ଉତ୍ତର କୋଲକାତାର କୁମାରତୁଲିର ଅଣଓସାରିଆ ଗଳି, ଯେଉଁଠି କି ଅତି କଷ୍ଟରେ ହାତଟଣା ରିକ୍ସାଟିଏ ହିଁ ଯାଇପାରିବ, ସେଠି ସାଧାରଣତଃ ଆପଣ କେବଳ ସେଇ କୁମାରମାନଙ୍କୁ ହିଁ ଭେଟିବେ-ଯେଉଁମାନେ କି ସହରରେ ମୂର୍ତ୍ତି କାରିଗର ଭାବେ ପରିଚିତ । ପ୍ରତି ବର୍ଷ ଏହି ସ୍ଥାନରୁ ଯାଇ କୋଲକାତା ନଗରୀରେ ପହଞ୍ଚନ୍ତି ଦେବୀ ଦୁର୍ଗା ଏବଂ ଅନ୍ୟ ଦେବଦେବୀଙ୍କ ମୂର୍ତ୍ତି ସମୂହ ।
ଏଠାରେ କାର୍ତ୍ତିକ ପଲ୍ଙ୍କର ଏକ କାର୍ଯ୍ୟଶାଳା ରହିଛି, ଯାହାକି ବାସ୍ତବରେ ବାଉଁଶ ଏବଂ ପ୍ଲାଷ୍ଟିକ୍ର ଏକ ଚାଳିଆ ଏବଂ ଯାହାର ନାଁ ଦିଆଯାଇଛି ‘ବ୍ରଜେଶ୍ୱର ଆଣ୍ଡ ସନ୍ସ’ (ତାଙ୍କ ବାପାଙ୍କ ନାମରେ ନାମିତ) । ମୂର୍ତ୍ତି ଗଢ଼ିବାର ଲମ୍ବା ଏବଂ ପର୍ଯ୍ୟାୟଭିତ୍ତିକ ପ୍ରକ୍ରିୟା ସଂପର୍କରେ ସେ ଆମକୁ କହନ୍ତି। ମୂର୍ତ୍ତି ଗଢ଼ିବାର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ମାଟିର ମିଶ୍ରଣ ବ୍ୟବହୃତ ହୁଏ, ଯେମିତି କି ଗଙ୍ଗାମାଟି (ନଦୀକୂଳରୁ ଅଣାଯାଇଥିବା କାଦୁଆ ମାଟି) ଏବଂ ପାଥ ମାଟି (ଝୋଟଗୁଣ୍ଡ ଏବଂ ଗଙ୍ଗାମାଟିର ଏକ ମିଶ୍ରଣ)।










