଥିଲା। ଆମେ ସମସ୍ତେ ଦୀର୍ଘ ସମୟ ଧରି ସଦ୍ଭାବ ସହ ଏକାଠି ରହୁଥିଲୁ। କାହାର ଅନ୍ୟ କାହା ସହିତ କିଛି ସମସ୍ୟା ନଥିଲା।“
ସେ ପୁଣି କହନ୍ତି ଯେ ମାରି ଗାଁରେ ହିନ୍ଦୁ ଓ ମୁସଲମାନଙ୍କ ଭିତରେ କୌଣସି ଶତ୍ରୁତା ନଥିଲା। “ଯେତେବେଳେ ମୁଁ ମାଡ଼ିକୁ ଆସେ, ବହୁତ ହିନ୍ଦୁ ପରିବାର ସେମାନଙ୍କ ଘରେ ଖାଇକି ଯିବାକୁ ବାଧ୍ୟ କରନ୍ତି। ଏମିତି ଗୋଟେ ହେଲେ ଘର ନାହିଁ ଯିଏ ମତେ ଖାଇବାକୁ ଡାକି ନଥିବେ”, କହନ୍ତି ୬୨ ବର୍ଷୀୟ ସାହାବୁଦ୍ଦିନ ଯେ କି ମସଜିଦ ଓ ସମାଧି ପୀଠର ଯତ୍ନ ନିଆଯାଉଛି କଥା ଶୁଣି ଖୁସି ହେଲେ।
ବେନ ବ୍ଲକ ଅନ୍ତର୍ଗତ ମାରି ଗାଁର ଜନସଂଖ୍ୟା ହେଲା ୩୩୦୭ ( ୨୦୧୧ ଜନଗଣନା ଅନୁଯାୟୀ ), ଓ ଅଧିକାଂଶ ହେଉଛନ୍ତି ପଛୁଆ ଶ୍ରେଣୀ ଓ ଦଳିତ। ଯୁବକମାନେ ମସଜିଦର ଦାୟିତ୍ଵ ନେଉଛନ୍ତି: ଅଜୟ ଦଳିତ, ବାଖୋରୀ ବିନ୍ଦ ହେଉଛନ୍ତି ଇବିସି (ଅତି ପଛୁଆ ଶ୍ରେଣୀ) ଓ ଗୌତମ ପ୍ରସାଦ ହେଉଛନ୍ତି ଓବିସି (ଅନ୍ୟ ପଛୁଆ ଶ୍ରେଣୀ)।
“ଏହା ଗଙ୍ଗା-ଯମୁନି ତେହଜିବ ବା ଯୌଗିକ ସଂସ୍କୃତିର ଶ୍ରେଷ୍ଠ ଉଦାହରଣ”, କହନ୍ତି ମହମ୍ମଦ ଖାଲିଦ ଆଲାମ ଭୁଟ୍ଟୋ। ୬୦ ବର୍ଷ ବୟସ୍କ ଗାଁର ପୂର୍ବ ଅଧିବାସୀ ଯେ କି ଗାଁ ଛାଡି ନିକଟବର୍ତ୍ତୀ ବିହାର ସରିଫକୁ ଚାଲି ଯାଇଥିବା ଲୋକଙ୍କ ଭିତରେ ଥିଲେ। “ମସଜିଦ ୨୦୦ ବର୍ଷରୁ ଅଧିକ ପୁରୁଣା, ଓ ତତସଂଲଗ୍ନ ସମାଧି ପୀଠ ତା’ଠାରୁ ଅଧିକ ପୁରୁଣା ହେଇଥିବ”, ସେ ଉଲ୍ଲେଖ କରନ୍ତି।
ସମାଧି ପୀଠଟି ଜଣେ ସୁଫୀ ସନ୍ଥ ହଜରତ ଇସମାଇଲଙ୍କର ଯେ କି ଆରବୀୟାରୁ ମାରି ଗାଁକୁ ଆସିଥିଲେ। ବିଶ୍ୱାସ କରାଯାଏ ଯେ ତାଙ୍କ ଆସିବା ପୂର୍ବରୁ ଗାଁଟି ବନ୍ୟା ଓ ଅଗ୍ନିକାଣ୍ଡ ଭଳି ପ୍ରାକୃତିକ ଦୁର୍ବିପାକ ଦ୍ୱାରା ବହୁବାର ନଷ୍ଟ ହେଉଥିଲା। କିନ୍ତୁ ସେ ଯେତେବେଳେ ଏଠାରେ ରହିବା ଆରମ୍ଭ କଲେ, ଆଉ ଆଦୌ ଦୁର୍ବିପାକ ହେଲା ନାହିଁ। ତାଙ୍କର ମୃତ୍ୟୁ ହେଲା ପରେ ତାଙ୍କ ସମାଧି ପୀଠ ନିର୍ମାଣ ହେଲା ଓ ଗାଁର ହିନ୍ଦୁମାନେ ତାଙ୍କୁ ପୂଜିବା ଆରମ୍ଭ କଲେ”, କହନ୍ତି ସେ। “ସେହି ପରମ୍ପରା ଆଜି ବି ଚାଲିଛି”।
![](/media/images/06a-PXL_20240222_083529604-UKR_and_SK-The_.max-1400x1120.jpg)
![](/media/images/06b-DSC01377-UKR_and_SK-The_mosque_at_Mari.max-1400x1120.jpg)
ଅଜୟ (ବାମରେ) ଓ ତାଙ୍କ ସାଙ୍ଗମାନେ ଆଜାନ ବୋଲିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଆଣିଛନ୍ତି, ଓ ସେଥି ପାଇଁ ସେମାନେ ଏକାଠି ମିଶି ସେମାନେ ଶ୍ରମିକ ଭାବେ ଉପାର୍ଜନ କରୁଥିବା ମଜୁରୀରୁ ତାଙ୍କ ପାରିଶ୍ରମିକ ବାବଦରେ ମାସକୁ ୮୦୦୦ ଟଙ୍କା ଦିଅନ୍ତି । ଡାହାଣରେ: “ଏହା ଗଙ୍ଗା-ଯମୁନି ତେହଜିବ ବା ଯୌଗିକ ସଂସ୍କୃତିର ଶ୍ରେଷ୍ଠ ଉଦାହରଣ”, କହନ୍ତି ଗାଁର ପୂର୍ବ ଅଧିବାସୀ ମହମ୍ମଦ ଖାଲିଦ ଆଲାମ ଭୁଟ୍ଟୋ
ତିନି ବର୍ଷ ପୂର୍ବେ କୋଭିଡ-୧୯ ମହାମାରୀ ଓ ପରବର୍ତ୍ତୀ ଲକଡାଉନ ବେଳେ ଅଜୟ, ବାଖୋରୀ ଓ ଗୌତମ ମାରୀରେ କାମ ଖୋଜି ପାଇବା କଷ୍ଟକର ହେଲା, ତେଣୁ ସେମାନଙ୍କୁ ବିଭିନ୍ନ ଜାଗାକୁ ଯିବାକୁ ପଡ଼ିଲା – ୩୫ କି.ମି. ଦୂର ଇସଲାମପୁରରେ ଗୌତମ ଗୋଟିଏ କୋଚିଂ ସେଣ୍ଟର ଚଳାଇଲା ଓ ବାଖୋରୀ ଚେନ୍ନାଇରେ ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ ଅଜୟ ବିହାର ସରିଫ ସହରକୁ ଚାଲି ଯାଇଛି।
ତିନି ଜଣଙ୍କ ପ୍ରସ୍ଥାନ ପରେ ମସଜିଦର ରକ୍ଷଣାବେକ୍ଷଣ ପ୍ରଭାବିତ ହୋଇଛି। ଅଜୟ କହନ୍ତି ଯେ ଫେବୃୟାରୀ ୨୦୨୪ ରେ ମସଜିଦର ଆଜାନ ବନ୍ଦ ହେଇଗଲା ଓ ତେଣୁ ଆଜାନ ବୋଲିବା ପାଇଁ ତାଙ୍କୁ ଜଣେ ମୁଏଜିନଙ୍କୁ ଦରମା ଦେଇ ରଖିବାକୁ ପଡ଼ିଲା। “ମୁଏଜିନଙ୍କ କାମ ହେଲା ଦିନକୁ ପାଞ୍ଚ ଥର ଆଜାନ ପଢ଼ିବା। ଆମେ (ତିନି ଜଣ) ସେଥି ପାଇଁ ତାଙ୍କୁ ମାସକୁ ଦରମା ରୂପେ ୮୦୦୦ ଟଙ୍କା ଦେଉଛୁ ଓ ଗାଁରେ ରହିବା ପାଇଁ ଘରଟିଏ ଦେଇଛୁ”, ସେ କହନ୍ତି।
ଅଜୟ ନିଷ୍ପତି ନେଇଛନ୍ତି ଯେ ସେ ବଞ୍ଚିଥିବା ପର୍ଯ୍ୟନ୍ତ ମସଜିଦ ଓ ସମାଧି ପୀଠକୁ ସୁରକ୍ଷା ଦେବେ। “ମୁଁ ମରିବା ପରେ କେହି କିଛି କରି ପାରିବେ। ଯେତେଦିନ ପର୍ଯ୍ୟନ୍ତ ମୁଁ ବଞ୍ଚିଛି ମସଜିଦର କେହି କିଛି କ୍ଷତି କରିବାକୁ ମୁଁ ଦେବି ନାହିଁ”।
ରାଜ୍ୟରେ ଅବହେଳିତ ବର୍ଗଙ୍କ ସଂଘର୍ଷର ରକ୍ଷାକର୍ତ୍ତା ଥିବା ବିହାରର ଜଣେ ଟ୍ରେଡ ୟୁନିଅନିଷ୍ଟଙ୍କ ସ୍ମୃତିରେ ପ୍ରଦତ୍ତ ଫେଲୋସିପ ସହଯୋଗରେ ପ୍ରସ୍ତୁତ ଏହି ଆଲେଖ୍ୟ।
ଅନୁବାଦ: ଓଡ଼ିଶାଲାଇଭ୍