ଅନ୍ଧେରୀ ଷ୍ଟେସନରେ ଅଟକି ଟ୍ରେନଟି ଯେତିକି ସ୍ଥିର ହୋଇଯାଇଥିଲା, ଭିଡ଼ କାଟି ଡବା ଭିତରକୁ ଧସେଇ ପଶୁଥିବା ଯାତ୍ରୀମାନଙ୍କ ପାଟିତୁଣ୍ଡ ସେତିକି ବଢ଼ି ଚାଲିଥିଲା। ଡୋର୍ ହ୍ୟାଣ୍ଡଲ୍ ହେଉ କି ଅନ୍ୟ କେଉଁ ଯାତ୍ରୀଙ୍କ ହାତ, ହାତ ପାଆନ୍ତାରେ ଯାହା ମିଳୁଥିଲା, ସେମାନେ ଧରି ପକାଉଥିଲେ। ଚାରିଆଡ଼େ ଲୋକଙ୍କ ଭିଡ଼, ଧକ୍କା ମରାମରି ହୋଇ ଉଠିପଡ଼ି ଚାଲିଥିଲେ ସେମାନେ, ଖାଲି ସିଟ୍ ଗୋଟିଏ ପାଇବା ଲାଗି ବଳ କଷାକଷି। କିଏ କାହାକୁ ଅନୁରୋଧ କରୁଥିଲେ ତ ଆଉ କିଏ ଯୁକ୍ତିତର୍କରେ ମାତି ଯାଇଥିଲେ, ଏମିତି କି ଆଗରୁ ବସି ରହିଥିବା ଲୋକଙ୍କୁ ଠେଲି ବାହାର କରିବାକୁ ବି କେହି କେହି ପଛାଉ ନଥିଲେ।

ସେଇ ଜନସମୁଦ୍ର ଭିତରେ ବାଟ କାଟି କାଟି ଆଗେଇ ଯାଉଥିଲେ ୩୧ ବର୍ଷୀୟ କିଷାନ ଯୋଗୀ ଏବଂ ତାଙ୍କ ୧୦ ବର୍ଷର ଝିଅ ଭାରତୀ। ସମୁଦ୍ର ଭଳି ନୀଳ ରଙ୍ଗର ରାଜସ୍ଥାନୀ ସ୍କର୍ଟ୍ ଓ ବ୍ଲାଉଜ୍ ପିନ୍ଧିଥିଲା ଭାରତୀ। ସେଦିନ ସନ୍ଧ୍ୟାରେ ବାପା-ଝିଅଙ୍କ ଏହି ଯୋଡ଼ି ପାଇଁ ୭ଟା ବେଳର ସେହି ମୁମ୍ବାଇ ଲୋକାଲ ଥିଲା ପଶ୍ଚିମ ମୁମ୍ବାଇର ସହରତଳି ଅଞ୍ଚଳରେ ଚଳାଚଳ କରୁଥିବା ପଞ୍ଚମ ଟ୍ରେନ୍।

ଟ୍ରେନର ବେଗ ବଢ଼ିବା ସହିତ ଯାତ୍ରୀମାନେ ନିଜ ନିଜ ସ୍ଥାନ ନେଇ ସାରିବା ବେଳକୁ କିଷାନଙ୍କ ସାରଙ୍ଗୀରୁ ଭାସି ଆସି ଡବା ଭିତରର ବାତାବରଣରେ ଖେଳିଯାଇଥିଲା ସ୍ୱରର ସୁମଧୁର ଝଙ୍କାର।

ତେରି ଆଙ୍ଖେ ଭୁଲ୍ ଭୁଲେୟା... ବାତେ ହୈ ଭୁଲ୍ ଭୁଲେୟା...

ସେ ହାତରେ ଧରିଥିବା ଧନୁ ସଦୃଶ ଉପକରଣଟି ବାଦ୍ୟଯନ୍ତ୍ରଟିର ଅଣଓସାରିଆ ବୋର୍ଡରେ ଲାଗିଥିବା ତିନିଟି ତାର ଉପରେ ଚଞ୍ଚଳ ଗତିରେ ଚାଲିଥିଲା ଏବଂ ତୋଳୁଥିଲା ଶିହରଣ ଭରା ସ୍ୱର। ବାଦ୍ୟଯନ୍ତ୍ରଟିର ତଳ ପଟେ ଥିବା ଛୋଟ ଧ୍ୱନିବାକ୍ସଟି ତାଙ୍କ ଛାତି ଓ ବାମ ହାତ ମଝିରେ ରହିଥିଲା। ତାଙ୍କ ସାରଙ୍ଗୀ ବାଦନରେ ୨୦୨୨ରେ ନିର୍ମିତ ବଲିଉଡ୍ ସିନେମା- ଭୁଲ୍ ଭୁଲେୟା ର ଏହି ଗୀତଟି ଆହୁରି ରୋମାଞ୍ଚକର ଲାଗୁଥିଲା।

କିଛି ସମୟ ପାଇଁ ହେଲେ ବି ନିତିଦିନିଆ ଅଭ୍ୟାସରୁ ବିରତି ନେଇ ସାରଙ୍ଗୀର ଏହି ସୁମଧୁର ସ୍ୱରରେ ନିଜକୁ ହଜାଇ ଦେଇଥିଲେ ଡବାରେ ବସିଥିବା କେତେକ ଯାତ୍ରୀ। ଅନ୍ୟ କେତେ ଜଣ ନିଜ ନିଜ ଫୋନ୍ ବାହାର କରି ଏହି ସ୍ୱରକୁ ରେକର୍ଡିଂ କରିବାରେ ଲାଗିଥିଲେ। ଆଉ କେତେ ଜଣ ଉଦାସୀନ ଭାବ ସହିତ ଅଳ୍ପ ହସିଲେ। କିନ୍ତୁ ଅଧିକାଂଶ ଯାତ୍ରୀ ପୁଣି ନିଜ ନିଜ ଫୋନ୍ ଭିତରେ ଡୁବି ଯାଇଥିଲେ, ଏବଂ କାନରେ ଇଅରଫୋନ୍ ଲଗାଇ ସେତେବେଳ ପର୍ଯ୍ୟନ୍ତ ବସି ରହିଥିଲେ, ଯେତେବେଳେ ଭାରତୀ ସେମାନଙ୍କୁ ହାତ ମାରି ଡାକିବା ସହିତ କିଛି ପଇସା ମାଗିଥିଲା। ସାରା ଡବାରେ ବୁଲି ବୁଲି ସେ ଏହା ହିଁ କରୁଥିଲା।

‘(ମୋ) ବାପା ଆମ ହାତରେ ଏଇ ସାରଙ୍ଗୀ ଦେଇ ଚାଲିଗଲେ। ମୁଁ କେବେ ସ୍କୁଲ ଯିବା କଥା ଚିନ୍ତା ହିଁ କରିନି। ମୁଁ ଖାଲି ଏହାକୁ ବଜାଉଥାଏ’

“ଲୋକେ ମୋତେ ସବୁବେଳେ ଦେଖୁଛନ୍ତି ଏବଂ ସାରଙ୍ଗୀ ବଜାଇବାକୁ ଜାଗା ଛାଡ଼ି ଦେଉଛନ୍ତି,” ସାମାନ୍ୟ ଦୁଃଖଭରା କଣ୍ଠରେ କହନ୍ତି କିଷାନ। ପ୍ରାୟ ୧୦-୧୫ ବର୍ଷ ତଳର କଥା ପୂରାପୂରି ଅଲଗା ଥିଲା ବୋଲି ସେ ମନେ ପକାନ୍ତି। “ସେତେବେଳେ ଏହାର ମୂଲ୍ୟ ବହୁତ ଅଧିକ ଥିଲା। ହେଲେ ଆଜିକାଲି ସେମାନେ ନିଜ ନିଜର ଫୋନ୍ ଦେଖନ୍ତି ଏବଂ କାନରେ ଇଅରଫୋନ୍ ଲଗାଇ ନିଜେ ନିଜର ମନୋରଞ୍ଜନ କରନ୍ତି। ମୋ ସଙ୍ଗୀତ ପ୍ରତି ସେମାନଙ୍କର ଆଉ ସେତେ ଆଗ୍ରହ ନାହିଁ।” ମୁହୂର୍ତ୍ତକ ପାଇଁ ଅଟକି ଯାଇ ସେ ପୁଣି ଆଉ ଏକ ଗୀତର ସ୍ୱର ତୋଳି ଧରନ୍ତି।

ପରବର୍ତ୍ତୀ ଗୀତ ପାଇଁ ସାରଙ୍ଗୀକୁ ପ୍ରସ୍ତୁତ କରୁ କରୁ ସେ କହନ୍ତି, “ମୁଁ ଲୋକ ସଂଗୀତ, ଭଜନ, ରାଜସ୍ଥାନୀ, ଗୁଜରାଟୀ ଏବଂ ହିନ୍ଦୀ ଗୀତର ସ୍ୱର ବଜାଇପାରେ। ଯେ କୌଣସି ଗୀତ କୁହନ୍ତୁ, ଏହାକୁ ମୁଁ ଚାରି କି ପାଞ୍ଚ ଦିନ ଶୁଣି ମୋ ମୁଣ୍ଡ ଭିତରେ ରଖିଦେବା ପରେ ମୁଁ ଏହାକୁ ମୋ ସାରଙ୍ଗୀରେ ବଜାଇ ପାରିବି। ଗୀତର ପ୍ରତିଟି ଲୟ ଠିକ୍ କରିବା ପାଇଁ ମୁଁ ବହୁତ ଅଭ୍ୟାସ କରେ।”

ଅନ୍ୟପଟେ, ଭାରତୀ ସେମାନଙ୍କ ନିକଟତର ହୋଇଆସୁଥିବା ଦେଖି ଆଉ କେତେକ ପୁରୁଷ ଓ ମହିଳା ନିଜ ନିଜର ପର୍ସ୍ ଖୋଲି ସେଥିରୁ ସବୁଠାରୁ ଛୋଟ ପଇସା ବା ବଡ଼ ନୋଟ୍ ଖୋଜୁଥାଆନ୍ତି। ଠିକ୍ ରେଳଗାଡ଼ିର ଚକା ବୁଲିବା ଭଳି ଭାରତୀ ଖୁବ୍ ତରବର ହୋଇ ବୁଲି ଆସେ, ଏବଂ ପରବର୍ତ୍ତୀ ଷ୍ଟେସନ୍ ପୂର୍ବରୁ ସେ ସବୁ ଯାତ୍ରୀଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରେ।

କିଷାନଙ୍କ ସବୁଦିନର ରୋଜଗାର ସମାନ ରହେ ନାହିଁ। କେତେବେଳେ ସେ ଦିନକୁ ୪୦୦ ଟଙ୍କା ରୋଜଗାର କରନ୍ତି ତ ଆଉ କେତେବେଳେ ଏହା ୧,୦୦୦ ଟଙ୍କା ବି ହୋଇପାରେ। ଏବଂ ଏହା କେବଳ ଗୋଟିଏ ଟ୍ରେନରୁ ଆର ଟ୍ରେନକୁ ବୁଲିବାରେ ଛଅ ଘଣ୍ଟାରୁ ଅଧିକ ସମୟ ଦେବା ପରେ ହିଁ ସମ୍ଭବ ହୋଇଥାଏ। ସନ୍ଧ୍ୟା ୫ଟାରେ ସେ ତାଙ୍କ ଘର ପାଖରେ ମୁମ୍ବାଇର ପଶ୍ଚିମ ପଟେ ନାଲ୍ଲାସୋପାରାରୁ ଆସୁଥିବା ଟ୍ରେନରେ ପ୍ରଥମେ ଚଢ଼ନ୍ତି। ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଯାତ୍ରାପଥ ନଥାଏ। କିନ୍ତୁ ଚର୍ଚ୍ଚଗେଟ୍ ଏବଂ ବିରାର ମଧ୍ୟରେ ଯା’ଆସ କରୁଥିବା ବିଭିନ୍ନ ଟ୍ରେନରେ ସେ ଯାତ୍ରା କରନ୍ତି। ଲୋକ ଭିଡ଼ର ସମ୍ଭାବନା ଏବଂ ସାରଙ୍ଗୀ ବଜାଇବାକୁ ତାଙ୍କୁ କିଛି ଜାଗା ମିଳିଯିବା ଉପରେ ତାଙ୍କର ଟ୍ରେନ୍ ଯାତ୍ରା ନିର୍ଭର କରେ।

କାହିଁକି ସେ ସନ୍ଧ୍ୟାବେଳର ଟ୍ରେନକୁ ପସନ୍ଦ କରନ୍ତି ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ  କିଷାନ କହନ୍ତି, “ସକାଳେ ଲୋକେ ନିଜ ନିଜର କାମକୁ ଯିବା ପାଇଁ ଦୌଡୁଥାଆନ୍ତି, ସବୁ ଟ୍ରେନରେ ଲୋକ ଭରି ରହିଥାଆନ୍ତି, ମୋତେ କିଏ ଶୁଣିବ ? ସେମାନେ (ଘରକୁ) ଫେରିବା ବେଳେ କିଛିଟା ଆରାମ ଅନୁଭବ କରୁଥାଆନ୍ତି। କେତେ ଜଣ ମୋତେ ଠେଲି ଦିଅନ୍ତି, ହେଲେ ମୁଁ ସେମାନଙ୍କୁ ଅଣଦେଖା କରିଯାଏ। ଆଉ ନ ହେଲେ କ’ଣ ବା କରିପାରିବି ?” ଏଇ ଗୋଟିକ ମାତ୍ର କୌଶଳ ସେ ଜାଣନ୍ତି କିମ୍ବା ତାଙ୍କ ପୂର୍ବ ପିଢ଼ି ପାଖରୁ ଶିଖିଛନ୍ତି।

Kishan Jogi with his daughter Bharti as he plays the sarangi on the 7 o’clock Mumbai local train that runs through the western suburb line
PHOTO • Aakanksha

ପଶ୍ଚିମ ମୁମ୍ବାଇ ଉପନଗରୀରେ ସନ୍ଧ୍ୟା ୭ଟାରୁ ଚଳାଚଳ କରୁଥିବା ଲୋକାଲ ଟ୍ରେନରେ ସାରଙ୍ଗୀ ବଜାନ୍ତି କିଷାନ ଯୋଗୀ, ସାଙ୍ଗରେ ଥାଏ ଝିଅ ଭାରତୀ

ରାଜସ୍ଥାନର ଲୁନିୟାପୁରା ଗାଁର ଘର ଛାଡ଼ି ସେମାନେ ଯେବେ ପ୍ରଥମ ଥର ପାଇଁ ଏହି ମୁମ୍ବାଇ ନଗରୀକୁ ଆସିଥିଲେ, ସେତେବେଳେ ତାଙ୍କ ବାପା ମିତାଜୀ ଯୋଗୀ ଲୋକାଲ ଟ୍ରେନରେ ଏବଂ ମୁମ୍ବାଇର ରାସ୍ତାଘାଟରେ ସାରଙ୍ଗୀ ବଜାଇବା ଆରମ୍ଭ କରିଥିଲେ। ସେଦିନର କଥା ମନେ ପକାଇ କିଷାନ କହନ୍ତି, “ମୋ ସାନଭାଇ ବିଜୟ ସହିତ ମୋ ବାପାମାଆ ଯେବେ ମୁମ୍ବାଇକୁ ଆସିଥିଲେ ସେତେବେଳେ ମୋତେ ଦୁଇ ବର୍ଷ ବୟସ ହୋଇଥିଲା।” ବାପାଙ୍କ ପଛେ ପଛେ ବୁଲିବା ଆରମ୍ଭ କରିବା ସମୟରେ ତାଙ୍କ ବୟସ ହୁଏତ ଭାରତୀଠାରୁ ବି କମ୍ ଥିଲା।

ଯୋଗୀ ସଂପ୍ରଦାୟର (ରାଜସ୍ଥାନରେ ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ) ମିତାଜୀ ନିଜକୁ ଜଣେ କଳା ପ୍ରଦର୍ଶନକାରୀ ବୋଲି ବିଚାର କରୁଥିଲେ। ଗାଁରେ ତାଙ୍କ ପରିବାର ଲୋକେ ଜୀବିକା ଅର୍ଜନ ପାଇଁ ରାବଣହତ୍ତା - ଲୋକ ସଙ୍ଗୀତରେ ବ୍ୟବହୃତ ଏକ ପୁରାତନ, ଧନୁ ସଦୃଶ ତାରଯୁକ୍ତ ବାଦ୍ୟ- ପରିବେଷଣ କରୁଥିଲେ। ଶୁଣନ୍ତୁ: ଉଦୟପୁରରେ ରାବଣକୁ ଜୀବିତ ରଖିବା ଲାଗି ଚେଷ୍ଟା

କିଷାନ କହନ୍ତି, “କେବେ ଯଦି କୌଣସି ସାଂସ୍କୃତିକ ସମାବେଶ, କିମ୍ବା କୌଣସି ଧାର୍ମିକ ଉତ୍ସବ ପାଳିତ ହୁଏ, ମୋ ବାପ୍ (ବାପା) ଏବଂ ଅନ୍ୟ ବାଦ୍ୟକାରମାନଙ୍କୁ ବଜାଇବା ପାଇଁ ଡକା ହୁଏ। ହେଲେ ଏହା କେବେ କେମିତି ହେଉଥିଲା। ଆଉ ଦାନ ଆକାରରେ ମିଳୁଥିବା ଅର୍ଥ ସମସ୍ତ ବାଦ୍ୟକାରଙ୍କ ମଧ୍ୟରେ ବାଣ୍ଟି ଦିଆହେଉଥିଲା।”

ଏଥିରୁ ଖୁବ୍ କମ୍ ରୋଜଗାର ହେଉଥିବାରୁ ମିତାଜୀ ଓ ତାଙ୍କ ସ୍ତ୍ରୀ ଯମନା ଦେବୀ ସ୍ୱଳ୍ପ ମଜୁରିରେ କୃଷି ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଥିଲେ। ସେ ଆହୁରି କହନ୍ତି, “ଆମ ଗାଁର ଗରିବୀ (ଦାରିଦ୍ର୍ୟ) ହିଁ ଆମକୁ ମୁମ୍ବାଇକୁ ଟାଣି ଆଣିଲା। ଗାଁରେ ଅନ୍ୟ କୌଣସି ଧନ୍ଦା ମଜଦୁରୀ (ବିକଳ୍ପ ବ୍ୟବସାୟ, ଶ୍ରମିକ ଭାବେ କାମ) ନଥିଲା।”

ମୁମ୍ବାଇରେ ମିତାଜୀଙ୍କୁ କୌଣସି କାମ ମିଳିଲାନି ଏବଂ ସେ ପ୍ରଥମେ ତାଙ୍କ ରାବଣହତ୍ତା ଏବଂ ପରେ ସାରଙ୍ଗୀ ବଜାଇ ବଜାଇ ଏଣେତେଣେ ଘୂରି ବୁଲିଲେ। ଜଣେ ଅଭିଜ୍ଞ ବାଦ୍ୟକାରଙ୍କ ଭଙ୍ଗୀରେ କିଷାନ ବୁଝାଇ କହନ୍ତି, “ ରାବଣହତ୍ତା ରେ ଅନେକ ବେଶୀ ତାର ଲାଗିଛି ଏବଂ ଏହାର ସୁର ତଳରାଗରେ ଲାଗେ। କିନ୍ତୁ ସାରଙ୍ଗୀରେ ଅଧିକ ଶାଣିତ ଏକ ସ୍ୱର ରହିଛି ଏବଂ ଏଥିରେ କମ୍ ତାର ଲାଗିଛି। ଲୋକେ ଏହାକୁ ପସନ୍ଦ କରୁଥିବାରୁ ମୋ ବାପା ସାରଙ୍ଗୀ ବଜାଇବା ଆରମ୍ଭ କଲେ। ଏଥିରେ ବିଭିନ୍ନ ରାଗ ଲୟରେ ସଙ୍ଗୀତ ପରିବେଷଣ କରାଯାଇପାରେ।”

A photograph of Kishan's father Mitaji Jogi hangs on the wall of his home, along with the sarangi he learnt to play from his father.
PHOTO • Aakanksha
Right: Kishan moves between stations and trains in search of a reasonably good crowd and some space for him to play
PHOTO • Aakanksha

ବାମ: କିଷାନଙ୍କ ଘର କାନ୍ଥରେ ଝୁଲୁଛି ତାଙ୍କ ବାପା ମିତାଜୀଙ୍କର ଏକ ଫଟୋ, ଏବଂ ପାଖରେ ଅଛି ସେହି ସାରଙ୍ଗୀ, ଯେଉଁଥିରୁ ସେ ତାଙ୍କ ବାପାଙ୍କ ପାଖରୁ ଏହା ବଜାଇ ଶିଖିଥିଲେ। ଡାହାଣ: ବେଶ୍ କିଛି ଲୋକଙ୍କ ଭିଡ଼ ଏବଂ ସାରଙ୍ଗୀ ବଜାଇବା ପାଇଁ ଅଳ୍ପ ଜାଗା ଖୋଜି ଖୋଜି କିଷାନ ଗୋଟିଏରୁ ଆଉ ଗୋଟିଏ ଟ୍ରେନ୍ ଓ ଷ୍ଟେସନ୍ ଘୂରି ବୁଲନ୍ତି

କିଷାନଙ୍କ ମାଆ ଯମନା ଦେବୀ ମଧ୍ୟ ସ୍ୱାମୀ ଓ ଦୁଇ ପିଲାଙ୍କ ସହିତ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବାରେ ଲାଗିଥିଲେ। ସେ ସମୟର କଥା ମନେ ପକାଇ କିଷାନ କହନ୍ତି, “ଆମେ ଯେତେବେଳେ ଏଠାକୁ ଆସିଲୁ ଫୁଟପାଥ୍ ହିଁ ଆମର ଘର ଥିଲା। ଯେଉଁଠି ଜାଗା ମିଳୁଥିଲା, ଆମେ ସେଇଠି ଶୋଉଥିଲୁ।” ତାଙ୍କୁ ଆଠ ବର୍ଷ ବୟସ ହେବା ବେଳକୁ ତାଙ୍କର ଆଉ ଦୁଇ ଭାଇ ଜନ୍ମ ନେଇସାରିଥିଲେ- ସୂରଜ ଏବଂ ଗୋପୀ। “ସେ ସମୟର କଥାକୁ ମୁଁ ମନେ ରଖିବାକୁ ବି ଚାହେଁନି,” ସ୍ପଷ୍ଟତଃ ଅସହଜ ଭାବରେ କିଷାନ କହିଲେ।

ଯେଉଁ ସବୁ ସ୍ମୃତିକୁ ସେ ମନେ ରଖିବାକୁ ଚାହାଁନ୍ତି ସେଥିରେ ରହିଛି ତାଙ୍କ ବାପାଙ୍କ ସଙ୍ଗୀତ। ସେ ନିଜେ ତିଆରି କରିଥିବା କାଠର ଏକ ସାରଙ୍ଗୀରେ କିଷାନ ଓ ତାଙ୍କ ଭାଇମାନଙ୍କୁ ସାରଙ୍ଗୀ ବାଦନ ଶିଖାଇଥିଲେ। “ତାଙ୍କର ମଞ୍ଚ ଥିଲା ରାସ୍ତାଘାଟ ଓ ଟ୍ରେନ୍। ସେ ଯେ କୌଣସି ସ୍ଥାନରେ ସାରଙ୍ଗୀ ବଜାଉଥିଲେ ଏବଂ ତାଙ୍କୁ କେହି ମନା କରୁ ନଥିଲେ। ଯେଉଁଠି ବଜାନ୍ତୁ ନା କାହିଁକି ତାଙ୍କ ଚାରି ପାଖରେ ବହୁ ଲୋକ ରୁଣ୍ଡ ହେଉଥିଲେ,” ସେ ସମୟର ଲୋକଭିଡ଼କୁ ଦର୍ଶାଇବା ପାଇଁ ନିଜର ଦୁଇ ହାତକୁ ଯେତେଦୂର ସମ୍ଭବ ମେଲାଇ ଆବେଗଭରା କଣ୍ଠରେ ସେ ଏତକ କହନ୍ତି।

ହେଲେ ତାଙ୍କ ପୁଅ ପାଇଁ ମୁମ୍ବାଇର ରାସ୍ତାଘାଟ ଏତେଟା ସଦୟ ହେଲାନି। ଜୁହୁ-ଚୌପାଟି ସମୁଦ୍ରକୂଳରେ ପର୍ଯ୍ୟଟକମାନଙ୍କ ଆଗରେ ସାରଙ୍ଗୀ ବଜାଇବା ଦୋଷରେ ପୋଲିସ ତାଙ୍କୁ ୧,୦୦୦ ଟଙ୍କା ଜୋରିମାନାରେ ଦଣ୍ଡିତ କରିବା ପରେ ବି ନୁହେଁ। ସେ ଜୋରିମାନା ଦେଇ ନ ପାରିବାରୁ ତାଙ୍କୁ ଘଣ୍ଟାଏ କି ଦୁଇ ଘଣ୍ଟା ଲାଗି ହାଜତରେ ରଖାଗଲା। ଏହି ଘଟଣା ପରେ ଟ୍ରେନରେ ସାରଙ୍ଗୀ ବଜାଇବା ଆରମ୍ଭ କରିଥିବା କିଷାନ କହନ୍ତି, “ସେତେବଳେ କି ଭୁଲ କରିଛି ବୋଲି ମୁଁ ଜାଣି ହିଁ ନଥିଲି।” ଯାହା ହେଲେ ବି ତାଙ୍କ ସଙ୍ଗୀତ ତାଙ୍କ ବାପାଙ୍କ ଭଳି କେବେ ବି ହୋଇପାରିବନି ବୋଲି ସେ କହନ୍ତି।

କିଷାନ କହନ୍ତି, “ ବାପ୍ ଏହାକୁ ଆହୁରି ଭଲ ଭାବରେ ବଜାଉଥିଲେ ଏବଂ ଆହୁରି ଅଧିକ ଭଲ ପାଉଥିଲେ। ଯାହାକି ମୁଁ କେବେ ବି କରିପାରି ନାହିଁ।” ସାରଙ୍ଗୀ ବଜାଇବା ବେଳେ ମିତାଜୀ ନିଜେ ଗୀତ ବି ଗାଉଥିଲେ। କିନ୍ତୁ କିଷାନ ଗୀତ ଗାଇବାକୁ ଲାଜ କରନ୍ତି। “ମୁଁ ଓ ମୋ ଭାଇ ବଞ୍ଚି ରହିବାକୁ ସାରଙ୍ଗୀ ବଜାଉଛୁ।” ସମ୍ଭବତଃ ଯକ୍ଷ୍ମା ରୋଗରେ ପଡ଼ି ତାଙ୍କ ବାପାଙ୍କର ମୃତ୍ୟୁ ହେଲା ବେଳକୁ କିଷାନଙ୍କୁ ୧୦ ବର୍ଷ ବୟସ ହୋଇଥିଲା। “ଆମ ପାଖରେ ପେଟପୂରା ଖାଇବାକୁ ନଥିଲା, ହାସପାତାଳ ଯିବା କଥା ଛାଡ଼ନ୍ତୁ।”

ପିଲାଟି ଦିନରୁ ହିଁ କିଷାନଙ୍କୁ ଜୀବିକା ଅର୍ଜନ କରିବାକୁ ପଡ଼ିଥିଲା। ସେ କହନ୍ତି, “ଆଉ ଅନ୍ୟ କଥା ଭାବିବାକୁ ସମୟ କେଉଁଠି ଥିଲା ? ବାପ୍ ନେ ସାରଙ୍ଗୀ ଥମା ଦି, କଭି ସ୍କୁଲ୍ କା ଭି ନହିଁ ଶୋଚା ବସ୍ ବଜାତେ ଗୟା (ବାପା ଆମ ହାତରେ ସାରଙ୍ଗୀ ଧରାଇ ଦେଲେ। ସ୍କୁଲ ଯିବା କଥା ତ ମୁଁ କେବେହେଲେ ଭାବିନି। ମୁଁ କେବଳ ବଜାଇବାରେ ଲାଗିଲି।”

Left: Kishan with one of his younger brothers, Suraj.
PHOTO • Aakanksha
Right: Kishan with his wife Rekha and two children, Yuvraj and Bharati
PHOTO • Aakanksha

ବାମ:ତାଙ୍କର ଜଣେ ସାନଭାଇ ସୂରଜ ସହିତ କିଷାନ। ଡାହାଣ: କିଷାନଙ୍କ ସହିତ ତାଙ୍କ ସ୍ତ୍ରୀ ରେଖା ଓ ଦୁଇ ପିଲା, ଯୁବରାଜ ଏବଂ ଭାରତୀ

ତାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ସାନଭାଇ, ବିଜୟ ଓ ଗୋପୀ ମାଆଙ୍କୁ ସାଙ୍ଗରେ ନେଇ ରାଜସ୍ଥାନ ଫେରିଗଲେ। ଆଉ ସୂରଜ ନାସିକକୁ ପଳାଇଲେ। କିଷାନ କହନ୍ତି, “ସେମାନେ ମୁମ୍ବାଇର ଗହଳଚହଳକୁ ପସନ୍ଦ କରନ୍ତିନି କି ସାରଙ୍ଗୀ ବଜାଇବାକୁ ଭଲ ପାଆନ୍ତିନି। ସୂରଜ ପସନ୍ଦ କରୁଥିଲା ଏବଂ ସେ ଏବେ ବି ସାରଙ୍ଗୀ ବଜାଏ। କିନ୍ତୁ ଅନ୍ୟ ଦୁଇ ଭାଇ ଛୋଟମୋଟ କାମ କରି ଗୁଜରାଣ ମେଣ୍ଟାନ୍ତି।”

କିଷାନ କହନ୍ତି, “ମୁଁ ଜାଣିନି ଯେ ମୁଁ ମୁମ୍ବାଇରେ କାହିଁକି ରହୁଛି। କିନ୍ତୁ ଏଇଠି ମୁଁ ମୋର ଛୋଟିଆ ସଂସାରକୁ ଗଢ଼ି ତୋଳିଛି।” ତାଙ୍କ ସଂସାରର ଗୋଟିଏ ଅଂଶ ହେଲା ଉତ୍ତର ମୁମ୍ବାଇ ଉପନଗରୀର ପଶ୍ଚିମ-ନାଲ୍ଲାସୋପାରା ଅଞ୍ଚଳରେ ମାଟିକାଦୁଅର ଚଟାଣ ସହିତ ବିପଜ୍ଜନକ ଭାବେ ରହିଥିବା ଏକ କୁଡ଼ିଆ ଭଳି ଭଡ଼ାଘର। ୧୦ ଫୁଟ ଲମ୍ବ ଏବଂ ୧୦ ଫୁଟ ଓସାରର ଏହି ଟିଣ ଛପର ଘରର କାନ୍ଥ ଆଜବେଷ୍ଟସ୍ ଚାଦରରେ ନିର୍ମିତ।

ତାଙ୍କର ପ୍ରଥମ ପ୍ରେମ, ଗତ ୧୫ ବର୍ଷ ହେଲା ତାଙ୍କ ପତ୍ନୀ ଏବଂ ତାଙ୍କର ଦୁଇ ପିଲା, ଭାରତୀ ଓ ୩  ବର୍ଷର ଯୁବରାଜଙ୍କ ମାଆ ରେଖା ଆମକୁ ଘର ଭିତରକୁ ସ୍ୱାଗତ କଲେ। ସେଇ ଛୋଟ ଘରଟିରେ ରହୁଥିଲେ ଚାରିଜଣିଆ ପରିବାର, ଗୋଟିଏ ରନ୍ଧାଘର, ଛୋଟ ଟେଲିଭିଜନ୍ ସେଟ୍ ଏବଂ ସେମାନଙ୍କ ଲୁଗାପଟା। ପାଖରେ ଥିବା ଏକ କଂକ୍ରିଟ୍ ଖମ୍ବରୁ ଝୁଲୁଥିଲା ତାଙ୍କ ସାରଙ୍ଗୀ, ତାଙ୍କ ଭାଷାରେ ତାଙ୍କର ଏକମାତ୍ର ‘ମୂଲ୍ୟବାନ ସଂପଦ’।

ରେଖାଙ୍କୁ ତାଙ୍କର ପ୍ରିୟ ଗୀତ ସଂପର୍କରେ ପଚାରିଲେ କିଷାନ ତୁରନ୍ତ କହି ଉଠନ୍ତି, “ ହର ଧୂନ ଉସକେ ନାମ୍ (ଏମିତି କୌଣସି ସ୍ୱର ନାହିଁ ଯାହା ତା ପାଇଁ ଉଦ୍ଦିଷ୍ଟ ନୁହେଁ)।”

ରେଖା କହନ୍ତି, “ସେ ଯାହା ବି ବଜାନ୍ତି ମୋତେ ଭଲ ଲାଗେ, ହେଲେ ଆମେ ଏହାରି ଉପରେ ଆଉ ନିର୍ଭର କରିପାରିବୁନି। ମୁଁ ଚାହୁଁଛି ତାଙ୍କୁ ଗୋଟିଏ ନିତିଦିନିଆ ଚାକିରି ମିଳୁ। ଆଗରୁ ଆମେ ମାତ୍ର ଦୁଇ ଜଣ ଥିଲୁ, ହେଲେ ଏବେ ଆମର ଏହି ଦୁଇ ପିଲା ବି ଅଛନ୍ତି।”

'I can play even in my sleep. This is all that I know. But there are no earnings from sarangi, ' says Kishan
PHOTO • Aakanksha

କିଷାନ କହନ୍ତି, 'ମୁଁ ନିଦରେ ଶୋଇ ବି ସାରଙ୍ଗୀ ବଜାଇ ପାରିବି। ଏତିକି ଯାହା ମୁଁ ଜାଣିଛି। ହେଲେ ସାରଙ୍ଗୀରୁ ଆଉ ରୋଜଗାର ହେଉନାହିଁ'

କିଷାନଙ୍କ ସହିତ ଟ୍ରେନରେ ଯାଉଥିବା ଝିଅ ଭାରତୀ ଜିଲ୍ଲା ପରିଷଦ ସରକାରୀ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼େ। ନେଲିମୋରରେ ଯେଉଁଠି ସେମାନେ ରହନ୍ତି, ସେଠାରୁ ଅଳ୍ପ ଦୂରରେ ସ୍କୁଲ। ସ୍କୁଲରେ ପଢ଼ାପଢ଼ି ସରିଯିବା ମାତ୍ରେ ଭାରତୀ ବାପାଙ୍କ ସାଙ୍ଗରେ ଯାଏ। ସେ କହେ, “ମୋ ବାପା ଯାହା ବଜାନ୍ତି ସବୁ ମୋତେ ଭଲ ଲାଗେ। ହେଲେ ତାଙ୍କ ସହିତ ସବୁଦିନ ଯିବାକୁ ମୋତେ ଭଲ ଲାଗେନି। ମୁଁ ମୋ ସାଙ୍ଗମାନଙ୍କ ସହିତ ଖେଳିବାକୁ ଆଉ ନାଚିବାକୁ ଚାହେଁ।”

କିଷାନ କହନ୍ତି, “ମୁଁ ତାକୁ ସାଙ୍ଗରେ ନେବା ଆରମ୍ଭ କରିବା ବେଳକୁ ତାକୁ ପାଞ୍ଚ ବର୍ଷ ବୟସ ହୋଇଥିବ। କ’ଣ କରାଯାଇପାରିବ ? ମୁଁ ବି ତାକୁ ସାଙ୍ଗରେ ନେବାକୁ ପସନ୍ଦ କରେନି। କିନ୍ତୁ ମୁଁ ସାରଙ୍ଗୀ ବଜାଇବା ବେଳେ ଲୋକଙ୍କ ପାଖରୁ ପଇସା ସଂଗ୍ରହ କରିବା ଲାଗି ମୋ ପାଖରେ କେହି ଜଣେ ରହିବା ଦରକାର। ନହେଲେ ମୁଁ କେମିତି ରୋଜଗାର କରିବି ?”

ମୁମ୍ବାଇ ନଗରୀରେ ଅନ୍ୟ କୌଣସି କାମ ଖୋଜିବାରେ ଲାଗିଛନ୍ତି କିଷାନ। ହେଲେ ଶିକ୍ଷାଗତ ଯୋଗ୍ୟତା ନ ଥିବାରୁ ତାହା ତାଙ୍କ ଭାଗ୍ୟରେ ଜୁଟୁନାହିଁ। ଟ୍ରେନ୍ ଯାତ୍ରୀମାନେ ତାଙ୍କୁ ନମ୍ବର ମାଗିଲେ, ସେ ଭାବନ୍ତି ହୁଏତ କୌଣସି ଏକ ବଡ଼ କାର୍ଯ୍ୟକ୍ରମରେ ସାରଙ୍ଗୀ ବଜାଇବା ଲାଗି ତାଙ୍କୁ ଡାକିବେ। ଅଳ୍ପ କେତେକ ବିଜ୍ଞାପନର ପ୍ରଚ୍ଛଦପଟ୍ଟରେ ସେ ସାରଙ୍ଗୀ ବାଦନ କରିସାରିଛନ୍ତି। ମୁମ୍ବାଇ ଆଖପାଖ ଫିଲ୍ମ ସିଟି, ପାରେଲ ଏବଂ ଭର୍ସୋଭାରେ ଥିବା କେତେକ ଷ୍ଟୁଡିଓକୁ ସେ ଯାଇଛନ୍ତି। କିନ୍ତୁ ସେ ସବୁ ସୁଯୋଗ ମାତ୍ର ଥରକ ପାଇଁ ଯାହା ମିଳିଛି ଏବଂ ଏଥିରୁ କେବେ କେମିତି ତାଙ୍କୁ ୨,୦୦୦ରୁ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ପାଉଣା ମିଳିଛି।

ଚାରି ବର୍ଷ ହେଲା ତାଙ୍କ ଭାଗ୍ୟରେ ଏମିତି ସୁଯୋଗ ବି ଜୁଟିନାହିଁ।

Left: A sarangi hanging inside Kishan's house. He considers this his father's legacy.
PHOTO • Aakanksha
Right: Kishan sitting at home with Bharti and Yuvraj
PHOTO • Aakanksha

ବାମ: କିଷାନଙ୍କ ଘର ଭିତରେ ଝୁଲୁଥିବା ଏକ ସାରଙ୍ଗୀ। ଏହାକୁ ସେ ତାଙ୍କ ବାପାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି ବୋଲି ମନେ କରନ୍ତି। ଡାହାଣ: ଭାରତୀ ଓ ଯୁବରାଜଙ୍କ ସହ ଘରେ ବସିଛନ୍ତି କିଷାନ

ଦଶ ବର୍ଷ ତଳେ ଦିନକୁ ୩୦୦ରୁ ୪୦୦ ଟଙ୍କା ମିଳିଲେ ଚଳି ହୋଇଯାଉଥିଲା। ହେଲେ ଏବେ ଆଉ ହେଉନାହିଁ। ତାଙ୍କ ଘରର ମାସିକ ଭଡ଼ା ୪୦୦୦ ଟଙ୍କା, ଆଉ ତା ସହିତ ଖାଦ୍ୟ ସାମଗ୍ରୀ, ପାଣି, ଇଲେକଟ୍ରିସିଟି- ସବୁ ମିଶିଲେ ମାସକୁ ପ୍ରାୟ ୧୦,୦୦୦ ଟଙ୍କା; ପ୍ରତି ଛଅ ମାସରେ ତାଙ୍କ ଝିଅର ସ୍କୁଲରେ ୪୦୦ ଟଙ୍କା ଦେବାକୁ ପଡ଼େ।

ଉଭୟ ସ୍ୱାମୀ ଓ ସ୍ତ୍ରୀ ଚିନ୍ଦିୱାଲେ ଭାବରେ କାମ କରନ୍ତି- ଦିନ ବେଳା ଘର ଘର ବୁଲି ପୁରୁଣା ଲୁଗାପଟା ସଂଗ୍ରହ କରି ତୃତୀୟ ପକ୍ଷକୁ ବିକ୍ରି କରନ୍ତି। ହେଲେ ଏଥିରେ ବି ରୋଜଗାର ସ୍ଥିର ନୁହେଁ କି ନିୟମିତ ନୁହେଁ। କାମ ମିଳିଲେ ସେମାନେ ଦିନକୁ ୧୦୦ରୁ ୫୦୦ ଟଙ୍କା ଭିତରେ ଯାହା କିଛି ବି ରୋଜଗାର କରିପାରନ୍ତି।

କିଷାନ କହନ୍ତି, “ମୁଁ ନିଦରେ ଶୋଇ ବି ସାରଙ୍ଗୀ ବଜାଇ ପାରିବି। ଏତିକି ଯାହା ମୁଁ ଜାଣିଛି। ହେଲେ ସାରଙ୍ଗୀରୁ ଆଉ ରୋଜଗାର ହେଉନାହିଁ।”

“ୟେ ମେରେ ବାପ୍ ସେ ମିଲି ନିଶାନୀ ହୈ ଔର ମୁଝେ ଭି ଲଗତା ହୈ ମୈଁ କଲାକାର ହୁଁ... ପର୍ କଲାକାରୀ ସେ ପେଟ୍ ନହିଁ ଭରତା ନା (ଏହା ମୋ ବାପାଙ୍କ ଉପହାର ଏବଂ ମତେ ବି ଲାଗେ ଯେ ମୁଁ ଜଣେ କଳାକାର। କିନ୍ତୁ କଳାରୁ ଭୋକିଲା ପେଟ ପୂରେ ନାହିଁ, ପୂରେ କି)?”

ଅନୁବାଦ : ଓଡ଼ିଶାଲାଇଭ୍‍

Aakanksha

आकांक्षा, पीपल्स आर्काइव ऑफ़ रूरल इंडिया के लिए बतौर रिपोर्टर और फ़ोटोग्राफ़र कार्यरत हैं. एजुकेशन टीम की कॉन्टेंट एडिटर के रूप में, वह ग्रामीण क्षेत्रों के छात्रों को उनकी आसपास की दुनिया का दस्तावेज़ीकरण करने के लिए प्रशिक्षित करती हैं.

की अन्य स्टोरी Aakanksha
Editor : Pratishtha Pandya

प्रतिष्ठा पांड्या, पारी में बतौर वरिष्ठ संपादक कार्यरत हैं, और पारी के रचनात्मक लेखन अनुभाग का नेतृत्व करती हैं. वह पारी’भाषा टीम की सदस्य हैं और गुजराती में कहानियों का अनुवाद व संपादन करती हैं. प्रतिष्ठा गुजराती और अंग्रेज़ी भाषा की कवि भी हैं.

की अन्य स्टोरी Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE