ପାର୍ବତୀ ମନରେଗା ଯୋଜନାରେ ବର୍ଷେ ତଳେ ୨୦୨୩ ମେ ମାସରେ କାମ ପାଇଥିଲା। ତାହା ଥିଲା ମାତ୍ର ପାଞ୍ଚ ଦିନ ପାଇଁ।

ପାର୍ବତୀ (ତା’ ନାଁ ଭାବେ ସେ କେବଳ ଏତିକି ବ୍ୟବହାର କରେ) ତାଙ୍କ ଗାଁ ଗୌର ମଧୁକର ଶାହପୁରରେ ରାସ୍ତା ସମତଳ କାମ କରିଥିଲା। ମନରେଗା ଯୋଜନା ଅନୁଯାୟୀ ବର୍ଷକୁ ୧୦୦ ଦିନ ନିଶ୍ଚିତ କର୍ମନିଯୁକ୍ତି ଜାତଭ (ହରିଜନ) ଜାତିର ଏହି ୪୫-ବର୍ଷୀୟା ଦିନ ମଜୁରିଆକୁ କେବେ ମିଳିନାହିଁ। “ଆମେ ଅଧା ପେଟ ଖାଇ ଯେମିତି ସେମିତି ବଞ୍ଚି ରହିଛୁ”, ସେ କହେ।

୨୦୨୦ ରେ ସରକାର ପାର୍ବତୀ ଓ ତାଙ୍କ ସ୍ୱାମୀ ଛୋଟେ ଲାଲଙ୍କୁ ପୁଣି ନିରାଶ କଲେ ଯେତେବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସେମାନେ ଦେଇଥିବା ଦରଖାସ୍ତକୁ ଖାରିଜ କରି ଦିଆଗଲା। ଆଉ ଅପେକ୍ଷା କରିବାକୁ ଧୈର୍ଯ୍ୟ ରଖି ନପାରି ସେମାନେ ସମ୍ପର୍କୀୟଙ୍କଠାରୁ ଦୁଇ ବଖରା ବିଶିଷ୍ଟ ପକ୍କା ଘରଟିଏ ତିଆରି କରିବାକୁ ୯୦,୦୦୦ ଟଙ୍କା ଋଣରେ ଆଣିଲେ।

“ଯଦି କେହି ଆସି ମୋତେ ଭୋଟ ମାଗିବେ, ମୁଁ ତାଙ୍କୁ ପଚାରିବାକୁ ଚାହିଁବି ଯେ ମୋ ନାଁ ଘର ପାଇବା ତାଲିକାରେ ନଥିଲା, କିନ୍ତୁ ଭୋଟର ତାଲିକାରେ କେମିତି ରହିଲା?”, ସେ କହେ, ବିରକ୍ତ ହୋଇ। ପାର୍ବତୀର ସ୍ଵାମୀ ଯେ କି ମନରେଗାରେ କାମ ପାଇଥିଲା, କିନ୍ତୁ ପାଞ୍ଚ ବର୍ଷ ତଳେ ପାରାଲିସିସ ହୋଇଥିବାରୁ ସେ ଆଉ କାମ କରି ପାରୁନାହିଁ। ଆଜିକାଲି ସେ ବାରାଣାସିରେ ଥିବା ଶ୍ରମିକ ବଜାରକୁ ଯାଉଛି, ଯେଉଁଠି ତାକୁ ଦୈନିକ ୪୦୦ ରୁ ୫୦୦ ଟଙ୍କା ମଜୁରି ମିଳୁଛି।

ମନରେଗାରେ ଗ୍ରାମୀଣ ଅଣକୁଶଳୀ ଶ୍ରମିକଙ୍କୁ ୧୦୦ ଦିନ ନିଶ୍ଚିତ କାମ ମିଳିବା ବ୍ୟବସ୍ଥା ରହିଛି। କିନ୍ତୁ ପ୍ରାୟ ସବୁ ଗାଁରୁ ଆସୁଥିବା ଅଭିଯୋଗରୁ ଜଣାପଡେ ଯେ ଏହା ପୂର୍ବରୁ ଥିବା ‘ଦୁଇ ପ୍ରଧାନୀ’ ବା ସରପଞ୍ଚଙ୍କ ସମୟରେ, ଅର୍ଥାତ ପ୍ରାୟ ଦଶ ବର୍ଷ ଭିତରେ ବର୍ଷକୁ ୨୦-୨୫ ଦିନରୁ ଅଧିକ କାମ ମିଳୁନାହିଁ।

ପାର୍ବତୀ ଏବେ ଆଣିଥିବା ଋଣରେ ଘାଣ୍ଟି ହେଉଛି, ମୂଳତଃ ଯୋଉ ଋଣ ସେ ଆଣିବାର କୌଣସି ଆବଶ୍ୟକତା ନଥିଲା। ରାଜ୍ୟ ସରକାରଙ୍କଠାରୁ କୌଣସି ସାହାଯ୍ୟ ନପାଇ ପାର୍ବତୀ ଠାକୁର ସମ୍ପ୍ରଦାୟର ଜମିରେ ଅମଳ ଓ ରୁଆ ସମୟରେ ମଜୁରି ଖଟିବା ବାବଦରେ ୧୫ ଦିନକୁ ୧୦ କି.ଗ୍ରା. ଖାଦ୍ୟସଶ୍ୟ ପାଉଛି।

PHOTO • Akanksha Kumar
PHOTO • Akanksha Kumar

ପାର୍ବତୀ ( ବାମରେ) ଉତ୍ତର ପ୍ରଦେଶର ବାରଣାସୀ ଜିଲ୍ଲା ଅନ୍ତର୍ଗତ ଗୌର ମଧୁକର ଶାହପୁର ଗାଁ ଅଧିବାସୀ। ସେ କହନ୍ତି ଯେ ମନରେଗା ( ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ) ନିୟମ ଅନୁଯାୟୀ ବର୍ଷକୁ ୧୦୦ ଦିନର ଯେଉଁ କାମ ମିଳିବା କଥା ତାହା ତାଙ୍କୁ କେବେ ବି ମିଳିନାହିଁ। ତାଙ୍କ ସ୍ଵାମୀ ଛୋଟେ ଲାଲଙ୍କ  (ବାମରେ) ସହ ସେମାନଙ୍କ ଘର ସାମ୍ନାରେ

ରାଜା ତଲାବ ତହସିଲ ଅନ୍ତର୍ଗତ ଗୌର ମଧୁକର ଶାହପୁର ଗାଁରେ ରହିଥିବା ପ୍ରାୟ ୧୨୦୦ ଘରେ ରହୁଥିବା ପ୍ରାୟ ସମସ୍ତେ ହରିଜନ ଓ ଓବିସି ସମ୍ପ୍ରଦାୟର। ସେମାନେ ନିଜ ଖାଇବା ପାଇଁ ଛୋଟ ଛୋଟ ଜମିରେ ଚାଷ କରନ୍ତି, କିନ୍ତୁ ଶ୍ରମିକ ଭାବେ ମୁଖ୍ୟତଃ  ଜୀବିକା ଅର୍ଜ୍ଜନ କରନ୍ତି।

ଏହି ଗାଁଟି ବାରାଣାସୀଠାରୁ ୨୦ କି. ମି. ଦୂରରେ ଅବସ୍ଥିତ ଓ ବାରାଣାସୀ ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ରହିଛି, ଯେଉଁଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ୨୦୧୪ ଓ ୨୦୧୯ରେ ସେ ଏଠାରୁ ଦୁଇ ଥର ଜିତିଛନ୍ତି।

ଜୁନ ୧ ତାରିଖରେ ଭୋଟ ଦିଆଯିବ ଓ ଏହି ନିର୍ବାଚନ ମଣ୍ଡଳୀ ଉପରେ ଏବେ ସମସ୍ତଙ୍କର ତୀକ୍ଷଣ ଦୃଷ୍ଟି ରହିଛି। ‘ହର ଦିଲ ମେ ମୋଦୀ’ (ସମସ୍ତଙ୍କ ହୃଦୟରେ ମୋଦୀ) ଲେଖାଥିବା ନାରଙ୍ଗି ରଙ୍ଗର ପୋଷ୍ଟର ଗଳିକନ୍ଦିରେ ଛାଇ ଯାଇଛି, ଇ-ରିକ୍ସା ପଛରେ ଓ ବତିଖୁଣ୍ଟଗୁଡିକରେ ଚିପକା ଯାଇଛି। ଅଟୋରିକ୍ସା ଭିତରୁ ଡାକବାଜି ଯନ୍ତ୍ର ଦ୍ଵାରା ଏହି ଉଚ୍ଚ-ବ୍ୟକ୍ତିତ୍ଵ ପ୍ରାର୍ଥୀଙ୍କର ଉଚ୍ଚ-ସ୍ଵର ଭାଷଣ ଓ ନବ-ନିର୍ମିତ ରାମ ମନ୍ଦିର ତାଙ୍କର ଭୂମିକା ଆଦି ପ୍ରଚାର ହେଉଥିବା ପ୍ରାୟ ସବୁଆଡ଼େ ଏକ ସାଧାରଣ ଦୃଶ୍ୟ।

କିନ୍ତୁ ଏବେ ଗୌର ମଧୁକର ଶାହପୁରରେ ଗୋଟିଏ ବି ପ୍ରଚାର ପୋଷ୍ଟର ମରା ଯାଇନାହିଁ। ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ସମୟରେ ମୋଦୀଙ୍କର ଗୋଟିଏ ଫୋଟୋ ବସ୍ତିରେ ଥିବା ହନୁମାନ ମନ୍ଦିର ଆଗରେ ଲାଗିଛି ଯାହା।

କିନ୍ତୁ ସ୍ଥାନୀୟ ବାସିନ୍ଦା ପାର୍ବତୀ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳାଇବାକୁ ଏତେ କଷ୍ଟ ପାଉଛନ୍ତି ଯେ ସେ ତାଙ୍କ ଘର ଆଗରେ ବହୁଜନ ସମାଜ ପାର୍ଟିର ନୀଳ ପତାକା ଲଗାଇବାକୁ ଚାହାନ୍ତି। ସରକାର କାହିଁକି ସାହାଯ୍ୟ କରୁ ନାହାନ୍ତି ଭାବି ସେ ଆଶ୍ଚର୍ଯ୍ୟ ହୁଅନ୍ତି –  “ଯେହେତୁ ସରକାର ଆଧାର କାର୍ଡ ଦେଉଥିବାରୁ ସେମାନଙ୍କ ପାଖରେ ସମସ୍ତଙ୍କର ସବୁ ଖବର ଥିବା ପରି ଲାଗେ, ତେବେ କିଏ ଗରିବ କି ନୁହେଁ ତାହା ସେମାନେ କାହିଁକି ଜାଣି ପାରୁ ନାହାନ୍ତି?”

PHOTO • Akanksha Kumar
PHOTO • Akanksha Kumar

(ବାମରେ) ଗୌର ମଧୁକର ଶାହପୁରର ହରିଜନ ବସ୍ତିରେ ଥିବା ହନୁମାନ ମନ୍ଦିର ଆଗରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପୋଷ୍ଟର। ଏଠାରେ ପ୍ରାୟ ୧୨୦୦ ଘରେ ରହୁଥିବା ପ୍ରାୟ ସମସ୍ତେ ହରିଜନ ଓ ଓବିସି ସମ୍ପ୍ରଦାୟର। (ଡାହାଣରେ) ପାର୍ବତୀ ଘର ଉପରେ ଲାଗିଥିବା ବହୁଜନ ସମାଜ ପାର୍ଟିର ପତାକା

PHOTO • Akanksha Kumar
PHOTO • Akanksha Kumar

(ବାମରେ) ରେଣୁ ଦେବୀ ହେଉଛନ୍ତି ମନରେଗା ମଜଦୁର ସଂଘର ସଂଯୋଜକ ଓ ସେ କହନ୍ତି ଯେ ମନରେଗା ଯୋଜନାରେ କାମ କମି କମି ଯାଉଛି । ମୋଦୀଙ୍କ ପୋଷ୍ଟର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାରା ସହର ଓ ଜିଲ୍ଲାରେ ଲଗାଯାଇଛି ଯେଉଁଠାରେ ପ୍ରଧାନ ମନ୍ତ୍ରୀ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି

ଗ୍ରାମୀଣ ନିଶ୍ଚିତ କର୍ମ ଯୋଗାଣ ଯୋଜନାରେ କାମର ପରିମାଣ ବହୁତ କମି ଯାଇଛି ବୋଲି ମନରେଗା ମଜଦୁର ସଂଘର ରେଣୁ ଦେବୀ ସହମତ ହୁଅନ୍ତି, ଓ ‘ପରୀ’କୁ କହିଲେ, “୨୦୧୯ଠାରୁ ମନରେଗା ଅବସ୍ଥା ଖରାପ ହେବାରେ ଲାଗିଛି। ଆଗରୁ ଗାଁ ଲୋକଙ୍କ ପାଇଁ ଆମେ ଯେତେବେଳେ ଦରଖାସ୍ତ ଲେଖି ଦେଉଥିଲୁ, ପ୍ରାୟ ଗୋଟିଏ ସପ୍ତାହର କାମ ମିଳି ଯାଉଥିଲା। ଏବେ ବର୍ଷକୁ ସାତ ଦିନର କାମ ମିଳିବା ମଧ୍ୟ କଷ୍ଟକର ହେଉଛି”।

କେବଳ ୨୦୨୧ରେ ମନରେଗା ମଜଦୁର ସଂଘର ସ୍ଥାନୀୟ ସ୍ଵେଚ୍ଛାସେବୀମାନେ ବାରାଣାସୀର ବ୍ଲକସ୍ତରୀୟ ଅଫିସରମାନଙ୍କୁ ବିଭିନ୍ନ ଗ୍ରାମରେ କାମ ଯୋଗାଇ ଦେବାକୁ ୨୪ଟି ଚିଠି ଲେଖିଛନ୍ତ।

ସେହି ବର୍ଷ ଜୁନ ୨୦୨୧ରେ ଜିରା ଦେବୀ ଶେଷ ଥର ପାଇଁ ମନରେଗା କାମ ପାଇଥିଲେ।

ଗୌର ମଧୁକର ଶାହପୁର ଗାଁର ସେହି ସମାନ ବସ୍ତିରେ ଜିରାଙ୍କ ଘର। ଏହି ୪୫-ବର୍ଷୀୟା ଶ୍ରମଜୀବୀ ଜଣକ ପ୍ରଧାନମନ୍ତ୍ରୀ ମୋଦୀଙ୍କର  ଫୋଟୋ ଛପା ଯାଇଥିବା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରୁ ତାଙ୍କୁ ମିଳିଥିବା ଗୋଟିଏ କନା ବ୍ୟାଗକୁ ବାହାର କରି ଦେଖାନ୍ତି। ବିଡମ୍ବନାର କଥା ଏହା ଯେ ତାଙ୍କୁ ଦିଆ ଯାଇଥିବା ନାନାଦି ଯୋଜନା ସମ୍ବନ୍ଧୀୟ ତାଙ୍କର ସବୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସେ ସେହି ବ୍ୟାଗରେ ରଖିଥାନ୍ତି। “ମୋଦୀଙ୍କ ସମ୍ବନ୍ଧିତ ଯେତେ ଯାହା କଥା ରହିଛି, ଆମକୁ ପ୍ରଥମେ ସେ ଚଢୁଥିବା ହେଲିକପ୍ଟରକୁ ଖୋଜିବାକୁ ହେବ”, ସେ ହସି ହସି କହନ୍ତି।

ଜିରା କହନ୍ତି ଯେ ସ୍ଥାନୀୟ ପ୍ରଧାନ (ମୁଖିଆ) ଦଶ ହଜାର ଟଙ୍କା ହାତଗୁଞ୍ଜା ଦେଲେ ତା’ ବଦଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ତାଙ୍କୁ ଘରଟିଏ ଦେବେ। ଏ ବାବଦରେ ସେ ବାରାଣାସୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲେ ବି କୌଣସି ଲାଭ ହେଲା ନାହିଁ। ତାଙ୍କର ଚାଳିଆ ଘର ଭିତରେ ବସି ସେ ପୁଣି ଯୋଗ କରି କହନ୍ତି, “ଦେଖ ଗନି ବ୍ୟାଗ ଓ ପୋଷ୍ଟର ମରା ହେଇଥିବା ମୋ ଘରର କାନ୍ଥସବୁକୁ ଦେଖନ୍ତୁ”।

ମନରେଗା କାମ ବନ୍ଦ ହେଇଯିବାରୁ ଦିନ ମଜୁରିଆ କାମ କରୁଥିବା ଜିରାଙ୍କ ଜୀବନ ଦୁଃସହ ହୋଇଗଲାଣି। ପରିବାରର ଜମି କହିଲେ ଏକରର ଦଶ ଭାଗରୁ ଭାଗେରୁ କମ୍‌ ଅଛି। ଗୋଟିଏ ପଟେ ପୁଅ ଶିବମ ଓ ସ୍ଵାମୀ ରାମ ଲାଲ ତାଙ୍କ ରୋଜଗାର ଉପରେ ନିର୍ଭର କରୁଥିବା ବେଳେ ଅନ୍ୟ ପଟେ ତାଙ୍କୁ ବୟସ ଚାଳିଶି ହେଲାଣି ଓ ତାଙ୍କ ପାଇଁ ଏହା ଅତି କଷ୍ଟକର ହେଉଛି: “ମୋର ପ୍ରବଳ ମୁଣ୍ଡ ବିନ୍ଧା ଓ ଦେହହାତ ବିନ୍ଧାଘୋଳା ହେଉଛି ଓ ମୁଁ କାଦୁଅ ଭର୍ତ୍ତି କଡ଼େଇ ଆଉ ଟେକି ପାରୁ ନାହିଁ “। (ମାଟି କାଦୁଅ ଭର୍ତ୍ତି କଡ଼େଇ ବୋହିବା ମନରେଗା କାମର ଅଂଶ ମଧ୍ୟ)

PHOTO • Akanksha Kumar
PHOTO • Akanksha Kumar

ମନରେଗା କାମ ମିଳୁ ନଥିବାରୁ ଜିରା ଦେବୀ ପରିବାର ଚଳେଇବାକୁ ସଂଘର୍ଷ କରୁଛନ୍ତି। ସେ କହନ୍ତି କି ତାଙ୍କର ଅତି ଗରିବ ଅବସ୍ଥା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯୋଜନାରେ ତାଙ୍କୁ ଘର ଖଣ୍ଡେ ଦିଆ ଯାଇନାହିଁ। ଯଦିଓ ବା ସେହି ଯୋଜନା ବାବଦରେ ଘୋଷଣା କରାଗଲା ବେଳେ ଦିଆ ଯାଇଥିବା ବ୍ୟାଗ ତାଙ୍କ ପାଖରେ ଅଛି। (ଡାହାଣ)

PHOTO • Akanksha Kumar
PHOTO • Akanksha Kumar

ଗୌର ମଧୁକର ଶାହପୁର ଗାଁର ହରିଜନ ବସ୍ତିରେ ନିଜ କଚ୍ଚା ଘର ଓ ରୋଷେଇ ଘର ସାମ୍ନାରେ ଜିରା ଦେବୀ ଓ ପୁଅ ଶିବମ ସହ (ଡାହାଣ)

ତାଙ୍କ ପରିବାରଟି ଉତ୍ତର ପ୍ରଦେଶର ଓବିସି ତାଲିକା ଅନ୍ତର୍ଗତ ବିନ୍ଦ/ମଲ୍ଲ ଗୋଷ୍ଠୀର। ତାଙ୍କ ସ୍ଵାମୀ ଆଉ କାମ କରି ପାରୁ ନଥିଲା ବେଳେ ସେମାନଙ୍କ ପୁଅ ଯେ କି ଦୃଷ୍ଟିବାଧିତ ହୋଇଥିବାରୁ ଭିନ୍ନକ୍ଷମ ଭତ୍ତା ପାଉଥିଲା, କିନ୍ତୁ ବର୍ଷେ ହେଲା ତାହା ବନ୍ଦ ହେଇଯାଇଛି ଯେ କେତେ ଚେଷ୍ଟା କଲେ ବି ତାକୁ ଆଉ ଚାଲୁ କରି ହେଉନାହିଁ।

ଜଣେ କୃଷି ଶ୍ରମିକ ଭାବେ ସେଦିନର ମଜୁରି ବାବଦରେ ରସୁଣବୁଦାର ବିଡ଼ାଟିଏ ହାତରେ ଧରି ଜିରା ଦେବୀ ଏହି ପତ୍ରକାର ଓ ଆମ ଚାରିପଟେ ଘେରି ରହିଥିବା ଲୋକଙ୍କ ଆଗରେ ଘୋଷଣା କରି କହନ୍ତି, “ଏଥର ମୁଁ ଆମ ପରି ଗରିବ ଲୋକଙ୍କୁ ସାହାଯ୍ୟ କରୁଥିବା ଜଣେ ମହିଳାଙ୍କୁ ଭୋଟ ଦେବି – ମାୟାବତୀ”।

ଏହି ସମ୍ମାନଜନକ ନିର୍ବାଚନ ମଣ୍ଡଳୀରେ ଏହା ଏକ କଠିନ ନିଷ୍ପତ୍ତି।

କିନ୍ତୁ ଖାଲି ଜିରା ଦେବୀ କି ପାର୍ବତୀ ନୁହନ୍ତି। “ମୁଁ ଏ ପର୍ଯ୍ୟନ୍ତ କିଛି ଠିକ୍ କରିନାହିଁ (କାହାକୁ ଭୋଟ ଦେବା ସମ୍ପର୍କରେ)। କିନ୍ତୁ ଆମେ ମୋଦୀ ଜୀଙ୍କ କାମରେ ଖୁସି ନୁହଁ”, କହନ୍ତି ସେହି ଗାଁର ଆଉ ଜଣେ ଦିନ ମଜୁରିଆ ଅଶୋକ।

ନିକଟରେ ତାଙ୍କ ସ୍ତ୍ରୀ ତିନି ଦିନର ମନରେଗା କାମ ପାଇଥିଲେ ଓ ଗତ ବର୍ଷ (୨୦୨୩ ରେ) ପାଞ୍ଚ ଦିନ। ଏହି ସ୍ଵାମୀ-ସ୍ତ୍ରୀ ଗୌର ମଧୁକର ଶାହପୁର ଗାଁରେ ସେମାନଙ୍କର ତିନି ପିଲାଙ୍କ ସହ ରହନ୍ତି – ୧୪ ବର୍ଷ ବୟସର ସଞ୍ଜନା, ୧୨ ବର୍ଷ ବୟସର ରଞ୍ଜନା ଓ ୧୦ ବର୍ଷ ବୟସର ରଂଜନ।

ଅଶୋକ (ସେ ଖାଲି ତାଙ୍କ ନାଁ ବ୍ୟବହାର କରନ୍ତି) ଆଗରୁ ବନାରସୀ ଶାଢୀ ବୁଣୁଥିଲେ, କିନ୍ତୁ ତାଙ୍କ ପରିବାର ବଢିବା ଯୋଗୁଁ ତାଙ୍କ ରୋଜଗାର ଯଥେଷ୍ଟ ହେଲାନାହିଁ। ଯେହେତୁ ସେ ବୁଣା କାମ ଛାଡ଼ିଦେଲେ, ତା’ ପରେ ସେ କୋଠାବାଡ଼ି ନିର୍ମାଣ ଓ ବାରାଣାସୀର ଶ୍ରମିକ ମଣ୍ଡିରେ କାମ କରୁଛନ୍ତି। ସେ ମାସକୁ ପ୍ରାୟ ୨୦-୨୫ ଦିନର କାମ ପାଉଛନ୍ତି ଓ ଦିନକୁ ମଜୁରି ବାବଦରେ ତାଙ୍କୁ ୫୦୦ ଟଙ୍କା ମିଳୁଛି। “କଷ୍ଟେମଷ୍ଟେ ଆମେ ଗୁଜୁରାଣ ମେଣ୍ଟାଉଛୁ,” କହନ୍ତି ହରିଜନ ବସ୍ତିରେ ଥିବା ତାଙ୍କ ଘରୁ ହାଣ୍ଡି କୁଣ୍ଢେଇ ଓ ନାଲି ପତାକା ଡେଇଁ ଶ୍ରମିକ ମଣ୍ଡିକୁ ଯିବାକୁ ବାହାରୁଥିବା ୪୫-ବର୍ଷୀୟ ଅଶୋକ।

PHOTO • Akanksha Kumar
PHOTO • Akanksha Kumar

ବେଶ କିଛି ବର୍ଷ ହେଲା ଅଶୋକ ମନରେଗା କାମ କରିବା ଛାଡ଼ି ଦେଇଛି। ଏକଦା ବନାରସୀ ଶାଢ଼ି ବୁଣୁଥିବା ଅଶୋକ ଏବେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ରଖଉନା ଗାଁରେ ଲାଗିଥିବା ମୋଦୀଙ୍କ ପୋଷ୍ଟର

PHOTO • Akanksha Kumar
PHOTO • Akanksha Kumar

ରଖଉନା ଗାଁର ସନ୍ଥାରା ଦେବୀ ମଧ୍ୟ ମନରେଗା କାମ ପାଇ ନାହାନ୍ତି। ସେ ବର୍ତ୍ତମାନ ଘରେ ବସି ରୁଦ୍ରାକ୍ଷ ମାଳା ଗୁନ୍ଥିବା କାମ କରୁଛନ୍ତି ଓ ସେ ବାବଦରେ କିଛି ମାସ କାମ ବାବଦରେ ୨୦୦୦ରୁ ୫୦୦୦ ଟଙ୍କା ପାଉଛନ୍ତି

‘ମେଁ ହୁଁ ମୋଦୀ କା ପରିବାର’ (ମୁଁ ମୋଦୀଙ୍କ ପରିବାରର) ଲେଖାଥିବା ନୀଳ ପୋଷ୍ଟର ରଖଉନା ଗାଁର ପ୍ରତି ଗେଟ୍‌ରେ ଲଗା ଯାଇଛି, ଓ ଏହି ଗାଁ ମଧ୍ୟ ବାରାଣାସୀ ଜିଲ୍ଲାରେ। ସନ୍ଥାରା ଦେବୀଙ୍କ ଘରେ ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲାଗିଥିବା ଫୋଟୋ ସହ ସେମାନଙ୍କର ‘ଡବଲ ଇଞ୍ଜିନ କି ସରକାର’ ସଫଳତା ବଖାଣୁଥିବା ପୋଷ୍ଟର କ୍ଷତ ଉପରେ ପଡ଼ି ରହିଛି।

ତାଙ୍କର ସାଧାରଣ ଘର ଭିତରେ ମାଳ ମାଳ ମାଛିମାନଙ୍କ ଭିତରେ ତଳେ ମାଟି ଉପରେ ବସି ରୁଦ୍ରାକ୍ଷ ମାଳା ଗୁନ୍ଥିବାରେ ସନ୍ଥାରା ଦେବୀ ବ୍ୟସ୍ତ ରହିଛନ୍ତି। ଖରା ଦିନିଆ ତେଜୀୟାନ ସୂର୍ଯ୍ୟଙ୍କ ଅସହ୍ୟ ଖରାରୁ ରକ୍ଷା ପାଇବା ପାଇଁ ଚାଳ ଛପର ଘରେ ଛ’ ଜଣିଆ ପରିବାର ରହୁଛନ୍ତି। ସେ ଏହି ସାମ୍ବାଦିକକୁ କହନ୍ତି, “ଆମର ନା ଚାଷ ଜମି ଅଛି ନା ବଗିଚା! ଯଦି କାମ କରିବୁନି ଖାଇବୁ କଣ?”

ଜଣେ ମନରେଗା ଶ୍ରମିକ ଭାବେ ନାଁ ଅନୁବନ୍ଧିତ କରିବା ପରେ ସନ୍ଥାରା ଦେବୀ ଗତ ଅଗଷ୍ଟ ମାସରେ (୨୦୨୩) ଗୋଟିଏ ପୋଖରୀ ଖୋଳା ବେଳେ ଆଠ ଦିନର କାମ ପାଇଥିଲେ। ମନରେଗା କାମରୁ ରୋଜଗାର ନମିଳିବାରୁ ସନ୍ଥାରାଙ୍କ ପରି ସ୍ତ୍ରୀ ଲୋକମାନେ ଅଳ୍ପ ପାରିଶ୍ରମିକ ମିଳୁଥିବା କାମ କଲେ – ରୁଦ୍ରାକ୍ଷ ମାଳା ଗୁନ୍ଥିବା କାମରେ ସେମାନଙ୍କୁ କିଛି ମାସ କାମ ବାବଦରେ ୨୦୦୦ରୁ ୫୦୦୦ ଟଙ୍କା ମିଳୁଛି। “ଆମକୁ ପ୍ରତି ଡଜନ ପାଇଁ ୨୫ ଟଙ୍କା ମିଳୁଛି। ଥରକରେ ହୋଲସେଲର (ପାଇକାରୀ ବିକ୍ରେତା) ଆମକୁ ୨୦-୨୫ କିଗ୍ରା ରୁଦ୍ରାକ୍ଷ ଦେଇଦିଏ”, ସେ କହନ୍ତି।

ସନ୍ଥାରାଙ୍କ ପଡୋଶୀ ୫୦-ବର୍ଷୀୟା ମୁନକା ଦେବୀ ମଧ୍ୟ ଗତ ବର୍ଷର ମନରେଗା କାମ ବିଷୟରେ ଜାଣିବାକୁ ରୋଜଗାର ସହାୟକଙ୍କର ଅପେକ୍ଷା କରିଛନ୍ତି। ମୁନକାଙ୍କ ସ୍ଵାମୀଙ୍କ ନାଁରେ ୧.୫ ବିଘା ଜମି ରହିଛି ଓ ସେହି ଜମିରେ ସେ ପରିବା ଚାଷ କରି ବଜାରରେ ବିକନ୍ତି। କିନ୍ତୁ ସେ ମଧ୍ୟ ଅନ୍ୟମାନଙ୍କ ଜମିରେ କାମ କରିବାକୁ ଯାଆନ୍ତି। “ଅନ୍ତତଃ ପକ୍ଷେ ଆମ ପରିବାରର ତେଲ ଲୁଣର ଖର୍ଚ୍ଚ ତ ଏଠୁ ବାହାରି ଯାଉଛି”, ସର୍ବନିମ୍ନ ଖାଦ୍ୟ ସମ୍ପର୍କରେ ସେ କହନ୍ତି।

PHOTO • Akanksha Kumar
PHOTO • Akanksha Kumar

ଗୋଟିଏ ମନରେଗା ଜବ କାର୍ଡ (ବାମରେ)। ଶକୁନ୍ତଳା ଦେବୀ ଦେଖିଲେ ଯେ ତାଙ୍କ ନାଁ ମନରେଗା ତାଲିକାରୁ କଟି ଯାଇଛି। ସେ ଏବେ ପଥର ମୂର୍ତ୍ତି ଚିକ୍କଣ କରିବା କାମ କରୁଛନ୍ତି ଓ ତାଙ୍କ ହାତ ସବୁ ବେଳେ ଖଣ୍ଡିଆ ରହୁଛି

PHOTO • Akanksha Kumar
PHOTO • Akanksha Kumar

ମୁନକା ଦେବୀ (ବାମ) ସେ ତିଆରି କରିଥିବା ନୂଆ ଘର ବାହାରେ। ଶୀଲା (ଡାହାଣ) କହନ୍ତି, 'ମୋଦୀ ଆମ ମନରେଗା କାମ ଛଡ଼େଇ ନେଇଛନ୍ତି'

ଖେୱାଲି ଗାଁରେ, ଏଥର ଶକୁନ୍ତଳା ଭୋଟ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। “ଯେହେତୁ ସରକାର ମୋତେ କିଛି କାମ ଦେଇ ନାହାନ୍ତି, ମୁଁ ଏଥର ଭୋଟ ଦେବି ନାହିଁ”, ସେ କହନ୍ତି। ଶକୁନ୍ତଳା ହେଉଛନ୍ତି ସେହି ୧୨ ଜଣ ମହିଳାଙ୍କ ଭିତରୁ ଜଣେ ଯେଉଁମାନଙ୍କର ଜବ କାର୍ଡ ଥିବା ସତ୍ତ୍ୱେ ସେମାନଙ୍କ ନାଁ ତାଲିକାରୁ କଟି ଯାଇଛି। ନକଲି ମନରେଗା ଶ୍ରମିକଙ୍କ ନାଁ କାଟିଲା ବେଳେ କିରାଣୀମାନେ ଭୁଲରେ ଏମାନଙ୍କ ନାଁ ବି କାଟି ଦେଇଛନ୍ତି।

“ମୋଦୀ ଆମ ମନରେଗା କାମ ଛଡ଼େଇ ନେଇଛନ୍ତି। ବର୍ଷକୁ ଦୁଇ ମାସର ନିୟମିତ କାମ ଓ ଦିନକୁ ମଜୁରି ୮୦୦ ଟଙ୍କା ଦେବାକୁ ଆମର ଦାବି”, କହନ୍ତି ଶୀଲା ଯେ କି ଖେୱାଲି ଗାଁର ଅଧିବାସୀ। “ମାଗଣା ରେସନ ବ୍ୟବସ୍ଥା ଭିତରେ ଗହମ, ଚାଉଳ ସହିତ ଡାଲି, ଲୁଣ ଓ ତେଲ ମଧ୍ୟ ଦିଆଯାଉ”, ଶକୁନ୍ତଳା ଯୋଗ କରି କହନ୍ତି।

ତାଙ୍କ ଘରର ଖୋଲା ଜାଗାରେ ନନ୍ଦୀଙ୍କର ପବିତ୍ର ପଥର ମୂର୍ତ୍ତି ରହିଛି। “ଏଗୁଡ଼ିକୁ ଚିକ୍କଣ କରିବା ବେଳେ ମୋ ହାତ ଖଣ୍ଡିଆ ହେଇଯାଉଛି, କିନ୍ତୁ ଗୋଟିଏ ମୂର୍ତ୍ତି ପାଇଁ ୧୫୦-୨୦୦ ଟଙ୍କା ମିଳୁଛି”। ଏଇ କାମ କରି କରି ତାଙ୍କ ଆଙ୍ଗୁଠି ଫୁଲି ଯାଇଥାଏ, କିନ୍ତୁ ତାଙ୍କ ପରି ସ୍ତ୍ରୀ ଲୋକମାନେ ଯେଉଁମାନଙ୍କ ନାଁ ମନରେଗାରେ ନିୟମିତ କାମ ପାଉ ନାହାନ୍ତି ସେମାନଙ୍କ ପାଇଁ ଆଉ କିଛି ଉପାୟ ନାହିଁ।

ଅନୁବାଦ: ଓଡ଼ିଶାଲାଇଭ୍‍

Akanksha Kumar

आकांक्षा कुमार, दिल्ली की एक मल्टीमीडिया जर्नलिस्ट हैं और ग्रामीण इलाक़ों से जुड़े मामलों, मानवाधिकार, अल्पसंख्यकों के मुद्दों, जेंडर और सरकारी योजनाओं पर आधारित रिपोर्टिंग करती हैं. उन्हें 2022 में मानवाधिकार और धार्मिक स्वतंत्रता पत्रकारिता पुरस्कार से नवाज़ा गया था.

की अन्य स्टोरी Akanksha Kumar
Editor : Priti David

प्रीति डेविड, पारी की कार्यकारी संपादक हैं. वह मुख्यतः जंगलों, आदिवासियों और आजीविकाओं पर लिखती हैं. वह पारी के एजुकेशन सेक्शन का नेतृत्व भी करती हैं. वह स्कूलों और कॉलेजों के साथ जुड़कर, ग्रामीण इलाक़ों के मुद्दों को कक्षाओं और पाठ्यक्रम में जगह दिलाने की दिशा में काम करती हैं.

की अन्य स्टोरी Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE