ଏଇ ଗାଛ୍‌, ଏଇ ଘର, ଏଇ ମାଟିର୍‌ ଯେ ମାୟା, ସେଇ ମାୟା ଲିୟେ ଆମ୍‌ରା କୁଥାୟେ ଯାବୋ? ( ଏହି ଗଛ... ଏଇ ଘର, ଏଇ ମାଟିର ମାୟା... ସେହି ମାୟାକୁ ସାଙ୍ଗରେ ନେଇ ଆମେ କୁଆଡ଼େ ଯିବୁ?)”

ଆପନକୁଡ଼ି ହେମ୍ବ୍ରମଙ୍କ ମନରେ ଊଭୟ ଦୁଃଖ ଓ ରାଗ। ଚାରିଆଡ଼େ ଆଖି ବୁଲାଇ ଆଣି ଏହି ସାନ୍ତାଳ ଆଦିବାସୀ ମହିଳା କହନ୍ତି, “ଏ ସବୁ ମୋର।” ଜମିରେ ଦିଆଯାଇଥିବା ଗୋଟିଏ ଚିହ୍ନରୁ ଆଉ ଗୋଟିଏ ଚିହ୍ନ ପର୍ଯ୍ୟନ୍ତ ହାତରେ ଦେଖାଇ ଏହି ୪୦ ବର୍ଷୀୟା ମହିଳା ଆହୁରି କହନ୍ତି, “ଏଠି ମୋ ନିଜର ଜମି ଅଛି।” ତାଙ୍କର ୫-୬ ବିଘା (ମୋଟାମୋଟି ଦେଢ଼ ଏକର) ଜମିରେ ସେ ଧାନଚାଷ କରନ୍ତି।

“ଏତେ ବର୍ଷ ଧରି ମୁଁ ଏଠାରେ ଯାହା ସବୁ ଗଢ଼ିଛି, ସରକାର କ’ଣ ସେସବୁ ଦେଇପାରିବେ?” ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲାରେ ପ୍ରସ୍ତାବିତ ଦେଓଚା ପାଚମୀ (ଦେଉଚା ପାଚମୀ ଭାବେ ମଧ୍ୟ ଉଚ୍ଚାରିତ) କୋଇଲା ଖଣି ପ୍ରକଳ୍ପ ଯୋଗୁଁ ଆପନକୁଡ଼ିଙ୍କ ହୋରିନ୍‌ସିଙ୍ଗା ଗାଁ ସମେତ ୧୦ଟି ଗାଁ ନିଶ୍ଚିହ୍ନ ହୋଇଯିବ।

“ଏ ସବୁକୁ ପଛରେ ଛାଡ଼ି ଆମେ କେଉଁଠିକି ଯିବୁ? ଆମେ କେଉଁଠାକୁ ହେଲେ ଯିବୁ ନାହିଁ,” ଦୃଢ଼ କଣ୍ଠରେ କହନ୍ତି ଆପନକୁଡ଼ି। ଏହି ଖଣି ପ୍ରକଳ୍ପ ବିରୋଧରେ ଆନ୍ଦୋଳନର ପୁରୋଭାଗରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ସେ ଜଣେ। ତାଙ୍କ ଭଳି ମହିଳାମାନେ ବିଭିନ୍ନ ସ୍ଥାନରେ ବୈଠକ ଓ ଶୋଭାଯାତ୍ରାର ଆୟୋଜନ କରୁଛନ୍ତି, ପୋଲିସ ଓ ଶାସକ ଦଳର ସମ୍ମିଳିତ ବଳର ମୁହାଁମୁହିଁ ମୁକାବିଲା କରୁଛନ୍ତି। ରନ୍ଧାଘର ଉପକରଣ ସହିତ ଲାଠି, ଝାଡ଼ୁ, ଦାଆ ଏବଂ କା ଟାରି (ବଡ଼ ଛୁରୀ ଭଳି କଟାକଟିରେ ବ୍ୟବହୃତ ଉପକରଣ) ଭଳି ଚାଷକାମରେ ବ୍ୟବହୃତ ଉପକରଣକୁ ଅସ୍ତ୍ର ରୂପେ ବ୍ୟବହାର କରି ଲଢ଼ିବାକୁ ବାହାରିଛନ୍ତି।

ହୋରିନ୍‌ସିଙ୍ଗା ଗାଁରେ ଚମକୁଛି ଶୀତ ଅପରାହ୍‌ଣର ଉଜ୍ଜ୍ୱଳ ସୂର୍ଯ୍ୟ। ଗାଁର ପ୍ରବେଶ ପଥରେ ଅବସ୍ଥିତ ତାଙ୍କ ପଡ଼ୋଶୀ ଲବସାଙ୍କ ଟାଇଲ୍‌ ଛାତ ଓ ଇଟା ତିଆରି ଘର ଅଗଣାରେ ଠିଆ ହୋଇ ଆମ ସହ କଥାବାର୍ତ୍ତା କରୁଛନ୍ତି ଆପନକୁଡ଼ି।

“ଆମ ଜମି ନେବାକୁ ହେଲେ ସେମାନଙ୍କୁ ଆମ ଜୀବନ ନେବାକୁ ପଡ଼ିବ,” ଆଲୋଚନାରେ ଭାଗ ନେଇ ଲବସା ହେମ୍ବ୍ରମ୍‌ କହନ୍ତି। ପାଣି ମିଶା ଭାତ ସହିତ ଗତ ରାତିର ବଳକା ପରିବା ତରକାରିକୁ ନେଇ ମଧ୍ୟାହ୍ନ ଭୋଜନ ଆରମ୍ଭ କରନ୍ତି ସେ। ୪୦ ବର୍ଷୀୟ ଲବସା ଏକ କ୍ରସରରେ କାମ କରନ୍ତି। ସେଠାରେ ବଡ଼ ବଡ଼ ପଥରକୁ ମେସିନ୍‌ରେ ଭଙ୍ଗାଯାଏ। କ୍ରସରରେ କାମ କଲେ ଦିନକୁ ୨୦୦ରୁ ୫୦୦ ଟଙ୍କା ଯାଏ ମଜୁରି ମିଳେ।

Women at work in the fields. Most of the families in these villages own agricultural land where they primarily cultivate paddy. It was harvest time when the artist visited Deocha
PHOTO • Labani Jangi

କ୍ଷେତରେ କାର୍ଯ୍ୟରତ ମହିଳାମାନେ। ଏହି ସବୁ ଗାଁର ଅଧିକାଂଶ ପରିବାର ସେମାନଙ୍କ ମାଲିକାନାରେ ଥିବା ଚାଷଜମିରେ ମୁଖ୍ୟତଃ ଧାନଚାଷ କରନ୍ତି। ଏହି ଚିତ୍ରକରଙ୍କ ଦେଓଚା ଗସ୍ତ କାଳ ଥିଲା ଫସଲ ଅମଳ ସମୟ

ହୋରିନସିଙ୍ଗା ଗାଁର ଅଧିକାଂଶ ଲୋକ ଆଦିବାସୀ। ଗାଁରେ କେତେକ ଦଳିତ ହିନ୍ଦୁ ଏବଂ ବହୁ ବର୍ଷ ତଳେ ଓଡ଼ିଶାରୁ ଆସିଥିବା ଉଚ୍ଚ ଜାତିର ପ୍ରବାସୀ ଶ୍ରମିକ ମଧ୍ୟ ବସବାସ କରନ୍ତି।

ଆପନକୁଡ଼ି, ଲବସା ଓ ଅନ୍ୟମାନଙ୍କ ମାଲିକାନାରେ ଥିବା ଚାଷଜମି ଦେଓଚା-ପାଚମୀ-ଦୀୱାନଗଞ୍ଜ-ହୋରିନସିଙ୍ଗା ନାଁରେ ପରିଚିତ ବିସ୍ତୃତ କୋଇଲା ଅଞ୍ଚଳର ଭୂମି ଉପର ଭାଗରେ ରହିଛି। ଜିଲ୍ଲା ପ୍ରଶାସନର କହିବା ଅନୁସାରେ, ପଶ୍ଚିମବଙ୍ଗ ବିଦ୍ୟୁତ୍‌ ଶକ୍ତି ଉନ୍ନୟନ ନିଗମ ଅଧୀନରେ ରହିଥିବା ଏହି କୋଇଲା ଅଞ୍ଚଳରୁ ଖୁବ୍‌ ଶୀଘ୍ର କୋଇଲା ଉତ୍ତୋଳନ କାମ ଆରମ୍ଭ ହେବ। ଏଠାରେ କାର୍ଯ୍ୟକାରୀ ହେବାକୁ ଥିବା ଖୋଲା ମୁହଁ କୋଇଲା ଖଣି ହେବ ଏସିଆର ସର୍ବବୃହତ୍‌ ଏବଂ ପୃଥିବୀର ଦ୍ୱିତୀୟ ବୃହତ୍ତମ। ଏହି କୋଇଲା ଖଣି ଅଞ୍ଚଳର ଆକାର ୧୨.୩୧ ବର୍ଗ କିଲୋମିଟର ବା ୩,୪୦୦ ଏକର ହେବ।

ଏହି ଖଣି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ, ଏଥିରେ ବୀରଭୂମ ଜିଲ୍ଲାର ମହମ୍ମଦ ବଜାର ବ୍ଲକ୍‌ ଅନ୍ତର୍ଗତ ହାଟଗାଚ୍ଛା, ମକଦୁମ ନଗର, ବାହାଦୁରଗଞ୍ଜ, ହୋରିନସିଙ୍ଗା, ଚାନ୍ଦା, ସାଲୁକା, ଦୀୱାନଗଞ୍ଜ, ଆଲିନଗୋର, କାବିଲନଗୋର ଏବଂ ନିଶ୍ଚିନ୍ତପୁର ମୌଜାର ଚାଷଜମି ବିଲୀନ ହୋଇଯିବ।

ଦେଓଚା ପାଚମୀରେ ଚାଲିଥିବା ଖଣି ବିରୋଧୀ ଜନ ଆନ୍ଦୋଳନରେ ଏହି ମହିଳାମାନେ ଭାଗ ନେଇଛନ୍ତି। ଲବସା କହନ୍ତି, “ଆମେ (ପୂରା ଗାଁ) ଏଥର ଏକାଠି ହୋଇଛୁ। ଏହି ଜମି ଖଣ୍ଡକ ବାହାରର କୌଣସି ଲୋକ ହାତକୁ ଆଦୌ ଯିବ ନାହିଁ। ଆମେ ମନପ୍ରାଣ ଦେଇ ଏହାର ବିରୋଧ କରିବୁ।”

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସେମାନଙ୍କ ଭଳି ହଜାର ହଜାର ବାସିନ୍ଦା ସେମାନଙ୍କର ବାସଗୃହ ଓ ଚାଷଜମି ହରାଇବେ। କିନ୍ତୁ ‘ପରବର୍ତ୍ତୀ ୧୦୦ ବର୍ଷ ଧରି ବିକାଶର ଆଲୋକରେ ପଶ୍ଚିମ ବଙ୍ଗ ଉଦ୍‌ଭାସିତ ହେବ’ ବୋଲି ସରକାରୀ ଅଧିକାରୀମାନେ ଯେଉଁ ଦୃପ୍ତ ଘୋଷଣା କରିଆସୁଛନ୍ତି ତାହା ସମ୍ଭବ ହେବ ନାହିଁ।

ସେଇ ‘ଆଲୋକ’ର ଠିକ୍‌ ତଳେ ଘନେଇ ଆସୁଛି ଅନ୍ଧକାର। ବୋଧହୁଏ ଏହା ହିଁ ସେହି ଜମାଟ ବାନ୍ଧିଥିବା କୋଇଲା। ପରିବେଶ ଉପରେ ବି ଏହି ପ୍ରକଳ୍ପର ବିନାଶକାରୀ ପ୍ରଭାବ ପଡ଼ିବ।

Women leading the protest movement against the Deocha-Pachami coal mine
PHOTO • Labani Jangi

ମହିଳାମାନେ ଦେଓଚା ପାଚମୀ କୋଇଲା ଖଣି ପ୍ରକଳ୍ପ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି

ଏହି ପ୍ରକଳ୍ପ ପ୍ରତିବାଦରେ ୨୦୨୧ ଡିସେମ୍ବରରେ ପ୍ରକାଶିତ ଏକ ବିବୃତିରେ ପଶ୍ଚିମ ବଙ୍ଗର କେତେକ ପରିବେଶବିତ୍‌ ଏବଂ ପରିବେଶ କର୍ମୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ବିବୃତିରେ ଦର୍ଶାଯାଇଥିଲା, “ଖୋଲା ମୁହଁ କୋଇଲା ଖଣି କାର୍ଯ୍ୟକାରୀ ହେଲେ ଏହାର ଉପର ଭାଗରେ ହଜାର ହଜାର ବର୍ଷ ଧରି ସୃଷ୍ଟ ଉର୍ବର ମାଟି ନଷ୍ଟ ହୋଇ ବର୍ଜ୍ୟବସ୍ତୁ ଗଦାରେ ପରିଣତ ହେବ। ଏହା ଫଳରେ କେବଳ ଯେ ଭୂସ୍ଖଳନ ସଂଘଟିତ ହେବ ତାହା ନୁହେଁ, ବରଂ ଉଭୟ ସ୍ଥଳଭାଗ ଓ ଜଳଭାଗରେ ପରିବେଶଗତ ସନ୍ତୁଳନ ବହୁଳ ମାତ୍ରାରେ ନଷ୍ଟ ହୋଇଯିବ। ବର୍ଷା ଋତୁରେ ବର୍ଜ୍ୟବସ୍ତୁର ଏହି ସ୍ତୁପଗୁଡ଼ିକ ଧୋଇ ହୋଇ ଏ ଅଞ୍ଚଳରେ ପ୍ରବାହିତ ନଦୀଶଯ୍ୟାରେ ଜମା ହୋଇ ରହିବ ଏବଂ ଏହା ଫଳରେ ଅନିଚ୍ଛାକୃତ ବନ୍ୟା ହେବ। (…) ଏହା ଯୋଗୁଁ ଭୂତଳ ଜଳପ୍ରବାହରେ ଯେଉଁ ବାଧା ଉପୁଜିବ, ତାହା କେବଳ ଏହି ଅଞ୍ଚଳରେ ସୀମିତ ରହିବ ନାହିଁ, ବରଂ ଏହା ସହିତ କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ଉତ୍ପାଦନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବା ସହିତ ସମଗ୍ର ଅଞ୍ଚଳର ପରିବେଶଗତ ସନ୍ତୁଳନ କ୍ଷତିଗ୍ରସ୍ତ ହେବ।”

ଆନ୍ଦୋଳନକାରୀ ମହିଳାମାନେ ଧା ମସା ମା ଦୋ ଉପରେ ମଧ୍ୟ ନିର୍ଭର କରୁଛନ୍ତି। ଏଗୁଡ଼ିକ କେବଳ ବାଦ୍ୟଯନ୍ତ୍ର ନୁହେଁ, ବରଂ ଆଦିବାସୀ ସଂପ୍ରଦାୟର ସଂଘର୍ଷମୟ ଜୀବନ ସହିତ ଧା ମସା ମା ଦୋ ର ଅନ୍ତର୍ନିହିତ ସଂପର୍କ ରହିଛି। ସେମାନଙ୍କ ଜୀବନ ଓ ପ୍ରତିରୋଧର ପ୍ରତୀକ ଏହି ବାଦ୍ୟଯନ୍ତ୍ରର ତାଳେ ତାଳେ ସମ୍ମିଶ୍ରିତ ହୋଇଛି ସେମାନଙ୍କ ବର୍ତ୍ତମାନ ଆନ୍ଦୋଳନର ଏହି ସ୍ଲୋଗାନ୍‌ – “ ବୁ ୟା ଦିଶମ୍‌, ଆ ବୁ ୟା ରାଜ୍‌ (ଆମ ଦେଶ, ଆମ ଶାସନ)।”

ଏହି ଲଢ଼େଇରେ ଭାଗ ନେଇଥିବା ମହିଳା ଓ ଅନ୍ୟମାନଙ୍କ ପ୍ରତି ସମର୍ଥନ ଜଣାଇ ମୁଁ ଦେଓଚା ପାଚମୀ ଗସ୍ତ କରିଥିଲି ଏବଂ ଏହି ସବୁ ଚିତ୍ର ଆଙ୍କିଥିଲି। ସରକାର ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ସଂପର୍କରେ ସେମାନେ ଯାହା କହିଲେ, ମୁଁ ଶୁଣିଲି- ସମସ୍ତଙ୍କ ପାଇଁ ଘର, ଥଇଥାନ କଲୋନିରେ ପକ୍କା ରାସ୍ତା, ପିଇବା ପାଣି, ବିଦ୍ୟୁତ ସଂଯୋଗ, ସ୍ୱାସ୍ଥ୍ୟ କେନ୍ଦ୍ର, ସ୍କୁଲ, ପରିବହନ ସୁବିଧା ଏବଂ ଆହୁରି ଅନେକ।

ବିଡ଼ମ୍ବନାର ବିଷୟ ଯେ, ସ୍ୱାଧୀନତାର ଏତେ ବର୍ଷ ବିତିଯିବା ପରେ ବି ଯାହା ସବୁ ମୌଳିକ ଅଧିକାର ପଦବାଚ୍ୟ ହେବା କଥା, ସେ ସବୁକୁ ଏବେ ମୂଲଚାଲ କରିବାର ଅସ୍ତ୍ର ରୂପେ ଉପଯୋଗ କରାଯାଉଛି।

ଯେ କୌଣସି ସ୍ଥିତିରେ ବି ସେମାନଙ୍କ ଜମି ଛାଡ଼ିବେ ନାହିଁ ବୋଲି ଦୃଢ଼ ନିଷ୍ପତ୍ତି ନେଇଥିବା ଲୋକେ ଏବେ ବୀରଭୂମ-ଜମି-ଜୀବନ-ଜୀବିକା-ପ୍ରକୃତି ବାଚାଓ (ଜମି, ଜୀବନ, ଜୀବିକା ଏବଂ ପ୍ରକୃତି ବଞ୍ଚାଅ) ମହାସଭା ନାମକ ସଂଗଠନ ଗଠନ କରି ଏକତ୍ର ହୋଇଛନ୍ତି। ସହରାଞ୍ଚଳର ଅନେକ ବ୍ୟକ୍ତି ଓ ସଂଗଠନ ଦେଓଚା ଗସ୍ତ କରି ଜମି ଅଧିଗ୍ରହଣ ବିରୋଧରେ ସଂଗ୍ରାମ କରୁଥିବା ଲୋକଙ୍କ ପ୍ରତି ସମର୍ଥନ ଜଣାଉଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସିପିଆଇଏମ୍‌ (ଏଲ୍‌) ଓ ଜୟ କିଷାନ ଆନ୍ଦୋଲନ ଏବଂ ‘ଏକୁଶେର ଡାକ୍‌’ ଭଳି ମାନବାଧିକାର ସଂଗଠନ।

ଚିରା ତାରପୁଲିନ୍‌ ଖଣ୍ଡରେ ତିଆରି ତାଙ୍କ ଅସ୍ଥାୟୀ ଶୌଚାଳୟ ଆଡ଼କୁ ଆଙ୍ଗୁଠି ଦେଖାଇ ହରିନସିଂଘା ଗାଁ ବାସିନ୍ଦା ସୁଶୀଲା ରାଉତ କହିଲେ, “ଯାଅ, ଏବଂ ତୁମ ସରକାରଙ୍କୁ ଏହି ଛବିଟି ଦେଖାଇ ଦିଅ।”

Sushila Raut and her husband are Odiya migrants, working at the stone crusher. Their makeshift house doesn't have a toilet
PHOTO • Labani Jangi

ସୁଶୀଲା ରାଉତ ଏବଂ ତାଙ୍କ ସ୍ୱାମୀ ପ୍ରବାସୀ ଓଡ଼ିଆ ଏବଂ ସେମାନେ ସେଠାକାର ପଥର କ୍ରସରରେ କାମ କରନ୍ତି। ସେମାନେ ରହୁଥିବା ଅସ୍ଥାୟୀ ଘରେ ଶୌଚାଳୟଟିଏ ନାହିଁ

ଏଠାରୁ ପ୍ରାୟ ଘଣ୍ଟାକର ବାଟ ଦୂରରେ ଥିବା ଦୀୱାନଗଞ୍ଜ ଗାଁରେ ଆମେ ୮ମ ଶ୍ରେଣୀର ଛାତ୍ରୀ ହୁସ୍‌ନହାରାଙ୍କୁ ଭେଟିଲୁ। ଦେଓଚା ଗୌରଙ୍ଗିନୀ ହାଇସ୍କୁଲର ଏହି ଛାତ୍ରୀ ଜଣକ ପଚାରନ୍ତି, “ଏତେ ଦିନ ଧରି ସରକାର ଆମ କଥା ଭାବି ନଥିଲେ। ଏବେ ସେମାନେ କହୁଛନ୍ତି ଯେ ଆମମାନଙ୍କ ଘର ତଳେ କୁଆଡ଼େ ପ୍ରଚୁର କୋଇଲା ରହିଛି। ଏସବୁ ପଛରେ ଛାଡ଼ି ଆମେ କେଉଁଠିକି ଯିବୁ?”

ପ୍ରତିଦିନ ସ୍କୁଲକୁ ଯିବାଆସିବା କରିବା ଲାଗି ତାଙ୍କୁ ମୋଟ ତିନି ଘଣ୍ଟା ଲାଗିଥାଏ। ତାଙ୍କ କହିବା କଥା ଯେ, ହାଇସ୍କୁଲ କଥା ଛାଡ଼ନ୍ତୁ, ସରକାର ତାଙ୍କ ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ବି କରିନାହାନ୍ତି। ସେ କହନ୍ତି, “ସ୍କୁଲକୁ ଯିବା ବେଳେ ମୋତେ ଏକା ଏକା ଲାଗେ ସତ, ଅଥଚ ମୁଁ ପାଠପଢ଼ା ଛାଡ଼ିନାହିଁ।” ଲକ୍‌ଡାଉନ୍‌ ସମୟରେ ତାଙ୍କର ବହୁ ସାଙ୍ଗ ଅଧାରୁ ସ୍କୁଲ ଛାଡ଼ି ଦେଇଥିଲେ। “ଆଜିକାଲି ରାସ୍ତାଘାଟରେ ଅନେକ ବାହାର ଲୋକ ଏବଂ ପୋଲିସ ବୁଲୁଛନ୍ତି। ତେଣୁ ଆମ ଘରଲୋକେ ଡରି ଯାଇଛନ୍ତି ଏବଂ ମୁଁ ସ୍କୁଲକୁ ଯାଇପାରୁନାହିଁ।”

ହୁସ୍‌ନହାରାଙ୍କ ଜେଜେମାଆ ଲାଲବାନୁ ବିବି ଏବଂ ମାଆ ମୀନା ବାଇ ତାଙ୍କ ଅଗଣାରେ ଢିଙ୍କିରେ ଚାଉଳ କୁଟୁଥିଲେ। ସେମାନଙ୍କ ସହିତ ଥାଆନ୍ତି ଆନ୍ତୁମା ବିବି ଏବଂ ସେ ଅଞ୍ଚଳର ଆଉ କେତେକ ମହିଳା। ଶୀତଦିନେ ଗାଁର ଏହି ମହିଳାମାନେ ଚାଉଳ ଗୁଣ୍ଡ ତିଆରି କରି ବିକ୍ରି କରନ୍ତି। ଆନ୍ତୁମା ବିବି କହନ୍ତି, “ଆମ ଦୀୱାନଗଞ୍ଜରେ ନା ଭଲ ରାସ୍ତାଟିଏ ଅଛି, ନା ଅଛି ସ୍କୁଲ, ନା ହାସପାତାଳ। କେହି ଯଦି ରୋଗରେ ପଡ଼ନ୍ତି ତାଙ୍କୁ ଦେଓଚାକୁ ନେଇଯିବାକୁ ପଡ଼େ। ଗର୍ଭବତୀ ଯୁବତୀମାନଙ୍କ ପାଇଁ ଏହା କେତେ କଷ୍ଟକର କଥା ତାହା ଆପଣ ଅନୁମାନ କରିପାରିବେ ? ଏବେ ସରକାର ବିକାଶ କଥା କହୁଛନ୍ତି। କି ବିକାଶ ?”

ଦୀୱାନଗଞ୍ଜରୁ ଦେଓଚା ହାସପାତାଳକୁ ଯିବା ଲାଗି ପ୍ରାୟ ଘଣ୍ଟାଏ ଲାଗେ ବୋଲି ଆନ୍ତୁମା ବିବି ଆମକୁ ଜଣାଇ ଦିଅନ୍ତି। ଏଠାକାର ସବୁଠାରୁ ପାଖ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ପାଚମୀରେ। ସେଠାକୁ ନହେଲେ ମହମ୍ମଦ ବଜାରର ସରକାରୀ ହାସପାତାଳକୁ ଯିବାକୁ ପଡ଼ିବ। ସେ ହାସପାତାଳକୁ ଯିବା ଲାଗି ମଧ୍ୟ ଘଣ୍ଟାଏ ଲାଗେ। ଯଦି ରୋଗୀ ଅବସ୍ଥା ଗୁରୁତର ହୋଇଥାଏ, ତେବେ ସେମାନଙ୍କୁ ସିଓଡ଼ି ହାସପାତାଳକୁ ଯିବାକୁ ପଡ଼େ।

Sushila Raut and her husband are Odiya migrants, working at the stone crusher. Their makeshift house doesn't have a toilet
PHOTO • Labani Jangi

ଦୀୱାନଗଞ୍ଜର ଜଣେ ସ୍କୁଲ ଛାତ୍ରୀ ହୁସ୍‌ନହାରା ଏବଂ ସାଇକେଲରେ ସ୍କୁଲକୁ ଯା’ଆସ କରିବାରେ ତାଙ୍କୁ ପ୍ରାୟ ତିନି ଘଣ୍ଟା ଲାଗିଥାଏ। ସେ ଅଞ୍ଚଳରେ ପୋଲିସ ଓ ବାହାର ଲୋକଙ୍କ ଉପସ୍ଥିତି ସତ୍ତ୍ୱେ ଏହି ୮ମ ଶ୍ରେଣୀର ଛାତ୍ରୀ ଜଣକ ସ୍କୁଲ ପଢ଼ା ଅବ୍ୟାହତ ରଖିବାକୁ ଚାହାଁନ୍ତି

Tanzila Bibi is annoyed by the presence of nosy outsiders and says, 'We have only one thing to say, we will not give up our land'
PHOTO • Labani Jangi

ବାହାର ଲୋକ ଆସି ସେମାନଙ୍କ କଥାରେ ମୁଣ୍ଡ ପୂରାଉଥିବାରୁ ବିରକ୍ତ ହୁଅନ୍ତି ତାନ୍‌ଜିଲା ବିବି ଏବଂ କହନ୍ତି, ‘ଆମର କେବଳ ଗୋଟିଏ କଥା କହିବାର ଅଛି ଯେ ଆମେ ଆମ ଜମି ଛାଡ଼ିବୁ ନାହିଁ’

ଏହି ସବୁ ମହିଳାମାନଙ୍କର ସ୍ୱାମୀମାନେ ବିଭିନ୍ନ ପଥର ‘କ୍ୱାରୀ’ରେ କାମ କରନ୍ତି ଏବଂ ଦିନକୁ ୫୦୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ମଜୁରି ପାଆନ୍ତି। ଏହି ରୋଜଗାରରେ ସେମାନଙ୍କ ପରିବାର ଚଳେ। ସରକାରୀ ସୂତ୍ର ଅନୁସାରେ, ଏହି ଖଣି ଅଞ୍ଚଳର ପ୍ରାୟ ୩,୦୦୦ ଲୋକ ବିଭିନ୍ନ ପଥର କ୍ୱାରୀ ଏବଂ କ୍ରସରରେ କାମ କରନ୍ତି ଏବଂ ଜମି ହରାଇବା ବାବଦର ସେମାନଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ।

ଗାଁର ମହିଳମାନେ ଆଶଙ୍କା କରନ୍ତି ଯେ ସେମାନଙ୍କୁ ଗାଁରୁ ସ୍ଥାନାନ୍ତର କରାଗଲେ, ପଥର ଭାଙ୍ଗି ସେମାନେ କରୁଥିବା ରୋଜଗାର ବନ୍ଦ ହୋଇଯିବ। ସରକାର ଚାକିରି ଦେବେ ବୋଲି ଦେଇଥିବା ପ୍ରତିଶ୍ରୁତି ଉପରେ ସେମାନଙ୍କର ସନ୍ଦେହ ରହିଛି। ସେମାନେ କହନ୍ତି ଯେ, ଏହି ଗାଁରେ ଅନେକ ଶିକ୍ଷିତ ଯୁବକଯୁବତୀଙ୍କୁ ଚାକିରି ମିଳିନି ଏବଂ ସେମାନେ ବେକାର ବସିଛନ୍ତି।

ତାନ୍‌ଜିଲା ବିବି ଧାନ ଶୁଖାଉଛନ୍ତି ଏବଂ ସେଠାକୁ ପଶି ଆସୁଥିବା ଛେଳିମାନଙ୍କୁ ଘଉଡ଼ାଇବା ପାଇଁ ହାତରେ ଗୋଟିଏ ବାଡ଼ି ଧରିଛନ୍ତି। ଆମକୁ ଦେଖିବା ମାତ୍ରେ ହାତରେ ବାଡ଼ି ଧରିଥିବା ଅବସ୍ଥାରେ ହିଁ ସେ ଆମ ଆଡ଼କୁ ଦୌଡ଼ି ଆସିଲେ। “ତମେମାନେ ଗୋଟିଏ କଥା ଶୁଣିବ, ଆଉ ଗୋଟିଏ କଥା ଲେଖିବ। କାହିଁକି ଆମ ସାଙ୍ଗରେ ଏମିତି ଖେଳ ଖେଳୁଛ ? ମୁଁ ତମମାନଙ୍କୁ କହି ରଖୁଛି, ମୁଁ ମୋ ଘର ଛାଡ଼ିବି ନାହିଁ, ଏବଂ ସେଇଟା ହିଁ ଶେଷକଥା। ଆମ ଜୀବନକୁ ନଷ୍ଟ କରିଦେବା ପାଇଁ ସେମାନେ ପୋଲିସ ପଠାଇଛନ୍ତି। ଆଜିକାଲି ସବୁଦିନ ସାମ୍ବାଦିକମାନଙ୍କୁ ପଠାଉଛନ୍ତି।” ଏତିକି କହିବା ପରେ ଆହୁରି ତୀବ୍ର ସ୍ୱରରେ ସେ କହନ୍ତି, “ଆମର କେବଳ ଗୋଟିଏ କଥା କହିବାର ଅଛି ଯେ, ଆମେ ଆମ ଜମି ଛାଡ଼ିବୁ ନାହିଁ।”

୨୦୨୧ରୁ ୨୦୨୨ ମଧ୍ୟରେ ମୁଁ ସେଠାକୁ ଯାଇଥିବା ସମୟରେ ଯେଉଁ ମହିଳାମାନଙ୍କୁ ଭେଟିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଜମି ଉପରେ ସେମାନଙ୍କ ଅଧିକାର ହାସଲ ପାଇଁ ଲଢ଼େଇରେ ସାମିଲ ହୋଇଛନ୍ତି। ପରବର୍ତ୍ତୀ ସମୟରେ ଆନ୍ଦୋଳନ ଧିମେଇ ଯାଇଛି ସିନା, ଏହି ମହିଳାମାନଙ୍କ ପ୍ରତିବାଦର ସ୍ୱରରେ ସେଇ ଦୃଢ଼ତା ରହିଛି। ଶୋଷଣ ଓ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଆସିଛନ୍ତି ଏହି ମହିଳା ଓ ଝିଅମାନେ। ଅନ୍ୟାୟ ପ୍ରତିବାଦରେ ଏବଂ , ଜଙ୍ଗଲ, ଜମୀନ୍‌ (ଜଳ, ଜଙ୍ଗଲ ଏବଂ ଜମି) ପାଇଁ ସେମାନଙ୍କ ଗର୍ଜନ ନିରନ୍ତର ପ୍ରତିଧ୍ୱନିତ ହୋଇଆସୁଛି ଏବଂ ହେଉଥିବ।

There is solidarity among the women who are spearheading the protests
PHOTO • Labani Jangi

ଆନ୍ଦୋଳନର ନେତୃତ୍ୱ ନେଉଥିବା ମହିଳାଙ୍କ ମଧ୍ୟରେ ଐକ୍ୟଭାବ ବଳବତ୍ତର ରହିଛି

ଅନୁବାଦ: ଓଡ଼ିଶାଲାଇଭ୍‍

Labani Jangi

लाबनी जंगी साल 2020 की पारी फ़ेलो हैं. वह पश्चिम बंगाल के नदिया ज़िले की एक कुशल पेंटर हैं, और उन्होंने इसकी कोई औपचारिक शिक्षा नहीं हासिल की है. लाबनी, कोलकाता के 'सेंटर फ़ॉर स्टडीज़ इन सोशल साइंसेज़' से मज़दूरों के पलायन के मुद्दे पर पीएचडी लिख रही हैं.

की अन्य स्टोरी Labani Jangi
Editor : Sarbajaya Bhattacharya

सर्वजया भट्टाचार्य, पारी के लिए बतौर सीनियर असिस्टेंट एडिटर काम करती हैं. वह एक अनुभवी बांग्ला अनुवादक हैं. कोलकाता की रहने वाली सर्वजया शहर के इतिहास और यात्रा साहित्य में दिलचस्पी रखती हैं.

की अन्य स्टोरी Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE