ମଧ୍ୟ ଭାରତର ଖରଗୋନ ସହରରେ ଏପ୍ରିଲ ମାସର ଏକ ଉତ୍ତପ୍ତ ଦିବସ। ବଡ଼ି ଭୋରରୁ ମଧ୍ୟ ପ୍ରଦେଶର ଏହି ଛୋଟ ସହରର ବ୍ୟସ୍ତବହୁଳ ଚାନ୍ଦନି ଚୌକ ଅଞ୍ଚଳରେ ଲୋକଙ୍କ ନିତିଦିନିଆ କାର୍ଯ୍ୟଧାରାକୁ ବ୍ୟାହତ କରି କେତେକ ବୁଲଡୋଜର ମାଡ଼ି ଆସିବାର କର୍କଶ ଶବ୍ଦ ଶୁଭିଲା। ଭୟଭୀତ ଲୋକେ ନିଜ ନିଜର ଛୋଟ ଛୋଟ ଦୋକାନରୁ ଏବଂ ଘରୁ ବାହାରକୁ ବାହାରି ଆସିଲେ।

ଭୀତତ୍ରସ୍ତ ୩୫ ବର୍ଷୀୟ ୱାସିମ ଅହମଦଙ୍କ ଆଖି ଆଗରେ, ବୁଲଡୋଜରର ଓଜନିଆ ଷ୍ଟିଲ ବ୍ଲେଡ୍ ଧକ୍କାରେ, ମାତ୍ର କେଇ ମିନିଟ ମଧ୍ୟରେ ତାଙ୍କ ଦୋକାନ ଓ ତା ଭିତରେ ଥିବା ସମସ୍ତ ମୂଲ୍ୟବାନ ସାମଗ୍ରୀ ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶିଗଲା। ସେ କହନ୍ତି, “ମୁଁ ଯେତେ ଟଙ୍କା ଯୋଗାଡ଼ କରିପାରିଥିଲି, ସବୁ ଏହି ଦୋକାନ ଖୋଲିବାରେ ଲଗାଇ ଦେଇଥିଲି।”

୨୦୨୨ ମସିହା ଏପ୍ରିଲ ୧୧ ତାରିଖ ଦିନ ବୁଲଡୋଜର ଲଗାଇ କେବଳ ଯେ ତାଙ୍କର ଛୋଟ ଦୋକାନଟିକୁ ଭାଙ୍ଗି ଦିଆଯାଇଥିଲା, ତା ନୁହେଁ, ବରଂ ଖରଗୋନର ଏହି ମୁସଲମାନ ବହୁଳ ଅଞ୍ଚଳର ଆଉ ପ୍ରାୟ ୫୦ଟି ଦୋକାନ ଓ ଘରକୁ ବି ମାଟିରେ ମିଶାଇ ଦିଆଯାଇଥିଲା। ଏହା ଥିଲା ମଧ୍ୟ ପ୍ରଦେଶ ରାଜ୍ୟ ସରକାରଙ୍କ ପ୍ରତିଶୋଧମୂଳକ ନ୍ୟାୟର ସ୍ୱରୂପ, ଯେଉଁ ପ୍ରକ୍ରିୟାରେ ରାମ ନବମୀ ଉତ୍ସବ ପାଳନ ଅବସରରେ ଟେକାପଥର ମାଡ଼ରେ ଲିପ୍ତ ‘ଦଙ୍ଗାକାରୀ’ମାନଙ୍କ ପ୍ରତି ଶାସ୍ତିବିଧାନ କରାଯାଇଥିଲା।

ହେଲେ, ୱାସିମ ଟେକାପଥର ମାଡ଼ କରିବା କଥାର ପ୍ରାମାଣିକତା ସ୍ଥାପନ କରିବା ନିହାତି କଷ୍ଟକର କାମ – କାରଣ, ପୂର୍ବରୁ ଡାକ୍ତରୀ ଚିକିତ୍ସାରେ ତାଙ୍କର ଦୁଇଟି ଯାକ ହାତ କଟା ହୋଇସାରିଥିଲା, ଟେକାପଥର ଉଠାଇ ଫିଙ୍ଗିବା ତ ଦୂରର କଥା, କାହାରି ସହାୟତା ବିନା ସେ ଚା’ କପେ ପିଇପାରନ୍ତିନି।

“ସେଦିନର ସେହି ଘଟଣା ସହିତ ମୋର କୌଣସି ସଂପର୍କ ନାହିଁ,” ୱାସିମ କହନ୍ତି।

୨୦୦୫ରେ ଏକ ଦୁର୍ଘଟଣାରେ ଦୁଇଟି ଯାକ ହାତ ହରାଇବା ପୂର୍ବରୁ ସେ ଥିଲେ ଜଣେ ରଙ୍ଗମିସ୍ତ୍ରୀ। ସେ କହନ୍ତି, “ଦିନେ ମୁଁ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତର ଶିକାର ହେଲି ଏବଂ ଡାକ୍ତରମାନେ ମୋର ଦୁଇ ହାତ କାଟି ବାହାର କରିଦେଲେ। ନିହାତି ପ୍ରତିକୂଳ ପରିସ୍ଥିତିରେ ବି ମୁଁ ଜୀବିକା ନିର୍ବାହର ଏକ ରାସ୍ତା (ତାଙ୍କ ଦୋକାନ) ଖୋଜି ନେଲି।” ନିଜ ଭାଗ୍ୟକୁ ଦୋଷ ଦେବାରେ ସମୟ ନଷ୍ଟ କରି ନଥିବାରୁ ସେ ଗର୍ବ ଅନୁଭବ କରନ୍ତି ବୋଲି ତାଙ୍କ କଥାରୁ ବାରି ହୋଇ ପଡୁଥିଲା।

Left: Wasim Ahmed lost both hands in an accident in 2005.
PHOTO • Parth M.N.
Right: Wasim’s son Aleem helping him drink chai at his house in Khargone
PHOTO • Parth M.N.

ବାମ: ୨୦୦୫ରେ ଏକ ଦୁର୍ଘଟଣାରେ ୱାସିମ ଦୁଇଟି ଯାକ ହାତ ହରାଇଥିଲେ। ଡାହାଣ: ଖରଗୋନର ତାଙ୍କ ଘରେ ୱାସିମଙ୍କ ପୁଅ ଅଲିମ ତାଙ୍କୁ ଚା’ ପିଇବାରେ ସହାୟତା କରୁଛନ୍ତି

ୱାସିମଙ୍କ ଦୋକାନକୁ ଆସୁଥିବା ଗ୍ରାହକମାନେ, ସେମାନଙ୍କର ଯାହା ଯାହା ଦରକାର- ତେଜରାତି କି ମନୋହରୀ ସାମଗ୍ରୀ ପ୍ରଭୃତି- ତାଙ୍କୁ କହିଦେଉଥିଲେ ଏବଂ ନିଜେ ନିଜେ ସେ ସବୁ ବାହାର କରି ନେଇ ପଇସା ଦେଇ ଦେଉଥିଲେ। ସେ କହନ୍ତି, “ସେମାନେ ମୋ ପକେଟରେ କିମ୍ବା ଦୋକାନର ଡ୍ରୟାରରେ ପଇସା ରଖି ଦିଅନ୍ତି। ଏମିତି ଭାବରେ ମୁଁ ୧୫ ବର୍ଷ ହେଲା ଜୀବିକା ନିର୍ବାହ କରିଆସୁଛି।”

ସେଦିନର ସେହି ସକାଳରେ, ଖରଗୋନର ଚାନ୍ଦନୀ ଚୌକ ଅଞ୍ଚଳରେ ଥିବା ତାଙ୍କର ଚାରିଟି ଦୋକାନରୁ ତିନିଟି ହରାଇଥିଲେ ୭୩ ବର୍ଷୀୟ ମହମ୍ମଦ ରଫିକ। ମୋଟ କ୍ଷୟକ୍ଷତିର ପରିମାଣ ୨୫ ଲକ୍ଷ ଟଙ୍କା। “ମୁଁ ସେମାନଙ୍କ ଗୋଡ଼ ତଳେ ପଡ଼ି କାକୁତିମିନତି କଲି,” ସେଦିନର ଘଟଣାକୁ ମନେ ପକାଇ ରଫିକ କହନ୍ତି। “ସେମାନେ (ପୌର କର୍ତ୍ତୃପକ୍ଷ) ଆମକୁ କୌଣସି କାଗଜପତ୍ର ବି ଦେଖାଇଲେନି। ମୋ ଦୋକାନର ସବୁ କିଛି ନିୟମ ମୁତାବକ ରହିଛି। କିନ୍ତୁ ଏ କଥା ସେମାନଙ୍କ କାନରେ ପଡ଼ିଲା ନାହିଁ।”

ସଂଘଟିତ ଦଙ୍ଗାରେ କ୍ଷୟକ୍ଷତି ପ୍ରତିବଦଳରେ ରାଜ୍ୟ ସରକାରଙ୍କ ଦଣ୍ଡବିଧାନ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ୱାସିମ ଓ ରଫିକଙ୍କ ଦୋକାନ ସମେତ ସେଠାରେ ମନୋହରୀ ଜିନିଷ, ଚିପସ, ସିଗାରେଟ୍, ଚକୋଲେଟ୍, ଥଣ୍ଡା ପାନୀୟ ପ୍ରଭୃତି ବିକ୍ରି କରୁଥିବା ବହୁ ଲୋକଙ୍କ ଦୋକାନ ଭାଙ୍ଗି ଦିଆଯାଇଥିଲା। ଅବଶ୍ୟ ପରେ, ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ, ଭାଙ୍ଗି ଦିଆଯାଇଥିବା ଦୋକାନ ଘର ସବୁ ‘ବେଆଇନ’ ଭାବରେ ଗଢ଼ା ହୋଇଥିଲା। କିନ୍ତୁ ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ରିପୋର୍ଟରମାନଙ୍କୁ କହିଥିଲେ, “ଜିସ୍ ଘରୋଁ ସେ ପଥର ଆୟି ହୈ, ଉନ ଘରୋକୋଁ ହି ପଥରୋଁ କା ଢେର ବନାୟେଙ୍ଗେ (ଯେଉଁ ସବୁ ଘରୁ ପଥର ମାଡ଼ ହୋଇଥିଲା ସେ ସବୁ ଘରକୁ ଇଟାପଥର ଗଦାରେ ପରିଣତ କରିବୁ)।”

Mohammad Rafique surveying the damage done to his shop in Khargone’s Chandni Chowk by bulldozers
PHOTO • Parth M.N.

ବୁଲଡୋଜର ଯୋଗୁଁ ଖରଗୋନର ଚାନ୍ଦନୀ ଚୌକରେ ଥିବା ତାଙ୍କ ଦୋକାନର କ୍ଷୟକ୍ଷତି ଅନୁଧ୍ୟାନ କରୁଛନ୍ତି ମହମ୍ମଦ ରଫିକ

ବୁଲଡୋଜର ଚାଲିବା ପୂର୍ବରୁ, ଦଙ୍ଗାରେ ମୁକ୍ତିୟାର ଖାନଙ୍କ ଭଳି କେତେଜଣ ନିଜ ନିଜର ଘର ହରାଇ ସାରିଥିଲେ। ତାଙ୍କ ଘର ସଂଖ୍ୟାଧିକ ହିନ୍ଦୁ ବସବାସ କରୁଥିବା ସଞ୍ଜୟ ନଗର ଅଞ୍ଚଳରେ। ସେ ପୌର ସଂସ୍ଥାର ଜଣେ ସଫେଇ କର୍ମଚାରୀ ଏବଂ ହିଂସାକାଣ୍ଡ ସମୟରେ କର୍ତ୍ତବ୍ୟରତ ଥିଲେ। ସେଦିନର କଥା ମନେ ପକାଇ ସେ କହନ୍ତି, “ମୋର ଜଣେ ବନ୍ଧୁ ମୋତେ ଫୋନ କରି ତୁରନ୍ତ ଘରକୁ ଯାଇ ପରିବାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ କହିଲେ।”

ମୁକ୍ତିୟାରଙ୍କ ଘର ହିନ୍ଦୁ ବହୁଳ ସଞ୍ଜୟ ନଗର ଅଞ୍ଚଳରେ ହୋଇଥିବାରୁ ବନ୍ଧୁଙ୍କର ସେହି କଥା ତାଙ୍କ ପାଇଁ ଜୀବନ ରକ୍ଷାକାରୀ ପରାମର୍ଶ ସାବ୍ୟସ୍ତ ହେଲା। ସୌଭାଗ୍ୟବଶତଃ ସେ ଠିକ୍ ସମୟରେ ଘରେ ପହଞ୍ଚି ପାରିଲେ ଏବଂ ତାଙ୍କ ପରିବାରକୁ ନେଇ ଏକ ମୁସଲମାନ ବହୁଳ ଅଞ୍ଚଳରେ ରହୁଥିବା ତାଙ୍କ ଭଉଣୀଙ୍କ ଘରକୁ ପଳାଇ ଗଲେ।

ଫେରିବା ବେଳକୁ ତାଙ୍କ ଘରଟି ସଂପୂର୍ଣ୍ଣ ଜଳି ଛାରଖାର ହୋଇଯାଇଥିଲା। ସେଦିନର ଅନୁଭୂତି ସଂପର୍କରେ କହନ୍ତି, “ସବୁକିଛି ଶେଷ ହୋଇଯାଇଥିଲା।”

ମୁକ୍ତିୟାର ତାଙ୍କ ଜୀବନକାଳର ସମସ୍ତ ୪୪ ବର୍ଷ ସେହି ଅଞ୍ଚଳରେ ବିତାଇଛନ୍ତି। “ଆମର (ତାଙ୍କ ବାପାମାଆଙ୍କର) ଛୋଟ କୁଡ଼ିଆଟିଏ ଥିଲା। ମୁଁ ୧୫ ବର୍ଷ କାଳ ପଇସା ସଞ୍ଚୟ କରି ୨୦୧୬ରେ ଆମ ପାଇଁ ଘରଟିଏ ତିଆରି କରିଥିଲି। ମୁଁ ସାରା ଜୀବନ ସେହି ଜାଗାରେ ରହିଆସିଛି ଏବଂ ସବୁବେଳେ ସମସ୍ତଙ୍କ ସହିତ ମୋର ବନ୍ଧୁତାପୂର୍ଣ୍ଣ ସଂପର୍କ ରହିଥିଲା,” ବିଷାଦଭରା କଣ୍ଠରେ ସେ କହନ୍ତି।

ଘର ହରାଇବା ପରେ ଏବେ ମୁକ୍ତିୟାର ଖରଗୋନରେ ଗୋଟିଏ ଭଡ଼ାଘରେ ରହୁଛନ୍ତି ଏବଂ ଭଡ଼ା ବାବଦରେ ମାସକୁ ୫,୦୦୦ ଟଙ୍କା ଦେଉଛନ୍ତି। ଯାହା କି ତାଙ୍କ ଦରମାର ତିନି ଭାଗରୁ ଭାଗେ। ଘର ସହିତ ଘର ଭିତରେ ଥିବା ସବୁ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବାରୁ ପୁଣି ଥରେ ତାଙ୍କୁ ନୂଆ ବାସନକୁସନ, ନୂଆ ଲୁଗାପଟା ଏବଂ ଆସବାବପତ୍ର କିଣିବାକୁ ପଡ଼ିଥିଲା।

“ମୋ ଜୀବନକୁ ନଷ୍ଟ କରିଦେବା ପୂର୍ବରୁ ସେମାନେ ଥରଟିଏ ବି ଚିନ୍ତା କଲେ ନାହିଁ। ନିର୍ଦ୍ଦିଷ୍ଟ ଭାବରେ ଗତ ୪-୫ ବର୍ଷ ଭିତରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆଗରୁ ଏତେ ଖରାପ ସ୍ଥିତି ନଥିଲା। ଆଜିକାଲି ଆମେ ଆଶଙ୍କିତ ଅବସ୍ଥାରେ କାଳ କାଟୁଛୁ।”

Mukhtiyar lost his home during the communal riots in Khargone
PHOTO • Parth M.N.

ଖରଗୋନରେ ସାଂପ୍ରଦାୟିକ ଦଙ୍ଗାରେ ନିଜ ଘର ହରାଇଛନ୍ତି ମୁକ୍ତିୟାର

କ୍ଷତିପୂରଣ ବାବଦରେ ମୁକ୍ତିୟାରଙ୍କୁ ୧ ଲକ୍ଷ ୭୬ ହଜାର ଟଙ୍କା ମିଳିବାକୁ ବାକି ରହିଛି- ଯାହା ସେ ହରାଇଛନ୍ତି ତାହାର କେବଳ ଏକ ଭଗ୍ନାଂଶ। କିନ୍ତୁ ଏ ରିପୋର୍ଟ ପ୍ରକାଶ ପାଇବା ପର୍ଯ୍ୟନ୍ତ ତାଙ୍କୁ ତାହା ମିଳି ନଥିଲା କି ଏତେ ଶୀଘ୍ର ତାଙ୍କୁ ଟଙ୍କା ମିଳିବ ବୋଲି ସେ ଆଶା ବି କରୁନାହାନ୍ତି।

ସେ କହନ୍ତି, “ମୁଁ କ୍ଷତିପୂରଣ ଏବଂ ନ୍ୟାୟ ଚାହେଁ। କାରଣ, ସେମାନେ ମୋ ଘରକୁ ଧ୍ୱଂସ କରିଦେଇଛନ୍ତି।” ସେ ଆହୁରି କହନ୍ତି, “ଦଙ୍ଗାକାରୀମାନେ ଯାହା କରିଥିଲେ, ଦୁଇ ଦିନ ପରେ ପ୍ରଶାସନ ବି ତାହା ହିଁ କଲା।”

ଗତ ଦୁଇ କି ତିନି ବର୍ଷ ଭିତରେ ଅନେକ ବିଜେପି ଶାସିତ ରାଜ୍ୟ ‘ବୁଲଡୋଜର ନ୍ୟାୟ’ ମୋହରେ ପଡ଼ିଯାଇଛନ୍ତି। ମଧ୍ୟ ପ୍ରଦେଶକୁ ବାଦ୍ ଦେଲେ ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିଆଣା ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ମଧ୍ୟ କୌଣସି ଏକ ଅପରାଧରେ ଅଭିଯୁକ୍ତ ବ୍ୟକ୍ତିମାନଙ୍କ ଘର ଓ ଦୋକାନକୁ ବୁଲଡୋଜର ଲଗାଇ ମାଟିରେ ମିଶାଇ ଦିଆଯିବାର ନଜିର ରହିଛି। ହୁଏତ ଅଭିଯୁକ୍ତମାନେ ଦୋଷ କରିଥାଇପାରନ୍ତି କିମ୍ବା ନିର୍ଦ୍ଦୋଷ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଭାଙ୍ଗି ଦିଆଯାଉଥିବା ଘର ଓ ଦୋକାନର ମାଲିକମାନେ ମୁସଲମାନ।

ରାଜ୍ୟ ସରକାରଙ୍କ ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନକୁ ଅନୁଧ୍ୟାନ କରୁଥିବା ପିପୁଲସ ୟୁନିଅନ୍ ଅଫ୍ ସିଭିଲ ଲିବର୍ଟିଜ୍ (ପିୟୁସିଏଲ୍) ସଂଗଠନ ପକ୍ଷରୁ ଏହି ରିପୋର୍ଟରଙ୍କୁ ମିଳିଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଖରଗୋନରେ ବୁଲଡୋଜର ଲଗାଇ କେବଳ ମୁସଲମାନ ବ୍ୟକ୍ତିମାନଙ୍କ ଘର ଓ ଦୋକାନ ପ୍ରଭୃତି ଭାଙ୍ଗି ଦିଆଯାଇଛି। ପାଖାପାଖି ୫୦ଟି ଘର ଓ ଦୋକାନ ଉଚ୍ଛେଦ କରାଯାଇଥିଲା ଏବଂ ସବୁଗୁଡ଼ିକ ମୁସଲମାନମାନଙ୍କର ମାଲିକାନାରେ ରହିଛି।

ଏହି ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ‘‘ଯଦିଓ ହିଂସାରେ ଉଭୟ ସଂପ୍ରଦାୟର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି, ତେବେ ପ୍ରଶାସନ ଦ୍ୱାରା ନଷ୍ଟ କରାଯାଇଥିବା ସବୁ ସଂପତ୍ତି କେବଳ ମୁସଲମାନ ସଂପ୍ରଦାୟର। ପୂର୍ବରୁ କୌଣସି ନୋଟିସ୍ ଦିଆଯାଇ ନଥିଲା କି ଜିନିଷପତ୍ର ଉଦ୍ଧାର କରିବା ଲାଗି ସମୟ ଦିଆଯାଇ ନଥିଲା। ଜିଲ୍ଲା ଅଧିକାରୀମାନଙ୍କ ନେତୃତ୍ୱରେ ପରିଚାଳିତ ଉଚ୍ଛେଦକାରୀ ଟିମ୍ ଅଚାନକ ପହଞ୍ଚିଥିଲେ ଏବଂ ଦୋକାନ ଓ ଘର ଉପରେ ବୁଲଡୋଜର ଚଳାଇ ନଷ୍ଟ କରିଦେଇଥିଲେ।”

*****

ସାଧାରଣତଃ ଯେମିତି ଘଟେ ସେମିତି, ଏ ସବୁ ଆରମ୍ଭ ହୋଇଥିଲା ଏକ ଗୁଜବରୁ। ୨୦୨୨ ଏପ୍ରିଲ ୧୦ ତାରିଖ ଦିନ ରାମ ନବମୀ ଉତ୍ସବ ପାଳିତ ହେଉଥିବା ସମୟରେ ଶୁଣିବାକୁ ମିଳିଲା ଯେ, ଖରଗୋନର ତାଲାବ ଚୌକ ପାଖରେ ହିନ୍ଦୁମାନଙ୍କର ଏକ ଶୋଭାଯାତ୍ରାକୁ ପୋଲିସ ଅଟକାଇ ଦେଇଛି। ସାମାଜିକ ଗଣମାଧ୍ୟମରେ ଏହି କଥା ଖୁବ୍ ଜୋରରେ ପ୍ରସାରିତ ହେଲା ଏବଂ ତୁରନ୍ତ ଉପଦ୍ରବକାରୀଙ୍କ ଭିଡ଼ ଜମିବାରେ ଲାଗିଲା। ସେମାନେ ହିଂସା ଉଦ୍ରେକକାରୀ ସ୍ଲୋଗାନ ଦେଇ ସେହି ସ୍ଥାନ ଆଡ଼କୁ ଆଗେଇଲେ।

Rafique in front of his now destroyed shop in Khargone. A PUCL report says, 'even though both communities were affected by the violence, all the properties destroyed by the administration belonged to Muslims'.
PHOTO • Parth M.N.

ଖରଗୋନରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ତାଙ୍କ ଦୋକାନ ସାମନାରେ ରଫିକ ପିୟୁସିଏଲ୍ ସଂଗଠନର ଏକ ରିପୋର୍ଟ ଅନୁସାରେ ହିଂସାରେ ଉଭୟ ସଂପ୍ରଦାୟର ଲୋକେ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ପ୍ରଶାସନ ଦ୍ୱା ରା ନଷ୍ଟ କରାଯାଇଥିବା ସବୁ ସଂପତ୍ତି କେବଳ ମୁସଲମାନଙ୍କର

ସେହି ସମୟରେ ପାଖ ମସଜିଦରୁ ପ୍ରାର୍ଥନା ସାରି ଫେରୁଥିବା ମୁସଲମାନମାନେ ଉତ୍ତ୍ୟକ୍ତ ଲୋକଙ୍କ ସହିତ ମୁହାଁମୁହିଁ ହେଲେ। ଘଟଣା ହିଂସାତ୍ମକ ମୋଡ଼ ନେଲା ଏବଂ ପରସ୍ପର ଉପରକୁ ଟେକାପଥର ମାଡ଼ ଆରମ୍ଭ ହୋଇଗଲା। ଚାହୁଁ ଚାହୁଁ ହିଂସା ସହରର ଅନ୍ୟ ଭାଗକୁ ବ୍ୟାପିଗଲା ଏବଂ ଉଗ୍ର ଦକ୍ଷିଣପନ୍ଥୀ ହିନ୍ଦୁ ଗୋଷ୍ଠୀର ଲୋକେ ମୁସଲମାନଙ୍କ ଘର ଓ ଦୋକାନ ଉପରେ ଆକ୍ରମଣ କଲେ।

ନିଆଁରେ ଘିଅ ଢାଳିବା ଭଳି ଠିକ୍ ସେହି ସମୟରେ ସିଏନ୍ଏନ୍ ନ୍ୟୁଜ୍୧୮ର ପ୍ରାଇମ୍-ଟାଇମ୍ ଉପସ୍ଥାପକ ଅମନ ଚୋପ୍ରା ଖରଗୋନ ଘଟଣାକୁ ନେଇ ଏକ ବିତର୍କ କାର୍ଯ୍ୟକ୍ରମର ସଂଯୋଜନା କଲେ। ଏହି କାର୍ଯ୍ୟକ୍ରମର ଶୀର୍ଷକ ଥିଲା “ହିନ୍ଦୁ ରାମ ନବମୀ ମନାୟେ, ‘ରଫିକ୍’ ପଥର ବର୍ଷାୟେ।” ଯାହାର ଅର୍ଥ “ହିନ୍ଦୁ ରାମ ନବମୀ ପାଳନ କରନ୍ତି,  କିନ୍ତୁ ‘ରଫିକ୍’ ସେମାନଙ୍କ ଉପରେ ପଥର ବର୍ଷା କରେ।”

ନିର୍ଦ୍ଦିଷ୍ଟ ଭାବରେ ମହମ୍ମଦ ରଫିକଙ୍କୁ ଲକ୍ଷ୍ୟ କରି ଚୋପ୍ରା ଏହା କରିଥିଲେ ନା ସାଂକେତିକ ଭାବେ ଏକ ସାଧାରଣ ମୁସଲମାନ ନାମକୁ ବ୍ୟବହାର କରିଥିଲେ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯାହା ହେଲେ ବି ରଫିକଙ୍କ ପରିବାର ଉପରେ ଏହି କାର୍ଯ୍ୟକ୍ରମର ଗୁରୁତର ପ୍ରଭାବ ପଡ଼ିଥିଲା। ସେ କହନ୍ତି, “ତା’ପରେ ମୁଁ ଅନେକ ଦିନ ଧରି ଶୋଇପାରି ନ ଥିଲି। ଏ ବୟସରେ ଏତେ ବଡ଼ ମାନସିକ ଚାପର ବୋଝ ସମ୍ଭାଳି ପାରିବିନି।”

ରଫିକଙ୍କ ଦୋକାନ ଧ୍ୱଂସ କରିଦିଆଯିବା ଘଟଣାକୁ ଦେଢ଼ ବର୍ଷ ପୂରିଲାଣି। ଏବେ ବି ସେ ଚୋପ୍ରାଙ୍କ ସେହି କାର୍ଯ୍ୟକ୍ରମ ସମୟରେ ଟେଲିଭିଜନ ସ୍କ୍ରିନର ଏକ ପ୍ରିଣ୍ଟଆଉଟ୍ ରଖିଛନ୍ତି। ପ୍ରଥମ ଥର ଦେଖି ଯେତିକି କଷ୍ଟ ହୋଇଥିଲା ଆଜି ବି ସେତିକି କଷ୍ଟ ହୁଏ।

ସେ କହନ୍ତି ଯେ, ଚୋପ୍ରାଙ୍କ ସେହି କାର୍ଯ୍ୟକ୍ରମ ପରେ ହିନ୍ଦୁ ସଂପ୍ରଦାୟର ଲୋକେ ତାଙ୍କ ଦୋକାନରୁ ଥଣ୍ଡା ପାନୀୟ ଏବଂ ଦୁଗଧଜାତ ସାମଗ୍ରୀ କିଣିବା ବନ୍ଦ କରିଦେଲେ। ମୁସଲମାନମାନଙ୍କୁ ଅର୍ଥନୈତିକ ବାସନ୍ଦ କରିବା ଲାଗି ଉଗ୍ର ଦକ୍ଷିଣ ପନ୍ଥୀ ଗୋଷ୍ଠୀ ପକ୍ଷରୁ ଡାକରା ଦିଆଯାଇସାରିଥିଲା। ଚୋପ୍ରାଙ୍କର ସେହି କାର୍ଯ୍ୟକ୍ରମ ପରେ ସ୍ଥିତି ଆହୁରି ଖରାପ ହେବାରେ ଲାଗିଲା। “ପୁଅ, ତୁମେ ତ ଜଣେ ସାମ୍ବାଦିକ,” ରଫିକ୍ ମୋତେ କହନ୍ତି, “ସାମ୍ବାଦିକମାନେ କ’ଣ ଏମିତି କାମ କରନ୍ତି ?”

The rubble after the demolition ordered by the Khargone Municipal Corporation
PHOTO • Parth M.N.

ଖରଗୋନ ପୌର ନିଗମର ନିର୍ଦ୍ଦେଶାନୁସାରେ ଉଚ୍ଛେଦ ପରେ ରହିଯାଇଥିବା ଧ୍ୱଂ ସାବଶେଷ

ମୋ ପାଖରେ କୌଣସି ଉତ୍ତର ନଥିଲା ସତ, ହେଲେ ନିଜ ବୃତ୍ତିକୁ ନେଇ ନିଜକୁ ଲାଜ ଲାଗୁଥିଲା। “ମୁଁ ତୁମକୁ ଅପଦସ୍ଥ କରିବାକୁ ଚାହୁଁନି। ତୁମେ ତ ଭଲ ପିଲା ଭଳି ଲାଗୁଛ,” ତରବରରେ ଏତକ କହନ୍ତି ସେ ଏବଂ ଅଳ୍ପ ହସି ତାଙ୍କ ଦୋକାନରୁ ମୋତେ ଗୋଟିଏ ଥଣ୍ଡା ପାନୀୟ ଦିଅନ୍ତି। “ଏବେ ବି ମୋର ଆଉ ଗୋଟିଏ ଦୋକାନ ରହିଯାଇଛି ଏବଂ ମୋ ପୁଅମାନେ ନିଜ ନିଜ ଗୋଡ଼ରେ ଠିଆ ହୋଇସାରିଛନ୍ତି। କିନ୍ତୁ ଅନ୍ୟ ସମସ୍ତଙ୍କ ଭାଗ୍ୟରେ ଏମିତି ସୁଯୋଗ ନାହିଁ। ଅନେକ ଲୋକ ଏବେ ବି ଢୋକେ ପିଇ ଦଣ୍ଡେ ଜୀଉଁଛନ୍ତି।”

ଆଉ ଥରେ ତାଙ୍କ ଦୋକାନ ଗଢ଼ିବା ଲାଗି ୱାସିମଙ୍କ ପାଖରେ ସଞ୍ଚିତ ଅର୍ଥ ନାହିଁ। ଦୋକାନ ଉଚ୍ଛେଦ ହେବା ପରେ ଦେଢ଼ ବର୍ଷ ହେଲା ସେ କୌଣସି ରୋଜଗାର କରିପାରୁନାହାନ୍ତି। ଖରଗୋନ ପୌର ନିଗମ ପକ୍ଷରୁ ତାଙ୍କୁ ସାହାଯ୍ୟ କରାଯିବ ବୋଲି କୁହାଯାଇଛି : ମୁଝେ ବୋଲା ଥା ମଦଦ କରେଙ୍ଗେ ଲେକିନ୍ ବସ୍ ନାମ କେ ଲିୟେ ଥା ୱହ (ସେମାନେ ମୋତେ କ୍ଷତିପୂରଣ ଦେଇ ସହାୟତା କରିବେ ବୋଲି କହିଥିଲେ, କିନ୍ତୁ ତାହା କେବଳ କଥାରେ ରହିଯାଇଛି)।”

“ହାତ ନଥିବା ଲୋକଟିଏ ଆଉ କ’ଣ ବା କରିପାରିବ,” ସେ ପଚାରନ୍ତି।

ସରକାର ୱାସିମଙ୍କ ଦୋକାନକୁ ଧ୍ୱଂସ କରିଦେବା ପରେ, ଖରଗୋନରେ ଛୋଟିଆ ଦୋକାନଟିଏ କରିଥିବା ତାଙ୍କ ବଡ଼ଭାଇ ତାଙ୍କ କଥା ଯାହା ବୁଝୁଛନ୍ତି। ସେ କହନ୍ତି, “ସରକାରୀ ସ୍କୁଲରେ ମୁଁ ମୋ ଦୁଇ ପିଲାଙ୍କ ନାଁ ଲେଖାଇଛି। ତୃତୀୟଟିର ବୟସ ଦୁଇ ବର୍ଷ। ସେ ବି ସରକାରୀ ସ୍କୁଲକୁ ଯିବ। ମୋ ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହୋଇଗଲା। ଭାଗ୍ୟ ସହିତ ବୁଝାମଣା କରିବାକୁ ମୋତେ ବାଧ୍ୟ କରାଗଲା।”

ଅନୁବାଦ : ଓଡ଼ିଶାଲାଇଭ୍‍

Parth M.N.

पार्थ एम एन, साल 2017 के पारी फ़ेलो हैं और एक स्वतंत्र पत्रकार के तौर पर विविध न्यूज़ वेबसाइटों के लिए रिपोर्टिंग करते हैं. उन्हें क्रिकेट खेलना और घूमना पसंद है.

की अन्य स्टोरी Parth M.N.
Editor : Priti David

प्रीति डेविड, पारी की कार्यकारी संपादक हैं. वह मुख्यतः जंगलों, आदिवासियों और आजीविकाओं पर लिखती हैं. वह पारी के एजुकेशन सेक्शन का नेतृत्व भी करती हैं. वह स्कूलों और कॉलेजों के साथ जुड़कर, ग्रामीण इलाक़ों के मुद्दों को कक्षाओं और पाठ्यक्रम में जगह दिलाने की दिशा में काम करती हैं.

की अन्य स्टोरी Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE