“ପ୍ରଥମ ଦିନ ମଜିଦାନ୍ ମୋ ହାତକୁ ଏମିତି ଚଟକଣିଟିଏ ବାଡ଼େଇ ଦେଲେ,” ମଜାଳିଆ ଢଙ୍ଗରେ ସେଦିନର ସେହି ମୁହୂର୍ତ୍ତକୁ ପୁଣି ଜୀବନ୍ତ କରି ତୋଳିବା ଉଦ୍ଦେଶ୍ୟରେ କହନ୍ତି ୬୫ ବର୍ଷୀୟା କରସେଦ ବେଗମ । ପୁରୁଣା ଦିନର କଥାରେ ଉତ୍ଫୁଲ୍ଲ ହୋଇ ଉଠନ୍ତି ତାଙ୍କ ପାଖରେ ବସିଥିବା ମଜିଦାନ ବେଗମ ଏବଂ ସେହି ଏକା ଢଙ୍ଗରେ କରସେଦଙ୍କ ଆଗକୁ ବଢ଼ିଥିବା ହାତରୁ ନିଜକୁ ଦୂରେଇ ନିଅନ୍ତି । “ପ୍ରଥମରୁ ସୂତାରେ କେମିତି କାମ କରିବାକୁ ହେବ, ସେ କଥା କରସେଦ ଜାଣି ନଥିଲେ । ମୁଁ ତାଙ୍କ ହାତକୁ ଥରଟିଏ ଯାହା ବାଡ଼େଇଛି,” ସେ କହନ୍ତି ଏବଂ ସାଙ୍ଗେ ସାଙ୍ଗେ କଥା ଯୋଡ଼ନ୍ତି, “ତା’ପରେ ସେ ଅତି ଶୀଘ୍ର ଶିଖିଗଲେ ଯେ ।”
ପଞ୍ଜାବର ଭଟିଣ୍ଡା ଜିଲ୍ଲା ଅନ୍ତର୍ଗତ ଏହି ଗାଁର ନାଁ ଘଣ୍ଡା ବନା । ଏଠାରେ ରହନ୍ତି ଏହି ଦୁଇ ବୟସ୍କା ମହିଳା, ମଜିଦାନ୍ ଏବଂ କରସେଦ । ସୂତା, ଝୋଟ ଏବଂ ଏମିତି କି ପୁରୁଣା କପଡ଼ାରୁ ସୂକ୍ଷ୍ମ ବୁଣାକାମ ବିଶିଷ୍ଟ ଆକର୍ଷଣୀୟ ଦରି (ଦରି) ବୁଣି ଦୁହେଁ ଖ୍ୟାତି ଅର୍ଜିଛନ୍ତି ।
କରସେଦ୍ କହନ୍ତି, “କେମିତି ଦରି ବୁଣିବାକୁ ହୁଏ, ସେ କଥା ମୁଁ ୩୫ ବର୍ଷ ବୟସରେ ମଜିଦାନ୍ଙ୍କ ପାଖରୁ ଶିଖିଲି । “ସେବେଠାରୁ, ଆମେ ଏକାଠି ଦରି ବୁଣି ଆସୁଛୁ,” ୭୧ ବର୍ଷୀୟା ମଜିଦାନ୍ କହନ୍ତି । ଏହା କେବଳ ଜଣେ ଲୋକର କାମ ନୁହେଁ, କିନ୍ତୁ ଦୁଇ ଜଣଙ୍କ ପାଇଁ କାମ ।”
ଦୁଇ ଭାଇଙ୍କୁ ବିବାହ କରିଥିବାରୁ ଦୁହେଁ ଦୁହିଁଙ୍କର ସଂପର୍କୀୟ ଏବଂ ପ୍ରସଙ୍ଗକ୍ରମେ ସେମାନେ ପରସ୍ପରକୁ ଭଉଣୀ ଏବଂ ପରିବାର ସଦସ୍ୟା ବୋଲି ଅଭିହିତ କରିଥାଆନ୍ତି । “ନିଜ ଭଉଣୀ ତୁଳନାରେ କୌଣସି ତଫାତ୍ ଆମେ ଅନୁଭବ କରୁନାହିଁ,” କରସେଦ କହନ୍ତି । ତୁରନ୍ତ କଥା ଯୋଡ଼ନ୍ତି ମଜିଦାନ୍, “ଯଦିଓ ଆମ ଦୁହିଁଙ୍କର ପ୍ରକୃତି ପୂରା ଓଲଟା ।” କଥା ଶେଷ ନହେଉଣୁ ତୁରନ୍ତ କହି ଉଠନ୍ତି କରସେଦ, “ସେ ସିଧାସଳଖ ମୁହଁ ଉପରେ କହିଦିଅନ୍ତି । ହେଲେ, ମୁଁ ଚୁପ୍ ରହେ ।”
ମଜିଦାନ୍ ଓ କରସେଦ, ଦୁହେଁ କିଛି ଘଣ୍ଟା ମାତ୍ର ଦରି ବୁଣିବାରେ ବିତାନ୍ତି ଏବଂ ଅନ୍ୟ ସମୟରେ, ନିଜ ନିଜର ପରିବାର ଚଳାଇବାରେ ସାହାଯ୍ୟ କରିବା ଲାଗି ଘରୋଇ ସହାୟକ ରୂପେ କାମ କରି ଅଳ୍ପ କେଇ ହଜାର ଟଙ୍କା ରୋଜଗାର କରନ୍ତି । ସେମାନଙ୍କ ବୟସର ମହିଳାମାନଙ୍କ କଥା ବିଚାର କଲେ, ଉଭୟ ପ୍ରକାର କାମରେ ଖୁବ୍ ଶାରୀରିକ ପରିଶ୍ରମ ଲୋଡ଼ା ହୁଏ ।
ଇଦ୍ ପର୍ବର ଭିଜା ଭିଜା ଉଷ୍ମ ସକାଳରେ ଘଣ୍ଡା ବନାର ଅଣଓସାରିଆ ଗଳି ଦେଇ ମଜିଦାନ୍ କରସେଦଙ୍କ ଘର ଆଡ଼କୁ ଆଗେଇ ଚାଲୁଥାଆନ୍ତି । “ଏ ଗାଁର ପ୍ରତିଟି ପରିବାର ମୋତେ ଦୁଆର ଖୋଲି ସ୍ୱାଗତ କରିବେ,” ଗର୍ବର ସହ ସେ କହନ୍ତି । “ବର୍ଷ ବର୍ଷ ଧରି ମୁଁ ଯେତେ କାମ କରିଆସିଛି, ତାହା ସେତିକି ।”
ସେମାନଙ୍କର ଖ୍ୟାତି ଗାଁର ସୀମା ବାହାରକୁ ମଧ୍ୟ ବ୍ୟାପିଯାଇଛି । ସେ ଦୁହେଁ ଏବେ ଦରି କରିପାରିବେ କି ନାହିଁ ବୋଲି ଦୂର ସ୍ଥାନରେ ରହୁଥିବା ଗ୍ରାହକମାନେ ବି ମଜିଦାନଙ୍କ ପାଖକୁ ଲୋକ ପଠାଇ ବୁଝି ନିଅନ୍ତି । “ହେଲେ ଫୁଲ, ଧପାଲି, ଏବଂ ରାମପୁର ଭଳି ପାଖ ଗାଁ ଓ ସହରର ଲୋକେ, ଯେଉଁମାନେ ଦରି ବୁଣିବା କାମରୁ ମୋତେ ଜାଣିଛନ୍ତି, ସିଧା ମୋ ଘରକୁ ଚାଲିଆସନ୍ତି,” ମଜିଦାନ୍ କହନ୍ତି ।
କିଛି ମାସ ତଳେ (୨୦୨୪ ଏପ୍ରିଲରେ) ‘ପରୀ’ ଯେତେବେଳେ ଦୁଇ କାରିଗରଙ୍କୁ ଭେଟିଥିଲା, ସେ ଦୁହେଁ ଘଣ୍ଡା ବନାର ଜଣେ ବାସିନ୍ଦାଙ୍କ ପାଇଁ ଗୋଟିଏ ଫୁଲକରୀ ଦରି , ବା ହାତରେ ଫୁଲ ବୁଣା ହୋଇଥିବା ଦରି ବୁଣିବାରେ ବ୍ୟସ୍ତ ଥିଲେ । ଖୁବ୍ ଶୀଘ୍ର ବାହା ହେବାକୁ ଯାଉଥିବା ଝିଅର ବାହାଘର ବେଳେ ଉପହାର ଦେବା ଲାଗି ଗ୍ରାହକଙ୍କ ପରିବାର ଏହି ଦରି ବୁଣିବାକୁ ବରାଦ ଦେଇଥିଲେ । “ଏହି ଦରିଟି ଝିଅର ଦାଜ (ବାହାଘର ଲୁଗାପଟା) ପାଇଁ,” ମଜିଦାନ୍ କହିଲେ ।
ଗ୍ରାହକ ଦେଇଥିବା ଭିନ୍ନ ଭିନ୍ନ ଦୁଇଟି ରଙ୍ଗର ସୂତାକୁ ମିଶାଇ ଦରିରେ ଫୁଲ ବୁଣା ଯାଇଥିଲା । “କୌଣସି ଫୁଲ ଡିଜାଇନ୍ କରିବା ବେଳେ ଆମେ ମଝିରେ ଯାଇଥିବା ଆଡ଼ସୂତାକୁ ଭିନ୍ନ ଭିନ୍ନ ରଙ୍ଗର କରିଥାଉ,” ମଜିଦାନ୍ ବୁଝାଇ କହନ୍ତି । କହିବା ବେଳେ ୧୦ଟି ଧଳା ଭରଣୀ (ଲମ୍ବ ବାଗରେ ରହିଥିବା ସୂତା)କୁ ଉଠାଇ ସେଗୁଡ଼ିକ ଭିତର ଦେଇ ଯାଇଥିବା ଗୋଟିଏ ହଳଦିଆ ମଝିସୂତାରେ (ଓସାରରେ ଦିଆଯାଇଥିବା ସୂତାରେ) ଲଗାଇବା ସହିତ ଆଉ ଏକ ନୀଳ ସୂତାରେ ଏହି ପ୍ରକ୍ରିୟାକୁ ଦୋହରାଇ ଚାଲନ୍ତି । ବୁଣିବା ବେଳେ ସେ ଏଥିରେ କିଛି ଖାଲି ସ୍ଥାନ ଛାଡ଼ି ଚାଲନ୍ତି ଏବଂ ସେଥିରେ ସବୁଜ ଓ କଳା ରଙ୍ଗର ଫୁଲଟିଏ ବୁଣନ୍ତି ।
“ଥରେ ଫୁଲ ତିଆରି ସରିଗଲେ, ଆମେ କେବଳ ଲାଲ ରଙ୍ଗର ଆଡ଼ସୂତା ବ୍ୟବହାର କରି ପ୍ରାୟ ଗୋଟିଏ ଫୁଟ୍ ଲମ୍ବର ଦରି ବୁଣିପାରିବୁ,” ମଜିଦାନ୍ କହନ୍ତି । ବସ୍ତ୍ର ମାପିବା ଲାଗି କୌଣସି ମାପ ଫିତା ନଥାଏ, ବଦଳରେ ମଜିଦାନ୍ ତାଙ୍କ ହାତ ଉପଯୋଗ କରି ଏହାକୁ ମାପନ୍ତି । ବୁଣାକାମ ଆରମ୍ଭ କରିବା ଦିନରୁ ହିଁ ସେ ଓ କରସେଦ ଏହିଭଳି କରିଆସୁଛନ୍ତି, କାରଣ ଦୁହିଁଙ୍କ ମଧ୍ୟରୁ କେହି ହେଲେ ସ୍କୁଲ ଯାଇନାହାନ୍ତି ।
ଦୁହେଁ ହାଥସ (ପାନିଆ ଭଳି ଉପକରଣ)ରେ ଆଡ଼ସୂତା ସଜାଡୁ ସଜାଡୁ ମଜିଦାନ୍ ପୁଣି କହନ୍ତି, “ଡିଜାଇନ୍ ସବୁ ମୋ ମୁଣ୍ଡରେ ଅଛି ।” ଏ ପର୍ଯ୍ୟନ୍ତ ସେ ଯେତେ ସବୁ ଦରି ବୁଣିଛନ୍ତି ସେଥିରୁ କେତୋଟିକୁ ନେଇ ସେ ଗର୍ବ କରନ୍ତି । ଗୋଟିକରେ ମୟୂର ଏବଂ ଅନ୍ୟଟିରେ ୧୨ଟି ପରୀୟାଁ (ପରୀମାନେ) ବୁଣା ହୋଇଥିବା ଦରି । ଏଗୁଡ଼ିକୁ ତାଙ୍କ ଝିଅର ବିବାହ ସମୟରେ ଦାଜ୍ ରେ ଦିଆଯାଇଥିଲା ।
*****
ମାଜିଦାନ ପକ୍କା ଘରେ ଥିବା ସେମାନଙ୍କ କାର୍ଯ୍ୟଶାଳାରେ ପ୍ରତିଟି କାର୍ଯ୍ୟରେ ଗୋଟି ଗୋଟି କରି ସବୁ କଥା ପ୍ରତି ସେମାନଙ୍କର ମନଯୋଗିତା ପ୍ରତିଫଳିତ ହୋଇଥାଏ । ସେହି କୋଠରିରେ ସେ ତାଙ୍କ ୧୦ ବର୍ଷର ନାତି ଇମ୍ରାନ ଖାନ ସହିତ କାମ କରନ୍ତି । ଏହି ୧୪x୪ ଆକାରର କୋଠରିଟିରେ ୧୦ ଫୁଟ ଲମ୍ବା ଧାତୁ ନିର୍ମିତ ଏକ ଫ୍ରେମ୍ ଥାଏ, ଯାହାକୁ ସ୍ଥାନୀୟ ଭାଷାରେ ‘ ଆଡ୍ଡା ’ କୁହାଯାଏ । ଏଥିରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ବସ୍ତ୍ର ବୁଣାଯାଏ । କୋଠରିରି ଅବଶିଷ୍ଟ ସ୍ଥାନରେ କେତେକ ଚାରପାଇ (ଦଉଡ଼ିଆ ଖଟ) ରହିଥାଏ । ଗୋଟିଏ କାନ୍ଥକୁ ଡେରା ହୋଇ ରହିଥିବା ବେଳେ ଆଉ ଗୋଟିଏ ଫ୍ରେମ୍ କଡ଼ରେ ପଡ଼ିଥାଏ; ଆଉ ଗୋଟିଏ ପଟେ ଷ୍ଟିଲ୍ର ବଡ଼ ବାକ୍ସ ଭିତରେ କପଡ଼ା ଓ ଅନ୍ୟାନ୍ୟ ଜିନିଷ ଭର୍ତ୍ତି ହୋଇଥାଏ । କୋଠରିକୁ ଆଲୋକିତ କରିବା ଲାଗି ମାତ୍ର ଗୋଟିଏ ବଲ୍ବ ଲାଗିଥାଏ । କିନ୍ତୁ, ସେମାନଙ୍କ କାମ ପାଇଁ ଆବଶ୍ୟକ ଆଲୋକ ପାଇବା ସକାଶେ ଦୁଆର ବାଟେ ଘର ଭିତରକୁ ପଡୁଥିବା ସୂର୍ଯ୍ୟାଲୋକ ଉପରେ ନିର୍ଭର କରନ୍ତି ମାଜିଦାନ୍ ଓ କାରସାଦ ।
ସେହି ୧୦ ଫୁଟ୍ ଲମ୍ବା ଧାତୁ ନିର୍ମିତ ଫ୍ରେମ୍ରେ ଭରଣୀ ବା ଲମ୍ବ ବାଗରେ ଥିବା ସୂତା ଗୁଡ଼ାଇବାରୁ ହିଁ ସେମାନେ କାମ ଆରମ୍ଭ କରନ୍ତି । “ ଦରି ବୁଣାରେ ସବୁଠାରୁ କଷ୍ଟକର କାମ ହେଲା ଭରଣୀରେ ସୂତା ଗୁଡ଼ାଇବା,” ମାଜିଦାନ୍ କହନ୍ତି । ଦୃଢ଼ ଭାବେ ଗୁଡ଼ା ହୋଇଥିବା ଭରଣୀ ସୂତାକୁ ଗୋଟିଏ ଧାତବ ଦଣ୍ଡ ଚାରିପଟେ ଲମ୍ବ ବାଗରେ ଟଣାଯାଏ ।
ସେମାନେ ବୁଣିବାକୁ ଯାଉଥିବା କାରୁକାର୍ଯ୍ୟପୂର୍ଣ୍ଣ କପଡ଼ାକୁ ଧରି ରଖିବା ଲାଗି ଥିବା ଧାତୁ ନିର୍ମିତ ଫ୍ରେମ୍ ଉପରେ ରଖାଯାଇଥିବା ଗୋଟିଏ କାଠପଟା ଉପରେ ଦୁଇ ବୁଣାକାର ବସନ୍ତି । ସହଜରେ ଏବଂ ଶୀଘ୍ର ବୁଣିବା ସକାଶେ ବ୍ୟବହୃତ ତନ୍ତର ଏକ ଉପକରଣ ଚଳାଇବାରୁ, ଅର୍ଥାତ୍ ତନ୍ତର ଘୋଡ଼ଣି ଭଳି ଅଂଶକୁ ଖୋଲିବା ଓ ବନ୍ଦ କରିବାରୁ ହିଁ ସେମାନଙ୍କର ବୁଣାକାମ ଆରମ୍ଭ ହୁଏ । ତନ୍ତକୁ ଢାଙ୍କି ରଖିବା ଢଙ୍ଗରେ ଲାଗିଥିବା ଏହି ଅଂଶଟି ପ୍ରତି ଭରଣୀ ସୂତାକୁ ପରସ୍ପରଠାରୁ ଅଲଗା କରିଥାଏ । ଏଥିରୁ ହିଁ ଦରିର ଏକ ଆକୃତି ସୃଷ୍ଟି ହୁଏ ଏବଂ ବୁଣାକାମ ଶେଷରେ ଏହା ଦରିର ଡିଜାଇନରେ ପ୍ରତିଫଳିତ ହୁଏ ।
ଜଣେ ଅନ୍ୟ ଜଣଙ୍କ ସହିତ ଅଦଳବଦଳ କରି, ଆଡ଼ ବାଗରେ ବା ଭୂ-ସମାନ୍ତର ଭାବରେ ଲାଗିଥିବା ସୂତା ( ବାନା )କୁ ଭରଣୀ ସୂତା ( ତାନା ) ଭିତର ଦେଇ ଆଗକୁ ଆଗକୁ ବୁଣି ଚାଲନ୍ତି ଦୁଇ ବୁଣାକାର ମହିଳା । ଏଥିରେ ସୂକ୍ଷ୍ମ ଡିଜାଇନ୍ ସୃଷ୍ଟି କରିବା ଲାଗି ସେମାନେ ଏକ କାଠି ବ୍ୟବହାର କରନ୍ତି । ଦରିରେ ବିଭିନ୍ନ ଛବି ସୃଷ୍ଟି କରିବା ଲାଗି ମଜିଦାନ୍ ଭରଣୀକୁ ନିର୍ଦ୍ଦିଷ୍ଟ ଢଙ୍ଗରେ ଗୁଡ଼ାଇବାରେ ଲାଗନ୍ତି । ତାଙ୍କ କହିବା ଅନୁସାରେ “ଏ ସବୁ ତାଙ୍କ ମୁଣ୍ଡରେ ରହିଥିବା ଭାବନା ଭିତ୍ତିରେ ପ୍ରସ୍ତୁତ ହୋଇଥାଏ ।” କୌଣସି ଡିଜାଇନର ପ୍ରତିରୂପ କରିବା ସକାଶେ ତାଙ୍କ ପାଖରେ ପୂର୍ବରୁ ପ୍ରସ୍ତୁତ କୌଣସି ଢାଞ୍ଚା ବା ଷ୍ଟେନ୍ସିଲରେ କଟାଯାଇଥିବା ଡିଜାଇନ ନଥାଏ ।
କଷ୍ଟକର ମନେ ହେଉଥିଲେ ହେଁ ଆଜିକାଲି ଏହି କାମ ଖୁବ୍ ସହଜ ହୋଇଯାଇଛି । “ପୂର୍ବରୁ ଆମକୁ ଚାରି କୋଣରେ ଭୂମି ଉପରେ ବଡ଼ ବଡ଼ ଲୁହା କୀଲେ (କଣ୍ଟା) ବାଡ଼େଇବାକୁ ପଡୁଥିଲା । ତା ଉପରେ କାଠର କେତେକ ଦଣ୍ଡ ରଖି ଫ୍ରେମ୍ ତିଆରି କରିବା ପରେ ସେଥିରେ ଭରଣୀ ସୂତାକୁ ଗୁଡ଼ାଇ ବୁଣିବାକୁ ପଡୁଥିଲା,” କାରସାଦ କହନ୍ତି । “ପୂର୍ବରୁ ଆଡ୍ଡା କୁ ଘୁଞ୍ଚାଇବା ସମ୍ଭବ ନଥିଲା, ଯାହା ଏବେ ହୋଇପାରୁଛି,” ମଜିଦାନ୍ କହନ୍ତି । ତେଣୁ ଯେତେବେଳେ ବି ସେମାନେ ତନ୍ତ ବସାଇବାରେ କିଛି ପରିବର୍ତ୍ତନ ଚାହାଁନ୍ତି, “ଆମେ ଏହାକୁ ଟାଣି ଅଗଣାକୁ ନେଇଯାଉ ।”
ଦୁଇ ମହିଳା ବୁଣାକାରଙ୍କୁ ସେମାନଙ୍କ ପରିବାରରୁ ସେତେ ବେଶି ଆର୍ଥିକ ସହଯୋଗ ମିଳେନାହିଁ । ମଜିଦାନଙ୍କ ସାନପୁଅ ରିୟାସତ ଅଲୀ, ଟ୍ରକ୍ ଡ୍ରାଇଭର କାମ କରୁଥିଲେ । ଏବେ ସେ ଦିନକୁ ୫୦୦ ଟଙ୍କା ମଜୁରିରେ ଗୋଟିଏ ଗୋଶାଳାରେ କାମ କରୁଛନ୍ତି । ତାଙ୍କ ସବା ବଡ଼ପୁଅ ବର୍ଣ୍ଣାଲାରେ ସ୍ଥାନୀୟ ସାମ୍ବାଦିକ ଭାବେ କାର୍ଯ୍ୟରତ । କରସେଦଙ୍କ ଦୁଇ ପୁଅ ୱେଲଡର ଏବଂ ତୃତୀୟ ପୁଅ ଜଣେ ଦିନ ମଜୁରିଆ ।
କରସେଦଙ୍କ ବହୁ ପୂର୍ବରୁ ମଜିଦାନ୍ ବୁଣାକାମ ଆରମ୍ଭ କରିଥିଲେ । ଯଦିଓ, ତାଙ୍କୁ ସହିବାକୁ ପଡୁଥିବା ପାରିବାରିକ ଶୃଙ୍ଖଳାଗତ କାରସାଦି ସେତେଟା ଅଲଗା ନଥିଲା । “ମୋତେ ପାଠ ପଢ଼ାଇବାକୁ ମୋ ପରଜାୟୀ (ଭାଉଜ) ମୋ ଟୁଇ (ପିଚା)କୁ ପିଟି ଦେଉଥିଲେ,” ମଜିଦାନ୍ କହନ୍ତି । ଅନ୍ୟ ଜଣେ ଭାଉଜ ତାଙ୍କୁ ବୁଣାକାମ ଶିଖାଇଥିଲେ ।
“ଯଦିଓ ମୁଁ ବଦ୍ରାଗି ଝିଅଟିଏ ଥିଲି, ତଥାପି ମୁଁ ଚୁପ୍ ରହୁଥିଲି । କାରଣ ଶିଖିବାକୁ ମୋର ଆଗ୍ରହ ଥିଲା,” ଏବଂ “ପ୍ରଥମେ ପ୍ରଥମେ ଆଖିରେ ଲୁହ ଓ ମନରେ ହତାଶଭାବ ସତ୍ତ୍ୱେ” ସେ ଶିଖିଗଲେ, ତାହା ବି ମାସକରୁ କମ୍ ସମୟ ଭିତରେ ।
ବାପାଙ୍କ ମୃତ୍ୟୁ ପରେ ତାଙ୍କ ମାଆ ଥିଲେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଏବଂ ଏହି ସମୟରେ ହିଁ ମଜିଦାନଙ୍କ ଦୃଢ଼ ମନୋଭାବ ପରିଲକ୍ଷିତ ହେଲା । ଆରମ୍ଭରୁ ଅନାଗ୍ରହ ଭାବ ସତ୍ତ୍ୱେ, ମାଆଙ୍କୁ ସାହାଯ୍ୟ କରିବାକୁ ଅଡ଼ି ବସିଲେ ୧୪ ବର୍ଷ ବୟସର ମଜିଦାନ୍ । ପୁରୁଣା କଥା ମନେ ପକାଇ ମଜିଦାନ୍ କହନ୍ତି, “ମୁଁ ଝିଅଟିଏ,’ (ତେଣୁ ମୁଁ କରିପାରିବିନି) ବୋଲି କହି ବେବେ (ମାଆ) ମୋତେ ଧୀର ଭାବରେ ମନା କରିଦେଉଥିଲେ । “କିନ୍ତୁ ଝିଅଟିଏ କାହିଁକି ପରିବାରର ସହାୟତା କରିପାରିବ ନାହିଁ ବୋଲି ପ୍ରଶ୍ନ କରି ମୁଁ ଜିଦ୍ ଧରି ବସିଲି ।”
ତାଙ୍କ ପରିବାର ଉପରେ ଦେଶ ବିଭାଜନର ପ୍ରଗାଢ଼ ପ୍ରଭାବ ପଡ଼ିଥିଲା- ତାଙ୍କ ଅଜାଆଈଙ୍କ ପରିବାର ଲୋକେ ପାକିସ୍ତାନରେ ରହିଗଲେ । ଏହି କଥା ଏବେ ବି ମଜିଦାନଙ୍କ ମନରେ ବ୍ୟାକୁଳତା ସୃଷ୍ଟି କରେ । ୧୯୮୦ ଦଶକରେ ସେ ସେମାନଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ସାଙ୍ଗରେ ଉପହାର ନେଇଯାଇଥିଲେ- ଦୁଇଟି ହାତବୁଣା ଦରି, ଯାହାକୁ “ସେମାନେ ପ୍ରକୃତରେ ପସନ୍ଦ କରିଥିଲେ”, ସେ କହନ୍ତି ।
*****
ଘଣ୍ଟା ଘଣ୍ଟା ପରିଶ୍ରମ କରିବା ସତ୍ତ୍ୱେ, ଏହି ମହିଳାମାନେ ଗୋଟିଏ ସିଙ୍ଗଲ ଦରି ପିଛା ମାତ୍ର ୨୫୦ ଟଙ୍କା ରୋଜଗାର କରନ୍ତି । “ସାଧାରଣତଃ ଆମେ ଗୋଟିଏ ଦରି ବୁଣିବାକୁ ୧,୧୦୦ ଟଙ୍କା ପାଉଣା ଦାବି କରିଥାଉ । ଯଦି ଗ୍ରାହକ ସୂତ (ତନ୍ତୁସୂତା) ଆଣି ଦିଅନ୍ତି, ତେବେ ଆମେ କେବଳ ଆମ ପରିଶ୍ରମ ବାବଦରେ ୫୦୦ ଟଙ୍କା ନେଉ.” ମଜିଦାନ୍ ବୁଝାଇ କହନ୍ତି । “ମୁଁ କାମ ଆରମ୍ଭ କରିବା ସମୟରେ ପୂରା ଗୋଟିଏ ଦରି ବୁଣିଲେ ୨୦ ଟଙ୍କା ମିଳୁଥିଲା । ଆଜିକାଲି କେବେ କେମିତି ଆମର ଭଲ ରୋଜଗାର ହେଉଛି,” ମଜିଦାନ୍ କହନ୍ତି । “ଗାଁରେ ଏବେ କ୍ଷୀର ଲିଟରକୁ ୬୦ ଟଙ୍କା ହେଲାଣି । ମାସକରେ ମୋର ଖର୍ଚ୍ଚ କଥା ଭାବି ଦେଖନ୍ତୁ ତ,” ବିଷାଦଭରା କଣ୍ଠରେ କହନ୍ତି କାରସାଦ ।
ଉଭୟଙ୍କ ସ୍ୱାମୀ ବେକାର ଥିଲେ ଏବଂ ସେହି କାରଣରୁ ମଜିଦାନ୍ ଓ କରସେଦ ସେମାନଙ୍କ ପିଲାମାନଙ୍କୁ ବହୁ କଷ୍ଟରେ ବଡ଼ କରିଛନ୍ତି । “ମୁଁ କେତେକ ଜାଠ ଶିଖ ପରିବାରରେ ଘରକାମ କରୁଥିଲି ଏବଂ ସେମାନେ ମୋତେ ଘରକୁ ନେବା ପାଇଁ ଆବଶ୍ୟକ ଜିନିଷପତ୍ର ଦେଉଥିଲେ । ସେଥିରେ ମୁଁ ମୋ ପିଲାଙ୍କୁ ଖୁଆଉଥିଲି,” କରସେଦ କହନ୍ତି । ମଜିଦାନ୍ ତାଙ୍କ ସବା ସାନପୁଅ ଓ ତା’ର ପରିବାର ସାଙ୍ଗରେ ରହୁଛନ୍ତି । କରସେଦ ତାଙ୍କ ଆଠଜଣିଆ ପରିବାରରେ ରହନ୍ତି ଏବଂ ଅନେକ ସମୟରେ ଅତୀତର କଷ୍ଟକର ସମୟ କଥା ମନେ ପକାନ୍ତି ।
ତିନି ବର୍ଷ ତଳ ପର୍ଯ୍ୟନ୍ତ, ସେପ୍ଟେମ୍ବର ଏବଂ ଅକ୍ଟୋବର ମଧ୍ୟବର୍ତ୍ତୀ ବ୍ୟସ୍ତବହୁଳ କପା ଅମଳ ସମୟରେ ସେମାନେ କପା ଆଣୁଥିଲେ । ସେଥିରୁ ସେମାନେ ତନ୍ତୁସୂତା କାଟୁଥିଲେ ଏବଂ ଏହି କାମରୁ ସେମାନଙ୍କର ଆଉ କିଛି ଅଧିକ ଆୟ ହେଉଥିଲା । ଏହି କାମରେ ୪୦ କିଲୋଗ୍ରାମ କପା ଆଣିଲେ ସେମାନେ ଦିନକୁ ୨୦୦ ଟଙ୍କା ରୋଜଗାର କରୁଥିଲେ । “ଆଜିକାଲି ଅଧିକାଂଶ ଚାଷୀ କପା ବଦଳରେ ଧାନ ବୁଣୁଛନ୍ତି,” ମଜିଦାନ୍ କହନ୍ତି । ଚାଷବାସରେ ଏହି ପରିବର୍ତ୍ତନର ପ୍ରଭାବ ସେମାନଙ୍କ ଜୀବନଧାରା ଉପରେ ପଡ଼ିଛି । ପଞ୍ଜାବରେ କପାଚାଷ ଦ୍ରୁତ ହାରରେ ହ୍ରାସ ପାଇବାରେ ଲାଗିଛି ବୋଲି ସରକାରୀ ରେକର୍ଡରେ ଦର୍ଶାଯାଇଛି । ୨୦୧୪-୧୫ରେ ୪୨୦,୦୦୦ ହେକ୍ଟର ଜମିରେ କପାଚାଷ ହେଉଥିବା ବେଳେ ୨୦୨୨-୨୩ରେ ଚାଷଜମି ପରିମାଣ ୨୪୦,୦୦୦କୁ ଖସି ଆସିଛି ।
ମାର୍ଚ୍ଚ ମାସରେ, ଅନିଚ୍ଛା ସତ୍ତ୍ୱେ ମଜିଦାନ୍ ତାଙ୍କ ଚରଖା କୁ ସୂତା ଓ ତନ୍ତ କାଟିବାରୁ କାର୍ଯ୍ୟମୁକ୍ତ କରିଦେଲେ । ଏବେ ଏହା ପରିତ୍ୟକ୍ତ ଅବସ୍ଥାରେ ଗୋଟିଏ ଚାଳିଆ ତଳେ ପଡ଼ିଛି । ହାତବୁଣା ଦରି ର ଚାହିଦା ବି ଖୁବ୍ ହ୍ରାସ ପାଇଛି । ଏକଦା ସେମାନେ ମାସକୁ ୧୦ରୁ ୧୨ଟି ଦରି ବୁଣୁଥିବା ବେଳେ ଏବେ ମାତ୍ର ଦୁଇଟି ବୁଣିପାରୁଛନ୍ତି । ନିୟମିତ ଆୟ କହିଲେ କେବଳ ବିଧବା ଭତ୍ତା ବାବଦରେ ରାଜ୍ୟ ସରକାର ଦେଉଥିବା ୧,୫୦୦ ଟଙ୍କା ଯାହା ରହିଛି ।
ଘଣ୍ଟାକରୁ ଅଧିକ ସମୟର କାମ ପରେ ଅଳ୍ପ ସମୟ ପାଇଁ ବିରତି ନେଇ କରସେଦ୍ ଓ ମଜିଦାନ୍ ଗୋଡ଼ହାତ ସଳଖି ନିଅନ୍ତି । କରସେଦ୍ କହନ୍ତି ଯେ ତାଙ୍କ ପିଠିରେ ଯନ୍ତ୍ରଣା ହେଉଛି, ଏବଂ ମଜିଦାନ୍ ତାଙ୍କ ଆଣ୍ଠୁକୁ ଚାପି ଦେଉ ଦେଉ କହନ୍ତି. “ଆଜି କାମ କରିବାକୁ ଅଧିକ କଷ୍ଟ ଲାଗୁଛି । ମୋ ଆଣ୍ଠୁଗଣ୍ଠିରେ ପୀଡ଼ା ହେଉଛି ।” ସେମାନଙ୍କ ଦୃଷ୍ଟିଶକ୍ତି ଦୁର୍ବଳ ହୋଇ ଆସିଲାଣି ଉଭୟ କହନ୍ତି ।
“ ବନ୍ଦା ବନ୍ କେ କାମ କିତା ହୈ (ମୁଁ ଜଣେ ପୁରୁଷ ଭଳି କାମ କରିଛି), ଏବଂ ଏ ବୟସରେ ବି ସେହିଭଳି କାମ କରି ଚାଲିଛି,” କେବଳ ତାଙ୍କର ସ୍ୱଳ୍ପ ରୋଜଗାରରେ ପୂରା ପରିବାର ଚଳାଉଥିବା ମଜିଦାନ୍ କହନ୍ତି ।
ତାଙ୍କ ବୟସ ଓ ତା ସହିତ ରହିଥିବା ଶରୀର ପୀଡ଼ା ସତ୍ତ୍ୱେ, ଭତ୍ତା ବାବଦରେ ଏବଂ ଦରି ବୁଣି ପାଉଥିବା ଟଙ୍କା ସହିତ ଆଉ କିଛି ରୋଜଗାର ବଢ଼ାଇବା ଲାଗି ମଜିଦାନ୍ ଚେଷ୍ଟା ଚଳାଇଛନ୍ତି । ଗୋଟିଏ ପରିବାର ଲାଗି ରାନ୍ଧିବା ସକାଶେ ସେ ପ୍ରତିଦିନ ସକାଳ ୭ଟାରେ ଚାଲି ଚାଲି ଯାଆନ୍ତି ଏବଂ ଏ ବାବଦରେ ମାସକୁ ୨,୦୦୦ ଟଙ୍କା ପାଆନ୍ତି । ସେ ଓ କରସେଦ୍ ଦୁହେଁ ଘରୋଇ ସହାୟିକା ଭାବେ ମଧ୍ୟ କାମ କରି ଘଣ୍ଟାକୁ ୭୦ ଟଙ୍କା ରୋଜଗାର କରନ୍ତି ।
ଦିନଯାକର କାମ ସତ୍ତ୍ୱେ, ଦରି ବୁଣିବାକୁ ସେମାନଙ୍କୁ ସମୟ ମିଳିଯାଏ । କରସେଦ୍ କହନ୍ତି, “ଯଦି ଆମେ ସବୁଦିନ ବୁଣିବୁ, ତେବେ ସପ୍ତାହରେ ଗୋଟିଏ ଦରି ବୁଣା ଶେଷ କରିପାରିବୁ ।”
ମଜିଦାନ୍ ବୁଣାକାମ ଛାଡ଼ିବା କଥା ଚିନ୍ତା କରନ୍ତି । “ବୋଧହୁଏ ଏହି ଗୋଟିକର କିମ୍ବା ଆଉ ଗୋଟିକର କାମ ସାରିବା ପରେ, ମୁଁ କାମ ବନ୍ଦ କରିଦେବି । ଘଣ୍ଟା ଘଣ୍ଟା ଧରି ବସିବା କଷ୍ଟକର ହେଲାଣି । ମୋର ଏଇଠି ଯନ୍ତ୍ରଣା ହେଉଛି,” ଗତ ବର୍ଷ ପିତ୍ତାଶୟ ଅସ୍ତ୍ରୋପଚାର ସମୟରେ ତାଙ୍କ ଶରୀରରେ ପଡ଼ିଥିବା ସିଲେଇକୁ ଦେଖାଇ ସେ କହନ୍ତି । “ଯାହା କେଇ ବର୍ଷ ଆଉ ବାକି ଅଛି- ବୋଧହୁଏ ଗୋଟିଏ କି ଦୁଇଟି- ସେତକ ମୁଁ ଭଲରେ ବଞ୍ଚିବାକୁ ଚାହୁଁଛି ।”
ହେଲେ, ଏହାର ଠିକ୍ ପରଦିନ ଏହି କଳ୍ପିତ ଅବସର କଥା ଭୁଲି ହୋଇଗଲା ଭଳି ମନେହୁଏ । ଗୋଟିଏ ଦରି ବୁଣିବାକୁ ବରାଦ ଦେବା ଲାଗି ଆସି ପହଞ୍ଚନ୍ତି ବୟସର ଅଶୀ ଦଶକର ପ୍ରାରମ୍ଭରେ ପାଦ ରଖିସାରିଥିବା ଅନ୍ୟ ଏକ ଗାଁର ଜଣେ କ୍ଷୀଣକାୟା ମହିଳା ବଲବୀର କୌର । “ ମାଇ (ମାଆ), ଘରଲୋକଙ୍କୁ ପଚାରି ଦେଖ ତ, ସେମାନେ ଦରି କୁ ଘରେ ବ୍ୟବହାର କରିବେ ନାଁ ଝିଅ ବାହାଘର ଲୁଗାପଟା ସାଙ୍ଗରେ ଦେବେ,” ବୃଦ୍ଧା ମହିଳାଙ୍କୁ କହନ୍ତି ମଜିଦାନ୍, ଆଉ ତାଙ୍କ ହାତକୁ ବଢ଼ାଇ ଦିଅନ୍ତି ଶହେ ଟଙ୍କିଆ ନୋଟ୍ଟିଏ ।
ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମ୍ଏମ୍ଏଫ୍)ର ଏକ ଫେଲୋସିପ୍ ସହାୟତାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ଅନୁବାଦ : ଓଡ଼ିଶାଲାଇଭ୍