‘‘ଦେଖନ୍ତୁ ! ଆମ ମୋଟର କିଭଳି ମାଟି ତଳେ ପୋତି ହୋଇ ରହିଛି,’’ ଦେବେନ୍ଦ୍ର ରାୱତ କିଛିମାତ୍ରାରେ ବନ୍ୟାଜଳରେ ବୁଡି ରହିଥିବା ତାଙ୍କର ପମ୍ପସେଟ ଖୋଳି ବାହାର କରିବା ପାଇଁ ଚେଷ୍ଟା କରିବାବେଳେ କହିଲେ। ଦେବେନ୍ଦ୍ର ହେଉଛନ୍ତି ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲା ଶୁଣ୍ଡ ଗ୍ରାମର ଜଣେ ଚାଷୀ। ‘‘ବନ୍ୟା ଆମ ଜମିକୁ ନଷ୍ଟ କରିଦେଇଛି ଓ ମୋର ତିନିଟି ପମ୍ପସେଟ ଜମିରେ ଆଂଶିକ ଭାବେ  ପୋତି ହୋଇଯାଇଥିଲା। ଏପରିକି ଗୋଟିଏ କୂଅ ମଧ୍ୟ ଧସି ଯାଇଛି। ଏବେ ମୁଁ କଣ କରିବି?’’ ବୋଲି ୪୮ ବର୍ଷୀୟ ଏହି ଚାଷୀ ପ୍ରଶ୍ନ କରୁଛନ୍ତି।

ନରୱର ତହସିଲ ଅନ୍ତର୍ଗତ ଶୁଣ୍ଡ ଗ୍ରାମଟି ସିନ୍ଧୁନଦୀର ଦୁଇଧାର ମଝିରେ ଅବସ୍ଥିତ। ୨୦୧୧ ମସିହା ଅଗଷ୍ଟ ମାସରେ ଯେତେବେଳେ ଏହି ନଦୀରେ ବନ୍ୟା ଆସିଥିଲା, ଏହାଦ୍ୱାରା ୬୩୫ ଜନସଂଖ୍ୟା ବିଶିଷ୍ଟ(୨୦୧୧ ଜନଗଣନା) ଏହି ଗ୍ରାମରେ ବଡ ଧରଣର କ୍ଷୟକ୍ଷତି ହୋଇଥିଲା। ଦେବେନ୍ଦ୍ର ଯିଏ ଶେଷ ଥର କେବେ ଏଭଳି ବନ୍ୟା ଆସିଥିଲା, ସେହି କଥା ମନେ ପକାଇପାରୁ ନାହାନ୍ତି କୁହନ୍ତି ଯେ, ‘‘ବନ୍ୟାଜଳରେ ଆମର ୩୦ ବିଘା (ପ୍ରାୟ ୧୮ ଏକର) ଜମିରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ବନ୍ୟା ଜନିତ କ୍ଷୟୀକରଣ କାରଣରୁ ମୋ ପରିବାରକୁ  ୬ ବିଘା (ପ୍ରାୟ ୩.୭ ଏକର) ଜମି ଚିର ଦିନ ପାଇଁ ହରାଇବାକୁ ପଡିଲା।’’

କାଳି ପାହାଡ଼ି ଅନ୍ତର୍ଗତ ଏହି ଗ୍ରାମଟି ସମ୍ପୂର୍ଣ୍ଣ ଭାବେ ବନ୍ୟାଜଳ ଘେରରେ ରହିଥିବାରୁ ଏକ ଦ୍ୱୀପ ଭଳି ଦେଖାଯାଉଛି। ବର୍ତ୍ତମାନ ମଧ୍ୟ ଅଧିକ ବର୍ଷା ହେବା ସ୍ଥିତିରେ  ଏପାରିରୁ ସେପାରିକୁ ଯାଉଥିବା ଗ୍ରାମବାସୀମାନେ କାଦୁଅ ପାଣିରେ କଷ୍ଟରେ ଚାଲିକି ଯିବା ପାଇଁ କିମ୍ବା ପହଁରିକି ଯିବା ପାଇଁ ବାଧ୍ୟ ହେଉଛନ୍ତି।

ଦେବନ୍ଦ୍ରଙ୍କ ଅହିବା ଅନୁସାରେ ‘‘ବନ୍ୟା ସମୟରେ, ଗ୍ରାମଟି ତିନିଦିନ ଧରି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥିଲା’’। ସରକାରୀ ଡଙ୍ଗାରେ ଲୋକଙ୍କୁ ସେଠାରୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ନିକଟସ୍ଥ ବଜାରରେ ଥିବା କ୍ୟାମ୍ପରେ ଥଇଥାନ କରାଯାଇଥିବା ବେଳେ ଅନ୍ୟ କିଛି ଲୋକ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ରହିଥିଲେ। ଗ୍ରାମର ୧୦-୧୨ଜଣ ବାହାରକୁ ନ ଯାଇ ଗ୍ରାମରେ ହିଁ ରହିବାକୁ ଚାହିଁଥିଲେ। ସେପଟେ ବନ୍ୟା କାରଣରୁ ବଜୁଳି ମଧ୍ୟ କଟିଯାଇଥିଲା। ବିଦ୍ୟୁତ ସରବରାହ ସ୍ୱାଭାବିକ ହେବା ପାଇଁ ମାସେ କାଳ ସମୟ ଲାଗିଯାଇଥିବା କହିଥିଲେ ଦେବେନ୍ଦ୍ର।

PHOTO • Rahul

ଶୁଣ୍ଡ ଗ୍ରାମର ଦେବେନ୍ଦ୍ର ରାୱତ, ୨୦୨୧ ମସିହା ବନ୍ୟାରେ ତାଙ୍କ ଜମିରେ ପୋତି ହୋଇଯାଇଥିବା ପମ୍ପକୁ ଖୋଲି ବାହାର କରୁଛନ୍ତି

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ୨୦୨୧ ମସିହା ମେ ମାସ ୧୪ ତାରିଖରୁ ଜୁଲାଇ ୨୧ ତାରିଖ ମଧ୍ୟରେ ମଧ୍ୟପ୍ରଦେଶରେ ସ୍ୱାଭାବିକ ଠାରୁ ୨୦ରୁ ୫୯ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଥିଲା।

ତେବେ ସପ୍ତାହକ ପରେ, ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ସ୍ୱାଭାବିକଠାରୁ ୬୦ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଥିଲା। ସିନ୍ଧୁନଦୀରେ ଅବସ୍ଥିତ ଦୁଇ ବଡ଼ ଡ୍ୟାମ – ମାରିଖେରାସ୍ଥିତ ଅଟଳ ସାଗର ଡ୍ୟାମ ଓ ନରୱରସ୍ଥିତ ମୋହିନୀ ଡ୍ୟାମକୁ କ୍ଷୀପ୍ର ଗତିରେ ଜଳ ପ୍ରବେଶ କରିବାକୁ ଲାଗିଲା। ଅଧିକାରୀମାନେ ଡ୍ୟାମର ଗେଟ୍‌ଗୁଡ଼ିକ ଖୋଲିଦେବା ଫଳରେ ଶୁଣ୍ଡରେ ବନ୍ୟା ଜଳ ପଶିଗଲା। ‘‘ଏଭଳି ପରିସ୍ଥିତିରେ ଏକାଧିକ ଫ୍ଲଡ୍‌-ଗେଟ ଖୋଲିବା ଛଡ଼ା ଆମ ପାଖରେ ଅନ୍ୟ ଉପାୟ ନଥିଲା। ଡ୍ୟାମକୁ ଭାଙ୍ଗିବାଠାରୁ ରକ୍ଷା କରିବା ପାଇଁ ଆମକୁ ଜଳ ନିଷ୍କାସନ କରିବାକୁ ପଡ଼ିଲା ବୋଲି ଅଟଳ ସାଗର ଡ୍ୟାମ ଏସଡିଓ ଜିଏଲ ବୈରାଗୀ କହିଛନ୍ତି। ଅଗଷ୍ଟ ୨ ଓ ୩ ତାରିଖରେ ପ୍ରବଳ ବର୍ଷା ହୋଇଥିଲା ଓ ସେହି କାରଣରୁ ଏହିପରି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି’’ ସେ କହିଛନ୍ତି।

ମଧ୍ୟପ୍ରଦେଶରେ ଯେତେବେଳେ ମାତ୍ରାଧିକ ବର୍ଷା ହୁଏ ସେତେବେଳେ ଅନ୍ୟ ତୁଳନାରେ ସିନ୍ଧୁନଦୀ ଅଧିକ ପ୍ରଭାବିତ ହୋଇଥାଏ। ‘‘ସିନ୍ଧୁ ହେଉଛି ଗଙ୍ଗା ଅବବାହିକାର ଏକ ଅକ ଅଂଶ। ହିମାଳୟ ଏହାର ଉତ୍ପତ୍ତି ସ୍ଥଳ ନୁହେଁ; ଏହା ଦକ୍ଷିଣରୁ ଉତ୍ତରକୁ ପ୍ରବାହିତ ହେଉଛି ଓ ଏହା ବର୍ଷା ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ’’ ବୋଲି ଭୋପାଳ ବରକାତୁଲା ବିଶ୍ୱବିଦ୍ୟାଳୟର ବାୟୋସାଇନସ ପ୍ରଫେସର ବିପିନ ବ୍ୟାସ କହିଛନ୍ତି।

ଏହି ବନ୍ୟା ଶସ୍ୟଚକ୍ରକୁ ମଧ୍ୟ ପ୍ରଭାବିତ କରିଛି। ‘‘ଆମର ଧାନ ଓ ତିଲି (ରାଶି) ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏପରିକି ଚଳିତ ବର୍ଷ ଆମେ ଠିକ ଭାବେ ଗହମ ଚାଷ ମଧ୍ୟ କରିପାରିନୁ,’’ ବୋଲି କହିଛନ୍ତି ଦେବେନ୍ଦ୍ର। ସିନ୍ଧୁ ନଦୀ ଅବବାହିକାରେ  ବିସ୍ତୃତ କ୍ଷେତ୍ରରେ ସୋରିଷ ଚାଷ କରାଯାଇଥାଏ। ବନ୍ୟା ପରେ ଅଧିକାଂଶ ଚାଷୀ ସୋରିଷ ଚାଷ କରିଛନ୍ତି।

PHOTO • Rahul
PHOTO • Aishani Goswami

ଦେବେନ୍ଦ୍ର (ବାମରେ) ଏବଂ ରାମନିବାସ (ମଝିରେ) ବନ୍ୟାରେ ବିଧ୍ୱଂସ୍ତ ହୋଇଥିବା ସେମାନଙ୍କ ଚାଷଜମି ନିକଟରେ। ଡାହାଣ: ‘ଜଳବାୟୁ ପରିବରର୍ତ୍ତନ କାରଣରୁ ଭୀଷଣ ବର୍ଷା ଓ ବନ୍ୟା ଆମ ଫସଲ ସବୁ ନଷ୍ଟ କରି ଚାଲିଛି ବୋଲି ରାମନିବାସ (ଧଳା ସାର୍ଟ ପିନ୍ଧିଥିବା) କହିଛନ୍ତି’

ପାଣିପାଗ ପରିବର୍ତ୍ତନ କାରଣରୁ ହେଉଥିବା କ୍ଷୟକ୍ଷତି ସମ୍ପର୍କରେ କଥା ହେବାବେଳେ ଦେବେନ୍ଦ୍ରଙ୍କ ପୁତୁରା ରାମନିବାସ କହିଲେ ଜଳବାୟୁ ପରିବରର୍ତ୍ତନ କାରଣରୁ ଭୀଷଣ ବର୍ଷା ଓ ବନ୍ୟା ଆମ ଫସଲ ସବୁ ନଷ୍ଟ କରି ଚାଲିଛି। ଏହା ବ୍ୟତୀତ ଅତ୍ୟଧିକ ଗରମ କାରଣରୁ ମଧ୍ୟ ନଷ୍ଟ (ଗଛଗୁଡ଼ିକ) ହୋଇଯିବାର ବିପଦ ଆଶଙ୍କା ସବୁବେଳେ ରହୁଛି।

ସେ କହିଛନ୍ତି ବନ୍ୟା ପରେ ପଟୱାରି (ଗ୍ରାମର ରେକର୍ଡ କିପର) ଓ ସରପଂଚ ଗ୍ରାମକୁ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିଲେ ଏବଂ  ସହାୟତା ନେଇ ପ୍ରତିଶ୍ରୁତି ଦେଇଥିଲେ।

‘‘କ୍ଷତିଗ୍ରସ୍ତ ହୋଇଥିବା ମୋର ଧାନ ଫସଲ ପାଇଁ ବିଘା (ପାଖାପାଖି ୦.୬୧୯ ଏକର) ପିଛା ୨ହଜାର ଟଙ୍କା ଲେଖାଏ କ୍ଷତିପୂରଣ ମିଳିଥିବା’’ ଦେବେନ୍ଦ୍ର କହିଛନ୍ତି। ସେପଟେ ତାଙ୍କ ପୁତୁରା ରାମନିବାସ କହିଛନ୍ତି ‘‘ଯଦି ବନ୍ୟାରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇନଥାନ୍ତା ତାହାହେଲେ ଆମେ ଅନ୍ୟୁନ ୩ରୁ ୪ଲକ୍ଷ ଟଙ୍କା ଲାଭ ପାଇଥାନ୍ତୁ।’’

ଦେବେନ୍ଦ୍ରଙ୍କ ପରିବାର କୃଷି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଲକ୍‌ଡାଉନ ପାଇଁ ବଜାରରେ ଶସ୍ୟ ଦର ହ୍ରାସ ପାଇଥିଲା। ମହାମାରୀଠାରୁ ଏହି ପରିବାରର ଅବସ୍ଥା ଶୋଚନୀୟ ହୋଇପଡିଛି। ଉଭୟ ଦେବେନ୍ଦ୍ରଙ୍କ ଝିଅ ଓ ତାଙ୍କ ଝିଆରୀ ୨୦୨୧ ମସିହାରେ ବିବାହବନ୍ଧନରେ ବାନ୍ଧି ହୋଇଥିଲେ। ‘‘କରୋନା କାଳରେ ସବୁ ଜିନିଷର ଦରଦାମ ଅହେତୁକ ବୃଦ୍ଧି ପାଇଥିଲା। ଯେହେତୁ ବିବାହ ପୂର୍ବରୁ ସ୍ଥିର ହୋଇଥିଲା ତେଣୁ ଏଥିରେ ଆଗେଇବା ବ୍ୟତୀତ ଆମ ପାଖରେ ଅନ୍ୟ କିଛି ଉପାୟ ନଥିଲା’’ ବୋଲି ଦେବେନ୍ଦ୍ର ଉଲ୍ଲେଖ କରିଥିଲେ।

ତା’ପରେ କୌଣସି ପ୍ରାକ୍‌ ସୂଚନା ନଥାଇ ହଠାତ୍‌ ୨୦୨୧ ମସିହା ଅଗଷ୍ଟରେ ବନ୍ୟା ଆସିବା ଦ୍ୱାରା ପୂରା ପରିବାର ଗଭୀର ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଥିଲା।

PHOTO • Aishani Goswami
PHOTO • Rahul

(ଫଟୋ) ବାମ -୨୦୨୧ ବନ୍ୟାରେ ସିନ୍ଧୁନଦୀ କୂଳରେ ଅନେକ ଗଛ ଉପୁଡି ପଡ଼ିଛି। ଡାହାଣ-ନରୱର ସ୍ଥିତ ମୋହିନୀ ଡ୍ୟାମ

*****

ଇନ୍ଦ୍ରଗଡ଼ ତହସିଲ ଅନ୍ତର୍ଗତ ତିଲୈଥା ଗ୍ରାମରେ ସିନ୍ଧୁନଦୀ କୂଳରେ ସାହାବ ସିଂ ରାୱତ ଅତି ନିଃସହାୟ ଭାବେ ତାଙ୍କ ଜମି ଦେଖୁଛନ୍ତି। ‘‘ଅଦିନିଆ ବର୍ଷା ୧୨ ଓ ଅଧା ବିଘା (ପାଖାପାଖି ୭.୭ଏକର) ଜମିରେ ହୋଇଥିବା ଆଖୁଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି’’ ବୋଲି ସେ କୁହନ୍ତି। ଚାଷୀମାନେ କହିଲେ ଯେ ୨୦୨୧ ମସିହା ଶୀତଋତୁରେ ଦତିଆ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା, ଯାହା ଫଳରେ ତାଙ୍କୁ ପ୍ରଚୁର କ୍ଷତି ସହିବାକୁ ପଡ଼ିଥିଲା।

ଶୁଣ୍ଡରେ ଘରଗୁଡ଼ିକ ବଞ୍ଚି ଯାଇଥିଲେ ଯେହେତୁ ସେଗୁଡିକ ଉଚ୍ଚ ସ୍ଥାନରେ ଅବସ୍ଥିତ। କିନ୍ତୁ କାଳିପାହାଡ଼ି ଗ୍ରାମର ପଞ୍ଚାୟତର ସୁମିତ୍ରା ସେନ ମନେପକାନ୍ତି ସେମାନେ କିଭଳି ନିରନ୍ତର ଜଳ ସ୍ତର ମାପ କରୁଥିଲେ ଓ ପାଞ୍ଚ କେଜି ଶସ୍ୟ ଥିବା ଏକ ବ୍ୟାଗ୍‌କୁ ପ୍ରସ୍ତୁତ କରି ରଖିଥିଲେ, ଯାହା ଦ୍ୱାରା ସେମାନେ ସୂଚନା ପାଇବା ମାତ୍ରେ କୌଣସି ଉଚ୍ଚ ସ୍ଥାନକୁ ଚାଲିଯାଇ ପାରିବେ।

ସୁମିତ୍ରା ସେନଙ୍କୁ ୪୫ ବର୍ଷ ହେବ ଓ ସେ ଦିନ ମଜୁରିଆ ଭାବେ କାମ କରନ୍ତି ଓ ପାଖର ଏକ ସ୍କୁଲ୍‌ରେ ରୋଷେଇ କରନ୍ତି। ତାଙ୍କ ସ୍ୱାମୀ ଧନପାଲ ସେନ, ୫୦ ଗତ ଦଶବର୍ଷ ହେବ ଅହମଦାବାଦର ଏକ ପାଉଚ୍‌ ତିଆରି କମ୍ପାନିରେ କାମ କରୁଛନ୍ତି। ସେମାନଙ୍କର ଛୋଟ ପୁଅ ଅତିନ୍ଦ୍ର ସେନ, ୧୬, ମଧ୍ୟ ସେଠାରେ କାମ କରନ୍ତି। ସୁମିତ୍ରା, ଯିଏ ହେଉଛନ୍ତି ନାଇ ସମ୍ପ୍ରଦାୟର, ସରକାରଙ୍କ ଠାରୁ ଏକ ବି.ପି.ଏଲ କାର୍ଡ (ଦାରିଦ୍ର୍ୟ ସୀମା ତଳେ) ପ୍ରାପ୍ତ କରିଛନ୍ତି।

ସେଓଣ୍ଢା ବ୍ଲକ ଅନ୍ତର୍ଗତ ମଦନପୁରା ଗ୍ରାମର ବିଦ୍ୟାରାମ ବାଘେଲ କହିଛନ୍ତି ଯେ ସେ ବନ୍ୟାରେ ତିନି ବିଘା (ପାଖାପାଖି ଦୁଇ ଏକର) ଚାଷ ଜମି ହରାଇଛନ୍ତି। ‘‘ଶସ୍ୟ ସବୁ ନଷ୍ଟ ହୋଇଗଲା ଓ ବର୍ତ୍ତମାନ ମାଟି ଉପରେ ବାଲିର ଏକ ଆସ୍ତରଣ ରହିଛି,’’ ବୋଲି ବିଦ୍ୟାରାମ କୁହନ୍ତି।

PHOTO • Rahul
PHOTO • Rahul
PHOTO • Rahul

ବାମ: ଅଦିନିଆ ବର୍ଷା ସାହବ ସିଂ ରାୱତଙ୍କ ଜମିରେ ପ୍ରାୟ ୭.୭ଏକରର ଆଖୁଚାଷ ନଷ୍ଟ କରିଦେଇଛି। କେନ୍ଦ୍ର: ସୁମିତ୍ରା କୁହନ୍ତି ସେମାନେ ପାଞ୍ଚ କେଜି ଶସ୍ୟ ଥିବା ଏକ ବ୍ୟାଗ୍‌ ପ୍ରସ୍ତୁତ କରି ରଖୁଥିଲେ କାଳେ ସେମାନଙ୍କୁ ବନ୍ୟା ସମୟରେ ଘର ଛାଡି ଅନ୍ୟତ୍ର ଯିବାକୁ ପଡିପାରେ ବୋଲି। ଡାହାଣ: ବିଦ୍ୟାରାମ ବାଘେଲଙ୍କ ବାଲି ଚରିଯାଇଥିବା ଜମି

*****

ଶୁଣ୍ଡ ନିବାସୀମାନେ କୁହନ୍ତି ଯେ ଉଚ୍ଚ ପରିବ୍ୟୟ ହେବା ଆଶଙ୍କା କରି ସରକାର ନଦୀ ଉପରେ ଏକ ପୋଲ ନିର୍ମାଣ କରିବାକୁ ପ୍ରସ୍ତୁତ ନାହାନ୍ତି। ଏହି ଗ୍ରାମରେ ପ୍ରାୟ ୭୦୦ ବିଘା (ପାଖାପାଖି ୪୩୩ଏକର) ଚାଷପଯୋଗୀ ଜମି ଅଛି ଓ ଏହି ସବୁର ମାଲିକ ଗ୍ରାମବାସୀମାନେ ନିଜେ ଅଟନ୍ତି। ରାମନିବାସ, ଜଣେ ନିବାସୀ, କୁହନ୍ତି , ‘‘ ଆମେ ଅନ୍ୟ କୌଣସି ସ୍ଥାନକୁ ରହିବାକୁ ଚାଲିଗଲେ ମଧ୍ୟ ଆମକୁ ଏଠାକୁ ବାରମ୍ବାର ଆସିବାକୁ ପଡିବ ଜମି ଚାଷିବାକୁ।’’

ଦେବେନ୍ଦ୍ର ଓ ତାଙ୍କ ପରିବାର କହିଲେ ଯେ ଜଳବାୟୁ ପରିବର୍ତ୍ତନ, ଅଦିନିଆ ବର୍ଷା ଓ ଅତ୍ୟଧିକ ବୃଷ୍ଟିପାତ ଓ ନଦୀରେ ଡ୍ୟାମ ସଂଖ୍ୟାରେ ବୃଦ୍ଧି ହେବା ସହିତ ବଢୁଥିବା ବନ୍ୟା ବିପଦ ସତ୍ତ୍ୱେ ସେମାନେ ଅନ୍ୟ କୁଆଡେ ଯିବେ ନାହିଁ। ‘‘ ଆମେ ଗ୍ରାମବାସୀମାନେ କେବେ ମଧ୍ୟ ଆମ ଗାଁ ଛାଡି ଯିବୁ ନାହିଁ। ଯଦି ସରକାର ଅନ୍ୟ କୌଣସି ସ୍ଥାନରେ ଠିକ୍‌ ଏହି ପରିମାଣର ଜମି ଯୋଗାଇଦେବାକୁ ନିଷ୍ପତି ନିଅନ୍ତି, ତାହାହେଲେ ଯାଇ ଆମେ ଅନ୍ୟ ସ୍ଥାନକୁ ରହିବାକୁ ଯିବୁ,’’ ବୋଲି ଏହା ସହିତ କହିଲେ।

ଅନୁବାଦ : ଓଡ଼ିଶାଲାଇଭ୍‍

Rahul

ರಾಹುಲ್ ಸಿಂಗ್ ಜಾರ್ಖಂಡ್ ಮೂಲದ ಸ್ವತಂತ್ರ ವರದಿಗಾರ. ಅವರು ಪೂರ್ವ ರಾಜ್ಯಗಳಾದ ಜಾರ್ಖಂಡ್, ಬಿಹಾರ ಮತ್ತು ಪಶ್ಚಿಮ ಬಂಗಾಳದ ಪರಿಸರ ವಿಷಯಗಳ ಬಗ್ಗೆ ವರದಿ ಮಾಡುತ್ತಾರೆ.

Other stories by Rahul
Aishani Goswami

ಐಶಾನಿ ಗೋಸ್ವಾಮಿ ಅಹ್ಮದಾಬಾದ್ ಮೂಲದ ವಾಟರ್ ಪ್ರಾಕ್ಟೀಷನರ್ ಮತ್ತು ವಾಸ್ತುಶಿಲ್ಪಿ. ಅವರು ಜಲ ಸಂಪನ್ಮೂಲ ಎಂಜಿನಿಯರಿಂಗ್ ಮತ್ತು ನಿರ್ವಹಣೆಯಲ್ಲಿ ಸ್ನಾತಕೋತ್ತರ ಪದವಿ ಪಡೆದಿದ್ದಾರೆ ಮತ್ತು ನದಿಗಳು, ಅಣೆಕಟ್ಟುಗಳು, ಪ್ರವಾಹಗಳು ಮತ್ತು ನೀರನ್ನು ಅಧ್ಯಯನ ಮಾಡುತ್ತಾರೆ.

Other stories by Aishani Goswami
Editor : Devesh

ದೇವೇಶ್ ಓರ್ವ ಕವಿ, ಪತ್ರಕರ್ತ, ಚಲನಚಿತ್ರ ನಿರ್ಮಾಪಕ ಮತ್ತು ಅನುವಾದಕ. ಅವರು ಪೀಪಲ್ಸ್ ಆರ್ಕೈವ್ ಆಫ್ ರೂರಲ್ ಇಂಡಿಯಾದಲ್ಲಿ ಹಿಂದಿ ಭಾಷಾ ಸಂಪಾದಕ ಮತ್ತು ಅನುವಾದ ಸಂಪಾದಕರಾಗಿದ್ದಾರೆ.

Other stories by Devesh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE