‘‘ଲୋକମାନେ ମୋ ଶ୍ୱଶୁରଙ୍କୁ ପଚାରନ୍ତି, ‘ତୁମ ପରିବାରର ଜଣେ ମହିଳା ଟଙ୍କା ରୋଜଗାର କରିବା ଲାଗି ଘରୁ ବାହାରକୁ ଯାଉଛି?’ ମୁଁ ଏ ସହରର ଝିଅ ନୁହେଁ ତେଣୁ ଏ ନିୟମ ମୋ ପାଇଁ ଅଧିକ କଠୋର,’’ ଫାତିମା ବିବି କୁହନ୍ତି ।
କୁଶଳତା ପୂର୍ବକ ନିଜର କଳା ନିକାବ କୁ ଓହ୍ଲାଇବା ପରେ, ତା’କୁ ଘର ଆଗ କବାଟ ପାଖରେ ଥିବା ଏକ କଣ୍ଟାରେ ଟଙ୍ଗାଇ ଦେଇ ଫାତିମା ଘର ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ତାଙ୍କର କଥାବାର୍ତ୍ତା ଜାରି ରହିଥିଲା। ପୂର୍ବ କଥା ମନେ ପକାଇ ହସି ହସି ସେ କହିଥିଲେ, ‘‘ମୁଁ ଯେତେବେଳେ ଛୋଟ ଝିଅ ଥିଲି, ଭାବୁଥିଲି- ମୋ କାମ କେବଳ ରୋଷେଇ ଘର-ରୋଷେଇ ଏବଂ ଘରକରଣା କାମରେ ସୀମିତ ରହିବ’’। ସେଦିନ ସନ୍ଧ୍ୟାରେ ୨୮ ବର୍ଷୀୟା ଉତ୍ସାହୀ ମହିଳା ଫାତିମାଙ୍କ ଦୁପଟ୍ଟା (କାନି) ରେ ଲାଗିଥିବା ରୂପେଲି ଚୁମୁକିଗୁଡ଼ିକ ଚକମକ୍ କରୁଥାଏ। ନିଜ କଥାକୁ ଆହୁରି ଆଗକୁ ବଢ଼ାଇ ସେ କହିଥିଲେ, ‘‘ମୁଁ ଯେତେବେଳେ କିଛି କରିବା ପାଇଁ ଚେଷ୍ଟା କରିଛି, ମୋ ପରିବାର ମୋତେ ବାହାରକୁ ଯାଇ ନିଜ ପାଇଁ କିଛି କରିବା ଲାଗି ସବୁବେଳେ ସ୍ୱାଧୀନତା ଦେଇଛି। ଏମିତି କିଛି ନାହିଁ ଯାହା ମୁଁ କରିପାରିବି ନାହିଁ।’’
ଫାତିମା ଉତ୍ତର ପ୍ରଦେଶର ପ୍ରୟାଗରାଜ (ପୂର୍ବରୁ ଆହ୍ଲାବାଦ ନାମରେ ପରିଚିତ ଥିଲା) ଜିଲ୍ଲାର ମାହେୱା ସହରରେ ରୁହନ୍ତି । ଏଠାରେ ଜୀବନର ଗତି ପାଖରେ ବୋହି ଯାଉଥିବା ଅଳସୀ ଯମୁନାର ଧୀର ବେଗ ଭଳି ଆଗକୁ ବଢ଼ିଥାଏ । ଫାତିମା କିନ୍ତୁ ନିଜ ପାଦ ତଳେ ଘାସ ବଢ଼ିବାକୁ ଦେଇନାହାନ୍ତି । ଆଜି ସେ ଜଣେ କୁଶଳୀ କାରିଗର ଓ ହସ୍ତଶିଳ୍ପ ଉଦ୍ୟୋଗୀ ପାଲଟିଛନ୍ତି । ମୁଞ୍ଜ (ବେଣା) ଘାସରେ ତିଆରି ବିଭିନ୍ନ ଘରକରଣା ସାମଗ୍ରୀର ଡିଜାଇନ କରିବା ସହିତ ସେଗୁଡ଼ିକୁ ସେ ବିକ୍ରି କରୁଛନ୍ତି । ସରପତ୍ ଘାସ ଭଳି ଏହାର ବାହାର ପାତିଆରେ ବିଭିନ୍ନ ପ୍ରକାରର ଘରକରଣା ସାମଗ୍ରୀ ତିଆରି ହୋଇଥାଏ ।
ଯୁବତୀ ଥିବା ସମୟରେ କ’ଣ କରିବେ ତାହା ଫାତିମା ଜାଣିନଥିଲେ । କିନ୍ତୁ ମହମ୍ମଦ ଶକିଲଙ୍କୁ ବାହା ହୋଇ ସେ ମାହେୱା ଆସିବା ପରେ ସବୁଠୁ ଅଭିଜ୍ଞ ମୁଞ୍ଜ କାରିଗରଙ୍କ ଘରେ ତାଙ୍କର ପାଦ ପଡ଼ିଲା । ତାଙ୍କର ଶାଶୂ ଆୟେଶା ବେଗମ୍ ଜଣେ କୁଶଳୀ ମୁଞ୍ଜ କାରିଗର।














