୧୯୪୭ର ରକ୍ତାକ୍ତ ଦେଶ ବିଭାଜନ ଯୋଗୁଁ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ସୀମାରେଖା - ରାଡ୍କ୍ଲିଫ୍ ଲାଇନ୍ ପଞ୍ଜାବକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରିଥିଲା। ସୀମା ନିର୍ଦ୍ଧାରଣ କମିସନ୍ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିବା ବ୍ରିଟିଶ ଆଇନଜ୍ଞଙ୍କ ନାମରେ ନାମିତ ଏହି ରେଖା କେବଳ ଯେ ଭୌଗୋଳିକ ବିଭାଜନ ଘଟାଇଥିଲା, ତାହା ନୁହେଁ, ବରଂ ଏହା ପଞ୍ଜାବୀ ଭାଷାକୁ ମଧ୍ୟ ଦୁଇଟି ଲିପିରେ ବିଭାଜିତ କରାଇଥିଲା। ଲୁଧିଆନା ଜିଲ୍ଲାର ପାୟଲ ତହସିଲ ଅନ୍ତର୍ଗତ କଟହରି ଗାଁର କିର୍ପାଲ ସିଂହ ପନ୍ନୁ କହିଲେ,“ଦେଶ ବିଭାଜିତ ହେବା କାରଣରୁ ପଞ୍ଜାବୀ ସାହିତ୍ୟରେ ଏବଂ ପଞ୍ଜାବୀ ଭାଷାର ଦୁଇଟି ଲିପିରେ, ଚିରଦିନ ଲାଗି ଏକ କ୍ଷତ ସୃଷ୍ଟି ହୋଇଥିଲା।”
ଦେଶ ବିଭାଜନ ଯୋଗୁଁ ସୃଷ୍ଟ ଏହି ନିର୍ଦ୍ଦିଷ୍ଟ କ୍ଷତରେ ମଲମ ଲଗାଇବା ପ୍ରଚେଷ୍ଟାରେ ତାଙ୍କ ଜୀବନର ତିନି ଦଶନ୍ଧି ଉତ୍ସର୍ଗ କରିଦେଇଛନ୍ତି ୯୦ ବର୍ଷ ବୟସ୍କ ଏହି ପୂର୍ବତନ ସୈନିକ ପନ୍ନୁ। ସୀମା ସୁରକ୍ଷା ବଳ (BSF)ର ଜଣେ ଅବସରପ୍ରାପ୍ତ ଡେପୁଟି କମାଣ୍ଡାଣ୍ଟ ପନ୍ନୁ, ଗୁରୁ ଗ୍ରନ୍ଥ ସାହିବ, ମହାନ୍ କୋଷ (ପଞ୍ଜାବର ଅନ୍ୟତମ ସମ୍ମାନିତ ପବିତ୍ର ଜ୍ଞାନକୋଷ) ଭଳି ଅନେକ ଶାସ୍ତ୍ର ଓ ଧର୍ମଗ୍ରନ୍ଥକୁ ଏବଂ ଅନ୍ୟ କେତେକ ସାହିତ୍ୟିକ ସୃଷ୍ଟିକୁ ଗୁରମୁଖୀ ଲିପିରୁ ଶାହମୁଖୀରେ ଏବଂ ଶାହମୁଖୀରୁ ଗୁରମୁଖୀ ଲିପିରେ ଆକ୍ଷରିକ ଅନୁବାଦ କରିଛନ୍ତି।
୧୯୪୭ ପରେ ଭାରତରେ ଉର୍ଦ୍ଦୁ ଭଳି ଡାହାଣରୁ ବାମକୁ ଲେଖାଯାଉଥିବା ଶାହମୁଖୀ ଲିପିର ବ୍ୟବହାର କରାଯାଇ ନଥିଲା। ୧୯୯୫-୧୯୯୬ରେ ପନ୍ନୁ ଏଭଳି ଏକ କମ୍ପ୍ୟୁଟର ପ୍ରୋଗ୍ରାମ ପ୍ରସ୍ତୁତ କଲେ ଯାହା ଗୁରୁ ଗ୍ରନ୍ଥ ସାହିବକୁ ଗୁରମୁଖୀରୁ ଶାହମୁଖୀରେ ଏବଂ ଶାହମୁଖୀରୁ ଗୁରମୁଖୀ ଲିପିରେ ପରିବର୍ତ୍ତନ କରିପାରୁଥିଲା।
ଦେଶ ବିଭାଜନ ପୂର୍ବରୁ ଉର୍ଦ୍ଦୁ ଭାଷାଭାଷୀ ଲୋକେ ଶାହମୁଖୀ ଲିପିରେ ଲିଖିତ ପଞ୍ଜାବୀ ଭାଷାକୁ ମଧ୍ୟ ପଢ଼ି ପାରୁଥିଲେ। ପାକିସ୍ତାନ ଗଠିତ ହେବା ପୂର୍ବରୁ ଅଧିକାଂଶ ସାହିତ୍ୟ ରଚନା ଏବଂ ସରକାରୀ ଅଦାଲତ ନଥିପତ୍ର ଶାହମୁଖୀ ଲିପିରେ ଲେଖା ଯାଇଥିଲା। ଏମିତି କି, ତତ୍କାଳୀନ ଅବିଭକ୍ତ ପଞ୍ଜାବ ପ୍ରଦେଶର ପାରମ୍ପରିକ ଗଳ୍ପକଥନ କଳା ‘କିସ୍ସା’ରେ ମଧ୍ୟ କେବଳ ଶାହମୁଖୀ ଲିପି ବ୍ୟବହାର କରାଯାଉଥିଲା।
ଭାରତର ଦେବନାଗରୀ ଲିପି ସହିତ କିଛିଟା ସାମଞ୍ଜସ୍ୟ ଥାଇ ବାମରୁ ଡାହାଣକୁ ଲେଖାଯାଉଥିବା ଗୁରମୁଖୀ ଲିପି ପାକିସ୍ତାନର ପଞ୍ଜାବରେ ବ୍ୟବହାର କରାଯାଏ ନାହିଁ। ପରିଣାମ ସ୍ୱରୂପ, ପଞ୍ଜାବୀ ଭାଷାଭାଷୀ ପାକିସ୍ତାନୀମାନଙ୍କର ପରବର୍ତ୍ତୀ ପିଢ଼ି ଗୁରମୁଖୀ ଲିପି ପଢ଼ିବାରେ ସକ୍ଷମ ହେଲେ ନାହିଁ ଏବଂ ସେମାନଙ୍କ ନିଜସ୍ୱ ସାହିତ୍ୟଠାରୁ ବିଚ୍ଛିନ୍ନ ହୋଇ ରହିଗଲେ। ସେମାନେ ଜାଣିଥିବା ଶାହମୁଖୀ ଲିପିରେ ପ୍ରସ୍ତୁତ ହେବା ପରେ ହିଁ ଅବିଭକ୍ତ ପଞ୍ଜାବର ମହାନ ସାହିତ୍ୟିକମାନଙ୍କ କୃତୀକୁ ସେମାନେ ପଢ଼ିପାରିଲେ।
ପାତିଆଲାରେ ରହୁଥିବା ଜଣେ ଭାଷାବିତ୍ ଏବଂ ଫରାସୀ ଭାଷା ଶିକ୍ଷକ ୬୮ ବର୍ଷୀୟ ଡକ୍ଟର ଭୋଜ ରାଜ ମଧ୍ୟ ଶାହମୁଖୀ ପଢ଼ନ୍ତି। ସେ କହିଲେ, “୧୯୪୭ ମସିହା ପୂର୍ବରୁ ଶାହମୁଖୀ ଏବଂ ଗୁରମୁଖୀ ଊଭୟ ଲିପି ବ୍ୟବହୃତ ହେଉଥିଲା। ହେଲେ ଗୁରମୁଖୀ ପ୍ରାୟତଃ ଗୁରଦ୍ୱାରା (ଶିଖ୍ ଧର୍ମର ପୂଜାସ୍ଥଳୀ)ରେ ସୀମିତ ରହିଥିଲା।” ରାଜ୍ଙ୍କ କହିବା ଅନୁସାରେ, ପ୍ରାକ୍-ସ୍ୱାଧୀନତା କାଳରେ ପଞ୍ଜାବୀ ଭାଷା ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ଶାହମୁଖୀ ଲିପିରେ ଲେଖିବେ ବୋଲି ଆଶା କରାଯାଉଥିଲା।
ରାଜ୍ କହିଲେ, “ଏମିତି କି ରାମାୟଣ ଓ ମହାଭାରତ ଭଳି ହିନ୍ଦୁମାନଙ୍କର ଧାର୍ମିକ ରଚନାବଳୀ ପର୍ସୋ-ଆରବୀୟ ଲିପିରେ ଲେଖାଯାଇଥିଲା।” ପଞ୍ଜାବ ବିଭାଜିତ ହେଲା ଏବଂ ଏହି କାରଣରୁ ଭାଷାରେ ମଧ୍ୟ ବିଭେଦ ସୃଷ୍ଟି ହେଲା। ଶାହମୁଖ ପଶ୍ଚିମ ପଞ୍ଜାବକୁ ଚାଲିଯାଇ ପାକିସ୍ତାନୀ ପାଲଟିଗଲା। ଏବଂ ଏକୁଟିଆ ଗୁରମୁଖୀ ଭାରତରେ ରହିଗଲା।
ପନ୍ନୁଙ୍କର ଏହି ପ୍ରକଳ୍ପ, ପଞ୍ଜାବୀ ଭାଷା, ସଂସ୍କୃତି, ସାହିତ୍ୟ ଓ ଇତିହାସର ଅବଲୁପ୍ତପ୍ରାୟ ଏକ ପ୍ରମୁଖ ଉପାଦାନକୁ କେନ୍ଦ୍ର କରି ବର୍ଷ ବର୍ଷ ଧରି ଲାଗି ରହିଥିବା ଉତ୍କଣ୍ଠାର ଅବସାନ ଦିଗରେ ବାଟ ଫିଟାଇବାରେ ଲାଗିଲା।
ପନ୍ନୁ କହିଲେ, “ଉଭୟ ପୂର୍ବ ପଞ୍ଜାବ (ଭାରତୀୟ ପକ୍ଷ) ଏବଂ ପଶ୍ଚିମ ପଞ୍ଜାବ ( ପାକିସ୍ତାନ ପକ୍ଷ)ର ଲେଖକ ଓ କବିମାନେ ସେମାନଙ୍କ ସୃଷ୍ଟିକୁ ଦୁଇ ପକ୍ଷର ଲୋକେ ପଢ଼ନ୍ତୁ ବୋଲି ଚାହୁଁଥିଲେ।” କାନାଡାର ଟରୋଣ୍ଟୋରେ ଆୟୋଜିତ ଅନେକ ସାହିତ୍ୟ ସଭାରେ ଯୋଗ ଦେବା ଅବସରରେ ସେ ଲକ୍ଷ୍ୟ କରିଥିଲେ ଯେ, ପାକିସ୍ତାନୀ ପଞ୍ଜାବୀ ଏବଂ ଅନ୍ୟ ଦେଶରେ ବସବାସ କରୁଥିବା ପଞ୍ଜାବୀମାନେ ସେମାନଙ୍କ ସାହିତ୍ୟର ଏହି ସ୍ଥିତିକୁ ନେଇ ଅବଶୋଷ କରୁଥିଲେ।
ଏହିପରି ଏକ ସାହିତ୍ୟ ସଭାରେ ପାଠକ ଓ ଶିକ୍ଷାର୍ଥୀମାନେ ପରସ୍ପରର ସାହିତ୍ୟ ପଠନ ପାଇଁ ଆଗ୍ରହ ପ୍ରକାଶ କଲେ। ପନ୍ନୁ କହନ୍ତି, “ଉଭୟ ପଟର ଲୋକେ ଉଭୟ ଲିପି ପଢ଼ିବା ଶିଖିପାରିଲେ ହିଁ ତାହା ସମ୍ଭବ ହୋଇପାରିବ। ହେଲେ ତାହା କହିବା ଯେତିକି ସହଜ, କରିବା ସେତିକି କଷ୍ଟକର।”
ଏହି ସମସ୍ୟାର ସମାଧାନ ନିମନ୍ତେ ଯେଉଁ ଗୋଟିଏ ବାଟ ରହିଥିଲା, ତାହା ହେଲା ଉଭୟ ପକ୍ଷର ପ୍ରମୁଖ ସାହିତ୍ୟ ସୃଷ୍ଟି ସମୂହର ଆକ୍ଷରିକ ଅନୁବାଦ କରି ଉଭୟ ପଟେ ପହଞ୍ଚାଇବା। ଯେଉଁ ଲିପିରେ ଯେଉଁ ରଚନା ଉପଲବ୍ଧ ନଥିଲା ସେହି ଲିପିରେ ତାହାକୁ ଉପଲବ୍ଧ କରାଇବା। ଏଭଳି ସ୍ଥିତିରୁ ପନ୍ନୁଙ୍କ ମନରେ ଜାତ ହୋଇଥିଲା ଏକ ନୂଆ ଚିନ୍ତାଧାରା।
ଘଟଣାକ୍ରମେ, ପନ୍ନୁଙ୍କ କମ୍ପ୍ୟୁଟର ପ୍ରୋଗ୍ରାମ ଯୋଗୁଁ ପାକିସ୍ତାନର ଜଣେ ପାଠକ ଶିଖ୍ ଧର୍ମର ପବିତ୍ର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହିବକୁ ଶାହମୁଖୀ ଲିପିରେ ପଢ଼ିବାରେ ସକ୍ଷମ ହୋଇପାରିଲେ। ସେହି ଏକା ପ୍ରୋଗ୍ରାମ୍ ଦ୍ୱାରା ପାକିସ୍ତାନରେ ଉର୍ଦ୍ଦୁ କିମ୍ବା ଶାହମୁଖୀ ଲିପିରେ ଉପଲବ୍ଧ ପୁସ୍ତକ ଓ ରଚନାବଳୀକୁ ଗୁରମୁଖୀ ଲିପିରେ ଆକ୍ଷରିକ ଅନୁବାଦ କରାଗଲା।
*****
୧୯୮୮ରେ ଚାକିରିରୁ ଅବସର ନେବା ପରେ ପନ୍ନୁ କାନାଡା ଗଲେ ଏବଂ ସେଠାରେ କମ୍ପ୍ୟୁଟର କିଭଳି ବ୍ୟବହାର କରିବାକୁ ହୁଏ ତାହା ପଢ଼ିଲେ।
କାନାଡାରେ ବହୁସଂଖ୍ୟକ ପଞ୍ଜାବୀ ବସବାସ କରନ୍ତି ଏବଂ ସେମାନେ ନିଜ ଦେଶର ଖବର ପଢ଼ିବା ପାଇଁ ବେଶ୍ ଆଗ୍ରହୀ ଥିଲେ। ସେତେବେଳେ ‘ଅଜିତ’ ଏବଂ ‘ପଞ୍ଜାବୀ ଟ୍ରିବ୍ୟୁନ୍’ ଭଳି ପଞ୍ଜାବୀ ଦୈନିକ ଖବରକାଗଜ ବିମାନ ଯୋଗେ ଭାରତରୁ କାନାଡାକୁ ପଠାଯାଉଥିଲା।
ପନ୍ନୁ କହିଲେ, ଏହି ଦୁଇଟିରୁ ଏବଂ ଅନ୍ୟାନ୍ୟ ଖବରକାଗଜରୁ ସଂଗୃହୀତ କଟା ଅଂଶ ବା ‘ପେପର୍ କଟିଂ’କୁ ଟରୋଣ୍ଟୋରୁ ପ୍ରକାଶିତ ଅନ୍ୟାନ୍ୟ ଖବରକାଗଜରେ ବ୍ୟବହାର କରାଯାଉଥିଲା। ଏହି ସବୁ ଖବରକାଗଜ ଭିନ୍ନ ଭିନ୍ନ ଖବରକାଗଜରୁ ସଂଗୃହୀତ ଅଂଶକୁ ଯୋଡ଼ି ପ୍ରସ୍ତୁତ କରାଯାଉଥିଲା ଏବଂ ‘ପେପର୍ କଟିଂ’ର ଏକ ‘କୋଲାଜ୍’ ଭଳି ଲାଗୁଥିଲା। ଏଥିରେ ଅନେକ ପ୍ରକାରର ଅକ୍ଷର ବା ‘ଫଣ୍ଟ୍’ ବ୍ୟବହୃତ ହେଉଥିଲା।
ଏହିଭଳି ଏକ ଦୈନିକ ଖବରକାଗଜ ଥିଲା ‘ହମ୍ଦର୍ଦ୍ ଉଇକ୍ଲି’। ପରବର୍ତ୍ତୀ ସମୟରେ. ପନ୍ନୁ ଏହି ଦୈନିକରେ କାମ କରିଥିଲେ। ୧୯୯୩ରେ ଏହି ଖବରକାଗଜକୁ ଗୋଟିଏ ଅକ୍ଷରାକୃତିରେ ବା ‘ଫଣ୍ଟ୍’ରେ ପ୍ରକାଶ କରିବା ଲାଗି ଏହାର ସଂପାଦକମାନେ ସ୍ଥିର କଲେ।
ପନ୍ନୁ କହିଲେ, “ସେତେବେଳେ ଅନେକ ପ୍ରକାର ‘ଫଣ୍ଟ୍’ ଆସି ପହଞ୍ଚିବାରେ ଲାଗିଥିଲା ଏବଂ କମ୍ପ୍ୟୁଟର ବ୍ୟବହାର ସମ୍ଭବ ହେଲା। ପ୍ରଥମ ଥର ପାଇଁ ମୁଁ ଗୁରମୁଖୀର ଗୋଟିଏ ‘ଫଣ୍ଟ୍’କୁ ଅନ୍ୟ ଏକ ‘ଫଣ୍ଟ୍’ରେ ପରିବର୍ତ୍ତନ କରିଥିଲି।”
ନବେ ଦଶକର ପ୍ରଥମ ଭାଗରେ ଟରୋଣ୍ଟୋସ୍ଥିତ ତାଙ୍କ ବାସଗୃହରୁ ଅନନ୍ତପୁର ‘ଫଣ୍ଟ୍’ରେ ଟାଇପ୍ କରାଯାଇଥିବା ‘ହମ୍ଦର୍ଦ ଉଇକ୍ଲି’ର ପ୍ରଥମ ସଂଖ୍ୟା ପ୍ରକାଶିତ ହୋଇଥିଲା। ଏହା ପରେ, ୧୯୯୨ ମସିହାରେ ଟରୋଣ୍ଟୋରେ ଗଠିତ ପଞ୍ଜାବୀ ଲେଖକମାନଙ୍କର ଏକ ସଂଗଠନ ‘ପଞ୍ଜାବୀ କଲମାଁ ଦା କାଫଲା’ (ପଞ୍ଜାବୀ ଲେଖକ ସଂଗଠନ)ର ଏକ ବୈଠକରେ ଗୁରମୁଖୀ-ଶାହମୁଖୀ ଲିପି ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସଦସ୍ୟମାନେ ନିଷ୍ପତ୍ତି ନେଲେ।
ସେତେବେଳେ ସହଜରେ କମ୍ପ୍ୟୁଟର ବ୍ୟବହାର କରିପାରୁଥିବା ହାତଗଣତି ବ୍ୟକ୍ତିଙ୍କ ମଧ୍ୟରେ ପନ୍ନୁଙ୍କ ନାଁ ରହିଥିଲା ଏବଂ ଏଥିପାଇଁ ତାଙ୍କୁ ଏହି ଦାୟିତ୍ୱ ଅର୍ପଣ କରାଯାଇଥିଲା। ୧୯୯୬ ମସିହାରେ, ପଞ୍ଜାବୀ ସାହିତ୍ୟ ପ୍ରତି ସମର୍ପିତ ଅନ୍ୟତମ ସଂଗଠନ ‘ଏକାଡେମୀ ଅଫ୍ ପଞ୍ଜାବ ଇନ୍ ନର୍ଥ ଆମେରିକା’ ବା APNA ସଂସ୍ଥା, ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଅନ୍ୟତମ ପ୍ରସିଦ୍ଧ ପଞ୍ଜାବୀ କବି ନବତେଜ ଭାରତୀ ଘୋଷଣା କଲେ: “କିର୍ପାଲ ସିଂହ ପନ୍ନୁ ଗୋଟିଏ ପ୍ରୋଗ୍ରାମ ଡିଜାଇନ୍ କରୁଛନ୍ତି। କି ତୁସି ଇକ୍ କ୍ଲିକ୍ କରୋଗେ ଗୁରମୁଖୀ ତୋଁ ଶାହମୁଖୀ ହୋ ଜାଉଗା, ଇକ୍ କ୍ଲିକ୍ କରୋଗେ ତେ ଶାହମୁଖୀ ତୋଁ ଗୁରମୁଖୀ ହୋ ଜାଉଗା (ଆପଣ ଗୋଟିଏ କ୍ଲିକ୍ରେ ଶାହମୁଖୀରୁ ଗୁରମୁଖୀକୁ ଏବଂ ଗୁରମୁଖୀରୁ ଶାହମୁଖୀକୁ ପରିବର୍ତ୍ତନ କରିପାରିବେ)।”
ସୈନିକ ପନ୍ନୁ କହିଲେ, ପ୍ରଥମେ ପ୍ରଥମେ ତାଙ୍କୁ ଲାଗିଲା ଯେମିତି କି ସେ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି। କିନ୍ତୁ ଆରମ୍ଭରୁ କେତେକ ବୈଷୟିକ କାରଣଜନିତ ଅସୁବିଧା ପରେ ସେ ତାଙ୍କ ଲକ୍ଷ୍ୟପଥରେ ଆଗେଇବାରେ ସକ୍ଷମ ହେଲେ।
ସେ କହିଲେ, “ଅତି ଆଗ୍ରହରେ, ସାହିତ୍ୟ ଜଗତର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ଜାବେଦ ବୁଟାଙ୍କୁ ମୁଁ ଏହା ଦେଖାଇବାକୁ ଗଲି।”
ଶାହମୁଖୀ ଲିପିରେ ପନ୍ନୁ ଯେଉଁ ଫଣ୍ଟ୍ ବ୍ୟବହାର କରିଥିଲେ, ତାହା ଅତି ଅନାକର୍ଷଣୀୟ ଏବଂ କାନ୍ଥରେ କଂକ୍ରିଟ୍ ଖଣ୍ଡ ଲାଗିବା ଭଳି ଦେଖାଯାଉଥିଲା ବୋଲି ବୁଟା ତାଙ୍କୁ ବୁଝାଇ ଦେଲେ। ସେ ପନ୍ନୁଙ୍କୁ କହିଲେ ଯେ ଏହା ‘କୁଫି’ (ଆରବୀୟ ଭାଷାରେ ବ୍ୟବହୃତ ଏକ ଫଣ୍ଟ୍) ଭଳି ଦିଶୁଥିଲା ଏବଂ ଏହାକୁ କୌଣସି ଉର୍ଦ୍ଦୁ ପାଠକ ଗ୍ରହଣ କରିବେ ନାହିଁ। ଉର୍ଦ୍ଦୁ ଓ ଶାହମୁଖୀରେ ଯେଉଁଟି ଗ୍ରହଣୀୟ ହେଉଥିଲା ତାହା ହେଲା ‘ନସ୍ତାଲିକ୍’ ଫଣ୍ଟ୍, ଯାହାକି ଶୁଖିଲା ଗଛରେ ପତ୍ରହୀନ ବୃନ୍ତ ଭଳି ଦିଶୁଥିଲା।
ନିରାଶ ହୋଇ ପନ୍ନୁ ଫେରିଆସିଲେ। ପରେ ତାଙ୍କର ଓ ତାଙ୍କ ବନ୍ଧୁମାନଙ୍କର ପୁଅମାନେ ତାଙ୍କୁ ସାହାଯ୍ୟ କଲେ। ସେ ଅନେକ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ଏବଂ ବିଭିନ୍ନ ଲାଇବ୍ରେରୀ ଘୂରି ବୁଲିଲେ। ବୁଟା ଓ ତାଙ୍କ ପରିବାର ବି ତାଙ୍କୁ ସାହାଯ୍ୟ କଲେ। ପରିଶେଷରେ, ପନ୍ନୁଙ୍କୁ ମିଳିଗଲା ‘ନୁରି ନସ୍ତାଲିକ୍’ ଫଣ୍ଟ୍।
ସେତେବେଳକୁ ସେ ଫଣ୍ଟ୍ ସଂପର୍କରେ ବେଶ୍ ମହତ୍ତ୍ୱପୂର୍ଣ୍ଣ ଜ୍ଞାନ ହାସଲ କରିସାରିଥାଆନ୍ତି ଏବଂ ତାଙ୍କର ଆବଶ୍ୟକତା ଅନୁସାରେ ‘ନୁରି ନସ୍ତାଲିକ୍’ ଫଣ୍ଟ୍ରେ ପରିବର୍ତ୍ତନ କରିପାରୁଥାଆନ୍ତି। ପନ୍ନୁ କହିଲେ, “ମୁଁ ଏହାକୁ ଗୁରମୁଖୀ ସହିତ ସମାନ୍ତରାଳ ଭାବରେ ପ୍ରସ୍ତୁତ କରିଥିଲି। ତେଣୁ, ଆଉ ଏକ ବଡ଼ ସମସ୍ୟା ରହିଗଲା। ଏଥିରେ ଡାହାଣରୁ ବାମକୁ ଲେଖିବା ସକାଶେ ଆମକୁ ଆହୁରି କସରତ୍ କରି ଠିକ୍ କରିବାକୁ ପଡୁଥିଲା। କୌଣସି ପଶୁକୁ ଦଉଡ଼ିରେ ଏବଂ ଗଛରେ ବାନ୍ଧି ଟାଣିବା ଭଳି ମୁଁ ପ୍ରତିଟି ଅକ୍ଷରକୁ ବାମରୁ ଟାଣି ଡାହାଣରେ ରଖୁଥିଲି।”
ଆକ୍ଷରିକ ଅନୁବାଦ କ୍ଷେତ୍ରରେ ଉଭୟ ମୂଳ ଲିପି ଏବଂ ଅନୁଦିତ ହେବାକୁ ଥିବା ଲିପିରେ ଏକାଭଳି ଉଚ୍ଚାରଣର ଆବଶ୍ୟକତା ରହିଥାଏ। କିନ୍ତୁ ପ୍ରତିଟି ଲିପିରେ ଏମିତି କେତେକ ଅକ୍ଷର ରହିଛି, ଯାହା ସହିତ ସମାନ ଉଚ୍ଚାରଣ ବିଶିଷ୍ଟ ଅକ୍ଷର ଅନ୍ୟ ଲିପିରେ ନାହିଁ। ଏହାର ଗୋଟିଏ ଉଦାହରଣ ହେଲା ଶାହମୁଖୀ ଅକ୍ଷର ‘ନୁଁ’ ن – ଏହା ଏକ ନିରବ ଅନୁନାସିକ ଅକ୍ଷର ଏବଂ ଗୁରମୁଖୀରେ ଏହା ନାହିଁ। ଏଭଳି ପ୍ରତିଟି ଅକ୍ଷର ପାଇଁ ଆଗରୁ ଥିବା କୌଣସି ଅକ୍ଷର ସହିତ କିଛିଟା ଅତିରିକ୍ତ ଉପାଦାନ ସାମିଲ କରି ପନ୍ନୁ ନୂଆ ଅକ୍ଷରଟିଏ ପ୍ରସ୍ତୁତ କଲେ।
ଏବେ ପନ୍ନୁ ଗୁରମୁଖୀ ଲିପିରେ ୩୦ରୁ ଅଧିକ ଫଣ୍ଟ୍ ବ୍ୟବହାର କରୁଛନ୍ତି ଏବଂ ଶାହମୁଖୀରେ ତାଙ୍କ ପାଖରେ ଚାରିଟି ଫଣ୍ଟ୍ ରହିଛି।
*****
ପନ୍ନୁ ଗୋଟିଏ ଚାଷୀ ପରିବାରରୁ ଆସିଛନ୍ତି। ତାଙ୍କ ପରିବାର ପାଖରେ କଟହାରି ଗାଁରେ ୧୦ ଏକର ଜମି ଅଛି। ତାଙ୍କର ତିନି ଜଣ ଯାକ ପୁଅ ଇଞ୍ଜିନିୟର ଏବଂ କାନାଡାରେ ରହନ୍ତି।
ପୂର୍ବତନ ଗଡ଼ଜାତ ରାଜ୍ୟ ସମୂହର ଏକ ସଂଘ, ତତ୍କାଳୀନ ‘ପାତିଆଲା ଆଣ୍ଡ୍ ଇଷ୍ଟ ପଞ୍ଜାବ ଷ୍ଟେଟ୍ସ ୟୁନିଅନ’ (PEPSU)ର- ସଶସ୍ତ୍ର ପୋଲିସ ବାହିନୀରେ ସେ ୧୯୫୮ରେ ଯୋଗ ଦେଇଥିଲେ। ସେତେବେଳେ ସେ ପାତିଆଲାର କିଲା ବାହାଦୁରଗଡ଼ରେ ଜଣେ ବରିଷ୍ଠ ବର୍ଗର କନେଷ୍ଟବଳ ରୂପେ ଯୋଗ ଦେଇଥିଲେ। ୧୯୬୨ର ଯୁଦ୍ଧ ସମୟରେ ପନ୍ନୁଙ୍କୁ ଗୁରୁଦାସପୁରର ଡେରା ବାବା ନାନକରେ ହେଡ୍ କନେଷ୍ଟବଳ ରୂପେ ନିୟୋଜିତ କରାଯାଇଥିଲା। ସେ ସମୟରେ ତାହା ଥିଲା ‘ପଞ୍ଜାବ ଆର୍ମଡ୍ ପୋଲିସ’ (PAP) ଏବଂ ସେମାନେ ‘ରାଡ୍କ୍ଲିଫ୍ ଲାଇନ୍’ରେ ପହରା ଦେଉଥିଲେ।
୧୯୬୫ରେ ସୀମା ସୁରକ୍ଷା ବଳ (BSF) ସହିତ ପଞ୍ଜାବ ସଶସ୍ତ୍ର ପୋଲିସ (PAP)ର ମିଶ୍ରଣ ଘଟିଥିଲା ଏବଂ ସେ, ସେତେବେଳେ ପଞ୍ଜାବର ଏକ ଅଂଶ ଥିବା ଲାହୋଲ ସ୍ପିତିରେ ନିଯୁକ୍ତି ପାଇଥିଲେ। ବିଏସ୍ଏଫ୍ର ପୋଲ ନିର୍ମାଣ କାର୍ଯ୍ୟରେ ସେ ପୂର୍ତ୍ତ ବିଭାଗ ସହିତ ମିଶି କାମ କରିଥିଲେ ଏବଂ ପରେ ସବ୍-ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ପାଇଥିଲେ। ପରବର୍ତ୍ତୀ ସମୟରେ ସେ ବିଏସ୍ଏଫ୍ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀକୁ ଉନ୍ନୀତ ହୋଇଥିଲେ।
ସେ କହନ୍ତି, ଘରଠାରୁ ଦୂରରେ ଦେଶ ସୀମାରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ଜୀବନ ଧାରା ଏବଂ ମୁକ୍ତ ବିଚାରଧାରାରୁ ହିଁ ସାହିତ୍ୟ ଓ କବିତାକୁ ସେ ଭଲ ପାଇ ବସିଲେ। ତାଙ୍କ ପତ୍ନୀଙ୍କ ପାଇଁ ସେ ଲେଖିଥିବା ଦୁଇ ପଦ କବିତା ଆବୃତ୍ତି କରନ୍ତି:
“ପଲ ଭି ସହା ନା ଜାୟେ ରେ ତେରୀ ଜୁଦାଇ ୟେ ସଚ୍ ଆୟେ
ପର ଇଦ୍ଦା
ଜୁଦାୟିୟାଁ ବିଚ୍ ହି ୟେ ବୀତ ଜାନି ହୈ ଜୀନ୍ଦଗୀ
”
ଏମିତି
ମୁହୂର୍ତ୍ତଟିଏ ବିତେ ନାହିଁ, ଯେବେ ତତେ ପାଇବାକୁ ମୁଁ ଚାହେଁ ନାହିଁ
ଏମିତି ଚାହିଁବା ହିଁ
ପାଲଟିଛି ମୋ ଭାଗ୍ୟ - ଚିରନ୍ତନ, ଆଲ୍ଲାହୁ!
ଖେମ କରନ୍ରେ ବିଏସ୍ଏଫ୍ର କମ୍ପାନୀ କମାଣ୍ଡାଣ୍ଟ ଭାବେ ନିୟୋଜିତ ହୋଇଥିବା ସମୟରେ ସେ ଓ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଇକ୍ବାଲ ଖାନ୍ ଏକ ପ୍ରଥା ସ୍ଥାପନ କରିଥିଲେ। ସେ କହିଲେ, “ସେ ସମୟରେ ଉଭୟ ପଟର ଲୋକେ ସୀମା ପରିଦର୍ଶନ କରନ୍ତି। ପାକିସ୍ତାନୀ ଅତିଥିମାନଙ୍କୁ ଚା’ ପିଆଇବା ଦାୟିତ୍ୱ ମୋର ଥିଲା ଏବଂ ସେପଟୁ ବି ଭାରତୀୟ ଅତିଥିମାନଙ୍କୁ ସେ କେବେ ଚା’ ନ ପିଆଇ ଛାଡ଼ନ୍ତିନି। କେଇ କପ୍ ଚା’ରେ ପାଟି ମିଠା ହୋଇଯାଏ ଏବଂ ମନ ଭିତରଟା ନରମି ଯାଏ।”
ପରିଶେଷରେ ପନ୍ନୁ ତାଙ୍କ ଗୁରମୁଖୀରୁ ଶାହମୁଖୀ ଲିପି ପରିବର୍ତ୍ତନ ପ୍ରୋଗ୍ରାମକୁ ପଞ୍ଜାବୀ ସାହିତ୍ୟ ପ୍ରତି ନିଜକୁ ଅର୍ପଣ କରିଦେଇଥିବା ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର କୁଲବୀର ସିଂହ ଥିଣ୍ଡଙ୍କୁ ଦେଖାଇଲେ। ପରବର୍ତ୍ତୀ ସମୟରେ ସେ ତାଙ୍କ ଶ୍ରୀ ଗ୍ରନ୍ଥ ଡଟ୍ ଓଆର୍ଜି ରେ ପନ୍ନୁଙ୍କ ଆକ୍ଷରିକ ଅନୁବାଦ (ପନ୍ନୁ’ସ୍ ଟ୍ରାନ୍ସଲିଟରେସନ୍)କୁ ଅପ୍ଲୋଡ୍ କରିଥିଲେ। ପନ୍ନୁ କହିଲେ, “ସେଥିରେ ତାହା ବହୁ ବର୍ଷ ଧରି ରହିଥିଲା।”
୨୦୦୦ ମସିହାରେ ଅନ୍ୟତମ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୁରବଚନ ସିଂହ ଆରବୀୟ ଭାଷାରେ ରଚିତ ଶ୍ରୀ ଗୁରୁ ଗ୍ରନ୍ଥ ସାହିବରେ ପାରସ୍ୟ ଅକ୍ଷର ବ୍ୟବହାର କଲେ। ଏହା କରିବା ସମୟର ସେ ପନ୍ନୁଙ୍କ ଦ୍ୱାରା ପ୍ରସ୍ତୁତ ପ୍ରୋଗ୍ରାମ ଉପଯୋଗ କରିଥିଲେ।
ତା’ପରେ ପନ୍ନୁ, ଭାଇ କାନ୍ ସିଂହ ନାଭାଙ୍କ ଦ୍ୱାରା ସଂକଳିତ ଏବଂ ମୁଖ୍ୟତଃ ଗୁରମୁଖୀ ଲିପିରେ ଲିଖିତ ପଞ୍ଜାବର ଅତି ସମ୍ମାନିତ ଜ୍ଞାନକୋଷ ‘ମହାନ କୋଷ’ର ଆକ୍ଷରିକ ଅନୁବାଦ କରିବା ଦିଗରେ ୧୪ ବର୍ଷରୁ ଅଧିକ ସମୟ ଧରି କାମ କଲେ।
ସେ ମଧ୍ୟ ୧,୦୦୦ ଅଙ୍ଗ ସମ୍ବଳିତ ଏକ କବିତା ପୁସ୍ତକ ‘ହୀର ୱାରିସ୍ କେ ଶେରୋଁ କା ହାୱାଲା’ର ଆକ୍ଷରିକ ଅନୁବାଦ ଗୁରମୁଖୀ ଲିପିରେ କରିଲେ।
୧୯୪୭ ପୂର୍ବରୁ ଭାରତରେ ଗୁରୁଦାସପୁର ଜିଲ୍ଲାର ଏକ ଅଂଶ ଥିବା ପାକିସ୍ତାନର ଶକରଗଡ଼ ତହସିଲର ଜଣେ ୨୭ ବର୍ଷୀୟା ସାମ୍ବାଦିକା ସବା ଚୌଧୁରୀ କହିଲେ ଯେ ତାଙ୍କ ଅଞ୍ଚଳରେ ନୂତନ ପିଢ଼ିର ଯୁବକଯୁବତୀମାନେ ପଞ୍ଜାବୀ ଭାଷା ପ୍ରାୟ ଜାଣିନାହାନ୍ତି। ସେମାନଙ୍କୁ ପାକିସ୍ତାନରେ ଉର୍ଦ୍ଦୁରେ କଥାବାର୍ତ୍ତା କରିବାକୁ କୁହାଯାଇଥାଏ। ସେ କହିଲେ “ସ୍କୁଲ୍ ପାଠ୍ୟକ୍ରମରେ ପଞ୍ଜାବୀ ଭାଷା ଶିକ୍ଷା ଦିଆଯାଏ ନାହିଁ। ଲୋକେ ସେଠାରେ ଗୁରମୁଖୀ ଜାଣିନାହାନ୍ତି, ମୁଁ ବି ଜାଣିନି। କେବଳ ଆମ ପୂର୍ବ ପିଢ଼ି ଏହି ଭାଷା ଜାଣିଥିଲେ।”
ତାଙ୍କର ଏହି ଯାତ୍ରା ସବୁବେଳେ ଆନନ୍ଦରେ କଟି ନଥିଲା। ୨୦୧୩ରେ କମ୍ପ୍ୟୁଟର ସାଇନ୍ସର ଜଣେ ପ୍ରଫେସର ତାଙ୍କର ଏହି ଆକ୍ଷରିକ ଅନୁବାଦ ପ୍ରୋଗ୍ରାମକୁ ନିଜର ବୋଲି ଦାବି କଲେ। ଫଳରେ ତାଙ୍କର ଏହି ଦାବିକୁ ଖଣ୍ଡନ କରିବା ପାଇଁ ପନ୍ନୁ ଗୋଟିଏ ବହି ଲେଖିଲେ। ତାଙ୍କ ବିରୋଧରେ ଏକ ମାନହାନି ମକଦ୍ଦମା କରାଯାଇଥିଲା; ତଳକୋର୍ଟଙ୍କ ରାୟ ପନ୍ନୁଙ୍କ ସପକ୍ଷରେ ଯିବା ପରେ ଏବେ ଉଚ୍ଚତର ଅଦାଲତରେ ଏହି ମାମଲା ବିଚାର ଅପେକ୍ଷାରେ ରହିଛି।
ବିଭାଜନର ଏକ ଶକ୍ତ ଆଘାତକୁ ଅନେକ ମାତ୍ରାରେ ପ୍ରଶମିତ କରିପାରିଥିବାରୁ ପନ୍ନୁ ଆନନ୍ଦିତ ହେବା ସ୍ୱାଭାବିକ କଥା। ସୀମା ଏପଟେ ଓ ସେପଟେ ଏବେ ଦୁଇଟି ଲିପିରେ, ଚମକୁଛନ୍ତି ପଞ୍ଜାବୀ ଭାଷାର ସୂର୍ଯ୍ୟ ଓ ଚନ୍ଦ୍ର। ପ୍ରେମ ଓ ଆକାଂକ୍ଷାର ଏକ ସାଧାରଣ ଭାଷାର ନାୟକ କିରପାଲ ସିଂହ ପନ୍ନୁ।
ଅନୁବାଦ : ଓଡ଼ିଶାଲାଇଭ୍