ରୁକ୍ସାନା ଖାତୁନ ଭାବିଥିଲେ ତାଙ୍କୁ ପରିବାରର ପେଟ ଚିନ୍ତା ଆଉ କରିବାକୁ ପଡ଼ିବ ନାହିଁ। ଏହା ନଭେମ୍ବର ୨୦୨୦ର କଥା, ଦୀର୍ଘ ଦୁଇ ବର୍ଷ ଧରି ସଂଘର୍ଷ କରିବା ପରେ, ତୃତୀୟ ପ୍ରୟାସରେ ତାଙ୍କୁ ରାସନ କାର୍ଡ ଖଣ୍ଡେ ମିଳିଥିଲା। ଅଚାନକ, ମହାମାରୀ ବର୍ଷର ସବୁଠୁ ଖରାପ ସମୟ ତାଙ୍କ ଜୀବନରେ ଆସିଥିଲା।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ), ୨୦୧୩ ଅଧୀନରେ ତାଙ୍କୁ ‘ପ୍ରାଥମିକତା ପରିବାର’ ବର୍ଗରେ ରାସନ କାର୍ଡ ମିଳିଥିଲା, ଏଥିପାଇଁ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିଥାନ୍ତି।
ସେତେବେଳେ ସେମାନେ ରହୁଥିବା ପୈତୃକ ଘର ଠିକଣା ସେଥିରେ ରହିଥିଲା – ଯାହାକି ଏବେ ବିହାର ଦରଭଙ୍ଗା ଜିଲ୍ଲାର ଧୂଳିଧୂସରିତ ନଗର ନିଗମ ଅଞ୍ଚଳରେ ସାମିଲ ହୋଇଥିବା ଏକ ଗାଁର ମାନ୍ୟତା ପାଇଛି। ଶେଷରେ ରୁକ୍ସାନାଙ୍କୁ ସାତ ଜଣିଆ ସଦସ୍ୟ ବିଶିଷ୍ଟ ନିଜ ପରିବାର ଲୋକଙ୍କ ପାଇଁ ସବସିଡିଯୁକ୍ତ ରାସନ ମିଳିଯାଇଥିଲା।
ଏହାପରେ ଅଗଷ୍ଟ ୨୦୨୧ରେ ସମସ୍ତେ ଦିଲ୍ଲୀ ଚାଲିଆସିଲେ, ଏବଂ ଆଇନଗତ ଭାବେ ସେମାନଙ୍କ ପରିବାରକୁ ମିଳୁଥିବା ଖାଦ୍ୟଶସ୍ୟ ମିଳିବା କ୍ଷେତ୍ରରେ ପୁଣି ଏକ ବାଧା ଉତ୍ପନ୍ନ ହେଲା।
କେନ୍ଦ୍ର ସରକାରଙ୍କ ‘ଏକ ରାଷ୍ଟ୍ର, ଏକ ରାସନ କାର୍ଡ (ଓଏନଓଆରସି) ଯୋଜନା ଅଧୀନରେ, ଏନଏଫଏସଏ ହିତାଧିକାରୀ – ଯେଉଁମାନେ ‘ପ୍ରାଥମିକତା ପରିବାର’ ଏବଂ ‘ଦରିଦ୍ରରୁ ଦରିଦ୍ରତମ’ ବର୍ଗରେ ଶ୍ରେଣୀଭୁକ୍ତ ହୋଇଛନ୍ତି, ସେମାନେ ନିଜ କୋଟା ବାବଦ ଖାଦ୍ୟଶସ୍ୟ ଦେଶର ଯେକୌଣସି ସରକାରୀ ରାସନ କେନ୍ଦ୍ରରୁ ନେଇପାରିବେ। ଆଧାର-ସଂଯୁକ୍ତ ବାୟୋମେଟ୍ରିକ ପ୍ରାମାଣୀକରଣ ବ୍ୟବହାର କରି ସାଧାରଣ ବଣ୍ଟନ ପ୍ରଣାଳୀ (ପିଡିଏସ), ଅଧୀନରେ ଖାଦ୍ୟ ସାମଗ୍ରୀ ବିତରଣ କରିବା ଲାଗି ଏସବୁ କେନ୍ଦ୍ରକୁ ଲାଇସେନ୍ସ ପ୍ରଦାନ କରାଯାଇଛି। କିନ୍ତୁ ନିକଟସ୍ଥ ପଶ୍ଚିମ ଦିଲ୍ଲୀ ଶାଦୀପୁର ମୁଖ୍ୟ ବଜାରରେ ଥିବା ସରକାରୀ ରାସନ କେନ୍ଦ୍ରକୁ ରୁକ୍ସାନା ଯେତେଥର ନିଜ ମାସିକ ରାସନ କୋଟା ଆଣିବାକୁ ଯାଇଛନ୍ତି, ସେଠାରେ ଥିବା ଇଲେକ୍ଟ୍ରୋନିକ ପଏଣ୍ଟ ଅଫ୍ ସେଲ (ଇ-ପିଓଏସ) ମେସିନ୍ ଦେଖାଇଛି : ‘Ration card not found in IMPDS’ (ଆଇଏମପିଡିଏସରେ ରାସନ କାର୍ଡ ଉପଲବ୍ଧ ନାହିଁ)।
ପିଡିଏସ ଅଧୀନରେ ବିତରଣ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଦେଇଥାନ୍ତି। ତେବେ ଓଏନଓଆରସି ଯୋଜନା ଅଧୀନରେ ଯୋଗ୍ୟ ପ୍ରବାସୀମାନଙ୍କୁ ଦେଶର ଯେକୌଣସି ସ୍ଥାନରୁ ସେମାନଙ୍କ ଭାଗର ଖାଦ୍ୟଶସ୍ୟ ପାଇବା ଲାଗି ୨୦୧୮ରେ ‘ସାଧାରଣ ବଣ୍ଟନ ପ୍ରଣାଳୀର ସମନ୍ୱିତ ପରିଚାଳନା’ ( ଆଇଏମପିଡିଏସ ) ବ୍ୟବସ୍ଥା ଆରମ୍ଭ କରାଯାଇଥିଲା।
![Rukhsana Khatoon and her eldest children Kapil and Chandni in their rented room in Shadipur Main Bazaar area of West Delhi.](/media/images/02a-Image-1-ST-One_nation_one_ration_card_.max-1400x1120.jpg)
![](/media/images/02b-Image-9-ST-One_nation_one_ration_card_.max-1400x1120.jpg)
ବାମ : ରୁକ୍ସାନା ଖାତୁନ ଏବଂ ତାଙ୍କ ବଡ଼ ପୁଅ କପିଲ ଓ ଝିଅ ଚାନ୍ଦନୀ ପଶ୍ଚିମ ଦିଲ୍ଲୀର ଶାଦୀପୁର ମୁଖ୍ୟ ବଜାର ଅଞ୍ଚଳରେ ଥିବା ସେମାନଙ୍କ ଭଡ଼ା ଘରେ ଅଛନ୍ତି । ରୁକ୍ସାନା ତାଙ୍କର ସବୁଠୁ ସାନ ଝିଅ ଆସିୟା , ଅନ୍ୟପଟେ ତାଙ୍କର ତିନି ବର୍ଷର ଝିଅ ଜାମଜାମ ଫୋନରେ ଖେଳୁଛନ୍ତି
ଦିଲ୍ଲୀର ଜଣେ ଘରୋଇ ସହାୟିକା ରୁକ୍ସାନା କିପରି ବ୍ୟତିବ୍ୟସ୍ତ ହୋଇ ଏକ ରାସନ କାର୍ଡ ପାଇବା ପାଇଁ ଚେଷ୍ଟା କରୁଛନ୍ତି ଏବଂ କୋଭିଡ-୧୯ କାରଣରୁ ତାଙ୍କ ପରିବାରର ଆର୍ଥିକ ସ୍ଥିତି କିଭଳି ଦୁର୍ବଳ ହୋଇଯାଇଛି ସେ ସମ୍ପର୍କରେ ଅକ୍ଟୋବର ୨୦୨୦ରେ ପରୀ ଏକ ରିପୋର୍ଟ ପ୍ରକାଶ କରିଥିଲା। ମାଗଣା ଖାଦ୍ୟ ପାଇବା ଲାଗି ସେ କିପରି ଅନେକ ସମୟ ଧରି ଧାଡ଼ିରେ ଛିଡ଼ା ହୋଇ ରହୁଥିଲେ, ଏବଂ ଶେଷରେ କୌଣସି କାମ ଓ ପିଡିଏସ ଯୋଜନାରେ ଖାଦ୍ୟଶସ୍ୟ ନପାଇବାରୁ ନିଜ ପିଲାମାନଙ୍କ ସହ ସେ ଦରଭଙ୍ଗା ଫେରି ଆସିଥିଲେ ସେ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।
ପରୀରେ ତାଙ୍କର ଅସୁବିଧା ସମ୍ପର୍କରେ ଖବର ପ୍ରକାଶ ପାଇବାର କିଛି ସପ୍ତାହ ପରେ ବିହାର ସରକାରଙ୍କ ଅଧିକାରୀମାନେ ରୁକ୍ସାନାଙ୍କ ଘରକୁ ଯାଇଥିଲେ, ତାଙ୍କ ପରିବାରର ଆଧାର କାର୍ଡ ଯାଞ୍ଚ କରିଥିଲେ ଓ ପରେ ତାଙ୍କୁ ଏକ ରାସନ କାର୍ଡ ଯୋଗାଇ ଦିଆଯାଇଥିଲା।
ସେ କୁହନ୍ତି, ‘‘ବିହାରରେ କେବେ ବୁଢ଼ା ଆଙ୍ଗୁଠି ଛାପ (ଟିପ ଚିହ୍ନ ସ୍କାନର ଲାଗିଥିବା ଇପିଓଏସ ମେସିନ ଉପରେ) ଦେଇ ଆମେ ରାସନ ପାଇପାରୁଥିଲୁ। ସେ ଯାଇ ନ ପାରିବା କାରଣରୁ ତାଙ୍କର ୧୧ ବର୍ଷର ପୁଅ କିମ୍ବା ୧୩ ବର୍ଷର ଝିଅ ଯାଇ ଘରକୁ ଖାଦ୍ୟସାମଗ୍ରୀ ନେଇ ଆସୁଥିଲେ। ‘‘ ଯବ୍ ସବ୍ ଅନଲାଇନ୍ ହୁଆ ହୈ, ଫିର କ୍ୟୁଁ ନହିଁ ଆ ରହା ୟାହାଁ [ବର୍ତ୍ତମାନ ଯଦି ସବୁ ଅନଲାଇନ୍ ହୋଇଯାଇଛି, ତା’ହେଲେ ଏଠି (ଦିଲ୍ଲୀରେ) କାହିଁକି ମିଳୁନାହିଁ]?’’
ରୁକ୍ସାନା (୩୧), ତାଙ୍କ ସ୍ୱାମୀ ମହମ୍ମଦ ୱକିଲ (୩୫) ଏବଂ ତାଙ୍କର ପାଞ୍ଚ ଜଣ ପିଲା ଅଗଷ୍ଟ ୨୫, ୨୦୨୧ରେ ଟ୍ରେନ୍ ଯୋଗେ ଦିଲ୍ଲୀ ଫେରି ଆସିଥିଲେ। ପଶ୍ଚିମ ଦିଲ୍ଲୀ ପଟେଲ ନଗରରେ ଥିବା ଚାରିଟି ଘରେ ରୁକ୍ସାନା ପୁଣିଥରେ ଘରୋଇ ସହାୟିକା କାମ ଆରମ୍ଭ କରିଥିଲେ, ଏଥିରୁ ମାସିକ ତାଙ୍କୁ ୬,୦୦୦ ଟଙ୍କା ମିଳିଲା। ନଭେମ୍ବର ୨୦୨୦ରେ ବିହାର ଫେରିଯିବା ପୂର୍ବରୁ ୱକିଲଙ୍କୁ ତାଙ୍କର ଟେଲର ଦୋକାନ ବନ୍ଦ କରିବାକୁ ପଡ଼ିଥିଲା, ଶେଷରେ ମାର୍ଚ୍ଚ ୨୦୨୨ରେ ଉତ୍ତର ପୂର୍ବ ଦିଲ୍ଲୀର ଗାନ୍ଧୀ ନଗର ବଜାରରେ ତାଙ୍କୁ ଟେଲର ଭାବେ ନିୟମିତ କାମ ମିଳିଥିଲା, ଦରମା ଥିଲା ମାସିକ ୮,୦୦୦ ଟଙ୍କା।
ମାର୍ଚ୍ଚ ୨୦୨୦ରେ କୋଭିଡ-୧୯ ଲକଡାଉନ ପୂର୍ବରୁ, ସ୍ୱାମୀ-ସ୍ତ୍ରୀ ଦୁହେଁ ମିଶି ମାସିକ ୨୭,୦୦୦ ଟଙ୍କା ରୋଜଗାର କରୁଥିଲେ।
![Rukhasana’s husband, Mohammed Wakil, and their children outside their rented room.](/media/images/03a-Image-12-ST-One_nation_one_ration_card.max-1400x1120.jpg)
![He works in the same room, tailoring clothes on his sewing machine](/media/images/03b-Image-14-ST-One_nation_one_ration_card.max-1400x1120.jpg)
ବାମ : ରୁକ୍ସାନାଙ୍କ ସ୍ୱାମୀ , ମହମ୍ମଦ ୱକିଲ ଏବଂ ତାଙ୍କ ପିଲାମାନେ ଭଡ଼ା ଘର ବାହାରେ ଅଛନ୍ତି । ଡାହାଣ: ସେ ସେହି କୋଠରୀରୁ ହିଁ ନିଜ ସିଲେଇ ମେସିନ ସହାୟତାରେ ପୋଷାକ ସିଲେଇ କରିଥାନ୍ତି
ସେପ୍ଟେମ୍ବର ୨୦୨୧ ପରଠାରୁ ରୁକ୍ସାନା କେତେଥର ସରକାରୀ ରାସନ କେନ୍ଦ୍ରକୁ ଯାଇଛନ୍ତି ତାହାର ହିସାବ ନାହିଁ।
ସେ କୁହନ୍ତି, ‘‘ଏଠାକାର ଡିଲର ମୋତେ କହୁଛନ୍ତି ଯେ, ମୋର ରାସନ କାର୍ଡ ବିହାରରୁ ବନ୍ଦ ହୋଇଯାଇଛି, ଏବଂ ବିହାରକୁ ଯାଇ ମୋ ରାସନ କାର୍ଡ ସହ ଯୋଡ଼ି ହୋଇଥିବା ଆମର ସବୁ ଆଧାର କାର୍ଡ ଆଣିବା ଲାଗି କହୁଛନ୍ତି’’। ‘‘ମୋ ଶ୍ୱଶୂର ବେଣୀପୁରରେ ଥିବା ରାସନ କାର୍ଯ୍ୟାଳୟକୁ ଯାଇଥିଲେ, କିନ୍ତୁ ସେଠାରେ ତାଙ୍କୁ କୁହାଯାଇଥିଲା ଯେ ଦିଲ୍ଲୀରେ ଥିବା ରାସନ କାର୍ଯ୍ୟାଳୟରେ ଆମର ସବୁ ରାସନ କାର୍ଡ ଦାଖଲ କରିବାକୁ ହେବ। ଆମେ ବିହାରକୁ ଗଲେ, ସେମାନେ ଆମକୁ ଦିଲ୍ଲୀରେ ବୁଝିବାକୁ କହୁଛନ୍ତି। ଦିଲ୍ଲୀରେ ପଚାରିଲେ ସେମାନେ ବିହାରକୁ ଯାଇ ପଚାରିବାକୁ କହୁଛନ୍ତି।’’
*****
ରୁକ୍ସାନା ତାଙ୍କ ଗାଁ ମୋହନ ବାହେରାରେ ରହିବାକୁ ପସନ୍ଦ କରିଥାନ୍ତି। ୨୦୦୯ରେ ଏହି ଗାଁ ଅନ୍ୟ ୨୩ଟି ଗାଁ ସହିତ ବେଣୀପୁର ନଗର ପରିଷଦରେ ମିଶିଯାଇଥିଲା। ‘‘ଆମ ଗାଁରେ ମୋତେ ଟିକେ ବିଶ୍ରାମ ମିଳିଥାଏ। ମୋତେ କେବଳ ରୋଷେଇ, ଖାଇବା ଏବଂ ପିଲାମାନଙ୍କ କଥା ବୁଝିବା କାମ କରିବାକୁ ହୋଇଥାଏ।’’ ଦିଲ୍ଲୀରେ, ତରବର ହୋଇ ମାଲିକଙ୍କ ଘରେ କାମ ସାରିବା ପରେ ନିଜ ଘରେ କାମ କରିବା ଲାଗି ଫେରିବାକୁ ହୁଏ।
ଶାଦୀପୁର ମୁଖ୍ୟ ବଜାରରେ ଥିବା ଆବାସିକ କ୍ୱାର୍ଟର୍ସଗୁଡ଼ିକ ଛୋଟ ଛୋଟ ଘର ଥିବା ଅଟ୍ଟାଳିକାକୁ ନେଇ ଗଠିତ ଯାହାସବୁ ମୁଖ୍ୟ ବଜାର ରାସ୍ତାକୁ ଲାଗି ରହିଛି। ସେପ୍ଟେମ୍ବର ୨୦୨୧ ଠାରୁ ଏଇଠି ମାସିକ ୫,୦୦୦ ଟଙ୍କା ଭଡ଼ାରେ ବଖୁରିକିଆ ଘରଟିଏ ନେଇ ରୁକ୍ସାନା ରହିଆସୁଛନ୍ତି। କୋଠରୀଟି ଜିନିଷପତ୍ରରେ ଭର୍ତ୍ତି ହୋଇ ରହିଛି। ଗୋଟିଏ କଡ଼ରେ ଏକ ରୋଷେଇ ଘର ଥାକ ଅଛି, ଏହାର ବିପରୀତ ପାର୍ଶ୍ୱରେ ଜଣିକିଆ ଖଟଟିଏ ପଡ଼ିଛି। ମଝିରେ ୱକିଲଙ୍କର ସିଲେଇ ମେସିନ ଏବଂ କପଡ଼ା ମାପିବା ଲାଗି ବଡ଼ ଟେବୁଲ ମଝିରେ ରଖାଯାଇଛି। ପ୍ରବେଶ ପଥର ଡାହାଣ ପଟ କୋଣକୁ ଲାଗି ସଙ୍କୀର୍ଣ୍ଣ ଶୌଚାଳୟଟିଏ ଅଛି।
ରୁକ୍ସାନା ଓ ତାଙ୍କର ତିନି ସାନ ଝିଅ- ନାଜମିଁ (୯) ଓ ଜାମଜାମ (୩) ଏବଂ ବର୍ଷକର ଆସିୟା ଆଇରନ ଖଟ ଉପରେ ଶୋଇଥାନ୍ତି। ୱକିଲ, କପିଲ (୧୧) ଏବଂ ବଡ଼ ଝିଅ ଚାନ୍ଦନୀ (୧୩) ଚଟାଣରେ ତୁଳା ଗଦି ପକାଇ ଶୋଇଥାନ୍ତି।
ୱକିଲ କୁହନ୍ତି, ‘‘ମୁଁ ଥଟ୍ଟା କରୁନାହିଁ, କିନ୍ତୁ ଗାଁରେ ଲୋକମାନେ ତାଙ୍କ ପଶୁମାନଙ୍କୁ ଏଭଳି କୋଠରୀରେ ରଖିଥାନ୍ତି। ସେମାନେ ଏହାଠାରୁ ଭଲ ଘରେ ନିଜର ଗୃହପାଳିତ ପ୍ରାଣୀଙ୍କୁ ରଖିଥାନ୍ତି’’। ‘‘ଏଠି, ଲୋକମାନେ ହିଁ ପଶୁ ପାଲଟି ଯାଇଛନ୍ତି।’’
![](/media/images/04a-Image-6-ST-One_nation_one_ration_card_.max-1400x1120.jpg)
![](/media/images/04b-Image-8-ST-One_nation_one_ration_card_.max-1400x1120.jpg)
ସେପ୍ଟେମ୍ବର ୨୦୨୧ ଠାରୁ ଏଇଠି ଗୋଟିଏ ଛୋଟିଆ, ଜିନିଷପତ୍ର ଭର୍ତ୍ତି ଘରେ ମାସିକ ୫,୦୦୦ ଟଙ୍କା ଭଡ଼ାରେ ନେଇ ପରିବାରର ସମସ୍ତେ ରହି ଆସୁଛନ୍ତି
ଏନଏଫଏସଏ ଅଧୀନରେ, ଭାରତର ୭୫ ପ୍ରତିଶତ ଗ୍ରାମୀଣ ଏବଂ ୫୦ ପ୍ରତିଶତ ସହରାଞ୍ଚଳ ଜନସାଧାରଣ ସବସିଡି ଦରରେ ଖାଦ୍ୟଶସ୍ୟ କିଣିବା ପାଇଁ ଯୋଗ୍ୟ ହୋଇପାରିଛନ୍ତି। ସରକାରୀ ମାନ୍ୟତା ପ୍ରାପ୍ତ ରାସନ କେନ୍ଦ୍ରରୁ କିଲୋ ପ୍ରତି ୩ଟଙ୍କା ଚାଉଳ, ୨ ଟଙ୍କାରେ ଗହମ ଏବଂ ୧ ଟଙ୍କାରେ ମୋଟା ଶସ୍ୟ (ବାଜରା) ମିଳିଥାଏ। ‘ପ୍ରାଥମିକତା ପରିବାର’କୁ ରାସନ କାର୍ଡରେ ନାଁ ଥିବା ପ୍ରତି ସଦସ୍ୟଙ୍କ ମୁଣ୍ଡ ପିଛା ୫ କିଗ୍ରା ଲେଖାଏଁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଥାଏ। ଅନ୍ୟପକ୍ଷରେ ସବୁଠୁ ଦୁର୍ବଳ ବା ‘‘ଦରିଦ୍ରରୁ ଦରିଦ୍ରତମ’’ ପରିବାରକୁ ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏୱାଇ) ଅଧୀନରେ ପ୍ରତି ମାସରେ ୩୫ କିଲୋଗ୍ରାମ ଲେଖାଏଁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଥାଏ।
ରୁକ୍ସାନାଙ୍କ ପରିବାରର ୬ ଜଣ ସଦସ୍ୟଙ୍କ ନାମ ତାଙ୍କର ‘ପ୍ରାଥମିକତା ପରିବାର’ କାର୍ଡରେ ପଞ୍ଜିକୃତ ହୋଇଛି। ସମସ୍ତଙ୍କୁ ମାସିକ ୩ କିଗ୍ରା ଚାଉଳ ଏବଂ ୨ କିଗ୍ରା ଗହମ ମିଳିବାର ନିୟମ ରହିଛି।
ବିଭିନ୍ନ ଉପଭୋଗ ଏବଂ ଆୟ ମାପଦଣ୍ଡକୁ ବ୍ୟବହାର କରି ରାଜ୍ୟ ସରକାରମାନେ ଏସବୁ ବର୍ଗ ପାଇଁ ଯୋଗ୍ୟତା ନିର୍ଦ୍ଧାରଣ କରିଥାନ୍ତି। ଉଦାହରଣ ସ୍ଵରୁପ, ଦିଲ୍ଲୀରେ ବାର୍ଷିକ ୧ ଲକ୍ଷ ଟଙ୍କାରୁ କମ୍ ରୋଜଗାର କରୁଥିବା ପରିବାର ‘ପ୍ରାଥମିକତା ପରିବାର’ ଏବଂ ଏଏୱାଇ ବର୍ଗରେ ଶ୍ରେଣୀଭୁକ୍ତ ହେବାକୁ ଯୋଗ୍ୟ ହୋଇଥାନ୍ତି। ପ୍ରତ୍ୟେକ ପରିବାରର ସାମାଜିକ, ବୃତ୍ତିଗତ ଏବଂ ଆବାସିକ ଦୁର୍ବଳତା ଆଧାରରେ ପ୍ରଯୁଜ୍ୟ ବର୍ଗଙ୍କୁ ମାନ୍ୟତା ଦିଆଯାଇଥାଏ। ତେବେ, ରୋଜଗାର କ୍ଷେତ୍ରରେ ଯୋଗ୍ୟତା ଥିଲେ ସୁଦ୍ଧା, ବ୍ୟକ୍ତିଗତ ବ୍ୟବହାର ପାଇଁ ଚାରି ଚକିଆ ଯାନ ଥିବା ପରିବାର, କିମ୍ବା ପରିବାରର ଏକ କୋଠା ଘର କିମ୍ବା ରାଜ୍ୟର ନିର୍ଦ୍ଦିଷ୍ଟ ସ୍ଥାନରେ ଜମି ଅଥବା ୨ କିଲୋୱାଟରୁ ଅଧିକ ବିଦ୍ୟୁତ ସଂଯୋଗ ଥିଲେ ଏସବୁ ବର୍ଗଙ୍କୁ ଯୋଜନାରୁ ବାଦ ଦିଆଯିବ। ଆଉ ଏକ ଯୋଜନାରେ ସବସିଡି ଦରରେ ଖାଦ୍ୟଶସ୍ୟ ପାଉଥିବା ପରିବାର କିମ୍ବା ଆୟକର ପ୍ରଦାନକାରୀ ଅଥବା ସରକାରୀ ଚାକିରିଆ ସଦସ୍ୟ ଥିବା ପରିବାର ଏହି ଯୋଜନା ପାଇଁ ଯୋଗ୍ୟ ନୁହନ୍ତି।
ବିହାରରେ ଏକ ସ୍ଵତନ୍ତ୍ର ମାପଦଣ୍ଡ ଅନୁଯାୟୀ, ଯୋଗ୍ୟତାର ବିଚାର କରାଯାଇଥାଏ। ଏଥିପାଇଁ ରାଜ୍ୟରେ ସ୍ଵତନ୍ତ୍ର ମାର୍ଗଦର୍ଶିକା ରହିଛି। ମୋଟର ଗାଡ଼ି (ତିନି ଚକିଆ କିମ୍ବା ଚାରି ଚକିଆ) ଥିବା ପରିବାର, ତିନି କିମ୍ବା ଅଧିକ କୋଠରୀ ବିଶିଷ୍ଟ ପକ୍କା ଘର ଥିବା ପରିବାର, ୨.୫ ଏକର କିମ୍ବା ତା’ଠାରୁ ଅଧିକ ଚାଷ ଉପଯୋଗୀ ଜମି ଥିବା ପରିବାର ଏହି ଯୋଜନାର ଲାଭ ପାଇପାରିବେ ନାହିଁ। ମାସିକ ୧୦,୦୦୦ ଟଙ୍କା ରୋଜଗାର କରୁଥିବା ସଦସ୍ୟ କିମ୍ବା ସରକାରୀ ଚାକିରିଆ ଥିବା ପରିବାର ଯୋଜନାରେ ସାମିଲ ହୋଇପାରିବେ ନାହିଁ।
୨୦୧୯ରେ ସାରା ଦେଶରେ ପରୀକ୍ଷାମୂଳକ ଭିତ୍ତିରେ ଏକ ରାଷ୍ଟ୍ର, ଏକ ରାସନ କାର୍ଡ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା, ମେ ୨୦୨୦ ଠାରୁ ସାରା ଦେଶରେ ଏହି ଯୋଜନା ଲାଗୁ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ରାସନ କାର୍ଡ ଯେଉଁଠି ପଞ୍ଜିକୃତ ହୋଇଥିଲେ ସୁଦ୍ଧା, ଥରେ ଆଧାର କାର୍ଡ ସହ ‘ସଂଯୋଗ’ ହୋଇଗଲେ ହିତାଧିକାରୀଙ୍କୁ ‘ପୋର୍ଟେବଲିଟି’ ସୁବିଧା ମିଳିବ। ଏହି ବ୍ୟବସ୍ଥା ଅନୁଯାୟୀ, ରୁକ୍ସାନାଙ୍କ ଭଳି ସ୍ଥିତିରେ ଥିବା ଯେକୌଣସି ଲୋକ ଦେଶର ଯେକୌଣସି ସ୍ଥାନରେ ଥିବା ପିଡିଏସ କେନ୍ଦ୍ରରୁ ସେମାନଙ୍କ ହକ୍ ବାବଦ ଖାଦ୍ୟଶସ୍ୟ ପାଇପାରିବେ।
ଜୁଲାଇ ୨୦୨୧ରେ ଦିଲ୍ଲୀ ସରକାର ଏହି ଯୋଜନାକୁ ଲାଗୁ କରିଥିଲେ।
*****
![](/media/images/05a-Image-23-ST-One_nation_one_ration_card.max-1400x1120.jpg)
![](/media/images/05b-Image-35-ST-One_nation_one_ration_card.max-1400x1120.jpg)
![](/media/images/05c-Image-34-ST-One_nation_one_ration_card.max-1400x1120.jpg)
ବାମ: ରୁକ୍ସାନା ଙ୍କ ଭଉଣୀ ରୁବୀ ଖାତୁନ । ମଝି: ମେରା ରାସନ ଆପ୍ରେ ଥିବା ରେକର୍ଡ ଦର୍ଶାଉଛି ଯେ ରୁକ୍ସାନା ଙ୍କ ପରିବାରର ଆଧାର ବିବରଣୀ ‘ସିଡେଡ’ ବା ସଂଯୋଗ ହୋଇସାରିଛି । ଡାହାଣ: ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ପାଇଁ ରୁକ୍ସାନା ଙ୍କ ପ୍ରବାସ ସ୍ଥିତି ଅପଡେଟ୍ କରିବା ସମୟରେ ଆସିଥିବା ପପ-ଅପ୍ ମେସେଜ୍
ପ୍ରତିଦିନ ସକାଳ ଆଠଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଏବଂ ପୁଣିଥରେ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରୁକ୍ସାନା ବାସନକୁସନ ଘର ଝାଡ଼ୁ, ପୋଛା ଓ ବାସନ ମାଜିବା କାମ କରିଥାନ୍ତି। ଡିସେମ୍ବର ୧, ୨୦୨୧ରେ, ରୁକ୍ସାନାଙ୍କ ଭଉଣୀ ରୁବୀ ଏବଂ ଏହି ରିପୋର୍ଟର ପଟେଲ ନଗରରେ ଥିବା ଖାଦ୍ୟ ଓ ଯୋଗାଣ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟକୁ ଯାଇଥିଲେ। ରୁକ୍ସାନା କାହିଁକି ଦିଲ୍ଲୀରେ ତାଙ୍କର ରାସନ ପାଇପାରୁନାହାନ୍ତି ସେ ସମ୍ପର୍କରେ ପଚାରିଥିଲେ।
ଆମକୁ ପରାମର୍ଶ ଦିଆଗଲା ଯେ, ‘ମେରା ରାସନ’ ମୋବାଇଲ ଆପ୍ଲିକେସନ ଡାଉନଲୋଡ୍ କରନ୍ତୁ ଏବଂ ସବୁ ପରିବାର ସଦସ୍ୟଙ୍କ ଆଧାର କାର୍ଡ ସିଡ୍ ହୋଇଛି କି ନାହିଁ ଦେଖନ୍ତୁ। ସେଦିନ ସେମାନଙ୍କର କାର୍ଯ୍ୟାଳୟରେ ୱେବ ପୋର୍ଟାଲ ଠିକ୍ ଭାବେ କାମ କରୁନଥିଲା।
ସେଦିନ ଅପରାହ୍ଣରେ, ଆମେ ରୁକ୍ସାନାଙ୍କ ରାସନ କାର୍ଡ ଏବଂ ଆଧାର ବିବରଣୀ ସେହି ଆପ୍ଲିକେସନରେ ଦାଖଲ କରିଥିଲୁ। କେବଳ ବର୍ଷକର ଶିଶୁ ଆସିୟାକୁ ଛାଡ଼ିଦେଲେ, ସବୁ ପରିବାର ସଦସ୍ୟଙ୍କ ଆଧାର କାର୍ଡ ସିଡ୍ ହୋଇଥିବା ଦେଖାଇଥିଲା। କିନ୍ତୁ ଓଏନଓଆରସି ପଞ୍ଜୀକରଣ ପାଇଁ ରୁକ୍ସାନାଙ୍କ ପ୍ରବାସ ସୂଚନା ଦାଖଲ କରିବା ଲାଗି ଚେଷ୍ଟା କରିବାରୁ, ଏକ ପପ୍-ଅପ୍ ମେସେଜ୍ ଦେଖାଇଲା: ‘ଅନେବଲ ଟୁ ପୋଷ୍ଟ ଡାଟା। ପ୍ଲିଜ୍ ଟ୍ରାଏ ଲେଟର’ (ତଥ୍ୟ ଦାଖଲ କରିବା ସମ୍ଭବ ନୁହେଁ। ଦୟାକରି ପରେ ଚେଷ୍ଟା କରନ୍ତୁ)।
ଡିସେମ୍ବର ୭ ତାରିଖରେ ଆଉ ଥରେ ଚେଷ୍ଟା କଲେ ମଧ୍ୟ ସମାନ ପପ୍ – ଅପ୍ ମେସେଜ୍ ମିଳିଥିଲା।
ଶେଷରେ ଜଣେ ପିଡିଏସ ଡିଲର କହିଥିଲେ ଯେ ଆଇଏମପିଡିଏସ ସର୍ଭର ବେଳେ ବେଳେ ଦିଲ୍ଲୀରେ ରହୁଥିବା ପ୍ରବାସୀଙ୍କ ପାଇଁ ସେତିକି ବେଳେ କାମ କରିଥାଏ ଯେତେବେଳେ ଠିକ୍ ସେହି ସମୟରେ ତାଙ୍କର ପୈତୃକ ଗ୍ରାମରେ ପିଡିଏସ୍ ସାମଗ୍ରୀ ବିତରଣ ଆରମ୍ଭ ହୋଇଥାଏ। ଡିଲର୍ ଆହୁରି କହିଥିଲେ ଯେ, ଦିଲ୍ଲୀର ହିତାଧିକାରୀମାନଙ୍କୁ ନଭେମ୍ବର ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ସେମାନଙ୍କର ମାସିକ କୋଟା ମିଳିସାରିଥିଲା। ଅନ୍ୟପଟେ ବିହାରରେ ପରବର୍ତ୍ତୀ ବିତରଣ ପର୍ଯ୍ୟାୟ ଡିସେମ୍ବର ୫ ତାରିଖ ଠାରୁ ଆରମ୍ଭ ହେବ।
ରୁକ୍ସାନା ଡିସେମ୍ବର ୫ ତାରିଖରେ ରାସନ କେନ୍ଦ୍ରରୁ ଖାଲି ହାତରେ ଫେରିଥିଲେ, ତଥାପି ସେ ଆଶା ଛାଡ଼ି ନାହାନ୍ତି। ମେସିନ କିନ୍ତୁ ଦେଖାଇଥିଲା: ‘ରାସନ କାର୍ଡ ନଟ୍ ଫାଉଣ୍ଡ୍ ଇନ୍ ଆଇଏମପିଡିଏସ’ (ଆଇଏମପିଡିଏସରେ ରାସନ କାର୍ଡର ସୂଚନା ନାହିଁ)
ସେପ୍ଟେମ୍ବର ୨୦୨୧ ପରଠାରୁ, ରୁକ୍ସାନା ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରିବା ଲାଗି ନିଜ ନିଜ ମାଲିକମାନଙ୍କ ଉପରେ ନିର୍ଭର କରି ଆସୁଛନ୍ତି। ‘‘ଜଣେ ମୋତେ କିଛି କଞ୍ଚା ପରିବା ଦିଅନ୍ତି। ବେଳେବେଳେ ଆଉ ଜଣେ ମାଲିକ ରାସନ କେନ୍ଦ୍ରରୁ ନିଜ ପାଇଁ ଆଣିଥିବା ଖାଦ୍ୟସାମଗ୍ରୀର କିଛି ଭାଗ ଦେଇଥାନ୍ତି।’’
![](/media/images/06a-Image-25-ST-One_nation_one_ration_card.max-1400x1120.jpg)
![](/media/images/06b-Image-28-ST-One_nation_one_ration_card.max-1400x1120.jpg)
ବାମ: ଶାଦୀପୁର ମୁଖ୍ୟ ବଜାରରେ ଥିବା ସରକାରୀ ରାସନ କେନ୍ଦ୍ରରେ ରୁକ୍ସାନା ଖାତୁନ । କେତେ ଥର ସେ ଏହି କେନ୍ଦ୍ରକୁ ଆସିଲେଣି ତା’ର ହିସାବ ନାହିଁ । ଡାହାଣ: ରୁକ୍ସାନା ଙ୍କ ଆଧାର ନମ୍ବର ଦେବା ପରେ ଇପିଓଏସ ମେସିନରେ ଦେଖାଉଥିବା ମେସେଜକୁ ଦେଖାଉଛନ୍ତି ସେହି ରାସନ କେନ୍ଦ୍ରର ଡିଲର ଭାରତ ଭୂଷଣ
‘‘କବ ସେ କୋଶିଷ୍ କର ରହି ହୁଁ (ଅନେକ ଦିନ ହେଲାଣି ଚେଷ୍ଟା କରି ଆସୁଛି)’’ , ରୁକ୍ସାନା କୁହନ୍ତି। ତାଙ୍କ କଥାବାର୍ତ୍ତାରେ ନିରାଶାର ଝଲକ ସ୍ପଷ୍ଟ ବାରି ହୋଇପଡ଼ୁଥାଏ। ବିହାରରୁ ଦିଲ୍ଲୀକୁ ଫେରି ଆସିଥିବା ଅନ୍ୟମାନେ ଅଗଷ୍ଟରୁ ଡିସେମ୍ବର ୨୦୨୧ ମଧ୍ୟରେ ସେମାନଙ୍କ କୋଟା ଅତିକମ୍ରେ ତିନି ଥର ସଂଗ୍ରହ କରି ସାରିଲେଣି।
ଡିସେମ୍ବର ୨୦୨୦ ଠାରୁ ଦିଲ୍ଲୀର ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବଦଳରେ ମିଳୁଥିବା ଶୁଖିଲା ରାସନ ସାମଗ୍ରୀ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ତାଙ୍କର ଦୁଇ ବଡ଼ ପୁଅ ଏବଂ ଝିଅ କପିଲ ଓ ଚାନ୍ଦନୀ, ପଟେଲ ନଗରରେ ଥିବା ସରକାରୀ ବିଦ୍ୟାଳୟରେ ପଢ଼ିଥାନ୍ତି। ପ୍ରତ୍ୟେକ ପିଲାଙ୍କୁ ୧୦ କିଲୋଗ୍ରାମ ଚାଉଳ, ୨ କିଲୋଗ୍ରାମ ଡାଲି ଓ ଏକ ଲିଟର ରିଫାଇନ ତେଲ ମିଳୁଥିଲା। କିନ୍ତୁ ମାର୍ଚ୍ଚ ୨୦୨୨ରେ ମଧ୍ୟାହ୍ନ ଭୋଜନ ଆରମ୍ଭ ହେବା ପରଠାରୁ ରାସନ କିଟ୍ ମିଳୁନଥିବା ରୁକ୍ସାନା କହିଥିଲେ।
*****
ଦିଲ୍ଲୀ ସରକାରଙ୍କ ଓଏନଓଆରସି ହେଲ୍ପଲାଇନ ନମ୍ବରକୁ କଲ୍ କରିବା ଲାଗି ଅନେକ ଥର ଚେଷ୍ଟା କରିଥିଲେ ସୁଦ୍ଧା କିଛି ଲାଭ ମିଳିନଥିଲା। ସବୁବେଳେ ନେଟୱର୍କ ‘ବ୍ୟସ୍ତ’ ରହୁଥିବା ଦର୍ଶାଇଥିଲା।
ଦରଭଙ୍ଗା ବେଣୀପୁରରେ ୧୯୯୧ ମସିହାଠାରୁ ସରକାରୀ ରାସନ କେନ୍ଦ୍ର ଚଳାଇ ଆସୁଥିବା ରାସନ ଡିଲର ପରୱେଜ୍ ଆଲମ ଫୋନ୍ରେ କହିଥିଲେ ଯେ, ଖାଲି ରୁକ୍ସାନାଙ୍କ କ୍ଷେତ୍ରରେ ଏପରି ଘଟିନାହିଁ। ‘‘ଦିଲ୍ଲୀ ଯାଇଥିବା ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ସେଠାରେ ରାସନ ପାଇପାରୁନଥିବା ମୋତେ ଫୋନ୍ କରି କହୁଛନ୍ତି’’, ଆଲମ କହିଥିଲେ।
ଦରଭଙ୍ଗାରେ ଥିବା ଜିଲ୍ଲା ଯୋଗାଣ ଅଧିକାରୀ (ଡିଏସଓ) ଅଜୟ କୁମାର ଫୋନ୍ରେ କହିଥିଲେ ଯେ ତାଙ୍କ କାର୍ଯ୍ୟାଳୟରେ ସବୁକିଛି ସ୍ୱାଭାବିକ ଭାବେ ଚାଲିଛି। ‘‘ଦିଲ୍ଲୀରେ ଥିବା ଅଧିକାରୀମାନେ ଆପଣଙ୍କୁ ପ୍ରକୃତରେ ଠିକ୍ କଥା କହିପାରିବେ। ଅନ୍ୟ କୌଣସି ରାଜ୍ୟରୁ (ଦିଲ୍ଲୀକୁ ଛାଡ଼ି ଦେଲେ) ଏମିତି କିଛି ସମସ୍ୟା ଆସୁନାହିଁ’’, ସେ କହିଥିଲେ।
ଦିଲ୍ଲୀ ଖାଦ୍ୟ ଓ ଯୋଗାଣ ବିଭାଗ ଅତିରିକ୍ତ ଆୟୁକ୍ତ କୁଲଦୀପ ସିଂ କହିଥିଲେ ଯେ, ଡିସେମ୍ବର ମାସରେ ବିହାରରୁ ଆସିଥିବା ୪୩,୦୦୦ରୁ ଅଧିକ ପ୍ରବାସୀଙ୍କୁ ରାସନ ମିଳିସାରିଛି। ‘‘ଏକ ନିର୍ଦ୍ଦିଷ୍ଟ ମାମଲାରେ ଏପରି ହୋଇଥାଇପାରେ। ବିହାରରେ ହିତାଧିକାରୀଙ୍କ ନାମ କଟି ଯାଇଥିବାର ଆଶଙ୍କା ରହିଛି’’, ସେ କହିଥିଲେ।
![](/media/images/07-Image-32-ST-One_nation_one_ration_card_st.max-700x560.jpg)
ବିହାରର ଦରଭଙ୍ଗା ଜିଲ୍ଲାରୁ ଆସିଥିବା ରୁକ୍ସାନା ଓ ୱକିଲ ଦିଲ୍ଲୀରେ କାମ ପାଇଯାଇଛନ୍ତି
ମେ ୨୦୨୦ ଠାରୁ ସାରା ଦେଶରେ ଏକ ରାଷ୍ଟ୍ର, ଏକ ରାସନ କାର୍ଡ ଯୋଜନା ଲାଗୁ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ରାସନ କାର୍ଡ ଯେଉଁଠି ପଞ୍ଜିକୃତ ହୋଇଥିଲେ ସୁଦ୍ଧା, ଥରେ ଆଧାର କାର୍ଡ ସହ ‘ସଂଯୋଗ’ ହୋଇଗଲେ ହିତାଧିକାରୀଙ୍କୁ ‘ପୋର୍ଟେବଲିଟି’ ସୁବିଧା ମିଳିବ
ଫେବୃଆରୀ ୨୪, ୨୦୨୨ରେ ରୁକ୍ସାନା ଓ ତାଙ୍କ ପରିବାର ଏକ ଘରୋଇ ବିବାହ ସମାରୋହରେ ଯୋଗ ଦେବା ଲାଗି ଦରଭଙ୍ଗା ଯାଇଥିଲେ। ଫେବୃଆରୀ ୨୬ ତାରିଖରେ, ଅର୍ଥାତ୍ ସେମାନେ ପହଞ୍ଚିବା ପରଦିନ ମୋହନ ବାହେରାରେ ଥିବା ସରକାରୀ ରାସନ କେନ୍ଦ୍ରକୁ ରୁକ୍ସାନା ତାଙ୍କ ଝିଅକୁ ପଠାଇଥିଲେ।
ପରିବାର ଲୋକମାନେ ସେଠାରେ ସେହି ମାସରେ ସେମାନଙ୍କର ରାସନ ପାଇବାରେ ସକ୍ଷମ ହୋଇଥିଲେ। ତେବେ ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ଯିବା ପୂର୍ବରୁ, ରୁକ୍ସାନା ଯେତେବେଳେ ରାସନ ସଂଗ୍ରହ କରିବାକୁ ଗଲେ, ଗାଁରେ ଥିବା ଡିଲର ତାଙ୍କୁ କହିଲେ ଯେ ରାସନ କାର୍ଡ ବାତିଲ ହୋଇଯାଇଛି। ‘‘ ଉପର ସେ ବନ୍ଦ ହୋ ଗୟା ହୈ (ଉପରିସ୍ଥ ସ୍ତରରେ ବନ୍ଦ କରିଦିଆଯାଇଛି)’’, ସେ ତାଙ୍କୁ କହିଥିଲେ।
‘‘ଗତ ମାସରେ କାମ କରୁଥିଲା। ଏହା ବାତିଲ କିପରି ହୋଇଗଲା?’’ ରୁକ୍ସାନା ଡିଲରଙ୍କୁ ପଚାରିଥିଲେ।
ପୁଣିଥରେ, ଡିଲର ତାଙ୍କୁ ପରାମର୍ଶ ଦେଲେ ଯେ, ପରିବାରର ସବୁ ସଦସ୍ୟଙ୍କ ଆଧାର କାର୍ଡ ନେଇ ସେ ବେଣୀପୁରରେ ଥିବା ବ୍ଲକ୍ ରାସନ କାର୍ଯ୍ୟାଳୟକୁ ଯାଆନ୍ତୁ। ଦିଲ୍ଲୀରେ ଥିବା କାର୍ଯ୍ୟାଳୟକୁ ମଧ୍ୟ ସମସ୍ତଙ୍କ ଆଧାର କାର୍ଡ ନେଇ ଯାଆନ୍ତୁ ବୋଲି ମଧ୍ୟ ଡିଲର କହିଥିଲେ।
ଡିଏସଓ ଅଜୟ କୁମାର କହିଥିଲେ ଯେ, ଏକ ରାସନ କାର୍ଡ ଏପରି ଢଙ୍ଗରେ ବାତିଲ କରାଯାଇ ପାରିବ ନାହିଁ। ତେବେ ସେ ପରାମର୍ଶ ଦେଇଥିଲେ ଯେ, ଏପରି ପରିସ୍ଥିତିରେ ରୁକ୍ସାନା ଏବଂ ତାଙ୍କ ପରିବାର ଏକ ନୂଆ ରାସନ କାର୍ଡ ପାଇଁ ଆବେଦନ କରିବା ଉଚିତ୍।
ଏପଟେ ଦିଲ୍ଲୀରେ, ରୁକ୍ସାନା କହିଥିଲେ ଯେ ତାଙ୍କ ପରିସ୍ଥିତିରେ ନିକଟ ଭବିଷ୍ୟତରେ କୌଣସି ସୁଧାର ଆସିବାର ସମ୍ଭାବନା ନାହିଁ ବୋଲି ଜାଣି ସେ ନିରାଶ ହୋଇପଡ଼ିଛନ୍ତି। ‘‘ ରାସନ ତୋ ମେରା ବନ୍ଦ ହି ହୋ ଗୟା ହୈ (ମୁଁ ଆଉ ମୋ ରାସନ ପାଉନାହିଁ)’’।
ଅନୁବାଦ: ଓଡ଼ିଶାଲାଇଭ୍