ଏହା ଥିଲା ଏକ ଅପ୍ରତ୍ୟାଶିତ ଯାଦୁଖେଳ ଭଳି। ତାଙ୍କ ଦୋକାନ ପଛପଟେ ରଖାଯାଇଥିବା ଗୋଟିଏ ପୁରୁଣା ବାକ୍‌ସରୁ ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜିନିଷ ବାହାର କରିଚାଲିଥିଲେ ଡି.ଫାତିମା। ପ୍ରତିଟି ଜିନିଷରେ ଥିଲା କଳା ନୈପୁଣ୍ୟର ନମୁନା: ବଡ଼ ବଡ଼, ଟାଣ ଟାଣ ମାଛ। ଦିନେ ଯେଉଁ ସବୁ ମାଛ ତୁତୁକୁଡ଼ିଠାରୁ ବହୁ ଦୂର ଗଭୀର ସମୁଦ୍ରରେ ରହୁଥିଲେ, ସେଗୁଡ଼ିକ ଆଜି ଖରା, ଲୁଣ ଓ ସୁଦକ୍ଷ ହାତର କୌଶଳ ବଳରେ ଶୁଖୁଆ ପାଲଟି ଯାଇଛନ୍ତି।

ହାତରେ ଗୋଟିଏ କାଟ୍ଟା ପାରା ମୀନ (ରାଣୀ ମାଛ) ଉଠାଇ ତାଙ୍କ ମୁହଁ ପାଖରେ ଧରନ୍ତି ସେ। ମାଛଟି ତାଙ୍କ ଉଚ୍ଚତାର ଅଧା ଉଚ୍ଚ ହେବ ଏବଂ ତା’ର ବେକ ତାଙ୍କ ହାତ ଭଳି ଚଉଡ଼ା। ଗୋଟିଏ ଧାରୁଆ ଛୁରୀରେ ମାଛର ପାଟି ପାଖରୁ ଲାଞ୍ଜ ଯାଏ କାଟି ଦିଅନ୍ତି ସେ। ମାଛର ମାଂସଳ ଶରୀର ଦୁଇ ଫାଳ ହୋଇଯାଏ। ପେଟରୁ ଅନ୍ତପୁଟା ବାହାର କରି କାଟ୍ଟା ପାରା ଭିତରେ ସେ ଲୁଣ ଭରି ଦିଅନ୍ତି ଏବଂ ଟାଣ ଖରାରେ ଶୁଖାଇ ଦିଅନ୍ତି। ଏ ଖରା ଏତେ ଟାଣ ଯେ,  ଯାହା ଉପରେ ପଡ଼ିବ ତାକୁ ଶୁଖାଇ ଖଡ଼ଖଡ଼ କରିଦେବ, ତେଣିକି ମାଛ ହେଉ କି ମାଟି, କିମ୍ବା ମଣିଷ...।

ତାଙ୍କ ମୁହଁ ଓ ହାତର ରେଖା ଶୁଣାଏ ଏକ ତତଲା କାହାଣୀ। ହେଲେ ଭିନ୍ନ ଏକ କାହାଣୀ ଆରମ୍ଭ କରନ୍ତି ସେ। ଭିନ୍ନ ଏକ ଯୁଗର କାହାଣୀ, ଯେବେ ତାଙ୍କ ଆଛି (ଆଈ ମା’) ମାଛରେ ଲୁଣ ଦେଇ ବିକୁଥିଲେ। ଭିନ୍ନ ଏକ ସହରର ଏବଂ ବସ୍ତିର କାହାଣୀ, ଯେଉଁଠି ତାଙ୍କ ପୁରୁଣା ଘର ପାଖ ଦେଇ, ରାସ୍ତା କଡ଼େ କଡ଼େ ବହି ଯାଉଥିଲା ଅଳ୍ପ କେଇ ଫୁଟ୍‌ ଚଉଡ଼ାର କେନାଲଟିଏ। ଏବଂ ୨୦୦୪ର ସୁନାମିରେ କାଦୁଅ ଓ ଆବର୍ଜନାରେ ଭରି ଯାଇଥିଲା ସେମାନଙ୍କ ଘର, ଏବଂ ଜୀବନ। ଏହା ସହିତ ନୂଆ ଗୋଟିଏ ଘର ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ସେଥିରେ ଗୋଟିଏ ସମସ୍ୟା ଥିଲା। ସେମାନଙ୍କ ରହିବା ପାଇଁ ନିର୍ମିତ ଘରଟି ଥିଲା, ଫାତିମାଙ୍କ କହିବା ଅନୁସାରେ “ ରୋମ୍ଭ ଦୂରମ୍‌ (ବହୁ ଦୂରରେ)”। ଗୋଟିଏ ପଟକୁ ମୁଣ୍ଡ ହଲାଇ ଏବଂ ଦୂରତା ଦେଖାଇବା ପାଇଁ ଗୋଟିଏ ହାତ ବଢ଼ାଇ ଏହା କହନ୍ତି ସେ। ବସ୍‌ରେ ଯିବା ପାଇଁ ପ୍ରାୟ ଅଧା ଘଣ୍ଟା ଲାଗେ ଏବଂ ଯାହା ହେଲେ ବି ମାଛ କିଣିବା ପାଇଁ ସେମାନଙ୍କୁ ସମୁଦ୍ରକୂଳକୁ ଆସିବାକୁ ପଡ଼େ।

ନଅ ବର୍ଷ ପରେ, ଫାତିମା ଏବଂ ତାଙ୍କ ଭଉଣୀମାନେ ସେମାନଙ୍କ ପୁରୁଣା ଜାଗାକୁ ଫେରିଆସିଲେ। ତାହା ହେଉଛି, ତରେସପୁରମ୍‌- ତୁତୁକୁଡ଼ି ସହରର ଶେଷମୁଣ୍ଡରେ ଅବସ୍ଥିତ ଏକ ଅଞ୍ଚଳ। ତାଙ୍କ ଘରକୁ ଲାଗି ରହିଥିବା କେନାଲଟି ଓସାରିଆ ହୋଇଯାଇଥିଲେ ହେଁ ପାଣିର ଧାର ମନ୍ଥର ହୋଇ ଯାଇଥିଲା। ଏବେ ଏଠାକାର ଅପରାହ୍‌ଣ ବି ସ୍ଥିର ହୋଇଯାଇଛି। ସେହି ଶୁଖୁଆ ଭଳି ସ୍ଥିର। ସତେ ଯେମିତି ଏହି ମହିଳାମାନଙ୍କ ଜୀବନକୁ କିଛିଟା ଲୁଣ ଓ ପ୍ରଚୁର ଖରାରେ ସଂରକ୍ଷିତ ରଖାଯାଇଛି।

ବିବାହ କରିବା ପର୍ଯ୍ୟନ୍ତ ତାଙ୍କ ଆଈ ମା’ଙ୍କ ମାଛ ବ୍ୟବସାୟ କରୁଥିଲେ ୬୪ ବର୍ଷୀୟା ଫାତିମା। ଦୁଇ ଦଶନ୍ଧି ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ପୁଣି ଏହି ବ୍ୟବସାୟକୁ ଫେରିଲେ। ଫାତିମା ମନେ ପକାନ୍ତି, ତାଙ୍କ ବୟସ ଆଠ ବର୍ଷ ହୋଇଥିବା ବେଳେ ଜାଲରେ ପଡ଼ି କୂଳକୁ ଅଣାଯାଉଥିବା ମାଛମାନେ ଜୀବନ ସହିତ ସଂଘର୍ଷ କରି ଥରୁଥିଲେ, ଛଟପଟ ହେଉଥିଲେ। ଏତେ ତାଜା ଥିଲା ସେ ସମୟର ମାଛ। ଏବେ, ପାଖାପାଖି ୫୬ ବର୍ଷ ପରେ, ସବୁ ଖାଲି ‘ବରଫ ମୀନ (ମାଛ)’ ବୋଲି ସେ କହନ୍ତି। ମାଛକୁ ବରଫରେ ପ୍ୟାକ୍‌ କରିବା ଲାଗି ଡଙ୍ଗାରେ ବରଫ ବୋଝେଇ କରି ନିଆଯାଏ। ବଡ଼ ବଡ଼ ମାଛ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୁଏ। “ସେ ସମୟରେ, ଆମେ ଅଣା, ପଇସାରେ ବେପାର କରୁଥିଲୁ ଏବଂ ଶହେ ଟଙ୍କା କହିଲେ ବହୁତ ବେଶୀ ଟଙ୍କା, ଏବେ ହଜାର ଆଉ ଲକ୍ଷରେ କାରବାର।”

Fathima and her sisters outside their shop
PHOTO • Tehsin Pala

ସେମାନଙ୍କ ଦୋକାନ ବାହାରେ ଫାତିମା ଏବଂ ତାଙ୍କ ଭଉଣୀମାନେ

Fathima inspecting her wares
PHOTO • M. Palani Kumar

ଫାତିମା ତାଙ୍କ ମା ଲ୍‌ ପତ୍ରକୁ ନିରୀକ୍ଷଣ କରୁଛନ୍ତି

ତାଙ୍କ ଆଛି ଙ୍କ ସମୟରେ, ମହିଳାମାନେ ସବୁ ସ୍ଥାନକୁ ଯାଉଥିଲେ। ସେମାନଙ୍କ ମୁଣ୍ଡରେ ରହୁଥିଲା ତାଳପତ୍ର ଟୋକେଇ ଭର୍ତ୍ତି ଶୁଖୁଆ। “ଶୁଖୁଆ ବିକିବା ଲାଗି ସେମାନେ ୧୦ କିଲୋମିଟର ଚାଲି ଚାଲି ବିଭିନ୍ନ ପଟ୍ଟିକାଡୁ କୁ (ପଲ୍ଲୀ ଗାଁକୁ) ଯାଉଥିଲେ।” ଆଜିଜାଲି ସେମାନେ ଆଲୁମିନିୟମ ଝୁଡ଼ିରେ ଶୁଖୁଆ ରଖି ତାକୁ ବିକିବା ପାଇଁ ବସ୍‌ରେ ଯାଉଛନ୍ତି। କେବଳ ଆଖପାଖର ଗାଁ ନୁହେଁ, ସବୁ ପଡ଼ୋଶୀ ବ୍ଲକ୍‌ ଓ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଗାଁକୁ ସେମାନେ ଯାଉଛନ୍ତି।

୨୦୨୨ ଅଗଷ୍ଟରେ ତାଙ୍କୁ ଭେଟିଥିଲା ‘ପରୀ’ ଟିମ୍‌। ସେ ସମୟରେ, ନିଜ ହାତରେ ସେ ଅଞ୍ଚଳର ଏକ ମାନଚିତ୍ର ତିଆରି କରିବାକୁ ଚେଷ୍ଟା କରୁ କରୁ ସେ କହିଲେ, “କରୋନା ପୂର୍ବରୁ ଆମେ ତିରୁଚେନ୍ଦୁର ରାସ୍ତାର ତିରୁନେଲଭେଲି ରୋଡ୍‌ରେ ବିଭିନ୍ନ ଗାଁକୁ ଯାଉଥିଲୁ। ଏବେ କିଛି ଦିନ ହେଲା ଆମେ କେବଳ ପ୍ରତି ସୋମବାର ଦିନ ଏରାଇ ସହରର ସନ୍ତେଇ (ସାପ୍ତାହିକ ହାଟ)କୁ ଯାଉଛୁ।” ତାଙ୍କ ଯିବାଆସିବା ବାବଦ ଖର୍ଚ୍ଚ ହିସାବ କରନ୍ତି ସେ: ଅଟୋ ଭଡ଼ା ମିଶାଇ ବସ୍‌ ଡିପୋରେ ପହଞ୍ଚିବା ଲାଗି ଦୁଇ ଶହ ଟଙ୍କା ଏବଂ ନିଜ ଶୁଖୁଆ ଝୁଡ଼ିକୁ ବସ୍‌ ଭିତରେ ନେବା ଲାଗି ଫୁଲ୍‌ ଟିକଟ। “ତା ସହିତ, ବଜାର ଭିତରକୁ ପ୍ରବେଶ ଫି’ ବାବଦରେ ମୁଁ ଦିଏ ପାଞ୍ଚ ଶହ (ଟଙ୍କା)।” ସେଠାରେ ସେ ପାଞ୍ଚ ହଜାରରୁ ସାତ ହଜାର ଟଙ୍କାର ଶୁଖୁଆ ବିକୁଥିବାରୁ ଏତକ ପାଉଣା ଦେବାକୁ ସେ ଅମଙ୍ଗ ହୁଅନ୍ତି ନାହିଁ।

ହେଲେ ଚାରିଟି ସୋମବାର ମିଶିଲେ ମାସେ ହୁଏ ନାହିଁ। ତାଙ୍କ ବେପାରର ସମସ୍ୟାକୁ ସ୍ପଷ୍ଟ ବୁଝିପାରନ୍ତି ଫାତିମା। “କେଇ ଦଶନ୍ଧି ତଳେ, ମତ୍ସ୍ୟଜୀବୀମାନଙ୍କୁ ତୁତୁକୁଡ଼ିରୁ ବେଶୀ ଦୂର ଯିବାକୁ ପଡୁ ନଥିଲା; ସେତିକିରେ ସେମାନେ ଖୁବ୍‌ ଭଲ ପରିମାଣର ମାଛ ଧରି ଫେରିଆସୁଥିଲେ। ଆଉ ଏବେ ? ସେମାନେ ଗଭୀର ସମୁଦ୍ର ଭିତରକୁ ଯାଉଛନ୍ତି ସିନା, ସେତେ ବେଶୀ ମାଛ ଧରିପାରୁନାହାନ୍ତି।”

ଗଚ୍ଛିତ ମାଛର ପରିମାଣ କାହିଁକି ହ୍ରାସ ପାଇବାରେ ଲାଗିଛି ?  ତାଙ୍କ ଜୀବନର ଅନୁଭୂତି ଆଧାରରେ ଗୋଟିଏ ମିନିଟ୍‌ରୁ କମ୍‌ ସମୟ ଭିତରେ ସେ କଥା ବୁଝାଇ ଦିଅନ୍ତି ଫାତିମା। “ସେ ସମୟରେ ସେମାନେ ରାତିରେ ଯାଉଥିଲେ ଏବଂ ପରଦିନ ସନ୍ଧ୍ୟାରେ ଫେରି ଆସୁଥିଲେ। ଆଜି ସେମାନେ ୧୫-୨୦ ଦିନ ଲାଗି ଯାଉଛନ୍ତି। କନ୍ୟାକୁମାରୀ, ସିଲୋନ୍‌ ଓ ଆଣ୍ଡାମାନ ପାଖାପାଖି ଦୂର ଅଞ୍ଚଳକୁ ବି ଯାଉଛନ୍ତି।”

ଏହା ଏକ ବଡ଼ ଅଞ୍ଚଳ ଏବଂ ଭିନ୍ନ ଭିନ୍ନ ସମସ୍ୟାରେ ବୁଡ଼ି ରହିଛି: ତୁତୁକୁଡ଼ି ନିକଟ ମାଛଧରା କ୍ଷେତ୍ରରେ ମାଛ ପରିମାଣ କମି କମି ଯାଉଛି। ଯାହା ଉପରେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ। କିନ୍ତୁ ଯାହାର ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ତାଙ୍କ ଜୀବନ। ଏବଂ ଜୀବିକା।

ଫାତିମା ଯେଉଁ ସମସ୍ୟା ବିଷୟରେ କହନ୍ତି ତାହା ହେଲା: ଅତ୍ୟଧିକ ମାଛଧରା। ଗୁଗ୍‌ଲରେ ଏହାକୁ ଖୋଜି ଦେଖନ୍ତୁ ଏବଂ ଗୋଟିଏ ସେକେଣ୍ଡରୁ କମ୍‌ ସମୟ ଭିତରେ ଆପଣଙ୍କୁ ୧ କୋଟି ୮୦ ଲକ୍ଷ ଉତ୍ତର ମିଳିଯିବ। ଏହା ଏତେ ସାଧାରଣ କଥା। ଏବଂ ଏହାର କାରଣ ହେଲା, ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO)ର ଏକ ରିପୋର୍ଟ ଅନୁସାରେ, “ସାରା ବିଶ୍ୱରେ, ୨୦୧୯ ମସିହାରେ କେବଳ ଜଳଜ ଖାଦ୍ୟ ପଦାର୍ଥ ରୁ ୧୭ ପ୍ରତିଶତ ପ୍ରାଣୀଜ ପ୍ରୋଟିନ୍‌ ବା ପୁଷ୍ଟିସାର ଏବଂ ୭ ପ୍ରତିଶତ ସମସ୍ତ ପ୍ରକାର ପ୍ରୋଟିନ୍‌ ମିଳିଥିଲା।” ଏହାର ଅର୍ଥ, ପ୍ରତି ବର୍ଷ ଆମେ ସମୁଦ୍ରରୁ “୮ରୁ ୯ କୋଟି ମେଟ୍ରିକ୍‌ ଟନ୍‌ ସାମୁଦ୍ରିକ ଖାଦ୍ୟ ବାହାର କରୁ” ବୋଲି କହନ୍ତି ‘ଆମେରିକାନ କ୍ୟାଚ୍‌ ଆଣ୍ଡ ଫୋର୍‌ ଫିସ୍‌’ର ଲେଖକ ପଲ୍‌ ଗ୍ରୀନ୍‌ବର୍ଗ। ଏହି ପରିମାଣ ଅବିଶ୍ୱସନୀୟ ଭାବେ ଅଧିକ। କାରଣ ଗ୍ରୀନ୍‌ବର୍ଗ କହନ୍ତି, ଏହା “ ଚୀନର ସମୁଦାୟ ଲୋକଙ୍କ ଓଜନ ସହିତ ସମାନ”।

ହେଲେ ଏ ହେଲା ଅସଲ କଥା। ସବୁ ତାଜା ମାଛ ଖିଆଯାଏ ନାହିଁ। ମାଂସ ଓ ପରିବା ଭଳି ଏହାକୁ ବି ଭବିଷ୍ୟତ ପାଇଁ ସଂରକ୍ଷିତ ରଖାଯାଏ। ଏବଂ ଏ କ୍ଷେତ୍ରରେ ସବୁଠାରୁ ପୁରୁଣା ପଦ୍ଧତି ହେଲା ମାଛରେ ଲୁଣ ଦେଇ ଖରାରେ ଶୁଖାଇବା।

Left: Boats docked near the Therespuram harbour.
PHOTO • M. Palani Kumar
Right: Nethili meen (anchovies) drying in the sun
PHOTO • M. Palani Kumar

ବାମ : ତେରସପୁରମ୍‌ ବନ୍ଦର ନିକଟରେ ଅନେକ ଡଙ୍ଗା ରହିଛି ଡାହାଣ : ନେଥିଲି ମୀନ (ଚାଉଳି) ଖରାରେ ଶୁଖୁଛି

*****

ଆମେ ହୁରୁଡ଼ାଇ ଦେଉ ସେଇ ପକ୍ଷୀ ପଲକୁ
ଯେଉଁମାନେ ଆସିଥାଆନ୍ତି ଆମେ ଖରାରେ ଶୁଖାଇଥିବା
ମୋଟା ମୋଟା ମଗର ମାଛର
ମାଂସଳ ଖଣ୍ଡ ଖାଇବାକୁ
ତମ ବୁଦ୍ଧିରୁ କ ଣ ବା ମିଳିବ ଆମକୁ
ଆମ ମାଛ ଗନ୍ଧ ଆମର ! ତମେ ସବୁ ପଳାଅ ଏଠାରୁ !

ନାତ୍ରିନାଇ ୪୫ , ନୈ ଲ ତିନାଇ (ସମୁଦ୍ରକୂଳର ଗୀତରୁ)

ଅଜଣା କବିଙ୍କ ରଚନା। ନାୟିକାର ବାନ୍ଧବୀ ନାୟକକୁ ଯାହା କହେ।

ଏହି କାଳାତୀତ ଶାସ୍ତ୍ରୀୟ ରଚନା ୨,୦୦୦ ବର୍ଷ ପୁରୁଣା ‘ତାମିଲ ସଙ୍ଗମ’ ଧର୍ମଶାସ୍ତ୍ରରୁ ଉଦ୍ଧୃତ। ଏହା ସହିତ ଲୁଣ ବ୍ୟବସାୟୀ ଏବଂ ଉପକୂଳ ଅଞ୍ଚଳରୁ ସେମାନଙ୍କ ଲୁଣବାହୀ ଗାଡ଼ି ଯାତାୟାତ ସଂପର୍କରେ ଏଥିରେ ବେଶ୍‌ ରୋଚକ ବିଷୟବସ୍ତୁର ସଂକେତ ରହିଛି। ମାଛରେ ଲୁଣ ଦେଇ ଖରାରେ ଶୁଖାଇବାର ଏହି ପରମ୍ପରା ସଦୃଶ କୌଣସି ପରମ୍ପରା ଅନ୍ୟାନ୍ୟ ପ୍ରାଚୀନ ସଂସ୍କୃତିରେ ରହିଛି କି ?

ହଁ, ରହିଛି ବୋଲି କହନ୍ତି ଡକ୍‌ଟର କ୍ରିଷ୍ଣେନ୍ଦୁ ରାୟ, ଖାଦ୍ୟ ଅଧ୍ୟୟନର ଜଣେ ବିଦ୍ୱାନ। “ସମ୍ଭବତଃ ବାହ୍ୟ ଜଗତ କୈନ୍ଦ୍ରିକ, ବିଶେଷତଃ ସମୁଦ୍ରପଥରେ ଯାତାୟାତ କରୁଥିବା ସାମ୍ରାଜ୍ୟ ସମୂହର ମାଛଧରା ସହିତ ଏକ ଭିନ୍ନ ସମ୍ବନ୍ଧ ରହିଥିଲା। ଏହାର ଆଂଶିକ କାରଣ ହେଲା, ଡଙ୍ଗା ନିର୍ମାଣ ଏବଂ ଡଙ୍ଗା ଚାଳନା କ୍ଷେତ୍ରରେ ଦକ୍ଷତା ଏହି ସବୁ ସାମ୍ରାଜ୍ୟର ଆବଶ୍ୟକତା ଥିଲା। ଏହା ପ୍ରାୟତଃ ମତ୍ସ୍ୟଜୀବୀ ସଂପ୍ରଦାୟର ଲୋକେ କରୁଥିଲେ। ଯେମିତି କି ଆମେ ଭାଇକିଂ ବା ଜଳଦସ୍ୟୁ, ଜେନୋଇଜ୍‌ ବା ଇଟାଲୀର ଜେନୋଆ ଉପକୂଳ ଅଧିବାସୀ, ଭେନିସ୍‌, ପର୍ତ୍ତୁଗାଲ ଏବଂ ସ୍ପେନ୍‌ର ଅଧିବାସୀଙ୍କ କ୍ଷେତ୍ରରେ ଲକ୍ଷ୍ୟ କରୁ।”

ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଏହି ଅଧ୍ୟାପକ ଜଣକ ଆହୁରି କହନ୍ତି, “ରେଫ୍ରିଜେରେଟର ବାହାରିବା ପୂର୍ବରୁ, ମାଛ ଭଳି ଅତି ଉଚ୍ଚ ଗୁଣମାନର ଏହି ପୁଷ୍ଟିସାର ସଂରକ୍ଷଣ ଲାଗି ସେଥିରେ ଲୁଣ ଦିଆଯାଉଥିଲା, ପବନରେ ଶୁଖାଯାଉଥିଲା, ଧୂଆଁ ଦିଆଯାଉଥିଲା ଏବଂ ଅମ୍ଳୀକରଣ (ମାଛର ସସ୍‌ ଭଳି) କରାଯାଉଥିଲା। ସମୟ ଓ ଦୂରତା ଦୃଷ୍ଟିରୁ ଦୀର୍ଘପଥଗାମୀ ଜାହାଜରେ ଏହି ସବୁ ବ୍ୟବସ୍ଥା ରହିଲା। ଏହି କାରଣରୁ, ଭୂମଧ୍ୟ ସାଗରକୁ ଘେରି ରହିଥିବା ରୋମ ସାମ୍ରାଜ୍ୟରେ ଗାରମ୍‌ (ଅମ୍ଳୀକୃତ ମାଛ ସସ୍‌)ର ମହତ୍ତ୍ୱ ବେଶ୍‌ ଅଧିକ ରହିଥିଲା ଏବଂ ରୋମ ସାମ୍ରାଜ୍ୟର ପତନ ସହିତ ଏହି ସସ୍‌ ମଧ୍ୟ ଉଭେଇ ଯାଇଥିଲା।”

ଖାଦ୍ୟ ଓ କୃଷି ସଂଗଠନର ଅନ୍ୟ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସାଧାରଣତଃ ତାମିଲନାଡୁରେ ଯେଉଁ କାରିଗରୀ ପ୍ରକ୍ରିୟା ଅନୁସୃତ, “ସେଥିରେ ଖାଦ୍ୟ ନଷ୍ଟକାରୀ ଜୀବାଣୁ ନାଶ କରିବା ଏବଂ ଏନ୍‌ଜାଇମ୍‌ ବା ହଜମକାରୀ ତତ୍ତ୍ୱ ନଷ୍ଟ କରିବା ପ୍ରକ୍ରିୟା ରହିଛି ଏବଂ ଏଥିରୁ ଉତ୍ପନ୍ନ ସ୍ଥିତି ଅତି କ୍ଷୁଦ୍ର ଜୀବାଣୁର ବୃଦ୍ଧି ଓ ବିସ୍ତାର ନିମନ୍ତେ ଅନୁପଯୋଗୀ।”

Salted and sun dried fish
PHOTO • M. Palani Kumar

ଲୁଣ ଦେବା ପରେ ଖରାରେ ଶୁଖୁଥିବା ମାଛ

Karuvadu stored in containers in Fathima's shop
PHOTO • M. Palani Kumar

ଫାତିମାଙ୍କ ଦୋକାନରେ ଗଚ୍ଛିତ କରୁବାଡୁ

ଖାଦ୍ୟ ଓ କୃଷି ସଂଗଠନର ଏହି ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ଲୁଣ ଦେଇ ମାଛ ରଖିବା “ଏକ ସ୍ୱଳ୍ପ ଖର୍ଚ୍ଚ ସମ୍ବଳିତ ମାଛ ସଂରକ୍ଷଣ ପଦ୍ଧତି। ମାଛରେ ଲୁଣ ଦେବାର ଦୁଇଟି ସାଧାରଣ ପଦ୍ଧତି ରହିଛି: ଶୁଖିଲା ଲୁଣ ପ୍ରୟୋଗ, ଏହି ପ୍ରକ୍ରିୟାରେ ମାଛର ଉପର ଭାଗରେ ସିଧାସଳଖ ଶୁଖିଲା ଲୁଣ ଦିଆଯାଏ ଏବଂ ଲବଣାକ୍ତ କରିବା, ଏହି ପ୍ରକ୍ରିୟାରେ ମାଛକୁ ଲୁଣମିଶା ପାଣିରେ ବୁଡ଼ାଇ ରଖାଯାଏ।” ଏବଂ ଏହିଭଳି ସେମାନେ ମାସ ମାସ ଧରି ମାଛ ରଖନ୍ତି।

ସମୃଦ୍ଧ ଅତୀତ ସତ୍ତ୍ୱେ ଏବଂ ସହଜରେ ଉପଲବ୍‌ଧ ଏକ ସୁଷମ ପୁଷ୍ଟିସାର ହୋଇଥିଲେ ହେଁ ସାଧାରଣ ସାଂସ୍କୃତିକ ଜୀବନରେ (ଉଦାହରଣ ସ୍ୱରୂପ ତାମିଲ ସିନେମାରେ) କରୁବାଡୁ ଉପହାସର ବିଷୟବସ୍ତୁ ହୋଇ ରହିଆସିଛି। ସ୍ୱାଦିଷ୍ଟ ପଦାର୍ଥର ଅନୁକ୍ରମିକ ତାଲିକାରେ ଏହାର ସ୍ଥାନ କେଉଁଠି ରହିଛି କେଜାଣି ?

ଡକ୍ଟର ରାୟ କହନ୍ତି, “ଏଥିରେ ପଦାନୁକ୍ରମର ବିଭିନ୍ନ ସ୍ତର ବିଶିଷ୍ଟ ଭାବଧାରା ସଂପୃକ୍ତ। ବ୍ରାହ୍ମଣବାଦର ପ୍ରକାରଭେଦ ମଧ୍ୟରେ, ଯେଉଁ ସମୟରେ ଜାତିଆଣ ବା ଆଞ୍ଚଳିକ ପତିଆରା ସମ୍ବଳିତ ଚିନ୍ତାଧାରା ବିସ୍ତାରିତ ହୋଇଛି, ସେହି ସମୟରେ ପାଣି ଉପରେ, ବିଶେଷତଃ ଲୁଣି ପାଣି ଉପରେ ନିର୍ଭର କରୁଥିବା ଜୀବନ ଓ ଜୀବିକାକୁ ହୀନଚକ୍ଷୁରେ ଦେଖାଯାଇଛି ଏବଂ ସନ୍ଦେହ ଘେରରେ ରଖାଯାଇଛି। ନିର୍ଦ୍ଦିଷ୍ଟ କେତେକ ସଂପର୍କର ଉପସ୍ଥାପନା କ୍ଷେତ୍ରରେ ଅଞ୍ଚଳ ଓ ଜୀବିକା ଭିତ୍ତିରେ ଜାତି ନିର୍ଦ୍ଧାରଣ କରାଯାଇଥିବା ବେଳେ ମାଛମରା ଜୀବିକାକୁ ଉପେକ୍ଷା କରାଯାଇଛି।”

ଡକ୍ଟର ରାୟ କହନ୍ତି, ମାଛ ହେଉଛି, “ଅନ୍ତିମ ବନ୍ୟ ପଦାର୍ଥ ଯାହାକୁ ଆମେ ବ୍ୟାପକ ଭାବରେ ଧରୁ ଏବଂ ଖାଇଥାଉ। ସେ ଦୃଷ୍ଟିରୁ ଏହାକୁ ଅତି ମୂଲ୍ୟବାନ ରୂପରେ ଗ୍ରହଣ କରାଯାଇପାରିବ କିମ୍ବା ଅବହେଳିତ ସ୍ଥିତିରେ ରଖାଯାଇପାରିବ। ସଂସ୍କୃତ ଭାଷାମୟ ଭାରତର ଅଧିକାଂଶ ଭାଗରେ କ୍ଷେତ୍ରୀୟ, ଘରୋଇ କାରଣରୁ ଏବଂ କୃଷିଯୋଗ୍ୟ ଜମିରୁ ଅଳ୍ପ ଅର୍ଥଲଗାଣରେ ଶସ୍ୟ ଉତ୍ପାଦନ, ମନ୍ଦିରରେ ପୁଞ୍ଜି ବିନିଯୋଗ ଏବଂ ଜଳୀୟ ଭିତ୍ତିଭୂମି ସ୍ଥାପନକୁ ଅର୍ଥନୈତିକ ଏବଂ ସାଂସ୍କୃତିକ ଉନ୍ନତି ରୂପେ ଧରି ନିଆଯାଇଥିବାରୁ ଏହାକୁ ଉପେକ୍ଷା କରାଯାଇଛି।”

*****

ସୂର୍ଯ୍ୟକିରଣରୁ ରକ୍ଷା କରୁଥିବା ଛୋଟ ଏକ ପାଲର ଛାଇରେ ବସି ଗୋଟିଏ ପୁମୀନ (କ୍ଷୀର  ମାଛ) ପ୍ରସ୍ତୁତ କରନ୍ତି ସହାୟପୁରଣି। ସର୍‌ର୍‌...ସର୍‌ର୍‌..ସର୍‌ର୍‌.. ଶବ୍ଦ କରି ତାଙ୍କ ଛୁରୀ ଚାଲୁଥାଏ ତିନି କିଲୋ ଓଜନର ମାଛ ଉପରେ। ଏହି ମାଛକୁ ସେ ତେରସପୁରମ୍‌ ନିଲାମ ହାଟରୁ ୩୦୦ ଟଙ୍କାରେ କିଣିଥିଲେ। ଫାତିମାଙ୍କ ଦୋକାନ ପାଖ କେନାଲ ଆରପଟେ ରହିଛି ତାଙ୍କ ଦୋକାନ। କେନାଲର ପାଣି କଳା ପଡ଼ିଗଲାଣି, ପାଣି ଅପେକ୍ଷା ପଙ୍କକାଦୁଅ ଅଧିକ। ଚାରିଆଡ଼କୁ ଛିଟିକି ପଡୁଥିଲା ମାଛ କାତି। କିଛି ସେହି ପୁମୀନ ମାଛ ଉପରେ ପଡୁଥିଲା ତ ଆଉ କେତେକ ଆଲୁଅରେ ଚିକ୍‌ଚିକ୍‌ କରି ଦୁଇ ଫୁଟ ଦୂରରେ, ମୋ ଉପରେ ପଡୁଥିଲା। ମାଛ କାତି ମୋ ପୋଷାକରେ ପଡ଼ିବା ଦେଖି ସେ ହସନ୍ତି। ବେଶ୍‌ ସହଜ ଓ ସ୍ୱାଭାବିକ ହସ। ଏବଂ ଆମେ ସମସ୍ତେ ତାଙ୍କ ସହିତ ଯୋଗ ଦେଉ। ସହାୟପୁରଣି ପୁଣି ଥରେ ତାଙ୍କ କାମ ଆରମ୍ଭ କରନ୍ତି। ଦୁଇଟି ତ୍ରୁଟିହୀନ ଚୋଟରେ ବାହାରି ଯାଏ ମାଛର ଦୁଇ ଡେଣା। ତା’ ପରେ ମାଛର ବେକ ପାଖରୁ ଖଣ୍ଡ ଖଣ୍ଡ କରି କାଟିବାରେ ଲାଗନ୍ତି ଏବଂ ମାଛକଟା କାତିରେ କାଟି ଖଣ୍ଡଗୁଡ଼ିକୁ ଅଲଗା କରନ୍ତି। ଧମ୍‌...ଧମ୍‌... ଧମ୍‌... ଛଅ ଥର ଚୋଟ ମାରନ୍ତି ଏବଂ ମାଛର ମୁଣ୍ଡ କଟି ଅଲଗା ହୋଇଯାଏ।

ତାଙ୍କ ପଛରେ ବନ୍ଧା ହୋଇଥିବା ଧଳା କୁକୁରଟି ଚାହିଁ ରହିଥାଏ। ଗରମରେ ତା’ର ଜିଭ ବାହାରି ଲହଲହ ହେଉଥାଏ। ସହାୟପୁରଣି ମାଛର ଅନ୍ତପୁଟା ବାହାର କରି ଦିଅନ୍ତି, ମାଛର ମାଂସଳ ଭାଗରେ ଛୁରୀରେ କଣା କରି ତାକୁ ବହି ମେଲାଇବା ଭଳି ମେଲାଇ ଦିଅନ୍ତି। ମାଛକଟା କାତିରେ ମାଛର ମାଂସପେଶୀ ଥିବା ସ୍ଥାନରେ ଗଭୀର କଣା କରି ଘୂରାଇ ଦିଅନ୍ତି। ଛୁରୀରେ ସେ ଛୋଟ ଛୋଟ ଏବଂ ପତଳା ଗାର ଟାଣନ୍ତି। ଗୋଟିଏ ହାତରେ ମୁଠାଏ ଲୁଣ ନେଇ ସେ ମାଛର ଭିତର ଭାଗରେ ଘଷନ୍ତି, ଲୁଣରେ କଟାସ୍ଥାନ ସବୁ ପୂରିଯାଏ। ଯେଉଁ ପର୍ଯ୍ୟନ୍ତ ମାଛର ଗୋଲାପି ମାଂସଳ ଭାଗରେ ଛୋଟ ଛୋଟ ଲୁଣର ସ୍ଫଟିକରେ ଭରି ନଯାଇଛି, ସେ ପର୍ଯ୍ୟନ୍ତ ସେ ଏହି କାମ ଅବ୍ୟାହତ ରଖନ୍ତି। ଏବେ ଖରାରେ ଶୁଖାଇବା ପାଇଁ ମାଛ ପ୍ରସ୍ତୁତ। ସେ ତାଙ୍କ କାତି ଓ ଛୁରୀ ଧୁଅନ୍ତି, ପାଣିରେ ହାତ ବୁଡ଼ାଇ ଧୋଇ ପୋଛି ଶୁଖାଇ ଦିଅନ୍ତି। ସେ କହନ୍ତି, “ଆସନ୍ତୁ”। ଆମେ ତାଙ୍କ ପଛେ ପଛେ ତାଙ୍କ ଘର ଆଡ଼କୁ ଯାଉ।

Sahayapurani scrapes off the scales of Poomeen karuvadu as her neighbour's dog watches on
PHOTO • M. Palani Kumar

ସହାୟପୁରଣି ପୁମୀନ କରୁବାଡୁ ମାଛରୁ କାତି ଛଡ଼ାଇବା ବେଳେ ତାଙ୍କ ପଡ଼ୋଶୀଙ୍କ କୁକୁର ଚାହିଁ ରହିଥାଏ

Sahayapurani rubs salt into the poomeen 's soft pink flesh
PHOTO • M. Palani Kumar

ପୁମୀନ ମାଛର ନରମ ଗୋଲାପୀ ମାଂସଳ ଭାଗରେ ସହାୟପୁରଣି ଲୁଣ ଘଷନ୍ତି

ତାମିଲନାଡୁର ସାମୁଦ୍ରିକ ମତ୍ସ୍ୟ ଗଣନା-୨୦୧୬ ଅନୁସାରେ ରାଜ୍ୟର ମତ୍ସ୍ୟଜୀବୀ ସଂପ୍ରଦାୟରେ ଅଛନ୍ତି ୨ ଲକ୍ଷ ୬୨ ହଜାର ମହିଳା ଏବଂ ୨ ଲକ୍ଷ ୭୪ ହଜାର ପୁରୁଷ। ଏଥିରୁ ଏହା ବି ଜଣାପଡ଼େ ଯେ ୯୧ ପ୍ରତିଶତ ସାମୁଦ୍ରିକ ମତ୍ସ୍ୟଜୀବୀ ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଅଛନ୍ତି।

ଖରା ତାତିରୁ କିଛି ଦୂରରେ ବସି ମୁଁ ସହାୟପୁରାଣିଙ୍କୁ ପଚାରେ ଯେ, ଦିନକୁ ସେ କେତେ ମାଛ ବିକନ୍ତି। “ଏହା ନିର୍ଭର କରେ ଆମ ପାଇଁ ଆଣ୍ଡାବର (ଯୀଶୁ)ଙ୍କ ବରାଦ ଉପରେ। ଆମେ ତାଙ୍କ ଦୟାରୁ ହିଁ ବଞ୍ଚି ରହିଛୁ।” ଆମେ କଥାବାର୍ତ୍ତା ମଧ୍ୟରେ ଅନେକ ଥର ଯୀଶୁଙ୍କ କଥା ଉଠେ। “ଯଦି ସେ ସାହାଯ୍ୟ କରନ୍ତି, ତେବେ ଆମେ ସବୁ ଶୁଖୁଆ ବିକି ଦେଉ ଏବଂ ଦିନ ୧୦ଟା ୩୦ ସୁଦ୍ଧା ଘରକୁ ଫେରି ଆସୁ।”

ନିରବରେ ସବୁକଥା ଗ୍ରହଣ କରିନେବାର ତାଙ୍କର ଏହି ଗୁଣ ତାଙ୍କ କାର୍ଯ୍ୟସ୍ଥଳୀରେ ବି ଦେଖାଯାଏ। କେନାଲ କଡ଼ର ନିର୍ଦ୍ଦିଷ୍ଟ ସ୍ଥାନରେ ସେ ମାଛ ଶୁଖାନ୍ତି। ଏହା ଆଦୌ ଠିକ୍‌ ନୁହେଁ ସତ, ହେଲେ ଆଉ କ’ଣ ବିକଳ୍ପ ରହିଛି ବୋଲି ସେ ପଚାରନ୍ତି। କେବଳ ପ୍ରଚଣ୍ଡ ଖରାତାତି ନୁହେଁ, ସେ ତାଙ୍କର ସବୁ ଜିନିଷପତ୍ର ଅଦିନିଆ ବର୍ଷାରେ ଭିଜିଯିବାର ଆଶଙ୍କା ବି ଥାଏ। “ସେଦିନ ମୁଁ ମାଛରେ ଲୁଣ ଲଗାଇ ବାହାରେ ଶୁଖାଇ ଦେଲି ଏବଂ ଘରକୁ ଆସି କିଛି ସମୟ ପାଇଁ ଆଖି ବୁଜି ଦେଇଥିଲି... ଅଚାନକ ଜଣେ ବ୍ୟକ୍ତି ଦୌଡ଼ି ଦୌଡ଼ି ଆସି କହିଲେ କି ବର୍ଷା ହେଉଛି। ମୁଁ ତରତର ହୋଇ ବାହାରି ଗଲି, ହେଲେ ସେତେବେଳକୁ ଅଧା ମାଛ ଭିଜିଯାଇଥାଏ। ଛୋଟ ମାଛକୁ ଆପଣ ଆଉ ରକ୍ଷା କରିପାରିବେନି, ସେଗୁଡ଼ିକ ନଷ୍ଟ ହୋଇଯାଆନ୍ତି।”

ସହାୟପୁରାଣିଙ୍କ ବୟସ ଏବେ ୬୭ ବର୍ଷ। ସେ ତାଙ୍କ ଚିଟି - ମାଆଙ୍କ ସାନ ଭଉଣୀ ପାଖରୁ ମାଛ ଶୁଖାଇବାର ଏହି କଳା ଶିଖିଥିଲେ। ହେଲେ, ସେ କହନ୍ତି, ମାଛ କାରବାର ଅଧିକ ହେଉଥିବା ସମୟରେ ଶୁଖୁଆର ଚାହିଦା ଖସିବାରେ ଲାଗେ। “କାରଣ, ଯେଉଁମାନେ ମାଛ ଖାଇବାକୁ ଚାହାଁନ୍ତି, ସେମାନଙ୍କୁ ସହଜରେ ତାଜା ମାଛ ମିଳିଯାଏ। ବେଳେବେଳେ ସେମାନେ ଏହାକୁ ଶସ୍ତାରେ ବିକନ୍ତି। ତା ଛଡ଼ା, ଆପଣ ସେହି ଏକା ଜିନିଷକୁ ସବୁଦିନ ଖାଇବାକୁ ପସନ୍ଦ କରିବେନି, କରିବେ କି ? ଆପଣ ଯଦି ସପ୍ତାହକୁ ଦୁଇ ଥର ମାଛ ଖାଆନ୍ତି ତେବେ ଥରେ ତ ବି ରି ୟାନି ଖାଇବେ, ଆଉ ଥରେ ସମ୍ବର , ରସମ୍‌ , ସୋୟା ବିରିୟାନି ଏବଂ ଏମିତି ଆଉ କିଛି...।”

ମୂଳ କାରଣ ହେଲା, ଏ ସଂପର୍କରେ ଡାକ୍ତରମାନେ ପରସ୍ପର ବିରୋଧୀ ମତପୋଷଣ କରନ୍ତି। “ କରୁବାଡୁ ଖାଆନ୍ତୁ ନାହିଁ, ଏହା ଖୁବ୍‌ ଲୁଣିଆ। ଡାକ୍ତରମାନେ କହନ୍ତି ଏହା ଯୋଗୁଁ ରକ୍ତଚାପ ବଢ଼ିଥାଏ। ତେଣୁ ଲୋକେ ଏହାକୁ ଖାଆନ୍ତି ନାହିଁ।” ମାନ୍ଦା କାରବାର ଏବଂ ଡାକ୍ତରମାନଙ୍କ ପରାମର୍ଶ କଥା କହୁଥିବା ସମୟରେ ସେ ଧୀରେ ଧୀରେ ମୁଣ୍ଡ ହଲାଉ ଥାଆନ୍ତି ଏବଂ ତାଙ୍କ ତଳ ଓଠକୁ ବାହାର କରନ୍ତି। ଏହି  ଶିଶୁସୁଲଭ ଅଭିବ୍ୟକ୍ତିରେ ରହିଛି ଉଭୟ ନୈରାଶ୍ୟ ଓ ଅଚାନକ କ୍ଷତି ସହିବାର ଆଶଙ୍କା।

କରୁବାଡୁ ପ୍ରସ୍ତୁତ ହୋଇଯିବା ପରେ ସେ ଏହାକୁ ତାଙ୍କ ଘରେ, ଏହି କାରବାର ପାଇଁ ଉଦ୍ଦିଷ୍ଟ ଆଉ ଏକ କୋଠରିରେ ଜମା କରି ରଖନ୍ତି। ସେ କହନ୍ତି, “ସାଧାରଣତଃ ବଡ଼ ବଡ଼ ମାଛ ମାସ ମାସ ଧରି ରହେ।” ନିଜର ଦକ୍ଷତା ଉପରେ ତାଙ୍କର ପ୍ରବଳ ଆତ୍ମବିଶ୍ୱାସ ରହିଛି। ଯେଉଁ ଢଙ୍ଗରେ ସେ ମାଛ ଦେହରେ ଘୂରାଇ ଘୂରାଇ କଣା କରନ୍ତି ଏବଂ ସେଥିରେ ଲୁଣ ଘଷନ୍ତି, ସେଥିରୁ ସେ ନିଶ୍ଚିତ ଯେ ଏହା ଅନେକ ଦିନ ରହିପାରିବ। “ଗ୍ରାହକମାନେ ଏହାକୁ ବହୁ ସପ୍ତାହ ଧରି ରଖିପାରିବେ। ଆପଣ ଯଦି ଏଥିରେ କିଛି ହଳଦୀ ଆଉ ଲୁଣ ଲଗାଇ ଦେବେ ଏବଂ ଏହାକୁ ଖବରକାଗଜରେ ଗୁଡ଼ାଇ ଏକ ପବନ ନ ପଶି ପାରିଲା ଭଳି ଖୋଳରେ ରଖି ପାରିବେ, ତେବେ ଏହା ଫ୍ରିଜ୍‌ରେ ଅନେକ ଦିନ ଯାଏ ରହିପାରିବ।”

Sahayapurani transferring fishes from her morning lot into a box. The salt and ice inside will help cure it
PHOTO • M. Palani Kumar

ସକାଳ ବେଳାର ମାଛକୁ ଗୋଟିଏ ବାକ୍‌ସରେ ରଖୁଛନ୍ତି ସହାୟପୁରାଣି। ତା ଭିତରେ ଥିବା ଲୁଣ ଓ ବରଫ ଏହାକୁ ଭଲ କରିବାରେ ସାହାଯ୍ୟ କରିବ

ତାଙ୍କ ମାଆ ଥିବା ବେଳେ ଅଧିକାଂଶ ସମୟରେ ସେମାନେ କରୁବାଡୁ ଖାଉଥିଲେ। ଶୁଖୁଆକୁ ଭାଜି ଯଅରୁ ତିଆରି ଜାଉ ସହିତ ଖିଆଯାଉଥିଲା। “ସେମାନେ ଏକ ବଡ଼ ପାତ୍ରରେ ସଜନା ଛୁଇଁ ଏବଂ ବାଇଗଣ ସହିତ ମାଛ ପକାଇ ଝୋଳ ତିଆରି କରୁଥିଲେ ଏବଂ ଏହାକୁ ଜାଉ ଉପରେ ଢାଳି ଖାଉଥିଲେ। କିନ୍ତୁ ଆଜିକାଲି, ସବୁ କିଛି ‘ପରିଷ୍କାର’ ହେବାର ଅଛି।” ଖୁବ୍‌ ଜୋରରେ ହସନ୍ତି ସେ। “କାହିଁ, ଏବେ ତ ଭାତ ବି ‘ପରିଷ୍କାର’ ଏବଂ ଲୋକେ ପରିବାରୁ ତିଆରି କୁଟୁ (ଡାଲି ସହିତ ରନ୍ଧା ହୋଇଥିବା) ଖାଉଛନ୍ତି, ଏବଂ ତା ସାଙ୍ଗରେ ଅଣ୍ଡା ଭଜା ବି ରହୁଛି। ୪୦ ବର୍ଷ ତଳେ ମୁଁ ପରିବା କୁଟୁ ସଂପର୍କରେ କେବେହେଲେ ଶୁଣି ନଥିଲି।”

ଅଧିକାଂଶ ଦିନରେ ସହାୟପୁରାଣି ଭୋର ୪ଟା ୩୦ରେ ଘରୁ ବାହାରନ୍ତି ଏବଂ ବସ୍‌ରେ ୧୫ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଥିବା କେତେକ ଗାଁକୁ ଯାଆନ୍ତି। ୨୦୨୧ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନଙ୍କ ଘୋଷଣା ଅନୁସାରେ ରାଜ୍ୟ ସରକାର ମହିଳାଙ୍କ ପାଇଁ ମାଗଣା ବସ୍‌ ଯାତ୍ରା ସୁବିଧାକୁ ଉପଲକ୍ଷ କରି ସେ କହନ୍ତି, “ପିଙ୍କ୍‌ ବସ୍‌ରେ ଆମେ ମାଗଣାରେ ଯାଉ। କିନ୍ତୁ ଆମ ଝୁଡ଼ି ପାଇଁ ଆମକୁ ପୂରା ଟିକେଟ୍ ବାବଦ ପଇସା ଦେବାକୁ ପଡ଼େ। ସେଇଟା ହୋଇପାରେ ୧୦ ଟଙ୍କା, ନହେଲେ ୨୪ ଟଙ୍କା। ଏହା ଯାତ୍ରା ଉପରେ ନିର୍ଭର କରେ।” କେବେ କେମିତି ସେ କଣ୍ଡକ୍‌ଟରଙ୍କ ହାତରେ ଦଶ ଟଙ୍କିଆଟିଏ ଗୁଞ୍ଜି ଦିଅନ୍ତି। ହସି ହସି ସେ କହନ୍ତି, “ସେତେବେଳେ ସେ ବେଶୀ ଭଦ୍ରଲୋକ ହୋଇଯାଆନ୍ତି।”

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ସହାୟପୁରାଣି ଗାଁ ଭିତରେ ଚାଲି ଚାଲି ମାଛ ବିକନ୍ତି। ସେ ସ୍ୱୀକାର କରନ୍ତି ଯେ ଏହା  କଠିନ ପରିଶ୍ରମର କାମ। ଏବଂ ପ୍ରତିଯୋଗିତାମୂଳକ ବି। “ତାଜା ମାଛ ବିକିବାର ସମୟ ବେଶୀ ଖରାପ। ଆମେ ଚାଲି ଚାଲି ଗୋଟିଏ କି ଦୁଇଟା ଘରକୁ ଯାଇଥିବା ବେଳେ ଦୁଇଚକିଆ ଯାନରେ ମାଛ ଝୁଡ଼ି ଆଣିଥିବା ପୁରୁଷମାନେ ସେହି ସମୟ ଭିତରେ ଦଶଟା ଘର ବୁଲି ଆସନ୍ତି। ଗାଡ଼ି ଯୋଗୁଁ ତାଙ୍କର ପରିଶ୍ରମ କମିଯାଏ। ଆଉ ଆମର ପାଦଚଲା ଦଣ୍ଡ ଭଳି ଲାଗେ, ତା ସାଙ୍ଗକୁ, ପୁରୁଷମାନେ ସବୁ ସମୟରେ ଆମକୁ ପଛରେ ପକାଇ ଦିଅନ୍ତି।” ତେଣୁ ସେ କରୁବାଡୁ ବିକିବାରେ ଲାଗିଲେ।

ଋତୁ ଅନୁସାରେ ଶୁଖୁଆର ଚାହିଦା ବଦଳେ। “ଗାଁରେ କୌଣସି ପର୍ବ ପାଳନ ହେଉଥିଲେ ଲୋକେ କେଇ ଦିନ ବା ବେଳେବେଳେ, କେଇ ସପ୍ତାହ ପାଇଁ ମାଂସ ଖାଇବା ଛାଡ଼ି ଦିଅନ୍ତି। ଯଦି ବହୁତ ଲୋକ ଏପରି କରନ୍ତି, ତେବେ ଆମ ବିକ୍ରିବଟା ପ୍ରଭାବିତ ହୁଏ।” ଏବଂ ଏଇଟା ନୂଆ କଥା ବୋଲି ସହାୟପୁରାଣି କହନ୍ତି। “ପାଞ୍ଚ ବର୍ଷ ତଳେ, ଏତେ ଅଧିକ ଲୋକେ ଧାର୍ମିକ ପ୍ରଥା ଅନୁସରଣ କରିବା ମୁଁ ଦେଖି ନଥିଲି।” ପର୍ବ ପାଳନ ସମୟରେ ଏବଂ ତା’ ପରେ, ଯେତେବେଳେ ଗାଁରେ ଭୋଜି ପାଇଁ ଛେଳି ବଳି ଦିଆଯାଏ, ଲୋକେ ସେମାନଙ୍କ ସଂପର୍କୀୟଙ୍କ ପାଖକୁ ପଠାଇବା ଲାଗି ବହୁ ପରିମାଣର ଶୁଖୁଆ ବରାଦ ଦିଅନ୍ତି। ତାଙ୍କ ୩୬ ବର୍ଷୀୟା ଝିଅ ନାନ୍‌ସି କହନ୍ତି, “ବେଳେବେଳେ ତ ସେମାନେ ଏକ କିଲୋ ଶୁଖୁଆ କିଣନ୍ତି।”

ବେପାର ମାନ୍ଦା ଥିବା ସମୟରେ ତାଙ୍କ ପରିବାର ଋଣ କରି ଚଳନ୍ତି। ନାନ୍‌ସି କହନ୍ତି, “ଦଶ ପଇସା ସୁଧରେ, ଦୈନିକ ସୁଧ, ସାପ୍ତାହିକ ସୁଧ, ମାସିକ ସୁଧ। ବର୍ଷା ଋତୁରେ ଏବଂ ମାଛଧରା ବନ୍ଦ କରାଯାଇଥିବା ସମୟରେ ଆମେ ଏମିତି ଚଳୁ। କେହି କେହି ନିଜ ଗହଣା ବନ୍ଧା ପକାନ୍ତି। ସାହୁକାର ପାଖରେ କିମ୍ବା ବ୍ୟାଙ୍କରେ। ଆମକୁ ଧାର କରିବାକୁ ପଡ଼େ।” ତାଙ୍କ କଥାକୁ ପୂରା କରିବାକୁ ଯାଇ ତାଙ୍କ ମାଆ କହନ୍ତି, “ଖାଦ୍ୟ କିଣିବା ଲାଗି।” ନାନ୍‌ସି ଜଣେ ସାମାଜିକ କର୍ମୀ।

Left: A portrait of Sahayapurani.
PHOTO • M. Palani Kumar
Right: Sahayapurani and her daughters talk to PARI about the Karuvadu trade
PHOTO • M. Palani Kumar

ବାମ: ସହାୟପୁରାଣିଙ୍କର ଏକ ପ୍ରତିକୃତି। ଡାହାଣ: କରୁବାଡୁ କାରବାର ସଂପର୍କରେ ‘ପରୀ’ ସହ କଥାବାର୍ତ୍ତା କରନ୍ତି ସହାୟପୁରାଣି ଏବଂ ତାଙ୍କ ଝିଅ

କରୁବାଡୁ ବ୍ୟବସାୟରେ ପରିଶ୍ରମ ଏବଂ ଲାଭ ସମାନ ନୁହେଁ। ସେଦିନ ସକାଳେ ସହାୟପୁରାଣି ୧,୩୦୦ ଟଙ୍କାରେ ଯେଉଁ ମାଛ (ଗୋଟିଏ ଝୁଡ଼ି ଭର୍ତ୍ତି ସାଲାଇ ମୀନ କିମ୍ବା କୋକଲି) ନିଲାମରେ କିଣିଲେ, ତାକୁ ବିକିଲେ ୫୦୦ ଟଙ୍କା ଲାଭ ମିଳିବ। ଏଥିପାଇଁ ତାଙ୍କୁ ଦୁଇ ଦିନ ଧରି କାମ କରିବାକୁ ପଡ଼େ। ମାଛ ସଫା କରିବା, ଲୁଣ ଦେବା ଏବଂ ଶୁଖାଇବା ପରେ ଆଉ ଦୁଇ ଦିନ ସେ ବସ୍‌ରେ ଯାଇ ଶୁଖୁଆ ବିକ୍ରି କରନ୍ତି। ଏହାର ଅର୍ଥ ତାଙ୍କ ପରିଶ୍ରମ ଏବଂ ସମୟ ବାବଦରେ ସେ ଦିନକୁ ମାତ୍ର ୧୨୫ ଟଙ୍କା ପାଆନ୍ତି। ଠିକ୍‌ କଥା ନୁହେଁ କି ? ମୁଁ ତାଙ୍କୁ ପଚାରେ।

ସେ କେବଳ ତାଙ୍କ ମୁଣ୍ଡ ହଲାନ୍ତି। ଏଥର ତାଙ୍କ ମୁହଁରେ ହସ ନଥାଏ।

*****

ତୁତୁକୁଡ଼ି ସହରରେ କରୁବାଡୁ ବ୍ୟବସାୟ ସହ ଜଡ଼ିତ ମାନବ ସମ୍ବଳ ଏବଂ ଅର୍ଥନୀତି ସଂପର୍କିତ ଚିତ୍ର ଅସ୍ପଷ୍ଟ। ହେଲେ ତାମିଲ ନାଡୁର ସାମୁଦ୍ରିକ ମତ୍ସ୍ୟ ଗଣନା ରିପୋର୍ଟରୁ ଆମକୁ କିଛିଟା ତଥ୍ୟ ମିଳେ। ତରେସପୁରମ୍ରେ ମାଛର ଚିକିତ୍ସା ଏବଂ ପ୍ରକ୍ରିୟାକରଣ କାର୍ଯ୍ୟରେ ୭୯ ଜଣ ବ୍ୟକ୍ତି ନିୟୋଜିତ। ସମଗ୍ର ଟୁଟିକୋରିନ ଜିଲ୍ଲାରେ ଏହି ସଂଖ୍ୟା ୪୬୫। ସାରା ରାଜ୍ୟର ମାତ୍ର ନଅ ପ୍ରତିଶତ ମତ୍ସ୍ୟଜୀବୀ ଏହି କାରବାରରେ ଜଡ଼ିତ। ହେଲେ, ସେମାନଙ୍କ ମଧ୍ୟରୁ ୮୭ ପ୍ରତିଶତ ମହିଳା, ଯାହା କି ଖୁବ୍‌ ବଡ଼ ସଂଖ୍ୟା। ଖାଦ୍ୟ ଓ କୃଷି ସଂଗଠନର (ଏଫ୍ଏଓ) ଏହି ରିପୋର୍ଟ ତୁଳନାରେ ଏହି ସଂଖ୍ୟା ବେଶ ଅଧିକ। କାରଣ ଏହି ରିପୋର୍ଟ ଅନୁସାରେ ସାରା ବିଶ୍ୱର “କ୍ଷୁଦ୍ର ଧରଣର ମତ୍ସ୍ୟ କେନ୍ଦ୍ରରେ ଏବଂ ମାଛଧରା ପରବର୍ତ୍ତୀ କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ମଧ୍ୟରୁ ଅଧା ମହିଳା।”

ଏହି କାରବାରରେ ଲାଭ ଓ କ୍ଷତିର ହିସାବ ପାଇବା କଷ୍ଟସାଧ୍ୟ କାମ। ଗୋଟିଏ ବଡ଼ ପାଞ୍ଚ କିଲୋ ଓଜନର ମାଛ, ଯାହା କି ଏକ ହଜାର ଟଙ୍କାରେ ବିକ୍ରି ହୋଇଥାଆନ୍ତା, ତାହା ସାମାନ୍ୟ ନରମି ଗଲେ ଚାରି ଶହ ଟଙ୍କାରେ ବିକ୍ରି ହୁଏ। ମହିଳାମାନେ ଏହାକୁ କହନ୍ତି ‘ ଗୁଳୁଗୁଳୁ ’ ଏବଂ ଗୋଟିଏ କାଳ୍ପନିକ ଜୀବକୁ ଚାପି ଦେବା ଢଙ୍ଗରେ ନିଜ ହାତର ଆଙ୍ଗୁଠିକୁ ଏକାଠି ଚାପି ଧରି ଏହାକୁ ଦର୍ଶାଇ ଦିଅନ୍ତି। ତାଜା ମାଛ କ୍ରେତାଙ୍କ ଦ୍ୱାରା ଅଗ୍ରାହ୍ୟ ଏହି ମାଛକୁ କରୁବାଡୁ ପ୍ରସ୍ତୁତକାରୀମାନେ କିଣିବା ଲାଗି ଚାହାଁନ୍ତି। ଛୋଟ ମାଛ ତୁଳନାରେ ସେମାନେ ଏହାକୁ ବେଶୀ ପସନ୍ଦ କରନ୍ତି। କାରଣ, ଏହାକୁ ଶୁଖୁଆ ଲାଗି ପ୍ରସ୍ତୁତ କରିବା ଲାଗି କମ୍‌ ସମୟ ଲାଗିଥାଏ।

ଫାତିମାଙ୍କ ପାଖରେ ଥିବା ପାଞ୍ଚ କିଲୋ ଓଜନର ବଡ଼ ମାଛଟିକୁ ପ୍ରସ୍ତୁତ କରିବା ଲାଗି ତାଙ୍କୁ ଘଣ୍ଟାଏ ସମୟ ଲାଗିଥିଲା। ସେହି ଏକା ଓଜନର ଛୋଟ ମାଛ ପ୍ରସ୍ତୁତ କରିବାକୁ ଦୁଇ ଗୁଣ ସମୟ ଲାଗିଥାଆନ୍ତା ବୋଲି ସେ କହନ୍ତି। ଆବଶ୍ୟକ ଲୁଣର ପରିମାଣ ବି ଭିନ୍ନ ଭିନ୍ନ ହୋଇଥାଏ। ବଡ଼ ମାଛ ହେଲେ ସାଧାରଣତଃ ସେମାନଙ୍କ ଓଜନର ଅଧା ଲୁଣ ଦରକାର କରନ୍ତି। କିନ୍ତୁ ଛୋଟ ଓ ଟାଣ ମାଛ ହେଲେ ସେମାନଙ୍କ ଓଜନର ଏକ ଅଷ୍ଟମାଂଶ ଲୁଣ ଦରକାର ହୁଏ।

Scenes from Therespuram auction centre on a busy morning. Buyers and sellers crowd around the fish and each lot goes to the highest bidder
PHOTO • M. Palani Kumar
Scenes from Therespuram auction centre on a busy morning. Buyers and sellers crowd around the fish and each lot goes to the highest bidder
PHOTO • M. Palani Kumar

ଏକ ବ୍ୟସ୍ତବହୁଳ ସକାଳରେ ତରେସପୁରମ୍‌ ନିଲାମ କେନ୍ଦ୍ରର ଦୃଶ୍ୟ କ୍ରେତା ଓ ବିକ୍ରେତାମାନେ ମାଛ ଚାରିପଟେ ରୁଣ୍ଡ ହୋଇଯାଆନ୍ତି ଏବଂ ସବୁଠାରୁ ଅଧିକ ଦର ଡାକିଥିବା ବ୍ୟକ୍ତିଙ୍କୁ ମାଛ ଦିଆଯାଏ

A woman vendor carrying fishes at the Therespuram auction centre on a busy morning. Right: At the main fishing Harbour in Tuticorin, the catch is brought l ate in the night. It is noisy and chaotic to an outsider, but organised and systematic to the regular buyers and sellers
PHOTO • M. Palani Kumar
A woman vendor carrying fishes at the Therespuram auction centre on a busy morning. Right: At the main fishing Harbour in Tuticorin, the catch is brought l ate in the night. It is noisy and chaotic to an outsider, but organised and systematic to the regular buyers and sellers
PHOTO • M. Palani Kumar

ଏକ ବ୍ୟସ୍ତବହୁଳ ସକାଳରେ ତରେସପୁରମ୍ ନିଲାମ କେନ୍ଦ୍ର ନିକଟରେ ମାଛ ନେଇ ଯାଉଥିବା ଜଣେ ମହିଳା ବିକାଳି ଡାହାଣ : ତୁତି କୋରିନର ମୁଖ୍ୟ ମାଛଧରା ବନ୍ଦରରେ ଧରା ହୋଇଥିବା ମାଛକୁ ବିଳମ୍ବିତ ରାତିରେ କୂଳକୁ ଅଣାଯାଏ ବାହାର ଲୋକଙ୍କ ପାଇଁ ସେ ସମୟର ଦୃଶ୍ୟ କୋଳାହଳପୂର୍ଣ୍ଣ ଏବଂ ବିଶୃଙ୍ଖଳିତ ମନେ ହୋଇପାରେ, କିନ୍ତୁ ନିୟମିତ କ୍ରେତା ଓ ବିକ୍ରେତାଙ୍କ ପାଇଁ ଏହା ସଂଗଠିତ ଏବଂ ବ୍ୟବସ୍ଥିତ

ଶୁଖୁଆ ପ୍ରସ୍ତୁତକାରୀମାନେ ସିଧାସଳଖ ଉପ୍ପ ମ୍‌ , ବା ଲୁଣ ଘେରିରୁ ଲୁଣ କିଣନ୍ତି। ଲୁଣର ପରିମାଣ ଭିନ୍ନ ଭିନ୍ନ ହୋଇଥାଏ – ଗୋଟିଏ ସମୟରେ ବୋଝ ପ୍ରତି ୧,୦୦୦ ଟଙ୍କାରୁ  ୩,୦୦୦ ଟଙ୍କା। ସେମାନଙ୍କ ବ୍ୟବହାରରେ କେତେ ଲୁଣ ଲାଗିବ ତାହା ଆକଳନ କରି ସେମାନେ ଲୁଣ କିଣନ୍ତି। ସେମାନେ ଏହି ଲୁଣକୁ ତିନିଚକିଆ ସାଇକେଲ ରିକ୍‌ସା କିମ୍ବା ‘ କୁଟ୍ଟିୟା ନେ ’ (ଆକ୍ଷରିକ ଅର୍ଥରେ ‘ଛୋଟ ହାତୀ’- ଯାହା କି ଏକ ଛୋଟ ଟେମ୍ପୋ ଟ୍ରକ୍‌କୁ କୁହାଯାଏ ) ମାଧ୍ୟମରେ ପରିବହନ କରନ୍ତି।  ଏବଂ ଏହାକୁ ସେମାନଙ୍କ ଘର ପାଖରେ, ନୀଳ ରଙ୍ଗର ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ଜମା କରି ରଖନ୍ତି।

ଫାତିମା କହନ୍ତି ଯେ, ତାଙ୍କ ଆଈଙ୍କ ଅମଳ ତୁଳନାରେ କରୁବାଡୁ ପ୍ରସ୍ତୁତି ପ୍ରକ୍ରିୟା ସେତେ ବେଶୀ ବଦଳି ନାହିଁ। ମାଛର ଅନ୍ତପୁଟି ବାହାର କରାଯାଏ, ସଫା କରି କାତି ଛଡ଼ାଇ ଦିଆଯାଏ। ତା’ପରେ ଏହା ଉପରେ ଏବଂ ଭିତରେ ଲୁଣ ଦେଇ ଖରାରେ ଶୁଖାଇ ଦିଆଯାଏ। ସେମାନଙ୍କ କାମ ବେଶ୍‌ ସଫା ସୁତୁରା ବୋଲି ମୋତେ ସେ ଭରସା ଦିଅନ୍ତି ଏବଂ ତାଙ୍କ ପାଖରେ ଥିବା ଅନେକ ମାଛ ଝୁଡ଼ି ଦେଖାନ୍ତି। ଗୋଟିକରେ ଶୁଖିଲା, ଖଣ୍ଡ ଖଣ୍ଡ କରି କଟା ଯାଇଥିବା କରୁବାଡୁ ରେ ହଳଦୀ ଗୁଣ୍ଡ ଲଗାଇ ରଖାଯାଇଥିଲା। ଏହା କିଲୋ ପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି ହେବ। ଆଉ ଏକ କନା ପୁଟୁଳିରେ ଥିଲା ଉଲି ମୀନ (ବାରକୁଡ଼ା ବା ବାରୁଡ଼ା ମାଛ) ଏବଂ ତା ତଳେ ଗୋଟିଏ ପ୍ଲାଷ୍ଟିକ୍‌ ବାଲ୍‌ଟିରେ ଥିଲା ଶୁଖିଲା ସା ଲେ ଇ କରୁବାଡୁ (କୋକଲି ଶୁଖୁଆ)। ପାଖ ଦୋକାନରୁ ଡାକ ପକାନ୍ତି ତାଙ୍କ ଭଉଣୀ ଫ୍ରେଡରିକ୍‌। “ଆମ କାମ ଯଦି ଗୋଳିଆ ଆଉ ଅପରିଷ୍କାର ତେବେ କେହି କ’ଣ ଆମ ପାଖରୁ ଏହାକୁ କିଣିବେ ? ଆଜିକାଲି ବହୁତ ବଡ଼ ବଡ଼ ଲୋକ, ଏମିତି କି ପୋଲିସବାଲା ବି, ଆମ ପାଖରୁ ଏହାକୁ କିଣନ୍ତି। ଆମ କରୁବାଡୁ ଯୋଗୁଁ ଆମେ ନାଁ କମେଇଛୁ।”

ଦୁଇ ଭଉଣୀ କଟା ଓ ଆଞ୍ଚୁଡ଼ା ଦାଗ ବି କମେଇଛନ୍ତି। ଫ୍ରେଡରିକ୍‌ ମୋତେ ତାଙ୍କ ହାତ ଦେଖାନ୍ତି। ସେଥିରେ ଅନେକ ଛୁରୀରେ କଟା ଦାଗ, କେତେକ ଛୋଟ ଆଉ କେତେକ ଗହିରିଆ, ପ୍ରତିଟି କଟାଦାଗ କହେ ତାଙ୍କ ଅତୀତର କଥା। ଯାହାକି ହୁଏତ ତାଙ୍କ ହାତ ପାପୁଲିର ରେଖା କହୁଥିବା ଭବିଷ୍ୟତ କଥାଠାରୁ ବହୁତ ଅଧିକ।

ତାଙ୍କ ଦୋକାନ ଭିତରେ ଛାଇରେ ବସି ଫାତିମା କହନ୍ତି, “ମୋ ଭିଣୋଇ ମାଛ ଆଣନ୍ତି ଏବଂ ଆମେ ଚାରି ଜଣ ମିଶି ତାକୁ ଶୁଖାଇ ବିକ୍ରି କରୁ। ତାଙ୍କର ଚାରି ଥର ଅସ୍ତ୍ରୋପଚାର ହୋଇସାରିଲାଣି। ସେ ଆଉ ସମୁଦ୍ର ଭିତରକୁ ଯାଇପାରିବେନି। ତେଣୁ ସେ ଅଳ୍ପ କେଇ ହଜାରର (ଟଙ୍କାର) ମାଛ କିଣନ୍ତି, ଜମା କରନ୍ତି। ତେରସପୁରମ୍‌ର ନିଲାମ କେନ୍ଦ୍ରରୁ କିମ୍ବା ତୁତୁକୁଡ଼ିର ମୁଖ୍ୟ ମାଛଧରା ବନ୍ଦରରୁ ସେ ମାଛ ଆଣନ୍ତି। ଯେତେ ମାଛ କିଣାଯାଏ, ସବୁ ଗୋଟିଏ କାଗଜରେ ଲେଖି ରଖାଯାଏ। ମୁଁ ଓ ମୋ ଭଉଣୀ ତାଙ୍କ ପାଇଁ ମାଛ କିଣିଦେଉ, ତାଙ୍କୁ କିଛି କମିଶନ ଦେଉ ଏବଂ ତା’ପରେ ଏହାକୁ କରୁବାଡୁ କରୁ।” ଫାତିମା ତାଙ୍କ ଭିଣୋଇଙ୍କୁ ମାପି ଲ୍ଲେ ବୋଲି ଡାକନ୍ତି। ସାଧାରଣତଃ ଯାହାର ଅର୍ଥ ଜ୍ୱାଇଁ ଏବଂ ସେ ତାଙ୍କ ଭଉଣୀମାନଙ୍କୁ ପୋନ୍ନୁ ବୋଲି କହନ୍ତି, ସାଧାରଣ ଭାଷାରେ ଯାହାର ଅର୍ଥ ଜଣେ ଅଳ୍ପ ବୟସର ଝିଅ।

ସେମାନେ ସମସ୍ତେ ୬୦ ବର୍ଷରୁ ଅଧିକ ବୟସର।

Left: All the different tools owned by Fathima
PHOTO • M. Palani Kumar
Right: Fathima cleaning the fish before drying them
PHOTO • M. Palani Kumar

ବାମ : ଫାତିମାଙ୍କ ଭିନ୍ନ ଭିନ୍ନ ଉପକରଣ ଡାହାଣ : ଶୁଖାଇବା ପୂର୍ବରୁ ମାଛକୁ ସଫା କରୁଛନ୍ତି ଫାତିମା

Right: Fathima cleaning the fish before drying them
PHOTO • M. Palani Kumar
Right: Dry fish is cut and coated with turmeric to preserve it further
PHOTO • M. Palani Kumar

ବାମ : ବଡ଼ ବଡ଼ ନୀଳ ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ଲୁଣ ରଖାଯାଏ ଡାହାଣ : ଆଉ ଅଧିକ ଦିନ ସଂରକ୍ଷିତ ରଖିବା ଲାଗି ଶୁଖୁଆକୁ କାଟି ସେଥିରେ ହଳଦୀ ଲେପ ଦିଆଯାଏ

ଫ୍ରେଡେରିକ୍‌ ତାମିଲରେ ତାଙ୍କ ନାଁର ସମରୂପ ବ୍ୟବହାର କରନ୍ତି: ପେଟ୍ରି। ତାଙ୍କ ସ୍ୱାମୀ ଜନ ଜାଭିୟରଙ୍କ ମୃତ୍ୟୁ ପରେ ସେ ଏକା ଏକା ୩୭ ବର୍ଷ ଧରି କାମ କରିଛନ୍ତି। ସେ ବି ତାଙ୍କୁ ମାପି ଲ୍ଲେ ବୋଲି ଡାକୁଥିଲେ। ସେ କହନ୍ତି, “ବର୍ଷା ମାସରେ ଆମେ ମାଛ ଶୁଖାଇ ପାରୁନାହିଁ। ଜୀବନଯାପନ ଖୁବ୍‌ କଷ୍ଟକର ହୋଇପଡ଼େ। ଆମେ ଅଧିକ ସୁଧହାରରେ ଟଙ୍କା ଧାର କରୁ- ଟଙ୍କା କରେ ମାସକୁ ୫ ପଇସା କି ୧୦ ପଇସା ସୁଧ ହାରରେ।” ତାହାର ଅର୍ଥ ବର୍ଷକୁ ୬୦ରୁ ୧୨୦ ପ୍ରତିଶତ ସୁଧହାରରେ ସେମାନେ ଋଣ ନିଅନ୍ତି।

ପଙ୍କକାଦୁଅ ଭର୍ତ୍ତି କେନାଲ କଡ଼ରେ ତାଙ୍କ ଅସ୍ଥାୟୀ ଦୋକାନ ବାହାରେ ବସି ଫ୍ରେଡରିକ୍‌ କହନ୍ତି ଯେ ତାଙ୍କର ଗୋଟିଏ ନୂଆ ବରଫ ବାକ୍‌ସ ଦରକାର। “ବଡ଼ ବାକ୍‌ସଟିଏ, ଯାହାର ଟାଣ ଘୋଡ଼ଣି ଥିବ, ଯେଉଁଥିରେ ଆମେ ତାଜା ମାଛ ରଖି ବର୍ଷା ଦିନେ ବିକି ପାରିବୁ। ଦେଖନ୍ତୁ, ସବୁବେଳେ ଆମେ ଆମ ଭିତରେ ଧାରଉଧାର କରି ଚଳିପାରିବୁନି। କାରଣ, ସମସ୍ତଙ୍କ ବ୍ୟବସାୟ ତ ମାନ୍ଦା ହୋଇଯାଏ। କାହା ପାଖରେ ବା ଟଙ୍କା ଥିବ ? ବେଳେବେଳେ କ୍ଷୀର ପ୍ୟାକେଟ୍‌ କିଣିବା ବି କଷ୍ଟକର ହୋଇପଡ଼େ।”

ଶୁଖୁଆ ବିକି ଯେଉଁ ପଇସା ମିଳେ, ତାହା ଘର, ଖାଇବା ପିଇବା, ଲୁଗାପଟା ଏବଂ ସ୍ୱାସ୍ଥ୍ୟ ବାବଦ ଖର୍ଚ୍ଚରେ ଲାଗେ। ଶେଷ କଥା ପଦକ ଉପରେ ସେ ଜୋର୍‌ ଦିଅନ୍ତି- “ପ୍ରେସର ଏବଂ ସୁଗାର ଟାବ୍‌ଲେଟ୍‌” ଏବଂ କହନ୍ତି ଯେ ଯେଉଁ ସବୁ ମାସରେ ‘ଲଞ୍ଚ୍‌’ (ମାଛଧରା ବୋଟ୍‌) ଉପରେ ନିଷେଧାଦେଶ ଥାଏ, ସେତେବେଳେ ସେମାନେ ଖାଦ୍ୟ ପାଇଁ ଟଙ୍କା ଧାର୍‌ କରନ୍ତି। “ଏପ୍ରିଲ ଓ ମେ ମାସରେ ମାଛ ଅଣ୍ଡା ଦିଅନ୍ତି ଏବଂ ମାଛଧରାକୁ ଅନୁମତି ଦିଆଯାଏ ନାହିଁ। ସେତେବେଳେ ଆମ କାମରେ ବାଧା ସୃଷ୍ଟି ହୁଏ। ଆଉ ବର୍ଷା ଋତୁରେ ବି – ଅକ୍‌ଟୋବରରୁ ଜାନୁଆରୀ ଯାଏ- ଯେତେବେଳେ ମାଛ ଶୁଖାଇବା ପାଇଁ ଲୁଣ ପାଇବା କଷ୍ଟକର ହୋଇପଡ଼େ। ଏହି ସବୁ ମାନ୍ଦା ମାସ ପାଇଁ ଆମେ ଆଗରୁ ଟଙ୍କା ସଞ୍ଚି ପାରିବୁ ନାହିଁ।”

ପ୍ରାୟ ୪,୫୦୦ ଟଙ୍କା ମୂଲ୍ୟର ଗୋଟିଏ ନୂଆ ବରଫ ବାକ୍‌ସ, ହଳେ ଲୁହା ନିକିତି, ଏବଂ ତା ସାଙ୍ଗରେ ଆଲୁମିନିୟମ୍‌ ଝୁଡ଼ିଟିଏ ହେଲେ ତାଙ୍କ ଜୀବନର ଧାରା ବଦଳି ଯିବ ବୋଲି ଫ୍ରେଡରିକ୍‌ ମନେ କରନ୍ତି। ସେ କହନ୍ତି, “ମୁଁ କେବଳ ମୋ ନିଜ ପାଇଁ କହୁନାହିଁ, ମୁଁ ସମସ୍ତଙ୍କ ପାଇଁ ଏହା ଚାହୁଁଛି। ଆମ ପାଖରେ ସେତକ ଥିଲେ ଆମେ ଚଳାଇ ନେବୁ।”

Left: Frederique with the fish she's drying near her house.
PHOTO • M. Palani Kumar
Right: Fathima with a Paarai meen katuvadu (dried Trevally fish)
PHOTO • M. Palani Kumar

ବାମ : ତାଙ୍କ ଘର ପାଖରେ ଶୁଖାଇଥିବା ମାଛ ସହିତ ଫ୍ରେଡରିକ୍‌ ଡାହାଣ : ଗୋଟିଏ ପାରାଇ ମୀନ କଟୁବାଡୁ (ଶୁଖିଲା ତିରଣ ମାଛ) ସହିତ ଫାତିମା

*****

ତାମିଲ ପ୍ରସଙ୍ଗରେ କହିବାକୁ ଗଲେ, ପ୍ରାୟତଃ ବୟସ୍କା ମହିଳା ଶ୍ରମିକମାନେ ଯେଉଁ ଫସଲ କରନ୍ତି ତାହାର ଅମଳ ଏବଂ ଅନ୍ୟ ପ୍ରକ୍ରିୟା ହାତରେ କରାଯାଏ ଏବଂ ତାହା ପଛରେ ଏକ ଲୁକ୍‌କାୟିତ/ଅଦୃଶ୍ୟ ଖର୍ଚ୍ଚ ରହିଥାଏ: ତାହା ହେଲା ସେମାନଙ୍କ ସମୟ ଏବଂ କମ୍‌ ମଜୁରିରେ ସେମାନେ କରୁଥିବା ପରିଶ୍ରମ।

ମାଛକୁ ଶୁଖୁଆ କରିବା ବି କିଛି ଅଲଗା ନୁହେଁ।

ଏ କଥା ବୁଝାଇବାକୁ ଯାଇ ଡକ୍‌ଟର ରାୟ କହନ୍ତି, “ଏ ଧରଣର ଲିଙ୍ଗଗତ ପ୍ରଭେଦ ଏବଂ ପାରିଶ୍ରମିକ ବିନା ପରିଶ୍ରମର ଉଦାହରଣରେ ଭର୍ତ୍ତି ଆମ ଇତିହାସ। ସେହି କାରଣରୁ ହିଁ ପୂଜା, ଉପଚାର, ରନ୍ଧନ, ଶିକ୍ଷା ଏବଂ ଯୋଗାଡ଼ କ୍ଷେତ୍ରରେ ଏତେଟା ପେସାଦାର ମନୋଭାବ ଦେଖାଯାଉଛି ଏବଂ ଏହା ସହିତ ତାଳ ଦେଇ ପ୍ରଚଳିତ ନାରୀ ପ୍ରତି ବିଦ୍ୱେଷ ମନୋଭାବ ସାଙ୍ଗକୁ ଗୁଣିଗାରେଡ଼ି, ପୁରୁଣା ପତ୍ନୀମାନଙ୍କ କାହାଣୀ, ଡାଆଣୀର ନିଶାଦ୍ରବ୍ୟ ପ୍ରସ୍ତୁତି କଥା ଇତ୍ୟାଦି।” ସଂକ୍ଷେପରେ ବିନା ପାଉଣାରେ ମହିଳାମାନଙ୍କୁ କାମ କରାଇବା କଥାକୁ ଧରାବନ୍ଧା ଭାବରେ ଠିକ୍‌ ବୋଲି ସ୍ଥିର କରି ନିଆଯାଇଛି। “ତାହା ସଂଯୋଗବଶତଃ ନୁହେଁ, ବରଂ କୌଣସି ଏକ ବୃତ୍ତିକୁ ଗଢ଼ିବା ଓ ଭାଙ୍ଗିବା ଲାଗି ତାହା ନିହାତି ଆବଶ୍ୟକ। ସେହି କାରଣରୁ ହିଁ ପେସାଦାର ରୋଷେୟାମାନେ ପ୍ରାୟତଃ ପୁରୁଷପଣିଆର ବ୍ୟଙ୍ଗରୂପ ବୋଲି ମନେ କରାଯାଉଛି ଏବଂ ସେମାନେ ଘରୋଇ ରନ୍ଧା କାମରେ ଉନ୍ନତି କରୁଥିବା କଥା କହିଆସୁଛନ୍ତି। ସେମାନଙ୍କ ପୂର୍ବରୁ ପୂଜାରୀମାନେ ତାହା କରୁଥିଲେ। ଚିକିତ୍ସକମାନେ ବି କରୁଥିଲେ। ଅଧ୍ୟାପକମାନେ ବି କରୁଥିଲେ।”

ତୁତୁକୁଡ଼ିର ଅନ୍ୟ ପାଖରେ, ଜଣେ ଲୁଣ କାରିଗର ଏସ୍‌.ରାନୀଙ୍କ ରୋଷେଇ ଘରେ ଆମେ କରୁବାଡୁ କୋ ମ୍ବୁ (ଝୋଳ) ପ୍ରସ୍ତୁତିକୁ ଆଖିରେ ଦେଖିଲୁ। ବର୍ଷକ ତଳେ, ୨୦୨୧ ସେପ୍ଟେମ୍ବରରେ, ଆମେ ତାଙ୍କୁ ଲୁଣ ଘେରିରୁ ଲୁଣ ଅମଳ କରୁଥିବା ଦେଖିଥିଲୁ। ତାହା ବି ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାତିରେ, ଯେଉଁଥିରେ ମାଟି ଜଳି ଯାଉଥିଲା ଏବଂ ପାଣି ଫୁଟି ଉଠୁଥିଲା, ସେହି ତାତିରୁ ହିଁ ଉତ୍ପାଦିତ ହେଉଥିଲା ଚିକ୍‌ମିକ୍‌ କରୁଥିବା ସ୍ଫଟିକ ଆକାରର ଲୁଣ।

ତାଙ୍କରି ଅଞ୍ଚଳରେ, ତାଙ୍କରି ଲୁଣରୁ ପ୍ରସ୍ତୁତ କରୁବାଡୁ କିଣୁଥିଲେ ରାନୀ। ଶୁଖୁଆ ଝୋଳ ପ୍ରସ୍ତୁତି ପାଇଁ ସେ ଲେମ୍ବୁ ଆକାରର ମେଞ୍ଚାଏ ତେନ୍ତୁଳିକୁ ପାଣିରେ ଭିଜାଉଥିଲେ। ତା ପରେ ସେ ଗୋଟିଏ ନଡ଼ିଆ ଭାଙ୍ଗି, ଦା’ ଭଳି ବଙ୍କା ଏକ କାତିର ମୁନରେ, ଏହାର ଅଧା ଭାଗରୁ ଖୋଳପା ଛଡ଼ାଇ ଦେଉଥିଲେ। ନଡ଼ିଆକୁ ଖଣ୍ଡ ଖଣ୍ଡ କରି କାଟି କେତେକ ଚୋପା ଛଡ଼ା ହୋଇ ରହିଥିବା ଛୋଟ ଛୋଟ ପିଆଜ ସହିତ ଇଲେକ୍‌ଟ୍ରିକ୍‌ ମିକ୍‌ସରରେ ବାଟୁଥିଲେ। ଏହା ‘ରେଶମ’ ଭଳି ନରମ ହେଲା ଯାଏଁ ସେ ବାଟି ଦେଉଥିଲେ। ଭୋଜନ ରାନ୍ଧୁଥିବା ବେଳେ ସେ କଥାବାର୍ତ୍ତା କରୁଥିଲେ। ଉପରକୁ ଚାହିଁ ସେ କହନ୍ତି, “ କରୁବାଡୁ କୋ ମ୍ବୁ ତା ପରଦିନ ବି ଭଲ ଲାଗେ। କାମକୁ ଗଲା ବେଳେ କିଛି ଜାଉ ସହିତ, ଏହାକୁ ନେଇ ଯିବା ଖୁବ୍‌ ବଢ଼ିଆ।”

Left: A mixed batch of dry fish that will go into the day's dry fish gravy.
PHOTO • M. Palani Kumar
Right: Tamarind is soaked and the pulp is extracted to make a tangy gravy
PHOTO • M. Palani Kumar

ବାମ : ସେଦିନର ଶୁଖୁଆ ଝୋଳ ପାଇଁ ରହିଥିବା ମିଶାମିଶି ଶୁଖୁଆ ଡାହାଣ ; ଝୋଳକୁ ବହଳିଆ ଓ ତୀବ୍ର ସ୍ୱାଦଯୁକ୍ତକରିବା ଲାଗି ତେନ୍ତୁଳିକୁ ପାଣିରେ ବତୁରାଇ ବାହାର କରାଯାଇଥିବା ମଣ୍ଡ ବ୍ୟବହୃତ ହୁଏ

Left: Rani winnows the rice to remove any impurities.
PHOTO • M. Palani Kumar
Right: It is then cooked over a firewood stove while the gravy is made inside the kitchen, over a gas stove
PHOTO • M. Palani Kumar

ବାମ : ରାନ୍ଧିବା ପୂର୍ବରୁ ଚାଉଳରୁ କାଠିକୁଟା ବାହାର କରିବାଲାଗି ପାଛୁଡ଼ି ଦିଅନ୍ତି ରାନୀ ଡାହାଣ : ଏହା ପରେ କାଠ ଚୁଲିରେ ଭାତ ରନ୍ଧାଯାଏ ଏବଂ ରୋଷେଇ ଘର ଭିତରେ ଗ୍ୟାସ୍‌ ଚୁଲିରେ ଶୁଖୁଆ ଝୋଳ ରନ୍ଧାଯାଏ

ଏହା ପରେ ସେ ପରିବା ଧୋଇ କାଟନ୍ତି- ଦୁଇଟି ସଜନା ଛୁଇଁ, କଞ୍ଚା କଦଳୀ, ବାଇଗଣ ଏବଂ ତିନିଟି ଟମାଟୋ। କେଇଟା ଭୁର୍ସୁଙ୍ଗା ପତ୍ର ଆଉ ଗୋଟିଏ ପ୍ୟାକେଟ୍‌ ମସଲା ଗୁଣ୍ଡ, ଏତିକିରେ ପୂରା ହୁଏ ଆବଶ୍ୟକ ରନ୍ଧା ସାମଗ୍ରୀ। ମାଛ ଗନ୍ଧ ନାକରେ ବାଜିବାରୁ ବିଲେଇଟିଏ ଭୋକରେ ମ୍ୟାଉଁ ମ୍ୟାଉଁ କରେ। ରାନୀ ପୁଡ଼ିଆ ଖୋଲନ୍ତି ଏବଂ ସେଥିରୁ ବାହାର କରନ୍ତି ବିଭିନ୍ନ ପ୍ରକାରର କରୁବାଡୁ- ନାଗାରା, ଆସଲାକୁଟ୍ଟି, ପା ରେ ଇ ଏବଂ ସା ଲେ ସେ କହନ୍ତି, “ମୁଁ ଏହାକୁ ଚାଳିଶ ଟଙ୍କାରେ କିଣିଛି।” ଏବଂ ସେଦିନର ଶୁଖୁଆ ଝୋଳ ପାଇଁ ସେଥିରୁ ଅଧେ ବାଛି ନିଅନ୍ତି।

ସେମିତି ଆଉ ଗୋଟିଏ ଖାଦ୍ୟକୁ ବି ସେ ଭଲ ପାଆନ୍ତି। ରାନୀ କହନ୍ତି: ତାର ନାଁ କରୁବାଡୁ ଆବିଅଲ । ତେନ୍ତୁଳି, କଞ୍ଚା ଲଙ୍କା, ପିଆଜ, ଟମାଟୋ ଏବଂ କରୁବାଡୁ ପକାଇ ସେ ଏହାକୁ ରାନ୍ଧନ୍ତି। ମସଲା, ଲୁଣ ଓ ଖଟାର ସମନ୍ୱୟରେ ଏହାର ସ୍ୱାଦ ଚମତ୍କାର ହୁଏ ଏବଂ ଏହା ବେଶ୍‌ ଲୋକପ୍ରିୟ ବି। ଲୁଣ ଘେରିରେ କାମ କରିବାକୁ ଯାଉଥିବା ଶ୍ରମିକମାନେ ଏହାକୁ ସାଙ୍ଗରେ ନେଇ ଯାଆନ୍ତି। ଜୀରା, ରସୁଣ, ସୋରିଷ ଏବଂ ହେଙ୍ଗୁକୁ ଏକାଠି ଗୁଣ୍ଡ କରି ଏହାକୁ ତେନ୍ତୁଳି ଓ ଟମାଟୋର ଏକ ରସାଳ ମିଶ୍ରଣରେ ପକାଇ ପାଣିରେ ସିଝାଇ ଦିଆହୁଏ। ଏଥିରେ କିଛି ଗୋଲମରିଚ ଓ ଶୁଖୁଆ ପକାଇ ଦିଆଯାଏ। ରାନୀ କହନ୍ତି, “ଏହାକୁ “ ମିଳେଗ ତନ୍ନି ” କୁହାଯାଏ। ପ୍ରସୂତି ମହିଳାଙ୍କ ପାଇଁ ଏହା ଖୁବ୍‌ ଭଲ ଏବଂ ଏଥିରେ ବହୁତ ଔଷଧୀୟ ମସଲା ବି ରହିଛି।” ଲୋକକଥା ଅନୁସାରେ, ଏହାକୁ ଖାଇଲେ ସ୍ତନ୍ୟପାନ କ୍ଷମତା ବୃଦ୍ଧି ହୁଏ। ଏହି ମିଳେଗ ତନ୍ନି ରୁ କରୁବାଡୁ ବାଦ୍‌ ଦେଲେ ଯାହା ରହେ ତାହାକୁ ରସମ କୁହାଯାଏ ଏବଂ ଏହା ଖୁବ୍‌ ଲୋକପ୍ରିୟ ବ୍ୟଞ୍ଜନ। ତାମିଲନାଡୁ ବାହାରେ ବି ଏହା ଲୋକପ୍ରିୟ। ବହୁକାଳ ଆଗରୁ ଇଂରେଜମାନେ ଏହାକୁ ସାଙ୍ଗରେ ନେଇଯାଇଥିଲେ ଏବଂ ଅନେକ ମହାଦେଶୀୟ ଖାଦ୍ୟ ସୂଚୀରେ ଏହା ‘ ମୁଲିଗାତାନ୍ନି ’ ନାମରେ ରହିଆସିଛି।

ରାନୀ ଗୋଟିଏ ପାଣି ଥିବା ପାତ୍ରରେ କରୁବାଡୁ କୁ ପକାଇ ସଫା କରନ୍ତି। ସେ ମାଛର ମୁଣ୍ଡ, ଲାଞ୍ଜ ଏବଂ ଡେଣାକୁ ବାହାର କରି ଦିଅନ୍ତି। ସେ ଅଞ୍ଚଳର ଜଣେ ସାମାଜିକ କର୍ମୀ ଉମା ମାହେଶ୍ୱରୀ କହନ୍ତି, “ଏଠାକାର ସମସ୍ତେ କରୁବାଡୁ ଖାଆନ୍ତି। ପିଲାମାନେ ଏହାକୁ ଖାଲି ସେମିତି ଖାଇ ଦିଅନ୍ତି। ମୋ ସ୍ୱାମୀ ଓ ତାଙ୍କ ଭଳି ଆଉ କେତେକ ଏହାକୁ ପୋଡ଼ି ଖାଆନ୍ତି।” କାଠ ଚୁଲିର ତତଲା ପାଉଁଶରେ କରୁବାଡୁ କୁ ପୋତି ଦିଆଯାଏ। ପୂରା ରାନ୍ଧି ହୋଇଗଲେ ଏହାକୁ ଗରମ ଗରମ ଖାଆନ୍ତି। ଉମା କହନ୍ତି, “ଏହାର ବାସ୍ନା ଏତେ ଭଲ। ସୁଟ୍ଟା କରୁବାଡୁ ଏଠାକାର ଏକ ସୁସ୍ୱାଦୁ ବ୍ୟଞ୍ଜନ।”

ଚୁଲିରେ କୋ ମ୍ବୁ ଫୁଟୁଥିବା ବେଳେ ରାନୀ ଘର ବାହାରେ ଗୋଟିଏ ପ୍ଲାଷ୍ଟିକ୍‌ ଚଉକି ଉପରେ ବସି ପଡ଼ନ୍ତି। ଆମେ ଗପସପ କରୁ। ସିନେମାରେ କରୁବାଡୁ ର ଅନ୍ୟ ଏକ ରୂପ ଚିତ୍ରଣ କରାଯାଉଥିବା ସଂପର୍କରେ ମୁଁ ତାଙ୍କୁ ପଚାରେ। ଅଳ୍ପ ହସି ସେ କହନ୍ତି, “କେତେକ ଜାତିର ଲୋକେ ମାଂସ ଖାଆନ୍ତି ନାହିଁ। ସେମାନେ ସେହିଭଳି ସିନେମା ତିଆରି କରନ୍ତି।” ସେ କହନ୍ତି, “କେତେ ଲୋକଙ୍କ ପାଇଁ ଏହା ନା ମ୍‌ (ଦୁର୍ଗନ୍ଧଯୁକ୍ତ)। ଆମ ପାଇଁ ଏହା ମନମ୍‌ (ସୁଗନ୍ଧଯୁକ୍ତ)।” ଏବଂ ଏହା ସହିତ ତୁତୁକୁଡ଼ିର ରାଣୀଙ୍କ ଲୁଣ ଘେରିରେ କରୁବାଡୁ କୁ ନେଇ ଲାଗି ରହିଥିବା ବିତର୍କର ଅବସାନ ଘଟେ।

ବେଙ୍ଗାଲୁରୁର ଅଜୀମ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ପରିଚାଳିତ ଗବେଷଣା ନିମନ୍ତେ ପାଣ୍ଠି କାର୍ଯ୍ୟକ୍ରମ- ୨୦୨୦ର ଅଂଶବିଶେଷ ରୂପେ ଏହି ଗବେଷଣାତ୍ମକ ଅଧ୍ୟୟନକୁ ପାଣ୍ଠି ପ୍ରଦାନ କରାଯାଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Aparna Karthikeyan

अपर्णा कार्तिकेयन एक स्वतंत्र पत्रकार, लेखक, और पारी की सीनियर फ़ेलो हैं. उनकी नॉन-फिक्शन श्रेणी की किताब 'नाइन रुपीज़ एन आवर', तमिलनाडु में लुप्त होती आजीविकाओं का दस्तावेज़ है. उन्होंने बच्चों के लिए पांच किताबें लिखी हैं. अपर्णा, चेन्नई में परिवार और अपने कुत्तों के साथ रहती हैं.

की अन्य स्टोरी अपर्णा कार्तिकेयन
Photographs : M. Palani Kumar

एम. पलनी कुमार पीपल्स आर्काइव ऑफ़ रूरल इंडिया के स्टाफ़ फोटोग्राफर हैं. वह अपनी फ़ोटोग्राफ़ी के माध्यम से मेहनतकश महिलाओं और शोषित समुदायों के जीवन को रेखांकित करने में दिलचस्पी रखते हैं. पलनी को साल 2021 का एम्प्लीफ़ाई ग्रांट और 2020 का सम्यक दृष्टि तथा फ़ोटो साउथ एशिया ग्रांट मिल चुका है. साल 2022 में उन्हें पहले दयानिता सिंह-पारी डॉक्यूमेंट्री फ़ोटोग्राफी पुरस्कार से नवाज़ा गया था. पलनी फ़िल्म-निर्माता दिव्य भारती की तमिल डॉक्यूमेंट्री ‘ककूस (शौचालय)' के सिनेमेटोग्राफ़र भी थे. यह डॉक्यूमेंट्री तमिलनाडु में हाथ से मैला साफ़ करने की प्रथा को उजागर करने के उद्देश्य से बनाई गई थी.

की अन्य स्टोरी M. Palani Kumar
Editor : P. Sainath

पी. साईनाथ, पीपल्स ऑर्काइव ऑफ़ रूरल इंडिया के संस्थापक संपादक हैं. वह दशकों से ग्रामीण भारत की समस्याओं की रिपोर्टिंग करते रहे हैं और उन्होंने ‘एवरीबडी लव्स अ गुड ड्रॉट’ तथा 'द लास्ट हीरोज़: फ़ुट सोल्ज़र्स ऑफ़ इंडियन फ़्रीडम' नामक किताबें भी लिखी हैं.

की अन्य स्टोरी पी. साईनाथ
Photo Editor : Binaifer Bharucha

बिनाइफ़र भरूचा, मुंबई की फ़्रीलांस फ़ोटोग्राफ़र हैं, और पीपल्स आर्काइव ऑफ़ रूरल इंडिया में बतौर फ़ोटो एडिटर काम करती हैं.

की अन्य स्टोरी बिनायफ़र भरूचा
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE