ମୁମ୍ବାଇର ପ୍ରତ୍ୟେକ କୋଣ ଅନୁକୋଣ ମେଟ୍ରୋ ଏବଂ ଏକ୍ସପ୍ରେସ୍‌ ୱେ ସହ ଯୋଡ଼ି ହେଉଥିବା ବେଳେ ଦାମୁନଗର ନିବାସୀ ବହୁତ କମ୍‌ ରାସ୍ତା କିନ୍ତୁ ଅଧିକ କଷ୍ଟକର ଯୋଗାଯୋଗକୁ ନେଇ ସଂଘର୍ଷ କରୁଛନ୍ତି।  ତାହା ହେଉଛି : ସେହି ପଡ଼ିଆ ପର୍ଯ୍ୟନ୍ତ ପହଞ୍ଚିବା ଯେଉଁଠି ସେମାନେ ଏବେ ସୁଦ୍ଧା ଖୋଲାରେ ମଳତ୍ୟାଗ କରୁଛନ୍ତି। ଯାହା ସ୍ଥାନୀୟ ବାସିନ୍ଦା କୁହନ୍ତି, ସେମାନଙ୍କୁ ପ୍ରଥମେ ଗୋଟିଏ ଫୁଟ୍‌ ପାଚେରି ଡେଇଁବାକୁ ପଡ଼ିଥାଏ, ତା’ପରେ ପବନରେ ଉତ୍କଟ ମଳ ଗନ୍ଧ ଏବଂ ଅଳିଆ ଗଦା ଭିତର ଦେଇ ଯିବାକୁ ପଡ଼ିଥାଏ। ଏହା ଶୁଖିଲା ଘାସ ଥିବା ଏକ ଖୋଲା ପଡ଼ିଆ ଏବଂ ଏଠାରେ କେତେକ ଗଛ ରହିଛି ଯାହା ବୋଧହୁଏ ସାମାନ୍ୟ ଗୋପନୀୟତା ପାଇଁ କିଛି ଛାଇ ପ୍ରଦାନ କରିଥାଏ।

ପ୍ରକୃତରେ ତାହା ନୁହେଁ। ‘‘ଏଠି ଗୋପନୀୟତା ଭଳି କିଛି କଥା ନାହିଁ,’’ ଦୀର୍ଘ ଦିନ ହେବ ଦାମୁ ନଗରରେ ରହି ଆସୁଥିବା ଜଣେ ବାସିନ୍ଦା ମୀରା ୟେଦେ (୫୧) କୁହନ୍ତି। ‘‘ଯଦି ଆମେ ଏଠାରେ କାହାର ପାଦ ଶବ୍ଦ ଶୁଣିଥାଉ, ଆମକୁ ଛିଡ଼ା ହେବାକୁ ପଡ଼ିଥାଏ।’’ ବିଗତ କିଛି ବର୍ଷ ଧରି, ଏହି ପଡ଼ିଆକୁ ମହିଳା ଏବଂ ପୁରୁଷଙ୍କ ଉପଯୋଗ ପାଇଁ ଯଥାକ୍ରମେ ବାମ ଏବଂ ଡାହାଣ କରି ଦୁଇ ଭାଗରେ ବିଭାଜିତ କରି ଦିଆଯାଇଛି । କିନ୍ତୁ, ମୀରା କୁହନ୍ତି, ‘‘ଏହା ବହୁତ କମ୍‌ ଦୂରତାରେ ରହିଛି: ବୋଧହୁଏ କିଛି ମିଟର ଦୂର। ତା’ଛଡ଼ା ଏହାକୁ ମାପିଛି କିଏ?’’ ଉଭୟ ବିଭାଗ ମଧ୍ୟରେ କୌଣସି ଭୌତିକ ବାଧା କିମ୍ବା ପ୍ରାଚୀର ନାହିଁ ।

ଉତ୍ତର ମୁମ୍ବାଇ ସଂସଦୀୟ କ୍ଷେତ୍ରର ଅଂଶବିଶେଷ ଥିବା ଦାମୁନଗର ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମ କିମ୍ବା ଦ୍ୱିତୀୟ ପିଢ଼ିର ଗ୍ରାମୀଣ ପ୍ରବାସୀ। ସେମାନଙ୍କ ପାଇଁ ଏହି ସମସ୍ୟା ନିର୍ବାଚନଠାରୁ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ଭାରତ ଅଷ୍ଟାଦଶ ଲୋକସଭା ପାଇଁ ୫୪୩ ଜଣ ସାଂସଦଙ୍କୁ ଚୟନ କରିବା ଲାଗି ପର୍ଯ୍ୟାୟକ୍ରମିକ ନିର୍ବାଚନର ସାକ୍ଷୀ ରହିଥିବା ବେଳେ ସେମାନଙ୍କୁ ଏହି ସମସ୍ୟା ବ୍ୟଥିତ କରୁଛି। ତଥାପି, ମୀରାଙ୍କ ପୁଅ ପ୍ରକାଶ ୟେଡୋ କୁହନ୍ତି, ‘‘ଆଜି ଦେଶରେ ସବୁକିଛି ଭଲ ଚାଲିଛି ବୋଲି ଏକ କାହାଣୀ ସୃଷ୍ଟି କରାଯାଇଛି।’’ ପ୍ରକାଶ ନିଜ ଘର ଦୁଆରେ ଛିଡ଼ା ହୋଇ ଆମ ସହିତ କଥା ହେଉଛନ୍ତି। ଘର ଛାତ ଉପରେ ଗୋଟିଏ ଧାତବ ଚାଦର ପଡ଼ିଛି ଯାହା ବୋଧହୁଏ ଭିତର ଗରମକୁ ଅଧିକ କିଛି ଡିଗ୍ରୀ ପର୍ଯ୍ୟନ୍ତ ବଢ଼ାଇ ଦେଇଥାଏ।

‘‘ଦେଶର ଏସବୁ ଭାଗରେ ବାସ୍ତବ ସମସ୍ୟାକୁ ନେଇ କେହି ବି ଆଲୋଚନା କରନ୍ତି ନାହିଁ,’’ ପ୍ରକାଶ (୩୦) କୁହନ୍ତି। ଶୌଚାଳୟ, ପାଣି, ବିଦ୍ୟୁତ ସୁବିଧା ନପାଇବା କାରଣରୁ ଦାମୁନଗରର ୧୧,୦୦୦ରୁ ଅଧିକ ବାସିନ୍ଦା ସାମ୍ନା କରୁଥିବା ସମସ୍ୟା ବିଷୟରେ ସେ ଦୃଷ୍ଟି ଆକର୍ଷଣ କରିଥା’ନ୍ତି। ଜନଗଣନାରେ ଭୀମ୍‌ ନଗର ନାଁରେ ରେକର୍ଡ ଓ ପରିଚିତ ହୋଇଥିବା ଦାମୁ ନଗର ବସ୍ତିରେ ଭଙ୍ଗା ଜର୍ଜରିତ, ପାଲ ଟଣା ହୋଇଥିବା ଏବଂ ଚାଦର ପଡ଼ିଥିବା ୨,୩୦୦ରୁ ଅଧିକ ଘର ଅଛି। ଏହା ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ଭିତରେ ଗୋଟିଏ ପାହାଡ଼ ଉପରେ ଅବସ୍ଥିତ। ଆପଣଙ୍କୁ ସଂକୀର୍ଣ୍ଣ, ଆବଡ଼ା-ଖାବଡ଼ା, ପଥୁରିଆ ରାସ୍ତା ଦେଇ ଘର ପର୍ଯ୍ୟନ୍ତ ଚଢ଼ିବାକୁ ହେବ, ବୋହି ଯାଉଥିବା ନର୍ଦ୍ଦମା ପାଣି ଉପରେ ଯେମିତି ଗୋଡ଼ ପଡ଼ିନଯାଏ ସେଥିପ୍ରତି ସତର୍କ ରହିବାକୁ ପଡ଼ିବ।

PHOTO • Jyoti
PHOTO • Jyoti

ବାମ : ଦାମୁ ନଗରରେ ନିଜ ଘର ଆଗରେ ଛିଡ଼ା ହୋଇଛନ୍ତି ପ୍ରକାଶ ୟେଡ଼େ। ସେ ଏଠାରେ ତାଙ୍କ ମା’ ମୀରା ଏବଂ ବାପା ଜ୍ଞାନଦେବଙ୍କ ସହିତ ରୁହନ୍ତି । ଡାହାଣ : ଦାମୁ ନଗର ବସ୍ତିର ପ୍ରବେଶ ପଥ ଯାହା ଭୀମ ନଗର ନାମରେ ମଧ୍ୟ ପରିଚିତ

PHOTO • Jyoti
PHOTO • Jyoti

ବାମ : ଘରେ ଶୌଚାଳୟ ନଥିବା କାରଣରୁ ଦାମୁ ନଗର ବାସିନ୍ଦାଙ୍କୁ ପ୍ରଥମେ ଗୋଟିଏ ଫୁଟ୍‌ ପାଚେରି ଡେଇଁବାକୁ ପଡ଼ିଥାଏ, ତା’ପରେ ପବନରେ ଉତ୍କଟ ମଳ ଗନ୍ଧ ଏବଂ ଅଳିଆ ଗଦା ଭିତର ଦେଇ ଯିବାକୁ ପଡ଼ିଥାଏ। ଡାହାଣ : ପୌର ପ୍ରଶାସନ ଏସବୁ ଜନବସତିକୁ ବେଆଇନ ବୋଲି ଦାବି କରି ପାଣି, ବିଦ୍ୟୁତ ସଂଯୋଗ ଏବଂ ଶୌଚାଳୟ ଭଳି ମୌଳିକ ପୌରପାଳିକା ସେବା ଯୋଗାଇ ଦେଇନାହିଁ

ତଥାପି, ପୂର୍ବ ନିର୍ବାଚନ ଭଳି ଏଠାକାର ଲୋକଙ୍କ ଭୋଟ୍‌ କେବଳ ସବୁଠୁ ମୌଳିକ ସୁବିଧାର ଅଭାବ ଉପରେ ଆଧାରିତ ନୁହେଁ।

‘‘ଏସବୁ କେବଳ ଖବର ଆଧାରିତ ହେବା ଉଚିତ୍‌। ଖବର ସତ୍ୟ ଉପରେ ଆଧାରିତ ହେବା ଉଚିତ୍‌। ଆଉ ଗଣମାଧ୍ୟମ ଆମ ଭଳି ଲୋକଙ୍କ ସମ୍ପର୍କରେ ଆପଣଙ୍କୁ ସତ କହୁନାହିଁ,’’ ପ୍ରକାଶ ୟେଡ଼େ କୁହନ୍ତି । ସେ ମିଥ୍ୟା ସୂଚନା, ମିଛ ଖବର ଏବଂ ପକ୍ଷପାତପୂର୍ଣ୍ଣ ଖବର ସମ୍ପର୍କରେ ଅଭିଯୋଗ କରିଥା’ନ୍ତି। ‘‘ଲୋକମାନେ ଯାହା ଶୁଣିବେ ଏବଂ ଦେଖିବେ ସେହି ଆଧାରରେ ଭୋଟ୍‌ ଦେବେ। ଆଉ ସେମାନେ ଯାହା ଶୁଣନ୍ତି ଓ ଦେଖନ୍ତି - ସେମାନେ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଶଂସା କରିଥା’ନ୍ତି।’’

ପ୍ରକାଶ ନିଜର ଅଧିକାଂଶ ସୂଚନା ବିଜ୍ଞାପନ ମୁକ୍ତ ଏବଂ ନିରପେକ୍ଷ ସାମ୍ବାଦିକତା ମଞ୍ଚରୁ ହାସଲ କରିଥା’ନ୍ତି। ‘‘ଏଠି ମୋ ବୟସର ଅନେକ ଲୋକ ବେକାର ଅଛନ୍ତି। ସେମାନେ ହାଉସକିପିଂ ଏବଂ ଶାରୀରିକ ଶ୍ରମ ଆଧାରିତ ଚାକିରିରେ ନିୟୋଜିତ ରହିଛନ୍ତି। ଦ୍ୱାଦଶ ଉତ୍ତୀର୍ଣ୍ଣ ହେବା ପରେ ବହୁତ କମ୍‌ ଲୋକ ବାବୁଙ୍କ ଭଳି ଚାକିରି କରିଛନ୍ତି,’’ ଯୁବବର୍ଗଙ୍କ ମଧ୍ୟରେ ବେକାରୀ ବିଷୟରେ କୁହନ୍ତି, ଯାହା ଦେଶବ୍ୟାପୀ ଚିନ୍ତାର କାରଣ ଅଟେ।

ପ୍ରକାଶ ଦ୍ୱାଦଶ ଶିକ୍ଷା ଶେଷ କରିବା ପରେ ମଲାଡର ଏକ ଘରୋଇ ଫାର୍ମରେ ମାସିକ ୧୫,୦୦୦ ହଜାର ଟଙ୍କା ବେତନରେ ଫଟୋ ଏଡିଟର୍‌ ଭାବେ କାମ କରୁଥିଲେ । ତେବେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଯୁକ୍ତି କାରଣରୁ ତାଙ୍କର କାମ ସମ୍ପୂର୍ଣ୍ଣ ନିରର୍ଥକ ହୋଇଗଲା। ‘‘ପ୍ରାୟ ୫୦ ଜଣ କର୍ମଚାରୀଙ୍କୁ ବାହାର କରି ଦିଆଗଲା। ମୁଁ ବି ଗୋଟିଏ ମାସ ହେଲା ବେରୋଜଗାର ହୋଇଯାଇଛି,’’ ସେ କୁହନ୍ତି ।

ଭାରତରେ ନିଯୁକ୍ତି ରିପୋର୍ଟ ୨୦୨୪ରୁ ଆମକୁ ଜଣାପଡ଼ିଥାଏ ଯେ, ସାରା ଦେଶରେ ସବୁ ବେକାର ଲୋକଙ୍କ ମଧ୍ୟରେ ଶିକ୍ଷିତ ଯୁବବର୍ଗଙ୍କ ଭାଗିଦାରୀ ମଧ୍ୟ ବୃଦ୍ଧି ପାଇଛି, ଯାହା ୨୦୦୦ ମସିହାରେ ୫୪.୨ ପ୍ରତିଶତରୁ ବଢ଼ି ୬୫.୭ ପ୍ରତିଶତ ୨୦୨୨ ମସିହାରେ ପହଞ୍ଚିଛି । ଏହି ରିପୋର୍ଟ ୨୬ ମାର୍ଚ୍ଚରେ ଦିଲ୍ଲୀରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ଏବଂ ମାନବ ବିକାଶ ପ୍ରତିଷ୍ଠାନ (ଆଇଏଚଡି) ଦ୍ୱାରା ଜାରି କରାଯାଇଥିଲା।

PHOTO • Jyoti
PHOTO • Jyoti

ବାମ : ‘ଖବର ସତ୍ୟ ଆଧାରିତ ହେବା ଉଚିତ,’ ପ୍ରକାଶ କୁହନ୍ତି, ‘ଆଉ ଗଣମାଧ୍ୟମ ଆମ ଭଳି ଲୋକଙ୍କ ବିଷୟରେ ସତ କୁହେ ନାହିଁ। ‘ଡାହାଣ : ୨୦୧୫ରେ ଏକାଧିକ ସିଲିଣ୍ଡର ଫାଟିବା କାରଣରୁ ନିଆଁ ଲାଗିଯାଇଥିଲା, ଏଥିରେ ଚନ୍ଦ୍ରକଳା ଖରାତ ନିଜ ସ୍ୱାମୀଙ୍କୁ ହରାଇଥିଲେ। ଏବେ ସେ ସଡ଼କ ଏବଂ  ଅଳିଆ ଗଦାରୁ ପ୍ଲାଷ୍ଟିକ୍‌ ସାମଗ୍ରୀ ଏକାଠି କରି ସେଗୁଡ଼ିକୁ କବାଡ଼ି ସାମଗ୍ରୀ ଡିଲରଙ୍କୁ ବିକ୍ରି କରୁଛନ୍ତି

ପ୍ରକାଶଙ୍କ ରୋଜଗାର ତାଙ୍କ ପରିବାରର ପ୍ରଗତିରେ ଏକ ମାଇଲଖୁଣ୍ଟ ଥିଲା, ଯାହାକୁ ସେ ଗତ କିଛି ବର୍ଷ ହେବ ହାସଲ କରିଥିଲେ। ଗୋଟିଏ ଦୁଃଖଦ ଘଟଣା ପରେ ତାଙ୍କର କାହାଣୀ ବିଜୟର ପ୍ରତୀକ ଥିଲା। ୨୦୧୫ରେ ଏକାଧିକ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟିବା କାରଣରୁ ଦାମୁନଗରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ପ୍ରଭାବିତ ହୋଇଥିବା ପରିବାର ମଧ୍ୟରୁ ୟେଡେ ପରିବାର ଅନ୍ୟତମ ଥିଲା। ‘‘ଶରୀରରେ ପୋଷାକ ଛଡ଼ା ଆଉ କିଛି ଆମେ ବଞ୍ଚାଇ ପାରିନଥିଲୁ। କାଗଜପତ୍ର, ଅଳଙ୍କାର, ଫର୍ଣ୍ଣିଚର, ବାସନକୁସନ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଥିଲା,’’ ମୀରା କୁହନ୍ତି।

‘‘ଗୋଟିଏ ମାସ ମଧ୍ୟରେ ଆମକୁ ପକ୍କା ଘର ମିଳିବ ବୋଲି ବିନୋଦ ତାୱଡ଼େ (ମହାରାଷ୍ଟ୍ରର ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଏବଂ ବୋରିବଲୀ ବିଧାନସଭା କ୍ଷେତ୍ରରୁ ବିଧାୟକ) ପ୍ରତିଶ୍ରୁତି ଦେଇଥିଲେ,’’ ଘାତକ ନିଆଁ ପରେ ମିଳିଥିବା ଆଶ୍ୱାସନା ସମ୍ପର୍କରେ ସୂଚନା ଦେଇ ପ୍ରକାଶ କୁହନ୍ତି ।

ସେହି ପ୍ରତିଶ୍ରୁତିକୁ ଏବେ ଆଠ ବର୍ଷ ବିତିଲାଣି। ଏହାପରେ, ସେମାନେ ୨୦୧୯ ସାଧାରଣ ନିର୍ବାଚନ ଏବଂ ସେହି ବର୍ଷ ରାଜ୍ୟ ବିଧାନସଭାରେ ଭୋଟ୍‌ ଦେଇଥିଲେ। କିନ୍ତୁ ଜୀବନ ବଦଳି ପାରିନାହିଁ । ପ୍ରକାଶଙ୍କ ଜେଜେବାପା ଓ ଜେଜେମା’ ଭୂମିହୀନ କୃଷି ଶ୍ରମିକ ଥିଲେ ଏବଂ ସେମାନେ ୧୯୭୦ ଦଶକରେ ଜାଲନା ଜିଲ୍ଲାରୁ ମୁମ୍ବାଇ ଚାଲି ଆସିଥିଲେ।

ତାଙ୍କ ବାପା ଜ୍ଞାନଦେବ (୫୮) ଏବେ ବି ଜଣେ ରଙ୍ଗମିସ୍ତ୍ରୀ ଏବଂ ତାଙ୍କ ମା’ ମୀରା ଜଣେ ଠିକା ସଫେଇ କର୍ମଚାରୀ ଭାବେ କାମ କରୁଛନ୍ତି। ସେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରନ୍ତି। ‘‘ପ୍ରକାଶଙ୍କ ବେତନକୁ ମିଶାଇ ଆମେ ତିନି ଜଣ ମାସିକ ୩୦,୦୦୦ ଟଙ୍କା ରୋଜଗାର କରିପାରୁଥିଲୁ,’’ ମୀରା କୁହନ୍ତି । ସିଲିଣ୍ଡର, ଖାଇବା ତେଲ, ଶସ୍ୟ ଏବଂ ଖାଦ୍ୟ ସାମଗ୍ରୀ (ବର୍ତ୍ତମାନ ଯେତିକି ଅଧିକ ସେତେ ନୁହେଁ) ଆମେ ଖୁବ ଭଲ ଭାବେ ଚଳାଇ ନେଉଥିଲୁ,’’ ମୀରା କୁହନ୍ତି।

ପ୍ରତ୍ୟେକ ଥର ଯେତେବେଳେ ତାଙ୍କ ଜୀବନର ପୁନଃନିର୍ମାଣ ପ୍ରୟାସ ସଫଳ ହେଉଥିଲା, ନୂଆ ବିପଦ ସାମ୍ନାକୁ ଚାଲି ଆସୁଥିଲା। ‘‘ନିଆଁ ଲାଗିବା ପରେ, ନୋଟବନ୍ଦୀ ଆରମ୍ଭ ହେଲା। ଏହାପରେ କରୋନା ଓ ଲକଡାଉନ। ସରକାରଙ୍କଠାରୁ କୌଣସି ସହାୟତା ମିଳିଲା ନାହିଁ,’’ ସେ କୁହନ୍ତି।

PHOTO • Jyoti
PHOTO • Jyoti

ବାମ: ୨୦୧୫ ନିଆଁରେ ୟେଡ଼େ ପରିବାର ସେମାନଙ୍କର ସବୁ ଆସବାବପତ୍ର ହରାଇଥିଲେ। ବୋରିୱଲି ବିଧାନସଭା ନିର୍ବାଚନ ମଣ୍ଡଳୀର ତତ୍କାଳୀନ ବିଧାୟକ ବିନୋଦ ତାୱଡ଼େ ସବୁ ବାସିନ୍ଦାଙ୍କୁ ପକ୍କା ଘର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଠ ବର୍ଷ ପରେ ପ୍ରତିଶ୍ରୁତି ଅପୂରଣୀୟ ହୋଇ ରହିଛି । ଡାହାଣ : ପ୍ରକାଶ ମଲାଡ଼ର ଏକ ଘରୋଇ ଫାର୍ମରେ ଜଣେ ଫଟୋ ଏଡିଟର୍‌ ଭାବେ କାମ କରୁଥିଲେ। କିନ୍ତୁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ କାରଣରୁ ତାଙ୍କର ଚାକିରି ଚାଲିଗଲା। ଗୋଟିଏ ମାସ ହେବ ସେ ବେକାର ହୋଇ ରହିଛନ୍ତି

PHOTO • Jyoti

ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ଭିତରେ ଏକ ପାହାଡ଼ ଉପରେ ଦାମୁ ନଗର ରହିଛି ଯେଉଁଠି ପାଖାପାଖି ୨,୩୦୦ ଘର ଅଛି। ସଂକୀର୍ଣ୍ଣ, ପଥୁରିଆ ଏବଂ ଆବଡ଼ାଖାବଡ଼ା ରାସ୍ତାସବୁ ଭଗ୍ନଜର୍ଜରିତ ଘର ଆଡ଼କୁ ପଡ଼ିଛି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ମିଶନ ଅଧୀନରେ ମୋଦୀ ସରକାରଙ୍କ ‘‘ସମସ୍ତଙ୍କ ପାଇଁ ଘର (ସହରାଞ୍ଚଳ)’’ ଯୋଜନାର ଲକ୍ଷ୍ୟ ଥିଲା ୨୦୨୨ ସୁଦ୍ଧା ସବୁ ଯୋଗ୍ୟ ପରିବାରକୁ ଘର ଯୋଗାଇ ଦେବା। ତାଙ୍କ ପରିବାର ‘ଯୋଗ୍ୟ’ ବୋଲି ଦେଖାଇବାକୁ ପ୍ରକାଶ ଚେଷ୍ଟା କରି ଆସୁଛନ୍ତି।

‘‘ମୁଁ ନିଜ ପରିବାର ପାଇଁ ଯୋଜନାର ଲାଭ ଉଠାଇବାର ପ୍ରୟାସ କରି ଚାଲୁଛି। ବିନା ଆୟ ପ୍ରମାଣପତ୍ର ଏବଂ ବୈଧ କାଗଜପତ୍ରରେ ମୁଁ କେବେ ବି ଏଥିପାଇଁ ଯୋଗ୍ୟ ହୋଇପାରିବି ନାହିଁ,’’ ସେ କୁହନ୍ତି।

ଚଳିତ ବର୍ଷ (୨୦୨୪) ଫେବୃଆରୀ ମାସରେ ମହାରାଷ୍ଟ୍ର ରାଜ୍ୟ ପାଇଁ ଶିକ୍ଷା ଅଧିକାର ( ଆରଟିଇ ) ଆଇନର ନିୟମରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ସୂଚନା ତାଙ୍କୁ ଆହୁରି ଚିନ୍ତାରେ ପକାଇଥାଏ। ଏହି ସଂଶୋଧନ ମୁତାବକ, ଯଦି ପିଲାମାନଙ୍କ ବାସସ୍ଥାନଠାରୁ ଗୋଟିଏ କିଲୋମିଟର ମଧ୍ୟରେ କୌଣସି ସରକାରୀ କିମ୍ବା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ରହିଛି, ତା’ହେଲେ ସେମାନଙ୍କୁ ସେହି ବିଦ୍ୟାଳୟରେ ନାମ ଲେଖାଇବାକୁ ପଡ଼ିବ । ଏହାର ଅର୍ଥ ହେଉଛି ବଞ୍ଚିତ ସମ୍ପ୍ରଦାୟର ପିଲାଙ୍କ ପାଇଁ ଆରଟିଇର ୨୫ ପ୍ରତିଶତ କୋଟା ଅଧୀନରେ ନାମ ଲେଖାଇବାର ନିୟମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସମେତ ଘରୋଇ ବିଦ୍ୟାଳୟଗୁଡ଼ିକ ପାଇଁ କୋହଳ କରି ଦିଆଯାଇଛି । ଅନୁଦାନିତ ଶିକ୍ଷା ବଚାଓ ସମିତି (ସେଭ୍‌ ଦ ଏଡେଡ୍‌ ସ୍କୁଲ୍‌ସ୍‌ ଏସୋସିଏସନ୍‌)ର ପ୍ରଫେସର ସୁଧୀର ପରଞ୍ଜପେ କୁହନ୍ତି, ‘‘ବାସ୍ତବରେ ତାହା ହିଁ ଆରଟିଇ ଆଇନର ମୂଳ ଆଧାର।’’

‘‘ଏଭଳି ନିଷ୍ପତ୍ତି ଦ୍ୱାରା, ଆମେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ହାସଲ କରିପାରିବୁ ନାହିଁ। ସେହି ଗ୍ୟାରେଣ୍ଟି ଦେଉଥିବା ଏକମାତ୍ର ଆଇନ ଆଉ ନାହିଁ (ଏହି ସୂଚନା ସହିତ)। ଆମେ କେମିତି ଆଗକୁ ବଢ଼ିବୁ?’’ ସେ ବ୍ୟଥିତ ହୋଇ ପ୍ରଶ୍ନ କରନ୍ତି।

ପରବର୍ତ୍ତୀ ପିଢ଼ି ପାଇଁ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଦାମୁନଗରରେ ପ୍ରକାଶ ଓ ଅନ୍ୟମାନଙ୍କ ଲାଗି ଆଗକୁ ବଢ଼ିବାର ଏକମାତ୍ର ବାଟ। ଆହୁରି ଦାମୁ ନଗରର ପିଲାମାନଙ୍କ ଅବହେଳିତ ସ୍ଥିତି ବିଷୟରେ କୌଣସି ସନ୍ଦେହ ନାହିଁ । ଏଠାକାର ଅଧିକାଂଶ ବାସିନ୍ଦା, ଯେଉଁମାନଙ୍କ ମଧ୍ୟରୁ କେତେ ଜଣ ଚାରି ଦଶନ୍ଧି ହେବ ଏହି ବସ୍ତିରେ ରହୁଛନ୍ତି, ସେମାନେ ନବ-ବୌଦ୍ଧ ଅର୍ଥାତ୍‌ ଦଳିତ। ରାଜ୍ୟକୁ ବରବାଦ୍‌ କରି ଦେଇଥିବା ୧୯୭୨ ମସିହାର ଭୀଷଣ ମରୁଡ଼ି ସମୟରେ ଅନେକ ଲୋକଙ୍କ ଜେଜେବାପା ଜେଜେମା’ ଏବଂ ବାପା-ମା’ ଜାଲନା ଓ ସୋଲାପୁରରୁ ମୁମ୍ବାଇ ଚାଲି ଆସିଥିଲେ।

PHOTO • Jyoti
PHOTO • Jyoti

ବାମ : ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ଗେଜେଟ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଯଦି ଗୋଟିଏ କିଲୋମିଟର ପରିଧି ମଧ୍ୟରେ କୌଣସି ସରକାରୀ କିମ୍ବା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ରହିଛି ତା’ହେଲେ ଘରୋଇ ବିଦ୍ୟାଳୟଗୁଡ଼ିକୁ ୨୫ ପ୍ରତିଶତ ଶିକ୍ଷା ଅଧିକାର କୋଟାରୁ ଛାଡ଼ ମିଳିବ। ଅନୁଦାନିତ ଶିକ୍ଷା ବଚାଓ ସମିତିର ପ୍ରଫେସର ସୁଧୀର ପରଞ୍ଜପେ କୁହନ୍ତି, ଏହାଦ୍ୱାରା ଦାମୁନଗରର ଅବହେଳିତ ପିଲାମାନେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଅଧିକାର ହରାଇବେ। ଡାହାଣ : ଦାମୁନଗରର ମହିଳାମାନଙ୍କ ପାଇଁ ସୁରକ୍ଷିତ ଶୌଚାଳୟ ସୁବିଧା ନାହିଁ । ଲତା ସୋନାୱଣେ (ସବୁଜ ଓଢ଼ଣି) କୁହନ୍ତି, ‘ଆପଣ ଅସୁସ୍ଥ ଅନୁଭବ କରୁଥା’ନ୍ତୁ କିମ୍ବା କୌଣସି ଆଘାତ ଲାଗୁ, ତଥାପି ଆପଣଙ୍କୁ ପାଣି ବାଲଟି ଧରି ଉପରକୁ ଚଢ଼ିବାକୁ ପଡ଼ିବ’

PHOTO • Jyoti
PHOTO • Jyoti

ବାମ ଓ ଡାହାଣ : ଲତା ସେମାନଙ୍କର ଘରେ ନିଜର ପିଲାମାନଙ୍କ ସହିତ

କେବଳ ଆରଟିଇର ସୁବିଧା ପାଇବା ଏବଂ ଏହାକୁ ବଜାୟ ରଖିବା କଷ୍ଟକର ନୁହେଁ। ପ୍ରକାଶଙ୍କ ପଡ଼ୋଶୀ ଆବାସାହେବ ମସ୍କେ ମଧ୍ୟ ନିଜର ଛୋଟିଆ ‘ଲାଇଟ୍‌ ବୋତଲ’ ଉଦ୍ୟୋଗ ପ୍ରତିଷ୍ଠା କରିବା ଲାଗି କରିଥିବା ଉଦ୍ୟମ ବିଫଳ ହୋଇଛି। ଏସବୁ ଯୋଜନା କେବଳ ନାଁରେ ଚାଲିଛି,’’ ୪୩ ବର୍ଷ ବୟସ୍କ ମସ୍କେ କୁହନ୍ତି । ‘‘ମୁଦ୍ରା ଯୋଜନାରେ ଋଣ ପାଇବାକୁ ମୁଁ ଚେଷ୍ଟା କରିଥିଲି। କିନ୍ତୁ ମୁଁ ପାଇପାରିଲି ନାହିଁ। କାରଣ ମୋତେ କଳା ତାଲିକାଭୁକ୍ତ କରି ଦିଆଯାଇଥିଲା। ବ୍ୟାଙ୍କରୁ ମୁଁ ପୂର୍ବରୁ ଆଣିଥିବା ୧୦,୦୦୦ ଟଙ୍କା ଋଣର ମାତ୍ର ଗୋଟିଏ କିସ୍ତି ସୁଝିବାରେ ବିଫଳ ହୋଇଥିଲି।’’

ପରୀ ଗ୍ରାମୀଣ ଓ ସହରୀ ଗରିବଙ୍କ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ଓ କଲ୍ୟାଣ ଯୋଜନାର ଉପଲବ୍ଧତା ସ୍ଥିତିକୁ ନେଇ ନିୟମିତ ରୂପେ ରିପୋର୍ଟିଂ କରି ଆସୁଛି । (ଉଦାହରଣ ସ୍ୱରୂପ ପଢ଼ନ୍ତୁ : ଯେତେବେଳେ ମାଗଣା ଚିକିତ୍ସା ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିଥାଏ ଏବଂ ମୋର ନାତି ନାତୁଣୀ ନିଜର ଘର ତିଆରି କରିବେ )

ମସ୍କେ ତାଙ୍କର କର୍ମଶାଳା ଓ ପରିବାର ଗୋଟିଏ ୧୦ x ୧୦ କୋଠରୀରେ ଚଳାଇଥାନ୍ତି। ବାମ ପଟେ, ଆପଣ ପ୍ରବେଶ କରିବା ମାତ୍ରେ, ରୋଷେଇ ଘର ଏବଂ ମୋରି (ଗାଧୁଆଘର) ଅଛି। ଏହାକୁ ଲାଗି ବୋତଲ ତିଆରି କରିବା ଲାଗି ସବୁ ସାମଗ୍ରୀ ବ୍ୟବସ୍ଥିତ ଭାବେ ଥାକରେ ରଖାଯାଇଛି।

‘‘ମୁଁ କାନ୍ଦିୱଲି ଏବଂ ମଲାଡ଼ରେ ବୁଲି ବୁଲି ଏସବୁ ଲାଇଟ୍‌ ବିକ୍ରି କରିଥାଏ।’’ ସେ ଏସବୁ ବୋତଲ ମଦ ଦୋକାନ ଏବଂ କବାଡ଼ି ବାଲାଙ୍କଠାରୁ ସଂଗ୍ରହ କରିଥାନ୍ତି। ‘‘ବିମଲ (ତାଙ୍କ ପତ୍ନୀ) ଏସବୁ ଧୋଇବା, ସଫା କରିବା ଶୁଖାଇବାରେ ସହାୟତା କରିଥାଏ। ଏହାପରେ ମୁଁ କୃତ୍ରିମ ଫୁଲ ଓ ସୂତାରେ ସେସବୁ ବୋତଲକୁ ସଜେଇ ଥାଏ। ‘ମୁଁ ବ୍ୟାଟେରୀ ଓ ତାର ଲଗାଏ,’’ ସେ କୁହନ୍ତି, ଏବଂ ବିସ୍ତୃତ ଭାବେ ‘ଲାଇଟ୍‌ ବୋତଲ’ ତିଆରି କରିବାର ପ୍ରକ୍ରିୟା ବର୍ଣ୍ଣନା କରିଥାନ୍ତି। ‘‘ତମ୍ବା ତାର ଏଲଇଡି ଲାଇଟ୍‌ ଷ୍ଟ୍ରିଙ୍ଗରେ ଲାଗିଥିବା ଚାରିଟି ଏଲଆର ଫୋର୍‌ ଫୋର୍‌ ବ୍ୟାଟେରୀ ପ୍ରଥମେ ମୁଁ ସଂଯୋଗ କରିଥାଏ। ତା’ପରେ ସେହି ଲାଇଟ୍‌କୁ ମୁଁ ବୋତଲ ଭିତରେ ଭର୍ତ୍ତି କରେ, ଏହା ସହିତ କିଛି କୃତ୍ରିମ ଫୁଲ ମଧ୍ୟ ଭର୍ତ୍ତି କରେ। ଏହାପରେ ଲ୍ୟାମ୍ପ ପ୍ରସ୍ତୁତ ହୋଇଯାଏ। ବ୍ୟାଟେରୀରେ ଥିବା ଅନ୍‌ ଅଫ୍‌ ସୁଇଚ୍‌ରେ ଏହାକୁ ଆପଣ ପରିଚାଳନା କରିପାରିବେ।’’ ସେ ଏସବୁ ସଜା ହୋଇଥିବା ଲାଇଟ୍‌ରେ ଏକ କଳାତ୍ମକ ସ୍ପର୍ଶ ଦିଅନ୍ତି ଯାହାକୁ କିଛି ଲୋକ ନିଜ ଘର ପାଇଁ ପସନ୍ଦ କରିଥା’ନ୍ତି।

ଆବାସାହେବ ମସ୍କେ କୁହନ୍ତି, ‘‘କଳାକୁ ନେଇ ମୁଁ ଉତ୍ସାହୀ ଏବଂ ମୁଁ ମୋ କୌଶଳକୁ ବଢ଼ାଇବାକୁ ଚାହୁଁଛି, ଯାହାଫଳରେ ମୁଁ ଅଧିକ ରୋଜଗାର କରିପାରିବି ଏବଂ ମୋର ତିନି ଝିଅଙ୍କୁ ଭଲ ପାଠ ପଢ଼େଇପାରିବି।’’ ପ୍ରତ୍ୟେକ ବୋତଲକୁ ତିଆରି କରିବାକୁ ୩୦-୪୦ ଟଙ୍କା ଖର୍ଚ୍ଚ ହୋଇଥାଏ। ମସ୍କେ ସେଗୁଡ଼ିକୁ ୨୦୦ ଟଙ୍କା ଲେଖାଏଁ ବିକ୍ରି କରିଥାନ୍ତି । ତାଙ୍କର ଦୈନିକ ଆୟ ୫୦୦ ଟଙ୍କାରୁ କମ୍‌ ରହିଥାଏ। ‘‘୩୦ ଦିନ ଯାକ କାମ କରିବା ପରେ ଗୋଟିଏ ମାସରେ ମୁଁ ୧୦,୦୦୦ ରୁ ୧୨,୦୦୦ ଟଙ୍କା ରୋଜଗାର କରିଥାଏ।’’ ଏହାର ଅର୍ଥ ହେଉଛି ଦିନକୁ ସେ ହାରାହାରୀ ଦୁଇଟି ବୋତଲ ବିକ୍ରି କରନ୍ତି। ‘‘ସେତିକି ଟଙ୍କାରେ ପରିବାର ଲୋକଙ୍କୁ ଖାଇବାକୁ ଦେବା କଷ୍ଟକର,’’ ସେ କୁହନ୍ତି । ମସ୍କେଙ୍କ ମୂଳ ଘର ଜାଲନା ଜିଲ୍ଲାର ଜାଲନା ତାଲୁକା ଅନ୍ତର୍ଗତ ଥେରଗାଓଁ ଗ୍ରାମରେ।

PHOTO • Jyoti
PHOTO • Jyoti

ବାମ : ଆବାସାହେବ ମସ୍କେ କାନ୍ଦିୱଲି ଏବଂ ମଲାଡ଼ରେ ‘ହାଲୁକା ବୋତଲ’ ତିଆରି କରି ବିକ୍ରି କରନ୍ତି। ପରିବାରର ୧୦ x୧୦ ଫୁଟ କୋଠରୀରେ ସେ ନିଜର କର୍ମଶାଳା ଚଳାଇଥା’ନ୍ତି। ଡାହାଣ : ଆବାସାହେବ ତିଆରି କରିଥିବା ଗୋଟିଏ ବୋତଲ, ଯାହାକି କୃତ୍ରିମ ଫୁଲରେ ସଜ୍ଜା ହୋଇଛି। ଏସବୁ ବୋତଲ ମଦ ଦୋକାନ ଏବଂ କବାଡ଼ି ବାଲାଙ୍କଠାରୁ ମିଳିଥାଏ

PHOTO • Jyoti
PHOTO • Jyoti

ବାମ : ତାଙ୍କ ପତ୍ନୀ ବିମଲ ବୋତଲ ସଫା କରିବା, ଧୋଇବା ଏବଂ ଶୁଖାଇବା ସହାୟତା କରୁଛନ୍ତି । ଡାହାଣ : ପ୍ରତ୍ୟେକ ବୋତଲକୁ ତିଆରି କରିବାକୁ ୩୦-୪୦ ଟଙ୍କା ଖର୍ଚ୍ଚ ହୋଇଥାଏ। ମସ୍କେ ସେଗୁଡ଼ିକୁ ୨୦୦ ଟଙ୍କା ଲେଖାଏଁ ବିକ୍ରି କରିଥାନ୍ତି ଏବଂ ଗୋଟିଏ ମାସରେ ୧୦,୦୦୦-୧୨,୦୦୦ ଟଙ୍କା ରୋଜଗାର କରନ୍ତି। ଏହାର ଅର୍ଥ ହେଉଛି ଦିନକୁ ସେ ପ୍ରାୟ ଦୁଇଟି ବୋତଲ ବିକ୍ରି କରନ୍ତି

ସେ ପ୍ରତି ବର୍ଷ ପ୍ରାୟ ଜୁନ୍‌ ମାସ ବେଳକୁ ନିଜ ଗାଁକୁ ଫେରନ୍ତି ଏବଂ ନିଜର ଦେଢ଼ ଏକର ଚାଷ ଜମିରେ ଚାଷ କରିଥିବା ସୋୟାବିନ ଓ ଯଅ ଅମଳ କରନ୍ତି। ‘‘ମୁଁ ସବୁବେଳେ ବିଫଳ ହୋଇଥାଏ। ବର୍ଷା ନହେବା କାରଣରୁ କେବେ ଭଲ ଫସଲ ମିଳେ ନାହିଁ,’’ ସେ ଅଭିଯୋଗ କରିଥା’ନ୍ତି। ମସେ କିଛି ଗତ କିଛି ବର୍ଷ ହେବ ଚାଷ କରିବା ଛାଡ଼ି ଦେଇଛନ୍ତି।

୨୦୧୧ ଜନଗଣନା ଅନୁସାରେ ଭାରତରେ ପ୍ରାୟ ୬୫ ନିୟୁତ ବସ୍ତି ବାସିନ୍ଦା ରହିଛନ୍ତି। ଏମାନଙ୍କ ମଧ୍ୟରେ ପ୍ରକାଶ, ମୀରା, ମସ୍କେ ଏବଂ ଦାମୁ ନଗର ବସ୍ତିର ଅନ୍ୟ ବାସିନ୍ଦାମାନେ ଏକ ଛୋଟ, ପ୍ରାୟତଃ ନଗଣ୍ୟ ଅଂଶବିଶେଷ ଅଟନ୍ତି। କିନ୍ତୁ ଅନ୍ୟ ବସ୍ତିବାସିନ୍ଦାମାନଙ୍କୁ ମିଶାଇଲେ ଆର/ଏସ୍‌ ନଗରପାଳିକା ଓ୍ୱାର୍ଡର ଅଂଶବିଶେଷ ହୋଇଥିବା ଏହି ଲୋକମାନେ ଏକ ବଡ଼ ଭୋଟ୍‌ ବ୍ୟାଙ୍କ ଭାବେ ବିବେଚିତ ହୋଇଥାନ୍ତି।

ଆବାସାହେବ କୁହନ୍ତି, ‘‘ଗ୍ରାମୀଣ ପ୍ରବାସୀଙ୍କ ପାଇଁ ବସ୍ତିଗୁଡ଼ିକ ଏକ ଭିନ୍ନ ଦୁନିଆ।’’

ମେ ୨୦ରେ, କାନ୍ଦିୱଲିର ଲୋକମାନେ ମୁମ୍ବାଇ ଉତ୍ତର ଲୋକସଭା ଆସନ ପାଇଁ ଭୋଟ୍‌ ଦେବେ। ଏହି ନିର୍ବାଚନ ମଣ୍ଡଳୀରୁ ବର୍ତ୍ତମାନର ସାଂସଦ ଭାରତୀୟ ଜନତା ପାର୍ଟୀର ଗୋପାଳ ସେଟ୍ଟୀ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳର ଉର୍ମିଳା ମାତୋଣ୍ଡକରଙ୍କ ବିରୋଧରେ ସାଢ଼େ ଚାରି ଲକ୍ଷରୁ ଅଧିକ ଭୋଟ୍‌ ଅନ୍ତରରେ ବିଜୟ ହାସଲ କରିଥିଲେ।

ଏଥର ବିଜେପି ଗୋପାଳ ସେଟ୍ଟୀଙ୍କୁ ଟିକେଟ୍‌ ଦେଇନାହିଁ। ତାଙ୍କ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ମୁମ୍ବାଇ ଉତ୍ତର ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ‘‘ବିଜେପି ଏଠାରୁ ଦୁଇ ଥର (୨୦୧୪ ଏବଂ ୨୦୧୯) ଜିତିଛି। ଏଥିପୂର୍ବରୁ କଂଗ୍ରେସ ଜିତିଥିଲା। କିନ୍ତୁ ମୁଁ ଯାହା ଦେଖିପାରୁଛି, ବିଜେପିର ନିଷ୍ପତ୍ତିଗୁଡ଼ିକ ଗରିବଙ୍କ ସପକ୍ଷରେ ନୁହେଁ,’’ ଆବାସାହେବ ମସ୍କେ କୁହନ୍ତି।

PHOTO • Jyoti
PHOTO • Jyoti

ବାମ : ଦାମୁ ନଗରର ସଂକୀର୍ଣ୍ଣ ଗଳି। ଏହି ବସ୍ତିର ବାସିନ୍ଦାମାନେ ମେ ୨୦ ତାରିଖରେ ଭୋଟ୍‌ ଦେବେ। ଡାହାଣ : ଆବାସାହେବ ମସ୍କେ, ବିମଲ ଏବଂ ସେମାନଙ୍କ ଝିଅ ନିଜ ଘରେ ଛିଡ଼ା ହୋଇଛନ୍ତି। ‘ମୁଁ ଭାବୁଛି ଏହି ନିର୍ବାଚନ (….) ଆମ ଭଳି ନାଗରିକଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ହେଉଛି’

ମୀରା ୟେଡ଼େ ଇଭିଏମ୍‌କୁ ନେଇ ସନ୍ଦେହ ପ୍ରକାଶ କରନ୍ତି ଏବଂ ବାଲଟ୍‌ ପେପର୍‌କୁ ଅଧିକ ଭରସାଯୋଗ୍ୟ ବୋଲି କୁହନ୍ତି। ‘‘ମୋତେ ଏହି ଭୋଟିଂ ମେସିନ୍‌ ନକଲି ବୋଲି ଲାଗୁଛି। ସେହି କାଗଜରେ ଭୋଟିଂ ଭଲ ଥିଲା। ସେମିତି ମୁଁ କାହାକୁ ଭୋଟ୍‌ ଦେଇଥିଲି ସେ ବାବଦରେ ମୁଁ ସୁନିଶ୍ଚିତ ହୋଇପାରୁଥିଲି,’’ ମୀରା କୁହନ୍ତି ।

ଖବର ଓ ମିଥ୍ୟା ସୂଚନା ଉପରେ ବେକାର ପ୍ରକାଶଙ୍କ ମତ; ଇଭିଏମ ଉପରେ ସଫେଇ କର୍ମଚାରୀ ମୀରାଙ୍କ ଅବିଶ୍ୱାସ; ଏବଂ ସରକାରୀ ଯୋଜନା ସହିତ ନିଜର ଛୋଟ ଉଦ୍ୟୋଗ ପ୍ରତିଷ୍ଠା ଲାଗି ମସ୍କେଙ୍କ ଅସଫଳ ପ୍ରୟାସ। ପ୍ରତ୍ୟେକଙ୍କ ପାଖରେ କହିବା ଲାଗି ଗୋଟିଏ କାହାଣୀ ରହିଛି।

‘‘ଆମ ସମସ୍ୟାକୁ ବୁଝୁଥିବା ଜଣେ ଭଲ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ମୁଁ ଚିନ୍ତା କରୁଛି,’’ ପ୍ରକାଶ କୁହନ୍ତି

‘‘ବର୍ତ୍ତମାନସୁଦ୍ଧା ଯିଏ ଜିତିଛି, ଆମର କିଛି ବିକାଶ କରି ନାହିଁ। ଆମର ସଂଘର୍ଷ ପୂର୍ବ ପରି ଜାରି ରହିଛି। ଆମେ ଯାହାକୁ ପଛେ ଭୋଟ୍‌ ଦେଇଛୁ। କେବଳ ଆମ ନିଜର କଠିନ ପରିଶ୍ରମ ପାଇଁ ପାଇଁ ଆମେ ବଞ୍ଚି ରହିଛୁ, ଜିତୁଥିବା ନେତାଙ୍କ ପାଇଁ ନୁହେଁ। ଆମକୁ ହିଁ ନିଜ ଜୀବନ ପାଇଁ ପ୍ରୟାସ କରିବାକୁ ହୋଇଥାଏ, ବିଜୟୀ ନେତା କିଛି କରନ୍ତି ନାହିଁ,’’ ମୀରା ମତବ୍ୟକ୍ତ କରିଥାନ୍ତି।

‘‘ମୁଁ ଭାବୁଛି ଏହି ନିର୍ବାଚନ ମୌଳିକ ସୁବିଧା ପାଇଁ ହେଉନାହିଁ । ବରଂ ଆମ ଭଳି ବଞ୍ଚିତ ନାଗରିକଙ୍କ ଅଧିକାରକୁ ବଜାୟ ରଖିବା ପାଇଁ ହେଉଛି,’’ ଆବାସାହେବ ଶେଷରେ କହିଥା’ନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ଦାମୁନଗରର ଲୋକମାନେ ଗଣତନ୍ତ୍ର ପାଇଁ ଭୋଟ୍‌ ଦେବେ ।

ଅନୁବାଦ : ଓଡ଼ିଶାଲାଇଭ୍‍

ಜ್ಯೋತಿ ಪೀಪಲ್ಸ್ ಆರ್ಕೈವ್ ಆಫ್ ರೂರಲ್ ಇಂಡಿಯಾದ ಹಿರಿಯ ವರದಿಗಾರರು; ಅವರು ಈ ಹಿಂದೆ ‘ಮಿ ಮರಾಠಿ’ ಮತ್ತು ‘ಮಹಾರಾಷ್ಟ್ರ1’ನಂತಹ ಸುದ್ದಿ ವಾಹಿನಿಗಳೊಂದಿಗೆ ಕೆಲಸ ಮಾಡಿದ್ದಾರೆ.

Other stories by Jyoti

ಪಿ. ಸಾಯಿನಾಥ್ ಅವರು ಪೀಪಲ್ಸ್ ಆರ್ಕೈವ್ ಆಫ್ ರೂರಲ್ ಇಂಡಿಯಾದ ಸ್ಥಾಪಕ ಸಂಪಾದಕರು. ದಶಕಗಳಿಂದ ಗ್ರಾಮೀಣ ವರದಿಗಾರರಾಗಿರುವ ಅವರು 'ಎವೆರಿಬಡಿ ಲವ್ಸ್ ಎ ಗುಡ್ ಡ್ರಾಟ್' ಮತ್ತು 'ದಿ ಲಾಸ್ಟ್ ಹೀರೋಸ್: ಫೂಟ್ ಸೋಲ್ಜರ್ಸ್ ಆಫ್ ಇಂಡಿಯನ್ ಫ್ರೀಡಂ' ಎನ್ನುವ ಕೃತಿಗಳನ್ನು ರಚಿಸಿದ್ದಾರೆ.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE