ସବୁ କିଛି ମରାମତି କରିବାର ଉପାୟ ଖୋଜିବାକୁ ମୁଁ ଚେଷ୍ଟା କରେ।

ସୁନୀଲ କୁମାର ଜଣେ ଠଠେରା (ଧାତବ ବାସନକୁସନ ନିର୍ମାତା)। “ଆଉ କେହି ମରାମତି କରିପାରୁ ନଥିବା ଜିନିଷକୁ ଲୋକେ ଆମ ପାଖକୁ ଆଣନ୍ତି। ଏମିତି କି ବେଳେବେଳେ ମେକାନିକମାନେ ସେମାନଙ୍କ ସରଞ୍ଜାମ ନେଇ ଆସନ୍ତି।”

ସେ ସେହି ସଂପ୍ରଦାୟର, ଯେଉଁମାନେ କି ପିଢ଼ି ପରେ ପିଢ଼ି ଧରି ତମ୍ବା, କଂସା ଓ ପିତଳ ତିଆରି ରୋଷେଇ ଉପକରଣ ଏବଂ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ତିଆରି କରିଆସୁଛନ୍ତି। “ହାତରେ ମଇଳା ଲାଗୁ ବୋଲି କେହି ହେଲେ ଚାହାଁନ୍ତିନି,” ଆଜିକୁ ୨୫ ବର୍ଷ ହେଲା ନିଜକୁ ଠଠେରା କାରିଗର ରୂପେ ପରିଚିତ କରାଇ ଆସିଥିବା ୪୦ ବର୍ଷୀୟ ସୁନୀଲ କହନ୍ତି। “ଦିନ ସାରା ମୁଁ ଏସିଡ୍, କୋଇଲା ଏବଂ ଉତ୍ତାପରେ କାମ କରେ। ଏହା ସହିତ ମୋର ଭାବାବେଗ ଜଡ଼ିତ ହୋଇଥିବାରୁ ମୁଁ ଏହା କରେ।”

ପଞ୍ଜାବରେ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ରୂପେ ତାଲିକାଭୁକ୍ତ ଠଠେରା ( ଠଠିଆରା ବି କୁହାଯାଏ) ସଂପ୍ରଦାୟ। ଭିନ୍ନ ଭିନ୍ନ ଧାତୁକୁ ତରଳାଇ ଏହାକୁ ବିଭିନ୍ନ ଆକାର ଦେବା ଏବଂ କେବଳ ହାତରେ ବ୍ୟବହୃତ ହେଉଥିବା ସରଞ୍ଜାମ ବ୍ୟବହାର କରି ଏଥିରେ କବାଟର ଶକ୍ତ ହ୍ୟାଣ୍ଡଲ ଏବଂ ଲକ୍ ସମେତ ଅଣ-ଲୌହଘଟିତ ଧାତୁର ଅନ୍ୟାନ୍ୟ ସାମଗ୍ରୀ ତିଆରି କରିବା ହେଉଛି ସେମାନଙ୍କର ପାରମ୍ପରିକ ବୃତ୍ତି। ତାଙ୍କ ବାପା, ୬୭ ବର୍ଷୀୟ କେୱଲ କ୍ରିଷାନଙ୍କ ସହିତ ସେ ଭଙ୍ଗା ଧାତବ ସାମଗ୍ରୀ କିଣନ୍ତି ଏବଂ ସେଗୁଡ଼ିକ ମରାମତି କାମରେ ଲାଗେ।

ଗତ କିଛି ଦଶନ୍ଧି ହେଲା ଷ୍ଟିଲ ଭଳି ଲୌହଘଟିତ ସାମଗ୍ରୀର ଲୋକପ୍ରିୟତା ବଢ଼ିବା ସହିତ ଏହି ହାତ କାରିଗରମାନଙ୍କ ଜୀବନଧାରା ବଦଳି ଯିବାରେ ଲାଗିଛି। ଆଜିକାଲି, ଘରେ ଘରେ ଷ୍ଟିଲ ତିଆରି ରୋଷେଇ ଉପକରଣର ଆଦୃତି ସହିତ ତୁଳନାତ୍ମକ ଭାବେ ଓଜନିଆ, ଶକ୍ତ ଏବଂ ଅଧିକ ବ୍ୟୟବହୁଳ ପିତଳ ଓ ତମ୍ବାର ଚାହିଦା ନିମ୍ନମୁଖୀ ହୋଇଛି।

Sunil Kumar shows an old brass item that he made
PHOTO • Arshdeep Arshi
Kewal Krishan shows a brand new brass patila
PHOTO • Arshdeep Arshi

ସେ ତିଆରି କରିଥିବା ଏକ ପୁରୁଣା ପିତଳ ଜିନିଷ ଦେଖାଉଛନ୍ତି ସୁନୀଲ କୁମାର (ବାମ) ଏବଂ ତାଙ୍କ ବାପା କେୱଲ କ୍ରିଷନ (ଡାହାଣ) ଏକ ସଂପୂର୍ଣ୍ଣ ନୂଆ ପିତଳର ପତିଲା ଦେଖାଉଛନ୍ତି

