ମେ ମାସର ଏକ ଆର୍ଦ୍ର ଓ ଗରମ ଅପରାହ୍‌ଣରେ, ମୋହାର ହଜରତ ସୟେଦ ଅଲୱି [ରେହମତୁଲ୍ଲା ଆଲାହି ] ଦରଗାହ (ପୂଜାସ୍ଥଳ)ରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଥାଏ। ଚାଳିଶଟି ପରିବାର, ଯେଉଁଥିରେ ମୁସଲମାନ ତୁଳନାରେ ହିନ୍ଦୁଙ୍କ ସଂଖ୍ୟା ଅଧିକ, ସେମାନଙ୍କ ବାର୍ଷିକ ପୂଜୋତ୍ସବ ଏବଂ ଭୋଜିଭାତ ଲାଗି କାମରେ ଲାଗି ପଡ଼ିଥାଆନ୍ତି। ଏହି ଭୋଜି ଉତ୍ସବକୁ କନ୍ଦୁରି ବୋଲି କୁହାଯାଇଥାଏ। ସେମାନଙ୍କ ମଧ୍ୟରୁ ଗୋଟିଏ ହେଲା ଧୋବଲେ ପରିବାର। ଓସମାନାବାଦ ଜିଲ୍ଲା କଲାମ୍ବ ବ୍ଲକ୍‌ର ଏହି ୨୦୦ ବର୍ଷ ପୁରୁଣା ଦରଗାହ ରେ ସେମାନଙ୍କ ଅତିଥି ରୂପେ ଯୋଗ ଦେଇଛୁ ମୁଁ ଓ ମୋ ପରିବାର।

ସାଧାରଣତଃ ଗ୍ରୀଷ୍ମ ମାସରେ, ଏ ଅଞ୍ଚଳର ଚାଷୀ ପରିବାର ପାଖରେ କିଛିଟା ଖାଲି ସମୟ ଥିବା ବେଳେ, ଓସମାନାବାଦ, ଲାଟୁର ଏବଂ ବୀଡ, ଜାଲ୍‌ନା, ଔରଙ୍ଗାବାଦ, ପରବଣି, ନାନ୍ଦେଡ ଏବଂ ହିଙ୍ଗୋଲି ଭଳି ମରାଠୱାଡ଼ା ଅଞ୍ଚଳର ଅନ୍ୟ ଛଅଟି ଜିଲ୍ଲାର ବିଭିନ୍ନ ପୀରବାବା(ପବିତ୍ର ପୁରୁଷ)ଙ୍କ ଦରଗାହ ରେ ସେମାନଙ୍କ ଭିଡ଼ ଜମିଥାଏ। ଗୁରୁବାର ଏବଂ ରବିବାର ଦିନ ବହୁସଂଖ୍ୟକ ପରିବାର ଆସି ଏସବୁ ସ୍ଥାନରେ ପହଞ୍ଚନ୍ତି। ସେମାନେ ଅଣ୍ଡିରା ଛେଳି ବା ଖାସି ବଳି ଦେବା ସହିତ ରନ୍ଧାମାଂସରୁ ପ୍ରସ୍ତୁତ ନିବାଦ ଅର୍ପଣ କରନ୍ତି, ଆଶୀର୍ବାଦ କାମନା କରନ୍ତି, ଏକାଠି ଭୋଜନ କରନ୍ତି ଏବଂ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତି।

ଓସମାନାବାଦର ୟେଦଶିରୁ (ୟେଦସି ମଧ୍ୟ କୁହାଯାଏ) ଆସିଥିବା ଆମ ସଂପର୍କୀୟ ୬୦ ବର୍ଷୀୟ ଭାଗୀରଥି କଦମ କହନ୍ତି, “ଅନେକ ପିଢ଼ି ଧରି ଆମେ ଏହା (କନ୍ଦୁରି) କରିଆସୁଛୁ।”ମରାଠୱାଡ଼ାର ଏହି ଅଞ୍ଚଳ ୬୦୦ବର୍ଷରୁ ଅଧିକ କାଳ (ହାଇଦ୍ରାବାଦ ନିଜାମଙ୍କ ୨୨୪ ବର୍ଷ ଶାସନ କାଳ ସମେତ) ଇସଲାମ ଶାସନାଧୀନ ଥିଲା। ଏଠାକାର ସମସ୍ତ ଇସଲାମୀୟ ପୂଜାପୀଠରେ ଲୋକଙ୍କ ଆସ୍ଥା ଓ ପୂଜାବିଧିରେ ବିଶ୍ୱାସ ଓ ଭକ୍ତିର ଅପୂର୍ବ ମିଳନ ଘଟିଥାଏ  ଏବଂ ଏଥିରୁ ହିଁ ପ୍ରତିପାଦିତ ହୋଇଥାଏଏ ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ସଂହତି ସଂପନ୍ନ ଜୀବନ ଧାରା।

ଶହ ଶହ ବର୍ଷ ହେଲା ଭିନ୍ନ ଭିନ୍ନ ଗାଁ ଲୋକଙ୍କ ପୂଜା ପାଇଁ ନିର୍ଦ୍ଦିଷ୍ଟ ଦରଗାହ ନିରୂପିତ ହୋଇ ରହିଛି ଏବଂ ଏହି ପରମ୍ପରା ସଂପର୍କରେ ସୂଚନା ଦେବାକୁ ଯାଇ ଭାଗା ମାୱଶୀ ଶ୍ରଦ୍ଧା ନାମରେ ପରିଚିତ ଭାଗୀରଥି କହନ୍ତି, “ଆମେ ଗଡ଼ ଦେଓଦରିରେ ପୂଜା କରୁ। ତାୱାରାଜ ଖେଡ଼ାର ଲୋକେ ମୋହାକୁ ଆସନ୍ତି ଏବଂ ଆପଣଙ୍କ ଗାଁ (ଲାଟୁର ଜିଲ୍ଲାର ବୋରଗାଓଁ ବି.କେ)ର ଲୋକଙ୍କୁ ଶେରାକୁ ଯିବାକୁ ହୁଏ।”

ମୋହାର ରେହମତୁଲ୍ଲା ଦରଗାହ ରେ, ପ୍ରତିଟି ଗଛ ତଳେ ଏବଂ ଟିଣ କିମ୍ବା ତାରପୁଲିନ୍‌ ଛାତ ଥିବା ଆଶ୍ରୟସ୍ଥଳୀରେ ଲୋକେ ଚୁଲ୍ଲା (ଅସ୍ଥାୟୀ ଚୁଲି) ସ୍ଥାପନ କରିଛନ୍ତି ଏବଂ ଦରଗାହରେ ପୂଜାବିଧି ପାଳନ ଅବସରରେ ଅର୍ପଣ ନିମନ୍ତେ ସେଗୁଡ଼ିକରେ ଖାଦ୍ୟ ରନ୍ଧା ଯାଉଛି। ପୁରୁଷ ଓ ମହିଳାମାନେ ଗପସପରେ ବ୍ୟସ୍ତ ଥିବା ବେଳେ ପିଲାମାନେ ଖେଳରେ ମାତି ଯାଇଛନ୍ତି। ବାୟୁମଣ୍ଡଳରେ ଉଷ୍ମତା ଭରି ରହିଥିଲେ ହେଁ ପଶ୍ଚିମ ଆକାଶରେ ଘନୀଭୂତ ବାଦଲ ଏବଂ ଦରଗାହ ର ପ୍ରବେଶ ପଥରେ ରହିଥିବା ଧାଡ଼ିକି ଧାଡ଼ି ପୁରୁଣା ତେନ୍ତୁଳି ଗଛର ଛାଇ ଲୋକଙ୍କୁ ତାତିରୁ କିଛିଟା ରିହାତି ପ୍ରଦାନ କରୁଛି। ଦରଗାହ ର ଏକମାତ୍ର ଜଳାଶୟ-୯୦ ଫୁଟ ଗଭୀର ବାରଭ ବୋଲି କୁହାଯାଉଥିବା ଏକ ପୁରୁଣା ପଥର କୂଅ ଶୁଖିଲା ପଡ଼ିଛି ସତ, ହେଲେ ଜଣେ ଭକ୍ତ ଆମକୁ  ସୂଚାଇ ଦିଅନ୍ତି ଯେ, ଏହା “ବର୍ଷାଦିନେ ପାଣିରେ ଭରିଯିବ।”

Left: Men offer nivad and perform the rituals at the mazar at Hazrat Sayyed Alwi (Rehmatullah Alaih) dargah (shrine) at Moha.
PHOTO • Medha Kale
Right: Women sit outside the mazar, near the steps  to watch and seek blessings; their heads covered with the end of their sarees as they would in any temple
PHOTO • Medha Kale

ବାମ : ମୋହାର ହଜରତ ସୟେଦ ଅଲୱି [ରେହମତୁଲ୍ଲା ଆଲାହି ] ଦରଗାହ (ପୂଜାପୀଠ)ର ମଜାର ରେ ପୁରୁଷମାନେ ନିବାଦ ଅର୍ପଣ କରି ପୂଜାବିଧି ସଂପନ୍ନ କରନ୍ତି। ଡାହାଣ : ମହିଳାମାନେ ମଜାର ବାହାରେ ପାହାଚ ଉପରେ ବସି ରହି ପୂଜାବିଧି ଦେଖନ୍ତି ଏବଂ ଆଶୀର୍ବାଦ କାମନା କରନ୍ତି ; ସେତେବେଳେ ସେମାନେ ନିଜ ମୁଣ୍ଡକୁ ଶାଢ଼ିର କାନିରେ ଠିକ୍‌ ସେମିତି ଘୋଡ଼ାଇ ରଖିଥାଆନ୍ତି, ଯେମିତି କି ଯେ କୌଣସି ମନ୍ଦିରରେ ସେମାନେ କରିଥାଆନ୍ତି

Left: People sit and catch up with each other while the food is cooking.
PHOTO • Medha Kale
Right: People eating at a kanduri feast organised at the dargah in Moha, Osmanabad district
PHOTO • Medha Kale

ବାମ : ଖାଦ୍ୟ ରନ୍ଧା ଚାଲିଥିବା ସମୟରେ ଲୋକେ ପରସ୍ପର ସହିତ କଥାବାର୍ତ୍ତାରେ ମଜି ଯାଆନ୍ତି।ଡାହାଣ ; ଓସମାନାବାଦ ଜିଲ୍ଲାର ମୋହାରେ ଥିବା ଦରଗାହ ରେ ଆୟୋଜିତ କନ୍ଦୁରି ଭୋଜିରେ ଲୋକେ ଖାଉଛନ୍ତି

ଷାଠିଏ ବର୍ଷରୁ ଅଧିକ ବୟସର ଜଣେ ବ୍ୟକ୍ତି ତାଙ୍କ ବୟସ୍କା ମାଆଙ୍କୁ ପିଠିରେ ବୋହି ଦରଗାହ ରେ ପ୍ରବେଶ କରନ୍ତି। ନବେ ବର୍ଷରୁ ଅଧିକ ବୟସର ଏହି ବୟୋଜ୍ୟେଷ୍ଠା ମହିଳା ଜଣକ ନଅ ଗଜ ଲମ୍ବା ଏକ ସବୁଜ ରଙ୍ଗର ଇର୍କାଲ ଶାଢ଼ି ପିନ୍ଧିଥାଆନ୍ତି। ଏ ଅଞ୍ଚଳରେ ଉଭୟ ହିନ୍ଦୁ ଓ ମୁସଲମାନ ମହିଳାମାନେ ଏହି ଶାଢ଼ି ପିନ୍ଧନ୍ତି। ତାଙ୍କ ପୁଅ ମଜାରର ପାଞ୍ଚଟି ପାହାଚ (ସନ୍ଥଙ୍କ ସମାଧି) ଚଢୁଥିବା ବେଳେ ମହିଳାଙ୍କ ଆଖି ଭିଜି ଯାଏ, ଏବଂ ସେ ନିଜର ଦୁଇ ହାତ ଯୋଡ଼ି ବିନମ୍ରତାର ସହ ପ୍ରାର୍ଥନା କରନ୍ତି।

ତାଙ୍କୁ ଅନୁସରଣ କରନ୍ତି ଅନ୍ୟ ଭକ୍ତଗଣ – ଚାଳିଶ ବର୍ଷରୁ ଅଧିକ ବୟସର ଜଣେ ଅସୁସ୍ଥ ଏବଂ ପୀଡ଼ାଗ୍ରସ୍ତ ଜଣାପଡୁଥିବା ମହିଳା ତାଙ୍କ ମାଆଙ୍କ ସହ ପ୍ରବେଶ କରନ୍ତି। ମୁଖ୍ୟ ପ୍ରବେଶ ଦ୍ୱାରଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ମଜାର ଅଭିମୁଖେ ଦୁହେଁ ଖୁବ୍‌ ଧୀରେ ଧୀରେ ଚାଲିବାରେ ଲାଗନ୍ତି। ମଜାର ରେ ପହଞ୍ଚି ସେମାନେ ନଡ଼ିଆ ଓ କିଛି ଫୁଲ ଅର୍ପଣ କରନ୍ତି ଏବଂ ସେଠାରେ ଧୂପକାଠି ଜଳାନ୍ତି। ମୁଜାୱର (ତତ୍ତ୍ୱାବଧାରକ) ନଡ଼ିଆ ବାଡ଼େଇ ତାଙ୍କୁ ଭଙ୍ଗା ନଡ଼ିଆ ଫେରାଇ ଦିଅନ୍ତି ଏବଂ ଅସୁସ୍ଥ ମହିଳାଙ୍କ ହାତରେ ବାନ୍ଧିବା ପାଇଁ ଗୋଟିଏ ସୂତା ଦିଅନ୍ତି। ଜଳିଯାଇଥିବା ଧୂପକାଠିର କିଛି ପାଉଁଶ ନେଇ ମାଆ ତାଙ୍କ ଝିଅର କପାଳରେ ଲଗାଇ ଦିଅନ୍ତି। ଉଭୟ କିଛି ସମୟ ପାଇଁ ଗୋଟିଏ ତେନ୍ତୁଳି ଗଛ ତଳେ ବସି ରହନ୍ତି ଏବଂ ପରେ ସେଠାରୁ ଚାଲିଯାଆନ୍ତି।

ମଜାର ପଛପଟେ ଥିବା ଏକ ଧାତୁ ନିର୍ମିତ ବାଡ଼ରେ ବହୁସଂଖ୍ୟକ ନିଅନ୍‌ ଓ ହାଲୁକା ସବୁଜ ରଙ୍ଗର କାଚ ଚୂଡ଼ି ଲାଗିଥାଏ। ନିଜ ନିଜ ଝିଅ ପାଇଁ ଉପଯୁକ୍ତ ବରପାତ୍ରଟିଏ ପାଇବା ଆଶାରେ ସବୁ ଧର୍ମର ମହିଳାମାନେ ଏଠାରେ ଚୂଡ଼ି ଲଗାଇଥାଆନ୍ତି। ଗୋଟିଏ ପଟ କୋଣରେ କାଠର ଏକ ବଡ଼ ଘୋଡ଼ାଟିଏ ରଖାଯାଇଥାଏ ଏବଂ ଏହା ସାମନାରେ ଅନେକ ଛୋଟ ଛୋଟ ମାଟିରେ ତିଆରି ଘୋଡ଼ା ଆକୃତି ଥାଏ। ଏ ସଂପର୍କରେ ବିସ୍ତୃତ ସୂଚନା ଦେବାକୁ ଯାଇ ଭାଗା ମାୱଶୀ ମୋତେ କହନ୍ତି, “ଯେଉଁ ପୂଜ୍ୟ ମୁସଲମାନ ସନ୍ଥମାନେ ସେମାନଙ୍କ ଜୀବନକାଳରେ ଘୋଡ଼ା ଚଢୁଥିଲେ, ସେମାନଙ୍କ ସ୍ମୃତିରେ ଏସବୁ ଅର୍ପଣ କରାଯାଇଛି।”

ମୋ ଶାଶୂଙ୍କ ଘର ଆଗରେ ଥିବା ଦୁଇଟି ଘୋଡ଼ାଙ୍କୁ ପ୍ରତିଦିନ ପୂଜା କରାଯାଉଥିଲା ବୋଲି ମୋର ମନେ ପଡ଼ିଯାଏ। ଏବେ ହଠାତ୍‌ ମୁଁ ସେମାନଙ୍କୁ ସେଠାରେ ପୂଜା କରିବାର ଅର୍ଥ କିଛି କିଛି ବୁଝିପାରିଲି। ଗୋଟିଏ ଘୋଡ଼ା ଜଣେ ହିନ୍ଦୁ ଦେବତା ଭୈରୋବଙ୍କର ଏବଂ ଅନ୍ୟଟି ଥିଲା ଜଣେ ପୀର ଙ୍କର , ଯେ ଥିଲେ ଜଣେ ସମ୍ମାନିତ ଫକିର (ଭିକ୍ଷୁକ)।

Left: Women who are seeking a match for their daughters tie bunches of light green or neon bangles to a metal fence behind the mazar.
PHOTO • Medha Kale
Right: A large wooden horse with a few clay horse figurines are offered by people in memory of revered saints who rode faithful horses
PHOTO • Medha Kale

ବାମ: ନିଜ ନିଜର ଝିଅମାନଙ୍କ ପାଇଁ ଉପଯୁକ୍ତ ବରପାତ୍ରଟିଏ କାମନା କରୁଥିବା ମହିଳାମାନେ ମଜାରପଛପଟେ ଥିବା ଧାତବ ବାଡ଼ରେ ହାଲୁକା ସବୁଜ କିମ୍ବା ନିଅନ୍‌ ରଙ୍ଗର ଚୂଡ଼ି ବାନ୍ଧି ଦିଅନ୍ତି। ଡାହାଣ: ନିଜ ଜୀବନକାଳରେ ଘୋଡ଼ା ଚଢୁଥିବା ସନ୍ଥମାନଙ୍କ ସ୍ମୃତିରେ ରହିଛି କାଠର ଏକ ବଡ଼ ଘୋଡ଼ା ଏବଂ ଏହା ସାମନାରେ ଲୋକେ ଅର୍ପଣ କରିଥିବା କେତେକ ମାଟି ଘୋଡ଼ାର ଆକୃତି

*****

ଅନେକ ମହିଳା ମଧ୍ୟରାତ୍ରୀରୁ ଉଠି ବାର୍ଷିକ କନ୍ଦୁରି ଭୋଜି ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏଥିରେ ମାଂସ ତରକାରୀ ଏବଂ ଭକ୍‌ରି ସମେତ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ କରାଯାଏ। ହେଲେ, ସେଦିନ ନିରାମିଷ ବାର, ଗୁରୁବାର ହୋଇଥିବାରୁ ସେମାନଙ୍କ ମଧ୍ୟରୁ କେତେ ଜଣ ଛେଳିମାଂସ ଖାଆନ୍ତି ନାହିଁ। “ଖାଇବାଟା ଏତେ ବଡ଼କଥା ନୁହେଁ,” ସେମାନଙ୍କ ମଧ୍ୟରୁ ଜଣେ ମହିଳା ମୋତେ କହନ୍ତି, “ ହେ ଦେବାଚା କାମ୍‌ ଆହେ, ମାୟ (ଆମେ ଏହା ଭଗବାନଙ୍କ ଉଦ୍ଦେଶ୍ୟରେ କରୁଲୋ ମାଆ)।”

ଏଭଳି ଭୋଜି ଉତ୍ସବରେ ମହିଳାମାନଙ୍କ ପରିଶ୍ରମ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ହେଲେ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଉପବାସ କରୁଥିବାରୁ ଭୋଜିରେ ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ସେମାନେ ସେହି ଉପବାସ ଖାଦ୍ୟ ଭୋଜନ କରନ୍ତି, ଯାହା ଅଳ୍ପ କେତେ ଜଣ ନିରାମିଷାଶୀ ଏବଂ ଉପବାସ ରଖୁଥିବା ବ୍ୟକ୍ତିଙ୍କ ପାଇଁ ରନ୍ଧା ଯାଇଥାଏ। ସେହି ଗୋଟିଏ ଚୁଲ୍ଲାରେ ମାଂସ ରନ୍ଧାଯାଇ ସେହି ସମାନ ପ୍ଲେଟ୍‌ରେ ଖାଇବାକୁ ଦିଆଯାଉଥିଲେ ହେଁ ସେମାନେ ଏଥିରେ କୌଣସି ଆପତ୍ତି କରନ୍ତି ନାହିଁ। କୌଣସି ପ୍ରକାରେ କାହାରି ଭାବନା ଆହତ ହୁଏ ନାହିଁ କି କାହାରି ଭାବଧାରା ବ୍ୟାହତ ହୁଏନାହିଁ।

ଲକ୍ଷ୍ମୀ କଦମ ପୁଣେରେ ରହନ୍ତି ଏବଂ ଏହି ଭୋଜି ପର୍ବ ପାଇଁ ଏଠାକୁ ଆସିଛନ୍ତି। ଶହ ଶହ ଭକ୍‌ରି ପ୍ରସ୍ତୁତ କରି,ତରକାରୀ ପାଇଁ ମସଲା ବାଟି, ଦିନସାରା ଧୁଆଧୋଇ କରିବା ପରେ ଏବେ ସେ ଥକି ପଡ଼ିଛନ୍ତି। କ୍ଲାନ୍ତିଭରା କଣ୍ଠରେ ସେ କହନ୍ତି, “ମୁଁ ସେମାନଙ୍କ (ମୁସଲମାନଙ୍କ) ମହିଳାମାନଙ୍କୁ ଈର୍ଷା କରେ। ବଡ଼ ହାଣ୍ଡିରେ ହାଣ୍ଡିଏ ବିରୟାନି, ଆଉ ସେମାନଙ୍କ କାମ ସରିଲା! ହା ଅସଲା ରାଡ଼ା ନକୋ ନା କହି ନକୋ (ଆମେ ଯେତେ କାମ କରୁଛୁ, ସେମାନଙ୍କୁ ସେତେ କରିବାକୁ ପଡୁନାହିଁ)।”

“ସେମାନଙ୍କ ଗାଲ ଦେଖୁନ, କେତେ ସୁନ୍ଦର ଆଉ ଗୋଲାପି ରଙ୍ଗର ହୋଇଛି!” ତାଙ୍କ ଈର୍ଷା ଏବେ ଧାରଣା ଏବଂ କଳ୍ପନାରେ ପରିଣତ ହେବାକୁ ବସିଲାଣି। ମାତ୍ର କେଇ ଜଣ ଧନୀକ ଶ୍ରେଣୀର ଏବଂ ଉଚ୍ଚ ଜାତିର ମହିଳାଙ୍କୁ ବାଦ୍‌ ଦେଲେ ଆମ ଚାରିପଟେ ଥିବା ଅନେକ ମହିଳାଙ୍କ ଶରୀର ପତଳା ଏବଂ ଅତ୍ୟଧିକ କାମ କରି ସେମାନେ କ୍ଲାନ୍ତଶ୍ରାନ୍ତ ହୋଇପଡ଼ିଥିଲେ। ସେମାନେ ଲକ୍ଷ୍ମୀଙ୍କ କଳ୍ପନା ମୁତାବକ “ଗୋଲାପୀ ରଙ୍ଗର ଗାଲ” ଥିବା ମହିଳା ନୁହଁନ୍ତି।

Left: Men are in charge of both cooking and serving the meat.
PHOTO • Medha Kale
Right: Men serve the mutton dish; women eat after making hundreds of bhakri
PHOTO • Medha Kale

ବାମ : ପୁରୁଷମାନେ ଉଭୟ ମାଂସ ରାନ୍ଧିବା ଓ ପରଶିବା ଦାୟିତ୍ୱରେ ରହନ୍ତି। ଡାହାଣ : ପୁରୁଷମାନେ ଛେଳିମାଂସ ତରକାରୀ ପରଶି ଦିଅନ୍ତି, ମହିଳାମାନେ ଶହ ଶହ ଭକ୍‌ରି ତିଆରି କରିବା ପରେ ଖାଆନ୍ତି

Left: Men sitting and chatting after the feast, sharing a paan and some laughs.
PHOTO • Medha Kale
Right:  The region of Marathwada was under Islamic rule for more than 600 years. Belief and worship at these Islamic shrines are ingrained in people’s faith and rituals – representing a syncretic way of life
PHOTO • Medha Kale

ବାମ : ଭୋଜି ପରେ ପାନଦିଆନିଆ କରି ପୁରୁଷମାନେ ବସି ହସଖୁସିରେ କଥାବାର୍ତ୍ତା କରନ୍ତି। ଡାହାଣ : ମରାଠୱାଡ଼ା ଅଞ୍ଚଳ ୬୦୦ ବର୍ଷରୁ ଅଧିକ କାଳ ଇସଲାମ ଶାସନାଧୀନ ଥିଲା। ଏଠାକାର ସମସ୍ତ ଇସଲାମୀୟ ପୂଜାପୀଠରେ ଲୋକଙ୍କ ଆସ୍ଥା ଓ ପୂଜାବିଧିରେ ବିଶ୍ୱାସ ଓ ଭକ୍ତିର ଅପୂର୍ବ ମିଳନ ଘଟିଥାଏ - ଧାର୍ମିକ ଓ ସାଂସ୍କୃତିକ ସଂହତି ସଂପନ୍ନ ଜୀବନଧାରାର ନିଦର୍ଶନ

ଏହି ସବୁ ଭୋଜି ପର୍ବ ସମୟରେ କେବଳ ପୁରୁଷମାନେ ହିଁ ମାଂସ ରାନ୍ଧିଥାଆନ୍ତି। ମୁସଲମାନ ଭକ୍ତମାନଙ୍କ ଦ୍ୱାରା ସ୍ୱାଦିଷ୍ଟ ଏବଂ ସୁଗନ୍ଧଯୁକ୍ତ ବିର୍‌ୟାନି ପରଶା ଯାଏ।

ଦରଗାହ ମୁଜାୱର ଙ୍କୁ ନିବାଦ ରୂପରେ ଅର୍ପଣ କରାଯାଏ ପାଞ୍ଚଟି ଭକ୍‌ରି , ଗୋଟିଏ ଗିନା ଭର୍ତ୍ତି ଝୋଳ ଏବଂ ବଛା ବଛା ମାଂସଖଣ୍ଡ ସାଙ୍ଗକୁ ଗହମ ଚପାତିର ଗୁଣ୍ଡ, ଘିଅ, ଚିନି କିମ୍ବା ଗୁଡ଼ରେ ତିଆରି ହୋଇଥିବା ମିଠା- ମଲିଦା । ପୁରୁଷମାନେ ମଜାର ନିକଟକୁ ଯାଆନ୍ତି ଏବଂ ନିବାଦ (ନୈବେଦ୍ୟ) ଅର୍ପଣ କରନ୍ତି। ମହିଳାମାନେ ବାହାରେ, ପାହାଚ ଉପରେ ବସି ରହି ଦେଖନ୍ତି ଏବଂ ଆଶିଷ କାମନା କରନ୍ତି। ଠିକ୍‌ କୌଣସି ମନ୍ଦିର ଭିତରେ କରିବା ଢଙ୍ଗରେ ସେମାନେ ସେତେବେଳେ ନିଜ ମୁଣ୍ଡରେ ଶାଢ଼ିର କାନି ଘୋଡ଼ାଇ ରଖିଥାଆନ୍ତି।

ପ୍ରାର୍ଥନା ଶେଷ ହେବା ଏବଂ ଉପହାର ଦିଆନିଆ ପରେ ଭୋଜି ପର୍ବ ଆରମ୍ଭ ହୁଏ। ମହିଳା ଓ ପୁରୁଷମାନେ ଅଲଗା ଅଲଗା ଧାଡ଼ିରେ ବସି ଖାଆନ୍ତି। ଉପବାସ କରିଥିବା ବ୍ୟକ୍ତିମାନେ ଉପବାସ ଖାଦ୍ୟ ଖାଆନ୍ତି। ପାଞ୍ଚ ଜଣ ଫକିର (ଭିକ୍ଷୁକ) ଏବଂ ଦରଗାହ ରେ କାର୍ଯ୍ୟରତ ପାଞ୍ଚ ଜଣ ମହିଳାଙ୍କୁ ଖାଦ୍ୟ ପରଶା ଯିବା ପରେ ହିଁ ଏହି ଭୋଜି ପର୍ବ ଔପଚାରିକ ଭାବେ ଶେଷ ହୋଇଥାଏ।

*****

କିଛି ସପ୍ତାହ ପରେ, ମୋର ୭୫ ବର୍ଷୀୟା ଶାଶୂ ଗୟାବାଇ କାଲେ ଆମ ଘର ପାଖରେ ଥିବା ଏକ ଦରଗାହ ରେ ଭୋଜିର ଆୟୋଜନ କରିଥିଲେ। ଏଥିପାଇଁ ସେ ବେଶ୍‌ କେଇ ଦିନ ହେଲା ଯୋଜନା କରିଆସୁଥିଲେ ଏବଂ ଏ ବର୍ଷ (୨୦୨୩) ମହାରାଷ୍ଟ୍ରର ଲାଟୁର ଜିଲ୍ଲା ଅନ୍ତର୍ଗତ ରେନାପୁର ବ୍ଲକ୍‌ର ଏକ ଛୋଟିଆ ଗାଁ ଶେରାରେ ରହୁଥିବା ତାଙ୍କ ସାନଝିଅ ଜୁମ୍ବର ତାଙ୍କ ସହିତ ଯୋଗ ଦେଇଥିଲେ।

Left: A woman devotee at Dawal Malik dargah in Shera coming out after offering her prayers at the mazar .
PHOTO • Medha Kale
Right: Shriram Kamble (sitting on the floor) and his friend who did not want to share his name enjoying their time out
PHOTO • Medha Kale

ବାମ: ଶେରା ଗାଁର ଦାୱଲ ମାଲିକ ଦରଗାହର ମଜାରରେ ପ୍ରାର୍ଥନା କରିବା ପରେ ଜଣେ ମହିଳା ଭକ୍ତ ବାହାରକୁ ଆସୁଛନ୍ତି। ଡାହାଣ: ଶ୍ରୀରାମ କାମ୍ବଲେ (ତଳେ ବସିଛନ୍ତି) ଏବଂ ତାଙ୍କ ବନ୍ଧୁ (ସେ ତାଙ୍କ ନାମ କହିବାକୁ ଚାହାନ୍ତି ନାହିଁ) ଅବସର ସମୟକୁ ଉପଭୋଗ କରୁଛନ୍ତି

Left: Gayabai Kale is joined by her daughter Zumbar in the annual kanduri at Dawal Malik in Latur district.
PHOTO • Medha Kale
Right: A banyan tree provides some shade and respite to the families who are cooking the meat, as well as families waiting to offer nivad and prayers at the dargah
PHOTO • Medha Kale

ବାମ: ଲାଟୁର ଜିଲ୍ଲାର ଦାୱଲ ମାଲିକରେ ଅନୁଷ୍ଠିତ ବାର୍ଷିକ କନ୍ଦୁରିରେ ଗୟାବାଇ କାଲେଙ୍କ ସହିତ ଯୋଗ ଦେଇଛନ୍ତି ତାଙ୍କ ଝିଅ ଜୁମ୍ବର। ଡାହାଣ:ଦରଗାହରେ ମାଂସ ରାନ୍ଧୁଥିବା ଏବଂ ନିବାଦ ଓ ପ୍ରାର୍ଥନା ଅର୍ପଣ କରିବାକୁ ଅପେକ୍ଷାରତ ପରିବାର ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣି ଦିଏ ଏହି ବରଗଛର ଛାଇ

ଏହି ଦାୱଲ ମାଲିକ ଦରଗାହ ଟି ମୋହାରେ ଥିବା ଦରଗାହ ଠାରୁ ସାନ। ଏଠାରେ ଆମେ ଭିନ୍ନ ଭିନ୍ନ ଜାତିର ୧୫ଟି ହିନ୍ଦୁ ପରିବାରକୁ ଭେଟିଲୁ। ମଜାର ସାମନାରେ ବସିଥିବା ଦଳେ ମହିଳା କେତେକ ଭଜନ, ହିନ୍ଦୁ ଦେବାଦେବୀଙ୍କ ସମ୍ମାନାର୍ଥେ ଲିଖିତ ଭକ୍ତି ଗୀତ ଗାଆନ୍ତି। ଆଉ କେତେ ଜଣ ଜଣେ ବୟସ୍କ ମୁସଲମାନ ଫକିର ଙ୍କ ସହ କଥାବାର୍ତ୍ତା କରନ୍ତି, ପାରିବାରିକ ସମସ୍ୟାର ସମାଧାନ ଲାଗି ପରାମର୍ଶ ଲୋଡ଼ନ୍ତି। ଲୋକେ ସେଠାରେ ନିବାଦ ଅର୍ପଣ କରିବା ସମୟରେ ଦଳେ ପିଲା ହାଲଗି (ଢୋଲ) ବଜାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ସଂପ୍ରଦାୟର ଏବଂ ଅନେକ ହିନ୍ଦୁ ମନ୍ଦିରରେ ସେମାନଙ୍କ ପ୍ରବେଶକୁ ସହଜରେ ଗ୍ରହଣ କରାଯାଏ ନାହିଁ।

ରୋଷେଇବାସର ତଦାରଖ କରନ୍ତି ଗୟାବାଇଙ୍କ ବଡ଼ପୁଅ ବାଲାସାହେବ କାଲେ। ଲାଟୁରର ବୋରଗାଓଁ ବିକେ ଗାଁର ଜଣେ କ୍ଷୁଦ୍ରଚାଷୀ ବାଲାସାହେବ ଛେଳି କାଟିବାରେ ତାଙ୍କ ମାଆଙ୍କ ସହାୟତା କରନ୍ତି। ସେ ମଧ୍ୟ ଖୁବ୍‌ ମସଲାଯୁକ୍ତ ସୁଆଦିଆ ତରକାରି ରାନ୍ଧନ୍ତି। ମାଆ-ଝିଅଙ୍କ ଯୋଡ଼ି ନିବାଦ ଅର୍ପଣ କରନ୍ତି ଏବଂ ଦରଗାହ ରେ ଉପସ୍ଥିତ ଅନ୍ୟ ଲୋକମାନଙ୍କ ସହିତ ତାଙ୍କ ପରିବାର ସଦସ୍ୟମାନେ ମିଳିମିଶି ଭୋଜନ କରନ୍ତି।

ଦୁଇଟି ଯାକ ଦରଗାହ ରେ ମୁଁ ଯେଉଁ ଦୁଇ ଜଣ ମହିଳାଙ୍କୁ ଭେଟିଲି, ସେମାନେ ଏହି ବାର୍ଷିକ ପ୍ରାର୍ଥନା ଓ ଭୋଜି ପର୍ବକୁ ପ୍ରତିଜ୍ଞାବଦ୍ଧ ଭାବରେ ପାଳନ କରିବେ ଏବଂ ଏଥିରେ କୌଣସି ବ୍ୟତିକ୍ରମ ହେବ ନାହିଁ ବୋଲି ସ୍ଥିର କରିନେଇଥିଲେ। “ଏହାର କୌଣସି ବିକଳ୍ପ ନାହିଁ। ବାଝା ଆସତା,ଉତରବା ଲାଗତା (ଏହା ଏକ ବୋଝ ସଦୃଶ ଏବଂ ଏହାକୁ ଉତାରିବାକୁ ହିଁ ପଡ଼ିବ)।” ଏହି ପ୍ରତିଜ୍ଞା ପୂରଣ ନ କରିଲେ କିଛି ଗୋଟାଏ ବଡ଼ ଅଘଟଣ ଘଟିବ ବୋଲି ସେମାନଙ୍କର ଭୟ ରହିଛି।

ସେମାନଙ୍କ ଗସ୍ତକାଳରେ, ରନ୍ଧାରନ୍ଧି, ଭୋଜିପର୍ବ ଏବଂ ମିଳିମିଶି ଭୋଜନ କରିବା ସମୟରେ ବି ସେମାନେ ନିଜର ହିନ୍ଦୁ ପରିଚୟକୁ ବଜାୟ ରଖନ୍ତି ଏବଂ ତାହା ସହିତ ଏହି ପୂଜାପୀଠକୁ ନିଜର ପବିତ୍ର ପୂଜାସ୍ଥଳ ବୋଲି ମନେ କରନ୍ତି।

“ଏ (ପୀର) ହିଁ ମୋର ଦେବତା ଏବଂ ମୁଁ ତାଙ୍କୁ ପୂଜା କରି ଚାଲୁଥିବି। ମୋ ଜେଜେବାପା ଏହା କରୁଥିଲେ, ମୋ ବାପା କରୁଥିଲେ ଏବଂ ମୁଁ ବି ଏହି ଧାରାକୁ ଅବ୍ୟାହତ ରଖିବି,” ଗଭୀର ଆତ୍ମବିଶ୍ୱାସ ଓ ଅଟଳ ବିଶ୍ୱାସ ସହିତ ଗୟାବାଇ କହନ୍ତି।

Left: Women spend hours making hundreds of bhakris for the kanduri feast.
PHOTO • Medha Kale
Right: Men like Maruti Fere, Gayabai’s brother, preparing the mutton
PHOTO • Medha Kale

ବାମ: କନ୍ଦୁରି ଭୋଜିପର୍ବରେ ଶହ ଶହ ଭକରି ପ୍ରସ୍ତୁତି ଲାଗି ମହିଳାମାନେ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରନ୍ତି। ଡାହାଣ: ଗୟାବାଇଙ୍କ ଭାଇ ମାରୁତି ଫେରେଙ୍କ ଭଳି ପୁରୁଷମାନେ ଛେଳିମାଂସ ରାନ୍ଧୁଛନ୍ତି

Left: Balasaheb Kale is in charge of cooking the meat at dargah Dawal Malik.
PHOTO • Medha Kale
Right: Prayers and nivad are offered at the mazar and Kale family eats the kanduri meal
PHOTO • Medha Kale

ବାମ: ଦୱାଲ ମାଲିକ ଦରଗାହରେ ମାଂସ ରାନ୍ଧିବା ଦାୟିତ୍ୱରେ ଅଛନ୍ତି ବାଲାସାହେବ କାଲେ। ଡାହାଣ:ମଜାରରେ ପ୍ରାର୍ଥନା ଓ ନିବାଦ ଅର୍ପଣ କରାଯାଏ ଏବଂ କାଲେ ପରିବାର କନ୍ଦୁରି ଭୋଜନ କରନ୍ତି

*****

ଯେଉଁ ମାସରେ (ମେ, ୨୦୨୩) ଗୟାବାଇ, ଭାଗା ମାୱଶୀ ଏବଂ ଅନ୍ୟମାନେ ଭିନ୍ନ ଭିନ୍ନ ଦରଗାହ କୁ ଯାଇ ନିଜ ନିଜର ପ୍ରତିଜ୍ଞା ପୂରଣ କରିବାରେ ଲାଗି ପଡ଼ିଥିଲେ, ଠିକ୍‌ ସେହି ମାସରେ ସେଠାରୁ ୫୦୦ କିଲୋମିଟର ଦୂର ନାସିକ୍‌ ଜିଲ୍ଲାର ତ୍ରୟମ୍ବକେଶ୍ୱର ମନ୍ଦିରର ପ୍ରବେଶ ପଥରେ ଚନ୍ଦନ-ଧୂପ ଅର୍ପଣ କରିବାକୁ ଯାଇଥିଲେ ତ୍ରିମ୍ବକେଶ୍ୱର ନିବାସୀ ସଲିମ ସୟଦ। ବୟସର ଷାଠିଏ ଦଶକରେ ୧୦୦ ବର୍ଷରୁ ଅଧିକ ପୁରୁଣା ଏକ ପ୍ରଥା ଅନୁସରଣ କରିବାକୁ ଯିବା ବେଳେ ତାଙ୍କ ସହିତ ଅନ୍ୟମାନେ ବି ସାମିଲ ହୋଇଥିଲେ।

ସେମାନଙ୍କ ‘ତ୍ରୈୟମ୍ବକ ରାଜା’ଙ୍କ ଉପରେ ସେମାନଙ୍କର ଅଟଳ ବିଶ୍ୱାସ ରହିଛି ଏବଂ ଏହି କାରଣରୁ ବାର୍ଷିକ ଉର୍ସ ସମୟରେ ଚଦର ଅର୍ପଣ କରିବାକୁ ଆସିଛନ୍ତି।

ହେଲେ ସୟଦ ଓ ଅନ୍ୟମାନଙ୍କୁ ପ୍ରବେଶ ଦ୍ୱାରରେ ହିଁ ରୁକ୍ଷ ବ୍ୟବହାର କରି ଅଟକାଇ ଦିଆଗଲା ଏବଂ ସେମାନେ ମନ୍ଦିରରେ ବଳପୂର୍ବକ ପଶିବାକୁ ଉଦ୍ୟମ କରୁଥିଲେ ବୋଲି ଅଭିଯୋଗ କରାଗଲା। ଏହି ମୁସଲମାନମାନେ ‘ସେମାନଙ୍କ ନିଜସ୍ୱ ପୂଜାପୀଠରେ ପୂଜାପାଠ କରିବାରେ ନିଜକୁ ସୀମିତ ରଖନ୍ତୁ’ ବୋଲି ଜଣେ ଧର୍ମାନ୍ଧ ହିନ୍ଦୁ ନେତା ସେମାନଙ୍କୁ କହିଲେ। ସେମାନେ ସେଠାରେ ପୂଜାର୍ଚ୍ଚନା କରୁଥିବା ହିନ୍ଦୁମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଲେ ବୋଲି ମଧ୍ୟ ଅଭିଯୋଗ କରାଗଲା। ଏହି ‘ଆତଙ୍କବାଦୀ କାର୍ଯ୍ୟକଳାପ’ର ତଦନ୍ତ କରିବା ଲାଗି ଗୋଟିଏ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (SIT) ଗଠନ କରାଗଲା।

ମାନସିକ ଆଘାତପ୍ରାପ୍ତ ସୟଦ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କଲେ। ସାମାଜିକ ସଦ୍‌ଭାବନା ବଜାୟ ରଖିବା ଲାଗି ଶହ ଶହ ବର୍ଷର ଏହି ପ୍ରଥାକୁ ବନ୍ଦ କରିବା ଲାଗି ସେ ପ୍ରତିଶ୍ରୁତିବଦ୍ଧ ହେଲେ। ନଜର ଆଢୁଆଳରେ ରହିଗଲା ଏକ ବିଡ଼ମ୍ବନା।

ଅନୁବାଦ : ଓଡ଼ିଶାଲାଇଭ୍‍

Medha Kale

मेधा काले पुणे में रहती हैं और महिलाओं के स्वास्थ्य से जुड़े मुद्दे पर काम करती रही हैं. वह पारी के लिए मराठी एडिटर के तौर पर काम कर रही हैं.

की अन्य स्टोरी मेधा काले
Editor : Priti David

प्रीति डेविड, पारी की कार्यकारी संपादक हैं. वह मुख्यतः जंगलों, आदिवासियों और आजीविकाओं पर लिखती हैं. वह पारी के एजुकेशन सेक्शन का नेतृत्व भी करती हैं. वह स्कूलों और कॉलेजों के साथ जुड़कर, ग्रामीण इलाक़ों के मुद्दों को कक्षाओं और पाठ्यक्रम में जगह दिलाने की दिशा में काम करती हैं.

की अन्य स्टोरी Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE