“ପିଲାଟି ଦିନରୁ ମୁଁ ଚିତ୍ର ଆଙ୍କିବାକୁ ଭଲ ପାଉଥିଲି। ମୁଁ ଯେତେବେଳେ ସ୍କୁଲରେ କୋ ଶ୍ରେଣୀ (ଶ୍ରେଣୀ- ୧)ରେ ପଢୁଥିଲି, ଶିକ୍ଷକ ଆମକୁ କମଳା କି କଖାରୁର ଚିତ୍ର ଆଙ୍କିବାକୁ କହନ୍ତି ଏବଂ ମୁଁ ସାଙ୍ଗେ ସାଙ୍ଗେ ଏହା କରିପାରୁଥିଲି,” ହସହସ ମୁହଁରେ କହନ୍ତି ରମେଶ ଦତ୍ତ। “ଏସବୁ ଏମିତି ଭାବରେ ଆରମ୍ଭ ହୋଇଥିଲା।”

ଆଜି ସେ, ଆସାମର ଅନେକ ବୈଷ୍ଣବପନ୍ଥୀ ମଠ ମଧ୍ୟରୁ ଗୋଟିଏ- ମାଜୁଲିସ୍ଥିତ ଗଡ଼ମୁର ସରୁ ସତ୍ର ପକ୍ଷରୁ ଆୟୋଜିତ ସମସ୍ତ ରଙ୍ଗମଞ୍ଚ କାର୍ଯ୍ୟକ୍ରମର ମୁଖ୍ୟ ମଞ୍ଚସଜ୍ଜା ଶିଳ୍ପୀ ଏବଂ ମୁଖା କାରିଗର। ସଂପ୍ରଦାୟରେ ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ରମେଶ ଦା ବୋଲି ଡାକନ୍ତି। ୫୨ ବର୍ଷୀୟ ରମେଶ ଦା ସ୍ୱଳ୍ପଭାଷୀ, କିନ୍ତୁ ଏମିତି ଅନେକ ପ୍ରତିଭାର ଅଧିକାରୀ, ଯାହାକି ବ୍ରହ୍ମପୁତ୍ର ନଦୀର ସର୍ବବୃହତ୍‌ ଦ୍ୱୀପ ମାଜୁଲିରେ ରଙ୍ଗମଞ୍ଚ, କଳା ଏବଂ ସଙ୍ଗୀତର ଧାରା ବଜାୟ ରଖିଛି।

ପୁରୁଣା ଦିନର କଥା ମନେ ପକାଇ ସେ କହନ୍ତି, “ପିଲାଦିନେ କଣ୍ଢେଇ ନାଚ ପ୍ରଦର୍ଶନ ମୋତେ ପ୍ରଭାବିତ କରିଥିଲା। ଅନ୍ୟମାନେ କଣ୍ଢେଇ ତିଆରି କରୁଥିବା ମୁଁ ଦେଖିଲି ଏବଂ ସେହିଠାରୁ ହିଁ ସେହି କଳାକୁ ଆଦରି ନେଲି। ସମ୍ଭବତଃ ସେ ସମୟରେ ମୁଁ ୨ୟ ଶ୍ରେଣୀରେ ପଢୁଥିଲି। ମୁଁ କଣ୍ଢେଇ ତିଆରି କରି ସ୍କୁଲରେ ସାଙ୍ଗମାନଙ୍କୁ ଦେଖାଉଥିଲି।”

ଆଜିକାଲି ସେ ଯେଉଁ ସବୁ ଚିତ୍ରକଳା ପ୍ରସ୍ତୁତ କରୁଛନ୍ତି, ସେସବୁ ମାଜୁଲି କିମ୍ବା ଆଖପାଖ ଅଞ୍ଚଳର ରଙ୍ଗମଞ୍ଚରେ ପ୍ରଦର୍ଶିତ ହୁଏ ଏବଂ ଅନ୍ୟ ସମୟରେ ତାଙ୍କ ଘର କଡ଼ରେ ଥିବା ଏକ ଖୋଲା ଛାମୁଣ୍ଡିଆ ତଳେ ରହିଥାଏ। ଆମେ ତାଙ୍କ ପାଖକୁ ଯାଇଥିବା ସମୟରେ ତା ଭିତରର ଗୋଟିଏ ଛୋଟ ମଞ୍ଚ ଉପରେ ହାତଚଲା ଡଙ୍ଗାଟିଏ ଓଲଟା ରଖାଯାଇଥିବାର ଦେଖିଲୁ। ରମେଶ ଦା ତିଆରି କରିଥିବା ଅନେକ ମୁଖା ପାଖରେ କେତେକ ତୂଳି ଏବଂ ରଙ୍ଗ ଡବା ସବୁ ରଖାଯାଇଥିଲା। ତା ସହିତ ରାସ ମହୋତ୍ସବ ପାଇଁ ତିଆରି ହୋଇଥିବା ଗୋଟିଏ ବଗ ଆକୃତିର ଚଳମାନ ମୁଖା ରଖାଯାଇଥିଲା। (ପଢ଼ନ୍ତୁ: ମାଜୁଲିର ଅନେକ ମୁଖା )

Ramesh Dutta (left) shows a hand-drawn set design for the Raas Mahotsav. In the auditorium of the Garamur Saru Satra, he gets the set ready for the 2022 Raas performances
PHOTO • Prakash Bhuyan
Ramesh Dutta (left) shows a hand-drawn set design for the Raas Mahotsav. In the auditorium of the Garamur Saru Satra, he gets the set ready for the 2022 Raas performances
PHOTO • Prakash Bhuyan

ରମେଶ ଦତ୍ତ (ବାମ) ଆମକୁ ରାସ ମହୋତ୍ସବ ପାଇଁ ପ୍ରସ୍ତୁତ ଏକ ହାତଅଙ୍କା ମଞ୍ଚ ଡିଜାଇନ୍‌ ଦେଖାନ୍ତି ଗଡ଼ମୁର ସରୁ ସତ୍ରର ପ୍ରେକ୍ଷାଳୟରେ ୨୦୨୨ରେ ଆୟୋଜିତ ରାସ କାର୍ଯ୍ୟକ୍ରମ ନିମନ୍ତେ ସେ ଏହି ସେଟ୍‌ ପ୍ରସ୍ତୁତ କରିଥିଲେ

Left: The artist demonstrates how to animate a sculpture using a pair of sticks.
PHOTO • Prakash Bhuyan
Right: Curious children look on as he applies finishing touches to a crane costume to be used during Raas
PHOTO • Prakash Bhuyan

ବାମ : କିଭଳି ଦୁଇଟି କାଠି ବ୍ୟବହାର କରି ଏକ ସ୍ଥାପତ୍ୟକୁ ଜୀବନ୍ତ ରୂପରେ ପରିବେଷଣ କରାଯାଇପାରିବ ତାହା ଦେଖାଇ ଦିଅନ୍ତି ଏହି କଳାକାର ଡାହାଣ : ରାସ ଅବସରରେ ବ୍ୟବହୃତ ହେବା ଲାଗି ପ୍ରସ୍ତୁତ ବଗ ବେଶଭୁଷାରେ ସେ ଅନ୍ତିମ ସ୍ପର୍ଶ ଦେଉଥିବା ବେଳେ ଉତ୍ସୁକ ପିଲାମାନେ ଚାହିଁ ରହିଛନ୍ତି

ଯଦିଓ ଆଜିକାଲି ସେ ସେତେ ବେଶୀ ମୁଖା ତିଆରି କରୁନାହାନ୍ତି, ତଥାପି ସେ ଏହି କଳାରୂପକୁ ଏବଂ ଏହାକୁ ପରିବେଷଣ କରୁଥିବା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେମ ଚନ୍ଦ୍ର ଗୋସ୍ୱାମୀଙ୍କ ଭଳି କଳାକାରମାନଙ୍କୁ ପ୍ରଶଂସା କରନ୍ତି। ସେ କହନ୍ତି, “ତାଙ୍କ ମୁଖାଗୁଡ଼ିକରେ ଆଖିପତା ପକାଇ ପାରିବ ଏବଂ ଓଠ ହଲିପାରିବ। ମୁଖା ତିଆରି କଳାକୁ ସେ ବିଶ୍ୱପ୍ରସିଦ୍ଧ ଏବଂ ଲୋକପ୍ରିୟ କରାଇ ପାରିଛନ୍ତି। ଏବେ ତାଙ୍କର ଅନେକ ଛାତ୍ରଛାତ୍ରୀ ଅଛନ୍ତି।”

ରାସ ଉତ୍ସବ ଅବସରରେ, ଗଡ଼ମୁର ସରୁ ସତ୍ରର କଳା ପ୍ରଦର୍ଶନ ନିମନ୍ତେ ମଞ୍ଚର ରୂପରେଖ ଏବଂ ମଞ୍ଚରେ କଳା ପରିବେଷଣ ନିମନ୍ତେ ଆବଶ୍ୟକ ବିଭିନ୍ନ ଉପକରଣ ପ୍ରସ୍ତୁତି ସହିତ ସେ ମୁଖା ମରାମତି କାମ ବି କରନ୍ତି। ଗଭୀର ଆତ୍ମବିଶ୍ୱାସର ସହିତ ସେ କହନ୍ତି, “ଆସନ୍ତାକାଲି ଯଦି ରାସ ହୁଏ, ତେବେ ମୁଁ ଆଜି ହିଁ ମଞ୍ଚ ପ୍ରସ୍ତୁତ କରିପାରିବି।” (ପଢ଼ନ୍ତୁ: ରାସ ମହୋତ୍ସବ ଏବଂ ମାଜୁଲିର ସତ୍ର ସମୂହ )

ଗାୟନ-ବାୟନ ଏବଂ ଭାଓନା ଭଳି ସତ୍ରରେ ପ୍ରଦର୍ଶିତ ବିଭିନ୍ନ ବୈଷ୍ଣବ ସତ୍ରିୟା କାର୍ଯ୍ୟକ୍ରମରେ ମଧ୍ୟ ଦତ୍ତ ଭାଗ ନିଅନ୍ତି। ପ୍ରଥମଟି ହେଉଛି ଏକ ଲୋକକଳା ପ୍ରଦର୍ଶନ ଯାହାକୁ ଗାୟକମାନେ (ଗାୟନ) ଏବଂ ବାଦ୍ୟକାରମାନେ (ବାୟନ) ପରିବେଷଣ କରନ୍ତି ଏବଂ ଅନ୍ୟଟି ଏକ ପ୍ରକାରର ନାଟକ ପରିବେଷଣ। ଏ ସବୁ କଳା ସତ୍ରିୟା ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ୧୫ଶ ଶତାବ୍ଦୀରେ ସାମାଜିକ ସଂସ୍କାରକ ଓ ସାଧୁ ଶ୍ରୀମନ୍ତ ଶଙ୍କରଦେବଙ୍କ ଦ୍ୱାରା ଏହାର ପ୍ରଚଳନ ଆରମ୍ଭ ହୋଇଥିଲା। ସତ୍ରରେ ପରିବେଷିତ ମଞ୍ଚକଳାକୁ ସଙ୍ଗୀତରେ ସଜାଇବା ଦାୟିତ୍ୱ ନିର୍ବାହ କରନ୍ତି ଗାୟନ ଓ ବାୟନମାନେ।

ସେ ଆମକୁ କହନ୍ତି, “୧୯୮୪ରେ ପୀତାମ୍ବର ଦେବ ସାଂସ୍କୃତିକ ବିଦ୍ୟାଳୟରେ ମୁଁ ଗାୟନ-ବାୟନ ଶିଖିବା ଆରମ୍ଭ କଲି। ସେତେବେଳେ ମୋର ବୟମ ୧୩ ବର୍ଷ। ପ୍ରଥମେ ପ୍ରଥମେ ମୁଁ ଉଭୟ ଗାୟନ ଓ ବାୟନ ଶିଖୁଥିଲି। କିନ୍ତୁ ଗୁରୁ ମୋତେ ଜଣେ ଗାୟନ ହେବାକୁ କହିଲେ। ତେଣୁ ମୁଁ ସେଥିରେ ଶିକ୍ଷାଲାଭ କଲି।”

Dutta started learning gayan-bayan at the age of 13. Here, he performs as a gayan (singer) with the rest of the group in the namghar of the Garamur Saru Satra
PHOTO • Prakash Bhuyan
Dutta started learning gayan-bayan at the age of 13. Here, he performs as a gayan (singer) with the rest of the group in the namghar of the Garamur Saru Satra
PHOTO • Prakash Bhuyan

ଦତ୍ତ ୧୩ ବର୍ଷ ବୟସରେ ଗାୟନ-ବାୟନ ଶିଖିବା ଆରମ୍ଭ କଲେ। ଏଠାରେ ସେ ଗଡ଼ମୁର ସରୁ ସତ୍ରର ନାମଘରଠାରେ ଜଣେ ଗାୟନ (ଗାୟକ) ଭାବରେ ଦଳର ଅନ୍ୟମାନଙ୍କ ସହିତ କଳା ପରିବେଷଣ କରୁଛନ୍ତି

Left: Backstage at the Garamur Saru Satra, Dutta prepares to perform the role of Aghasura, a serpent demon.
PHOTO • Prakash Bhuyan
Right: In the role of Boraho (left), he fights the asura (demon) Hiranyaksha in a drama titled Nri Simha Jatra
PHOTO • Prakash Bhuyan

ବାମ: ଗଡ଼ମୁର ସରୁ ସତ୍ର ମଞ୍ଚର ପ୍ରଚ୍ଛଦପଟରେ, ସର୍ପ ରାକ୍ଷସ ଅଘାସୁର ଭୂମିକାରେ ଅଭିନୟ ପାଇଁ ଦତ୍ତ ପ୍ରସ୍ତୁତ ହେଉଛନ୍ତି। ଡାହାଣ: ନୃସିଂହ ଯାତ୍ରା ଶୀର୍ଷକ ନାଟକରେ ବରାହ (ବାମ) ଭୂମିକାରେ ସେ ଏହି ଅସୁର ହିରଣ୍ୟାକ୍ଷ ସହ ଯୁଦ୍ଧ କରନ୍ତି

*****

ଆମେ ଯେଉଁ କୋଠରିରେ ବସିଥିଲୁ ତାହା ଅଳ୍ପ ଆଲୋକିତ ହୋଇଥିଲା। କାନ୍ଥରେ ବାଲି ଓ ସିମେଣ୍ଟର ପଲସ୍ତରା କରାଯାଇଥିଲାଏବଂ ସବୁଜ ରଙ୍ଗ ଦିଆଯାଇଥିଲା। ରମେଶ ଦା ’ଙ୍କ ପଛପଟେ ଏକ ଭୂଭାଗର ଦୃଶ୍ୟପଟ୍ଟ ଝୁଲୁଥିଲା। ତାଙ୍କର ଛଅ ବର୍ଷୀୟା ଝିଅ ଅନୁଷ୍କା ଆମକୁ କହେ ଯେ, କାନ୍ଥରେ ଲାଗିଥିବା ସବୁ ଚିତ୍ର ତାଙ୍କ ବାପା ଆଙ୍କିଛନ୍ତି।

ତାଙ୍କ ଘରେ ଗାଈ ଗୁହାଳର ଏକ ଭାଗରେ ରହିଛି ତାଙ୍କ ଷ୍ଟୁଡିଓ। ସେଦିନର ଅପରାହ୍‌ଣ ସାରା ସେ ବରାଦ ମିଳିଥିବା ଏକ ସ୍ଥାପତ୍ୟ ଯୋଡ଼ି ପ୍ରସ୍ତୁତିରେ ବ୍ୟସ୍ତ ରହିଥିଲେ। ତାହା ଥିଲା- ନାମଘର (ପ୍ରାର୍ଥନା ଗୃହ) ଫାଟକ ଆଗରେ ଲାଗିବାକୁ ଥିବା ଜୟ-ବିଜୟଙ୍କ ପ୍ରତିମୂର୍ତ୍ତି। ରମେଶ ଦା ୨୦ ବର୍ଷ ହେଲା ଏଭଳି ସ୍ଥାପତ୍ୟ ତିଆରି କରିଆସୁଛନ୍ତି। ସେ କହନ୍ତି ଯେ ତାଙ୍କୁ ଏଭଳି ଗୋଟିଏ ପ୍ରତିମୂର୍ତ୍ତି ଗଢ଼ିବାକୁ ୨୦ ଦିନ ଲାଗେ।

ଗୋଟିଏ କରଣୀରେ ଜୟ-ବିଜୟ ପ୍ରତିମୂର୍ତ୍ତିର ଶରୀରକୁ ଆକାର ଦେଉଥିବା ବେଳେ ସେ ଆମକୁ ବୁଝାଇ ଦିଅନ୍ତି, “ପ୍ରଥମେ ମୁଁ କାଠରେ ଏହାର ଛାଞ୍ଚ ତିଆରି କରେ। ତା’ପରେ ଏହି ଛାଞ୍ଚ ଉପରେ ବାଲି ଓ ସିମେଣ୍ଟର ମିଶ୍ରଣ ଢାଳି ଶୁଖିବାକୁ ଛାଡ଼ି ଦିଏ। କିଛି ଦିନ ପରେ, ମୁଁ ଏହି ସ୍ଥାପତ୍ୟକୁ ଆକାର ଦେବା ଆରମ୍ଭ କରେ। ଶେଷରେ ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇଥାଏ।”

କଦଳୀ ଗଛର ବାସୁଙ୍ଗାକୁ କାଟି ପ୍ରସ୍ତୁତ କରାଯାଇଥିବା ଛାଞ୍ଚ ସାହାଯ୍ୟରେ ଏସବୁ ପ୍ରତିମୂର୍ତ୍ତିର କେତେକ ଅଙ୍ଗପ୍ରତ୍ୟଙ୍ଗକୁ ଆକାର ଦିଆଯାଏ। ରମେଶ ଦା କହି ଚାଲନ୍ତି, “ଏହି ମୂର୍ତ୍ତି (ସ୍ଥାପତ୍ୟ) ତିଆରିରେ ଲାଗୁଥିବା ସବୁ ସାମଗ୍ରୀକୁ ମୁଁ ସ୍ଥାନୀୟ ଦୋକାନରୁ କିଣିଥାଏ। ଆଜିକାଲି ଆମେ ପ୍ରାୟତଃ ପ୍ଲାଷ୍ଟିକ୍‌ ରଙ୍ଗ ବ୍ୟବହାର କରୁ। ପୂର୍ବରୁ ଆମେ ଡିସ୍‌ଟେମ୍ପର ରଙ୍ଗ ବ୍ୟବହାର କରୁଥିଲୁ, କିନ୍ତୁ ସେଗୁଡ଼ିକ ଫିକା ପଡ଼ିଯାଏ।”

ମୂର୍ତ୍ତି ଶରୀର ଗଠନରେ ଅନୁପାତ ଆକଳନ କରିବା ଲାଗି ସେ ସେମାନଙ୍କ ପାଖରୁ କିଛିଟା ଦୂରେଇ ଯାଆନ୍ତି। ତା’ପରେ ଆଉ ଏକ କଂକ୍ରିଟ୍‌ ମିଶ୍ରଣ ତିଆରି କରି ପୁଣି କାମକୁ ଫେରିଆସନ୍ତି। ତାଙ୍କୁ କାମରେ ସହାୟତା କରୁଥିବା ତାଙ୍କ ସ୍ତ୍ରୀ ନୀତା ଅଳ୍ପ ହସି ଆମକୁ କହନ୍ତି, “କାମ କଲାବେଳେ ସେ କଥାବାର୍ତ୍ତା କରନ୍ତି ନାହିଁ। ତାଙ୍କ କାମରେ କେହି ବାଧା ଦେଲେ ଆଦୌ ପସନ୍ଦ କରନ୍ତିନି। ସେ କାମରେ ମଜି ଯାଇଥିବା ବେଳେ ତାଙ୍କର ଏକ ଭିନ୍ନ ମନୋଭାବ ଥାଏ।”

Left: Dutta with his wife Neeta and their daughter Anushka at home in Garamur, Majuli.
PHOTO • Prakash Bhuyan
Right: He demonstrates how he designed a movable beak for a crane mask.
PHOTO • Prakash Bhuyan

ବାମ: ମାଜୁଲିର ଗଡ଼ମୁରରେ ତାଙ୍କ ଘରେ ଦତ୍ତ, ତାଙ୍କ ସ୍ତ୍ରୀ ନୀତା ଏବଂ ସେମାନଙ୍କ ଝିଅ ଅନୁଷ୍କା। ଡାହାଣ: ଗୋଟିଏ ବଗ ମୁଖାରେ ଥିବା ଥଣ୍ଟକୁ ସେ କିଭଳି ହଲାଇବା ଭଳି କରିଥିଲେ ତାହା ଦେଖାଉଛନ୍ତି

The artist works on a pair of sculptures outside his home. The Joy-Bijoy figures are said to be guards to namghars . He makes such sculptures using wooden frames and concrete, and later paints them using fade-proof plastic paints
PHOTO • Prakash Bhuyan
The artist works on a pair of sculptures outside his home. The Joy-Bijoy figures are said to be guards to namghars . He makes such sculptures using wooden frames and concrete, and later paints them using fade-proof plastic paints
PHOTO • Courtesy: Ramesh Dutta

ତାଙ୍କ ଘର ବାହାରେ ଗୋଟିଏ ଯୋଡ଼ା ମୂର୍ତ୍ତି ତିଆରିରେ ମଗ୍ନ ଶିଳ୍ପୀ। ଜୟ-ବିଜୟଙ୍କ ଏହି ପ୍ରତିମୂର୍ତ୍ତି ଦୁଇଟିକୁ ନାମଘରର ଜଗୁଆଳ ବୋଲି କୁହାଯାଏ। କାଠର ଛାଞ୍ଚ ଏବଂ କଂକ୍ରିଟ୍‌ ମିଶ୍ରଣରେ ସେ ଏଭଳି ସ୍ଥାପତ୍ୟ ନିର୍ମାଣ କରନ୍ତି ଏବଂ ପରେ ଏଥିରେ ଫିକା ନପଡ଼ିବା ଭଳି ପ୍ଲାଷ୍ଟିକ୍‌ ରଙ୍ଗ ଦିଅନ୍ତି

ବିଶେଷତଃ ଗଡ଼ମୁର ନିକଟ ଖାର୍ଜନପାର ଅଞ୍ଚଳର ନାମଘର ପାଇଁ ସେ ତିଆରି କରିଥିବା ଗୁରୁ ଆଖନ (ଗୁରୁଙ୍କ ଆସନ)କୁ ନେଇ ସେ ବେଶ୍‌ ଗର୍ବିତ। ଏହି ଆଖନ ଚତୁଷ୍କୋଣୀୟ ଢାଞ୍ଚାରେ ନିର୍ମିତ ଏବଂ ଏହାକୁ ପ୍ରାର୍ଥନା ଘରର ଗର୍ଭଗୃହ ଅଭ୍ୟନ୍ତରରେ ସ୍ଥାପନ କରାଯାଇଛି। ଖୁସିରେ ସେ କହନ୍ତି, “ମୁଁ ଗୁରୁ ଆଖନ କୁ କଂକ୍ରିଟ୍‌ରେ ତିଆରି କଲି କିନ୍ତୁ ଏଥିରେ ଏଭଳି ରଙ୍ଗ ଦେଲି ଯେ ଏହା କାଠରେ ତିଆରି ହେଲା ଭଳି ଦେଖାଯାଉଛି। ଏଠାକାର ସତ୍ରାଧିକାର ( ସତ୍ର ର ମୁଖ୍ୟ) ଏହି ଆଖନ କୁ ପବିତ୍ର ଭାବରେ ପ୍ରତିଷ୍ଠା କରି ଉଦ୍‌ଘାଟନ କଲେ। ଏମିତି କି ସେ ବି ଏହା କାଠରେ ତିଆରି ବୋଲି ଭାବି ନେଇଥିଲେ।”

ସେ ମଧ୍ୟ ତାଙ୍କ ପରିବାର ପାଇଁ ଘରଟିଏ ତିଆରିରେ ବ୍ୟସ୍ତ ଅଛନ୍ତି। ନୀତା କହନ୍ତି, “ଏଇଟା ବର୍ଷା ଋତୁ ହୋଇଥିବାରୁ କାମ ସାରିବାରେ ସମୟ ଲାଗୁଛି।”

ତାଙ୍କର ଚାରି ଭାଇ ଭଉଣୀଙ୍କ ମଧ୍ୟରେ ଦତ୍ତ ସବୁଠାରୁ ବଡ଼ ଏବଂ ପରିବାରର ଏକମାତ୍ର ସଦସ୍ୟ ଯେ କି କଳାକୁ ବୃତ୍ତି ଭାବରେ ଗ୍ରହଣ କରିନେଇଛନ୍ତି – ତାହା ବି ୮ମ ଶ୍ରେଣୀରେ ପଢ଼ିବା ସମୟରୁ। ସେ କହନ୍ତି, “ଏଇଟା ମୋ ବୃତ୍ତି। ମୋର ଚାଷଜମି ନାହିଁ। କାମ ନଥିବା ସମୟରେ ଆମେ ଆମ ସଞ୍ଚୟ ଉପରେ ନିର୍ଭର କରି ଚଳୁ। ଜୀବନ ଆଗେଇ ଯାଏ। କେବେ କେମିତି ଲୋକେ ମୋତେ ଭାଓନା (ପାରମ୍ପରିକ ନାଟକ) କରିବାକୁ ଡାକନ୍ତି। ସେମାନେ ସହାୟତା ଲୋଡ଼ନ୍ତି ଏବଂ ମୁଁ ଯାଏ।”

“କିଏ ୧,୦୦୦ ଟଙ୍କା ଦିଅନ୍ତି ତ ଆଉ କିଏ ୧,୫୦୦। କେହି କେହି ୩୦୦ ଟଙ୍କା ବି ଦିଅନ୍ତି। ଆଉ କ’ଣ ବା କହିପାରିବେ? ଏହା ତ ରାଜହୁଆ କାମ (ଗୋଷ୍ଠୀ ସେବା)। ମୁଁ ମୋ ଦର କହିଥାଏ, କିନ୍ତୁ ଲୋକେ ସେମାନଙ୍କ ସାମର୍ଥ୍ୟ ଅନୁସାରେ ଦିଅନ୍ତି।”

The guru axon (guru's seat) built by Dutta for a namghar in Kharjanpar, Majuli. The axons are usually made of wood but he used concrete and later painted it to resemble wood
PHOTO • Courtesy: Ramesh Dutta
The guru axon (guru's seat) built by Dutta for a namghar in Kharjanpar, Majuli. The axons are usually made of wood but he used concrete and later painted it to resemble wood
PHOTO • Courtesy: Ramesh Dutta

ମାଜୁଲିର ଖାର୍ଜନପାରର ଏକ ନାମଘର ପାଇଁ ଦତ୍ତ ତିଆରି କରିଥିବା ଗୁରୁ ଆଖନ (ଗୁରୁଙ୍କ ଆସନ)। ସାଧାରଣତଃ ଆଖନଗୁଡ଼ିକ କାଠରେ ତିଆରି ହୁଏ କିନ୍ତୁ ସେ ଏହାକୁ କଂକ୍ରିଟ୍‌ରେ ତିଆରି କରିବା ପରେ ଏଭଳି ରଙ୍ଗ ଦେଲେ ଯାହା କାଠ ଭଳି ଦିଶୁଥିଲା

Anushka Dutta stands next to the giant Aghasura costume made by her father for the Raas Mahotsav. The six-year-old looks on as her father works on a project outside their home.
PHOTO • Prakash Bhuyan
Anushka Dutta stands next to the giant Aghasura costume made by her father for the Raas Mahotsav. The six-year-old looks on as her father works on a project outside their home.
PHOTO • Prakash Bhuyan

ରାସ ମହୋତ୍ସବ ପାଇଁ ବାପା ତିଆରି କରିଥିବା ବିଶାଳ ଅଘାସୁର ପରିଧାନ ନିକଟରେ ଠିଆ ହୋଇଛନ୍ତି ଅନୁଷ୍କା ଦତ୍ତ। ସେମାନଙ୍କ ଘର ବାହାରେ ବାପା ଏକ କାମରେ ଲାଗିଥିବା ବେଳେ ତାଙ୍କର ଛଅ ବର୍ଷୀୟା ଝିଅ ଚାହିଁ ରହିଛି

ଏ ସବୁ ବାଧ୍ୟବାଧକତାକୁ ସେ ବୁଝିପାରନ୍ତି। ତଥାପି ସେ କହନ୍ତି, “ ଅର୍ଥ (ଟଙ୍କା) ବିନା କିଛି କରାଯାଇପାରିବନି। ଯେ କୌଣସି ବିଷୟ ଉପରେ କାମ କରିବାକୁ ହେଲେ ଟଙ୍କା ଦରକାର ହୁଏ। ଏବଂ କେବେକେବେ ସେହି ଟଙ୍କା ମିଳିବା କଷ୍ଟକର ହୋଇଯାଏ।”

ଏଭଳି ସମସ୍ୟା ସମାଧାନର ଆଉ ଏକ ବାଟ ହେଉଛି ଯେ ସେ ତିଆରି କରିଥିବା ମୁଖାକୁ ଭଡ଼ାରେ ଦିଅନ୍ତି। ଯେମିତି କି ୨୦୧୪ରେ ସେ ତିଆରି କରିଥିବା ବିଷ୍ଣୁଙ୍କ ମତ୍ସ୍ୟ ଅବତାରର ମୁଖା। “ସେତେବେଳେ ଏଥିପାଇଁ ଆବଶ୍ୟକ ସବୁ ସାମଗ୍ରୀ କିଣିବାକୁ ମୋତେ ୪୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା ଏବଂ ବେଳେବେଳେ ଏହି ୪୦୦ ଟଙ୍କା ଯୋଗାଡ଼ କରିବା କଷ୍ଟକର ହୋଇପଡ଼େ।” ତା’ପରଠାରୁ ଛଅ ବର୍ଷ ମଧ୍ୟରେ ସେ ଏହାକୁ ଭଡ଼ାରେ ଦେଇ ପ୍ରାୟ ୫୦,୦୦୦ ଟଙ୍କା ପାଇସାରିଲେଣି।

ଦତ୍ତ ଯେଉଁଭଳି କାମ କରନ୍ତି, ସେଥିପାଇଁ କୌଣସି ନିର୍ଦ୍ଧାରିତ ଦର ନଥାଏ। ଏମିତି କି ଛୋଟ ମୂର୍ତ୍ତିଟିଏ ହୋଇଥିଲେ ବି ଏଥିପାଇଁ ଅଧିକ ଖାଟୋନି (ଶାରୀରିକ ପ୍ରୟାସ) ଲାଗିଥାଏ। ସେ କହନ୍ତି, “ବେଳେବେଳେ ହାଜିରା (କାମ ପାଇଁ ମିଳୁଥିବା ମଜୁରି) ପର୍ଯ୍ୟାପ୍ତ ହୋଇ ନଥାଏ।”

“ଏହା ତାସ୍‌ ଖେଳ ଭଳି। ଆମକୁ ନୈରାଶ୍ୟ ଭିତରେ ବି ଆଶା ଖୋଜିନେବାକୁ ପଡ଼ିବ।”

Backstage at the Garamur Saru Satra auditorium, Dutta waits for his Gayan-Bayan performance to begin
PHOTO • Prakash Bhuyan

ଗଡ଼ମୁର ସରୁ ସତ୍ର ପ୍ରେକ୍ଷାଳୟର ମଞ୍ଚ ପ୍ରଚ୍ଛଦରେ ଗାୟନ-ବାୟନ ପରିବେଷଣ କରିବାକୁ ଦତ୍ତ ଅପେକ୍ଷା କରିଛନ୍ତି

In a scene from the Nri Simha Jatra drama, Dutta (left) helps the actor wearing the mask of the half lion, half human Nri Simha.
PHOTO • Prakash Bhuyan

ନୃସିଂହ ଯାତ୍ରା ଶୀର୍ଷକ ନାଟକର ଗୋଟିଏ ଦୃଶ୍ୟ। ଦତ୍ତ (ବାମ) ଜଣେ କଳାକାରଙ୍କୁ ମୁଖା ପିନ୍ଧିବାରେ ସାହାଯ୍ୟ କରୁଛନ୍ତି- ଏହି ମୁଖାଟି ଅଧା ସିଂହ ଓ ଅଧା ମଣିଷ ନୃ ସିଂହଙ୍କର

The artist prepares the set for the Kaliyo daman scene of the Raas performance wherein Lord Krishna defeats the Kaliyo Naag living in the Yamuna river
PHOTO • Prakash Bhuyan

ରାସ ପରିବେଷଣ ସମୟରେ କାଳୀୟ ଦମନ ଦୃଶ୍ୟର ମଞ୍ଚ ପ୍ରସ୍ତୁତ କରୁଛନ୍ତି କଳାକାର। ଏହି ଦୃଶ୍ୟରେ ଭଗବାନ କୃଷ୍ଣ ଯମୁନା ନଦୀରେ ରହୁଥିବା କାଳୀୟ ନାଗକୁ ପରାସ୍ତ କରିଥିଲେ

Dutta, after his performance as Boraho, lights a dhuna for prayer
PHOTO • Prakash Bhuyan

ଦତ୍ତ ବରାହୋ ଭୂମିକାରେ ଅଭିନୟ ପରେ ପ୍ରାର୍ଥନା କରିବାକୁ ଧୁନା ଜଳାଉଛନ୍ତି

ଏହି ଲେଖା ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମ୍‌ଏମ୍‌ଏଫ୍) ପକ୍ଷରୁ ପ୍ରଦତ୍ତ ଫେଲୋସିପ୍‌ ସହାୟତାରେ ପ୍ରସ୍ତୁତ।

ଅନୁବାଦ: ଓଡ଼ିଶାଲାଇଭ୍‍

Prakash Bhuyan

ಪ್ರಕಾಶ್ ಭುಯಾನ್ ಭಾರತದ ಅಸ್ಸಾಂನ ಕವಿ ಮತ್ತು ಛಾಯಾಗ್ರಾಹಕ. ಅವರು ಅಸ್ಸಾಂನ ಮಜುಲಿಯಲ್ಲಿ ಕಲೆ ಮತ್ತು ಕರಕುಶಲ ಸಂಪ್ರದಾಯಗಳನ್ನು ಒಳಗೊಂಡ 2022-23ರ ಎಂಎಂಎಫ್-ಪರಿ ಫೆಲೋ.

Other stories by Prakash Bhuyan
Editor : Swadesha Sharma

ಸ್ವದೇಶ ಶರ್ಮಾ ಪೀಪಲ್ಸ್ ಆರ್ಕೈವ್ ಆಫ್ ರೂರಲ್ ಇಂಡಿಯಾದಲ್ಲಿ ಸಂಶೋಧಕ ಮತ್ತು ವಿಷಯ ಸಂಪಾದಕರಾಗಿದ್ದಾರೆ. ಪರಿ ಗ್ರಂಥಾಲಯಕ್ಕಾಗಿ ಸಂಪನ್ಮೂಲಗಳನ್ನು ಸಂಗ್ರಹಿಸಲು ಅವರು ಸ್ವಯಂಸೇವಕರೊಂದಿಗೆ ಕೆಲಸ ಮಾಡುತ್ತಾರೆ.

Other stories by Swadesha Sharma
Photo Editor : Binaifer Bharucha

ಬಿನೈಫರ್ ಭರುಚಾ ಮುಂಬೈ ಮೂಲದ ಸ್ವತಂತ್ರ ಛಾಯಾಗ್ರಾಹಕರು ಮತ್ತು ಪೀಪಲ್ಸ್ ಆರ್ಕೈವ್ ಆಫ್ ರೂರಲ್ ಇಂಡಿಯಾದ ಫೋಟೋ ಎಡಿಟರ್.

Other stories by Binaifer Bharucha
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE