“ମୋ ଜୀବନର କାହାଣୀ ଶୁଣାଇବା ଲାଗି ମୁଁ ଆପଣଙ୍କ ଉପରେ ଭରସା କରିପାରେ କି?”

ଏହା ଏକ ପ୍ରତ୍ୟକ୍ଷ ଓ ଆହ୍ୱାନପୂର୍ଣ୍ଣ ପ୍ରଶ୍ନ ଥିଲା ଯାହା ଆପଣ ପଚାରି ପାରିଥାନ୍ତେ। ଏହି ପ୍ରଶ୍ନ ପଚାରିବା ଲାଗି ପ୍ରଶ୍ନକର୍ତ୍ତାଙ୍କ ନିକଟରେ ଏକ ଉତ୍କୃଷ୍ଟ କାରଣ ଥିଲା। କାରଣ ତାମିଲନାଡ଼ୁର ଭିଲ୍ଲୁପୁରମ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀର ଜଣେ ମହିଳା ଜନନୀ (ଛଦ୍ମନାମ), ନିଜ ଜୀବନର କାହାଣୀ କହିଛନ୍ତି : “ଯକ୍ଷ୍ମା ଏହାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା”।

ତାଙ୍କ ବାହାଘରକୁ ମାତ୍ର ଦେଢ଼ ବର୍ଷ ଏବଂ ତାଙ୍କର ଏକ ଚାରି ମାସର ପୁଅ ଥିବା ସମୟରେ ସେ ଯକ୍ଷ୍ମାରେ ସଂକ୍ରମିତ ହୋଇଥିଲେ। “ତାହା ଥିଲା ମେ ୨୦୨୦ର ଘଟଣା ଏବଂ ମୋର ଲକ୍ଷଣ (ଲଗାତାର କଫ ଓ ଜ୍ୱର) ପାଖାପାଖି ଏକ ମାସ ଧରି ଲାଗି ରହିଥିଲା।” ଯେତେବେଳେ ସବୁ ନିୟମିତ ଯାଞ୍ଚ ଫେଲ ମାରିଲା, ଡାକ୍ତରମାନେ ତାଙ୍କୁ ଟିବି ପରୀକ୍ଷା କରାଇବାକୁ ପରାମର୍ଶ ଦେଲେ। “ସେମାନେ ଯେତେବେଳେ ଯକ୍ଷ୍ମା ବୋଲି ସୁନିଶ୍ଚିତ କଲେ, ମୁଁ ଭାଙ୍ଗି ପଡ଼ିଲି। ମୁଁ ଜାଣିଥିବା କାହାକୁ ଏହି ରୋଗ ହୋଇନଥିଲା ଏବଂ ମୁଁ କେବେ ବି କଳ୍ପନା କରିପାରିନଥିଲି ଯେ ଏହା ମୋତେ ହେବ ବୋଲି।

“ଏମିତି ଏକ ରୋଗ ଯାହାକୁ ମୋ ଗାଁରେ ଘୃଣା ଦୃଷ୍ଟିରେ ଦେଖାଯାଏ, ଏପରି ଏକ ଅସୁସ୍ଥତା ଯାହା ସମସ୍ତ ସାମାଜିକ ସମ୍ପର୍କକୁ ବିଚ୍ଛିନ୍ନ କରିଥାଏ-ତାହା ମୋତେ ହେଲା!”

ସେହି ଦିନ ଠାରୁ, ୨୭ ବର୍ଷୀୟା ଜନନୀଙ୍କୁ ଭଲ ପାଉଥିବା ତାଙ୍କ ସ୍ୱାମୀ ମଧ୍ୟ ସବୁବେଳେ ତାଙ୍କୁ କଟୁ କଥା କହିବାକୁ ଲାଗିଲେ। କାରଣ ସେ ମଧ୍ୟ ରୋଗରେ ସଂକ୍ରମିତ ହୋଇଯିବେ ବୋଲି ଆଶଙ୍କା କରୁଥିଲେ। “ସେ ମୋତେ ଗାଳି ଦେଉଥିଲେ ଏବଂ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲେ। ତାଙ୍କ ମା’ ଆମ ବାହାଘରର ଗୋଟିଏ ବର୍ଷ ପରେ ପୂର୍ବରୁ ଥିବା କିଡନୀ ରୋଗ କାରଣରୁ ଆରପାରିକୁ ଚାଲିଯାଇଥିଲେ। କିନ୍ତୁ ମୋ ସ୍ୱାମୀ ଭାବୁଥିଲେ ମୋ କାରଣରୁ ଏହା ଘଟିଛି।”

ସେହି ସମୟରେ ଯଦି ଜଣେ ବ୍ୟକ୍ତି ଯିଏକି ଗମ୍ଭୀର ବିପଦରେ ପଡ଼ିଥିଲେ ସେ ହେଉଛନ୍ତି ଜନନୀ ନିଜେ।

ଭାରତରେ ସଂକ୍ରାମକ ରୋଗ ମଧ୍ୟରୁ ଯକ୍ଷ୍ମାରେ ଅଧିକ ଲୋକ ସଂକ୍ରମିତ ହୋଇ ପ୍ରାଣ ହରାଇଥାନ୍ତି।

Less than a month after contracting TB, Janani went to her parents’ home, unable to take her husband's abuse. He filed for divorce
Less than a month after contracting TB, Janani went to her parents’ home, unable to take her husband's abuse. He filed for divorce

ଯକ୍ଷ୍ମାରେ ପୀଡ଼ିତ ହେବାର ମାତ୍ର ଗୋଟିଏ ମାସ ପରେ , ସ୍ୱାମୀଙ୍କ ନିର୍ଯାତନା ସହିନପାରି, ଜନନୀ ତାଙ୍କ ବାପ ଘରକୁ ଚାଲିଯାଇଥିଲେ। ସ୍ୱାମୀ ଛାଡ଼ପତ୍ର ପାଇଁ ଆବେଦନ କଲେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, କୋଭିଡ-19 କେନ୍ଦ୍ରୀୟ ସ୍ତରକୁ ଆସିବା ପୂର୍ବରୁ, ୨୦୧୯ରେ ୨.୬ ନିୟୁତ ଭାରତୀୟ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିଲେ, ଏମାନଙ୍କ ମଧ୍ୟରେ ପାଖାପାଖି ୪୫୦,୦୦୦ ଲୋକ ପ୍ରାଣ ହରାଇଥିଲେ। ମାତ୍ର ଭାରତ ସରକାର ଡବ୍ଲୁଏଚଓର ତଥ୍ୟକୁ ଭୁଲ ବୋଲି କହିଥିଲେ-ସେହି ବର୍ଷ ଯକ୍ଷ୍ମା ଜନିତ ମୃତ୍ୟୁସଂଖ୍ୟା ୭୯,୦୦୦ ରୁ ଅଧିକ ହୋଇନଥିବା ଦର୍ଶାଇଥିଲେ। ବିଗତ ୧୫ ମାସ ମଧ୍ୟରେ କୋଭିଡ-19 କାରଣରୁ ୨୫୦,୦୦୦ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଡବ୍ଲୁଏଚଓର ତଥ୍ୟ ଅନୁଯାୟୀ, ୨୦୧୯ରେ ସାରା ବିଶ୍ୱରେ ୧୦ ନିୟୁତ ଲୋକ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିଲେ-ସେମାନଙ୍କ ମଧ୍ୟରୁ ଭାରତରେ କେବଳ ଏକ ଚତୁର୍ଥାଂଶ ଲୋକ ଥିଲେ। “ବିଶ୍ୱସ୍ତରରେ, ଆନୁମାନିକ ୧୦ ନିୟୁତ... ଲୋକ ୨୦୧୯ରେ ଯକ୍ଷ୍ମାରେ ପୀଡ଼ିତ ହୋଇଥିଲେ, ଏହି ସଂଖ୍ୟା ବିଗତ କିଛି ବର୍ଷ ମଧ୍ୟରେ ଧୀରେ ଧୀରେ ହ୍ରାସ ପାଉଛି।” ବିଶ୍ୱସ୍ତରରେ ପ୍ରାଣ ହରାଉଥିବା ୧.୪ ନିୟୁତ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ଭାରତରେ ରହିଛନ୍ତି।

ଡବ୍ଲୁଏଚଓର କହିବା ଅନୁଯାୟୀ , ଯକ୍ଷ୍ମା “ଏକ ଜୀବାଣୁଜନିତ (ମାଇକୋବ୍ୟାକ୍ଟେରିଅମ ଟ୍ୟୁବରୋକ୍ୟୁଲୋସିସ) ରୋଗ ଯାହା ଅଧିକାଂଶ ସମୟରେ ଫୁସଫୁସକୁ ପ୍ରଭାବିତ କରିଥାଏ... ଯକ୍ଷ୍ମା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣଙ୍କୁ ପବନ ମାଧ୍ୟମରେ ସଂକ୍ରମିତ କରିଥାଏ। ଫୁସଫୁସ ଯକ୍ଷ୍ମା ପୀଡ଼ିତ ବ୍ୟକ୍ତି କାଶିବା, ଛିଙ୍କିବା ଓ ଛେପ ପକାଇବା ସମୟରେ ସେଥିରୁ ଯକ୍ଷ୍ମା ଜୀବାଣୁ ବାହାରି ପବନରେ ବ୍ୟାପିଯାଇଥାଏ। ସୁସ୍ଥ ବ୍ୟକ୍ତି ଏହି ଜୀବାଣୁ ମଧ୍ୟରୁ ଅଳ୍ପ କେତୋଟି ଆଘ୍ରାଣ କଲେ ସଂକ୍ରମିତ ହୋଇଥାନ୍ତି। ବିଶ୍ୱ ଜନସଂଖ୍ୟାର ପାଖାପାଖି ଏକ ତୃତୀୟାଂଶ ଲୋକଙ୍କଠାରେ ଯକ୍ଷ୍ମା ସଂକ୍ରମଣ ରହିଛି, ଯାହାର ଅର୍ଥ ହେଉଛି ଯକ୍ଷ୍ମା ଜୀବାଣୁରେ ସଂକ୍ରମିତ ହୋଇ ସୁଦ୍ଧା ସେମାନେ ରୋଗରେ ଅସୁସ୍ଥ  ହୋଇନଥାନ୍ତି ଏବଂ ଅନ୍ୟକୁ ସଂକ୍ରମିତ କରିପାରିନଥାନ୍ତି।”

ଡବ୍ଲୁଏଚଓର ସୂଚନା ଅନୁଯାୟୀ, ଯକ୍ଷ୍ମା, “ଏକ ଦାରିଦ୍ର୍ୟ ଓ ଆର୍ଥିକ ଅନଗ୍ରସରତାର ରୋଗ”। ଆହୁରି ଏଥିରେ କୁହାଯାଇଛି ଯେ ଯକ୍ଷ୍ମାରେ ସଂକ୍ରମିତ ହେଉଥିବା ଲୋକମାନେ ଅଧିକାଂଶ ସମୟରେ “ଦୁର୍ବଳତା, ଅବହେଳା, ବାଛବିଚାର ଓ ଘୃଣାର ଶିକାର ହୋଇଥାନ୍ତି...”।

ଏହା କେତେ ସତ୍ୟ ତାହା ଜନନୀ ଜାଣନ୍ତି। ତାଙ୍କର ଉଚ୍ଚଶିକ୍ଷିତ ସ୍ଥିତି ସତ୍ତ୍ୱେ-ସେ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ଶିକ୍ଷାଦାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି-ସେ ଅପବାଦ, ଘୃଣା ଓ ବାଛବିଚାରର ଶିକାର ହୋଇଥିଲେ। ତାଙ୍କ ବାପା ଜଣେ ଶ୍ରମିକ-“ମୂଲ ଲାଗିଥାନ୍ତି” ଯେତେବେଳେ ତାଙ୍କୁ କାମ ମିଳିଥାଏ-ତାଙ୍କ ମା’ ଜଣେ ଗୃହିଣୀ।

ରୋଗ ସହ ମୁକାବିଲା କରିବା ଏବଂ ସେଥିରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ-ଜନନୀ ଏହି ଘାତକ ରୋଗ ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ ତାଙ୍କୁ ଏଠାରେ “ଯକ୍ଷ୍ମା ଯୋଦ୍ଧା” ବା “ମହିଳା ଯକ୍ଷ୍ମା ନେତ୍ରୀ”, କୁହାଯାଉଥିଲା, ଯିଏକି ଯକ୍ଷ୍ମାକୁ ନେଇ ରହିଥିବା ଭ୍ରାନ୍ତଧାରଣା ଏବଂ ଅପବାଦ ଦୂର କରିବା ଲାଗି ସକ୍ରିୟ ଭାବେ କାର୍ଯ୍ୟରତ ଥିଲେ।

Janani has been meeting people in and around her village to raise awareness about TB and to ensure early detection.
PHOTO • Courtesy: Resource Group for Education and Advocacy for Community Health (REACH)

ଜନନୀ ନିଜ ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ବୁଲି ଯକ୍ଷ୍ମା ସମ୍ପର୍କରେ ସଚେତନତା ସୃଷ୍ଟି କରୁଥିଲେ ଏବଂ ଏହାର ଆଗୁଆ ଚିହ୍ନଟ ଉପରେ ଜୋର ଦେଉଥିଲେ।

ଜୁନ ୨୦୨୦ରେ, ଏହି ରୋଗରେ ସଂକ୍ରମିତ ହେବାର ମାତ୍ର ଗୋଟିଏ ମାସ ମଧ୍ୟରେ, ଜନନୀ ତାଙ୍କର ବାପଘରକୁ ଚାଲିଯାଇଥିଲେ। “ତା’ଠାରୁ ଅଧିକ ମୁଁ (ମୋ ସ୍ୱାମୀଙ୍କ) ନିର୍ଯାତନା ସହିବାକୁ ସକ୍ଷମ ନଥିଲି। ସେ ମୋ ପୁଅକୁ-ଚାରିମାସର ଛୋଟ ଶିଶୁକୁ- ମଧ୍ୟ ନିର୍ଯାତନା ଦେଉଥିଲେ। ସେ କି ପାପ କରିଥିଲା?” ତାଙ୍କ ସ୍ୱାମୀ, ଏକ ଛୋଟ ଦୋକାନ ଚଳାନ୍ତି, ତୁରନ୍ତ ଛାଡ଼ପତ୍ର ଆବେଦନ ଦାଖଲ କଲେ ଏବଂ ଜନନୀ କୁହନ୍ତି, ତାଙ୍କ ମାତାପିତା ଏଥିରେ “ଚକିତ ହୋଇଯାଇଥିଲେ, ଯାହା ତାଙ୍କ ବିଶ୍ୱାସ ବାହାରେ ଥିଲା।”

କିନ୍ତୁ ସେମାନେ ତାଙ୍କୁ ଘରେ ସ୍ୱାଗତ କରିଥିଲେ। ଜନନୀ ଜୋର ଦେଇ କୁହନ୍ତି, ସେ ସେମାନେଙ୍କ ପାଖରେ କେତେ ପରିମାଣରେ ଋଣୀ- “ଛୋଟ ପିଲା ଏବଂ ଯୁବାବସ୍ଥାରେ ସେମାନେ ମୋତେ କୃଷି କାର୍ଯ୍ୟରେ ଯୋଗ ଦେବାକୁ ଛାଡ଼ି ନଥିଲେ। ଆମ ଦୁନିଆରେ ତାହା ଅତି ସାଧାରଣ କଥା ଥିଲା। ସେମାନଙ୍କ ସବୁ ପିଲା ଯେପରି ଶିକ୍ଷିତ ହୁଅନ୍ତୁ ତାହା ସେମାନେ ସୁନିଶ୍ଚିତ କରିଥିଲେ।” ତାଙ୍କର ଆଉ ଦୁଇ ଜଣ ବଡ଼ ଭାଇ-ଭଉଣୀ ଅଛନ୍ତି-ଉଭୟ ସ୍ନାତକୋତ୍ତର ଡିଗ୍ରୀଧାରୀ। ସ୍ୱାମୀଙ୍କୁ ଛାଡ଼ିବା ପରେ ଯାଇ ଜନନୀ କାମ କରିବା ଆରମ୍ଭ କରିଥିଲେ।

ଡିସେମ୍ବର ୨୦୨୦ରେ, ସେ ସମ୍ପୂର୍ଣ୍ଣ ଭାବେ ଯକ୍ଷ୍ମାରୁ ସୁସ୍ଥ ହୋଇଥିଲେ, ଏହାପରେ ସେ ତାଙ୍କ ଭଳି ଶିକ୍ଷାଗତ ଯୋଗ୍ୟତାଧାରୀ ଅନ୍ୟମାନଙ୍କ ପରି ବିଭିନ୍ନ ଚାକିରି ସୁଯୋଗ ବାଛିନଥିଲେ। ସେ ତାମିଲନାଡ଼ୁରେ ଦୁଇ ବର୍ଷ ଧରି ଯକ୍ଷ୍ମା ଦୂରୀକରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ସ୍ୱେଚ୍ଛାସେବୀ ସଂସ୍ଥା ରିସୋର୍ସ ଗ୍ରୁଫ ଫର ଏଜୁକେସନ ଆଣ୍ଡ ଆଡଭୋକାସୀ ଫର କମ୍ୟୁନିଟି ହେଲଥ୍(ରିଚ୍)ରେ ଯୋଗ ଦେଇଥିଲେ। ସେବେଠାରୁ, ଜନନୀ ନିଜ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଲୋକମାନଙ୍କୁ ଭେଟି ସେମାନଙ୍କୁ ଯକ୍ଷ୍ମା ସମ୍ପର୍କରେ ସଚେତନ କରୁଛନ୍ତି ଏବଂ ଆଗୁଆ ଚିହ୍ନଟ ଉପରେ ଜୋର ଦେଉଛନ୍ତି। “ମୁଁ ବହୁ ବୈଠକ ଆୟୋଜନ କରିଛି, ଏବଂ ତିନି ଜଣ ରୋଗୀଙ୍କଠାରେ ପ୍ରାରମ୍ଭିକ ସ୍ତରରେ ଯକ୍ଷ୍ମା ଚିହ୍ନଟ କରିଛି। ଏହାଛଡ଼ା ୧୫୦ରୁ ଅଧିକ ଲୋକଙ୍କ ସହିତ ଯୋଗାଯୋଗ ସ୍ଥାପନ କରିଛି ଯେଉଁମାନଙ୍କ ଟେଷ୍ଟ ନେଗେଟିଭ ଆସିଥିଲେ ମଧ୍ୟ କ୍ରମାଗତ ଲକ୍ଷଣ ରହିଛି।”

ଡବ୍ଲୁଏଚଓର ରିପୋର୍ଟ ଅନୁଯାୟୀ : “ଯକ୍ଷ୍ମାର ଚିକିତ୍ସା ଓ ନିରାକରଣ ସମ୍ଭବ। ଛଅ ମାସ ପର୍ଯ୍ୟନ୍ତ ଔଷଧ ଖାଇଲେ ଯକ୍ଷ୍ମା ରୋଗରେ ପୀଡ଼ିତ ପାଖାପାଖି ୮୫% ରୋଗୀଙ୍କ ସଫଳ ଚିକିତ୍ସା ସମ୍ଭବପର।” ଆହୁରି “୨୦୦୦ ପରଠାରୁ, ଯକ୍ଷ୍ମା ଚିକିତ୍ସା ଫଳରେ ୬୦ନିୟୁତ ମୃତ୍ୟୁ ଏଡ଼ାଇବା ସମ୍ଭବପର ହୋଇପାରିଛି, ଯଦିଓ ଏବେ ସୁଦ୍ଧା ସାର୍ବଜନୀନ ସ୍ୱାସ୍ଥ୍ୟ ସେବା (ୟୁଏଚସି) ସମସ୍ତଙ୍କ ପାଖରେ ପହଞ୍ଚିପାରିନାହିଁ, ଏବଂ ଲକ୍ଷ ଲକ୍ଷ ଲୋକ ନିଦାନ ଓ ଚିକିତ୍ସାରୁ ବଞ୍ଚିତ ରହିଛନ୍ତି।’’

*****

“କୋଭିଡ ଏବଂ ଲକଡାଉନ ସମୟରେ ଏହା ଆହୁରି ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି”, ବୋଲି କୁହନ୍ତି ତାମିଲନାଡ଼ୁର ତେଙ୍କାସୀ ଜିଲ୍ଲାର ୩୬ ବର୍ଷୀୟା ବି. ଦେବୀ। ଜନନୀଙ୍କ ଭଳି ସେ ମଧ୍ୟ ନିଜ ଅଭିଜ୍ଞତା ବଳରେ ଜଣେ ଜଣେ ‘ଯକ୍ଷ୍ମା ଯୋଦ୍ଧା’ରେ ପରିଣତ ହୋଇଛନ୍ତି। “ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ମୁଁ ଯକ୍ଷ୍ମାରେ ପୀଡ଼ିତ ହୋଇଥିଲି। ପୂର୍ବରୁ ମୁଁ ଏ ସମ୍ପର୍କରେ ଶୁଣି ମଧ୍ୟ ନଥିଲି”। ନିଜର ସଂଘର୍ଷ ସତ୍ତ୍ୱେ ସେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ।

ତାଙ୍କର ମାତାପିତା ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ, ଯେଉଁଠି ତାଙ୍କର ରୋଗ ଭଲ ହେଲା ନାହିଁ। “ଏହାପରେ ଆମେ ସରକାରୀ ଡାକ୍ତରଖାନାକୁ ଗଲୁ, ତେଙ୍କାସୀ, ଯେଉଁଠି ମୋତେ ବିଭିନ୍ନ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଲା। କିନ୍ତୁ ବର୍ତ୍ତମାନ ସେହି କଥା ଭାବିଲେ, ଚିକିତ୍ସା ସମ୍ପର୍କରେ କିଛି ବି ଆଶ୍ୱସ୍ତିକର ନଥିଲା। ମୁଁ ଯେଉଁମାନଙ୍କ ସଂସ୍ପର୍ଶରେ ଆସୁଛି ସେମାନଙ୍କ ପାଇଁ ଏହି ଅଭିଜ୍ଞତାକୁ ବଦଳାଇବା ଲାଗି ଚାହୁଁଛି”, ଦେବୀ କହିଥିଲେ।

The organisation's field workers and health staff taking a pledge to end TB and its stigma at a health facility on World TB Day, March 24. Right: The Government Hospital of Thoracic Medicine (locally known as Tambaram TB Sanitorium) in Chennai
PHOTO • Courtesy: Resource Group for Education and Advocacy for Community Health (REACH)
The organisation's field workers and health staff taking a pledge to end TB and its stigma at a health facility on World TB Day, March 24. Right: The Government Hospital of Thoracic Medicine (locally known as Tambaram TB Sanitorium) in Chennai
PHOTO • M. Palani Kumar

ମାର୍ଚ୍ଚ ୨୪ ତାରିଖ , ବିଶ୍ୱ ଯକ୍ଷ୍ମା ଦିବସରେ, ସଂଗଠନର କ୍ଷେତ୍ରୀୟ କର୍ମଚାରୀ ଓ ସ୍ୱାସ୍ଥ୍ୟ କର୍ମୀମାନେମାନେ ଯକ୍ଷ୍ମା ଏବଂ ଏହାକୁ ନେଇ ରହିଥିବା ଅପବାଦ ଦୂର କରିବା ନିମନ୍ତେ ଶପଥ ଗ୍ରହଣ କରୁଛନ୍ତି। ଡାହାଣ : ଚେନ୍ନାଇରେ ଥିବା ଥୋରାସିକ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନା (ଯାହାକି ସ୍ଥାନୀୟ ଅଞ୍ଚଳରେ ତମ୍ବରମ ଟିବି ସାନିଟୋରିୟମ ନାମରେ ପରିଚିତ)

ତେଙ୍କାସୀ ଜିଲ୍ଲାର ଏକ ତାଲୁକ ବୀରକିରାଲମପୁଦୁରର ବାସିନ୍ଦା ହେଉଛନ୍ତି ଦେବୀ। ତାଙ୍କର ମାତାପିତା କୃଷି ଶ୍ରମିକ ଥିଲେ। ତାଙ୍କୁ ଯେତେବେଳେ ଯକ୍ଷ୍ମା ହେଲା ସେମାନଙ୍କର ଦାରିଦ୍ର୍ୟ ସତ୍ତ୍ୱେ, ସେ କୁହନ୍ତି, ସେମାନେ ଓ ଅନ୍ୟ ସମ୍ପର୍କୀୟମାନେ ତାଙ୍କୁ ବହୁତ ସହାୟତା କରିଥିଲେ। ସେମାନେ ତାଙ୍କୁ ଚିକିତ୍ସା ପାଇଁ ନେଇଥିଲେ ଏବଂ ଏହାକୁ ଅତି ତତ୍ପରତାପୂର୍ବକ କରାଇଥିଲେ। “ମୋର ଭଲ ଯତ୍ନ ନିଆଯାଇଥିଲା”, ସେ କୁହନ୍ତି।

ଦେବୀଙ୍କ ସ୍ୱାମୀ ମଧ୍ୟ, ତାଙ୍କୁ ବେଶ ସହାୟତା ଓ ଆଶ୍ୱାସନା ଦେଇଥିଲେ। ସେ ହିଁ ତାଙ୍କ ପାଇଁ ଚାକିରି ମାର୍ଗ ବିଷୟରେ ଚିନ୍ତା କରିଥିଲେ। ଦେବୀ ମଧ୍ୟ ଯକ୍ଷ୍ମା-ବିରୋଧୀ ଅଭିଯାନରେ ଅଂଶଗ୍ରହଣ କଲେ, ପ୍ରଶିକ୍ଷଣ ନେଲେ ଏବଂ ଜନନୀଙ୍କ ଭଳି ସମାନ ସ୍ୱେଚ୍ଛାସେବୀ ସଂସ୍ଥାରେ କାମ କଲେ। ସେପ୍ଟେମ୍ବର ୨୦୨୦ ପରଠାରୁ ଦେବୀ ଏକ ଡଜନରୁ ଅଧିକ ବୈଠକ (ହାରାହାରୀ ୨୦ କିମ୍ବା ଅଧିକ ଲୋକ ସାମିଲ) ଆୟୋଜନ କରିଛନ୍ତି  ଯେଉଁଥିରେ ସେ ଯକ୍ଷ୍ମା ବିଷୟରେ କହିଥାନ୍ତି।

“ପ୍ରଶିକ୍ଷଣ ପରେ ମୁଁ ଜାଣିବାକୁ ପାଇଲି ଯେ ମୁଁ ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା କରିବାକୁ ଯାଉଛି। ସତରେ କହିବାକୁ ଗଲେ, ମୁଁ ଉତ୍ସାହିତ ଥିଲି। ମୁଁ କିଛି ଭଲ କାମ କରିପାରିବି, ଯେଉଁଥିରୁ ମୁଁ ବଞ୍ଚିତ ଥିଲି”, ସେ କୁହନ୍ତି। ତେଙ୍କାସୀ ଜିଲ୍ଲାର ପୁଲିୟାନଗୁଡ଼ି ପୌରପାଳିକାର ସରକାରୀ ଡାକ୍ତରଖାନାରେ ଦେବୀ ପାଖାପାଖି ୪୨ ଜଣ ଯକ୍ଷ୍ମା ରୋଗୀଙ୍କ ଯତ୍ନ ନେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇସାରିଛନ୍ତି। “ଆମେ ସାଧାରଣତଃ ପରାମର୍ଶ ଦେଇଥାଉ ଏବଂ ରୋଗୀଙ୍କ ଚିକିତ୍ସା କରିଥାଉ। ଯଦି ଜଣେ ବ୍ୟକ୍ତି ଯକ୍ଷ୍ମାରେ ପୀଡ଼ିତ ହୋଇଥାନ୍ତି, ଆମେ ମଧ୍ୟ ତାଙ୍କ ପରିବାର ଲୋକଙ୍କ ଯାଞ୍ଚ କରିଥାଉ, ଏବଂ ସେମାନଙ୍କ ପାଇଁ ନିରାକରଣମୂଳକ ପଦକ୍ଷେପ ଗ୍ରହଣ କରିଥାଉ।”

କୋଭିଡ-19 ମହାମାରୀ କାରଣରୁ ବର୍ତ୍ତମାନ ଦେଖାଦେଇଥିବା ସ୍ଥିତିରେ ଉଭୟ ଦେବୀ ଓ ଜନନୀ ସଂଘର୍ଷ କରୁଛନ୍ତି। ସେସବୁ ସ୍ଥାନରେ କାମ କରିବା ସେମାନଙ୍କୁ ମଧ୍ୟ ବିପଦରେ ପକାଇ ଦେଇଛି। ତଥାପି ସେମାନେ କାମ କରିଚାଲିଛନ୍ତି, କିନ୍ତୁ ଦେବୀ କୁହନ୍ତି, “ଏହା କଷ୍ଟକର ହୋଇଚାଲିଛି, କୋଭିଡରେ ସଂକ୍ରମିତ ହୋଇଯିବାର ଡର ରହୁଥିବାରୁ ଡାକ୍ତରଖାନାର କର୍ମଚାରୀମାନେ  କଫ ପରୀକ୍ଷା କରିବାକୁ ଆମକୁ ନିରୁତ୍ସାହିତ କରୁଛନ୍ତି। ସେମାନଙ୍କୁ ସମସ୍ୟାରେ ନପକାଇ ମୋତେ ପରୀକ୍ଷା କରିବାକୁ ହେଉଛି।”

ତେବେ କୋଭିଡ-19 କାରଣରୁ ଆଉ ଏକ ବଡ଼ ବିପଦ ଆସି ଉଭା ହୋଇଛି। ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆର ରିପୋର୍ଟରେ ୟୁରୋପୀଆନ ରେସ୍ପିରେଟୋରୀ ଜର୍ଣ୍ଣାଲର ଏକ ଅଧ୍ୟୟନ ପ୍ରକାଶ ପାଇଛି ଯେଉଁଥିରେ କୁହାଯାଇଛି ଯେ କୋଭିଡ-19 ମହାମାରୀ କାରଣରୁ ଭାରତରେ ଆସନ୍ତା ୫ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବା, ଚିହ୍ନଟ ଓ ଚିକିତ୍ସାରେ ବିଳମ୍ବ କାରଣରୁ ଅତିରିକ୍ତ ୯୫,୦୦୦ ଯକ୍ଷ୍ମା ରୋଗୀ ପ୍ରାଣ ହରାଇବେ। ଏପରି ବାଧା ବ୍ୟତୀତ ମହାମାରୀ ଆରମ୍ଭ ହେବା ପରଠାରୁ ଯକ୍ଷ୍ମା ମାମଲା କମ୍‌ ଚିହ୍ନଟ ହେବା ଏବଂ ଏହାର ସୂଚନା ହ୍ରାସ ପାଇବା ମଧ୍ୟ ଆଉ ଏକ ବିପଦ ସୃଷ୍ଟି କରିଛି। ଯଦିଓ ସଠିକ ତଥ୍ୟ ନାହିଁ, ଏହି କଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ ଯେ ପୂର୍ବବ୍ୟାଧିରେ ପୀଡ଼ିତ କୋଭିଡ-19 ଜନିତ କେତେକ ମୃତ୍ୟୁରେ ଯକ୍ଷ୍ମା ଏକ ପ୍ରମୁଖ ରୋଗ ଭାବେ ଜଣାପଡ଼ିଥାଏ।

ଇଣ୍ଡିଆ ଟିବି ରିପୋର୍ଟ ଅନୁଯାୟୀ , ଭାରତରେ ସର୍ବାଧିକ ଯକ୍ଷ୍ମା ରୋଗୀଥିବା ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡ଼ୁ ଅନ୍ୟତମ, ୨୦୧୯ରେ ଏଠାରେ ୧୧୦,୮୪୫ ଜଣ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ୭୭,୮୧୫ ପୁରୁଷ ଏବଂ ୩୩,୯୦୫ ଜଣ ମହିଳା ଥିଲେ। ସେହିପରି ୧୨୫ ଜଣ ସମଲିଙ୍ଗୀ ରୋଗୀ ଥିଲେ।

ତଥାପି, ଯକ୍ଷ୍ମା ମାମଲା ସମ୍ପର୍କରେ ସୂଚୀତ କରିବାରେ ରାଜ୍ୟ ଅତି ନିମ୍ନ, ୧୪ତମ ସ୍ଥାନରେ ରହିଛି। ଏହା ପଛରେ ଥିବା କାରଣ ସ୍ପଷ୍ଟ ନୁହେଁ, ବୋଲି କୁହନ୍ତି ଏହି ରୋଗ ବିରୋଧରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଥିବା ଚେନ୍ନାଇର ଜଣେ ଚିକିତ୍ସା କର୍ମୀ। “ହୁଏତ ପ୍ରାଦୁର୍ଭାବ ସର୍ବେକ୍ଷଣ ଅତି ନିମ୍ନରେ ରହିବା ଏକ କାରଣ ହୋଇପାରେ। ଭିତ୍ତିଭୂମି ଏବଂ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ କ୍ଷେତ୍ରରେ ତାମିଲନାଡ଼ୁ ଉନ୍ନତ ସ୍ଥିତିରେ ରହିଛି। ରାଜ୍ୟରେ ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସେବା ଯୋଜନା ଭଲ। କିନ୍ତୁ ଏହାର ଅର୍ଥ ମଧ୍ୟ ହୋଇପାରେ ସରକାରୀ କଳ ଠିକ୍ ଭାମେ କାର୍ଯ୍ୟ ସମ୍ପାଦନ କରିପାରୁନାହିଁ)। କେତେକ ଡାକ୍ତରଖାନାରେ, ଛାତି ଏକ୍ସ-ରେ କରାଇବା ଏକ କଠିନ କାର୍ଯ୍ୟ (କୋଭିଡ-19 କାରଣରୁ ସ୍ୱାସ୍ଥ୍ୟ ସେବା ସେବା ଉପରେ ପଡ଼ୁଥିବା ଚାପ କାରଣରୁ ଏହା ଆହୁରି ଜଟିଳ ହୋଇଯାଇଛି। ଆମେ ଯକ୍ଷ୍ମା ପାଇଁ ସମସ୍ତ ବାଧ୍ୟତାମୂଳକ ପରୀକ୍ଷା ଯୋଗାଇ ଦେଇନଥାଉ। କିନ୍ତୁ ବର୍ତ୍ତମାନ ଜାରି ରହିଥିବା ପ୍ରାଦୁର୍ଭାବ ସର୍ବେକ୍ଷଣ ଶେଷ ନହେବା ପର୍ଯ୍ୟନ୍ତ ରୋଗ ସମ୍ପର୍କରେ ସୂଚନା କାହିଁକି ଧିମା ରହିଛି ଆମେ ତାହା କହିପାରିବା ନାହିଁ।”

ଯକ୍ଷ୍ମା ସହ ସଂଘର୍ଷ କରୁଥିବା ଲୋକମାନଙ୍କ ପାଇଁ ଆହୁରି କେତେକ ଅପବାଦମୂଳକ ଅଯୌକ୍ତିକ ପ୍ରସଙ୍ଗର ସମ୍ମୁଖୀନ ହେବାକୁ ପଡ଼ିଥାଏ। “ଯଦିଓ ଏହି ରୋଗ ସହିତ ଜଡ଼ିତ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଥିବେ, କିନ୍ତୁ ଅପବାଦ ଭିନ୍ନ ଭିନ୍ନ ଭାବେ ଆସିଥାଏ। ପୁରୁଷଙ୍କୁ ମଧ୍ୟ ଲାଞ୍ଛନାର ଶିକାର ହେବାକୁ ପଡ଼ିଥାଏ, କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଏହା ଆହୁରି ଖରାପ, ବୋଲି ରିଚର ଉପନିର୍ଦ୍ଦେଶିକା ଅନୁପମା ଶ୍ରୀନିବାସନ କୁହନ୍ତି।

ଜନନୀ ଓ ଦେବୀ ଏଥିରେ ରାଜି ହେବେ। ଏହା ହୁଏତ ଗୋଟିଏ କାରଣ ହୋଇପାରେ ଯାହା ସେମାନଙ୍କୁ ବର୍ତ୍ତମାନର ଏହି କାର୍ଯ୍ୟରେ ସାମିଲ କରିଛି।

*****

ଆହୁରି ଜଣେ ହେଉଛନ୍ତି ପୋଙ୍ଗୋଡ଼ି ଗୋବିନ୍ଦାରାଜ। ଏହି ୩୦ ବର୍ଷୀୟା ମହିଳା ଜଣକ ଭେଲୋରରେ ଅଭିଯାନ ନେତ୍ରୀ ଭାବେ କାମ କରୁଛନ୍ତି ସେ ତାଙ୍କ ଜୀବନରେ ତିନି ଥର ଯକ୍ଷ୍ମାରେ ସଂକ୍ରମିତ ହୋଇଛନ୍ତି। “୨୦୧୪ ଏବଂ ୨୦୧୬ରେ ମୁଁ ଯକ୍ଷ୍ମାକୁ  ସେତେ ଗମ୍ଭୀରତାର ସହିତ ଗ୍ରହଣ କରିନଥିଲି ଯେତିକି ମୋର କରିବାର ଥିଲା ଓ ମୁଁ ବଟିକା ଖାଇବା ଛାଡ଼ିଦେଲି”, ସେ କୁହନ୍ତି। “୨୦୧୮ରେ, ମୁଁ ଚିକିତ୍ସିତ ହେଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହେଲି, ମୁଁ ଜାଣିବାକୁ ପାଇଲି ଯେ ମୋତେ ସ୍ପାଇନାଲ ଟିବି ହୋଇଛି। ଏଥର, ମୁଁ ଚିକିତ୍ସା ସମ୍ପୂର୍ଣ୍ଣ କଲି ଏବଂ ଏବେ ମୁଁ ଭଲ ଅଛି।

ପୋଙ୍ଗୋଡ଼ି ତାଙ୍କର ଦ୍ୱାଦଶ ପାଠପଢ଼ା ଶେଷ କରିସାରିଥିଲେ ଏବଂ ବିଏସସି ନର୍ସିଂ ପଢ଼ୁଥିଲେ, ଏହି ସମୟରେ ତାଙ୍କୁ ପାଠପଢ଼ା ଛାଡ଼ିବାକୁ ପଡ଼ିଲା। “୨୦୧୧,୧୨ ଓ ୧୩ରେ ମୋର ତିନି ଜଣ ସନ୍ତାନ ହୋଇଥିଲେ। ସେମାନେ ସମସ୍ତେ ଜନ୍ମ ନେବା ସଙ୍ଗେ ସଙ୍ଗେ ପ୍ରାଣ ହରାଇଥିଲେ”, ସେ କୁହନ୍ତି। “ସ୍ୱାସ୍ଥ୍ୟଗତ କାରଣରୁ ମୋତେ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିଲା”।  ଖାଲି ତାଙ୍କ କଥା ନୁହେଁ, ତାଙ୍କ ମା’ ୨୦୧୧ରେ ଯକ୍ଷ୍ମାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ତାଙ୍କ ବାପା ଏବେ ଏକ ସେଲୁନରେ କେଶକଟାଳୀ ଭାବେ କାମ କରୁଛନ୍ତି। ପୋଙ୍ଗୋଡ଼ିଙ୍କ ସ୍ୱାମୀ ଏକ ଘରୋଇ କମ୍ପାନୀରେ ଛୋଟ ଚାକିରି କରିଛନ୍ତି, ଯିଏକି ୨୦୧୮ରେ ଯକ୍ଷ୍ମା ଚିହ୍ନଟ ହେବା ପରେ ତାଙ୍କୁ ଛାଡ଼ି ଦେଇଥିଲେ। ସେବେଠାରୁ ସେ ନିଜ ମାତାପିତାଙ୍କ ପାଖରେ ରହୁଛନ୍ତି।

Poongodi Govindaraj (left) conducting a workshop (right); she is a campaign leader from Vellore who has contracted TB three times
PHOTO • Courtesy: Resource Group for Education and Advocacy for Community Health (REACH)
Poongodi Govindaraj (left) conducting a workshop (right); she is a campaign leader from Vellore who has contracted TB three times
PHOTO • Courtesy: Resource Group for Education and Advocacy for Community Health (REACH)

ପୋଙ୍ଗୋଡ଼ି ଗୋବିନ୍ଦରାଜ ( ବାମ ) ଏକ କର୍ମଶାଳା ଚଳାଉଛନ୍ତି ( ଡାହାଣ ); ସେ ଭେଲୋରର ଜଣେ ଅଭିଯାନ ନେତ୍ରୀ ଯିଏକି ତିନି ଥର ଯକ୍ଷ୍ମାରେ ସଂକ୍ରମିତ ହୋଇଥିଲେ।

ପୋଙ୍ଗୋଡ଼ି କୁହନ୍ତି, ତାଙ୍କ ପରିବାରର ଏକଦା କିଛି ସମ୍ପତ୍ତି ଥିଲା କିନ୍ତୁ ସେମାନେ ତାହାକୁ ବିକ୍ରି କରିବାକୁ ବାଧ୍ୟ ହେଲେ ଏବଂ ସେହିସବୁ ଅର୍ଥ ଚିକିତ୍ସା ଓ ତାଙ୍କ ସ୍ୱାମୀ ଛାଡ଼ିଦେବା ପରେ ଛାଡ଼ପତ୍ର ମାମଲାରେ ଖର୍ଚ୍ଚ ହେଲା। “ମୋ ବାପା ଏବେ ମୋର ମାର୍ଗଦର୍ଶନ ଓ ସହାୟତା କରୁଛନ୍ତି। ଯକ୍ଷ୍ମା ସମ୍ପର୍କରେ ସଚେତନତା ସୃଷ୍ଟି କରିବା କାର୍ଯ୍ୟ କରୁଥିବାରୁ ମୁଁ ଏବେ ଆନନ୍ଦ ଅନୁଭବ କରୁଛି”, ସେ କୁହନ୍ତି। ଯକ୍ଷ୍ମା କାରଣରୁ ପୋଙ୍ଗୋଡ଼ିଙ୍କ ଓଜନ ୩୫ କିଗ୍ରାକୁ ହ୍ରାସ ପାଇଥିଲା। “ପୂର୍ବରୁ ମୋର ଓଜନ ପାଖାପାଖି ୭୦ କିଗ୍ରା ଥିଲା। ତେ‍ବେ ଆଜି ମୁଁ ଜଣେ ସଫଳ ଯକ୍ଷ୍ମାବିରୋଧୀ ସଚେତନତା କର୍ମୀ ହୋଇପାରିଛି। ଯକ୍ଷ୍ମା ରୋଗ ଏବଂ ଏହାକୁ କିପରି ପରିଚାଳନା କରିହେବ ସେ ସମ୍ପର୍କରେ ମୁଁ ପାଖାପାଖି ୨୫୦୦ ଲୋକଙ୍କୁ ସଚେତନ କରିସାରିଛି। ମୁଁ ୮୦ ଜଣ ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା ସେବା ପହଞ୍ଚାଇ ପାରିଛି ଏବଂ ସେମାନଙ୍କ ମଧ୍ୟରୁ ଏବେସୁଦ୍ଧା ପ୍ରାୟ ୨୦ ଜଣ ସୁସ୍ଥ ହୋଇସାରିଲେଣି।” ପୋଙ୍ଗୋଡ଼ିଙ୍କ ଭଳି ମହିଳା ଯିଏକି ପୂର୍ବରୁ କେବେ ଚାକିରି କରିନଥିଲେ, ‘ମହିଳା ଯକ୍ଷ୍ମା ନେତ୍ରୀ’ ଭାବେ ତାଙ୍କ ଭୂମିକା ସମ୍ପର୍କରେ ସେ କୁହନ୍ତି, “ଏହା ମୋତେ ଶାନ୍ତି, ଆନନ୍ଦ ଓ ସନ୍ତୋଷ ଦେଇଥାଏ। ମୁଁ ଏପରି କାର୍ଯ୍ୟ କରୁଛି ଯାହାକୁ ନେଇ ମୋ ମନରେ ଗର୍ବ ଅଛି। ମୋ ସ୍ୱାମୀଙ୍କ ଭଳି ସେହି ଗାଁରେ ରହି ଏପରି କାର୍ଯ୍ୟ କରିବା ମୋ ପାଇଁ ଏକ ବଡ଼ ଉପଲବ୍ଧି।”

*****

ଦ ସାଧିପୋମ ଭା ପେନ୍ନେ (ଜାଗ୍ରତ ହୁଅନ୍ତୁ ମହିଳାମାନେ! ଚାଲନ୍ତୁ ହାସଲ କରିବା) ଅଭିଯାନ ସେହି ମହିଳାମାନଙ୍କୁ ଚିହ୍ନଟ କରୁଛି ଯେଉଁମାନେ ଯକ୍ଷ୍ମା ମାମଲା ଚିହ୍ନଟ କରିବାରେ ସହାୟତା କରିପାରିବେ ଓ ପ୍ରୋତ୍ସାହନ ଦେଇପାରିବେ। ରିଚ୍ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନ ତାମିଲନାଡ଼ୁର ଚାରିଟି ଜିଲ୍ଲା-ଭେଲୋର, ଭିଲ୍ଲୁପୁରମ, ତିରୁନେଲଭେଲି ଓ ସାଲେମରେ ଶୁଭାରମ୍ଭ ହୋଇଛି।

ଏଠାକାର ସମୁଦାୟର ପାଖାପାଖି ୪୦୦ ମହିଳା ଏଠାରେ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେବା ପରେ ସେମାନଙ୍କର ଗ୍ରାମ କିମ୍ବା ୱାର୍ଡର ସ୍ୱାସ୍ଥ୍ୟ କର୍ମୀ ଭାବେ ଯୋଗ ଦେଇଥାନ୍ତି-ସେମାନେ ଫୋନ ଜରିଆରେ ତାଲିମ ଗ୍ରହଣ କରିଥାନ୍ତି। ଆହୁରି ୮୦ ଜଣ ମହିଳା ଯକ୍ଷ୍ମା ନେତ୍ରୀ (ପୋଙ୍ଗୋଡ଼ିଙ୍କ ଭଳି) ଯକ୍ଷ୍ମା ନେତ୍ରୀ ଭାବେ ପ୍ରଶିକ୍ଷଣ ନେଇଥାନ୍ତି, ଯେଉଁମାନେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ପାଇଁ ସ୍କ୍ରିନିଂ ଗ୍ରହଣ କରିଥାନ୍ତି, ବୋଲି ଅନୁପମା ଶ୍ରୀନିବାସନ କହିଥିଲେ।

ଯଦିଓ ସମସ୍ୟାର ବ୍ୟାପକତାକୁ ଦେଖି ସଂଖ୍ୟା ଦୃଷ୍ଟିରୁ ସେମାନଙ୍କ ସ୍ଥିତି ନଗଣ୍ୟ, ତଥାପି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟ ହଜାର ହଜାର ଯକ୍ଷ୍ମା ରୋଗୀଙ୍କ ନିକଟରେ ପହଞ୍ଚିବା ଜନନୀ, ଦେବୀ ଓ ପୋଙ୍ଗୋଡ଼ି ତଥା ଅନ୍ୟ ମହିଳାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହାର ଗୁରୁତ୍ୱ ଡାକ୍ତରଖାନା ଠାରୁ ଊର୍ଦ୍ଧ୍ୱକୁ ଯାଇ ସାମାଜିକ ଓ ଅର୍ଥନୈତିକ ବାସ୍ତବତାର ଅଧିକ ନିକଟତର ହୋଇଥାଏ। ଆହୁରି ଏହାର ସ୍ପର୍ଶ ଯେଉଁମାନେ ଅନୁଭବ କରିଥାନ୍ତି, ସେମାନଙ୍କ ଆତ୍ମବିଶ୍ୱାସ ଉପରେ ଏହାର ପ୍ରଭାବ ଅତୁଳନୀୟ।

“ଏହି ସ୍ଥାନ ସନ୍ତୋଷ ପ୍ରଦାନ କରିଥାଏ”, ଏଠାରେ ନିଜର ଦୈନନ୍ଦିନ କାର୍ଯ୍ୟ ବିଷୟରେ ଉଲ୍ଲେଖ କରି ଜନନୀ କୁହନ୍ତି। ସେ ରିଚରେ କାମ କରିବାର ଦୁଇ ମାସ ପରେ ତାଙ୍କ ସ୍ୱାମୀ (ଏବଂ ତାଙ୍କ ପରିବାର) ତାଙ୍କ ନିକଟକୁ ଫେରିଆସିଥିଲେ। “ମୁଁ ଜାଣିନାହିଁ ଏହା ମୁଁ ରୋଜଗାର କରୁଥିବା ଟଙ୍କା ପାଇଁ କିମ୍ବା ଆଉ କ’ଣ-କିମ୍ବା ବୋଧହୁଏ ସେ ଏକାକୀ ଜୀବନ ବିତାଇବା ପରେ ମୋର ଗୁରୁତ୍ୱ ବିଷୟରେ ବୁଝିପାରିଛନ୍ତି। ଯାହାହେଉ, ମୋ ବାପାମା’ ଖୁସି ଅଛନ୍ତି ଯେ ଛାଡ଼ପତ୍ର ମାମଲା ପରେ ଏକ ସମାଧାନ ହୋଇପାରିଛି।”

ନିଜ ମାତାପିତାଙ୍କୁ ଖୁସିରେ ରଖିବା ଲାଗି, ଜନନୀ ଚଳିତ ବର୍ଷ ଫେବୃଆରୀ ମାସରେ ତାଙ୍କ ସ୍ୱାମୀଙ୍କ ପାଖକୁ ଫେରିଯାଇଛନ୍ତି। “ବର୍ତ୍ତମାନସୁଦ୍ଧା ସେ ମୋର ଭଲ ଭାବେ ଯତ୍ନ ନେଉଛନ୍ତି। ମୁଁ ଭାବିଥିଲି ଯକ୍ଷ୍ମା ମୋ ଜୀବନକୁ ନଷ୍ଟ କରି ଦେଇଛି କିନ୍ତୁ ବାସ୍ତବରେ ଏହା ମୋ ଜୀବନକୁ ଅଧିକ ଅର୍ଥ ଦେଇଛି। ଯେଉଁ ରୋଗ ମୋ ଜୀବନକୁ ନଷ୍ଟ କରି ଦେଇଥିଲା ମୁଁ ସେହି ରୋଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରୁଛି, ବାଃ, ଏହା କେତେ ସଶକ୍ତ ଅନୁଭବ।”

କବିତା ମୁରଲୀଧରନ ଠାକୁର ଫ୍ୟାମିଲି ଫାଉଣ୍ଡେସନର ଅନୁଦାନରେ ଏକ ନିରପେକ୍ଷ ସାମ୍ବାଦିକତା ମାଧ୍ୟମରେ ଜନସ୍ୱାସ୍ଥ୍ୟ ଏବଂ ନାଗରିକ ସ୍ୱାଧୀନତା ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଥାନ୍ତି। ଏହି ରିପୋର୍ଟ ର ବିଷୟବସ୍ତୁ ଉପରେ ଠାକୁର ଫ୍ୟାମିଲି ଫାଉଣ୍ଡେସନର କୌଣସି ସମ୍ପାଦକୀୟ ନିୟନ୍ତ୍ରଣ ନାହିଁ।

ଅନୁବାଦ: ଓଡ଼ିଶାଲାଇଭ୍‍

Kavitha Muralidharan

ಪತ್ರಿಕೋದ್ಯಮದ ವೃತ್ತಿಯನ್ನು ಸ್ವತಂತ್ರವಾಗಿ ನಿರ್ವಹಿಸುತ್ತಿರುವ ಕವಿತ ಮುರಳೀಧರನ್ ಅನುವಾದಕರೂ ಹೌದು. ಈ ಹಿಂದೆ ‘ಇಂಡಿಯ ಟುಡೆ’ (ತಮಿಳು) ಪತ್ರಿಕೆಯ ಸಂಪಾದಕರಾಗಿದ್ದು, ಅದಕ್ಕೂ ಮೊದಲು ‘ದಿ ಹಿಂದು’ (ತಮಿಳು) ಪತ್ರಿಕೆಯ ವರದಿ ವಿಭಾಗದ ಮುಖ್ಯಸ್ಥರಾಗಿದ್ದ ಕವಿತ, ಪ್ರಸ್ತುತ ‘ಪರಿ’ಯ ಸ್ವಯಂಸೇವಕರಾಗಿದ್ದಾರೆ.

Other stories by Kavitha Muralidharan
Illustrations : Priyanka Borar

ಕವರ್ ಇಲ್ಲಸ್ಟ್ರೇಷನ್: ಪ್ರಿಯಾಂಕಾ ಬೋರಾರ್ ಹೊಸ ಮಾಧ್ಯಮ ಕಲಾವಿದೆ. ಹೊಸ ಪ್ರಕಾರದ ಅರ್ಥ ಮತ್ತು ಅಭಿವ್ಯಕ್ತಿಯನ್ನು ಕಂಡುಹಿಡಿಯಲು ತಂತ್ರಜ್ಞಾನವನ್ನು ಪ್ರಯೋಗಿಸುತ್ತಿದ್ದಾರೆ. ಅವರು ಕಲಿಕೆ ಮತ್ತು ಆಟಕ್ಕೆ ಎಕ್ಸ್‌ಪಿರಿಯೆನ್ಸ್ ವಿನ್ಯಾಸ‌ ಮಾಡುತ್ತಾರೆ. ಸಂವಾದಾತ್ಮಕ ಮಾಧ್ಯಮ ಇವರ ಮೆಚ್ಚಿನ ಕ್ಷೇತ್ರ. ಸಾಂಪ್ರದಾಯಿಕ ಪೆನ್ ಮತ್ತು ಕಾಗದ ಇವರಿಗೆ ಹೆಚ್ಚು ಆಪ್ತವಾದ ಕಲಾ ಮಾಧ್ಯಮ.

Other stories by Priyanka Borar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE