ଜଙ୍ଗମ ଧନଲକ୍ଷ୍ମୀ କହିଲେ, ‘‘ଆମ ଗାଁ କିମ୍ବା ଆଖପାଖ ଗାଁରେ ଆଉ କାମ ନାହିଁ। ସବୁ ଚାଷ ଜମି ମାଛ ପୋଖରୀରେ ପରିଣତ ହୋଇଯାଇଛି।’’
୪୦ ବର୍ଷୀୟା ଧନଲକ୍ଷ୍ମୀ, (ଉପରେ କଭର ଚିତ୍ରରେ ଅଛନ୍ତି) ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲା ତମିରିସା ଗାଁର ଆଙ୍କେନଗୁଡେମ ପଡ଼ାରେ ରହନ୍ତି। ଏହି ଦଳିତ ପଡ଼ାର ଲୋକ ସଂଖ୍ୟା ପ୍ରାୟ ୪୫୦। ପ୍ରତିଦିନ କୃଷି କ୍ଷେତ୍ରରେ କାମ କରିବାକୁ ଏଠାରୁ ପ୍ରାୟ ୬୦ କିଲୋମିଟର ଯିବାଆସିବା କରନ୍ତି। ସେଥିରେ ତାଙ୍କର ଦୈନିକ ମଜୁରୀ ୨୦୦ ଟଙ୍କାରୁ ଅଟୋ ରିକ୍ସା ଭଡ଼ା ବାବାଦରେ ଏକ ଚତୁର୍ଥାଂଶ ଖର୍ଚ୍ଚ ହୋଇଯାଏ।
ଧନଲକ୍ଷ୍ମୀଙ୍କ ପଡ଼ୋଶୀ, ୬୦ ବର୍ଷୀୟା ଗାନ୍ତା ସରୋଜା କହିଲେ, ‘‘ଏତେ ବୁଲାବୁଲି ପରେ ବି ବର୍ଷକୁ ଆମେ ୩୦ ଦିନ କାମ ପାଉ - ଏପ୍ରିଲରେ ୧୦ ଦିନ, ଅଗଷ୍ଟରେ ୧୦ ଦିନ ଆଉ ଡିସେମ୍ବରରେ ୧୦ ଦିନ ଯେଉଁ ସମୟରେ କ୍ଷେତରେ ସର୍ବାଧିକ କାମ ଥାଏ।’’ କ୍ଷେତ କାମରୁ ବର୍ଷକୁ ମାତ୍ର ୫,୦୦୦-୬,୦୦୦ ଟଙ୍କା ରୋଜଗାର ହେଉଥିବାରୁ ପଡ଼ାର ଅନେକ ଲୋକ ବାହାରକୁ ପଳାଇଛନ୍ତି। ସରୋଜା ହିସାବ କରି କହିଲେ, ‘‘୧୦ ବର୍ଷ ତଳେ ଏହି ଗାଁରେ ୧୫୦ଟି ପରିବାର ବସବାସ କରୁଥିଲେ। ଏବେ ଅତି ବେଶିରେ ୬୦ଟି ପରିବାର ରହୁଛନ୍ତି।’’ ‘‘କାମ ଖୋଜିବାକୁ କିଛି ଲୋକ ଗୁଡ଼ିବଦା, ବିଜୟୱାଡ଼ା ଓ ହାଇଦ୍ରାବାଦକୁ ପଳାଇଛନ୍ତି, ଆଉ କିଛି ଲୋକ ସେମାନଙ୍କ ସଂପର୍କୀୟଙ୍କ ଗାଁକୁ ପଳାଇଛନ୍ତି।’’
ପ୍ରାୟ ୩୬,୦୦୦ ଲୋକସଂଖ୍ୟା ବିଶିଷ୍ଟ ନନ୍ଦିଭଦା ମଣ୍ଡଳରେ ରହିଛି ଆଙ୍କେନଗୁଡ଼େମ। ମାଛ ପୋଖରୀରୁ ଅଧିକ ଆୟ ଯୋଗୁଁ ଆନ୍ଧ୍ରପ୍ରଦେଶର ସର୍ବାଧିକ ମୁଣ୍ଡପିଛା ଆୟ ତାଲିକାର ଦୁଇ ନମ୍ବର ସ୍ଥାନରେ ରହିଛି ନନ୍ଦିଭଦା (ବିଶାଖାପାଟନମ୍ ଜିଲ୍ଲାର ଅଚ୍ୟୁତପୁରମ ପରେ)। ଏଠାରେ ଉତ୍ପାଦିତ ହେଉଥିବା ମାଛ, ଆକ୍ୱା ପ୍ରୋସେସିଂ ୟୁନିଟ୍ରେ ବ୍ୟବହାର ହୁଏ ଏବଂ ମୁଖ୍ୟତଃ ପୂର୍ବ ଏସିଆ ଓ ୟୁରୋପର ବିଭିନ୍ନ ଦେଶକୁ ରପ୍ତାନୀ ହୋଇଥାଏ। ରାଜ୍ୟର କ୍ୟାପିଟାଲ ରିଜିଅନ୍ ଡେଭଲପମେଣ୍ଟ ଅଥରିଟିଙ୍କ ତଥ୍ୟ ଅନୁଯାୟୀ ୨୦୧୪-୧୫ରେ ନନ୍ଦିଭଦାର ମୁଣ୍ଡପିଛା ବାର୍ଷିକ ଆୟ ଥିଲା ୩୦୮,୩୭୧ ଟଙ୍କା। ସେହିବର୍ଷ କ୍ରିଷ୍ଣା ଜିଲ୍ଲାର ହାରାହାରି ମୁଣ୍ଡପିଛା ଆୟ ଥିଲା୧୪୦,୬୨୮ ଟଙ୍କା।






