ଦୁର୍ଗା ଦୁର୍ଗା ବୋଲେ ଆମାର୍,
ଦୋଗ୍ଧୋହୋଲୋ କାୟା,
ଏକବାର୍ ଦେ ଗୋ ମା’,
ଚୋରୋନେରି ଛାୟା…
ମୋ ଶରୀର ଜଳି ଯାଉଛି,
‘ଦୁର୍ଗା, ଦୁର୍ଗା’ ମୁଁ ଡାକୁଛି,
ହେ ମା’, ଆପଣଙ୍କ କୃପା ଲାଭ କରିବା ଲାଗି
ମୁଁ ଆପଣଙ୍କୁ ବିନତି କରୁଛି।
ଦେବୀ ଦୁର୍ଗାଙ୍କ ପ୍ରଶସ୍ତି ଗାନ କରିବା ସମୟରେ କଳାକାର ବିଜୟ ଚିତ୍ରକରଙ୍କ କଣ୍ଠ ସ୍ୱର ଉଚ୍ଚ ହୋଇଯାଉଛି। ତାଙ୍କ ଭଳି ପାଇଟକାର କଳାକାର ସାଧାରଣତଃ ପ୍ରଥମେ ଗୀତ ଲେଖିଥା’ନ୍ତି ଏବଂ ତା’ପରେ ଚିତ୍ର ଆଙ୍କିଥାନ୍ତି - ଯାହାକି ୧୪ ଫୁଟ୍ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। ଏହାକୁ କାହାଣୀ ଓ ସଙ୍ଗୀତ ସହିତ ଦର୍ଶକଙ୍କ ଆଗରେ ଉପସ୍ଥାପନ କରାଯାଇଥାଏ।
ବିଜୟ (୪୧) ଝାଡ଼ଖଣ୍ଡର ପୂର୍ବୀସିଂହଭୂମ ଜିଲ୍ଲା ଅନ୍ତର୍ଗତ ଆମାଡୋବି ଗାଁରେ ରୁହନ୍ତି। ସେ କୁହନ୍ତି, ପାଇଟକାର ଚିତ୍ରକଳାଗୁଡ଼ିକ ସ୍ଥାନୀୟ ସାନ୍ତାଳୀ କାହାଣୀ, ଗ୍ରାମୀଣ ଜୀବନ, ପ୍ରକୃତି ଓ ପୁରାଣ ଉପରେ ଆଧାରିତ ହୋଇଥାଏ। ‘‘ଆମର ମୁଖ୍ୟ ବିଷୟବସ୍ତୁ ହେଉଛି ଗ୍ରାମୀଣ ସଂସ୍କୃତି; ଆମ ଚାରି ପାଖରେ ଆମେ ଯାହା ଦେଖୁ, ତା’କୁ ଆମର କଳା ମାଧ୍ୟମରେ ପ୍ରତିଫଳିତ କରିଥାଉ,’’ ବିଜୟ କୁହନ୍ତି। ତାଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିବା ବେଳେ ସେ ପାଇଟକାର ଚିତ୍ର ଆଙ୍କି ଆସୁଛନ୍ତି। ‘‘କରମା ନୃତ୍ୟ, ବାହା ନୃତ୍ୟ, କିମ୍ବା ରାମାୟଣ, ମହାଭାରତ, ଗୋଟିଏ ଗାଁ ଦୃଶ୍ୟର ଚିତ୍ର….’’ ସେ ସାନ୍ତାଳୀ ଚିତ୍ରକଳାର ବିଭିନ୍ନ ଭାଗକୁ ବର୍ଣ୍ଣନା କରିଥାନ୍ତି, ‘‘ଏଥିରେ ମହିଳାଙ୍କୁ ଘର କାମ କରୁଥିବା, ପୁରୁଷମାନେ ବଳଦ ନେଇ କ୍ଷେତକୁ ଯିବା ଏବଂ ଆକାଶରେ ପକ୍ଷୀମାନେ ଉଡ଼ିଯାଉଥିବା ପ୍ରଦର୍ଶିତ କରାଯାଇଛି।’’
‘‘ମୁଁ ମୋ ଜେଜେବାପାଙ୍କଠାରୁ ଏହି କଳା ଶିଖିଛି। ସେ ଜଣେ ପ୍ରସିଦ୍ଧ ଚିତ୍ରକର ଥିଲେ ଏବଂ ତତ୍କାଳୀନ ସମୟରେ କଲିକତା (କୋଲକାତା)ରୁ ଲୋକମାନେ ତାଙ୍କୁ ଶୁଣିବା (ଗୀତ ଗାଇ ନିଜ ଚିତ୍ର ବର୍ଣ୍ଣନା କରିବା) କୁ ଆସୁଥିଲେ।’’ ବିଜୟଙ୍କ ପରିବାରର ଅନେକ ପିଢ଼ି ପାଇଟକାର ଚିତ୍ରକର ଭାବେ ରହି ଆସିଛନ୍ତି ଏବଂ ସେ କୁହନ୍ତି, ‘‘ ପାଟ୍ ୟୁକ୍ତାକାର୍, ମାନେ ପାଇଟକାର, ଇସିଲିୟେ ପାଇଟକାର ପେଣ୍ଟିଂ ଆୟା (ଏହାର ଆକାର ଏକ ପାଟ୍ ବା ପାଣ୍ଡୁଲିପି ଭଳି, ତେଣୁ ଏହାକୁ ପାଇଟକାର ନାମ ଦିଆଯାଇଛି)।’’
![Left: Vijay Chitrakar working on a Paitkar painting outside his mud house in Purbi Singhbhum district's Amadobi village](/media/images/02a-A8FA-Crop-AKS-In_Jharkhand-Paitkar_art.max-1400x1120.jpg)
![Right: Paitkar artists like him write song and then paint based on them](/media/images/02b-2184-AKS-In_Jharkhand-Paitkar_art_is_f.max-1400x1120.jpg)
ବାମ : ବିଜୟ ଚିତ୍ରକର ପୂର୍ବୀସିଂହଭୂମ ଜିଲ୍ଲା ଅନ୍ତର୍ଗତ ଆମାଡୋବି ଗାଁରେ ଥିବା ନିଜର ମାଟି ଘରେ ଗୋଟିଏ ପାଇଟକାର ଚିତ୍ର ତିଆରି କରୁଛନ୍ତି। ଡାହାଣ : ତାଙ୍କ ଭଳି ପାଇଟକାର ଚିତ୍ରକରମାନେ ପ୍ରଥମେ ଗୀତ ଲେଖିଥାନ୍ତି ଏବଂ ପରେ ଏହାକୁ ଆଧାର କରି ଚିତ୍ର ଆଙ୍କନ୍ତି
![Paitkar painting depicting the Karam Dance, a folk dance performed to worship Karam devta – god of fate](/media/images/03-0E39-AKS-In_Jharkhand-Paitkar_art_is_fa.max-1400x1120.jpg)
ସୌଭାଗ୍ୟର ଠାକୁର କରମ୍ ଦେବତାଙ୍କୁ ପୂଜା କରିବା ଲାଗି ପରିବେଷଣ କରାଯାଉଥିବା ଏକ ଲୋକ ନୃତ୍ୟ କରମ୍ ନାଚକୁ ଦର୍ଶାଉଥିବା ପାଇଟକାର ଚିତ୍ରକଳା
ପାଇଟକାର ଚିତ୍ରକଳା ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରୁ ଉତ୍ପତି ହୋଇଛି। ଏହି କଳା କାହାଣୀ କହିବାର ଜଟିଳ ଦୃଶ୍ୟ ସହିତ ମିଶି ରହିଥାଏ, ଯାହାକି ପାଣ୍ଡୁଲିପି ନାମରେ ପରିଚିତ ପ୍ରାଚୀନ ରାଜକୀୟ ସ୍କ୍ରଲ୍ ଦ୍ୱାରା ପ୍ରଭାବିତ। ରାଞ୍ଚି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରାଧ୍ୟାପକ ଏବଂ ଆଦିବାସୀ ଲୋକକଥା ବିଶେଷଜ୍ଞ ପୁରୁଷୋତ୍ତମ ସରମା କୁହନ୍ତି, ‘‘ଏହି କଳା କେତେ ପ୍ରାଚୀନ ତାହା କହିବା ବେଶ୍ କଷ୍ଟକର କାରଣ ଏହା ଗୋଟିଏ ପରେ ଆଉ ଗୋଟିଏ ପିଢ଼ିକୁ ଚାଲି ଆସିଛି ଏବଂ ଏହାର କୌଣସି ଲିଖିତ ପ୍ରମାଣ ନାହିଁ।
ଆମାଡୋବି ଗାଁରେ ଅନେକ ପାଇଟକାର ଚିତ୍ରକର ଅଛନ୍ତି ଏବଂ ୭୧ ବର୍ଷ ବୟସ୍କ ଅନୀଲ ଚିତ୍ରକର ଗାଁର ସବୁଠୁ ବରିଷ୍ଠ ଚିତ୍ରକର ଅଟନ୍ତି। ‘‘ମୋର ପ୍ରତ୍ୟେକ ଚିତ୍ରକଳାରେ ଗୋଟିଏ ଗୀତ ଥାଏ। ଆଉ ଆମେ ସେହି ଗୀତ ଗାଉ,’’ ଅନୀଲ କୁହନ୍ତି। ଗୋଟିଏ ବଡ଼ ସାନ୍ତାଳୀ ଉତ୍ସବରେ କରମା ନୃତ୍ୟର ବର୍ଣ୍ଣନା ଥିବା ପାଣ୍ଡୁଲିପି ଚିତ୍ରକଳା ପରୀକୁ ଦେଖାଇ ସେ ଆହୁରି କୁହନ୍ତି, ‘‘ଥରେ ଗୋଟିଏ କାହାଣୀ ମନକୁ ଆସିଲେ, ଆମେ ଚିତ୍ର ଆଙ୍କିଥାଉ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୀତଟିଏ ଲେଖିବା ଓ ତା’ପରେ ଏକ ଚିତ୍ର ଆଙ୍କିବା ଏବଂ ଶେଷରେ ଲୋକମାନଙ୍କ ଆଗରେ ତା’କୁ ଗାଇବା।
ଉଭୟ ଅନୀଲ ଏବଂ ବିଜୟ ହାତଗଣତି ଚିତ୍ରକରଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନଙ୍କ ପାଖରେ ପାଇଟକାର ଚିତ୍ରକର ହେବା ଲାଗି ସଂଗୀତ ଜ୍ଞାନ ରହିଛି। ଅନୀଲ କହିଥାନ୍ତି ଯେ ସଙ୍ଗୀତରେ ଖୁସି, ଆନନ୍ଦ, ଦୁଃଖ ଓ ଉତ୍ସାହ ଆଦି ପ୍ରତ୍ୟେକ ଭାବକୁ ବ୍ୟକ୍ତ କରିବା ଲାଗି ଗୀତ ରହିଛି। ‘‘ଗ୍ରାମାଞ୍ଚଳରେ ଆମେ ଦୁର୍ଗା, କାଳୀ, ଦାତା କର୍ଣ୍ଣ, ନୌକା ବିଳାସ, ମନସା ମଙ୍ଗଳ ଆଦି ଦେବଦେବୀ ଏବଂ ମହାକାବ୍ୟ ଉପରେ ଆଧାରିତ ଗୀତ ଗାଇଥାଉ,’’ ସେ କୁହନ୍ତି।
ଅନୀଲ ତାଙ୍କ ବାପାଙ୍କ ପାଖରୁ ସଙ୍ଗୀତ ଶିଖିଛନ୍ତି ଏବଂ ତାଙ୍କ ପାଖରେ ଚିତ୍ର ସହ ଜଡ଼ିତ ଗୀତର ସବୁଠୁ ବଡ଼ ଭଣ୍ଡାର ରହିଛି ବୋଲି କୁହାଯାଏ। ‘‘(ସାନ୍ତାଳୀ ଓ ହିନ୍ଦୁ) ପର୍ବପର୍ବାଣୀ ସମୟରେ ଆମେ ଗାଁରୁ ଗାଁ ବୁଲି ନିଜ ଚିତ୍ର ଦେଖାଇ ଯାତ୍ରା କରୁଥିଲୁ ଏବଂ ଏକତାରା (ଗୋଟିକିଆ ତାର ଥିବା ବାଦ୍ୟଯନ୍ତ୍ର) ଓ ହାର୍ମୋନିୟମ ବଜାଇ ଗୀତ ଗାଉଥିଲୁ। ଏହା ବଦଳରେ ଲୋକମାନେ ଚିତ୍ରକଳା କିଣୁଥିଲେ ଏବଂ କିଛି ଟଙ୍କା କିମ୍ବା ଚାଉଳ ଦେଉଥିଲେ,’’ ସେ କୁହନ୍ତି ।
ପାଇଟକାର କଳା କାହାଣୀ କହିବାର ଜଟିଳ ଦୃଶ୍ୟ ସହିତ ମିଶି ରହିଥାଏ, ଯାହାକି ପାଣ୍ଡୁଲିପି ନାମରେ ପରିଚିତ ପ୍ରାଚୀନ ରାଜକୀୟ ସ୍କ୍ରଲ୍ ଦ୍ୱାରା ପ୍ରଭାବିତ
ପୂର୍ବରୁ ପାଇଟକାର ଚିତ୍ରକଳାର ଆକାର ୧୨ରୁ ୧୪ ଫୁଟ ପର୍ଯ୍ୟନ୍ତ ଲମ୍ବା ଥିଲା ଏବଂ ଏଥିରେ ସାନ୍ତାଳଙ୍କ ଉତ୍ପତି ଉପରେ ଆଧାରିତ ଲୋକକଥା ବର୍ଣ୍ଣନା କରାଯାଉଥିଲା। ହେଲେ ବିଗତ କିଛି ବର୍ଷ ହେବ ଏହାର ଆକାର ଗୋଟିଏ ଫୁଟ୍ ଲମ୍ବା ଏ-ଫୋର୍ ଆକୃତିକୁ ଖସିଆସିଛି ଯାହାକି ୨୦୦ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି। ‘‘ଆମେ ବଡ଼ ଚିତ୍ର ବିକ୍ରି କରିପାରିବୁ ନାହିଁ, ତେଣୁ ଆମେ ଛୋଟ ଚିତ୍ର ତିଆରି କରୁଛୁ। ଗାଁକୁ କୌଣସି ଗ୍ରାହକ ଆସିଲେ, ଆମେ ସେଗୁଡ଼ିକୁ ୪୦୦-୫୦୦ ଟଙ୍କାରେ ବିକ୍ରି କରିଥାଉ,’’ ଅନୀଲ କୁହନ୍ତି।
ଅନୀଲ ମଧ୍ୟ କେତେକ ଜାତୀୟ ଓ ଅନ୍ତର୍ଜାତୀୟ ମେଳା ଓ କର୍ମଶାଳାରେ ଅଂଶଗ୍ରହଣ କରିଛନ୍ତି। ସେ କୁହନ୍ତି ଯେ ଏହି କଳା ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ କିନ୍ତୁ ଏହା ଏକ ସ୍ଥାୟୀ ଜୀବିକା ନୁହେଁ। ‘‘ମୋବାଇଲ୍ ଫୋନ୍ ଆସିବା ଫଳରେ ଏହି ଜୀବନ୍ତ ସଙ୍ଗୀତ ପରମ୍ପରା ହ୍ରାସ ପାଇଛି କାରଣ ଏବେ ଏତେ ସଂଖ୍ୟାରେ ମୋବାଇଲ୍ ଆସିଯାଇଛି ଯେ ପ୍ରାଚୀନ ଗାଇବା ଓ ବଜାଇବାର ପରମ୍ପରା ସମାପ୍ତ ହୋଇଯାଇଛି। ପୂର୍ବରୁ ରହିଥିବା ପ୍ରାଚୀନ ପରମ୍ପରା ବିଲୁପ୍ତ ହୋଇଯାଇଛି। ଏବେ ଏ କେମିତିକା ଗୀତ ଆସିଛି, ଫୁଲକା ଫୁଲକା ଚୁଲ୍, ଉଡ଼ି ଉଡ଼ି ଯାଏ,’’ ପବନରେ ଉଡ଼ୁଥିବା କେଶକୁ ବର୍ଣ୍ଣନା କରି ଲେଖାଯାଇଥିବା ଗୀତକୁ ଉପହାସ କରି ଅନୀଲ କୁହନ୍ତି।
ଏହି ଅଭିଜ୍ଞ କଳାକାର ଜଣଙ୍କ କୁହନ୍ତି, ଏକଦା ଆମାଡୋବିର ୪୦ରୁ ଅଧିକ ପରିବାରରେ ପାଇଟକାର ଚିତ୍ର କରାଯାଉଥିଲା, କିନ୍ତୁ ଆଜି ଅଳ୍ପ କେତେକ ପରିବାର ଏହି ଚିତ୍ରକଳାକୁ ଜାରି ରଖିଛନ୍ତି । ‘‘ମୁଁ ଅନେକ ଛାତ୍ରଛାତ୍ରୀଙ୍କୁ ଏହି ଚିତ୍ରକଳା ଶିଖାଇଛି, କିନ୍ତୁ ସେମାନେ ଏହାକୁ ଛାଡ଼ି ଦେଇଛନ୍ତି କାରଣ ସେମାନଙ୍କୁ ଏଥିରୁ ରୋଜଗାର ମିଳୁନାହିଁ ଏବଂ ସେମାନେ ଏବେ ଶ୍ରମିକ ଭାବେ କାମ କରୁଛନ୍ତି,’’ ଅନୀଲ କୁହନ୍ତି। ‘‘ମୁଁ ମଧ୍ୟ ମୋ ପୁଅମାନଙ୍କୁ ଏହି କୌଶଳ ଶିଖାଇଥିଲି, କିନ୍ତୁ ଏଥିରୁ ଭଲ ରୋଜଗାର ହେଉନଥିବାରୁ ସେମାନେ ଏହାକୁ ଛାଡ଼ି ଦେଇଛନ୍ତି।’’ ତାଙ୍କ ବଡ଼ ପୁଅ ଏବେ ଜାମଶେଦପୁରରେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ସାନପୁଅ ଜଣେ ଶ୍ରମିକ ଭାବେ କାମ କରୁଛି। ଅନୀଲ ଏବଂ ତାଙ୍କ ପତ୍ନୀ ଗାଁରେ ଏକ ଛୋଟ କୁଡ଼ିଆରେ ରୁହନ୍ତି ଏବଂ ସେମାନେ କିଛି ଛେଳି ଓ କୁକୁଡ଼ା ରଖିଛନ୍ତି; ଗୋଟିଏ ଶୁଆ ତାଙ୍କ ଘର ବାହାରେ ଥିବା ପଞ୍ଜୁରୀରେ ବିଶ୍ରାମ ନେଉଛି।
୨୦୧୩ରେ, ଝାଡ଼ଖଣ୍ଡ ସରକାର ଆମାଡୋବି ଗାଁକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିଥିଲେ କିନ୍ତୁ ଏଠାକୁ ଅଳ୍ପ କେତେଜଣ ପର୍ଯ୍ୟଟକ ଆସିଥିଲେ। ‘‘ଯଦି ଜଣେ ପର୍ଯ୍ୟଟକ କିମ୍ବା ସାହିବ୍ (ସରକାରୀ ଅଧିକାରୀ) ଆସନ୍ତି, ଆମେ ସେମାନଙ୍କ ପାଇଁ ଗାଇଥାଉ ଆଉ ସେମାନେ ଆମକୁ କିଛି ଟଙ୍କା ଦିଅନ୍ତି। ଗତ ବର୍ଷ, ମୁଁ ମାତ୍ର ଦୁଇଟି ଚିତ୍ର ବିକ୍ରି କରିପାରିଥିଲି,’’ ସେ କୁହନ୍ତି।
![Anil Chitrakar, the oldest Paitkar artist in Amadobi village, with his paintings](/media/images/04a-F42F-Crop-AKS-In_Jharkhand-Paitkar_art.max-1400x1120.jpg)
![Anil Chitrakar, the oldest Paitkar artist in Amadobi village, with his paintings](/media/images/04b-0E23-Crop-AKS-In_Jharkhand-Paitkar_art.max-1400x1120.jpg)
ଅନିଲ୍ ଚିତ୍ରକର, ଆମାଡୋବି ଗ୍ରାମର ବୟୋଜ୍ୟେଷ୍ଠ ପାଇଟକାର ଚିତ୍ରକର, ତାଙ୍କର ଚିତ୍ର ସହିତ
![Paitkar paintings illustrating the Bandna Parv festival and related activities of Adivasi communities of Jharkhand](/media/images/05-41ED-AKS-In_Jharkhand-Paitkar_art_is_fa.max-1400x1120.jpg)
ବନ୍ଦନା ପର୍ବ ଉତ୍ସବ ଏବଂ ଝାଡ଼ଖଣ୍ଡର ଆଦିବାସୀ ସମ୍ପ୍ରଦାୟ ସହ ଜଡ଼ିତ ବିଭିନ୍ନ ଗତିବିଧିକୁ ଦର୍ଶାଉଥିବା ପାଇଟକାର ଚିତ୍ରକଳା
ଚିତ୍ରକରମାନେ କରମା ପୂଜା, ବନ୍ଧନ ପର୍ବ ସହିତ ସ୍ଥାନୀୟ ହିନ୍ଦୁ ପରିବାର ଓ ମେଳା ସମୟରେ ଆଖପାଖ ଗାଁରେ ଚିତ୍ରକଳା ବିକ୍ରି କରିଥାନ୍ତି। ଅନୀଲ ଚିତ୍ରକର କୁହନ୍ତି, ‘‘ପୂର୍ବରୁ ଆମେ ଚିତ୍ର କଳା ବିକ୍ରି କରିବା ଲାଗି ଅନ୍ୟ ଗାଁଗୁଡ଼ିକୁ ଯାଉଥିଲୁ। ଆମେ ଅନେକ ଦୂର ପର୍ଯ୍ୟନ୍ତ, ଏପରିକି ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଛତିଶଗଡ଼ ଭଳି ସ୍ଥାନକୁ ମଧ୍ୟ ଯାଉଥିଲୁ।’’
*****
ପାଇଟକାର କଳା ପଛରେ ଥିବା ପ୍ରକ୍ରିୟା ବିଜୟ ଆମକୁ ଦେଖାଇ ଦିଅନ୍ତି। ପ୍ରଥମେ ସେ ଏକ ଛୋଟ ପଥର ସ୍ଲାବ୍ ଉପରେ ଅଳ୍ପ କିଛି ପାଣି ପକାଇଥା’ନ୍ତି ଏବଂ ତା’ପରେ ଏକ କାଦୁଆ ଲାଲ ରଙ୍ଗ ବାହାର କରିବା ଲାଗି ଅନ୍ୟ ଏକ ପଥରକୁ ରଗଡ଼ିଥା’ନ୍ତି। ତା’ପରେ ଗୋଟିଏ ଛୋଟ ତୁଳୀ ସାହାଯ୍ୟରେ ସେ ରଙ୍ଗ କରିବା ଆରମ୍ଭ କରନ୍ତି।
ପାଇଟକାର ଚିତ୍ରକଳାରେ ବ୍ୟବହାର କରାଯାଉଥିବା ରଙ୍ଗ ନଦୀ କୂଳର ପଥର ଏବଂ ଫୁଲ ଓ ପତ୍ର ରସରୁ ମିଳିଥାଏ। ପଥର ଖୋଜିବା ସବୁଠୁ ଆହ୍ୱାନପୂର୍ଣ୍ଣ କାମ। ‘‘ଆମକୁ ପାହାଡ଼ ଏବଂ ନଦୀ କୂଳକୁ ଯିବାକୁ ହୁଏ; ବେଳେବେଳେ ଚୂନ ପଥର ଖୋଜିବାରେ ତିନିରୁ ଚାରି ଦିନ ଲାଗିଯାଏ,’’ ବିଜୟ କୁହନ୍ତି।
ଚିତ୍ରକରମାନେ ହଳଦିଆ ରଙ୍ଗ ପାଇଁ ହଳଦୀ, ସବୁଜ ରଙ୍ଗ ପାଇଁ ବିନ୍ସ କିମ୍ବା ଲଙ୍କା ଏବଂ ବାଇଗଣୀ ରଙ୍ଗ ପାଇଁ ଲାଣ୍ଟାନା କାମାରା (ନାଗ ଐରି) ଫଳ ବ୍ୟବହାର କରିଥାନ୍ତି। କିରାସିନି ବତୀରୁ କଳା ସଂଗ୍ରହ କରାଯାଇ କଳା ରଙ୍ଗ ପ୍ରସ୍ତୁତ କରାଯାଇଥାଏ; ପଥରରୁ ଲାଲ, ଧଳା ଓ ଇଟା ରଙ୍ଗ ବାହାର କରାଯାଏ।
![Left: The colors used in Paitkar paintings are sourced naturally from riverbank stones and extracts of flowers and leaves.](/media/images/06a-5DF5-AKS-In_Jharkhand-Paitkar_art_is_f.max-1400x1120.jpg)
![Right: Vijay Chitrakar painting outside his home](/media/images/06b-2B50-AKS-In_Jharkhand-Paitkar_art_is_f.max-1400x1120.jpg)
ବାମ: ପାଇଟକାର ଚିତ୍ରକଳାରେ ବ୍ୟବହାର କରାଯାଉଥିବା ରଙ୍ଗ ନଦୀ କୂଳର ପଥର ଏବଂ ଫୁଲ ଓ ପତ୍ର ରସରୁ ମିଳିଥାଏ। ଡାହାଣ : ନିଜ ଘର ବାହାରେ ଚିତ୍ର କରୁଛନ୍ତି ବିଜୟ ଚିତ୍ରକର
![Left: Vijay Chitrakar making tea inside his home.](/media/images/07a-8F38-Crop-AKS-In_Jharkhand-Paitkar_art.max-1400x1120.jpg)
![Right: A traditional Santhali mud house in Amadobi village](/media/images/07b-CD78-Crop-AKS-In_Jharkhand-Paitkar_art.max-1400x1120.jpg)
ବାମ: ବିଜୟ ଚିତ୍ରକର ନିଜ ଘର ଭିତରେ ଚା’ ପ୍ରସ୍ତୁତ କରୁଛନ୍ତି। ଡାହାଣ : ଆମାଡୋବି ଗାଁରେ ଏକ ପାରମ୍ପରିକ ସାନ୍ତାଳୀ ମାଟି ଘର
ଯଦିଓ କପଡ଼ା ଓ କାଗଜ ଉପରେ ଚିତ୍ର ତିଆରି କରାଯାଇପାରିବ, ତଥାପି ବର୍ତ୍ତମାନର ଅଧିକାଂଶ ଚିତ୍ରକର ଚିତ୍ର ଆଙ୍କିବା ପାଇଁ କାଗଜ ବ୍ୟବହାର କରୁଛନ୍ତି ଯାହାକୁ ସେମାନେ ୭୦ କିଲୋମିଟର ଦୂର ଜାମଶେଦପୁରରୁ କିଣିଥା’ନ୍ତି। ‘‘ଗୋଟିଏ କାଗଜର ଦାମ୍ ୭୦ରୁ ୧୨୦ ଟଙ୍କା ମଧ୍ୟରେ ହୋଇଥାଏ ଏବଂ ଆମେ ସହଜରେ (ସେଥିରୁ) ଚାରିଟି ଛୋଟ ଚିତ୍ର ତିଆରି କରିପାରିବୁ,’’ ବିଜୟ କୁହନ୍ତି।
ଚିତ୍ରକୁ ସଂରକ୍ଷିତ କରି ରଖିବା ପାଇଁ ଏସବୁ ପ୍ରାକୃତିକ ରଙ୍ଗକୁ ନିମ୍ବ (ଆଜାଦିରାକ୍ଟା ଇଣ୍ଡିକା) ବା ବବୁଲ୍ (ଆକାସିଆ ନିଲୋଟିକା) ଗଛର ରସରେ ମିଶ୍ରଣ କରାଯାଏ। ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ଏକ ବଡ଼ ଆକର୍ଷଣ ବୋଲି ଉଲ୍ଲେଖ କରି ବିଜୟ କୁହନ୍ତି, ‘‘ଏହି ଉପାୟ ଦ୍ୱାରା, କୀଟମାନେ କାଗଜ ଉପରେ ଆକ୍ରମଣ କରିପାରିନଥାନ୍ତି ଏବଂ ଚିତ୍ର ଯଥାସ୍ଥିତି ରହିଥାଏ।’’
*****
ଆଠ ବର୍ଷ ପୂର୍ବରୁ, ଅନୀଲଙ୍କ ଦୁଇ ଆଖିରେ ମୋତିଆବିନ୍ଦୁ ହୋଇଥିଲା। ତାଙ୍କର ଦୃଷ୍ଟିଶକ୍ତି କମିଯିବା କାରଣରୁ ସେ ଚିତ୍ର କରିବା ଛାଡ଼ି ଦେଇଛନ୍ତି। ‘‘ମୁଁ ଭଲ ଭାବେ ଦେଖିପାରୁନାହିଁ। ମୁଁ ଚିତ୍ର ଆଙ୍କି ପାରିବି ଓ ଗୀତ ଗାଇପାରିବି, କିନ୍ତୁ ରଙ୍ଗ ଦେଇପାରିବି ନାହିଁ,’’ ନିଜର ଗୋଟିଏ ଚିତ୍ର ଧରି ସେ କୁହନ୍ତି। ଏହିସବୁ ଚିତ୍ରରେ ଦୁଇଟି ନାମ ରହିଛି - ଚିତ୍ର ଆଙ୍କିଥିବାରୁ ଅନୀଲଙ୍କ ନାମ ଏବଂ ରଙ୍ଗ ଭରିଥିବାରୁ ତାଙ୍କର ଜଣେ ଛାତ୍ରଙ୍କ ନାମ।
![Skilled Paitkar painter, Anjana Patekar is one of the few women artisits in Amadobi but she has stopped painting now](/media/images/08a-2107-Crop-AKS-In_Jharkhand-Paitkar_art.max-1400x1120.jpg)
![Skilled Paitkar painter, Anjana Patekar is one of the few women artisits in Amadobi but she has stopped painting now](/media/images/08b-B84A-Crop-AKS-In_Jharkhand-Paitkar_art.max-1400x1120.jpg)
କୁଶଳୀ ପାଇଟକାର ଚିତ୍ରକର ଅଞ୍ଜନା ପାଟକର ଆମାଡୋବିର ହାତଗଣତି ମହିଳା ଚିତ୍ରକରଙ୍କ ମଧ୍ୟରୁ ଅନ୍ୟତମ କିନ୍ତୁ ଏବେ ସେ ଚିତ୍ର କରିବା ଛାଡ଼ି ଦେଇଛନ୍ତି
![Paitkar paintings depicting Santhali lifestyle. 'Our main theme is rural culture; the things we see around us, we depict in our art,' says Vijay](/media/images/09a-DA74-Crop-AKS-In_Jharkhand-Paitkar_art.max-1400x1120.jpg)
![Paitkar paintings depicting Santhali lifestyle. 'Our main theme is rural culture; the things we see around us, we depict in our art,' says Vijay](/media/images/09b-A625-Crop-AKS-In_Jharkhand-Paitkar_art.max-1400x1120.jpg)
ସାନ୍ତାଳୀ ଜୀବନଶୈଳୀକୁ ଦର୍ଶାଉଥିବା ପାଇଟକାର ଚିତ୍ର। ‘ଆମର ମୁଖ୍ୟ ବିଷୟବସ୍ତୁ ହେଉଛି ଗ୍ରାମୀଣ ସଂସ୍କୃତି, ଆମେ ନିଜ ଚାରିପାଖରେ ଯାହା ଦେଖୁ, ତାହାକୁ ଆମ କଳାରେ ପ୍ରଦର୍ଶିତ କରିଥାଉ,’ ବିଜୟ କୁହନ୍ତି
ଅଞ୍ଜନା ପାଟେକର (୩୬) ଜଣେ ଦକ୍ଷ ପାଇଟକାର ଚିତ୍ରକର କିନ୍ତୁ ସେ କୁହନ୍ତି, ‘‘ଏବେ ମୁଁ ଏ କାମ ଛାଡ଼ି ଦେଇଛି। ଘର କାମ ସହିତ ଏହି କାମରେ ଅଯଥା ପରିଶ୍ରମ କରୁଥିବାରୁ ମୋ ସ୍ୱାମୀ ଅସନ୍ତୁଷ୍ଟ ହେଉଛନ୍ତି। ଏ କାମରେ ବହୁତ ପରିଶ୍ରମ ଲାଗିଥାଏ। ଯଦି କିଛି ଲାଭ ମିଳୁନାହିଁ ତା’ହେଲେ ଏତେ ପରିଶ୍ରମ କରି ଲାଭ କ’ଣ? ଅଞ୍ଜନାଙ୍କ ପାଖରେ ୫୦ଟି ଚିତ୍ର ରହିଛି କିନ୍ତୁ ସେଗୁଡ଼ିକୁ ସେ ବିକ୍ରି କରିପାରୁନାହାନ୍ତି। ତାଙ୍କ ପିଲାମାନେ ଏହି ଚିତ୍ରକଳା ଶିଖିବା ଲାଗି ଆଗ୍ରହୀ ନୁହନ୍ତି ବୋଲି ସେ କହିଥା’ନ୍ତି।
ଅଞ୍ଜନାଙ୍କ ଭଳି ୨୪ ବର୍ଷ ବୟସ୍କ ଗଣେଶ ଗାୟନ ଏକଦା ପାଇଟକାର ଚିତ୍ରକଳାରେ ଦକ୍ଷ ଥିଲେ କିନ୍ତୁ ଏବେ ସେ ଗାଁରେ ଗୋଟିଏ ତେଜରାତି ଦୋକାନ ଚଳାଉଛନ୍ତି ଏବଂ ବେଳେବେଳେ ମଜୁରି ଖଟୁଛନ୍ତି। ସେ କୁହନ୍ତି, ‘‘ଗତ ବର୍ଷ ମୁଁ ମାତ୍ର ତିନୋଟି ଚିତ୍ର ବିକ୍ରି କରିପାରିଥିଲି। ଯଦି ଆମେ କେବଳ ଏହି ରୋଜଗାର ଉପରେ ନିର୍ଭର କରିବୁ, ଆମେ କେମିତି ଆମର ପରିବାର ଚଳାଇବୁ?’’
‘‘କେମିତି ଗୀତ ଲେଖିବାକୁ ହେବ ନୂଆ ପିଢ଼ି ଜାଣନ୍ତି ନାହିଁ। ଯଦି କେହି ଗୀତ ଗାଇବା ଏବଂ କାହାଣୀ କହିବା ଶିଖନ୍ତି ତା’ହେଲେ ପାଇଟକାର ଚିତ୍ରକଳା ବଞ୍ଚି ରହିବ, ନଚେତ୍ ଏହାର ମୃତ୍ୟୁ ଘଟିବ,’’ ଅନୀଲ କୁହନ୍ତି।
ଏହି କାହାଣୀରେ ଥିବା ପାଇଟକାର ଗୀତକୁ ସୀତାରାମ ବାସ୍କେ ଓ ରୋନିତ୍ ହେମ୍ବ୍ରମଙ୍କ ସହଯୋଗରେ ଜୋଶୁଆ ବୋଧିନେତ୍ର ଅନୁବାଦ କରିଛନ୍ତି।
ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମ୍ଏମ୍ଏଫ୍) ଠାରୁ ମିଳିଥିବା ଫେଲୋଶିପ୍ ଅଧୀନରେ ଏହି କାହାଣୀ ପ୍ରସ୍ତୁତ କରାଯାଇଛି
ଅନୁବାଦ: ଓଡ଼ିଶାଲାଇଭ୍