ଅନେକ ପିଢ଼ି ଧରି ପଞ୍ଜାବର ସଙ୍ଗରୁର ଜିଲ୍ଲା ଅନ୍ତର୍ଗତ ଲହରଗାଗା ସହରରେ ସୁନୀଲ ଓ ତାଙ୍କ ପରିବାର ଏହି କାରିଗରୀକୁ ବୃତ୍ତି ରୂପରେ ଆଦରି ନେଇଛନ୍ତି। ପ୍ରାୟ ୪୦ ବର୍ଷ ତଳେ ସେଠାରେ ଆଉ ଦୁଇଟି ଠଠେରା ପରିବାର ବି ଥିଲେ। ଅର୍ଥ ଅଭାବରୁ ହିଁ ଲୋକେ ଏହି ବୃତ୍ତିକୁ ଛାଡ଼ି ଦେଉଛନ୍ତି ବୋଲି ଦର୍ଶାଇ ସୁନୀଲ କହନ୍ତି, “ଏଠାରେ ଆଉ ଜଣେ ଥିଲେ ଏବଂ ମନ୍ଦିର ପାଖରେ ତାଙ୍କର ଦୋକାନ ଥିଲା। କିନ୍ତୁ ସେ ଲଟେରୀରେ ତିନି ଲକ୍ଷ ଟଙ୍କା ଜିତିବା ପରେ ଏହି ବୃତ୍ତି ଛାଡ଼ି ଦେଲେ ଏବଂ ଦୋକାନ ବନ୍ଦ କରିଦେଲେ।”

ଗୁଜରାଣ ମେଣ୍ଟାଇବା ପାଇଁ ସୁନୀଲ କୁମାରଙ୍କ ଭଳି ଠଠେରା ମାନେ ଷ୍ଟିଲ କାମ କରିବା ଆରମ୍ଭ କଲେଣି –ଉଭୟ ମରାମତି ଏବଂ କାରିଗରୀ କାମ।

ଲହରଗାଗାରେ ସୁନୀଲଙ୍କ ଦୋକାନ ହେଉଛି ଏକମାତ୍ର ଦୋକାନ, ଯେଉଁଠି କି ଜଣେ ପିତଳ ବାସନକୁସନ ସଫା କରାଇ ପାରିବେ, ମରାମତି ଏବଂ ପାଲିସ୍ ବି କରାଇ ପାରିବେ। ଏଥିପାଇଁ ବହୁ ଦୂରଦୂରାନ୍ତ ଗାଁରୁ ଗ୍ରାହକମାନେ ତାଙ୍କ ଦୋକାନକୁ ଆସନ୍ତି। ଦୋକାନର କୌଣସି ନାଁ କିମ୍ବା ସାଇନବୋର୍ଡ ନଥିଲେ ବି, ଲୋକେ ଏହାକୁ ଠଠେରା ଙ୍କ କାରଖାନା ବୋଲି ଜାଣନ୍ତି।

ସୁନୀଲଙ୍କ ଦୋକାନରେ ଚାରିଟି ବାଟି (କଂସା) ସଫା କରିବା ଲାଗି ପ୍ରାୟ ୨୫ କିଲୋମିଟର ଦୂର ଦିର୍ବା ଗାଁରୁ ଆସିଥିବା ଜଣେ ମହିଳା ଗ୍ରାହକ କହନ୍ତି, “ଆମ ଘରେ ପିତଳ ବାସନକୁସନ ଅଛି। ହେଲେ, ନିତିଦିନିଆ ବ୍ୟବହାର ପାଇଁ ନୁହେଁ, ବରଂ ଉଭୟ ଭାବପ୍ରବଣତା ଏବଂ ଆର୍ଥିକ ଦୃଷ୍ଟିରୁ ମୂଲ୍ୟ ଯୋଗୁଁ ସେଗୁଡ଼ିକୁ ରଖାଯାଇଛି।” “ଅନେକ ଦିନ ଧରି ବାରମ୍ବାର ବ୍ୟବହାର କରାଗଲେ ଷ୍ଟିଲ ବାସନକୁସନର ମୂଲ୍ୟ ନଷ୍ଟ ହୋଇଯାଏ। ସେଗୁଡ଼ିକୁ ବିକିଲେ କିଛି ହେଲେ ମିଳିବ ନାହିଁ। ହେଲେ, ପିତଳ ବାସନକୁସନର ମୂଲ୍ୟ ସେମିତି ରହିଥାଏ,” ସେ କହନ୍ତି।

ସାଧାରଣତଃ ପିତଳ ସାମଗ୍ରୀକୁ ପୁଣି ନୂଆ ଭଳି କରିଦେବା ଲାଗି ସୁନୀଲଙ୍କ ଭଳି ଠଠେରା ମାନଙ୍କୁ ଲୋକେ ଅନୁରୋଧ କରନ୍ତି। ସେପଟେମ୍ବର ମାସରେ ଆମେ ତାଙ୍କୁ ଭେଟିବା ବେଳେ ସେ କେତେକ ପିତଳ ବାସନକୁସନର କାମ କରୁଥିଲେ। ଏଗୁଡ଼ିକୁ ଜଣେ ମାଆ ତାଙ୍କ ଝିଅର ବିବାହ ସମୟରେ ତାଙ୍କୁ ଦେଇଥିଲେ। ସାମଗ୍ରୀଗୁଡ଼ିକ ବ୍ୟବହାର କରାଯାଇ ନଥିଲା ସତ, ହେଲେ ବର୍ଷ ବର୍ଷ ଧରି ପଡ଼ି ରହିବା ଫଳରେ ସେଗୁଡ଼ିକର ରଙ୍ଗ ବଦଳି ଯାଇଥିଲା। ସୁନୀଲ ସେଗୁଡ଼ିକି ପୁଣି ନୂଆ ଭଳି କରିବାକୁ ଚେଷ୍ଟା କରୁଥିଲେ।

ଅନେକ ଦିନ ଧରି ଅବ୍ୟବହୃତ ରହିଥିବା ବାସନରେ ଜାରଣ ଯୋଗୁଁ ପଡ଼ିଥିବା ସବୁଜ ଦାଗ ସଫା କରିବାରୁ ହିଁ ପିତଳ ବାସନର ସଫେଇ ପ୍ରକ୍ରିୟା ଆରମ୍ଭ ହୁଏ। ଦାଗ ହଟାଇବା ଲାଗି ପ୍ରଥମେ ଏହି ବାସନକୁ ଏକ ଛୋଟ ଫର୍ଣ୍ଣେସରେ ଗରମ କରାହୁଏ ଏବଂ ଏହା ଗରମ ହୋଇ କଳା ପଡ଼ିଯିବା ମାତ୍ରେ ଏହାକୁ ଜଳ ମିଶ୍ରିତ ଏସିଡରେ ସଫା କରାଯାଏ। ତା’ପରେ ଏହାର ଚମକ ଫେରାଇ ଆଣିବା ଲାଗି ବାସନର ବାହାର ଓ ଭିତର ପଟେ ତେନ୍ତୁଳି ମଣ୍ଡ ଲଗାଯାଏ। ଏହା ଫଳରେ ବାସନର ରଙ୍ଗ ବାଦାମୀରୁ ଲାଲ ମିଶ୍ରିତ ସୁନା ଭଳି ହଳଦିଆ ରଙ୍ଗରେ ପରିଣତ ହୁଏ।

Sunil Kumar removes the handles of a kadhai before cleaning it. The utensil is going to be passed on from a mother to her daughter at her wedding.
PHOTO • Arshdeep Arshi
Sunil Kumar heats the inside of the kadhai to remove the green stains caused by oxidation
PHOTO • Arshdeep Arshi

ସଫା କରିବା ପୂର୍ବରୁ ଗୋଟିଏ କଡ଼ାହିର ହ୍ୟାଣ୍ଡଲକୁ ବାହାର କରୁଛନ୍ତି ସୁନୀଲ କୁମାର (ବାମ)। ଏହି ବାସନକୁ ଜଣେ ମାଆ ତାଙ୍କ ଝିଅର ବାହାଘର ସମୟରେ ଦେବେ। ସେଥିରେ ପଡ଼ିଥିବା ସବୁଜ ଦାଗ ହଟାଇବା ଲାଗି ସେ କଡ଼ାହିର ଭିତର ପଟକୁ ଗରମ କରନ୍ତି

Sunil rubs tamarind on the kadhai to bring out the golden shine. He follows it up after rubbing diluted acid
PHOTO • Arshdeep Arshi
Sunil rubs tamarind on the kadhai to bring out the golden shine. He follows it up after rubbing diluted acid
PHOTO • Arshdeep Arshi

କଡ଼ାହିର ସୁନେଲି ଚମକ ଫେରାଇ ଆଣିବା ଲାଗି ତା ଉପରେ ତେନ୍ତୁଳି ମଣ୍ଡ ଘଷନ୍ତି (ବାମ) ସୁନୀଲ। ଏହା ପରେ ସେ ପାଣି ମିଶିଥିବା ଏସିଡରେ ଏହାକୁ ଘଷି ସଫା କରନ୍ତି

ସଫା କରିବା ପରେ ଏହାକୁ ସୁନା ଭଳି ଚକଚକ୍ କରିବା ଲାଗି ସୁନୀଲ ଏକ ଗ୍ରାଇଣ୍ଡିଂ ମେସିନ ବ୍ୟବହାର କରନ୍ତି। ସେ କହନ୍ତି, “ଆମ ପାଖରେ ଏହି ଗ୍ରାଇଣ୍ଡର ନଥିବା ବେଳେ ଆମେ ଏଥିପାଇଁ ରେଗମାର (ବାଲି କାଗଜ) ବ୍ୟବହାର କରୁଥିଲୁ।

ଏହାର ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଟିକ୍କା – ବାସନର ପୃଷ୍ଠଭାଗରେ ଏକ ଲୋକପ୍ରିୟ ଡିଜାଇନରେ ବିନ୍ଦୁ ବିନ୍ଦୁ ଚିହ୍ନ ଦେବା। କିନ୍ତୁ କେତେକ ଗ୍ରାହକ ଏହାକୁ କେବଳ ପାଲିସ କରି ଦେବା ପାଇଁ କିମ୍ବା ଅନ୍ୟ ଏକ ନିର୍ଦ୍ଦିଷ୍ଟ ଡିଜାଇନ କରିବା ଲାଗି ମଧ୍ୟ ଅନୁରୋଧ କରିଥାଆନ୍ତି।

ସେ ଯେଉଁ କଡ଼ାହି (କଡ଼େଇ) ଉପରେ କାମ କରୁଥାଆନ୍ତି, ସେଥିରେ ବିନ୍ଦୁ ଚିହ୍ନ କରିବା ପୂର୍ବରୁ ଏହା ଉପରେ ଚକଚକ କରୁଥିବା ବିନ୍ଦୁ ସୃଷ୍ଟି କରିବା ଲାଗି ସୁନୀଲ ତାଙ୍କ କାଠ ଓ ଲୁହାର ହାତୁଡ଼ିକୁ ପାଲିସ କରି ନିଅନ୍ତି। ପାଲିସ କରାଯାଇଥିବା ଏହି ଉପକରଣଗୁଡ଼ିକ ଦର୍ପଣ ଭଳି ସଫା ଦେଖାଯାଏ। ଏହା ପରେ ସେ କଡ଼ାହି କୁ ଗୋଟିଏ କାଠ ହାତୁଡ଼ି ଉପରେ ରଖି ବୃତ୍ତାକାର ଗତିରେ ଏହା ଉପରେ ଲୁହା ହାତୁଡ଼ି ମାରିଥାଆନ୍ତି। ଫଳରେ ଏହାର ପୃଷ୍ଠଭାଗରେ ଅନେକ ସ୍ୱର୍ଣ୍ଣିମ ବିନ୍ଦୁ ଚକମକ କରେ।

ଯେଉଁ ପିତଳ ବାସନଗୁଡ଼ିକ ଉପଯୁକ୍ତ ଭାବରେ ବ୍ୟବହୃତ ହୋଇ ନଥିବ କିମ୍ବା ବର୍ଷ ବର୍ଷ ଧରି ପଡ଼ି ରହିଥିବ, ସେଗୁଡ଼ିକୁ ସୁନା ଭଳି ଚମକାଇବା ଲାଗି ସଫା କରି ପାଲିସ କରିବା ଦରକାର ହୁଏ।

The kadhai shines after being rubbed with diluted acid and the green stains are gone .
PHOTO • Arshdeep Arshi
Sunil Kumar then uses the grinder to give a golden hue
PHOTO • Arshdeep Arshi

ପାଣିମିଶା ଏସିଡ ଘଷିବା ଏବଂ ସବୁଜ ଦାଗ ସବୁ ହଟିଯିବା ପରେ କଡ଼ାହି ଚକମକ କରେ। ଏହା ପରେ ଏହାର ରଙ୍ଗକୁ ସୁନା ଭଳି କରିବା ଲାଗି ସୁନୀଲ କୁମାର ଗ୍ରାଇଣ୍ଡର ବ୍ୟବହାର କରନ୍ତି

Sunil Kumar dotting a kadhai with a polished hammer
PHOTO • Arshdeep Arshi
Sunil Kumar dotting a kadhai with a polished hammer
PHOTO • Arshdeep Arshi

ସୁନୀଲ କୁମାର ଗୋଟିଏ ପାଲିସ କରାଯାଇଥିବା ହାତୁଡ଼ିରେ କଡ଼ାହିରେ ବିନ୍ଦୁ ସୃଷ୍ଟି କରୁଛନ୍ତି

ରନ୍ଧାରନ୍ଧିରେ ବ୍ୟବହୃତ ହେବାର ଥିଲେ, ପିତଳ ବାସନ ଉପରେ ଟିଣର ଏକ ପ୍ରଲେପ ଦିଆଯାଏ- ଏହି ପ୍ରକ୍ରିୟାକୁ କଲାଇ କୁହାଯାଏ। ଏଥିରେ ପିତଳ କିମ୍ବା ଅନ୍ୟ କୌଣସି ଅଣ-ଲୌହଘଟିତ ଧାତୁରେ ତିଆରି ବାସନରେ ଖାଦ୍ୟ ରନ୍ଧା ହେଲେ କିମ୍ବା ରଖିଲେ ସମ୍ଭାବ୍ୟ ରାସାୟନିକ ପ୍ରତିକ୍ରିୟାରୁ ସୁରକ୍ଷିତ ରଖିବା ଲାଗି ଏହାର ଭିତର ପାଖରେ ଟିଣର ଏକ ପ୍ରଲେପ ଦିଆଯାଏ।

ଭାଣ୍ଡେ କଲାଇ କରା ଲୋ ! ମାତ୍ର କିଛି ବର୍ଷ ତଳେ, ପିତଳ ବାସନରେ ଟିଣ ପ୍ରଲେପ ଦେବା ଲାଗି ଗ୍ରାହକମାନଙ୍କୁ ଆକୃଷ୍ଟ କରାଇବା ଉଦ୍ଦେଶ୍ୟରେ କାରିଗରମାନେ ରାସ୍ତାରେ ଏମିତି ଡାକି ଡାକି ଯାଉଥିଲେ। ସୁନୀଲ କହନ୍ତି ଯେ, ଠିକ୍ ଭାବରେ ବ୍ୟବହାର କରାଗଲେ କୌଣସି ବାସନକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କଲାଇ ନ କଲେ ବି ଚଳିବ। ହେଲେ, କେତେକ ଲୋକ ପ୍ରାୟ ବର୍ଷେ ବ୍ୟବହାର କରିବା ପରେ ଏହା କରାଇ ନିଅନ୍ତି।

କଲାଇ କରିବା ସମୟରେ ପିତଳ ବାସନକୁ ପ୍ରଥମେ ପାଣିମିଶା ଏସିଡ ଏବଂ ତେନ୍ତୁଳି ମଣ୍ଡରେ ସଫା କରି, ଗୋଲାପି ରଙ୍ଗ ହେବା ପର୍ଯ୍ୟନ୍ତ ନିଆଁରେ ଗରମ କରିବାକୁ ହୁଏ। ଏହା ପରେ ଏହାର ଭିତର ପଟେ ଏକ ଟିଣର କଏଲ ବା କୁଣ୍ଡଳାକାରରେ ଥିବା ଟିଣ ପାତିଆ ଘଷିବାକୁ ହୁଏ ଏବଂ ଏହି ପ୍ରକ୍ରିୟା ସହିତ ନୌସାଦର ନାମରେ ପରିଚିତ, ପାଣିରେ କଷ୍ଟିକ ସୋଡା, ଆମୋନିୟମ କ୍ଲୋରାଇଡର ଏକ ମିଶ୍ରଣ, ଛିଞ୍ଚିବାକୁ ହୁଏ। ସୂତା କପଡ଼ାର ଏକ ବିଣ୍ଡାରେ ଲଗାତାର ଘଷିବା ଫଳରେ, ମାତ୍ର କେଇ ମିନିଟ୍ ଭିତରେ ଯାଦୁ କରିବା ଭଳି ଏଥିରୁ ଧଳା ରଙ୍ଗର ଧୂଆଁ ବାହାରେ ଏବଂ ବାସନର ଭିତର ପଟ ରୁପା ଭଳି ହୋଇଯାଏ ଏବଂ ସେତେବେଳେ ଏହାକୁ ଥଣ୍ଡା ପାଣିରେ ବୁଡ଼ାଇ ଦିଆଯାଏ।

କେଇ ଦଶନ୍ଧି ହେଲା ପିତଳ ତୁଳନାରେ ଷ୍ଟିଲ ବାସନକୁସନର ଲୋକପ୍ରିୟତା ବୃଦ୍ଧି ପାଇଛି। କାରଣ, ଷ୍ଟିଲ୍ ବାସନ ଧୋଇବା ସହଜ ଏବଂ ଏଥିରେ ଖାଦ୍ୟ ସହିତ ରାସାୟନିକ ପ୍ରତିକ୍ରିୟାର ଆଶଙ୍କା ନାହିଁ। ପିତଳ ବାସନ ଦୀର୍ଘସ୍ଥାୟୀ ଏବଂ ମୂଲ୍ୟବାନ ହୋଇଥିଲେ ହେଁ ସେଗୁଡ଼ିକର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ ହୋଇଥାଏ। ପିତଳ ବାସନ ବ୍ୟବହାର କରିବା ପରେ ତୁରନ୍ତ ଏହାକୁ ଧୋଇଦେବା ଦରକାର ବୋଲି ସୁନୀଲ ତାଙ୍କ ଗ୍ରାହକମାନଙ୍କୁ ପରାମର୍ଶ ଦିଅନ୍ତି।

Nausadar is a powdered mix of caustic soda and ammonium chloride mixed in water and is used in the process of kalai
PHOTO • Arshdeep Arshi
Tin is rubbed on the inside of it
PHOTO • Arshdeep Arshi

ବାମ: ନୌସାଦର ହେଉଛି ପାଣି ସହିତ କଷ୍ଟିକ ସୋଡ଼ା, ଆମୋନିୟମ କ୍ଲୋରାଇଡର ଏକ ମିଶ୍ରଣ ଏବଂ ଏହାକୁ କଲେଇ ପ୍ରକ୍ରିୟାରେ ବ୍ୟବହାର କରାଯାଏ। ଡାହାଣ:ଟିଣକୁ ଏହାର ଭିତର ପାଖରେ ଘଷିବାକୁ ହୁଏ

The thathera heats the utensil over the flame, ready to coat the surface .
PHOTO • Arshdeep Arshi
Sunil Kumar is repairing a steel chhanni (used to separate flour and bran) with kalai
PHOTO • Arshdeep Arshi

ବାମ:ଠଠେରା ବାସନକୁ ନିଆଁରେ ଗରମ କରି ଏହାର ପୃଷ୍ଠଭାଗରେ ପ୍ରଲେପ ଦେବାକୁ ପ୍ରସ୍ତୁତ କରନ୍ତି। ଡାହାଣ: କଲେଇ ପ୍ରକ୍ରିୟାରେ ସୁନୀଲ କୁମାର ଗୋଟିଏ ଛନ୍ନି (ଅଟା ଓ ଚୋକଡ଼ ଅଲଗା କରିବାରେ ବ୍ୟବହୃତ ହୁଏ) ମରାମତି କରୁଛନ୍ତି

*****

ପ୍ରାୟ ୫୦ ବର୍ଷ ତଳେ ସୁନୀଲଙ୍କ ବାପା କେୱଲ କ୍ରିଷନ ମଲେରକୋଟାରୁ ଲହରଗାଗାକୁ ଚାଲି ଆସିଥିଲେ। ସେତେବେଳେ ସୁନୀଲ ଥିଲେ ୧୨ ବର୍ଷ ବୟସର ବାଳକ। ସେ କହନ୍ତି, “ପ୍ରଥମରୁ ମୁଁ କିଛି ଦିନ ପାଇଁ ଆସିଥିଲି, କିନ୍ତୁ ଏଠାରେ ରହିଗଲି।” ବଂଶାନୁକ୍ରମରେ ତାଙ୍କ ପରିବାର ବାସନ ତିଆରି କରିଆସୁଛନ୍ତି। କେୱଲଙ୍କ ବାପା କେଦାର ନାଥ ଏବଂ ଜେଜେବାପା ଜ୍ୟୋତି ରାମ କୁଶଳୀ କାରିଗର ଥିଲେ। କିନ୍ତୁ ତାଙ୍କ ପୁଅ ତାଙ୍କୁ ଅନୁସରଣ କରିବ ବୋଲି ସୁନୀଲ ନିଶ୍ଚିତ ନୁହଁନ୍ତି: “ତାକୁ ଭଲ ଲାଗିଲେ ସେ ଏହି ବୃତ୍ତିକୁ ଆପଣେଇ ନେବ।”

ପରିବାରର ଏହି ବୃତ୍ତିକୁ ସୁନୀଲଙ୍କ ଭାଇ ଛାଡ଼ି ସାରିଲେଣି ଏବଂ ସେ ଏବେ ଏକ ଘରୋଇ ଟେଲିକମ କମ୍ପାନୀରେ କାମ କରୁଛନ୍ତି। ଅନ୍ୟ ସଂପର୍କୀୟମାନେ ବି ଅନ୍ୟାନ୍ୟ ଦୋକାନ କରି ବ୍ୟବସାୟ କଲେଣି।

ଉତ୍ତରାଧିକାର ସୂତ୍ରରେ କେୱଲ କ୍ରିଷନଙ୍କ ପାଖରୁ ସୁନୀଲ ଏହାକୁ ପାଇଛନ୍ତି। “ମୁଁ ୧୦ମ ଶ୍ରେଣୀରେ ପଢୁଥିବା ବେଳେ ମୋ ବାପା ଆହତ ହୋଇଥିଲେ। ଜୀବିକା ଅର୍ଜନ ପାଇଁ ମୋତେ ପାଠପଢ଼ା ଛାଡ଼ି ବ୍ୟବସାୟ କରିବାକୁ ପଡ଼ିଲା,” ବାସନ ଉପରେ ହାତୁଡ଼ି ମାରି ଚାଲିଥିବା ସୁନୀଲ କହନ୍ତି। “ଜଣେ ସ୍କୁଲପିଲା ଭାବରେ ମୁଁ ଖାଲି ସମୟରେ ଦୋକାନକୁ ଆସି ନୂଆ କିଛି ତିଆରି କରିବାକୁ ପରୀକ୍ଷା କରୁଥିଲି। ଥରେ ମୁଁ ପିତଳରେ ଗୋଟିଏ ଏୟାର କୁଲରର ଅବିକଳ ପ୍ରତିକୃତି କରିଥିଲି,” ସେ ଗର୍ବର ସହ କହନ୍ତି।

ଜୀବନରେ ପ୍ରଥମ ଥର ପାଇଁ ସେ ଗୋଟିଏ ଛୋଟ ପତିଲା ତିଆରି କରି ବିକ୍ରି କରିଥିଲେ। ସେହିଦିନଠାରୁ ସେ ତାଙ୍କ କାମରୁ ସମୟ ପାଇଲେ ନୂଆ ନୂଆ କିଛି ତିଆରି କରିବାକୁ ଚେଷ୍ଟା କରନ୍ତି। “ମୁଁ ମୋ ଭଉଣୀ ପାଇଁ ଟଙ୍କା ବାକସଟିଏ ତିଆରି କରିଥିଲି ଯାହା ଉପରେ ମୁହଁର ଆକୃତି ରହିଥିଲା,” ସେ ମନେ ପକାଇ କହନ୍ତି। ତାଙ୍କ ଘର ପାଇଁ କ୍ୟାମ୍ପର (ପିଇବା ପାଣି ଗଚ୍ଛିତ ଥିବା ଟାଙ୍କି)ରୁ ପାଣି ଆଣିବା ଲାଗି ସେ ଗୋଟିଏ କି ଦୁଇଟି ପିତଳ ପାତ୍ର ତିଆରି କରିଥିଲେ।

କେଇ ଦଶନ୍ଧି ହେଲା ପିତଳ ତୁଳନାରେ ଷ୍ଟିଲ ବାସନକୁସନର ଲୋକପ୍ରିୟତା ବୃଦ୍ଧି ପାଇଛି। କାରଣ, ଷ୍ଟିଲ୍ ବାସନ ଧୋଇବା ସହଜ ଏବଂ ଏଥିରେ ଖାଦ୍ୟ ସହିତ ରାସାୟନିକ ପ୍ରତିକ୍ରିୟାର ଆଶଙ୍କା ନାହିଁ

୨୦୧୪ରେ ମିଳିତ ଜାତିସଂଘ ଶିକ୍ଷା, ବିଜ୍ଞାନ ଓ ସଂସ୍କୃତି ସଂଗଠନ ବା ‘ୟୁନେସ୍କୋ’ ଦ୍ୱା Aରା ପଞ୍ଜାବର ଜାନ୍ଦିଆଲା ଗୁରୁର ଠଠେରା ସଂପ୍ରଦାୟକୁ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟର ମାନ୍ୟତା ପ୍ରଦାନ କରାଗଲା। ଯେଉଁ ଅଳ୍ପ କେତେକ ସ୍ଥାନରେ ଏବେ ବି ଠଠେରା ସଂପ୍ରଦାୟ ବସବାସ କରି ସେମାନଙ୍କ ବ୍ୟବସାୟ କରୁଛନ୍ତି, ସେଥିରୁ ଏହା ଅନ୍ୟତମ। ‘ୟୁନେସ୍କୋ’ ପକ୍ଷରୁ ମାନ୍ୟତା ଲାଭ ଏବଂ ଅମୃତସରର ବିଭିନ୍ନ ଗୁରୁଦ୍ୱାରାରେ ପିତଳ ବାସନର ପ୍ରଚଳନ ଅବ୍ୟାହତ ରହିଥିବା ଏହାର ପ୍ରମୁଖ କାରଣ।

ବିଭିନ୍ନ ଗୁରୁଦ୍ୱାରାରେ ଏବେ ବି ରାନ୍ଧିବା ଏବଂ ଖାଦ୍ୟ ପରଶିବା ପାଇଁ ପିତଳର ବଡ଼ ବଡ଼ ଦେଘ (ଖାଦ୍ୟ ରାନ୍ଧିବା ପାଇଁ ଥିବା ବାସନ) ଏବଂ ବାଲଟି ବ୍ୟବହୃତ ହେଉଛି। ହେଲେ, ରକ୍ଷଣାବେକ୍ଷଣରେ ସମସ୍ୟା ଯୋଗୁଁ କେତେକ ଗୁରୁଦ୍ୱାରା ପିତଳ ବାସନକୁସନକୁ ଛାଡ଼ି ଦେଲେଣି।

“ମୁଖ୍ୟତଃ ଆମେ ଏବେ ମରାମତି କାମ କରୁଛୁ। ନୂଆ ବାସନ ତିଆରି କରିବା ପାଇଁ ଆମ ପାଖରେ ସମୟ ନାହିଁ,” ସୁନୀଲ କହନ୍ତି। ଦିନ ଥିଲା ସେମାନେ ରଦ୍ଦି ଧାତୁରୁ ପିତଳ ଓ କଂସା ବାସନ ତିଆରି କରୁଥିଲେ। ଏବେ ସମୟ ବଦଳି ଯାଇଛି। ଜଣେ କାରିଗର ଦିନକରେ ୧୦-୧୨ଟି ପତିଲା (ଖାଦ୍ୟ ରଖିବା ବାସନ) ତିଆରି କରିପାରୁଥିଲେ। ତେବେ, ଚାହିଦା, ଖର୍ଚ୍ଚ ଏବଂ ସମୟସୀମା ବଦଳିବା ସହିତ ବାସନ କାରିଗରମାନେ ନୂଆ ବାସନ ତିଆରିରୁ ଦୂରେଇ ଗଲେଣି।

ସେ କହନ୍ତି “ଆମେ ବରାଦ ପାଇଲେ ଏହା ତିଆରି କରୁ, କିନ୍ତୁ ତିଆରି କରି ରଖୁନାହିଁ।” ବଡ଼ ବଡ଼ କମ୍ପାନୀ ଠଠେରା ମାନଙ୍କ ପାଖରୁ ବାସନ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ନେଇ ଚାରି ଗୁଣ ଅଧିକ ଦରରେ ବିକ୍ରି କରୁଛନ୍ତି ବୋଲି ସେ କହନ୍ତି।

ବାସନରେ ବ୍ୟବହୃତ ପିତଳର ଓଜନ ଓ ଗୁଣ ଏବଂ ଏହାର ଆକାର ଅନୁସାରେ ଠଠେରାମାନେ ଏହାର ମୂଲ୍ୟ ସ୍ଥିର କରନ୍ତି। ଉଦାହରଣ ସ୍ୱରୂପ, ହୁଏତ କିଲୋଗ୍ରାମ ପ୍ରତି ୮୦୦ ଟଙ୍କା ଦରରେ ଗୋଟିଏ କଡ଼ାହି ବିକ୍ରି ହୋଇପାରେ। ଓଜନ ଅନୁସାରେ ବିକ୍ରି କରାଯାଉଥିବାରୁ ପିତଳ ବାସନର ମୂଲ୍ୟ ଷ୍ଟିଲ ବାସନ ତୁଳନାରେ ଅଧିକ ହୋଇଥାଏ।

As people now prefer materials like steel, thatheras have also shifted from brass to steel. Kewal Krishan shows a steel product made by his son Sunil.
PHOTO • Arshdeep Arshi
Kewal dotting a brass kadhai which is to pass from a mother to a daughter
PHOTO • Arshdeep Arshi

ବାମ: ଆଜିକାଲି ଲୋକେ ଷ୍ଟିଲକୁ ପସନ୍ଦ କରୁଥିବାରୁ ଠଠେରାମାନେ ବି ପିତଳ ଛାଡ଼ି ଷ୍ଟିଲ ବାସନ ବ୍ୟବସାୟ କଲେଣି। କେୱଲ କ୍ରିଷନ ତାଙ୍କ ପୁଅ ସୁନୀଲ ତିଆରି କରିଥିବା ଷ୍ଟିଲ ବାସନ ଦେଖାଉଛନ୍ତି। ଡାହାଣ: ଜଣେ ମାଆ ତାଙ୍କ ଝିଅକୁ ଦେବାକୁ ଥିବା ଏକ ପିତଳ କଡାହିରେ ସୁନୀଲ ବିନ୍ଦୁ ଚିହ୍ନ ଦେଉଛନ୍ତି

Brass utensils at Sunil shop.
PHOTO • Arshdeep Arshi
An old brass gaagar (metal pitcher) at the shop. The gaagar was used to store water, milk and was also used to create music at one time
PHOTO • Arshdeep Arshi

ବାମ: ସୁନୀଲଙ୍କ ଦୋକାନରେ ପିତଳ ବାସନକୁସନ। ଡାହାଣ: ଦୋକାନରେ ଥିବା ଏକ ପୁରୁଣା ପିତଳ ଗାଗର (ଧାତୁର ମାଠିଆ)। ଏହି ଗାଗରରେ ପାଣି, କ୍ଷୀର ରଖାଯାଉଥିଲା ଏବଂ ଗୋଟିଏ ସମୟରେ ଏହାକୁ ସଙ୍ଗୀତ ସୃଷ୍ଟି ଲାଗି ମଧ୍ୟ ବ୍ୟବହାର କରାଯାଉଥିଲା

“ଆମେ ଏଠାରେ ନୂଆ ବାସନକୁସନ ତିଆରି କରୁଥିଲୁ। ପ୍ରାୟ ୫୦ ବର୍ଷ ତଳେ, ରିହାତି ଦରରେ ଦସ୍ତା ଓ ତମ୍ବା କିଣିବା ଲାଗି ସରକାର ଆମକୁ କୋଟା ଦେଉଥିଲେ। ହେଲେ ଏବେ ସରକାର ଏହି କୋଟା ବିଭିନ୍ନ ଫ୍ୟାକଟରୀକୁ ଦେଉଛନ୍ତି ସିନା, ଆମ ଭଳି ଛୋଟ ବେପାରୀମାନଙ୍କୁ ଦେଉନାହାନ୍ତି,” ଦୁଃଖରେ କହନ୍ତି କେୱଲ କ୍ରିଷନ। ବୟସର ଷାଠିଏ ଦଶକରେ ଏବେ ସେ ତାଙ୍କ ଦୋକାନରେ କାମ ତଦାରଖ କରୁଛନ୍ତି ଏବଂ ଆଗକୁ ସରକାର ପୁଣି ରିହାତି ଦର ପ୍ରଚଳନ କରିବେ ବୋଲି ଆଶା ରଖିଛନ୍ତି।

କେମିତି ସେମାନେ ୨୬ କିଲୋ ଦସ୍ତା ଏବଂ ୧୪ କିଲୋ ତମ୍ବା ମିଶାଇ ପିତଳ ତିଆରି କରୁଥିଲେ ତାହା ବୁଝାଇ ଦିଅନ୍ତି କେୱଲ। ସେ କହନ୍ତି, “ଉଭୟ ଧାତୁକୁ ଗରମ କରି ମିଶାଇ ଦିଆଯିବ ଏବଂ ଶୁଖିବା ପାଇଁ ଛୋଟ ଛୋଟ ବାଟିରେ ରଖି ଦିଆଯିବ। ସେହି ବାଟି ଆକାରର ଧାତୁ ଖଣ୍ଡଗୁଡ଼ିକୁ ରୋଲିଂ କରି ଗୋଟିଏ ଧାତବ ଚାଦରରେ ପରିଣତ କରାଯିବ, ଏବଂ ସେଥିରୁ ଭିନ୍ନ ଭିନ୍ନ ଆକାରର ବାସନକୁସନ ଏବଂ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ତିଆରି କରାଯିବ।”

ଏ ଅଞ୍ଚଳରେ ଏବେ ଅଳ୍ପ କେତେକ ରୋଲିଂ ମିଲ୍ ରହିଛି। ଯେଉଁଠାରେ କି ଭିନ୍ନ ଭିନ୍ନ ହସ୍ତକଳା ଓ ବାସନକୁସନ ଗଢ଼ିବା ଲାଗି ଠଠେରା ମାନେ ଧାତବ ଚାଦର ତିଆରି କରିପାରିବେ। ଏ ସଂପର୍କରେ ବୁଝାଇବାକୁ ଯାଇ ସୁନୀଲ କହନ୍ତି, “ହୁଏତ ଆମେ ଏହାକୁ ଅମୃତସରର ଜାନ୍ଦିଆଲା ଗୁରୁ (ଲହରଗାଗାରୁ ୨୩୪ କିଲୋମିଟର ଦୂର) କିମ୍ବା ହରିଆଣାର ଜଗଧାରୀରୁ (୨୦୩ କିଲୋମିଟର ଦୂର) ପାଇପାରିବୁ। ଆମେ ଧାତୁର ଚାଦର ପାଇବା ପରେ ଏହାକୁ ତରଳାଇ ଗ୍ରାହକଙ୍କ ଇଚ୍ଛା ଅନୁସାରେ ବାସନକୁସନ ତିଆରି କରୁ।”

ପ୍ରଧାନ ମନ୍ତ୍ରୀ ବିଶ୍ୱକର୍ମା ଯୋଜନା (ସେପଟେମ୍ବର ମାସରେ ଘୋଷିତ)ରେ କମାର, ତାଲା କାରିଗର, କଣ୍ଢେଇ  କାରିଗରଙ୍କ ଭଳି ୧୫ ପ୍ରକାର କାରିଗରଙ୍କୁ ସରକାର ବିନା ବନ୍ଧକରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ସ୍ଥିର କରିଥିବା କଥା କହନ୍ତି କେୱଲ। କିନ୍ତୁ ଠଠେରା ମାନଙ୍କୁ ନୁହେଁ।

ମରାମତି କାମରେ ନିଶ୍ଚିତ ରୋଜଗାର ନାହିଁ। ଦିନକର କାମ ଉପରେ ନିର୍ଭର କରି ଏହା ପ୍ରାୟ ୧,୦୦୦ ଟଙ୍କା ହୋଇପାରେ ବୋଲି ସୁନୀଲ କହନ୍ତି। ତାଙ୍କ ମତରେ ନୂଆ ବାସନ କରି ବିକ୍ରି କଲେ ହିଁ ସେମାନଙ୍କ ବ୍ୟବସାୟ ଭଲରେ ଚାଲିବ। ବିଳମ୍ବରେ ହେଲେ ବି ପିତଳ ବାସନକୁସନ ପ୍ରତି ଲୋକଙ୍କ ଆଗ୍ରହ ବଢୁଥିବା ସେ ଲକ୍ଷ୍ୟ କରିଛନ୍ତି ଏବଂ ଆଗକୁ ଏହି ପରମ୍ପରା ଉଜ୍ଜୀବିତ ରହିବ ବୋଲି ସେ ଆଶାବାଦୀ।

ଅନୁବାଦ : ଓଡ଼ିଶାଲାଇଭ୍‍

Arshdeep Arshi

अर्शदीप अर्शी, चंडीगढ़ की स्वतंत्र पत्रकार व अनुवादक हैं, और न्यूज़ 18 व हिन्दुस्तान टाइम्स के लिए काम कर चुकी हैं. उन्होंने पटियाला के पंजाबी विश्वविद्यालय से अंग्रेज़ी साहित्य में एम.फ़िल किया है.

की अन्य स्टोरी Arshdeep Arshi
Editor : Shaoni Sarkar

शावनी सरकार, कोलकाता की स्वतंत्र पत्रकार हैं.

की अन्य स्टोरी Shaoni Sarkar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE