ଧୀରେ ଧୀରେ ତାଙ୍କ ଦେଶିଆ ବିହନକୁ ଫେରି ପାଉଛନ୍ତି ତେଜଲିବାଇ ଧେଡ଼ିୟା ।

ପାଖାପାଖି ୧୫ ବର୍ଷ ତଳେ, ମଧ୍ୟ ପ୍ରଦେଶର ଅଲିରାଜପୁର ଓ ଦେୱାସ ଜିଲ୍ଲାରେ ଚାଷବାସ କରୁଥିବା ତେଜଲିବାଇଙ୍କ ଭଳି ଭିଲ ଆଦିବାସୀମାନେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ଦେଶୀ ବିହନ ବଦଳରେ ରାସାୟନିକ ପଦାର୍ଥ ପ୍ରୟୋଗ କରି ସଙ୍କର ଜାତୀୟ ବିହନ ଚାଷକୁ ଆପଣେଇ ନେଇଥିଲେ । ଏହା ଫଳରେ ପାରମ୍ପରିକ ବିହନ ଉଭେଇ ଯିବାରେ ଲାଗିଲା ବୋଲି କହନ୍ତି ତେଜଲିବାଇ ଏବଂ ଚାଷ ପ୍ରଣାଳୀରେ ସେହି ପରିବର୍ତ୍ତନ ସଂପର୍କରେ ବୁଝାଇ ଦିଅନ୍ତି “ଆମର ପାରମ୍ପରିକ ଚାଷରେ ଖୁବ୍‌ ଅଧିକ ପରିଶ୍ରମ କରିବା ଦରକାର ହୁଏ ଏବଂ ବଜାରରେ ଏହାର ଉଚିତ ମୂଲ୍ୟ ମିଳେ ନାହିଁ ।” ଏହି ୭୧ ବର୍ଷୀୟା ମହିଳା ଜଣକ ଆହୁରି କହନ୍ତି, “ଅଳ୍ପ ପରିଶ୍ରମ ଯୋଗୁଁ ଯେଉଁ ସମୟ ବଞ୍ଚିଯାଏ, ସେହି ସମୟରେ ପ୍ରବାସୀ ଶ୍ରମିକ ଭାବରେ ଦିନ ମଜୁରିଆ କାମରୁ ଅଧିକ ରୋଜଗାର କରିବା ଲାଗି ଆମେ ଗୁଜରାଟକୁ ଚାଲିଯାଉଥିଲୁ ।”

କିନ୍ତୁ ଏବେ, ଏହି ଜିଲ୍ଲାଗୁଡ଼ିକର ୨୦ଟି ଗାଁରେ ରହୁଥିବା ପ୍ରାୟ ୫୦୦ ମହିଳା ସେମାନଙ୍କର ପାରମ୍ପରିକ ବିହନକୁ ସଂରକ୍ଷଣ କରିବା ସହିତ ‘କନସାରି ନୁ ବଡ଼ାୱନୁ’ (କେଏନ୍‌ଭି)ଙ୍କ ମାର୍ଗଦର୍ଶନରେ ପୁଣି ଜୈବିକ ପଦ୍ଧତିରେ ଚାଷ ଆରମ୍ଭ କରିଛନ୍ତି । ଭିଲ୍‌ ଭାଷାରେ (ସ୍ଥାନୀୟ ଅଞ୍ଚଳରେ ଭିଲାଲି ନାଁରେ ପରିଚିତ) ‘କନସାରି ନୁ ବଡ଼ାୱନୁ’ ଅର୍ଥ ‘ଦେବୀ କନ୍‌ସାରିଙ୍କୁ ଅଭିନନ୍ଦନ’ । ମହିଳାମାନଙ୍କ ଅଧିକାର ଲାଗି ସଂଘର୍ଷ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲକ୍ଷ୍ୟ ନେଇ ୧୯୯୭ରେ ଗଠିତ ହୋଇଥିଲା ଭିଲ ମହିଳାମାନଙ୍କର ସାମୂହିକ ସଂଗଠନ ‘କେଏନ୍‌ଭି’ । ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଏକ ଦଶନ୍ଧିରୁ ଅଧିକ ସମୟ କାମ କରିବା ପରେ, ‘କେଏନ୍‌ଭି’ ଗଠନରେ ସାମିଲ ହୋଇଥିବା ଆଦିବାସୀ ମହିଳାମାନଙ୍କର ହୃଦ୍‌ବୋଧ ହେଲା ଯେ, ନିଜର ପାରମ୍ପରିକ ଚାଷ ପଦ୍ଧତିକୁ ପ୍ରତ୍ୟାବର୍ତ୍ତନ ହିଁ ସେମାନଙ୍କର ଖାଦ୍ୟ ସଂପର୍କିତ ସମସ୍ୟା ସମାଧାନରେ ସହାୟକ ହେବ ।

ସାରା ଦେଶରେ ଜୈବ ବିବିଧତା ଦୃଷ୍ଟିରୁ ଜୈବିକ ଚାଷ ପଦ୍ଧତିର ପ୍ରସାର ନିମନ୍ତେ, ଅନ୍ୟ ଚାଷୀମାନଙ୍କୁ ବିକ୍ରି ଓ ବିତରଣ ପାଇଁ ‘କେଏନ୍‌ଭି’ରେ ବଛାବଛା ବିହନକୁ ପୃଥକ୍‌ ପୃଥକ୍‌ ଭାବରେ ସଂରକ୍ଷଣ କରାଗଲା ଏବଂ ଅବଶିଷ୍ଟ ଫସଲକୁ ଖାଇବା ପାଇଁ ରଖାଗଲା ବୋଲି କହନ୍ତି କାୱଡ଼ା ଗାଁର ରିଙ୍କୁ ଅଲାୱା । “ଅମଳ ପରେ, ଆମକୁ ସବୁଠାରୁ ଭଲ ବିହନ ବାଛିବାକୁ ପଡ଼େ,” ୩୯ ବର୍ଷୀୟା ରିଙ୍କୁ କହନ୍ତି ।

ତାଙ୍କ କଥାରେ ସମ୍ମତ ହୁଅନ୍ତି କକରାନା ଗାଁର ଚାଷୀ ଓ ‘କେଏନ୍‌ଭି’ ସଦସ୍ୟା ରାୟତିବାଇ ସୋଲାଙ୍କି: “ବିହନର ଗୁଣବତ୍ତା ଏବଂ ସେଗୁଡ଼ିକର ଉତ୍ପାଦନ କ୍ଷମତା ବୃଦ୍ଧି ଲାଗି ବିହନ ଚୟନ ହେଉଛି ସର୍ବୋତ୍ତମ ଉପାୟ ।”

ତାଙ୍କ କଥା ଆଗକୁ ବଢ଼ାଇ ୪୦ ବର୍ଷୀୟା ରାୟତିବାଇ କହନ୍ତି, “ବାଜରା ଏବଂ ସୋରଘମ (ଯଅ) ଭଳି ଶସ୍ୟ ଆମ ଭିଲ ଆଦିବାସୀମାନଙ୍କର ପ୍ରଧାନ ଖାଦ୍ୟ । ସବୁ ଶସ୍ୟ ମଧ୍ୟରେ ବାଜରାଜାତୀୟ ଶସ୍ୟ ଲାଗି ସ୍ୱଳ୍ପ ପାଣି ଦରକାର ହୁଏ ଏବଂ ଏଗୁଡ଼ିକ ପୁଷ୍ଟିକାରକ । ଧାନ ଓ ଗହମ ଭଳି ଅନ୍ୟ ଶସ୍ୟ ତୁଳନାରେ ଏହା ଚାଷ କରିବା ସହଜ ।” ସେ ବିଭିନ୍ନ ବାଜରା ଜାତୀୟ ଶସ୍ୟଗୁଡ଼ିକର ତାଲିକା ଦେବା ଆରମ୍ଭ କରନ୍ତି: ବଟ୍ଟି (ସୁଆଁ), ଭାଦି, ରାଲା (କାଙ୍ଗୁ, ଟାଙ୍ଗଣା) ରାଗି (ମାଣ୍ଡିଆ), ବାଜ୍‌ରା (ବାଜରା), କୋଦୋ, କୁଟ୍‌କି, ସାଙ୍ଗରି (ସୁଆଁ, କୋଶଲା, କୁଇରି) । “ଜୈବ ବିବିଧତା ସଂପନ୍ନ ଚାଷ କ୍ଷେତ୍ରରେ ମାଟିର ଉର୍ବରତା ଏବଂ ପ୍ରାକୃତିକ ଗୁଣ ବଜାୟ ରଖିବା ଲାଗି ବିନ୍‌ସ, ଡାଲି ଏବଂ ତୈଳବୀଜ ଭଳି ଶିମ୍ବ ବା ଛୁଇଁ ଜାତୀୟ ଫସଲ ସହିତ ଅଦଳବଦଳ କରି ଏଗୁଡ଼ିକୁ ଚାଷ କରାଯାଏ,” ସେ କହନ୍ତି ।

PHOTO • Rohit J.
PHOTO • Rohit J.

ତାଙ୍କ ଏକଫସଲି ଧାନ କ୍ଷେତରେ ତେଜଲିବାଇ, ତାଙ୍କ ସୁଆଁ ଚାଷଜମିରେ ରାୟତିବାଇ

PHOTO • Rohit J.
PHOTO • Rohit J.

ଯଅ, ବାର୍ନିୟାର୍ଡ ମିଲେଟ, ସ୍ଥାନୀୟ ଭାବରେ ବିଲସୁଆଁ ଭାବରେ ଜଣାଶୁଣା

କେବଳ ଦେଶୀ ବିହନରେ ଅଟକି ନ ରହି, ଜୈବିକ ପଦ୍ଧତିରେ ଚାଷବାସକୁ ପୁଣି ଫେରାଇ ଆଣିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛି ଆଦିବାସୀ ମହିଳାମାନଙ୍କର ଏହି ସମିତି  ‘କେଏନ୍‌ଭି’ ।

ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର ଖୋଡ଼ଆମ୍ବା ଗାଁର ତେଜଲିବାଇ କହନ୍ତି, ଖତ ଓ ସାର ପ୍ରସ୍ତୁତିରେ ବହୁତ ସମୟ ଲାଗୁଥିବାରୁ ଧୀର ଗତିରେ ଏହା ସମ୍ଭବ ହେଉଛି । “ନିଜେ ଖାଇବା ଲାଗି ମୁଁ ମୋ ଜମିର କେବଳ ଏକ ଛୋଟ ଅଂଶରେ ଦେଶିଆ ବିହନ ବୁଣୁଛି । ସଂପୂର୍ଣ୍ଣ ଭାବରେ ଜୈବିକ ଚାଷକୁ ମୁଁ ଆପଣେଇ ନେଇପାରିବିନି ।” ତାଙ୍କ ପରିବାରର ତିନି ଏକର ଚାଷଜମିରେ ସେ ବର୍ଷା ପାଣି ଉପରେ ନିର୍ଭର କରୁଥିବା ଜୋୱାର , ମକ୍କା (ମକା), ଧାନ, ଡାଲିଜାତୀୟ ଶସ୍ୟ ଓ ପନିପରିବା ଚାଷ କରୁଛନ୍ତି ।

ଦେୱାସ ଜିଲ୍ଲାର ଜମାସିନ୍ଧ ଗାଁ ବାସିନ୍ଦା ବିକ୍ରମ ଭାର୍ଗବ କହନ୍ତି ଯେ, ଏହା ସହିତ ଜୈବିକ ପଦ୍ଧତିର ଚାଷରେ ବ୍ୟବହୃତ ପଚାଖତ ଓ ଜୈବ-ସାର ମଧ୍ୟ ଫେରିବାରେ ଲାଗିଛି । ଗୁଡ଼, ଚଣାଚୂନା, ଗୋବର ଏବଂ ଗୋ-ମୂତ୍ରକୁ ମିଶାଇ ଏବଂ ଏହାକୁ ପଚାଇ ଜୈବ ସାର ପ୍ରସ୍ତୁତ କରାଯାଏ ।

ଏହି ୨୫ ବର୍ଷୀୟ ବାରେଲା ଆଦିବାସୀ ଜଣକ କହନ୍ତି, “କମ୍ପୋଷ୍ଟ ବା ପଚାଖତ ତିଆରି କରିବା ଲାଗି, କ୍ଷେତରୁ ବାହାରୁଥିବା ଜୈବିକ ପଦାର୍ଥଗୁଡ଼ିକୁ ଗୋବର ସହିତ ମିଶାଇ ଗୋଟିଏ ଖାତରେ ବିଭିନ୍ନ ସ୍ତରରେ ରଖାଯାଇ ସେଥିରେ ନିୟମିତ ଭାବେ ପାଣି ଦେବାକୁ ହୁଏ’’ । ତା’ପରେ ଏହାକୁ ଜମିରେ ପକାଇ ମାଟି ସହିତ ଭଲ ଭାବରେ ମିଶାଇ ଦେଲେ ଏହା ଫସଲ ପାଇଁ ଲାଭଦାୟକ ହୋଇଥାଏ ।

PHOTO • Rohit J.
PHOTO • Rohit J.

ଜୈବିକ ପଦାର୍ଥ ସହିତ ଗୋବର ମିଶ୍ରଣ, ଜୈବିକ ଖତ ପ୍ରସ୍ତୁତି

PHOTO • Rohit J.
PHOTO • Rohit J.

ଏହାର ପ୍ରସ୍ତୁତିରେ ନିୟମିତ ପାଣି ମିଶାଇବା ଦରକାର, ଥରେ ପ୍ରସ୍ତୁତ ହୋଇଗଲେ, ଏହାକୁ କ୍ଷେତରେ ପକାଇ ମାଟି ସହିତ ମିଶାଇ ଦିଆଯାଏ

*****

ବେସ୍ତି ପଡ଼ିୟାର କହନ୍ତି, ବଜାର ଯୋଗ୍ୟ ଫସଲ ଚାପରେ ଦେଶୀ ବିହନ ଭଳି ସେମାନଙ୍କର ପାରମ୍ପରିକ ବ୍ୟଞ୍ଜନ ବି ଉଭେଇ ଗଲା ଏବଂ ଏହା ସହିତ ବାଜରାକୁ ଝାଡ଼ିବା ଓ ହାତରେ କୁଟିବା ଭଳି ପାରମ୍ପରିକ ଉପାୟ ବି ଲୋପ ପାଇଗଲା । ଥରେ କୁଟା ହୋଇଗଲେ ବାଜରାକୁ ବେଶି ଦିନ ସାଇତି ରଖିବା ସମ୍ଭବ ହୋଇ ନଥିବାରୁ ରାନ୍ଧିବା ପାଇଁ ଦରକାର ସମୟରେ ହିଁ ମହିଳାମାନେ ଏହାକୁ କୁଟିଥାଆନ୍ତି ।

“ଆମ ପିଲାଦିନେ ଆମେ ରାଲା , ଭାଦି ଏବଂ ବଟ୍ଟି ଭଳି ବାଜରାରେ ଅନେକ ସ୍ୱାଦିଷ୍ଟ ବ୍ୟଞ୍ଜନ ରାନ୍ଧୁଥିଲୁ,” ବିଭିନ୍ନ ପ୍ରକାର ବାଜରାର ତାଲିକା ପ୍ରସ୍ତୁତ କରି ବେସ୍ତି କହନ୍ତି । ଏ ଅଞ୍ଚଳରେ ଚାଷ କରାଯାଉଥିବା ବାଜରା ସଂପର୍କରେ ସେ କହନ୍ତି, “ଭଗବାନ ମଣିଷକୁ ସୃଷ୍ଟି କଲେ ଏବଂ ଦେବୀ କନ୍‌ସାରିଙ୍କ ସ୍ତନ୍ୟପାନ କରି ଜୀବନ ଲାଭ କରିବାକୁ ସେମାନଙ୍କୁ କହିଲେ । ଭିଲ ଆଦିବାସୀମାନେ ଜୋୱାର (ଦେବୀ କନ୍‌ସାରିଙ୍କ ପ୍ରତୀକ ରୂପେ ଗୃହୀତ)କୁ ଜୀବନଦାତା ରୂପେ ଗ୍ରହଣ କରିଥାଆନ୍ତି ।” ଭିଲାଲା ସଂପ୍ରଦାୟର (ରାଜ୍ୟରେ ଅଧିସୂଚିତ ଜନଜାତି ରୂପେ ତାଲିକାଭୁକ୍ତ)  ଏହି ୬୨ ବର୍ଷୀୟା ଚାଷୀ ଜଣକ ଚାରି ଏକର ଜମିରେ ଚାଷ କରନ୍ତି ଏବଂ ସେଥିରୁ ଅଧା ଏକର ଜମିରେ ନିଜ ଘରେ ବ୍ୟବହାର ଲାଗି ଜୈବିକ ପଦ୍ଧତିରେ ଖାଦ୍ୟ ଶସ୍ୟ ଚାଷ କରନ୍ତି ।

ବିଛିବାଇ ମଧ୍ୟ ବାଜରାରେ ସେମାନେ ରାନ୍ଧୁଥିବା କେତେକ ବ୍ୟଞ୍ଜନ କଥା ମନେ ପକାନ୍ତି । ଦେୱାସ ଜିଲ୍ଲାର ପାଣ୍ଡୁତାଲାବ ଗାଁ ବାସିନ୍ଦା ବିଛିବାଇ କହନ୍ତି ଯେ, ତାଙ୍କର ଅତି ପ୍ରିୟ ଖାଦ୍ୟ ଥିଲା ମାହ କୁଦ୍ରି – କୁକୁଡ଼ା ମାଂସ ତରକାରୀ ମିଶି ରନ୍ଧା ହୋଇଥିବା ବାଜରା ଭାତ । ଏବେ, ବୟସର ଷାଠିଏ ଦଶକରେ, କ୍ଷୀର ଓ ଗୁଡ଼ ମିଶିଥିବା ଜୋୱାର ଖୀର୍‌ କଥା ବି ସେ ମନେ ପକାନ୍ତି  ।

ହାତରେ ଶସ୍ୟ କୁଟିବା ପ୍ରଣାଳୀ ଥିଲା ସେମାନଙ୍କ ସମାଜର ମହିଳାମାନଙ୍କୁ ଏକତ୍ର କରୁଥିବା ଏକ ସାମୂହିକ ବ୍ୟାପାର । ଏହି ୬୩ ବର୍ଷୀୟା ମହିଳା କହନ୍ତି, “ଆମେ ଆମର ଲୋକଗୀତ ଗାଉଥିଲୁ ଏବଂ ଏହା ଯୋଗୁଁ ଆମ କାମ ବେଶ୍‌ ସହଜ ହୋଇଯାଉଥିଲା । ହେଲେ ଏବେ, ପ୍ରବାସନ ଏବଂ ଛୋଟ ଛୋଟ ପରିବାର କାରଣରୁ, ମହିଳାମାନେ ଘରୁ ଆସି ଏକାଠି ହୋଇ କୌଣସି କାମ କରିବାର ସୁଯୋଗ ପାଉନାହାନ୍ତି ।”

PHOTO • Rohit J.
PHOTO • Rohit J.

ପାଣ୍ଡୁତାଲାବ ଗାଁରେ କନ୍‌ସାରି ନୁ ବଡ଼ାୱନୁ ର ସଦସ୍ୟାମାନେ ପାରମ୍ପରିକ ବିହନ ସଂରକ୍ଷଣ ଉପାୟ ସଂପର୍କରେ ଆଲୋଚନା କରୁଛନ୍ତି, ଏହି ଫସଲ ପକ୍ଷୀମାନଙ୍କର ଅତି ପ୍ରିୟ । ତେଣୁ, ବିଛିବାଇ ପଟେଲଙ୍କ ଭଳି ଚାଷୀମାନଙ୍କ ପାଇଁ ସେମାନଙ୍କୁ ଘଉଡ଼ାଇ ଦେବାକୁ ପଡ଼େ

ହାତରେ ବାଜରା କୁଟିବା ବେଳେ କାର୍ଲିବାଇ ଏବଂ ବିଛିବାଇ ଗୀତ ଗାଆନ୍ତି ; ଏକ ପରମ୍ପରା, ଏବେ ପ୍ରାୟତଃ ଲୋପ ପାଇଗଲାଣି ବୋଲି ସେମାନେ କହନ୍ତି

ଯୁବା ବୟସରେ କାର୍ଲିବାଇ ଭାବସିଂ ହାତରେ ବାଜରା କୁଟୁଥିଲେ, ଏହା ଏକ ଶ୍ରମସାଧ୍ୟ ପ୍ରକ୍ରିୟା ବୋଲି ସେ ମନେ ପକାନ୍ତି । “ଆଜିକାଲିର ଝିଅମାନେ ବାଜରା, ଯଅ ଓ ଗହମକୁ ଯାନ୍ତ୍ରିକ କଳରେ ପେଷି ଆଣିବାକୁ ପସନ୍ଦ କରୁଛନ୍ତି । ସେଥିପାଇଁ ବାଜରା ଖାଇବା କମିଗଲାଣି,” ବୋଲି କହନ୍ତି କାଟକୁଟ ଗାଁର ଏହି ୬୦ ବର୍ଷୀୟା ବରେଲା ଆଦିବାସୀ ମହିଳା ।

ବିହନ ମହଜୁଦ କରିବାରେ ବି ସମସ୍ୟା ରହିଛି । “ଝାଡ଼ିବା ପରେ ଶସ୍ୟକୁ ଖରାରେ ଗୋଟିଏ ସପ୍ତାହ ଶୁଖାଇ ମୁହତି (ବାଉଁଶ ଝୁଡ଼ି)ଗୁଡ଼ିକରେ ରଖିବାକୁ ହୁଏ । ଏଗୁଡ଼ିକୁ ଭିତର ପଟେ ଧାଡ଼ିରେ ରଖି, ପବନ ନ ପଶିବା ପାଇଁ ସେସବୁ ଉପରେ ଗୋବର ମିଶ୍ରଣର ଲେପ ଦିଆଯାଇଥାଏ । ଏମିତି କରିବା ପରେ ବି, ପ୍ରାୟ ଚାରି ମାସ ପରେ ଗଚ୍ଛିତ ଶସ୍ୟରେ ପୋକ ଲାଗିବା ଆରମ୍ଭ ହୋଇଯାଏ ଏବଂ ଏହାକୁ ପୁଣି ଖରାରେ ଶୁଖାଇବାକୁ ହୁଏ,” ରାୟତିବାଇ ବୁଝାଇ ଦିଅନ୍ତି ।

ତା ସାଙ୍ଗକୁ ପକ୍ଷୀମାନେ ବି ଅଛନ୍ତି । ସେମାନେ ବି ବାଜରାକୁ ଭଲ ପାଆନ୍ତି । ଭିନ୍ନ ଭିନ୍ନ ଧରଣର ବାଜରା ବୁଣାଯିବା ପରେ ସେସବୁ ଭିନ୍ନ ଭିନ୍ନ ସମୟରେ ପାଚିଥାଏ ଏବଂ ସବୁ ସମୟରେ ମହିଳାମାନଙ୍କୁ ଫସଲ ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ପଡ଼େ । ବିଛିବାଇ କହନ୍ତି, “ଆମ ପାଇଁ କିଛି ହେଲେ ନ ଛାଡ଼ି ପକ୍ଷୀମାନେ ଯେପରି ସବୁ ଫସଲ ଖାଇ ନ ଦିଅନ୍ତି ତାହା ଆମକୁ ସୁନିଶ୍ଚିତ କରିବାକୁ ହୋଇଥାଏ !”

PHOTO • Rohit J.

କକରନା ଗାଁରେ ଭିଲ ଆଦିବାସୀ ଚାଷୀମାନେ (ବାମରୁ ଡାହାଣକୁ : ଗିଲଦାରିଆ ସୋଲାଙ୍କି, ରାୟତିବାଇ, ରମା ସସ୍ତିୟା ଏବଂ ରିଙ୍କି ଅଲୱା ) ଯଅ ଓ ମାଣ୍ଡିଆ ବୁଣୁଛନ୍ତି

PHOTO • Rohit J.
PHOTO • Rohit J.

ସଦ୍ୟ ଅମଳ କରାଯାଇଥିବା ଗୋଙ୍ଗୁରା – ଏକ ଉତ୍କୃଷ୍ଟ, ତନ୍ତୁଯୁକ୍ତ ଫସଲ ଯାହାକୁ ପରିବା, ଫୁଲ ଏବଂ ତେଲ ବାହାର କରିବା ଲାଗି ବ୍ୟବହାର କରାଯାଇପାରେ, ଅମଳ ପୂର୍ବରୁ ବିଭିନ୍ନ ପ୍ରକାରର ଗୋଙ୍ଗୁରା ଏବଂ ଏହାର ବିହନ

PHOTO • Rohit J.

ବାଜରାକୁ ଯଅ, ରାଲା (କାଙ୍ଗୁ) ଏବଂ ଅନ୍ୟ ପ୍ରକାରର ଶିମ୍ବଜାତୀୟ ଏବଂ ଛୁଇଁଜାତୀୟ ଫସଲ ସହିତ ଚାଷ କରାଯାଇପାରିବ

PHOTO • Rohit J.
PHOTO • Rohit J.

କକରାନା ଗାଁର ଏକ ଚାଷଜମିରେ ସ୍ୱଦେଶୀ ଯଅ ଚାଷ, କାଙ୍ଗୁ ବା ଟାଙ୍ଗଣା

PHOTO • Rohit J.

ଗୋଟିଏ ଦଶନ୍ଧି ପରେ ସେ ଚାଷ କରିଥିବା ଯଅ ଫସଲ ଦେଖାଉଛନ୍ତି ଚାଷୀ ଏବଂ କେଏନ୍‌ଭି ଜଣେ ପୁରୁଖା ସଦସ୍ୟା ବେସ୍ତିବାଇ ପଡ଼ିୟାର

PHOTO • Rohit J.
PHOTO • Rohit J.

ଭେଣ୍ଡିର ଏକ କିସମ, ସୋରିଷ

PHOTO • Rohit J.

ଶୀତଦିନିଆ ଫସଲ ପାଇଁ ବୁଣିବା ପୂର୍ବରୁ ରାୟତିବାଇ (କ୍ୟାମେରାକୁ ପଛ କରିଛନ୍ତି), ରିଙ୍କୁ (ମଝି), ଏବଂ ଉମା ସୋଲାଙ୍କି ଯଅ ଅମଳ କରୁଛନ୍ତି

PHOTO • Rohit J.
PHOTO • Rohit J.

ସିମ୍ବ (ଇଣ୍ଡିଆନ୍ ଫ୍ଲାଟ ବିନ୍ସ) ଅମଳ ପରେ ମଞ୍ଜି ସଂଗ୍ରହ କରାଯାଇଥାଏ। ବାଜରାର ରୋଟି ସହିତ କାନ୍ଦୁଲ ଡାଲି ଏବଂ କଲରା

PHOTO • Rohit J.
PHOTO • Rohit J.

ଅରଣ୍ଡି (ଜଡ଼ା), ଶୁଖିଲା ମହୁଆ ( madhuca indica) ଫୁଲ

PHOTO • Rohit J.
PHOTO • Rohit J.

ପରବର୍ତ୍ତୀ ଫସଲ ଋତୁ ପାଇଁ ନିଜ ହାତରେ ସେ ସଂଗ୍ରହ କରିଥିବା ମକା ମଞ୍ଜି ସଂରକ୍ଷଣ କରୁଛନ୍ତି ବରେଲା ଆଦିବାସୀ ସଂପ୍ରଦାୟର ହୀରାବାଇ ଭାର୍ଗବ, ହାତରେ ଚାଲୁଥିବା ଏକ ପଥର ଚକି, ଯାହା କି ଏକ କୁଲା ଓ ଚାଲୁଣି ସହାୟତାରେ ଡାଲି ପ୍ରସ୍ତୁତ ପ୍ରକ୍ରିୟାରେ ବ୍ୟବହୃତ ହୁଏ

PHOTO • Rohit J.
PHOTO • Rohit J.

ଏ ବର୍ଷ ଅମଳ କରାଯାଇଥିବା ବିହନକୁ ଆସନ୍ତା ବର୍ଷ ପୁଣି ବ୍ୟବହାର କରିବା ଲାଗି ଗଛରେ ଲଟକିଥିବା ବସ୍ତାରେ ରଖାଯାଇଛି। ସଂରକ୍ଷଣ ପରେ ଦେଶର ବିଭିନ୍ନ ଭାଗକୁ ପଠାଇବା ଲାଗି ବିହନ ବାଛୁଛନ୍ତି ଅର୍ଗାନିକ୍‌ ଫାର୍ମିଂ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ର ମଧ୍ୟ ପ୍ରଦେଶ ଚାପ୍‌ଟରର ଉପ ସଭାପତି ସୁଭଦ୍ରା ଖାପର୍ଡେ ଏବଂ ତାଙ୍କ ସାଙ୍ଗରେ ଅଛନ୍ତି ବିଛିବାଇ

PHOTO • Rohit J.
PHOTO • Rohit J.

ରାସାୟନିକ ସାର ପ୍ରୟୋଗ କରି ସେମାନେ ଚାଷ କରିଥିବା ମକା କ୍ଷେତରେ ବେସ୍ତିବାଇ ପଡ଼ିୟାର ଏବଂ ତାଙ୍କ ବୋହୂ ଯଶି । ଜୈବିକ ପଦ୍ଧତିରେ ଚାଷ କ୍ଷେତ୍ରରେ ଅଧିକ ସମୟ ଓ ପରିଶ୍ରମ ଲାଗିଥାଏ, ତେଣୁ ନିଜ ନିଜର ସମଗ୍ର ଚାଷକୁ ଏହି ପଦ୍ଧତିରେ କରିବା ଚାଷୀମାନଙ୍କ ପକ୍ଷରେ ସମ୍ଭବ ନୁହେଁ। ଅଲିରାଜପୁର ଜିଲ୍ଲାର ଖୋଡ଼ମ୍ବା ଗାଁ

ଅନୁବାଦ : ଓଡ଼ିଶାଲାଇଭ୍‍

Rohit J.

रोहित जे. स्वतंत्र फ़ोटोग्राफ़र हैं और भारत के अलग-अलग इलाक़ों में काम करते हैं. वह साल 2012 से 2015 तक एक राष्ट्रीय अख़बार के साथ बतौर फ़ोटो सब-एडिटर काम कर चुके हैं.

की अन्य स्टोरी Rohit J.
Editor : Sarbajaya Bhattacharya

सर्वजया भट्टाचार्य, पारी के लिए बतौर सीनियर असिस्टेंट एडिटर काम करती हैं. वह एक अनुभवी बांग्ला अनुवादक हैं. कोलकाता की रहने वाली सर्वजया शहर के इतिहास और यात्रा साहित्य में दिलचस्पी रखती हैं.

की अन्य स्टोरी Sarbajaya Bhattacharya
Photo Editor : Binaifer Bharucha

बिनाइफ़र भरूचा, मुंबई की फ़्रीलांस फ़ोटोग्राफ़र हैं, और पीपल्स आर्काइव ऑफ़ रूरल इंडिया में बतौर फ़ोटो एडिटर काम करती हैं.

की अन्य स्टोरी बिनायफ़र भरूचा
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE